ଭାରତର କୃଷକ ଆଜି ରାସ୍ତାରେ। ଗତ ଦଶନ୍ଧିଗୁଡ଼ିକର କୃଷି ନୀତି ଏଥି ପାଇଁ ଦାୟୀ। ଆମ ଦେଶର ଜନସ˚ଖ୍ୟାର ପଞ୍ଚଷଠି ପ୍ରତିଶତ କୃଷି ଉପରେ ନିର୍ଭରଶୀଳ। ସେମାନେ କୃଷି କର୍ମ ଦ୍ବାରା ଦେଶର ପେଟ ଭରୁଛନ୍ତି; କିନ୍ତୁ, ଦେଶର ଆୟର ମାତ୍ର ପନ୍ଦର-ଅଠର ପ୍ରତିଶତ ସେମାନଙ୍କୁ ମିଳୁଛି। ଏହା କୌଣସି ଆକସ୍ମିକତା ନୁହେଁ। କେବେଠାରୁ ଗଡ଼ିଆସିଲାଣି। କେତେ ବେଳେ ବିକାଶ ନାମରେ, କେତେ ବେଳେ ଉତ୍ପାଦନ ନାମରେ ତ ପୁଣି କେତେ ବେଳେ ଉତ୍ତମ ଜୀବନ ନାମରେ କୃଷକକୁ କୃଷି କର୍ମ ନ କରିବା ପାଇଁ କୁହାଯାଉଛି। କୃଷକକୁ କୁହାଯାଉଛି, ଜମି ଛାଡ଼ ଏବ˚ ଉଦ୍ୟୋଗକୁ ଦେଇ ଶ୍ରମିକ ହୁଅ। ଭାରତ ସ୍ବାଧୀନ ହୋଇଛି ସତ, ସରକାର ଇ˚ରେଜ ଶାସନ ଅମଳର କୃଷି ନୀତି ଛାଡ଼ିପାରିନାହିଁ। ଇ˚ରେଜ ଶାସନ କାଳରେ କୃଷକମାନେ ନିଜର ଅଧିକାର ପାଇଁ ବିରୋଧ କରୁଥିଲେ। ଅନ୍ୟାୟ ବିରୋଧରେ ଲଢ଼ୁଥିଲେ। ୧୯୧୮ରେ ଅହମଦାବାଦ ସହରର କଳ-କାରଖାନାରେ କାମ କରୁଥିବା ଶ୍ରମିକମାନେ ମଜୁରି ବୃଦ୍ଧି ପାଇଁ ଧର୍ମଘଟ କରିଥିଲେ। ମାଲିକ ଓ ଶ୍ରମିକଙ୍କ ମଧ୍ୟରେ ମୁହାଁ-ମୁହିଁ ପରିସ୍ଥିତି ଉପୁଜିଥିଲା। ଚ˚ପାରଣରେ ମଧ୍ୟ କୃଷକ, ସରକାର ବିରୋଧରେ ଲଢ଼ିଥିଲେ।
ଏବେ ବି କୃଷକ ଲଢ଼ୁଛନ୍ତି। ତେବେ, ଫରକ ଅଛି ଲଢ଼େଇର ପଦ୍ଧତିରେ। ସେତେ ବେଳେ ଲଢ଼େଇ ଗାନ୍ଧୀ ପ୍ରଦର୍ଶିତ ମାର୍ଗରେ ହେଉଥିଲା। ଗାନ୍ଧୀ ସତ୍ୟାଗ୍ରହ ପୂର୍ବରୁ ସତ୍ୟର ଯାଞ୍ଚ କରୁଥିଲେ। ଅହମଦାବାଦର କଳ-କାରଖାନାରେ କାମ କରୁଥିବା ଶ୍ରମିକଙ୍କ ଦାବିର ଯଥାର୍ଥତା ଗାନ୍ଧୀ ହୃଦୟଙ୍ଗମ କଲା ପରେ ସେମାନଙ୍କ ପକ୍ଷରେ ଛିଡ଼ା ହୋଇଥିଲେ। ପରବର୍ତ୍ତୀ ପଦକ୍ଷେପ ଥିଲା, ଯାହା ଠିକ୍, ସର୍ବଦା ତାହା ସହ ରହିବା ଏବ˚ ତାହାକୁ ସମର୍ଥନ ଦେବା। ଅହମଦାବାଦର ଲଢ଼େଇ ମୋଟ ପଚିଶ ଦିନ ଚାଲିଥିଲା। କାରଖାନା ମାଲିକମାନେ ଶ୍ରମିକଙ୍କୁ ଲୋଭ ଦେଖାଇ ଧର୍ମଘଟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ସେହି ପରିସ୍ଥିତିରେ ଗାନ୍ଧୀ ନିଜ ଜୀବନର ପ୍ରଥମ ଆମରଣ ଅନଶନ ଆରମ୍ଭ କରିଥିଲେ। କ୍ରମାଗତ ଭାବେ ତିନି ଦିନ ଉପବାସରେ ବସିବା ପରେ କାରଖାନା ମାଲିକ ଓ ଶ୍ରମିକଙ୍କ ମଧ୍ୟରେ ଏଭଳି ବୁଝାମଣା ହୋଇଯାଇଥିଲା, ଯାହା ଥିଲା କଳ୍ପନାତୀତ। ସମସ୍ୟାର ସମାଧାନ ଏଭଳି ହୋଇଥିଲା ଯେ, ଉଭୟ ପକ୍ଷ ବିଜୟୀ ହୋଇଥିବା ଅନୁଭବ କରିଥିଲେ। ନିରପେକ୍ଷ କମିସନ୍ଙ୍କ ଯାଞ୍ଚ ଶେଷ ନ ହେବା ପର୍ଯ୍ୟନ୍ତ କାରଖାନା ମାଲିକମାନେ ଶ୍ରମିକଙ୍କର ଦାବି ମାନି ନେଇଥିଲେ। ଶ୍ରମିକମାନେ ମଧ୍ୟ ସେମାନଙ୍କର ଦାବି ଅନୁଯାୟୀ ବର୍ଦ୍ଧିତ ପାରିଶ୍ରମିକକୁ ଯଦି ନିରପେକ୍ଷ କମିସନ୍ ସ୍ବୀକୃତି ନ ଦିଅନ୍ତି, ଉକ୍ତ ଅର୍ଥ ଫେରାଇବେ ବୋଲି ମାନି ନେଇଥିଲେ।
ସତ୍ୟ ପ୍ରତି ଆଗ୍ରହ ଉପରେ ଗାନ୍ଧୀଙ୍କ ବିଶ୍ବାସ ଥିଲା। ସତ୍ୟ ଉପରେ ଆସ୍ଥା ରଖିଲେ, ସମାଧାନର ଯେଉଁ ପନ୍ଥା ବାହାରିବ, ତାହା ଦ୍ବାରା ସମସ୍ତଙ୍କର ହିତ ହୁଏ। ଏବର କୃଷକଙ୍କ ସମସ୍ୟାକୁ ମଧ୍ୟ ଗାନ୍ଧୀଙ୍କ ମାର୍ଗରେ ଦେଖାଯାଇପାରେ ଏବ˚ ସମାଧାନ କରାଯାଇପାରେ। ଆମର କୃଷକଙ୍କର ମୁଖ୍ୟ ସମସ୍ୟା ହେଲା- ସେମାନଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ। ଯଦି ସେମାନଙ୍କୁ ଉଚିତ ମୂଲ୍ୟ ମିଳନ୍ତା, ସେମାନଙ୍କ ସମସ୍ୟାର ଅନ୍ତ ହୋଇଯାଆନ୍ତା। ଆମର କୃଷକମାନେ ସ୍ବ-ଧର୍ମ ଭଲ ଭାବେ ବୁଝନ୍ତି। ସେମାନେ କ୍ଷୁଧାର୍ତ୍ତଙ୍କ ପେଟ ଭରିବା ବେଶ୍ ଭଲ ଭାବେ ଜାଣନ୍ତି। ତେଣୁ, ସେମାନେ କେବେ ହେଲେ ଅସୀମିତ ଲୁଣ୍ଠନରେ ସାମିଲ ହେବେନାହିଁ। ଦ୍ବିତୀୟ ପକ୍ଷରେ ଅଛି ସରକାର। ସରକାର, କୃଷକଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିବା ଗ୍ରହଣ କରାଯାଇପାରେ। ତେବେ, ସରକାର ଅଧିକ ନୋଟ୍ ଛାପି, କିଛି ଅଧିକ ଟଙ୍କା ଦେଇଦେଲେ ବା ସେମାନଙ୍କର ଉତ୍ପାଦ କିଣିନେଲେ ବା ସେମାନଙ୍କ ଜମାଖାତାରେ ସିଧା-ସଳଖ କିଛି ଟଙ୍କା ଜମା କରିଦଲେ, ସମସ୍ୟାର ପ୍ରକୃତ ସମାଧାନ ହୋଇଯିବନାହିଁ। ଏହା କୌଣସି ସମ୍ମାନଜନକ ପଦ୍ଧତି ନୁହେଁ। ଏ ଭଳି କ୍ଷେତ୍ରରେ କୃଷକ ସର୍ବଦା ଗ୍ରହୀତା ଏବ˚ ସରକାର ଦାତା ଭୂମିକାରେ ରହିବେ। ତୃତୀୟ ପକ୍ଷରେ ଅଛି ଉଦ୍ୟୋଗ। କୃଷକର ଉତ୍ପାଦକୁ ଯଥା ସମ୍ଭବ କମ୍ ଦରରେ କଞ୍ଚା ମାଲ ଭାବେ ଖର୍ଦ୍ଦି କରି ମୁନାଫା କମାଇବା ହେଉଛି ଏହାର ଏକ ମାତ୍ର ଉଦ୍ଦେଶ୍ୟ। ପ୍ରକୃତରେ ଆମ ଦେଶ ପାଇଁ କ’ଣ ଲୋଡ଼ା? ଦେଶବାସୀଙ୍କୁ ଯଦି ସମ୍ମାନଜନକ ଜୀବନ ଓ ରୋଜଗାର ମିଳେ, ଅନ୍ୟ କୌଣସି ବାହାର ଦେଶ ଉପରେ ନିର୍ଭର କରିବାକୁ ପଡ଼ିବନାହିଁ। ଉତ୍ପାଦନ ବଢ଼ିବ ଏବ˚ ତାହାର ଉପଯୋଗ ମଧ୍ୟ।
ପ୍ରତ୍ୟେକ ରାଜ୍ୟର କୃଷକମାନେ ଯଦି ନିଜ ନିଜ ରାଜ୍ୟରେ ସମବାୟ ସ˚ସ୍ଥା ବନାଇବେ, ତେବେ, ମଙ୍ଗ ସେମାନଙ୍କ ହାତକୁ ଆସିପାରେ। ଯଦି ସଚ୍ଚୋଟତାର ସହ ଏହା ଗଠନ କରାଯାଏ, ସବୁଠାରୁ ଗରିବ କୃଷକ ମଧ୍ୟ ଉପକୃତ ହେବେ। ଏହା ମାଧ୍ୟମରେ କୃଷକ ନିଜ ଉତ୍ପାଦର ମୂଲ୍ୟ ନିଜେ ନିର୍ଦ୍ଧାରଣ କରିପାରିବ। ଠିକ ହେଉ ବା ଭୁଲ, କୌଣସି ସର୍ବନିମ୍ନ ସହାୟକ ମୂଲ୍ୟର ଆବଶ୍ୟକତା ରହିବନାହିଁ। ସରକାର ଏବ˚ ଉଦ୍ୟୋଗ ଉଭୟେ କୃଷକ ଦ୍ବାରା ନିର୍ଦ୍ଧାରିତ ଦରରେ ଉତ୍ପାଦ କିଣିବେ। ଯଦି ଉଦ୍ୟୋଗ ଓ ଉପଭୋକ୍ତା କୃଷକକୁ ଉଚିତ ମୂଲ୍ୟ ଦେଇଦିଏ, କୃଷକ ନିଜ ଉତ୍ପାଦ ସରକାରକୁ ବିକିବାକୁ ବାଧୢ ହେବନାହିଁ। ଏହା ସରକାର ପାଇଁ ମଧ୍ୟ ଲାଭଦାୟକ ହେବ। ସରକାରକୁ ଅନାବଶ୍ୟକ ଭାବେ କିଣିବାକୁ ପଡ଼ିବନାହିଁ। ଦୁଗ୍ଧ ଶୀଘ୍ର ନଷ୍ଟ ହୋଇଯାଉଥିବା ଉତ୍ପାଦ। ଏହା ସତ୍ତ୍ବେ ଗୁଜରାଟରେ ସମବାୟ ଆନ୍ଦୋଳନ ଶତ ପ୍ରତିଶତ ସଫଳ ହୋଇଥିଲା। କ’ଣ କୃଷକମାନେ ସେହି ପରି କରିପାରିବେନାହିଁ? ମହାରାଷ୍ଟ୍ରରେ ସମବାୟ ଧରଣର ସହାୟକ ସ˚ସ୍ଥାମାନ ରହିଛି। ତେବେ, ସେଗୁଡ଼ିକ ଋଣ ପ୍ରଦାନ ଭଳି ବ୍ୟବସାୟ ମଧ୍ୟ କରୁଛନ୍ତି। ଯେଉଁଠି ଅଧିକ ଅର୍ଥ ଲଗାଣ ହେବ, ସେଇଠି ରାଜନୀତି ହେବ; ସଚ୍ଚୋଟତା ରହିବ ନାହିଁ। ଗାନ୍ଧୀଙ୍କ ମାର୍ଗ ଅନୁସରଣ କଲେ ଦଳୀୟ ରାଜନୀତି କବଳରୁ ବର୍ତ୍ତିହେବ।
ଖର୍ଦ୍ଦି, ବିକ୍ରି ଓ ଫସଲର ମୂଲ୍ୟ ନିର୍ଦ୍ଧାରଣ ଆଦି ମଧ୍ୟରେ ସହକାରୀ ସ˚ସ୍ଥାଗୁଡ଼ିକର କାମକୁ ସୀମିତ ରଖିଲେ ବି ଅନ୍ୟ ବାସ୍ତବ ସମସ୍ୟା ରହିଛି। ସବୁଠାରୁ ବଡ଼ ସମସ୍ୟା ହେଉଛି ଏକତା। ସବୁ ରାଜ୍ୟର କୃଷକ ଏକତ୍ର ନ ହେଲେ କିଛି ଲାଭ ହେବନାହିଁ। ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦର ରହିଲେ, ସମସ୍ୟାର ସମାଧାନ କେବେ ହେଲେ ହେବନାହିଁ। ଉଦ୍ୟୋଗ ତଥା ଅନ୍ୟ କ୍ରେତା ଯେଉଁଠାରେ ଶସ୍ତାରେ ପାଇବେ, ସେଠାକୁ ଯିବେ। ତେଣୁ, ସାରା ଭାରତର କୃଷକଙ୍କ ମଧ୍ୟରେ ଏକତା ଜରୁରୀ। ପ˚ଜାବ, ହରିୟାଣା ଓ ରାଜସ୍ଥାନର କୃଷକ ଯଦି ଏକତ୍ର ହୋଇଯିବେ, ଧାନ, ଗହମ, କପା ଓ ସୋରିଷ ଭଳି କେତେକ ଉତ୍ପାଦ ସହ ଏହି ପ୍ରୟୋଗରେ ସଫଳତା ମିଳିବ। ଉତ୍ପାଦନ ବହୁତ ଅଧିକ ହେଲେ, ରପ୍ତାନି ଜରୁରି ହୋଇପଡ଼େ। ଏ ଭଳି ସ୍ଥିତିରେ ମୂଲ୍ୟ ନ କମିଲେ, ରପ୍ତାନି ସମ୍ଭବ ହୁଏନାହିଁ। ସାଧାରଣ ସ୍ଥିତିରେ ମୋଟ ଉତ୍ପାଦନର କୋଡ଼ିଏ-ପଚିଶ ପ୍ରତିଶତ ରପ୍ତାନିଯୋଗ୍ୟ। ତେଣୁ, ଘରୋଇ ମୂଲ୍ୟ ଓ ରପ୍ତାନି ମୂଲ୍ୟ ମଧ୍ୟରେ ତାଳମେଳ ରହିବା ଆବଶ୍ୟକ, ଯେପରି କୃଷକ କ୍ଷତି ନ ସହେ। ବେଳେ ବେଳେ ଏମିତି ବି ଘଟିପାରେ; ବିଦେଶରେ ମୂଲ୍ୟ କମି ବାହାରର ଉତ୍ପାଦ ଆମ ଦେଶକୁ ଆସିପାରେ। ସେତେ ବେଳେ ବାହାରୁ ଆସୁଥିବା ଶସ୍ତା ଉତ୍ପାଦକୁ ରୋକିବାର ବା ତାହା ଉପରେ କର ଲାଗୁ କରିବାର ନୈତିକ ଦାୟିତ୍ବ ସରକାରର। ଯେତେ ବେଳେ କୌଣସି କାରଣରୁ ଦେଶରେ ଉତ୍ପାଦନ ବ୍ୟାହତ ହୁଏ, ଆମଦାନିକୁ ସମାନ ଉତ୍ସାହର ସହ ପ୍ରୋତ୍ସାହନ ଦାୟିତ୍ବ ମଧ୍ୟ ସରକାରର। ତେବେ, ରପ୍ତାନି ଓ ଆମଦାନି କାର୍ଯ୍ୟ ମଧ୍ୟ ସହାୟକ ସ˚ସ୍ଥାମାନ ତୁଲାଇ ପାରିବେ। ଏଥିରେ ସରକାର ସ˚ଶ୍ଳିଷ୍ଟ ହେବା ଜରୁରୀ ନୁହେଁ। ପ୍ରତି ବର୍ଷ ଉତ୍ପାଦର ମୂଲ୍ୟ ବୃଦ୍ଧି ମଧ୍ୟ ଜରୁରୀ ନୁହେଁ। ଯଦି କୃଷି କର୍ମରେ ହେଉଥିବା ଖର୍ଚ୍ଚର ନିୟନ୍ତ୍ରଣ କରାଯାଏ, ମୂଲ୍ୟ ନ ବଢ଼ାଇଲେ ବି ଲାଭ ମିଳିପାରିବ। ଏଥି ପାଇଁ ଠିକ୍ ଭାବେ, ବିଜ୍ଞାନ ସମ୍ମତ ପ୍ରଣାଳୀରେ ଜମିର ଉର୍ବରତା ବଜାୟ ରଖିବା ଲୋଡ଼ା। ପ˚ଜାବ ଓ ହରିୟାଣାରେ ଅବୈଜ୍ଞାନିକ କୃଷି ପଦ୍ଧତି ଯୋଗୁଁ କୃଷକମାନେ ସମସ୍ୟା ଭୋଗୁଥିବା ଜଣାଶୁଣା କଥା। ସବୁ କିଛି ଠିକ୍ ରହିଲେ ବି କ୍ଷତି ହୋଇପାରେ। ସେତେ ବେଳେ ସହାୟକ ସ˚ସ୍ଥାମାନେ ଆଗକୁ ବାହାରି ସମସ୍ୟାର ସମାଧାନ ପାଇଁ ବାଟ ବାହାରକରିବା ଦରକାର। ଏଥିରେ ଅଯଥା ସରକାରୀ ହସ୍ତକ୍ଷେପ ଦରକାର ନାହିଁ। ଗାନ୍ଧୀ କହୁଥିଲେ ସତ୍ୟ କହିବା ପାଇଁ ସାହସ ରଖ; ସତ୍ୟ ସହ ରହ; ଏବ˚ ଏକତା ବନାଇ ରଖ। ଏହା ଦ୍ବାରା ସମସ୍ତ ସମସ୍ୟାର ନ୍ୟାୟପୂର୍ଣ୍ଣ ସମାଧାନ ସମ୍ଭବ। ଏହି ପଦ୍ଧତିରେ ସମସ୍ୟାର ସମାଧାନ ହେଲେ, ପ୍ରତ୍ୟେକ ବିପକ୍ଷ ନିଜକୁ ବିଜେତା ଅନୁଭବ କରିଥାଏ। ତେଣୁ, ଏବର ପରିସ୍ଥିତି ପୁଣି ଥରେ ଦାବି କରୁଛି- ‘କର ବା ମର!’
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ