ଅହମ୍ମଦାବାଦଠାରେ ଗତ ଥରର ଚାମ୍ପିଅନ୍ ଇଂଲଣ୍ଡ ଓ ରନର୍ସ-ଅପ୍ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଏ ଥର ବିଶ୍ବ କପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଖାଲି ଷ୍ଟାଣ୍ଡ ଦେଖି ବିଶ୍ବବିଖ୍ୟାତ ଓପନିଂ ବ୍ୟାଟ୍‌ସମ୍ୟାନ ସୁନୀଲ ଗାଭାସ୍କର ପ୍ରବଳ ବର୍ଷିଥିଲେ। ଷ୍ଟାଡିଅମ୍‌ରେ ସ୍କୋରବୋର୍ଡ ପରି ସର୍ବନିମ୍ନ ବ୍ୟବସ୍ଥା ନ ଥିବାରୁ ଜଣେ ଭାରତୀୟ ଭାବେ ତାଙ୍କୁ ଲଜ୍ଜା ଲାଗୁଛି ବୋଲି ମଧ୍ୟ ସେ କହିଥିଲେ। ତେବେ ଟୁର୍ଣ୍ଣାମେଣ୍ଟରେ ନିଜ ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ବେଳେ ବିଶ୍ବର ଏକାଧିକ ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଗଠିତ ଘରୋଇ ଭାରତୀୟ ଦଳ ଦର୍ଶକଙ୍କୁ ଚୁମ୍ବକ ପରି ଟାଣିଆଣିବ ବୋଲି ସମସ୍ତେ ଭାବୁଥିଲେ। ଅଥଚ ଏହା ମଧ୍ୟ ଭୁଲ୍‌ ପ୍ରମାଣିତ ହେଲା। ଚେନ୍ନାଇରେ ସାଧାରଣ ଆଇପିଏଲ ମ୍ୟାଚ୍‌ଟିଏ ହେଲେ ସିଏସ୍‌କେ ଗଣଉନ୍ମାଦନା ସୃଷ୍ଟି କରିଥାଏ। ଅଥଚ ସେହି ସମାନ ଷ୍ଟାଡିଅମ୍‌ରେ ଦୁଇ ଜନପ୍ରିୟ ଦଳ ଭାରତ ଓ ଅଷ୍ଟ୍ରେଲିଆ, ବିଶ୍ବ କପ୍‌ରେ ନିଜନିଜ ଉଦ୍‌ଘାଟନୀ ମ୍ୟାଚ୍‌ରେ ଭେଟିବା ସତ୍ତ୍ବେ ଗ୍ୟାଲେରି ଭର୍ତ୍ତି ନ ହେବା ଚିନ୍ତାର ବିଷୟ। ଏକଦିବସୀୟ ଫର୍ମାଟ୍‌ର ଭବିଷ୍ୟତକୁ ନେଇ ଢେର୍ ଦିନରୁ କଳ୍ପନାଜଳ୍ପନା ଆରମ୍ଭ ହେଲାଣି। ତେବେ ନିକଟରେ ଗତ ୨ ସେପ୍‌ଟେମ୍ବରରେ ଏ ନେଇ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିବା ଆରମ୍ଭ କରିଥିଲେ। ସେଦିନ ଶ୍ରୀଲଙ୍କାର କାଣ୍ଡିଠାରେ ଏସିଆ କପ୍ କ୍ରିକେଟ୍‌ରେ ମୁହାଁମୁହିଁ ହେଉଥା’ନ୍ତି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ। ଉକ୍ତ ମ୍ୟାଚ୍‌ରେ ଏକ ଅଲୋଡ଼ା ଦୃଶ୍ୟ ଦେଖାଗଲା। ଦର୍ଶକ ଗ୍ୟାଲେରି ଖାଁ ଖାଁ।
ଦିନ ଥିଲା, କ୍ରିକେଟ୍‌ର ଏହି ଦିନିକିଆ ଫର୍ମାଟ୍ ଅସମ୍ଭବ ଲୋକପ୍ରିୟତା ହାସଲ କରିଥିଲା। ୧୯୮୩ରୁ ଏ ଯାଏ ଦିନିକିଆ କ୍ରିକେଟ୍‌ର ୪ ଦଶନ୍ଧିର ଯାତ୍ରାର ଏକ ସ୍ଥୂଳ ଅନୁଧ୍ୟାନରୁ ଏହାର ଉତ୍‌ଥାନ ଓ କ୍ରମକ୍ଷୟିଷ୍ଣୁ ପ୍ରଭାବକୁ ସ୍ପଷ୍ଟ ବାରିହୁଏ। ପ୍ରଥମ ଦୁଇ ଦଶନ୍ଧିରେ ଏହାର କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତାକୁ ଅନୁଭବ କରି ହେଉଥିଲା। ୧୯୮୩ରେ କପିଳ ଦେବଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ବିଶ୍ବ କପ୍‌ ଜିତିବା ପରେ ଏହି ଧାରା ଆରମ୍ଭ ହୋଇଥିଲା। ତେନ୍ଦୁଲକରଙ୍କ ସମୟରେ ଏଇ କ୍ରିକେଟ୍‌ ପାଗଳ ଦେଶର ଲୋକେ ‘କ୍ରିକେଟ୍ ଇଜ୍ ଆୱାର ରିଲିଜିଅନ୍, ସଚିନ ଆୱାର ଗଡ୍’ ଲେଖା ଥିବା ବ୍ୟାନର୍‌ ଦର୍ଶକ ଗ୍ୟାଲେରିରେ ଧରି ଉଲ୍ଲସିତ ହେଉଥିବା ଏକ ସାଧାରଣ କଥା ଥିଲା। ଏମିତିରେ କ୍ରିକେଟ୍ ଯେ ଏବେ ଆଉ ଆଦୌ ‘ଏ ଦେଶର ଧର୍ମ’ ହୋଇ ରହିନାହିଁ, ସେ କଥା ନୁହେଁ। ତେବେ ପ୍ରାୟ ଦୁଇ ଦଶନ୍ଧି ହେଲା ଦିନିକିଆକୁ ପଛରେ ଛାଡ଼ି ଟ୍ୱେଣ୍ଟି-୨୦ କ୍ରିକେଟ୍ କ୍ରମଶଃ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି। ୧୯୮୩ରେ ଭାରତ ଜିତିବ ବୋଲି କେହି ଆଶା କରି ନ ଥିଲେ। ସେତେବେଳେ ଟିଭି ମଧ୍ୟ ପର୍ଯ୍ୟାପ୍ତ ସଂଖ୍ୟାରେ ଉପଲବ୍‌ଧ ନ ଥିଲା। ଯେଉଁ କେତୋଟି ଅଳ୍ପ ଟିଭି ସେଟ୍ ଥିଲା, ସୁଉଚ୍ଚ ଆଣ୍ଟିନା ଲଗାଇ କିଛି ଝାପ୍‌ସା ଦୃଶ୍ୟ ଦେଖିହେଉଥିଲା। ମୁଖ୍ୟତଃ ରେଡିଓରୁ ଧାରାବିବରଣୀ ଶୁଣୁଥିଲେ ଲୋକେ। ତେବେ ୧୯୮୭ ବେଳକୁ ଟିଭି ବେଶ୍ ସ୍ପଷ୍ଟ ଦେଖାଗଲାଣି। ଭାରତୀୟ ଦଳ ମଧ୍ୟ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ପ୍ରିୟ ଦଳ ହେଲାଣି। କପିଳ ଦେବ କ୍ରମାଗତ ଦ୍ବିତୀୟ ଥର ଦେଶକୁ ବିଶ୍ବ କପ୍ ବିଜୟୀ କରାଇବାର ସମ୍ଭାବନା ଥିଲା। ୨୫୫ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ କପିଳ ଦେବ ନିଜେ ୨୨ ବଲ୍‌ରେ ୩୦ ରନ୍‌ କରି ଖେଳୁଥିବା ଯାଏ ମ୍ୟାଚ୍‌ ଭାରତ ହାତରେ ଥିଲା। ସେତିକିବେଳେ ଏଡି ହେମିଙ୍ଗସଙ୍କ ଏକ ବଲ୍‌କୁ ଛକା ମାରିବାକୁ ଯାଇ ଇଂଲଣ୍ଡ ଅଧିନାୟକ ଗ୍ୟାଟିଂଙ୍କ ହାତରେ କପିଳ ଆଉଟ୍‌ ହୋଇ ନ ଥିଲେ ହୁଏତ ଭାରତ ଫାଇନାଲ୍‌ରେ ଅନଭିଜ୍ଞ ଅଷ୍ଟ୍ରେଲିଆକୁ ହରାଇ ଚାମ୍ପିଅନ୍ ହେବାର ସୁଯୋଗ ଥାଆନ୍ତା। ଆଉ ତାହା ହୋଇଥିଲେ କପିଳ ଦେବ ଯେ ଏ ଦେଶର ଜନମାନସରେ ଏକରକମ ଅମରତ୍ବ ଲାଭ କରିଥା’ନ୍ତେ, ତାହା ଅଲଗା କଥା। ଭାରତୀୟ ଦଳ ବିଫଳ ହୋଇଥିଲେ ମଧ୍ୟ ରିଲାଏନ୍‌ସ ପ୍ରାୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଉପମହାଦେଶରେ ବେଶ୍‌ ଗଣଉନ୍ମାଦନା ସୃଷ୍ଟି କରିପାରିଥିଲା। ବର୍ଡର ନେତୃତ୍ବାଧୀନ ଯୁବ ଅଷ୍ଟ୍ରେଲିଆ ଦଳ କୋଲକାତାର ପ୍ରସିଦ୍ଧ ଇଡେନ୍‌ ଗାର୍ଡେନ୍‌ରେ ଟ୍ରଫି ସହ ପଇଁତରା ମାରିବା ଦୃଶ୍ୟ ଏବେ ବି ଆଖି ଆଗରେ ଭାସିଯାଏ। ସେହିପରି ପ୍ରାରମ୍ଭିକ ସ୍ତରରେ ଅତି ଖରାପ ଖେଳି ମଧ୍ୟ ଇମ୍ରାନଙ୍କ ପାକିସ୍ତାନ ବର୍ଷା ପ୍ରଭାବିତ ୧୯୯୨ ବିଶ୍ବ କପ୍ ବିଜୟୀ ହୋଇପାରିଥିଲା। ୧୯୯୬ରେ ବି ଆୟୋଜକ ଭାରତୀୟ ଦଳ ଅନ୍ୟତମ ପ୍ରିୟ ଦଳ ଥିଲା। ତେନ୍ଦୁଲକରଙ୍କ ଚମତ୍କାର ପ୍ରଦର୍ଶନ ସତ୍ତ୍ବେ ଦଳ ପୁଣି ସେମିଫାଇନାଲରେ ହାରିଲା। ଶ୍ରୀଲଙ୍କା ନୂଆ ଚାମ୍ପିଅନ୍ ହେଲା, ଅଥଚ ଦିନିକିଆ କ୍ରିକେଟ୍ ଆହୁରି ଲୋକପ୍ରିୟ ହେଲା। ୧୯୯୯ ଓ ୨୦୦୭ରେ ଟିମ୍‌ ଇଣ୍ଡିଆର ଦୁର୍ବଳ ପ୍ରଦର୍ଶନ ସତ୍ତ୍ବେ ଦିନିକିଆ କ୍ରିକେଟ୍‌ରୁ ଦେଶବାସୀଙ୍କର ମୋହଭଙ୍ଗ ହୋଇନଥିଲା। ୨୦୦୩ରେ ତେନ୍ଦୁଲକରଙ୍କ ଚମତ୍କାର ପ୍ରଦର୍ଶନ ଦଳକୁ ଫାଇନାଲ୍ ଯାଏ ଟାଣି ନେଇଥିଲା। ୨୦୧୧ରେ ଧୋନୀ ବାହିନୀର ବିଜୟ ସତ୍ତ୍ବେ ଟ୍ବେଣ୍ଟି-୨୦ ବିଶେଷ କରି ଆଇପିଏଲ୍‌ ଧୀରେଧୀରେ ଦିନିକିଆ କ୍ରିକେଟ୍‌ର ସ୍ଥାନ ନେବା ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଦଳରେ ବିରାଟ କୋହଲିଙ୍କ ପରି ବିଶ୍ବର ଶ୍ରେଷ୍ଠ ଖେଳାଳିଙ୍କ ଉପସ୍ଥିତି ସତ୍ତ୍ବେ ୨୦୧୫ ଓ ୨୦୧୯ ବିଶ୍ବ କପ୍‌ରେ ଭାରତର ବିଫଳତା କ୍ରିକେଟ୍‌ ପ୍ରେମୀଙ୍କୁ ଦିନିକିଆ କ୍ରିକେଟ୍‌ ପ୍ରତି ଅଧିକ ବିମୁଖ କରିବାକୁ ଯଥେଷ୍ଟ ଥିଲା। ଚଳିତ ବିଶ୍ବ କପ୍‌ ଆରମ୍ଭ ହେବା ପୂର୍ବରୁ ଆଇସିସିର ଏହି ଶୀର୍ଷ ଟୁର୍ଣ୍ଣାମେଣ୍ଟରେ ଭାରତ ଖେଳିଥିବା ମୋଟ ୮୯ ମ୍ୟାଚ୍‌ରୁ ୫୫ଟିରେ ଜିତି ୬୩.୨% ସଫଳତା ପାଇଥିବାରୁ ଏହି ଫର୍ମାଟ୍‌ ପ୍ରତି ଦର୍ଶକ ବିମୁଖ ହେବା ପୁରୁଣା ଖେଳାଳି ଓ କ୍ରୀଡ଼ା ବିଶେଷଜ୍ଞଙ୍କୁ ସ୍ବାଭାବିକ ଭାବେ ବ୍ୟଥିତ କରୁଛି।
ଦିନିକିଆ କ୍ରିକେଟ୍‌ର ଦର୍ଶକ ସଂଖ୍ୟ ତ ଯଥେଷ୍ଟ କମିଛି। ତେବେ ଯୋଉମାନେ ବି ଏହି ଫର୍ମାଟ୍‌କୁ ପୂରା ଛାଡ଼ିନାହାନ୍ତି ସେମାନେ ସମୟ ବାହାର କରି ଉଭୟ ଇନିଂସର ଶେଷ ୧୫-୨୦ ଓଭର ଦେଖିବାକୁ ପସନ୍ଦ କରୁଛନ୍ତି। ଲକ୍ଷ୍ୟ କରିବାର କଥା, ଅତୀତରେ ଯେଉଁମାନେ ଅଶୀ ଓ ନବେ ଦଶକରେ ଭିଭିଆନ ରିଚାର୍ଡସ, କପିଳ ଦେବ, ଇଆନ ବୋଥାମ, ଇମ୍ରାନ ଖାଁ, ମିଆଁଦାଦ, ଅରବିନ୍ଦ-ଡି-ସିଲ୍‌ଭା, ଲାରା, ସଚିନ ତେନ୍ଦୁଲକର, ସେହବାଗ ପ୍ରମୁଖଙ୍କ ଖେଳ ଦ୍ବାରା ପ୍ରଭାବିତ ହୋଇଥିଲେ ସେମାନେ ଏବେ ମଧ୍ୟ ଦିନିକିଆ କ୍ରିକେଟ୍‌ର ମାଧୁର୍ଯ୍ୟର ସନ୍ଧାନରେ ରହିଆସିଛନ୍ତି। ତେବେ ନୂଆ ପିଢ଼ିର ଦର୍ଶକଙ୍କ ପସନ୍ଦ ପାଲଟିଛି ଟ୍ବେଣ୍ଟି-୨୦ କ୍ରିକେଟ୍। ୧୪ ତାରିଖ (ଆଜି) ଖେଳାହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ର ଉଛୁଳା ଷ୍ଟାଡିଅମ ହୁଏତ ‘ଦିନିକିଆ କ୍ରିକେଟ୍‌ର ଲୋକପ୍ରିୟତା ପୁଣି ଫେରିଆସିଲା କି ଆଉ’ର ଭ୍ରମ ସୃଷ୍ଟି କରିପାରେ। କିନ୍ତୁ ଅନ୍ୟ ଲିଗ୍‌ ମ୍ୟାଚ୍‌ଗୁଡ଼ିକରେ ଗ୍ୟାଲେରି ଖାଲି ରହିବା ଆଦୌ ଭଲ ସଙ୍କେତ ଦେଉ ନାହିଁ। ପୂର୍ବର ୧୯୮୭, ୧୯୯୬ ଓ ୨୦୧୧ରେ ଭାରତରେ ଆୟୋଜିତ ବିଶ୍ବ କପ୍‌ର ଅତି ସାଧାରଣ ମ୍ୟାଚ୍‌ରେ ମଧ୍ୟ ଗ୍ୟାଲେରି ଭରପୂର ହୋଇଯାଉଥିଲା। ତେଣୁ ଏକଦିବସୀୟ କ୍ରିକେଟ୍‌ର ଭବିଷ୍ୟତକୁ ନେଇ ଏ ଥରର ବିଶ୍ବ କପ୍ ଅନେକ ଆଶଙ୍କା ସୃଷ୍ଟି କରୁଛି। ଏହି ବିବର୍ତ୍ତନକୁ ନେଇ ଏମିତିରେ ବିଶେଷ ଚିନ୍ତିତ ହେବାର କାରଣ ନ ଥା’ନ୍ତା। କାରଣ ପୂର୍ବରୁ ଟେଷ୍ଟ କ୍ରିକେଟ୍‌ ମଧ୍ୟ ଏହି ଧାରାର ଶିକାର ହୋଇସାରିଛି। ତେବେ ବିଡ଼ମ୍ବନା ହେଲା, କ୍ରିକେଟ୍‌କୁ କିଛି ଦେଶରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇବାରେ ଯେଉଁ ଫର୍ମାଟ୍‌ର ମୁଖ୍ୟ ଭୂମିକା ଥିଲା, ସେହି ଫର୍ମାଟ୍‌ ଏବେ ଅଲୋଡ଼ା ହେବାକୁ ଯାଉଛି। ୧୯୭୫ ଫାଇନାଲରେ କ୍ଲାଇଭ୍ ଲଏଡ୍‌ଙ୍କ ଶତକ, ରିଚାର୍ଡସଙ୍କ ୩ ଗୋଟି ରନ୍‌-ଆଉଟ୍ ଥ୍ରୋ’, ୧୯୭୯ରେ ରିଚାର୍ଡସଙ୍କ ଶତକ ବଳରେ ଦୁର୍ଦ୍ଧର୍ଷ ୱେଷ୍ଟଇଣ୍ଡିଜ୍‌ର ଆଧିପତ୍ୟ ବଜାୟ ରହିବା, ୧୯୮୩ରେ କପିଳ ଦେବଙ୍କ ୧୭୫* ରନ୍‌ର ଇନିଂସ ଓ ଫାଇନାଲରେ ରିଚାର୍ଡସଙ୍କ କ୍ୟାଚ୍, ୧୯୮୭ରେ ଆଲାନ ବର୍ଡରଙ୍କ ନେତୃତ୍ବ, ୧୯୯୨ରେ ବର୍ଷା ପ୍ରଭାବିତ ମ୍ୟାଚ୍‌ ପାଇଁ ଉଦ୍ଦିଷ୍ଟ ନିୟମ ଯୋଗୁଁ ଦକ୍ଷିଣ ଆଫ୍ରିକାର ଦୁଃଖଦ ବିଦାୟ ଓ ବିଶ୍ବ କ୍ରିକେଟ୍‌ରେ ଇଞ୍ଜମାମ-ଉଲ-ହକ୍‌ଙ୍କ ଆବିର୍ଭାବର ସୂଚନା, ୧୯୯୬ରେ ଡି-ସିଲ୍‌ଭା-ଜୟସୂରିୟାଙ୍କ ଉଜ୍ଜ୍ବଳ ପ୍ରଦର୍ଶନ, ୧୯୯୯ରେ ମ୍ୟାକ୍‌ଗ୍ରା ଓ କ୍ଲସେନରଙ୍କ ମ୍ୟାଚ୍‌ବିଜୟୀ କ୍ରୀଡ଼ା ନୈପୁଣ୍ୟ, ୨୦୦୩ରେ ପାକିସ୍ତାନ ବିପକ୍ଷରେ ସଚିନଙ୍କ ଉଚ୍ଚକୋଟୀର ଇନିଂସ ଓ ଫାଇନାଲରେ ପଣ୍ଟିଂଙ୍କ ଶତକ, ୨୦୦୭ରେ ପାକ୍ କୋଚ୍ ବବ୍‌ ଉଲମରଙ୍କ ସନ୍ଦେହଜନକ ମୃତ୍ୟୁ ଓ ଫାଇନାଲରେ ଗିଲଖ୍ରୀଷ୍ଟଙ୍କ ଧୂଆଁଧାର ବ୍ୟାଟିଂ, ୨୦୧୧ରେ ଯୁବରାଜଙ୍କ ଉଜ୍ଜ୍ବଳ ପ୍ରଦର୍ଶନ ଓ ଧୋନୀଙ୍କ ଶେଷ ଛକା, କ୍ରିକେଟ୍‌ ଆରମ୍ଭ କରିଥିବା ଦେଶ ଇଂଲଣ୍ଡ ୨୦୧୫ରେ ଯାଇ ଚାମ୍ପିଅନ୍ ହେବା.. ଏ ସମସ୍ତ ମୁହୂର୍ତ୍ତକୁ ବାଦ୍ ଦେଇ କ୍ରିକେଟ୍‌ର ସାଂପ୍ରତିକ ଲୋକପ୍ରିୟତା କଳ୍ପନା କରାଯାଇ ନ ପାରେ। ଏସବୁ କ୍ରିକେଟ୍‌ ଇତିହାସର ସ୍ଥାୟୀ ଲୋକକଥା ହୋଇସାରିଛି।
ଦିନିକିଆ ଫର୍ମାଟ୍‌ ଧୀରେଧୀରେ ଅଲୋଡ଼ା ହେବା ପଛରେ ଯେ କେବଳ କ୍ରିକେଟୀୟ କାରଣ ରହିଛି ତାହା ନୁହେଁ। ଏମିତିରେ ଦେଖିବାକୁ ଗଲେ ବିରାଟ କୋହଲି ତ ଏହି ଫର୍ମାଟ୍‌ର ବିଭିନ୍ନ ମାପକାଠିରେ ସଚିନଙ୍କୁ ପଛରେ ପକାଇ ସାରିଲେଣି। ଆଉ କିଛି କାଳ ନିଜ ଫର୍ମ ବଜାୟ ରଖିଲେ ସହଜରେ ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ଶତକର ରେକର୍ଡ ମଧ୍ୟ ସେ ଭାଙ୍ଗିବେ। କଷ୍ଟକର ମନେ ହେଉଥିଲେ ହେଁ କୋହଲିଙ୍କ ପାଖରେ ପୂରା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଶତକର ରେକର୍ଡ ମଧ୍ୟ ଅତିକ୍ରମ କରିବାର ସୁଯୋଗ ରହିବ। ସେହି ଦୃଷ୍ଟିରୁ ଅନ୍ୟ ତାରକା ଖେଳାଳିଙ୍କ କଥା ଛାଡ଼ିଦିଆଯାଉ। କେବଳ କୋହଲି ଏକାକୀ ଭାରତରେ ଦିନିକିଆ କ୍ରିକେଟ୍‌ର ଲୋକପ୍ରିୟତା ବଜାୟ ରଖିବାକୁ ଯଥେଷ୍ଟ ହେବା କଥା। କିନ୍ତୁ ଲକ୍ଷ୍ୟ କରିବାର କଥା, ବୈଶ୍ବୀକରଣ ପ୍ରକ୍ରିୟାରେ ଗତ ଦୁଇ ଦଶନ୍ଧିରେ ଆମ ଜନଜୀବନର ଧାରାରେ ଏପରି ପରିବର୍ତ୍ତନ ହୋଇଛି ଯେ କ୍ରିକେଟ୍ ଆଉ ହୁଏତ ଅଶୀ ଓ ନବେ ଦଶକ ପରି ଲୋକଙ୍କର ପ୍ରାଥମିକତାର ସୂଚୀର ଅଗ୍ରଭାଗରେ ନାହିଁ। ତେଣୁ ବ୍ୟସ୍ତବହୁଳ ଜୀବନରେ ‘ସମୟ’ ଏକ ବଡ଼ ‘ଫ୍ୟାକ୍ଟର’ ଭାବେ ଉଭା ହୋଇଛି। ଦର୍ଶକଙ୍କ ଦୃଷ୍ଟିକୋଣରୁ ଗତ ୮ ତାରିଖ ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି-ରାହୁଲଙ୍କ ମ୍ୟାଚ୍‌ବିଜୟୀ ଭାଗୀଦାରି ଦିନିକିଆ କ୍ରିକେଟ୍‌ର ପ୍ରାସଙ୍ଗିକତାକୁ ଆଉ କିଛି ଦିନ ଅମ୍ଳଜାନ ଦେଇଛି। ଦିନିକିଆ ବିଶ୍ବ କପ୍‌ର ଏହି ତ୍ରୟୋଦଶ ସଂସ୍କରଣ ସାମଗ୍ରିକ ଭାବେ ସଫଳ ହେବାକୁ ହେଲେ ଭାରତ ଚାମ୍ପିଅନ୍ ହେବା ଉପରେ ମଧ୍ୟ ନିର୍ଭର କରିବ। ତେବେ ଭାରତ ଚାମ୍ପିଅନ୍ ହେଉ କି ନ ହେଉ, ଦିନିକିଆ ଫର୍ମାଟ୍ ପୂରା ଦମ୍‌ରେ ପୁଣି କ୍ରିକେଟ୍‌ ଜଗତରେ ରାଜ୍ କରିବା ସମ୍ଭବନା କ୍ଷୀଣ। ଆମ ସମୟର ପ୍ରୌଢ଼ ଓ ବୟସ୍କ ଲୋକଙ୍କ ପାଇଁ ହୁଏତ ଆଉ କିଛି କାଳ ଏହି ଫର୍ମାଟ୍ ବଞ୍ଚି ରହିବ।
ମୋ: ୯୪୩୭୦୯୭୫୦୩