ମାନସିକ ଚାପ କମେଇବାର ଏଗା‌‌ର ବାଟ

ମୃଣାଳ

କରୋନା-ସମୟରେ ଲୋକଙ୍କ ଉପରେ ମାନସିକ ଚାପ ବଢ଼ିଯାଉଛି ବୋଲି ଡାକ୍ତରମାନେ କହୁଛନ୍ତି। ଏମିତିରେ ଇ ମାନସିକ ଚାପ ବଡ଼ ଭୟଙ୍କର ଜିନିଷ। ଏହା ଫଳରେ ଡାଇବେଟିସ୍‌ ହୋଇପାରେ। ହାଇପର୍‌ ଟେନ୍‌ସନ ହୋଇପାରେ। ସେଥିରୁ ହାର୍ଟ ପ୍ରବ୍ଲେମ୍‌ ହୋଇପାରେ। ପେଟରେ ଅଲ୍‌ସର ହୋଇପାରେ। ନିଦ୍ରାହୀନତା ହୋଇପାରେ। ମାନସିକ ଚାପ ପୁଣି ମାନସିକ ଅବସାଦରେ ପରିଣତ ହୋଇଯାଇପାରେ। ଡିପ୍ରେସନ୍। ଆପଣ ଚିଡ଼ିଚିଡ଼ା ହୋଇଯାଇ ପାରନ୍ତି। ଦୁନିଆ ଆପଣଙ୍କୁ ବିଷ ପ୍ରାୟ ଲାଗିପାରେ। ମନେ ହୋଇପାରେ ସୁଇସାଇଡ୍‌ କରିଦିଅନ୍ତି କି! ଏମିତି ଭୟଙ୍କର ଅବସ୍ଥାରୁ ଉଦ୍ଧାର ପାଇବା ପାଇଁ ଆପଣ ବଡ଼ ଡାକ୍ତରଙ୍କ ପାଖକୁ ଯିବେ। ବହୁତ ଟଙ୍କା ଏବଂ ସମୟ ଖର୍ଚ୍ଚ କରିବେ।

ମୁଁ ଆପଣଙ୍କୁ ଏଠି ସମ୍ପୂର୍ଣ୍ଣ ମାଗଣାରେ କିଛି ପରାମର୍ଶ ଦେଉଛି। ପଢ଼ନ୍ତୁ। ସେଇ ଅନୁସାରେ କାମ କରନ୍ତୁ। ସେଥିରେ ଉପକାର ପାଇଲେ ଦଶ ଲୋକଙ୍କୁ କୁହନ୍ତୁ।
୧. ନିଜ ଚେହେରାକୁ ଆଇନାରେ ଦେଖନ୍ତୁ। ନିଜକୁ ଭଲ ପାଆନ୍ତୁ। ସମ୍ଭବ ହେଲେ ନିଜ ସ୍ତ୍ରୀ/ସ୍ୱାମୀଙ୍କୁ ଭଲ ପାଆନ୍ତୁ। ସାବଧାନ, ଅନ୍ୟର ସ୍ତ୍ରୀ/ସ୍ୱାମୀକୁ ଭଲ ପାଆନ୍ତୁନି। ଯଦି ପାଇଲେ, ତେବେ ତାହା ନିଜ ସ୍ତ୍ରୀ/ସ୍ୱାମୀଙ୍କୁ ଜଣାନ୍ତୁ ନାହିଁ। ସେଥିରେ ମାନସିକ ଚାପ ବଢ଼ିବ।

୨. ମାନସିକ ଚାପ କମେଇବା ପାଇଁ ଚା’, ପାନ, ବିଡ଼ି, ସିଗାରେଟ୍‌, ଗୁଟ୍‌ଖା, ଖଇନି ଉପରେ ଆଦୌ ନିର୍ଭର କରନ୍ତୁନି। ସେଥିରେ ମାନସିକ ଚାପ ଆଦୌ କମେନି। ବରଂ ଦେହ ଖରାପ ହୋଇଯାଏ। ଏ ସବୁ ନିଶା ବାର ପ୍ରକାର ବେମାରି ଡାକି ଆଣେ। ଏଥିରେ ପ୍ରଚୁର ପଇସା ଖର୍ଚ୍ଚ ହୁଏ- ସିଏ ଭିନ୍ନେ କଥା। କଥାରେ ଅଛି: ଚା’ ପାନ ନୁହେଁ ଛୋଟିଆ ନିଶା, ଜଣାପଡ଼େ ନାହିଁ ଟାଣେ ପଇସା। ଆଉ ପଇସା ଟାଣି ହୋଇଗଲେ- ମାନସିକ ଚାପ ଯେ ବଢ଼େ ଏହା ଘର ଚଳାଉଥିବା ସମସ୍ତେ ଜାଣନ୍ତି।

୩. ଯାହା କରିପାରିବେନି, ତାକୁ ହଁ କରନ୍ତୁନି। ଆପଣ ଯଦି ନେତା କିସମ ଲୋକ ହୋଇଥାନ୍ତି ଏବଂ ଆପଣଙ୍କୁ ତାହା କରିବାକୁ ହିଁ ପଡ଼ିବ, ତେବେ ଏମିତି ଭାବରେ କରନ୍ତୁ- ଯେମିତି ଯୁଧିଷ୍ଠିର ମହାଭାରତ ଯୁଦ୍ଧରେ ଦ୍ରୋଣଙ୍କ ସହିତ କରିଥିଲେ। କହିଥିଲେ ଅଶ୍ୱଥମା ହତ, ନରେ ବା କୁଂଜରେ। ଏ ଗପଟା ଯଦି ଆପଣ ଜାଣିନାହାନ୍ତି ତେବେ ମହାଭାରତ ପଢ଼ିଥିବା କୌଣସି ଲୋକଙ୍କୁ ପଚାରି ବୁଝି ନିଅନ୍ତୁ। ମୁଁ ଆପଣଙ୍କୁ ମହାଭାରତ ଗପ ଶୁଣେଇବା ପାଇଁ ଏଠି କଲମ ଧରିନି।

୪. ନକାରାତ୍ମକ ଲୋକମାନଙ୍କଠୁଁ ଦୂରେଇ ରହନ୍ତୁ। ସକାରାତ୍ମକ ଲୋକଙ୍କୁ ପାଖରେ ରଖନ୍ତୁ। ଏ କଥା ଲକ୍ଷ୍ୟ କରିବେ ଯେ ବସ୍‌ମାନେ (ଆପଣଙ୍କ ଉପର ପାହ୍ୟାରେ ଯେଉଁମାନେ କାମ କରନ୍ତି) ନକାରାତ୍ମକ। ଆଉ ସୁନ୍ଦରୀ ସହକର୍ମିଣୀମାନେ ସବୁବେଳେ ସକାରାତ୍ମକ।

୫. ସମୟର ଠିକ ଉପଯୋଗ କରନ୍ତୁ। ଆଜେବାଜେ କାମରେ ସମୟ ନଷ୍ଟ ନ କରି ମୋ ଲେଖା ପଢ଼ିବେ। ନିୟମିତ। ଏଥିରେ ବହୁ ଶିକ୍ଷଣୀୟ ବିଷୟ ଥାଏ।

୬. ସମସ୍ୟାକୁ ସବୁବେଳେ ଆହ୍ୱାନ ଭାବେ ଗ୍ରହଣ କରନ୍ତୁ। ଧରନ୍ତୁ ଘରେ ପାଣି ଆସୁନି। ଏହାକୁ ସମସ୍ୟା ଭାବରେ ନେଲେ, ଆପଣଙ୍କ ମାନସିକ ଚାପ ବଢ଼ିବ। ଏହାକୁ ଚାଲେଞ୍ଜ ଭାବରେ ନିଅନ୍ତୁ। ଭାବନ୍ତୁ: ସାହାରା ମରୁଭୂମିରେ ବି ଲୋକେ ରହନ୍ତି। ସେଠି ସେମାନେ କେମିତି ରହନ୍ତି- ଦିନେ ସେମିତି ରହାଯାଉ। ଏଇ କରୋନା ଟାଇମ୍‌ରେ ଫ୍ରିରେ ସାହାରା-ମରୁଭୂମିରେ ରହିବାର ଅଭିଜ୍ଞତା ସାଉଁଟୁଛନ୍ତି ଭାବି ଖୁସି ହେଇଯାଆନ୍ତୁ।

୭. ବଡ଼ କାମକୁ ଛୋଟ ଛୋଟ ଖଣ୍ଡରେ ଭାଗ କରି ଦିଅନ୍ତୁ। ଆଉ ଛୋଟ ଖଣ୍ଡ ଗୁଡ଼ିକର ଦାୟିତ୍ୱକୁ ଆଉ କାହା ଉପରେ ଲଦି ଦିଅନ୍ତୁ। ଆଧୁନିକ ପରିଚାଳନା (ମ୍ୟାନେଜମେଣ୍ଟ୍) ଶାସ୍ତ୍ରରେ ଏହାକୁ ଡେଲିଗେସନ୍‌ ଅଫ୍‌ ୱାର୍କ ବୋଲି କହନ୍ତି। ନିଜ ମୁଣ୍ଡ ଉପରେ ଦାୟିତ୍ୱ ରହିଲେ ମନରେ ଚାପ ରହିବ। ଦାୟିତ୍ୱଟାକୁ ଆଉ କାହା ମୁଣ୍ଡ ଉପରକୁ ଠେଲି ଦେଲେ ଆପଣଙ୍କ ମୁଣ୍ଡରୁ ବୋଝ, ମନରୁ ଚାପ କମିଗଲା। ସରକାରୀ ଅଫିସ୍‌ରେ ଅଧିକାଂଶ କର୍ମଚାରୀ ଏହା କରନ୍ତି ଏବଂ ବଡ଼ ଆନନ୍ଦରେ ଦିନ କଟାନ୍ତି।

୮. ଜୀବନକୁ ବେଶି ଜଟିଳ କରନ୍ତୁନି। ବାହା ହେଲେ ଜୀବନ ଜଟିଳ ହୋଇଯାଏ। ବାହାସାହା ହୁଅନ୍ତୁନି। ମୁକ୍ତ ଆକାଶର ବିହଙ୍ଗ ହୋଇ ରହନ୍ତୁ। କିଛି ମାନସିକ ଚାପ ରହିବନି।

୯. ବର୍ଷାରେ ଭିଜନ୍ତୁ। ଭିଜିଭିଜି ଗୀତ ଗାଆନ୍ତୁ। ଏଥିରେ ଆପଣଙ୍କ ମାନସିକ ଚାପ ନିଶ୍ଚୟ କମିବ। ସେଇଥିପାଇଁ ସବୁ ସିନେମାରେ ନାୟକନାୟିକା ଏମିତି କରିଥାନ୍ତି। ହେଲେ ଏହା ଫଳରେ ଆପଣଙ୍କୁ ଥଣ୍ଡା, ସର୍ଦ୍ଦି, କାଶ, ଜ୍ୱର ଇତ୍ୟାଦି ଖୁଚୁରା ବେମାରି ହୋଇପାରେ। ହେଲେ ଚିନ୍ତା କରନ୍ତୁନି, ଏ ସବୁ ଖୁଚୁରା ବେମାରି ପାଇଁ ଔଷଧ ଅଛି। ମାନସିକ ଚାପ କମେଇବାର କିଛି ଔଷଧ ନାହିଁ।
୧୦. ନିଜକୁ ଜିତୁଥିବାର କଳ୍ପନା କରନ୍ତୁ। ସେଥିପାଇଁ ଆପଣଙ୍କୁ ଆଖି ବୁଜିବାକୁ ପଡ଼ିବ। ଅଧିକା ସମୟ ଆଖି ବୁଜି ରହିଲେ ନିଦ ବି ଲାଗିଯାଇପାରେ। ତେଣୁ ଏହା ସବୁବେଳେ ଶୋଇବା ଟାଇମ୍‌ରେ କରିବେ। ଯେତେ ସମୟ କଳ୍ପନା କଲେ ତ କଲେ, ନିଦ ଲାଗିଗଲେ ଶୋଇପଡ଼ିଲେ।

୧୧. ସେନ୍‌ସ ଅଫ୍‌ ହ୍ୟୁମର ଡେଭେଲପ୍‌ କରନ୍ତୁ। ଆପଣ ପଚାରିବେ ସେଟା କ’ଣ? ସେଟା ହେଲା ହସକୁ ବୁଝିବାର ଏବଂ ହସିବାର କ୍ଷମତା। ଏଟା ଅବଶ୍ୟ ସାଙ୍ଗେ ସାଙ୍ଗେ ହୁଏନି। ଶାସ୍ତ୍ରୀୟ ସଙ୍ଗୀତ କି ନୃତ୍ୟ କି ଚିତ୍ରକଳାକୁ ଉପଭୋଗ କରିବା ପାଇଁ ଯେମିତି ତାକୁ ବୁଝିବାକୁ ପଡ଼େ, ତା’ ପାଇଁ ସମ୍ପୃକ୍ତ ବିଷୟରେ କିଞ୍ଚିତ ଶିକ୍ଷାଦୀକ୍ଷା ହାସଲ କରିବାକୁ ପଡ଼େ- ଏବଂ ଏଥିରେ ସମୟ ଲାଗେ, ସେମିତି ହସକୁ ବୁଝି ଉପଭୋଗ କରିବା ପାଇଁ ସମୟ ଲାଗେ। ଏଥିପାଇଁ ସୁ-ସାହିତ୍ୟ ପଢ଼ିବାକୁ ପଡ଼େ। ଏତେକଥା କରିବାକୁ ଯଦି ଆପଣଙ୍କୁ ସମୟ ନାହିଁ, ତେବେ ଆପଣ ଟେଲିଭିଜନରେ କମେଡି ସୋ’ ଦେଖିପାରନ୍ତି।
ସଂଚାରମାର୍ଗ, ଢେଙ୍କାନାଳ-୭୫୯୦୦୧
ମୋ: ୯୪୩୭୦୨୬୧୯୪

ସମ୍ବନ୍ଧିତ ଖବର