ରୋଗୀର ଅଧିକାର

ଡାକ୍ତର ଉମେଶ ଚନ୍ଦ୍ର ପାତ୍ର

ଶାରୀରିକ ଅସୁସ୍ଥତା ଦେଖାଦେଲେ ଲୋକେ ଡାକ୍ତରଖାନା ଯାଆନ୍ତି। ଡାକ୍ତରଖାନାରେ ସେମାନେ ସ˚ପୂର୍ଣ୍ଣ ଭାବରେ ଡାକ୍ତରଙ୍କ ଅଧୀନକୁ ଚାଲିଯାଆନ୍ତି। ଯଦିଓ ରୋଗୀ ଓ ଡାକ୍ତରଙ୍କ ଭିତରେ ସ˚ପର୍କ ଏକ ମାନବୀୟ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ, ତଥାପି ସ˚ପ୍ରତି ଉପଭୋକ୍ତା ଭାବରେ ମଧୢ ରୋଗୀମାନଙ୍କର ଯେ କିଛି ଅଧିକାର ରହିଛି, ସେ କଥା ଅନେକ ଜାଣନ୍ତି ନାହିଁ। ଏ ସ˚ପର୍କରେ ଦୁଇ ଜଣ ଡାକ୍ତର ଅରୁଣ ଗଦରେ ଏବ˚ ଅଭୟ ଶୁକ୍ଳ ଏକ ପୁସ୍ତକ ରଚନା କରିଛନ୍ତି ଯାହାର ନାମ ‘ଡିସେଣ୍ଟିଙ୍ଗ୍‌ ଡାଇଗ୍ନୋସିସ୍‌’। ତହିଁରେ ସେମାନେ କହିଛନ୍ତି ଯେ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ଅନ୍ୟାନ୍ୟ ସେବା ବା ସାମଗ୍ରୀ ବିକ୍ରୟ କରିବା ଠାରୁ ଭିନ୍ନ। କାରଣ ଡାକ୍ତର ଏବ˚ ରୋଗୀଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ˚ପର୍କ ଗଢ଼ି ଉଠିଥାଏ। କିନ୍ତୁ ଯେହେତୁ ସ୍ବାସ୍ଥ୍ୟସେବା ଯୋଗାଉଥିବା ଡାକ୍ତରଖାନାଗୁଡ଼ିକ ‘ମେଡିକାଲ କ୍ଲିନିକ୍‌ କନ୍‌ଜ୍ୟୁମର ପ୍ରୋଟେକ୍‌ସନ ଆକ୍‌ଟ’ ଅଧୀନରେ ଆସନ୍ତି, ଡାକ୍ତରଖାନାରେ କୌଣସି ଅବହେଳା ହେତୁ ରୋଗୀ କ୍ଷତିଗ୍ରସ୍ତ ହେଲେ ସେ ଖାଉଟି ଅଦାଲତକୁ ଯାଇପାରିବେ। ଡାକ୍ତରମାନେ ‘କୋଡ୍ ଅଫ୍‌ ମେଡିକାଲ ଏଥିକ୍‌ସ ରେଗୁଲେସନ୍‌’କୁ ଉପଯୁକ୍ତ ଭାବେ ପାଳନ କରୁଛନ୍ତି କି ନାହିଁ ତାହା ଦେଖିବା ହେଉଛି ମେଡିକାଲ କାଉନ୍‌ସିଲ ଅଫ୍‌ ଇଣ୍ତିଆ’ର ଦାୟିତ୍ବ।

‘ଡିସେଣ୍ଟିଙ୍ଗ୍‌ ଡାଇଗ୍ନୋସିସ୍‌’ ବହିରେ କୁହାଯାଇଛି ଯେ ପ୍ରତ୍ୟେକ ରୋଗୀ ଡାକ୍ତରଖାନାରେ ଦାଖଲ ହେବା ପୂର୍ବରୁ ୮ଟି ଅଧିକାର ପ୍ରତି ସଚେତନ ହେବା ଦରକାର। ତନ୍ମଧୢରୁ ପ୍ରଥମଟି ହେଲା ଜରୁରିକାଳୀନ ଡାକ୍ତର ସାହାଯ୍ୟ ପାଇବାର ଅଧିକାର। ଯଦି କୌଣସି ବ୍ୟକ୍ତି ଉଦ୍‌ବେଗଜନକ ଅବସ୍ଥାରେ ଡାକ୍ତରଖାନାରେ ପହଞ୍ଚନ୍ତି ତେବେ ଉଭୟ ସରକାରୀ ଏବ˚ ଘରୋଇ ଡାକ୍ତରଖାନାର ଡାକ୍ତରଙ୍କର ଏହା ପ୍ରଥମ ଦାୟିତ୍ବ ଯେ ସେମାନେ ଉକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରୀ ସାହାଯ୍ୟ ଯୋଗାଇ ଦେବେ। ପ୍ରଥମେ ରୋଗୀଙ୍କ ଜୀବନ ରକ୍ଷା ପାଇଁ ଆବଶ୍ୟକ ସମସ୍ତ ସ୍ବାସ୍ଥ୍ୟ ସେବା ପ୍ରଦାନ କଲା ପରେ ଯାଇ ଡାକ୍ତର ରୋଗୀଠାରୁ ଅର୍ଥ ମାଗିପାରିବେ କିମ୍ବା ଆବଶ୍ୟକ ଥିଲେ (ଯଦି କୌଣସି ଗଣ୍ତଗୋଳ କାରଣରୁ ଆହତ ହୋଇ ଆସି ଥାଆନ୍ତି) ପୁଲିସ୍‌କୁ ସୂଚନା ଦେବାର ପ୍ରକ୍ରିୟା ଆରମ୍ଭ କରିପାରିବେ। ପ୍ରତ୍ୟେକ ଡାକ୍ତରଖାନା ଗରିବ ରୋଗୀମାନଙ୍କୁ ଜରୁରିକାଳୀନ ଡାକ୍ତରୀ ସାହାଯ୍ୟ ଦେବା ପାଇଁ ଏକ ପାଣ୍ଠି ରଖିବା ନିମନ୍ତେ ପ୍ରସ୍ତାବ ରହିଛି। ଦ୍ବିତୀୟରେ ଆସିବ ବ୍ୟୟ ଜାଣିବାର ଅଧିକାର। ପ୍ରତ୍ୟେକ ଡାକ୍ତରଖାନା ରୋଗୀକୁ ତାର ରୋଗ ଏବ˚ କ’ଣ ଚିକିତ୍ସା ହେବ, ସେ ସ˚ପର୍କରେ ସୂଚନା ଦେବା ଜରୁରୀ। ଚିକିତ୍ସା ପାଇଁ କେତେ ଖର୍ଚ୍ଚ ହେବ ତଥା ଏହାର ଲାଭ ଓ କ୍ଷତି ତଥା ଅନ୍ୟାନ୍ୟ ବିକଳ୍ପ ସମ୍ପର୍କରେ ଜାଣିବାର ଅଧିକାର ରୋଗୀର ଅଛି। ତେଣୁ ବିଭିନ୍ନ ପ୍ରକାର ଚିକିତ୍ସା ଏବ˚ ଉପଚାରର ଖର୍ଚ୍ଚ ବାବଦରେ ସ୍ଥାନୀୟ ଏବ˚ ଇ˚ରେଜୀ ଭାଷାରେ ସୂଚନା ଦିଆଯିବା ଆବଶ୍ୟକ। ଡାକ୍ତରଖାନା ଚାହିଁଲେ କ୍ଷୁଦ୍ର ପୁସ୍ତିକା ମାଧ୍ୟମରେ ଏ ସୂଚନା ଦେଇପାରିବେ। ରୋଗୀଙ୍କ ଅନୁରୋଧରେ ଡାକ୍ତରଖାନା ଲିଖିତ ଭାବରେ ଖର୍ଚ୍ଚ ସ˚ପର୍କରେ ସୂଚନା ଦେବେ। ତୃତୀୟଟି ହେଉଛି ମେଡିକାଲ ରିପୋର୍ଟ ଏବ˚ ରେକର୍ଡ ଉପରେ ରୋଗୀର ଅଧିକାର। କୌଣସି ରୋଗୀ ବା ତାଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ବ୍ୟକ୍ତି ଡାକ୍ତରଖାନାରୁ ରୋଗ ସମ୍ପର୍କିତ ସମସ୍ତ ଦସ୍ତାବିଜର ଫଟୋ କପି ହାସଲ କରିପାରିବେ। ଡାକ୍ତରଖାନାରେ ଭର୍ତ୍ତି ହେବାର ୨୪ ଘଣ୍ଟା ଏବ˚ ଡିସ୍‌ଚାର୍ଜ ହେବାର ୭୨ ଘଣ୍ଟା ମଧୢରେ ରୋଗୀଙ୍କୁ ଏ ସବୁ ତଥ୍ୟ ଦିଆଯିବ। କୌଣସି ଡାକ୍ତରଖାନା ଏହା ଦେବାକୁ ମନା କରିପାରିବେ ନାହିଁ। ଏ ସଭୁ ଭିତରେ ରୋଗ ପରୀକ୍ଷଣ, ଡାକ୍ତର ବା ବିଶେଷଜ୍ଞ ରାୟ ଏବ˚ ଡାକ୍ତରଖାନାରେ ଭର୍ତ୍ତି ହେବାର କାରଣ ଆଦି ସାମିଲ। ସେମିତି ଡିସ୍‌ଚାର୍ଜ ହେବା ସମୟରେ ରୋଗୀର ଚିକିତ୍ସା, ଔଷଧପତ୍ର ଓ ଭବିଷ୍ୟତ୍‌ ସାବଧାନତା ବାବଦରେ ଯାବତୀୟ ତଥ୍ୟ ରୋଗୀକୁ ଦିଆଯିବା ଆବଶ୍ୟକ। ଚତୁର୍ଥରେ ଆସିବ କୌଣସି ରୋଗୀ ଦ୍ବାରା ଅନ୍ୟ ଡାକ୍ତରଙ୍କ ରାୟ ନେବାର ଅଧିକାର। କୌଣସି ଡାକ୍ତରଙ୍କ ଚିକିତ୍ସା ପ୍ରଣାଳୀରେ ଅସନ୍ତୁଷ୍ଟ ରୋଗୀ ଅନ୍ୟ ଡାକ୍ତରଙ୍କ ପରାମର୍ଶ ନେବାକୁ ମନା କରାଯାଇପାରିବ ନାହିଁ।

ପଞ୍ଚମଟି ହେଲା ଚିକିତ୍ସା ଗୋପନ ରଖିବାର ଅଧିକାର। ଚିକିତ୍ସା ସମୟରେ ଡାକ୍ତରମାନେ ରୋଗୀଙ୍କ ଅନେକ ଗୋପନୀୟ କଥା ଜାଣିଥାଆନ୍ତି। ସେହି ଗୋପନୀୟତା ସର୍ବାଦୌ ବଜାୟ ରହିବା ଦରକାର। ଷଷ୍ଠରେ ଆସିବ କୌଣସି ଶଲ୍ୟ ଚିକିତ୍ସା ଲାଗି ରୋଗୀଙ୍କ ସ୍ବୀକୃତି ନେବା ପୂର୍ବରୁ ସେ ବାବଦରେ ରୋଗୀ ଜଣକ ସ˚ପୂର୍ଣ୍ଣ ସୂଚନା ଜାଣିବାର ଅଧିକାର। ଅସ୍ତ୍ରୋପଚାରରେ ଯଦି କିଛି ବିପଦର ଆଶଙ୍କା ରହିଛି, ତେବେ ସେ ବାବଦରେ ଅବଗତ କରାଇବା ଠାରୁ ଆରମ୍ଭ କରି ଶଲ୍ୟ ଚିକିତ୍ସା ସମ୍ବନ୍ଧରେ ସବୁ କଥା ରୋଗୀ ବା ତାଙ୍କ ସ˚ପର୍କୀୟ ଜାଣିବା ଦରକାର। ଜରୁରିକାଳୀନ ତରବରିଆ ଅସ୍ତ୍ରୋପଚାର ବେଳେ ମଧୢ ଏ ନିୟମ ପାଳନ କରିବା ଜରୁରୀ। ସପ୍ତମଟି ହେଲା ଔଷଧ ଦୋକାନ ଏବ˚ ନିଦାନ କେନ୍ଦ୍ର ବାଛିବାର ଅଧିକାର। ଅନେକ ଲୋକ ଅଭିଯୋଗ କରନ୍ତି ଯେ ଅନେକ ସମୟରେ ଡାକ୍ତରମାନେ ପ୍ରେସ୍‌କ୍ରିପ୍‌ସନରେ ନିର୍ଦ୍ଦିଷ୍ଟ ଦୋକାନରୁ ଔଷଧ କିଣିବା ପାଇଁ କିମ୍ବା ରୋଗ ପରୀକ୍ଷା କରିବା ପାଇଁ କହିଥାଆନ୍ତି। କିନ୍ତୁ ଏପରି କରିବା ବେଆଇନ। ନିଜ ପସନ୍ଦର ଦୋକାନରୁ ଔଷଧ କିଣିବା ବା ଡାଇଗ୍ନୋସିସ୍‌ କେନ୍ଦ୍ରକୁ ଯିବା ଲାଗି ରୋଗୀର ଅଧିକାରର ଏହା ଉଲ୍ଲ˚ଘନ। ‘ଏମ୍‌ସିଆଇ’ର ନିୟମ ଅନୁସାରେ ଡାକ୍ତର ପେସ୍‌କ୍ରିପ୍‌ସନ୍‌ରେ ଔଷଧର ବୈଜ୍ଞାନିକ ନାମ ଲେଖିବେ, କୌଣସି ବ୍ରାଣ୍ତ୍‌ର ନାମ ଲେଖିପାରିବେ ନାହିଁ। ଅଷ୍ଟମରେ ଆସିବ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବାର ଅଧିକାର। ଅନେକ ସମୟରେ ଦେଖାଯାଏ ଯେ ଡାକ୍ତରଖାନାର ସ˚ପୂର୍ଣ୍ଣ ଦେୟ ପୈଠ ହୋଇ ନ ଥିଲେ ରୋଗୀକୁ ଡାକ୍ତରଖାନା ଛାଡ଼ିବାକୁ ଅନୁମତି ଦିଆଯାଏ ନାହିଁ। ମୁମ୍ବାଇ ହାଇକୋର୍ଟ ଏହାକୁ ବେଆଇନ ବୋଲି କହିଛନ୍ତି। ଅନେକ ସମୟରେ ସ˚ପୂର୍ଣ୍ଣ ଦେୟ ପୈଠ ହୋଇ ନ ଥିଲେ ମୃତ ଶରୀରକୁ ପରିଜନମାନଙ୍କୁ ହସ୍ତାନ୍ତର ମଧୢ କରାଯାଇ ନ ଥାଏ। ଯଦି ପାଉଣା ନେଇ ସମସ୍ୟା ଅଛି ତାର ସମାଧାନ ଲାଗି ପ୍ରୟାସ କରାଯିବା ଉଚିତ। କିନ୍ତୁ ଯଦି ସମାଧାନ ହୋଇ ନ ପାରେ, ତେବେ ଏହି କାରଣରୁ ଆରୋଗ୍ୟ ରୋଗୀଙ୍କୁ ବା ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶରୀରକୁ ବାହାରକୁ ଛାଡ଼ିବାକୁ ଡାକ୍ତରଖାନା ମନା କରିପାରିବ ନାହିଁ। ତେବେ ମନେ ରଖିବାକୁ ହେବ ଯେ କୌଣସି ଡାକ୍ତରଙ୍କ ବିରୋଧରେ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହେବା ପୂର୍ବରୁ ସେହି ଡାକ୍ତରଙ୍କ ବିରୋଧରେ ସେହି ବିଷୟରେ ବିଶେଷଜ୍ଞ ଅନ୍ୟ ଡାକ୍ତରଙ୍କ ସ୍ବୀକୃତି ପତ୍ର ଆଣିବା ଜରୁରୀ। ତା’ ନ ହେଲେ ଖାଉଟି ଅଦାଲତରେ ମାମଲା ରୁଜୁ କରିବା କଷ୍ଟକର ହୋଇଥାଏ। ତେବେ ଯାହା ମୂଳ କଥା ତାହା ହେଲା ଡାକ୍ତର ଓ ରୋଗୀଙ୍କ ସ˚ପର୍କ ସମ୍ମାନ, ସୌହାର୍ଦ୍ଦ୍ୟ, ସେବା ଓ ସ୍ନେହ ଆଧାରରେ ଗଢ଼ି ଉଠିବା ଜରୁରୀ। ଏଠାରେ ସ˚ପର୍କ ପାରସ୍ପରିକ ବିଶ୍ବାସ ଓ ନିର୍ଭରଶୀଳତାର। କିନ୍ତୁ ଯଦି କେଉଁଠି କୌଣସି ଡାକ୍ତର ରୋଗୀଙ୍କୁ ଶୋଷଣ କରିବାକୁ ଉଦ୍‌ଗ୍ରୀବ, ତେବେ ରୋଗୀଙ୍କ ହାତରେ ଏହି ଅସ୍ତ୍ରଟି ରହିଛି।
ବିଭାଗୀୟ ମୁଖ୍ୟ
ହେପାଟୋଲୋଜି ବିଭାଗ, ଏସ୍‌.ସି.ବି. ମେଡିକାଲ କଲେଜ, କଟକ
ମୋ- ୯୪୩୭୦୫୧୯୫୭

ସମ୍ବନ୍ଧିତ ଖବର