ଚିନ୍ମୟ ଚେତନା/ ଶ୍ବାନ ସମାଚାର

ଚିନ୍ମୟ ହୋତା

ଜଣେ ବ୍ୟକ୍ତି ମଣିଷ ହିସାବରେ ନିଜର ପରିଚୟ ସାବ୍ୟସ୍ତ କରି ପାରିଲେନି ସିନା, ହେଲେ କୁକୁରର ଅଭିନୟ କଲା ପରେ ଯାଇ ତାଙ୍କର ଦୁଃଖ ପ୍ରତି ସରକାରୀ ବାବୁମାନଙ୍କର ଦୃଷ୍ଟି ପଡ଼ିଲା। ଘଟଣାଟି ଏହିପରି- ପଶ୍ଚିମବଙ୍ଗର ବାଙ୍କୁଡ଼ା ନିବାସୀ ଶ୍ରୀକାନ୍ତ ଦତ୍ତ ଯେତେବେଳେ ତାଙ୍କର ନୂଆ ରେସନ କାର୍ଡଟି ପାଇଲେ ତା’ ଉପରେ ଆଖି ବୁଲାଉ ବୁଲାଉ ତାଙ୍କର ସବୁ ଖୁସି ପାଣିରେ ମିଳେଇଗଲା; କାରଣ ତାଙ୍କ ସାଙ୍ଗିଆ ଦତ୍ତ ବଦଳରେ ଇଂରେଜୀରେ ଲେଖା ହୋଇଥିଲା ‘କୁତ୍ତା’। ସରକାରଙ୍କ ପାଖରୁ ଏମିତି ଅବାଂଛିତ ନାମଟି ପାଇ ଶ୍ରୀକାନ୍ତ ଅତ୍ୟନ୍ତ ମର୍ମାହତ ହୋଇ ପଡ଼ିଲେ ଓ ଏହାର ସଂଶୋଧନ ପାଇଁ ବାବୁମାନଙ୍କ ପାଖରେ ଫେରାଦ କଲେ, ଦରଖାସ୍ତ ପକାଇଲେ ଓ ବିକଳ ହେଲେ; କିନ୍ତୁ କେହି କର୍ଣ୍ଣପାତ ସୁଦ୍ଧା କଲେନାହିଁ। ଶେଷରେ ଶ୍ରୀକାନ୍ତ ଗୋଟିଏ ଅଭିନବ ଉପାୟ ବାହାର କଲେ ଓ ଅଫିସରଙ୍କ ଗାଡ଼ି ପାଖରେ ଅବିରାମ କୁକୁର ଭଳି ଭୁକିବା ଆରମ୍ଭ କରିଦେଲେ। ଲୋକମାନେ ଏହି ଦୃଶ୍ୟର ଭିଡିଓ କରି ଗଣମାଧ୍ୟମରେ ଭାଇରାଲ କଲାରୁ ଯାଇ କର୍ତ୍ତୃପକ୍ଷଙ୍କ ଆଖି ଫିଟିଲା ଓ ତାଙ୍କର ଅଭିଯୋଗପତ୍ର ଗ୍ରହଣ କରାଗଲା।

ନିଜର ସୁନ୍ଦର ସାଙ୍ଗିଆ ଜାଗାରେ ଯଦି କୁତ୍ତା ବା କୁକୁର ବୋଲି ଯୋଡ଼ି ଦିଆଯାଏ, ତେବେ ଅଧିକାଂଶ ଲୋକ ତାହା ବରଦାସ୍ତ କରିପାରିବେ ନାହିଁ। କାରଣ କେହି ଅନ୍ୟ ଜଣକ ଉପରେ ଅତି କ୍ରୋଧାନ୍ୱିତ ହେଲେ ଏହି ଶବ୍ଦଟି ବ୍ୟବହାର କରି ତାକୁ ଭର୍ତ୍ସନା କରିଥାଏ। ଅନ୍ୟକୁ ଅପମାନିତ କରିବା ପାଇଁ ଜଣେ ଏହି ‘କୁତ୍ତା’ ରୂପକ ବ୍ରହ୍ମାସ୍ତ୍ରଟି ପ୍ରୟୋଗ କରିଥାଏ। ସିନେମାର ଅନ୍ତିମ ପର୍ଯ୍ୟାୟରେ ନାୟକ ଯେତେବେଳେ ଖଳନାୟକକୁ ନିର୍ଦ୍ଦୟ ଭାବରେ ପିଟୁଥାଏ, ସେତେବେଳେ ସେ ପିଟଣ ସହିତ ତାଳ ଦେଇ ‘କମିନେ’, ‘କୁତ୍ତେ’ ଭଳି ଶବ୍ଦମାନଙ୍କର ବହୁଳ ଉପଯୋଗ କରିଥାଏ। ଖଳନାୟକ ମଧ୍ୟ ନାୟକର ସାହସକୁ ନୀଚା ଦେଖାଇବା ପାଇଁ କହିଦିଏ, ‘ନିଜ ଗଳିରେ କୁକୁର ବି ନିଜକୁ ବାଘ ମନେ କରେ’; ଅର୍ଥାତ୍‌ ତୋ ଗଳିରେ ନୁହେଁ, ମୋ ଗଳିରେ ଆସି ତୁ ତୋ କରାମତି ଦେଖା!
ସିନେମା ଜଗତ୍‌ର କଥା ଛାଡ଼ନ୍ତୁ ଜାତୀୟ ରାଜନୀତିରେ ବି ବିଦ୍ବେଷସୂଚକ ‘କୁତ୍ତା’ ଡକା ଯିବାର ନଜିର ରହିଛି। ଆଉ ଆମ ସାଧାରଣ ଲୋକେ କୌଣସି ପ୍ରତିଜ୍ଞା କଲା ବେଳେ ଦୃଢ଼ତାର ସହିତ କହିଥାଆନ୍ତି ଯେ ‘ଏଥିରେ ଅନ୍ୟଥା ହେଲେ ମୋ ନାମରେ କୁକୁର ପାଳିବ’।

କୁକୁରର ନାଁକୁ ନେଇ ଏତେ ଅସୂୟା ରହିଥିବା ବେଳେ ଏହି ଜାତିଟି ପ୍ରତି ମଣିଷର ଆଦରରେ କିଛି ଭଟ୍ଟା ପଡ଼ିନାହିଁ। ବରଂ ଆଜିକାଲି ଘଟୁଥିବା କିଛି କଥାକୁ ଲକ୍ଷ୍ୟ କଲେ ଜଣାପଡ଼େ ଯେ ‘ମଣିଷର ଶ୍ରେଷ୍ଠ ବନ୍ଧୁ’ର ଏବେ କଚେ ପୁଅ ବାର ସମୟ ଚାଲିଛି। ନ ହେଲେ କ’ଣ ନିକଟରେ ବମ୍ବେ ହାଇକୋର୍ଟର ରାୟକୁ ନାକଚ କରି ସୁପ୍ରିମ୍‌ କୋର୍ଟ ଫଇସଲା ଶୁଣାଇଥାନ୍ତେ ଯେ ବୁଲା କୁକୁରଙ୍କୁ ସର୍ବସାଧାରଣ ସ୍ଥାନରେ ଖାଇବାକୁ ଦେବା ଅପରାଧ ନୁହେଁ ବୋଲି? ମଧ୍ୟପ୍ରଦେଶର ଜନୈକ ଓମ୍ ନାରାୟଣ ତାଙ୍କର ଅଧା ସମ୍ପତ୍ତିକୁ ନିଜର ପୋଷା କୁକୁର ଜ୍ୟାକି ନାଁରେ କରିଦେବା କଥା ମଧ୍ୟ ସୂଚାଉଛି ଯେ କୁକୁର ଜାତିର ସମୟ ଆସି ପହଞ୍ଚିଯାଇଛି! ନିକଟରେ ପତ୍ନୀଙ୍କ ନାମରେ ରାଜଧାନୀ ଏକ୍ସପ୍ରେସର ପ୍ରଥମ ଶ୍ରେଣୀରେ ଟିକେଟ ବୁକ୍‌ କରି ପତ୍ନୀଙ୍କ ବଦଳରେ କୁକୁରକୁ ନେବା ବେଳେ ଯାତ୍ରୀ ଜଣକ ଧରା ପଡ଼ିବା କଥା ଶ୍ବାନ ଭାଗ୍ୟୋଦୟର ଆଉ ଏକ ଦୃଷ୍ଟାନ୍ତ। ଏବେ ଖବରକାଗଜ ପୃଷ୍ଠାରେ କେତେବେଳେ ପଢ଼ିବାକୁ ମିଳୁଛି ଯେ କେହି ଜଣେ ଧୁମଧାମରେ ନିଜର କୁକୁରର ବାହାଘର ପାଳନ କଲେଣି ତ କେହି ନିଷ୍ଠାର ସହ ନିଜର ପରଲୋକଗତ ପୋଷା କୁକୁରର ଶ୍ରାଦ୍ଧ କ୍ରିୟା କରୁଛନ୍ତି। ପୁଣି ଧନୀକମାନେ ତାଙ୍କର ପ୍ରିୟ କୁକୁର ପଛରେ ଯେତିକି ଖର୍ଚ୍ଚ କରନ୍ତି, ତାହା ହୁଏତ ଆମମାନଙ୍କର କଳ୍ପନାର ବାହାରେ। ପୋଷା କୁକୁର ମାନଙ୍କର ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀଗୁଡ଼ିକର ବ୍ୟବସାୟ ଆଜିକାଲି କୋଟି କୋଟି ଟଙ୍କାରେ ପହଞ୍ଚିଲାଣି। ଦାମୀ ଜାତିର କୁକୁର ଛୁଆ ଆଖି ଖୋସି ହୋଇଯିବା ଦରରେ ବିକ୍ରି ହୁଅନ୍ତି।

ବୁଲା କୁକୁରଙ୍କ ଭାଗ୍ୟ ରେଖା ବି ଏବେ ଟାଣ ଥିବା ଭଳି ଲାଗୁଛି। ମ୍ୟୁନିସିପାଲିଟି କର୍ମଚାରୀର ଲୁହା ମୁଦ୍‌ଗର ମାଡ଼ରେ ଦୁଃଖଦ ମୃତ୍ୟୁ ହୋଇଥିବା ‘ବୁଲା’ କୁକୁରର କାହାଣୀ ପଢ଼ି ପୂର୍ବେ ସ୍କୁଲ ପିଲାମାନେ ଲୁହ ଝରାଉଥିଲେ ସିନା, ହେଲେ ଆଜି ସେମିତି ବର୍ବରତାକୁ ପାଠ୍ୟ ପୁସ୍ତକରେ ସ୍ଥାନ ସୁଦ୍ଧା ଦିଆଯିବ ନାହିଁ। ଏଣେ ଆମ ରାଜ୍ୟର ପଶୁ ଡାକ୍ତରମାନେ ଲୋକଙ୍କୁ ଦାମିକା ବିଦେଶୀ କୁକୁର ଛାଡ଼ି ଏହି ଦେଶୀ ବୁଲା କୁକୁର ପାଳିବାକୁ ପ୍ରବର୍ତ୍ତେଇଲେଣି। କାରଣ ଏହି ଦେଶୀ କୁକୁରମାନେ କୁଆଡ଼େ ଅଧିକ କର୍ମତତ୍ପର, ଅନୁଗତ ଓ ଲାଳନ ପାଳନ ପାଇଁ କମ୍ ଖର୍ଚ୍ଚ ସାପେକ୍ଷ। କୁକୁର ବିନା ସର୍ତ୍ତରେ ମଣିଷକୁ ତା’ର ଅନାବିଳ ସ୍ନେହ ଦେଇ ଚାଲିଛି। ଆଜି କୁକୁର ମାନସିକ ଚିକିତ୍ସାର ଏକ ସୁନ୍ଦର ମାଧ୍ୟମ। ଦୃଷ୍ଟିବାଧିତମାନଙ୍କୁ ବାଟ ଦେଖାଇବା ଭଳି ଅନେକ କାର୍ଯ୍ୟରେ ଲୋଡ଼ା ହେଉଛି ଏହି ଜୀବଟିକୁ।

ଦେଶୀ ହେଉ କି ବିଦେଶୀ, କୁକୁର ଜାତିକୁ ବନ୍ୟ ଜନ୍ତୁରୁ ଗୃହପାଳିତ ପଶୁକୁ ବଦଳେଇ ଥିବା ମଣିଷ ତା’ ପ୍ରତି ଯେତିକି ଦାୟିତ୍ୱ ବହନ କରିବା କଥା, ଅନେକ ସମୟରେ ତହିଁରୁ ହଟି ଯାଇଥାଏ; ଯେମିତି ସେମାନଙ୍କର ସଂଖ୍ୟା ହ୍ରାସ କରିବା ପାଇଁ ସେମାନଙ୍କୁ ବଧ କରିବା ବା ବନ୍ଧ୍ୟାକରଣ କରିବା କିମ୍ବା ମଜା ଦେଖିବା ପାଇଁ କୁକୁର ଲାଙ୍ଗୁଡ଼ରେ ଫୋଟକା ବାନ୍ଧିବା, ପାଳିତ ପଶୁକୁ ଦରକାର ପଡ଼ିଲେ ପରିତ୍ୟକ୍ତ ହିସାବରେ ଛାଡ଼ି ଦେବା ଇତ୍ୟାଦି। ସମାଜରେ ଅନେକ ଲୋକଙ୍କ କୁକୁର ପ୍ରତି ବିତୃଷ୍ଣା ଭାବ ମୂଳରେ ରହିଛି ଅନେକ କୁକୁର-ମୁନିବମାନଙ୍କ ଆଚରଣ, ଯେଉଁମାନେ ତାଙ୍କର ପ୍ରିୟ ପଶୁଟିକୁ ବାହାରେ ମଳ ତ୍ୟାଗ କରାନ୍ତି; ପୁଣି ତାକୁ ଆୟତ୍ତରେ ନ ରଖି ଆତଙ୍କ ସୃଷ୍ଟି କରନ୍ତି। ସକ୍ରେଟିସ ଥରେ କହିଥିଲେ, ‘କୁକୁର ଗୋଟିଏ ବଡ଼ ଦାର୍ଶନିକ। ଆଗନ୍ତୁକକୁ ମିତ୍ର କିମ୍ବା ଶତ୍ରୁ ରୂପେ ବିଚାର କରିବା ପାଇଁ ସେ ଉପଯୋଗ କରେ ଗୋଟିଏ ମାତ୍ର ମାନଦଣ୍ଡ: ମୁହଁଟିକୁ ସେ ଚିହ୍ନିଛି କି ନାହିଁ!’ ନିକଟରେ ରାଜଧାନୀରେ ଘଟିଥିବା କୁକୁର ଆକ୍ରମଣ ପରେ ପୋଷା କୁକୁର ବିଷୟକ ନିୟମ ସଂହିତା ମଣିଷ-କୁକୁର ସମ୍ପର୍କକୁ ଶୃଙ୍ଖଳିତ କରିବା ସହ ଜୀବଟିର ହିଂସ୍ର ଆଚରଣକୁ ନିୟନ୍ତ୍ରଣାଧୀନ କରିବ ବୋଲି ଆଶା।
ମୋ:୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର