ବଜାର ହାଲଚାଲ, ଅଭିନବ ପରିବା ଝୁଡ଼ି

ଓମ୍‌ ପ୍ରକାଶ ଜଗତି

କିଛିଦିନ ତଳେ ଭୁବନେଶ୍ବର ନିବାସୀ ସୁକାନ୍ତ ମହାପାତ୍ରଙ୍କ ସହିତ ଫୋନ୍‌ରେ ବାର୍ତ୍ତାଳାପ ହୋଇଥିଲା। ଓଡ଼ିଶା ସରକାରଙ୍କ ଜଣେ ଯନ୍ତ୍ରୀ ହିସାବରେ ଦୀର୍ଘ ଦିନ ଧରି କାର୍ଯ୍ୟନିର୍ବାହ କଲା ପରେ ସେବା ନିବୃତ୍ତି ହୋଇ ସେ ପଳାଶୁଣିରେ ଘର କରି ସପରିବାରେ ରହୁଛନ୍ତି। ତିନିମାସରୁ ଅଧିକ ସମୟ ଧରି ଲକ୍‌ଡାଉନ୍‌ କଡ଼ାକଡ଼ି ପାଳନ ସତ୍ତ୍ବେ ଏ ଯାବତ୍‌ କୋଭିଡ୍‌ ନିୟନ୍ତ୍ରିତ ହୋଇପାରିନାହିଁ। ଓଡ଼ିଶାରେ ଜୁଲାଇ ମାସ ଆରମ୍ଭରୁ କରୋନା ଭୂତାଣୁ ଜନିତ ପଜିଟିଭ୍‌ କେସ୍‌ ଦ୍ରୁତ ହାରରେ ବଢ଼ିଚାଲିଛି। ଅପର ପକ୍ଷରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଲାଗୁ କରିବା ସମ୍ଭବ ନୁହେଁ ବୋଲି ହୃଦୟଙ୍ଗମ କରି ସରକାର ପର୍ଯ୍ୟାୟ କ୍ରମେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏପରି ଏକ ଅନିଶ୍ଚିତ ଓ ଚିନ୍ତାଜନକ ବାତାବରଣରେ ସୁକାନ୍ତ ବାବୁଙ୍କ ଭଳି ଜଣେ ବରିଷ୍ଠ ନାଗରିକଙ୍କ ଅନୁଭୂତି ଜାଣିବାକୁ ଉତ୍ସୁକ ଥିଲି। ସେ ପ୍ରତ୍ୟୁତ୍ତରରେ କହିଥିଲେ ଯେ ଯେଉଁ ପର୍ଯ୍ୟନ୍ତ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ ହୋଇପାରିନାହିଁ, କେବଳ ସାମାଜିକ ଦୂରତା ଓ ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ଦ୍ବାରା ହିଁ ଏହି ଭୟଙ୍କର ଭୂତାଣୁ ଠାରୁ ରକ୍ଷା ମିଳିପାରିବ। ସେ ଲଘୁ ପରିହାସରେ କହିଥିଲେ ଯେ ତାଙ୍କର ଅଭିନବ ପରିବା ଝୁଡ଼ି ତାଙ୍କୁ ଏହି ପ୍ରୟାସରେ ସାହାଯ୍ୟ କରୁଛି। କ’ଣ ଏହି ଅଭିନବ ପରିବା ଝୁଡ଼ି? ଏହା ଜାଣିବା ପାଇଁ ମନରେ ଅତ୍ୟନ୍ତ କୌତୂହଳ ସୃଷ୍ଟି ହୋଇଥିଲା। ସୁକାନ୍ତ ବାବୁ ନିଜ ଘର ଛାତ ଉପରେ ଗୋଟିଏ ପରିବା ବଗିଚା କରିଛନ୍ତି। ଇ˚ରେଜୀରେ ଏହାକୁ ଟେରାସ୍‌ ଗାର୍ଡେନ କିମ୍ବା ରୁଫ୍‌ ଟପ୍‌ ଗାର୍ଡେନ କୁହାଯାଇଥାଏ। ଏହି ବଗିଚା ଯୋଗୁଁ ହାଟକୁ ଯାଇ ଭିଡ଼ ଭିତରେ ପରିବା କିଣିବା ପ୍ରାୟ ଦରକାର ପଡୁନାହିଁ। ଫଳତଃ ସାମାଜିକ ଦୂରତାକୁ ପ୍ରଭାବଶାଳୀ ଭାବରେ ପାଳିବା ସମ୍ଭବ ହେଉଛି। ନିଜ ବଗିଚାର ତଟକା ପରିବା ଖାଇବା ସହିତ ବଗିଚା ପାଇଁ ଆବଶ୍ୟକ ଶ୍ରମଦାନ ଦ୍ବାରା ସ୍ବାସ୍ଥ୍ୟ ଭଲ ରହୁଛି ବୋଲି ସୁକାନ୍ତ ବାବୁ ଅନୁଭବ କରୁଛନ୍ତି। ତେଣୁ ସେ ନିଜ ଟେରାସ୍‌ ଗାର୍ଡେନକୁ ଅଭିନବ ପରିବା ଝୁଡ଼ି ଆଖ୍ୟା ଦେଇଛନ୍ତି। ଛାତ ଉପରେ ଏପରି ବଗିଚା କିପରି ପ୍ରସ୍ତୁତ କରାଯାଇପାରିବ, ଏଥିପାଇଁ କିଛିଟା ପରାମର୍ଶ ଦେବାକୁ ସୁକାନ୍ତ ବାବୁଙ୍କୁ ଅନୁରୋଧ କରିଥିଲି।

ଛାତ ଉପରେ ପ୍ରାୟ ଏକ ଫୁଟ ଉଚ୍ଚର କେତୋଟି ଇଟା, ସିମେଣ୍ଟର ଖମ୍ବ କରି ସେଗୁଡ଼ିକ ଉପରେ କ˚କ୍ରିଟ ସ୍ଲାବ୍‌ ପକାଯାଇଥାଏ। ଏହି ସ୍ଲାବ୍‌ର ଚାରିପଟେ ଦେଢ଼ଫୁଟ ଉଚ୍ଚର କାନ୍ଥ କରି କିଆରି ପ୍ରସ୍ତୁତ କରାଯାଇଥାଏ। ଏହି ପ୍ଲଟର ତଳ ଅ˚ଶରେ ପ୍ରାୟ ଚାରି ଇଞ୍ଚର ବାଲି ବିଛାଯାଇଥାଏ। ଏହି ବାଲି ଉପରେ ୪୦-୪୦-୨୦ ଭାଗରେ ମାଟି, କମ୍ପୋଷ୍ଟ ଓ ବାଲିର ମିଶ୍ରଣକୁ ପକାଯାଇଥାଏ। ଜିଆ ରହୁଥିବା ଭର୍ମି କମ୍ପୋଷ୍ଟ ସବୁଠାରୁ ଉତ୍କୃଷ୍ଟ ବୋଲି ସୁକାନ୍ତ ବାବୁ କହିଥିଲେ। ପଟାଳି ଗୁଡ଼ିକରୁ ଅତିରିକ୍ତ ପାଣି ବାହାରିଯିବା ପାଇଁ ନିମ୍ନ ଭାଗରେ ଛିଦ୍ର ଥିବା ଜାଲି ଲଗାଇବାକୁ ପଡ଼ିବ। ସୁକାନ୍ତ ବାବୁ ନିଜ ଛାତ ଉପର ବଗିଚାରେ ଝୁଡ଼ଙ୍ଗ, ଜହ୍ନି, ଲାଉ, କଖାରୁ, କଲରା, ପୋଟଳ, ବାଇଗଣ, ଲଙ୍କା ଇତ୍ୟାଦି ଯାବତୀୟ ପନିପରିବା ଲଗାଇଥାନ୍ତି। ମାଙ୍କଡ଼ମାନଙ୍କ ଦାଉରୁ ବର୍ତ୍ତିବା ପାଇଁ ଟେରାସ୍‌ ଗାର୍ଡେନ ଉପରେ ଜାଲି ଲଗାଇବା ଉଚିତ। ଏହାଛଡ଼ା ଏହି ଜାଲି ଗୁଡ଼ିକରେ ଲାଉ, କଖାରୁ, ଝୁଡ଼ଙ୍ଗ ଇତ୍ୟାଦି ଲତା ଭଳି ଗଛ ଗୁଡ଼ିକୁ ବଢ଼ିବାରେ ସାହାଯ୍ୟ ମିଳିଥାଏ। ଚଉଦ ଶହ ବର୍ଗ ଫୁଟର ଛାତ ଉପରେ ପ୍ରାୟ ହଜାର ବର୍ଗ ଫୁଟର ଟେରାସ୍‌ ଗାର୍ଡେନ କରାଯାଇପାରିବ। ସୁକାନ୍ତ ବାବୁଙ୍କ କହିବା ଅନୁସାରେ ଭୁବନେଶ୍ବର ଭଳି ସ୍ଥାନରେ ଟେରାସ୍‌ ଗାର୍ଡେନ ପ୍ରସ୍ତୁତ କରିବା ପାଇଁ ପ୍ରାୟ ଅଶୀ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ। ଅପର ପକ୍ଷରେ ଦୈନିକ ହାରାହାରି ଗୋଟିଏ କେଜି ପରିବା ମିଳିପାରିବ, ଯାହାର ବାର୍ଷିକ ମୂଲ୍ୟକୁ ଅତିକମ୍‌ରେ ପନ୍ଦର ହଜାର ଟଙ୍କା ଧରାଯାଇପାରେ। ସ୍ଲାବ୍‌ ଉପରେ ତିନି ଫୁଟ ଉଚ୍ଚତା ପର୍ଯ୍ୟନ୍ତ କୂଅ ନନ୍ଦ ରଖି ଏହା ମଧୢରେ ମାଟି, ଖତ ଓ ବାଲି ପକାଇ ଏଥିରେ କଲମି ପିଜୁଳି, ଆମ୍ବ, ଡାଳିମ୍ବ ଭଳି ଫଳ ଗଛ ଲଗାଇ ହେବ। ଛାତ ଉପରେ ଥିବା ପାଣି ଟାଙ୍କିରୁ ବଗିଚା ପାଇଁ ପାଣିର ବ୍ୟବସ୍ଥା ସୁବିଧାରେ କରି ହେବ। ଛାତର ପାରାପେଟ୍‌ କଡ଼େ କଡ଼େ କୁଣ୍ତରେ ଫୁଲ ଗଛ ଲଗାଯାଇ ଛାତର ଶୋଭାବର୍ଦ୍ଧନ କରାଯାଇପାରିବ। ସୁକାନ୍ତ ବାବୁ କହିଥିଲେ ଯେ ପରିବା ଚାଷ ପାଇଁ ସେ କୌଣସି ରାସାୟନିକ ସାର କିମ୍ବା କୀଟନାଶକ ବ୍ୟବହାର କରି ନଥାନ୍ତି। ଯଦି କଦବା କ୍ବଚିତ୍‌ କୌଣସି ଗଛରେ ପୋକ ଲାଗେ, ତେବେ ସେ ପାଣିରେ କିଛି ଭିନେଗାର ଓ କଷ୍ଟିକ ସୋଡ଼ା ଗୋଳାଇ ଛିଞ୍ଚିଥାନ୍ତି। ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଟେରାସ୍‌ ଗାର୍ଡେନ ଯୋଗୁଁ ଉପର ମହଲାରେ ତାପମାତ୍ରା ପ୍ରାୟ ଚାରି ଡିଗ୍ରୀ ସେଲ୍‌ସିଅସ କମିଯାଇଥାଏ। ସାଙ୍ଗସାଥୀ, ସାହିପଡ଼ିଶା, ଆତ୍ମୀୟସ୍ବଜନଙ୍କୁ ମଝିରେ ମଝିରେ ନିଜ ବଗିଚାର ପରିବା ବାଣ୍ଟି ଆନନ୍ଦ ଲାଭ କରିଥାନ୍ତି। ବଗିଚାରେ ପ୍ରତିଦିନ କିଛି ସମୟ ପାଇଁ ଶ୍ରମଦାନ କରୁଥିବାରୁ ଏହା ବ୍ୟାୟାମର ବିକଳ୍ପ ହୋଇଥାଏ। ସୁକାନ୍ତ ବାବୁଙ୍କ ଅଭିନବ ପରିବା ଝୁଡ଼ି ଉପାଖ୍ୟାନ ଶୁଣିଲା ପରେ ମନେ ହେଲା ଭୁବନେଶ୍ବର, କଟକ ତଥା ଓଡ଼ିଶାର ଅନ୍ୟାନ୍ୟ ସହରରେ ନିଜ କୋଠା ଘରେ (ଇଣ୍ତିପେନ୍‌ଡେଣ୍ଟ ହାଉସ୍‌) ରହୁଥିବା ଲୋକମାନେ ଚାହିଁଲେ ଟେରାସ୍‌ ଗାର୍ଡେନ କରି ପନିପରିବା କ୍ଷେତ୍ରରେ ଆତ୍ମନିର୍ଭର ହେବା ସହିତ ଶାରୀରିକ ସୁସ୍ଥତା ଓ ମାନସିକ ଆନନ୍ଦ ଲାଭ କରିପାରିବେ।

ଟେରାସ୍‌ ଗାର୍ଡେନରେ ଅଭିନବ ପରିବା ଝୁଡ଼ି ସମ୍ପର୍କରେ ଆଲୋଚନା କଲା ପରେ ମନେ ହେଲା ଯେ ସାଂପ୍ରତିକ କୋଭିଡ୍‌ ୧୯ ପରିପ୍ରେକ୍ଷୀରେ ଚିକିତ୍ସା କ୍ଷେତ୍ରରେ ଅଭିନବ ପ୍ରୟୋଗ ଦେଖିବାକୁ ମିଳିପାରେ। କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଭାବଶାଳୀ ଭ୍ୟାକ୍‌ସିନ୍‌ ଉଦ୍ଭାବନ ହେଲା ପରେ ମଧୢ (କେତେ ସମୟ ଲାଗିବ?) ସଚେତନଶୀଳ ଜନସାଧାରଣ ଭବିଷ୍ୟତରେ ସାମାଜିକ ଦୂରତାର ଲକ୍ଷ୍ମଣ ରେଖାକୁ ଯଥାସମ୍ଭବ ମାନିବାକୁ ପ୍ରୟାସ କରିବେ। ଭାରତର ସ୍ବାସ୍ଥ୍ୟ ବ୍ୟବସ୍ଥା ଲୋକସ˚ଖ୍ୟାକୁ ଚାହିଁ ଆଦୌ ପର୍ଯ୍ୟାପ୍ତ ନୁହେଁ। ଯଦିଓ ଆଧୁନିକ ସୁବିଧା ଥିବା ହାସପାତାଳ, ଡାକ୍ତର ତଥା ସ୍ବାସ୍ଥ୍ୟ କର୍ମଚାରୀଙ୍କ ସ˚ଖ୍ୟାକୁ ବୃଦ୍ଧି କରିବାକୁ ପଡ଼ିବ, କୋଭିଡ୍‌ ଅଭିଜ୍ଞତାକୁ ନଜରରେ ରଖି ଡିଜିଟାଲ୍‌ ଚିକିତ୍ସା ବ୍ୟବସ୍ଥାକୁ ସମାନ୍ତରାଳ ଭାବରେ ଯଥାସମ୍ଭବ ପ୍ରଚଳନ କରିବାକୁ ପଡ଼ିବ, ଯାହାକୁ ଇ˚‌େରଜୀରେ ‘ଟେଲି ମେଡିସିନ୍‌’ କୁହାଯାଉଛି। କରୋନା ଭୂତାଣୁ ଜନିତ ସ˚କ୍ରମଣକୁ ଭୟ କରି ଅନ୍ୟ ରୋଗରେ ଆକ୍ରାନ୍ତ ହୋଇଥିବା ଅନେକ ରୋଗୀ ଡାକ୍ତରଖାନା କିମ୍ବା କ୍ଲିନିକ୍‌କୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୟ କରୁଛନ୍ତି। ସ୍ଥଳ ବିଶେଷରେ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ୁଛି। ଅପର ପକ୍ଷରେ ଅନେକ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ସ˚କ୍ରମିତ ରୋଗୀଙ୍କ ସ˚ସ୍ପର୍ଶରେ ଆସି ନିଜେ ରୋଗଗ୍ରସ୍ତ ହୋଇପଡ଼ୁଛନ୍ତି। ଏଭଳି ପରିସ୍ଥିତିରେ ଅଭିନବ ଟେଲି ମେଡିସିନ୍‌ର ସାହାଯ୍ୟ ନିଆଯାଇପାରିବ। ଆଧୁନିକ ଇଲେକ୍‌ଟ୍ରୋନିକ୍‌ସ ଉପକରଣ ଦ୍ବାରା ରୋଗୀ ଘରେ ବସି ରୋଗ ସ˚କ୍ରାନ୍ତ ତଥ୍ୟ ସ˚ଗ୍ରହ କରିପାରିବେ। ସୁଲଭ ମୂଲ୍ୟରେ ଉପଲବ୍‌ଧ ଅଧିକା˚ଶ ଉପକରଣ ବ୍ୟବହାର କରିବା ପଦ୍ଧତି ସରଳ। ଏହି ତଥ୍ୟକୁ ଇଣ୍ଟରନେଟ୍‌ ଜରିଆରେ ଡାକ୍ତରଙ୍କୁ ପଠାଇ, ତାଙ୍କର ପରାମର୍ଶ ସ୍ମାର୍ଟ ଫୋନ୍‌ରେ ଭିଡିଓ ଜରିଆରେ ନେଇ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରିପାରିବେ।

ଯଦି ଘରେ ସମ୍ଭବ ହେବ ନାହିଁ, ତେବେ ନିକଟସ୍ଥ ଡାଏଗ୍‌ନୋଷ୍ଟିକ କେନ୍ଦ୍ରକୁ ଯାଇ ସ୍ବାସ୍ଥ୍ୟଜନିତ ରିପୋର୍ଟ ସ˚ଗ୍ରହ କରି ଡାକ୍ତରଙ୍କୁ ପଠାଯାଇପାରିବ। ଆଜିକାଲି ଅନ୍‌ଲାଇନ୍‌ରେ ଔଷଧ ଅଣାଯାଇପାରୁଛି। ଟେଲି ମେଡିସିନ୍‌ ବ୍ୟବସ୍ଥା ଦ୍ବାରା ବଡ଼ ବଡ଼ ସହରରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବାକୁ ସକ୍ଷମ ହୋଇପାରିବେ। ସମ୍ପ୍ରତି ଚିକିତ୍ସା କ୍ଷେତ୍ରରେ ମଧୢ ଆର୍ଟିଫିସିଆଲ ଇଣ୍ଟଟେଲିଜେନ୍‌ସର (ସ˚କ୍ଷିପ୍ତରେ ଏଆଇ) ପ୍ରୟୋଗ ହେଲାଣି। ଉନ୍ନତ ସଫ୍‌ଟୱେୟାରରେ ପରିଚାଳିତ ଏଆଇ ଉପକରଣ ଦ୍ବାରା ନିର୍ଭୁଲ ରୋଗ ନିରୂପଣ ହେବା ସହିତ ଉପଲବ୍‌ଧ ତଥ୍ୟ ଭିତ୍ତିରେ ଭବିଷ୍ୟତରେ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥାରେ କ’ଣ ପରିବର୍ତ୍ତନର ସମ୍ଭାବନା ଅଛି, ତାହା ଜାଣି ହେଉଛି। ପାରମ୍ପରିକ ଚିକିତ୍ସା ତୁଳନାରେ ଟେକ୍‌ନୋଲଜି ଭିତ୍ତିକ ଚିକିତ୍ସା ବ୍ୟବସ୍ଥାରେ ଡାକ୍ତରଙ୍କୁ ଅପେକ୍ଷାକୃତ ଅଧିକ ସମୟ ଉପଲବ୍‌ଧ ହୋଇପାରିବ। ଟେଲି ମେଡିସିନରେ ଡାକ୍ତରଖାନା ତଥା କ୍ଲିନିକ୍‌ରେ ରୋଗୀଙ୍କ ଭିଡ଼ ଏବ˚ ଭୂତାଣୁଜନିତ ସ˚କ୍ରମଣକୁ ଅନେକା˚ଶରେ ଏଡ଼ାଇ ଦିଆଯାଇପାରିବ। ଏହି ଅଭିନବ ପଦ୍ଧତିରେ ସାମାଜିକ ଦୂରତା ପାଳନ କରିବା ସହିତ ଉଚ୍ଚମାନର ଚିକିତ୍ସା ଅଧିକ ଲୋକଙ୍କୁ ଯୋଗାଇ ଦେଇ ହେବ। ଟେଲି ମେଡିସିନ୍‌ରେ ଯେ ସବୁ ରୋଗର ଉପଚାର ହୋଇପାରିବ ଏହା ଆଶା କରିବା ଠିକ୍‌ ହେବ ନାହିଁ। କିନ୍ତୁ ଏହା ସତ ଯେ ଟେଲି ମେଡିସିନର ବ୍ୟବହାର ବଢ଼ିବା ସହିତ ଜଟିଳ ଓ ଗୁରୁତର ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ହାସପାତାଳରେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚିକିତ୍ସା ମିଳିବା ଅପେକ୍ଷାକୃତ ସୁବିଧାଜନକ ହୋଇପାରିବ।

ପୁରୋହିତଙ୍କ ଦ୍ବାରା ପୂଜାପାଠକୁ କିଭଳି ଅଭିନବ ପ୍ରକ୍ରିୟାରେ ନିଷ୍ପାଦିତ କରିହେବ, ତାହା ଭାବିବା ସମୟ ଆସିଛି। କୋଭିଡ ଜନିତ ପରିସ୍ଥିତି ଦୃଷ୍ଟିରୁ ପୁରୋହିତ ମହାଶୟ ଯଜମାନଙ୍କ ଘରକୁ ନ ଆସି ସ୍ମାର୍ଟ ଫୋନ୍‌ କିମ୍ବା ଲାପ୍‌ଟପ୍‌ରେ ଭିଡିଓ ମାଧୢମରେ ପୂଜାବିଧିକୁ ନିର୍ବାହ କରିପାରିବେ। ସେ ଭିଡିଓ ଜରିଆରେ ଯଜମାନଙ୍କୁ ପୂଜାବିଧି ସ˚କ୍ରାନ୍ତ ଆବଶ୍ୟକ ପରାମର୍ଶ ଦେବା ସହିତ ମନ୍ତ୍ରୋଚ୍ଚାରଣ କରି ପୂଜାକୁ ନିଷ୍ଠାର ସହିତ ସମାହିତ କରିପାରିବେ। ଏପରି ଅଭିନବ ପଦ୍ଧତିରେ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପରିବାରମାନେ ନିଜ ଜନ୍ମସ୍ଥାନର କୁଳ ପୁରୋହିତଙ୍କ ଦ୍ବାରା ପୂଜାର୍ଚ୍ଚନା କରି ଆତ୍ମସନ୍ତୋଷ ଲାଭ କରିପାରିବେ। ଡାକ ଟିକଟ ସଂଗ୍ରହ ଏକ ଲୋକପ୍ରିୟ ସଉକ। ଏଥିପାଇଁ ଦେଶ ବିଦେଶରେ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥାଏ ଏବଂ ବିଜେତାଙ୍କୁ ପୁରସ୍କୃତ କରାଯାଇଥାଏ। ସାଂପ୍ରତିକ ପ୍ରତିକୂଳ ପରିସ୍ଥିତି ପରିପ୍ରେକ୍ଷୀରେ ଭରଚୁଆଲ୍ ପ୍ରଦର୍ଶନର ପ୍ରୟାସ ଆରମ୍ଭ ହେଲାଣି। ପ୍ରତି‌େଯାଗୀମାନେ ସଂଗୃହୀତ ଡାକ ଟିକଟର ସଫ୍‌ଟ କପିକୁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ୱେବ୍ ପୋର୍ଟାଲରେ ପ୍ରଦର୍ଶନ କରିପାରିବେ। ବିଚାରକମାନେ ସଫ୍‌ଟ କପି ଭିତ୍ତିରେ ମୂଲ୍ୟାୟନ କରିବେ। ଜନସାଧାରଣ କମ୍ପ୍ୟୁଟର କିମ୍ବା ସ୍ମାର୍ଟ ଫୋନ୍ ଜରିଆରେ ଘରେ ବସି ଆରାମରେ ପ୍ରଦର୍ଶନୀକୁ ଉପଭୋଗ କରିପାରିବେ। ଆସନ୍ତା ଅକ୍ଟୋବର ମାସରେ ଭାରତରେ ପ୍ରଥମ ଥର ପାଇଁ ଜାତୀୟ ସ୍ତରରେ ଭରଚୁଆଲ୍ ଡାକ ଟିକଟ ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଛି।

ନାରୀମାନଙ୍କ ରୂପସଜ୍ଜା ଆଗ୍ରହ ଉପରେ ଭିତ୍ତି କରି ଚାଲୁଥିବା କାନ୍ତିବର୍ଦ୍ଧକ ଅର୍ଥାତ୍‌ କସ୍‌ମେଟିକ୍‌ ବେପାର କେବେ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇନଥାଏ। କିନ୍ତୁ କୋଭିଡ ପାଇଁ ମାସ୍କ୍‌ ପିନ୍ଧିବା ଆବଶ୍ୟକତା ଏହି ବେପାରକୁ ଫିକା କରି ଦେବାର ଭୟ ସୃଷ୍ଟି କରିଥିଲା। ଏହି ବେପାରରେ ଓଠ ରଞ୍ଜନୀ ସାମଗ୍ରୀ ଅର୍ଥାତ୍‌ ଲିପ୍‌ଷ୍ଟିକ୍‌ ଏକ ମୁଖ୍ୟ ଅ˚ଶ। ଆମ ଦେଶରେ ବାର୍ଷିକ ପ୍ରାୟ ସାଢ଼େ ତିନି ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଲିପ୍‌ଷ୍ଟିକ୍‌ ବେପାର ହୋଇଥାଏ! ଏହି ସମ୍ପର୍କରେ ନାମକରା କମ୍ପାନି ‘କଲରବାର କସ୍‌ମେଟିକ୍‌’ର ପ୍ରତିଷ୍ଠାତା ସମୀର ମୋଦୀଙ୍କ ମତାମତ ପଚରା ଯାଇଥିଲା। ସେ ଲଘୁ ପରିହାସ ସହିତ କହିଥିଲେ ଯେ ବର୍ତ୍ତମାନ ଆଖି ଓଠର ସ୍ଥାନ ଦଖଲ କରିଛି। ନାରୀମାନେ ନିଜର ମାସ୍କ୍‌କୁ ଖାପ ଖାଇଲା ଭଳି ଆଖିର ରୂପ ସଜ୍ଜା କରିବାକୁ ପ୍ରୟାସ କରୁଛନ୍ତି। ତେଣୁ ତାଙ୍କ କମ୍ପାନି ଦ୍ବାରା ଆଖି ତଥା ଆଖିପତା ପାଇଁ ପ୍ରସ୍ତତ କାନ୍ତିବର୍ଦ୍ଧକ ସାମ୍ରଗୀ ଚାହିଦା ବୃଦ୍ଧି ପାଉଛି। ଅଭିନବ ପ୍ରକ୍ରିୟା ଆରମ୍ଭରେ ହୁଏତ ଅସ୍ବାଭାବିକ ମନେ ହୋଇପାରେ, କିନ୍ତୁ ସମୟ ସ୍ରୋତରେ ବାସ୍ତବତା ସହିତ ସାମିଲ ହୋଇ ଏହା ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତିର ମର୍ଯ୍ୟାଦା ପାଇଥାଏ।
ମୋ-୯୮୮୬୨୧୧୭୭୨
[email protected]

ସମ୍ବନ୍ଧିତ ଖବର