ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାର ବିଭିନ୍ନ ତିଥି ନେଇ ନୂଆଁଖାଇ ପାଳନ କରାଯାଏ। ବିଶେଷ କରି ଓଡ଼ିଶାର ପଶ୍ଚିମାଂଚଳରେ ନୂଆଖାଇ ବା ନୂଆଁଖାଇ ଏକ ଗଣ ପର୍ବରେ ପରିଣତ ହୋଇଛି। ମହାତ୍ମା ଗାନ୍ଧୀ ଆମ ଓଡ଼ିଶାକୁ ଆଠ ଥର ଆସିଥିଲେ। ସେହି ଭିତରେ ଗାନ୍ଧୀଜୀ ଦୁଇ ଥର ଝାରସୁଗୁଡ଼ା ଆସିଥିଲେ; ୧୯୨୮ ଓ ୧୯୩୪ ମସିହାରେ। ୧୯୨୮ ମସିହାରେ ଗାନ୍ଧୀଜୀ ପ୍ରଥମ ଥର ଝାରସୁଗୁଡ଼ା ରେଳ ଷ୍ଟେସନ୍‌ରେ ଓହ୍ଲାଇ ସମ୍ବଲପୁର ଠାରେ ମହନଦୀ ବାଲି ବନ୍ଧରେ ସଭା କରି ଗୋଟିଏ ରାତି ରହି ଫେରି ଯାଇଥିଲେ। ସେହି ବର୍ଷ ସମ୍ବଲପୁର (ଅବିଭକ୍ତ) ଜିଲ୍ଲାରେ ଏକ ନୂଆ ଘଟଣା ଘଟିଲା। ସେତେବେଳେ ଜିଲ୍ଲାରେ ଭାଦ୍ରବ ମାସରେ ନୂଆଁଖାଇ ପାଳନ କରାଯାଉଥିଲା। କିନ୍ତୁ ସେ ବର୍ଷ କାର୍ତିକ ମାସରେ ଲୋକେ ଆଉ ଥରେ ନୂଆଁଖାଇ ପାଳିଲେ। ସେହି ନୂଆଁଖାଇକୁ ଲୋକେ କହିଲେ ଗାନ୍ଧୀ ନୂଆଁଖାଇ। ଖରିଫ ଧାନ କାଟିଲା ପରେ ବର୍ଷା ପରେ ନଡ଼ାରୁ ଆଉ ଥରେ ଧାନ ଗଛ ଉଠିଲା ଓ ଫଳିଲା। ସେହି ଧାନକୁ ମଧ୍ୟ କୃଷକମାନେ ଅମଳ କଲେ ତାହାକୁ ଗାନ୍ଧୀଜୀ ନୂଆଁଖାଇ ଅନ୍ନ ଭାବେ ଖାଇଲେ।

Advertisment

୧୯୨୧ ମସିହା ଏପ୍ରିଲ ୨୬ ତାରିଖରେ ପ୍ରଦେଶ କଂଗ୍ରେସ ସଭାପତି ଭାବେ ଗୋପବନ୍ଧୁ ଦାସ ଝାରସୁଗୁଡ଼ା ଆସି ମୁଙ୍ଗାପଡ଼ାର ବିହାରୀ ରାମ ତନ୍ତୀ, ଚୌକିପଡ଼ାର ମହାବୀର ସିଂହଙ୍କ ଘରେ ଓ ଚିନ୍ତାମଣି ପୁଝାରୀଙ୍କ ପଂଚପଡ଼ା ଗ୍ରାମରେ କଂଗ୍ରେସ ଅଫିସମାନ ଖୋଲିବାର ବ୍ୟବସ୍ଥା କଲେ। ଗାନ୍ଧୀଜୀଙ୍କ ବାଣୀ ଓ କାର୍ଯ୍ୟ ଯେମିତି କି ନିଶା ନିବାରଣ, ଅସ୍ପୃଶ୍ୟତା ନିବାରଣ, ବିଦେଶୀ ବସ୍ତ୍ର ବର୍ଜନ, ଚରଖାରେ ସୂତା କାଟିବା, ମହିଳା ଶିକ୍ଷାର ବିକାଶ, କପା ଚାଷ ଓ ସମବାୟ ଆଦି କାର୍ଯ୍ୟ ଚିନ୍ତାମଣିଙ୍କ ନେତୃତ୍ୱରେ ଜୋର୍‌ସୋର୍‌ରେ ଚାଲିଲା, ଯାହା ଫଳରେ ସମ୍ବଲପୁର ଜିଲ୍ଲାରେ ୪୮୦୦ ପ୍ରତ୍ୟକ୍ଷ କଂଗ୍ରେସ୍ କର୍ମୀଙ୍କ ମଧ୍ୟରୁ କେବଳ ଝାରସୁଗୁଡ଼ାରେ ଥିଲେ ୨୦୦୦ରୁ ଅଧିକ କର୍ମୀ। ସେମାନେ ପ୍ରସ୍ତୁତ ହୋଇ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟରେ ଲାଗିପଡ଼ିଲେ। ୧୯୨୨ ମସିହାରେ ପୁନର୍ବାର ଗୋପବନ୍ଧୁ ଝାରସୁଗୁଡ଼ା ଆସି ମହାନଦୀର ଉପନଦୀ ଇରାବତୀ (ଇବ୍‌) ନଦୀ କୂଳସ୍ଥ ଗାନ୍ଧୀ ବିଚାରର ପ୍ରୟାଗଶାଳା ଭାବେ ପରିଚିତ ହୋଇଥିବା ପଂଚପଡ଼ା ଗ୍ରାମରେ ସମସ୍ତ କାର୍ଯ୍ୟ ଦେଖି ଅଭିଭୂତ ହେଲେ। ଏହାର ପ୍ରଭାବ ଜିଲ୍ଲାରେ ପଡ଼ିଲା। ସବୁ ବର୍ଗରୁ ଶହ ଶହ ଲୋକ ଏକତ୍ର ହୋଇ ହାତରେ ତମ୍ବା, ତୁଳସୀ ଓ ଶାଳଗ୍ରାମ ଧରି ଶପଥ କରି ନିଶା ପୂରା ଛାଡ଼ି ଦେଲେ। ଯାହା ଫଳରେ ମଦ ଭାଟିଗୁଡ଼ିକ ବନ୍ଦ ହୋଇଗଲା। ଏହି କାରଣରୁ ରାଜସ୍ୱ କମି ଯିବାରୁ ତତ୍କାଳୀନ ଡି.ସି. (ଏବର ଜିଲ୍ଲାପାଳ) ଜନ୍‌ଷ୍ଟଙ୍ଗ ସାହେବଙ୍କୁ ୧୯୩୪ ମସିହାରେ ଚାକିରିରୁ ନିଳମ୍ବିତ ହେବାକୁ ପଡ଼ିଲା। ଗାନ୍ଧୀ ଏ କଥା ଶୁଣି ପ୍ରଶଂସା କରି କହିଲେ ‘ସାରା ଦେଶ ମୈ ଐସା ହୋନା ଚାହିଏ।’

୧୯୩୯ ମସିହାରେ ଚିନ୍ତାମଣି ପୂଝାରୀ, କମଳ ଲୋଚନ ଲୋଇ, ଯୋଗେନ୍ଦ୍ର ପଟେଲ ଓ କଷ୍ଟରାମ ତନ୍ତ୍ରୀଙ୍କ ନେତୃତ୍ବରେ ଦଳିତ ଗଣ୍ଡା (ହରିଜନ) ସଂପ୍ରଦାୟର ଲୋକମାନେ ପଂଚପଡ଼ାର ପୁରାତନ ଜଗନ୍ନାଥ ମନ୍ଦିରକୁ ପ୍ରବେଶ କଲେ। ଏହା ସାରା ଦେଶରେ ଚହଳ ପକାଇଥିଲା। କପା ଚାଷରୁ ସୂତା କଟା ଏବଂ ଖଦି ବସ୍ତ୍ର କାର୍ଯ୍ୟ ଏକ ଗଣ କାର୍ଯ୍ୟରେ ପରିଣତ ହୋଇଥିଲା। ‘ସ୍ୱାଧୀନ ଭାରତ’ ନାମକ ଏକ ମୁକ୍ତିକାମୀ ପତ୍ରିକା ମଧ୍ୟ ପ୍ରକାଶ କରାଗଲା। ଏ ସବୁ କାର୍ଯ୍ୟ କରୁଥିବା ଲୋକଙ୍କୁ ବହୁତ ପ୍ରତିକୂଳ ପରିସ୍ଥିତି ଦେଇ ଯିବାକୁ ପଡ଼ିଥିଲା। ଏମାନଙ୍କୁ ନିଆଁ ପାଣି ବାସନ୍ଧ, ପୋଖରୀ ଘାଟ ବ୍ୟବହାର କରିବା ପାଇଁ ବାରଣ କରାଗଲା। ଏହି ସଂସ୍କାର କାର୍ଯ୍ୟ କରୁଥିବା ଲୋକମାନେ ଯୋଉ ପୋଖରୀ ଘାଟକୁ ଯାଇ ବ୍ୟବହାର କରୁଥିଲେ ତାକୁ ବିରୋଧୀ ଲୋକମାନେ ଗାନ୍ଧୀ ଘାଟ ବା କଂଗ୍ରେସ ଘାଟ ବୋଲି କହୁଥିଲେ। ଏ ଅଞ୍ଚଳର ଗାନ୍ଧୀ ଆଦର୍ଶ ପରିଚାଳିତ ସଂସ୍କାରକମାନେ ଅଲଗା ନୂଆଁଖାଇ କଲେ। ଏହି ନୂଆଁଖାଇରେ ସବୁ ଜାତି ଧର୍ମର ଲୋକମାନେ ଏକତ୍ର ହୋଇ ଘରୁ ଘରୁ ଚାଉଳ ଆଣି ଗୋଟିଏ ହାଣ୍ଡିରେ ପକାଇ ରୋଷେଇ କରୁଥିଲେ, ଯାହାକୁ ସମସ୍ତ ବର୍ଗର ଲୋକ ବାଣ୍ଟି ଖାଉଥିଲେ। ତାହାକୁ ମଧ୍ୟ ବିରୋଧୀ ‌େଲାକେ କହିଲେ ଗାନ୍ଧୀ ନୂଆଁଖାଇ। ଏହି ସଂସ୍କାରମୂଳକ ଆଦର୍ଶକୁ ମନେ ପକାଇ ଚଳିତ ମାସ ୮ ତାରିଖରେ ପଂଚପଡ଼ା, ଝାରସୁଗୁଡ଼ାଠାରେ ଗାନ୍ଧୀ ନୂଆଁଖାଇ ଭେଟ୍‌ଘାଟର ଆୟୋଜନ କରାଯାଉଛି, ଯାହା ଏକ ସଂହତି ଓ ସମ ଭାବର ବାର୍ତ୍ତା ପ୍ରେରଣ କରିବ।
ମୋ: ୯୪୩୭୮୧୮୨୩୩