‘ବିଲ୍ ଆଣ୍ତ୍ ମେଲିଣ୍ତା ଗେଟ୍ସ ଫାଉଣ୍ତେସନ୍’ ସହଯୋଗରେ ‘ୟୁନିଭର୍ସିଟି ଅଫ୍ ପେନ୍ସିଲ୍ଭାନିଆ’ର ‘ସେଣ୍ଟର୍ ଫର୍ ଦ ଆଡ୍ଭାନ୍ସଡ ଷ୍ଟଡି ଅଫ୍ ଇ˚ଡିଆ’(ସିଏଏସ୍ଆଇ) ଭାରତର ତିନିଟି ରାଜ୍ୟ- ବିହାର, ପ˚ଜାବ ଏବ˚ ଓଡ଼ିଶାକୁ ନେଇ ଭାରତୀୟ କୃଷିଜ ବଜାର ଉପରେ ଅଧ୍ୟୟନ କରିଛି। ଏଥିରୁ ଉଦ୍ଭବ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍କର୍ଷକୁ କୃଷି ନୀତି ପ୍ରସ୍ତୁତିରେ ବ୍ୟବହାର କରାଯାଇପାରେ। ବିହାର ଏବ˚ ଓଡ଼ିଶା ଭଳି କୃଷି ଦୃଷ୍ଟିରୁ ଦୁଇଟି ଅପେକ୍ଷାକୃତ ଦରିଦ୍ର ରାଜ୍ୟ ସହ ଧନୀ ରାଜ୍ୟ ପ˚ଜାବର ତୁଳନାତ୍ମକ ଅଧ୍ୟୟନ ଉପରେ ଏଥିରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଥିଲା। ଏହି ନିବନ୍ଧରେ ‘ସିଏଏସ୍ଆଇ’ ଅଧ୍ୟୟନରୁ ବଜାର, ଭଣ୍ତାର ଓ ଫସଲ ବିକ୍ରିର ବିଭିନ୍ନ ଦିଗ ବାବଦରେ ମିଳିଥିବା ନିଷ୍କର୍ଷ ଏବ˚ ସିଦ୍ଧାନ୍ତ ସ˚କ୍ଷେପରେ ବର୍ଣ୍ଣିତ। ଓଡ଼ିଶାର ଜନସ˚ଖ୍ୟାର ପ୍ରାୟ ୭୦% କୃଷିଜୀବୀ। ଭାରତର ଅଧିକା˚ଶ ଅଞ୍ଚଳର କୃଷକଙ୍କ ପରି ଓଡ଼ିଶାର କୃଷକମାନେ ମଧ୍ୟ କ୍ଷୁଦ୍ର ଚାଷ ଜମିର ଅଧିକାରୀ। ଓଡ଼ିଶାରେ କୃଷି କ୍ଷେତ୍ରରୁ ହେଉଥିବା ଅମଳ ଦେଶରେ ଅନ୍ୟତମ ସର୍ବନିମ୍ନ। ତେଣୁ, କୃଷିଜ ଆୟ ମଧ୍ୟ ସର୍ବନିମ୍ନ। କୌତୂହଳର ବିଷୟ ହେଉଛି, ୧୯୫୬ରେ ‘ଓଡ଼ିଶା କୃଷିଜ ଉତ୍ପାଦ ବଜାର ଆଇନ’ ପ୍ରଣୟନ ହୋଇଥିଲା। ଏ ଧରଣର ଆଇନ ସେହି ସମୟରେ ଦେଶରେ ପ୍ରଥମ ମଧ୍ୟରେ ଅନ୍ୟତମ। ଏଥିରେ ବିକ୍ରି-ବଟା ଦୃଷ୍ଟିରୁ କୃଷକକୁ ଅନେକ ସୁବିଧା ଦିଆଯାଇଛି। ତେବେ, ଠିକ୍ ଭାବେ ଲାଗୁହେଉ ନ ଥିବାରୁ ଓଡ଼ିଶାର କୃଷକମାନେ ପୂର୍ବ ଭଳି ଦରିଦ୍ର ରହିଛନ୍ତି।
ଚାଲିଥିବା କୃଷକ ଆନ୍ଦୋଳନ ପ୍ରେକ୍ଷାପଟରେ କୃଷିଜ ବଜାର ସମସ୍ତ ଧ୍ୟାନର କେନ୍ଦ୍ରରେ ରହିଛି। ଓଡ଼ିଶାରେ ଅଧିକା˚ଶ ଫସଲ ମଣ୍ତି ପରିବର୍ତ୍ତେ ସିଧା-ସଳଖ (farmgate) ବିକ୍ରି କରାଯାଏ। ପୂର୍ବରୁ କରାଯାଇଥିବା ଅଧ୍ୟୟନ କହେ- ମଣ୍ତିର ସୁଲଭତା ମୂଲ୍ୟକୁ ପ୍ରଭାବିତ କରେ। କୃଷକ ମଣ୍ତିର ସୁବିଧା ପାଇଲେ, ଫସଲର ଅଧିକ ମୂଲ୍ୟ ପାଇବାର ଆଶା ମଧ୍ୟ ଅଧିକ। କିନ୍ତୁ, ଓଡ଼ିଶାରେ କେବଳ ଧାନ ଖରଦି ଋତୁରେ ମଣ୍ତି ସକ୍ରିୟ ରହେ। ଅନ୍ୟ ସମୟରେ ଏହା ନିଷ୍କ୍ରିୟ ଥାଏ। ଯଦି ଫସଲ ବିବିଧୀକରଣ ଏବ˚ ଜଳ ବହୁଳ ଧାନ ଚାଷଠାରୁ ଚାଷୀକୁ ଦୂରେଇବା ସରକାରର ଲକ୍ଷ୍ୟ, ତେବେ ମଣ୍ତି ବ୍ୟବସ୍ଥା ଉପରେ ପୁନଃ ବିଶ୍ଳେଷଣ ଆବଶ୍ୟକ। ଓଡ଼ିଶା ଏବ˚ ପ˚ଜାବର କୃଷକ ମଧ୍ୟରେ ଏକ ବଡ଼ ବ୍ୟବଧାନର ମୁଖ୍ୟ କାରଣ ହେଉଛି, ଓଡ଼ିଶାରେ ନିଲାମର ସୁବିଧା ନାହିଁ। ସାଧାରଣତଃ, ଖେତରେ ସିଧା-ସଳଖ ମୂଲ-ଚାଲ ହୁଏ। କ୍ରେତା ଏକ ମୂଲ୍ୟ କହେ ଏବ˚ ତାହାକୁ ଗ୍ରହଣ କରିବା ବା ନ କରିବା କୃଷକ ଉପରେ ନିର୍ଭର କରେ। ଓଡ଼ିଶାରେ କୃଷକ, ସରକାରୀ ସ˚ସ୍ଥାଗୁଡ଼ିକୁ ଫସଲ ବିକିପାରିଲେ, ୧୭.୫% ଅଧିକ ମୂଲ୍ୟ ପାଇଥାଏ। ‘ସିଏଏସ୍ଆଇ’ ଅଧ୍ୟୟନ ସୂତ୍ରରୁ ପ୍ରକାଶ ଯେ, ପ˚ଜାବରେ କୃଷକ, ଅଢ଼ତିୟା ବା ପ୍ରାଧିକୃତ ଅଧିକର୍ତ୍ତା ବା କମିସନ୍ ଏଜେଣ୍ଟ୍ ମାଧ୍ୟମରେ ଫସଲ ବିକ୍ରୟ କରେ। ଓଡ଼ିଶାରେ କୃଷକ ଯେତେ ବେଳେ ପ୍ରାଥମିକ କୃଷିଜ ସମବାୟ ସମିତିକୁ ଫସଲ ବିକ୍ରୟ କରେ, ତାହାକୁ ସିଧା-ସଳଖ ସରକାରୀ କର୍ମଚାରୀଙ୍କ ସହ ସଂପର୍କ ସ୍ଥାପନ କରିବାକୁ ପଡ଼େ। ଏହା ଶୁଣିବାକୁ ବେଶ୍ ଭଲ ଲାଗୁଥିଲେ ହେଁ ବାସ୍ତବରେ ଏହି ବ୍ୟବସ୍ଥାରେ ଓଡ଼ିଶାର କୃଷକର ବିଶେଷ ଲାଭ ହୁଏନାହିଁ। ଏଠାରେ କମିସନ୍ ଦେବାକୁ ପଡ଼ୁ ନ ଥିଲେ ବି କୃଷକ କ୍ଷତି ସହେ। କାରଣ, ଧାର୍ଯ୍ୟ ନ୍ୟୂନତମ ସହାୟକ ମୂଲ୍ୟଠାରୁ କମ୍ରେ ଓଡ଼ିଶା ସରକାର କିଣନ୍ତି। ପୁଣି, ସରକାରୀ କର୍ମଚାରୀଙ୍କ ସହ କ୍ଷୁଦ୍ର ଚାଷୀମାନେ ସିଧା-ସଳଖ ସଂପର୍କ ରକ୍ଷା କରିପାରନ୍ତିନାହିଁ। ତେଣୁ, ଯେଉଁ ସୁବିଧା ପାଇବା କଥା, ତାହା ମଧ୍ୟ ପାଆନ୍ତି ନାହିଁ।
‘ସିଏଏସ୍ଆଇ’ ଅଧ୍ୟୟନ ସୂତ୍ରରୁ ଜଣାପଡ଼ିଛି, ଓଡ଼ିଶାରେ କୃଷକ ସାଧାରଣତଃ ଯେତିକି ବିକ୍ରି କରେ, ତାହାର ଦୁଇ ଗୁଣ ବିକ୍ରୟ କରିପାରିଲେ, ୨.୫% ଅଧିକ ମୂଲ୍ୟ ପାଏ। ଖେତ ସ୍ତରରେ ସମଷ୍ଟୀକରଣ ଏକ ଯୁକ୍ତିଯୁକ୍ତ ସମାଧାନ। ତେବେ, ଏହାର ପ୍ରୟୋଗ କ୍ବଚିତ୍ ଦେଖାଯାଏ। କୃଷି ସମଷ୍ଟୀକରଣ କେଉଁ ପରି କାର୍ଯ୍ୟକାରୀ ହୋଇପାରିବ, ଓଡ଼ିଶା ସରକାର ସେଥି ପ୍ରତି ଦୃଷ୍ଟି ଦେବା ଉଚିତ। ପୁଣି, ଗୋଟିଏ ଫସଲର ବିଭିନ୍ନ ମାନ ବା ଗୁଣବତ୍ତାର ଅମଳ ଯେପରି ନ ମିଶେ, ସେଥି ପ୍ରତି ମଧ୍ୟ ଧ୍ୟାନ ଦିଆ ନ ଗଲେ ସମସ୍ୟା ହୁଏ; ଏହା ଦ୍ବାରା ଫସଲର ଗୁଣବତ୍ତା ପ୍ରଭାବିତ ହୁଏ। ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାର କ୍ଷୁଦ୍ର ଚାଷୀର ମୋଟ ଉତ୍ପାଦର ବଡ଼ ଭାଗ ଘରେ ପରିବାରର ଖାଦ୍ୟ ଭାବେ ବ୍ୟବହୃତ ହୁଏ। କିନ୍ତୁ, ବିହାରରେ ଏ ଭଳି ହୁଏନାହିଁ। ଭାରତୀୟ କୃଷିରେ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ଭଣ୍ତାରୀକରଣ ଓ ଶୀତଳ ଭଣ୍ତାର। ‘ସିଏଏସ୍ଆଇ’ ଅଧ୍ୟୟନ ଅନୁଯାୟୀ ଓଡ଼ିଶାର ୮୮% କୃଷକ ଶସ୍ୟ ମହଜୁଦ ରଖନ୍ତି ଏବ˚ ପ୍ରାୟ ସମସ୍ତେ (୯୮%) ନିଜ ଘରେ। ଓଡ଼ିଶାରେ ସରକାରକୁ ବିକୁଥିବା କୃଷକ ନିଜର ଉତ୍ପାଦ କିଛି କାଳ ଘରେ ମହଜୁଦ କରିରଖନ୍ତି, ଯଦିଓ ମୂଲ୍ୟ ନିର୍ଦ୍ଧାରିତ ଥିବାରୁ ଏ ଭଳି ହେବା କଥା ନୁହେଁ। ତେବେ, ସରକାରୀ ଖରଦିରେ ବିଳମ୍ବ ଘଟୁଥିବାରୁ ଏ ଭଳି ହେଉଛି। ଗ୍ରାମାଞ୍ଚଳର କୃଷକ ଅଧିକ ଦିନ ଧରି ନିଜ ଘରେ ଫସଲ ରଖନ୍ତି। ଏହାର କାରଣ ନିକଟରେ ମଣ୍ତିର ଅଭାବ। ଅଗମ୍ୟ ଅଞ୍ଚଳର କୃଷକମାନେ ଗ୍ରାହକ ପାଆନ୍ତିନାହିଁ। ଅପରପକ୍ଷେ ମଣ୍ତି ନିକଟରେ ବାସ କରୁଥିବା କୃଷକମାନେ ଅପେକ୍ଷାକୃତ ଶୀଘ୍ର ବିକ୍ରୟ କରିପାରନ୍ତି। କ୍ଷୁଦ୍ର ଚାଷୀମାନେ ଅମଳ ସଙ୍ଗେସଙ୍ଗେ ବିକ୍ରୟ କରିବା ଅଧିକାର ପାଇବା ଉଚିତ। ଓଡ଼ିଶାରେ ମକାର ସରକାରୀ ଖରଦିଦାରି ହୁଏନାହିଁ। ହାରାହାରି ଭାବେ କୃଷକକୁ ତିନି ମାସରୁ ଅଧିକ କାଳ ମକା ଗଚ୍ଛିତ ରଖିବାକୁ ପଡ଼େ। ଏହା ନିଶ୍ଚିତ ଭାବେ ଏକ ଲମ୍ବା ସମୟ। ଉଲ୍ଲେଖଯୋଗ୍ୟ ଯେ, ଏ କ୍ଷେତ୍ରରେ ବିଳମ୍ବରେ ବିକ୍ରି ହେଲେ ବି ମୂଲ୍ୟରେ କୌଣସି ଫରକ ପଡ଼େନାହିଁ; ଅର୍ଥାତ୍, ମୂଲ୍ୟ ସର୍ବଦା ସମାନ ଥାଏ।
ଓଡ଼ିଶାରେ ‘କୃଷିଜ ଉତ୍ପାଦ ବଜାର ଆଇନ’ କେତେକ ସୁବିଧା ଦେଉଛି। ଏହା କିଛି ପରିମାଣରେ ସକାରାତ୍ମକ। କୃଷକ ନିଜର ଉତ୍ପାଦ ବିକ୍ରି କରିବା ପାଇଁ ଏକାଧିକ ପ୍ରକାରର ବଜାରର ବ୍ୟବସ୍ଥା ଅଛି। ଓଡ଼ିଶା ସରକାର ଉତ୍ପାଦର ହାରାହାରି ଗୁଣବତ୍ତା ନିର୍ଦ୍ଧାରିତ କରିଛନ୍ତି। ଅମଳ ପରେ କୃଷକ ସଫା କରିବା, ଶୁଖେଇବା ଏବ˚ ଗୁଣବତ୍ତା ଅନୁଯାୟୀ ଅଲଗା ଅଲଗା ଗଚ୍ଛିତ କରିବା ଆଦି କାର୍ଯ୍ୟରେ ବ୍ୟସ୍ତ ରହୁଛି। କିଛି ସୁବିଧା ସହ ଅନେକ ସମସ୍ୟା ମଧ୍ୟ ରହିଛି। ସେଗୁଡ଼ିକ ହେଲା- ନ୍ୟୂନତମ ସହାୟକ ମୂଲ୍ୟଠାରୁ କମ୍ରେ ଖରଦିଦାରି, ଅନେକ କୃଷକଙ୍କ ପାଇଁ ମଣ୍ତିର ଦୂରତା, ଫସଲରେ ଧାନକୁ ପ୍ରାଧାନ୍ୟ, ସରକାରୀ ଖରଦିଦାରି ନୀତି, ଖରଦିଦାରିରେ ବିଳମ୍ବ, ଭଣ୍ତାର ସମସ୍ୟା। ଏସବୁର ସମାଧାନ ବିନା ଆଖିଦୃଶିଆ ଲାଭ ମିଳିବନାହିଁ। କୃଷକର ଆୟ ଦୁଇ ଗୁଣ କରିବା ପାଇଁ ଆହ୍ବାନ ନିଶ୍ଚିତ ଭାବେ ପ୍ରଶ˚ସନୀୟ। ତେବେ, ବାସ୍ତବତା ଭିନ୍ନ କିଛି। ଅତୀତରେ ଏଥି ପାଇଁ ଲାଗିଥିଲା ବାଇଶ ବର୍ଷ; ୧୯୯୪ରୁ ୨୦୧୬। ଏବେ ସାତ ବର୍ଷରେ ଲକ୍ଷ୍ୟ ହାସଲ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ୨୦୨୩ ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣ କରିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତେଣୁ, କୃଷକମାନେ ସାମନା କରୁଥିବା ସମସ୍ୟାଗୁଡ଼ିକର ସମାଧାନକୁ ପ୍ରାଥମିକତା ଦେବାକୁ ହେବ। ଏ କ୍ଷେତ୍ରରେ ଧ୍ୟାନ କେନ୍ଦ୍ରୀଭୂତ କଲେ ଯାଇ ଲକ୍ଷ୍ୟ ହାସଲ ହୋଇପାରିବ।
[email protected]