ସରକାରୀ ଶିକ୍ଷା: ସ˚କଟ, ଲଜ୍ଜା ଓ ଅପକୀର୍ତ୍ତି

ଅଜିତ ମହାନ୍ତି

ସମାଜ ମଙ୍ଗଳ ରାଷ୍ଟ୍ରରେ ଶିକ୍ଷା ଓ ସ୍ବାସ୍ଥ୍ୟ ଗଣତାନ୍ତ୍ରିକ ସରକାରଙ୍କର ମୌଳିକ ଦାୟିତ୍ବ- ଏକଥା ବହୁ ସ୍ବୀକୃତ। ହେଲେ ଦେଶରେ ଏବ˚ ବିଶେଷ କରି ଆମ ରାଜ୍ୟରେ ଯେଉଁ ଭଳି ଏ ବ୍ୟବସ୍ଥାମାନ ସରକାରୀ ଭାବରେ ପରିଚାଳିତ ତାହା ଅନୁଧୢାନ କଲେ ମନେହୁଏ ସରକାର ସମାଜ ମଙ୍ଗଳଠାରୁ ଦୂରରେ, ସରକାରୀ ପରିଚାଳନା କେବଳ ପ୍ରଚାର, ସ୍ଲୋଗାନ ଏବ˚ ଭୋଟ ପାଇବାର ନୂଆ ନୂଆ ଫନ୍ଦି। ସାଧାରଣ ସ୍ବାସ୍ଥ୍ୟସେବା ବର୍ତ୍ତମାନ କେବଳ ଦେଶର ଦୁର୍ବଳତମ ଶ୍ରେଣୀ ପାଇଁ; ବାକି ଅନ୍ୟମାନେ ଘରୋଇ ଚିକିତ୍ସା ଦ୍ବାରା ଅନୁଗୃହୀତ। ଠିକ୍‌ ସେଇ ଅବସ୍ଥା ଶିକ୍ଷା ବ୍ୟବସ୍ଥାର। ମନେହୁଏ, ସରକାରମାନେ ଶିକ୍ଷାକୁ ନିଜର ନୈତିକ କର୍ତ୍ତବ୍ୟର ପ୍ରାଥମିକତା ଦେଉନାହାନ୍ତି। ଆଜିର ସରକାରମାନଙ୍କ ପାଇଁ ଶିକ୍ଷା ରାଜନୈତିକ ଶାସନ ପ୍ରକ୍ରିୟାରେ ଏକ ଅବାଞ୍ଛିତ ବୋଝ। ସରକାରୀ ଶିକ୍ଷାର ରିକ୍ତ ବ୍ୟବସ୍ଥା ପାଇଁ ସତେ ଯେମିତି କରୋନା ଏକ ଆଶ୍ବସ୍ତି; ବେତାଳିଆ ଓ ଲାଇନ୍‌ ପହଞ୍ଚୁନଥିବା ଅନ୍‌ଲାଇନ୍‌ ପାଠର ହୋହଲ୍ଲା ଓ ପ୍ରଚାର ଭିତରେ ବିଦ୍ୟାଳୟମାନଙ୍କର ଓ ବ୍ୟବସ୍ଥାର ରୁଗ୍‌ଣାବସ୍ଥା ଆଉ ଆଖିରେ ପଡୁନାହିଁ। ସରକାରୀ ବାବୁମାନଙ୍କ ଫାଇଲ୍‌ ଭିତରେ ହଜି ଯାଉଛି ଶିକ୍ଷାର ଦୁରବସ୍ଥା ଯାହାର ଅନୁଧୢାନରେ ବ୍ୟଥିତ ହୋଇ କିଛି ଦିନ ତଳେ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ କ୍ଷୋଭର ସହ କହିଥିଲେ, ଏଣିକି ସବୁ ବାବୁମାନଙ୍କର, ମନ୍ତ୍ରୀ, ତନ୍ତ୍ରୀ, ଯନ୍ତ୍ରୀ, ଅଫିସର ଓ ଜନପ୍ରତିନିଧିଙ୍କ ପିଲାଏ ବାଧୢତାମୂଳକ ଭାବରେ ସରକାରୀ ଶିକ୍ଷା ବ୍ୟବସ୍ଥାରେ ହିଁ ରହିବେ। କାରଣ, ତାହା ହେଲେ ହୁଏତ ସରକାରୀ ଶିକ୍ଷାର ଅବ୍ୟବସ୍ଥା ବଡ଼ବଡ଼ିଆଙ୍କ ସୁନଜରରେ ପଡ଼ିଯିବ ଏବ˚ କିଛିଟା ଅନୁଗ୍ରହ ମିଳିଯିବ ସାଧାରଣ ପିଲାଙ୍କୁ, ସେମାନଙ୍କର ବାପାମାଆଙ୍କୁ।

ସରକାରୀ ଶିକ୍ଷା ବ୍ୟବସ୍ଥାର ପରିଚାଳକମାନଙ୍କର ପ୍ରତିବଦ୍ଧତା ଅନେକ ଦିନରୁ ଅଣ-ସରକାରୀ ଘରୋଇ ଶିକ୍ଷା ବ୍ୟବସାୟୀମାନଙ୍କ ପାଖରେ ବନ୍ଧା ପଡ଼ିଛି। ସ˚ବିଧାନ-ପ୍ରଣୟନ ସମୟରୁ, ଦେଶର ସାମଗ୍ରିକ ଶିକ୍ଷା ବ୍ୟବସ୍ଥାକୁ, ବିଶେଷ କରି, ବିଦ୍ୟାଳୟ ଶିକ୍ଷାକୁ ଗୋଟିଏ ସାର୍ବଜନୀନ ଶିକ୍ଷା ବ୍ୟବସ୍ଥାରେ ରଖିବାର ପ୍ରସ୍ତାବ ଗୃହୀତ ହୋଇପାରିଲା ନାହିଁ। କାରଣ, ସେ ବେଳର ଅନେକ ପ୍ରଭାବଶାଳୀ ନେତା ଘରୋଇ ମିସନାରି ଇ˚‌େରଜୀ-ମାଧୢମ ଶିକ୍ଷାରେ ପ୍ରଭାବିତ ହୋଇସାରିଥିଲେ। ଦ୍ବୈତ ଶିକ୍ଷା ପ୍ରଣାଳୀ ବିରୁଦ୍ଧରେ ଅନେକ ପ୍ରତିବାଦ ଓ ଆନ୍ଦୋଳନ ଚାଲିଥିଲେ ମଧୢ ଘରୋଇ ବିଦ୍ୟାଳୟ ବ୍ୟବସ୍ଥାର ଉଚ୍ଛେଦ ହୋଇପାରିଲା ନାହିଁ। ଉଚ୍ଚ-ବର୍ଗର ପିଲାଙ୍କ ପାଇଁ ପଇସାଦିଆ ପାଠ ଓ ନ ଥିଲା ବାଲାଙ୍କ ପାଇଁ ସରକାରୀ ପାଠର ଦ୍ବୈତ ବ୍ୟବସ୍ଥାରେ ଦେଶରେ ବୈଷମ୍ୟ ବଢ଼ି ଚାଲିଲା। ସମସ୍ତଙ୍କୁ ସମାନ ସୁଯୋଗ ଦେବା ଶିକ୍ଷାର ଏକ ମୌଳିକ ଲକ୍ଷ୍ୟ; ଏ ପ୍ରକାର ଶିକ୍ଷା ପ୍ରତ୍ୟେକ ଶିଶୁର ମୌଳିକ ଅଧିକାର। ତଥାପି, ୨୦୦୯ର ଶିକ୍ଷା ଅଧିକାର ଆଇନ ବିଦ୍ୟାଳୟ ଶିକ୍ଷାରେ ଦ୍ବୈତ ବ୍ୟବସ୍ଥାର ଉଚ୍ଛେଦ କରିପାରିଲା ନାହିଁ; ଏବ˚ ଶିକ୍ଷା ଦ୍ବାରା ସମାନ ସୁଯୋଗ ପାଇବାର ଅଧିକାରରୁ ତଳ ବର୍ଗର ପିଲାଏ ବଞ୍ଚିତ ହୋଇ ରହିଗଲେ।

ଶିକ୍ଷାର ଘରୋଇକରଣ ସବୁମନ୍ତେ ଜନବିରୋଧୀ, ନ ଥିଲାବାଲାଙ୍କ ପିଲାଙ୍କୁ ନ୍ୟାଯ୍ୟ ଓ ସାମାଜିକ ନ୍ୟାୟ-ସମ୍ମତ ଶିକ୍ଷାର ପରିପନ୍ଥୀ। ଜନମଙ୍ଗଳ ରାଷ୍ଟ୍ରର ମୌଳିକ ବିଧି ମୁକ୍ତ ବଜାର ଅର୍ଥନୀତି ଦ୍ବାରା ବିସ୍ଥାପିତ। ବିକାଶଶୀଳ ରାଷ୍ଟ୍ରରେ ଜନତାଙ୍କ ପାଇଁ ଶିକ୍ଷା ଏକ ସାର୍ବଜନୀନ ହିତକାରୀ ସେବା। ଶିକ୍ଷା ହିଁ ଈଶ୍ବର, ଯାହା ଏକ ଉନ୍ନତ ପୃଥିବୀର ପ୍ରତିଶ୍ରୁତି, ଉଜ୍ଜ୍ବଳ ଭବିଷ୍ୟତର ସମ୍ଭାବନା। ଏହି ସମ୍ଭାବନାକୁ ସାକାର କରିବା ଲକ୍ଷ୍ୟରେ ଦେଶରେ ସୃଷ୍ଟି ହୋଇଥିଲା ଉନ୍ନତ ଶିକ୍ଷାନୁଷ୍ଠାନମାନ- ଆଇଆଇଟି, ଜେଏନ୍‌ୟୁ, କେନ୍ଦ୍ରୀୟ ବିଦ୍ୟାଳୟ ସମୂହ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଇତ୍ୟାଦି। ହେଲେ, ପ୍ରାୟ ଚାଳିଶ ବର୍ଷ ହେବ ନୂଆ ଅର୍ଥନୀତି ଓ ଜଗତ୍‌କରଣ ଶିକ୍ଷାର ମୋଡ଼ ବଦଳେଇ ଦେଇଛି ଏବ˚ ସାର୍ବଜନୀନ ଶିକ୍ଷା ଏବେ ଘରୋଇ ବ୍ୟବସାୟିକ ଶିକ୍ଷା ଚାପରେ ତଳକୁ ତଳକୁ। ମନେହୁଏ, ସରକାରଙ୍କର ଅଧିକା˚ଶ ଶିକ୍ଷାନୀତି ଓ ସ˚ସ୍କାରମାନ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଘରୋଇ ଶିକ୍ଷା ବ୍ୟବସାୟର ପ୍ରୋତ୍ସାହନ କରିବା ଲକ୍ଷ୍ୟରେ। ଶିକ୍ଷାର ମୁକ୍ତ ଢାଞ୍ଚାରେ ମୂଲ୍ୟ ଦେଇ ଶିକ୍ଷା କିଣାଯାଏ; ଶିକ୍ଷା ଜନହିତକାରୀ ଦ୍ରବ୍ୟ ନୁହେଁ, ଏହା ଏକ ଖାଉଟି ଦ୍ରବ୍ୟ। ତେଣୁ ବର୍ତ୍ତମାନ ଶିକ୍ଷାର ମାନ ଏବ˚ ଉତ୍କର୍ଷ କେବଳ ଖାଉଟି ଦ୍ରବ୍ୟର ଉପଯୋଗିତା ସହ ସମାନ- ନିଯୁକ୍ତି, ପ୍ରତିଦ୍ବନ୍ଦ୍ବିତାରେ ସାଫଲ୍ୟ ଓ ଲକ୍ଷ୍ୟସାଧନ ଦିଗରେ ଶିକ୍ଷାରୁ କେତେ ଲାଭ ମିଳୁଛି। ଶିକ୍ଷା-ବ୍ୟବସାୟୀମାନଙ୍କର ଲାଭ ଓ ଶିକ୍ଷିତମାନଙ୍କର ଅର୍ଥନୈତିକ ସାଫଲ୍ୟ ଓ ସିଦ୍ଧି- ଏହା ହିଁ ଏହି ନୂଆ ଶିକ୍ଷା-ଗଣିତର ନେଣଦେଣ, ଯିଏ ଶିକ୍ଷା ବିକୁଛି ସିଏ ଲାଭ ପାଇ ଖୁସ୍‌ ଏବ˚ ଯିଏ କିଣୁଛି ସିଏ ଉପାଦେୟତା ପାଇ ସନ୍ତୁଷ୍ଟ। ଶିକ୍ଷାକୁ ଏକ ଖାଉଟି ଦ୍ରବ୍ୟରେ ପରିଣତ କରିଥିବା ସରକାରମାନେ ବର୍ତ୍ତମାନ ତାଙ୍କର ଶିକ୍ଷା-ଦାୟିତ୍ବ କଥା କହୁନାହାନ୍ତି, କହୁଛନ୍ତି ଗୁଣାତ୍ମକ ମାନର କଥା, ଉତ୍କର୍ଷର କଥା, ଯାହା ପ୍ରକାରାନ୍ତରେ ପ୍ରତିଯୋଗିତା, ପ୍ରତିଦ୍ବନ୍ଦ୍ବିତାର ମୂଳକଥା, ଯେଉଁଠୁ ଆରମ୍ଭ ଖାଉଟି ଶିକ୍ଷାର ବ୍ୟବସାୟିକ ମନ୍ତ୍ର।

ଶିକ୍ଷା ମାନବ ସମ୍ବଳ ବିକାଶର ଏକ ମୌଳିକ ପ୍ରକ୍ରିୟା, ଏକ ବ୍ୟବସାୟ ନୁହେଁ। ପ୍ରତ୍ୟେକ ଶିଶୁର ଅନ୍ତର୍ନିହିତ ସାମର୍ଥ୍ୟର ପୂର୍ଣ୍ଣାଙ୍ଗ ବିକାଶ ଓ ଜ୍ଞାନ-ବର୍ଦ୍ଧନ ପାଇଁ ହିଁ ଶିକ୍ଷା। ତେଣୁ, ସମାଜ-ମଙ୍ଗଳ ରାଷ୍ଟ୍ରରେ ଶିକ୍ଷାର ଏହି ସର୍ବନିମ୍ନ ଆବଶ୍ୟକତାକୁ ଭୁଲି, ସରକାର ଶିକ୍ଷା ବ୍ୟବସ୍ଥାକୁ ଲାଭଖୋରମାନଙ୍କ ହାତରେ ଟେକି ଦେବା ପ୍ରମାଦପୂର୍ଣ୍ଣ ଅପକର୍ମ। ନିଜ ଖର୍ଚ୍ଚ ନିଜେ ଭରଣା କର- ଏହା ହିଁ ବର୍ତ୍ତମାନ ସାର୍ବଜନୀନ ଶିକ୍ଷାନୁଷ୍ଠାନମାନଙ୍କ ଉପରେ ନୀତିଗତ ସରକାରୀ ଚାପ ଓ ଅଟୋନମି ବା ସ୍ବୟ˚ଶାସନର ମାନଦଣ୍ତ। ଫଳରେ, ସ୍ବ-ଉପାର୍ଜିତ ବା self-financing ପାଠ୍ୟକ୍ରମ ଉପରେ ପ୍ରାଧାନ୍ୟ ଅଧିକ ଏବ˚ ଶିକ୍ଷାର ମାନ ନିର୍ଦ୍ଧାରଣରେ ଏହାର ନିଯୁକ୍ତି-ଉପାଦେୟତା ହିଁ ମୁଖ୍ୟ ସୂଚକ। ପ୍ରାଥମିକ ସ୍ତରରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସବୁ ପ୍ରକାର ଶିକ୍ଷାରେ ବସ୍ତୁବାଦୀ ଉପଯୋଗିତାର ପ୍ରାଧାନ୍ୟ। ସରକାରୀ ଶିକ୍ଷାକୁ ଶସ୍ତା ଓ ହୀନସ୍ତା କରି ଦିଆଯାଉଛି। ଏହାଦ୍ବାରା ଘରୋଇ ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଓ ସୁଯୋଗ ଦେବା ଏକ ଜାତୀୟ ଚକ୍ରାନ୍ତ। ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ଶିକ୍ଷାର ଦୁର୍ଦଶା, ପରିଚାଳନା ଓ ନୀତିନିୟମମାନଙ୍କରୁ ଏହା ସ୍ପଷ୍ଟ ଯେ ସବୁ ସ୍ତରରେ ସରକାରୀ ଶିକ୍ଷାକୁ ଗୌଣ କରିଦେବା ଏକ ଅପ୍ରକାଶିତ ଗୁପ୍ତ କାର୍ଯ୍ୟକ୍ରମ, hidden agenda, ଏବ˚ ଏକ ବୃହତ୍ତର ସାଲିସ୍। ବିଦ୍ୟାଳୟ ଶିକ୍ଷା ବସ୍ତୁତଃ ଘରୋଇ ଶିକ୍ଷା-ବ୍ୟବସାୟୀଙ୍କ କବଳରେ। ସରକାରୀ ବିଦ୍ୟାଳୟମାନେ ଅବହେଳିତ ଯାହା ଫଳରେ ପ୍ରତିବର୍ଷ ଅନ୍ୟୂନ ଦଶ ପ୍ରତିଶତ ପିଲା ସରକାରୀ ବିଦ୍ୟାଳୟ ଛାଡ଼ି ଘରୋଇ ସ୍କୁଲରେ। ନିକଟରେ ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଉଚ୍ଛେଦ ନୀତିରେ ପ୍ରାୟ ଆଠ ହଜାର ବିଦ୍ୟାଳୟ ବନ୍ଦ ହେବ। ପ୍ରଫେସର ପ୍ରୀତୀଶ ଆଚାର୍ଯ୍ୟଙ୍କର ସ୍କୁଲ ବନ୍ଦ ନିଷ୍ପତ୍ତିର ଆଲୋଚନାରୁ (‘‘ସମ୍ବାଦ’’, ନଭେମ୍ବର ୨୬) ଏହା ସ୍ପଷ୍ଟ ଯେ ଗୁଣାତ୍ମକ ମାନ ଆଳରେ ସରକାର ନିଜ ‘‘ଦାୟିତ୍ବରୁ ଓହରି ଯାଉଛନ୍ତି’’। ଏ ଉଚ୍ଛେଦ ଘରୋଇ ଶିକ୍ଷାକୁ ପ୍ରୋତ୍ସାହନ ଦେବାର ବାଟ। ଯେଉଁ ପିଲାମାନେ ସ୍କୁଲ ଛାଡୁଛନ୍ତି ସେମାନେ ସରକାରୀ ହିସାବ ଖାତାରେ Dropout ବା ଅଦୃଶ୍ୟ ହେଉଥିବା, ଓହରି ଯାଉଥିବା ପିଲା। ମାତ୍ର ସରକାରୀ ଶିକ୍ଷାର କ୍ରୂର ବାସ୍ତବତା ଏଇଆ ଯେ ସେମାନେ ସ୍ବଇଚ୍ଛାରେ ଓହରି ଯାଉନାହାନ୍ତି, ସେମାନେ ଠେଲି ଦିଆଯାଉଥିବା ପିଲା, Dropout ନୁହନ୍ତି, Pushout। ଶିକ୍ଷା ବ୍ୟବସାୟୀଙ୍କ ସହ ଅନୈତିକ ସାଲିସ୍‍ରେ ଚାଲିଛି ସରକାରୀ ଶିକ୍ଷାର ଉପେକ୍ଷା। ଘରୋଇ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କୁ ସରକାର ସ୍ବୀକୃତି ଦେଉଛନ୍ତି, ଜମି ଓ ଅନ୍ୟାନ୍ୟ ସୁବିଧା ଯୋଗାଉଛନ୍ତି। ଅଥଚ, ଅନ୍ୟାୟ ଭାବରେ ଆଦାୟ ହେଉଥିବା ସ୍କୁଲ ଫି ବା ଦେୟ ନିୟନ୍ତ୍ରଣ କରିବାକୁ ସରକାର ନାରାଜ। ଲାଭଖୋର ଶିକ୍ଷା ବ୍ୟବସାୟରେ ହସ୍ତକ୍ଷେପର କ୍ଷମତା ଥିଲେ ମଧୢ ସରକାରଙ୍କ ସ˚କୋଚ ଏହା ହିଁ ପ୍ରମାଣିତ କରେ ଯେ ଘରୋଇ ଶିକ୍ଷା-ବ୍ୟବସାୟର ଉନ୍ନତି ଏକ ଅଘୋଷିତ ସରକାରୀ ନୀତି।

ସାର୍ବଜନୀନ ଉଚ୍ଚଶିକ୍ଷାକୁ ମଧୢ ସରକାର ଗୁଡ଼େଇ ତୁଡ଼େଇ ତଳିତଳାନ୍ତ କଲେଣି। ବିଦ୍ୟାଳୟ, ମହାବିଦ୍ୟାଳୟମାନଙ୍କୁ ଅଧିକା˚ଶ ଦିଗରୁ ଅକ୍ଷମ କରି, ଏବେ ସରକାରୀ ନଜର ବିଶ୍ବବିଦ୍ୟାଳୟମାନଙ୍କ ଉପରେ, କାରଣ ସେଇ ଗୋଟିଏ ସ୍ତର ଯେଉଁଠି ସାଧାରଣ ଘରୋଇ ବିଶ୍ବବିଦ୍ୟାଳୟ ଅପେକ୍ଷା ସରକାରୀ ବିଶ୍ବବିଦ୍ୟାଳୟମାନଙ୍କର ମାନ୍ୟତା ଅଧିକ ଥିଲା ଓ ଛାତ୍ରଛାତ୍ରୀଙ୍କ ପସନ୍ଦ ଅଧିକ ଥିଲା। ନୂଆ ବିଶ୍ବବିଦ୍ୟାଳୟ ଆଇନ ଦ୍ବାରା ବିଶ୍ବବିଦ୍ୟାଳୟମାନଙ୍କ ଅଟୋନମି ବା ସ୍ବୟ˚ଶାସନ କ୍ଷମତା ଆଦୌ ସ˚କୁଚିତ ହେବ ନାହିଁ ବୋଲି ଦୃଢ଼ ଘୋଷଣା ଓ ବିଧାନସଭାରେ ପ୍ରତିଶ୍ରୁତି ସତ୍ତ୍ବେ ବିଶ୍ବବିଦ୍ୟାଳୟମାନଙ୍କ ଉପରେ ସରକାରୀ ଅମଲାତାନ୍ତ୍ରିକ ନିୟନ୍ତ୍ରଣ ବିପଦସୂଚକ ଓ ଲଜ୍ଜାଜନକ। ଅଟୋନମିର ପ୍ରତିଶ୍ରୁତିର ପ୍ରବଞ୍ଚନା ବହୁମନ୍ତେ ପ୍ରମାଣିତ। ଗୋଟିଏ ଉଦାହରଣ, ରାଜ୍ୟର ଉଚ୍ଚ ଶିକ୍ଷା ସଚିବ ଗତ ନଭେମ୍ବର ୨୭ ତାରିଖରେ ଓଡ଼ିଶା ଲୋକସେବା ଆୟୋଗଙ୍କ ସଚିବଙ୍କ ନିକଟକୁ ଲେଖିଥିବା ଚିଠି। ଏ ଚିଠିର ମୁଖ୍ୟ ବିଷୟ ଧାଡ଼ି: ‘‘ଉଚ୍ଚଶିକ୍ଷା ବିଭାଗର ପ୍ରଶାସନିକ ନିୟନ୍ତ୍ରଣ (Administrative Control)ରେ ଆସୁଥିବା ରାଜ୍ୟର ବିଭିନ୍ନ ସରକାରୀ ବିଶ୍ବବିଦ୍ୟାଳୟମାନଙ୍କରେ ଖାଲିଥିବା…. ପଦବିମାନ ପୂରଣ ପାଇଁ ସାମୂହିକ ଅଧିଯାଚନା (Consolidated requisition)”। ଏଥିରୁ ‘‘ଅକ୍ଷୁଣ୍ଣ ସ୍ବୟ˚ଶାସନ’’ର ମିଥ୍ୟା ସ୍ପଷ୍ଟ। ଅମଲାମାନଙ୍କର ଶିକ୍ଷା, ଗବେଷଣା ଓ ବିଶେଷ ଜ୍ଞାନ ଉପରେ ମନମୁଖୀ ନିୟନ୍ତ୍ରଣର ଦୃଷ୍ଟାନ୍ତ ମଧୢ ସେଇ ଚିଠିରେ ମିଳିବ। ଭିନ୍ନ ଭିନ୍ନ ବିଶ୍ବବିଦ୍ୟାଳୟର ନିର୍ଦ୍ଦିଷ୍ଟ ପ୍ରାଥମିକତା ଓ ବିଶେଷ ଜ୍ଞାନ-ସମ୍ପନ୍ନ ବିଭାଗଗୁଡ଼ିକର ପଦବିମାନ ଅମଲାତାନ୍ତ୍ରିକ ଅଜ୍ଞତାରେ ନିର୍ବିଚାର ଭାବରେ ଏକାଠି ମିଶାଇ ଦିଆଯାଇଛି; ଯଥା: Geology (ଭୂତତ୍ତ୍ବ), Earth Science (ମୃତ୍ତିକା ବିଜ୍ଞାନ) ଏବ˚ Natural Resource Management & Geo-Informatics) (ପ୍ରାକୃତିକ ସମ୍ପଦ ପରିଚାଳନା ଓ ଭୂତଥ୍ୟ ବିଜ୍ଞାନ) ବିଭାଗମାନଙ୍କର ପଦବିଗୁଡ଼ିକୁ ଏକାଠି କରି ଭୂତତ୍ତ୍ବ (Geology) ଶୃଙ୍ଖଳା ଭିତରେ ହିଁ ରଖାଯାଇଛି। ଏ ହେଲା ‘ସ୍ବାତନ୍ତ୍ର୍ୟ’ର ନିଦର୍ଶନ। ବିଶ୍ବବିଦ୍ୟାଳୟ ଶିକ୍ଷା ଯେ ବୌଦ୍ଧିକ ବିବିଧତା ଉପରେ ପର୍ଯ୍ୟବସିତ ଏକଥା ଅମଲାତନ୍ତ୍ର ବୁଝେ ନାହିଁ।

ନିକଟରେ କୁଳପତି-ଚୟନ ପ୍ରକ୍ରିୟାର ଅପକୀର୍ତ୍ତି ଓ ଲଜ୍ଜା ବର୍ତ୍ତମାନ ବିଶ୍ବ-ଚର୍ଚ୍ଚିତ। କୁଳପତିମାନଙ୍କୁ କ୍ଷମତା ବିହୀନ କରି ସରକାରୀ ଅଙ୍କୁଶରେ ଚାରିବର୍ଷ କଟେଇବାର ଲାଞ୍ଛନା ଓ ଅମର୍ଯ୍ୟାଦା ହୁଏ ତ ଯଥେଷ୍ଟ ହେଲା ନାହିଁ। ସଫଳ କୃତବିଦ୍ୟ ଶିକ୍ଷାବିତ୍‌ମାନଙ୍କୁ ସରକାରୀ ଚୟନ କମିଟିରେ ହାଜର ହେବାକୁ ପଡ଼ିଲା ଏବ˚ ସେଥିରୁ ସଫଳ ହୋଇଥିବା ବିଶିଷ୍ଟ ୧୬ ଜଣଙ୍କୁ ମାନ୍ୟବର ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଅଭୂତପୂର୍ବ ଏବ˚ ଅବାନ୍ତର ଲିଖିତ ପରୀକ୍ଷା ଦେବାକୁ ହେଲା ନିର୍ଦ୍ଦିଷ୍ଟ ସମୟସୀମା ଓ ନିରୀକ୍ଷକଙ୍କ ନଜର ଭିତରେ। ଏ ପ୍ରକାର ଲଜ୍ଜାକର ପଦ୍ଧତିରେ କୁଳପତି ଚୟନ ବିଶ୍ବରେ ପ୍ରଥମ, କାରଣ ଓଡ଼ିଶା ବ୍ୟତୀତ ପୃଥିବୀରେ ବିଶ୍ବବିଦ୍ୟାଳୟ ଶିକ୍ଷା ଓ କୁଳପତି ପଦବିର ସମ୍ମାନ ରହିଛି। ସରକାରୀ ବିଶ୍ବବିଦ୍ୟାଳୟ ଶିକ୍ଷାର ମାନ ମର୍ଯ୍ୟାଦା କେତେ ତଳକୁ ଗଲେ ସରକାର ଆଶ୍ବସ୍ତ ହେବେ ତାହା ଚିନ୍ତନୀୟ। ଯେଉଁମାନେ ଏ ପ୍ରକାର ଅପକର୍ମ ଓ ପରିହାସର ପ୍ରଣେତା ସେମାନେ ଆତ୍ମ-ସମୀକ୍ଷା କରନ୍ତୁ; ନିଜ ନିଜର ବିକାରଗ୍ରସ୍ତ ଚିନ୍ତାରେ ସେମାନେ ରାଜ୍ୟ, ଜାତି, ଶିକ୍ଷା ଓ ଭବିଷ୍ୟତର ସମ୍ଭାବନା ପ୍ରତି ଘୋର ଅନ୍ୟାୟ ଓ ଅକ୍ଷମଣୀୟ ଅପରାଧ କରିଛନ୍ତି। ସରକାରୀ ବିଶ୍ବବିଦ୍ୟାଳୟର ପ୍ରତ୍ୟେକ ମୁଖିଆ କୁଳପତିଙ୍କର ଏ ପ୍ରକାର ଅସମ୍ମାନରେ ଯଦି ଘରୋଇ ବ୍ୟବସାୟିକ ବିଶ୍ବବିଦ୍ୟାଳୟମାନ ଅଧିକ ପ୍ରୋତ୍ସାହିତ ହୋଇଥାଆନ୍ତି, ସେଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ କାରଣ ଏହା ଏକ ଅନୈତିକ ସାଲିସ୍‍ର ପ୍ରତିଫଳନ। ଶିକ୍ଷା ମାନବିକତାର ପ୍ରତୀକ ବୋଲି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁ କହିଥିଲେ। କହିଥିଲେ ଶିକ୍ଷା ସତ୍ୟ-ସନ୍ଧାନର ମାର୍ଗ। ଶିକ୍ଷା ଉଚିତ ମାର୍ଗରେ ଗଲେ ରାଷ୍ଟ୍ର, ଜାତି ଓ ନାଗରିକଙ୍କର ମଙ୍ଗଳ। ମାନ୍ୟବର ରାଜ୍ୟପାଳଙ୍କର କୁଳପତି-ପରୀକ୍ଷା ପ୍ରକୋଷ୍ଠରୁ ଶିକ୍ଷା ଆଡ଼କୁ ଯାଉଥିବା ମାର୍ଗ ଶିକ୍ଷାକୁ କେଉଁବାଟରେ ଓ କେତେ ତଳକୁ ନେବ, ସେ ପ୍ରଶ୍ନ ସମସ୍ତେ ପଚାରନ୍ତୁ।
ପ୍ରାକ୍ତନ ପ୍ରଫେସର, ଜେଏନ୍‌ୟୁ
[email protected]

ସମ୍ବନ୍ଧିତ ଖବର