୭୦ରେ ଗଣମାଧ୍ୟମର ଗଣେଶ

ଭଗବାନପ୍ରକାଶ

୧୯୮୪ ମସିହା କଥା। ଲେଖକ ସେତେବେଳେ ବାଣୀବିହାରରେ କାର୍ଯ୍ୟରତ ଥାଏ। ସେଇ ବର୍ଷ ଭୁବନେଶ୍ବରରେ ପହଞ୍ଚିଥିଲେ ଜଣେ ସୌମ୍ୟଦର୍ଶନ ପ୍ରତିଭାବାନ ଯୁବକ। ବୟସ ୩୨। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଅଧୢାପନା ଓ ବିଦେଶରେ ଗବେଷଣାର ସବୁ ଆକର୍ଷଣକୁ ପଛରେ ପକାଇ ନିଜ ଜନ୍ମଭୂମିକୁ ଫେରିଆସିଥିଲେ। ମନରେ ଥିଲା ଅନେକ ଅନିଶ୍ଚିତ ସ୍ବପ୍ନ ଓ ଅଜଣା ଆଶଙ୍କା। ପିଲାଦିନୁ ରାଜନୀତିକୁ ଅତି ପାଖରୁ ଦେଖିଥିଲେ କିନ୍ତୁ ଆଗ୍ରହ ନ ଥିଲା; ତେଣୁ ପ୍ରତିଷ୍ଠା କଲେ ଏକ ସମ୍ବାଦପତ୍ର। ନା ରଖାଗଲା ‘ସମ୍ବାଦ’। ଅଫ୍‌ସେଟ୍‌ ପ୍ରିଣ୍ଟିଙ୍ଗ୍‌ ମାଧୢମରେ ତାକୁ ଦେଲେ ନୂତନ ରୂପ, ନବ କଳେବର। ତାହାରି ଜରିଆରେ ଓଡ଼ିଶାର ସମସ୍ୟାକୁ ଅଧିକ ଜାଣିଲେ, ଚିହ୍ନିଲେ। ଲୋକସ˚ପର୍କ ବଢ଼ିଲା। ତା’ସହ ପାଠକଙ୍କ ସ˚ଖ୍ୟା ସାତ ଶହରୁ ବଢ଼ି ୭୦ ଲକ୍ଷରେ ପହଞ୍ଚିଲା। ‘ସମ୍ବାଦ’ ରାଜ୍ୟର ମୁଖ୍ୟ ସମ୍ବାଦପତ୍ର ଭାବରେ ଉଭା ହେଲା। ଏହାକୁ ଏକ ସାମାଜିକ ଆନ୍ଦୋଳନ ଭାବରେ ଗଢ଼ିବା ପାଇଁ ପ୍ରତିଷ୍ଠା ହେଲା- ‘ଆମ ଓଡ଼ିଶା’। ସମ୍ବାଦକୁ ସାହିତ୍ୟ ରୂପ ଦେବାପାଇଁ ଆରମ୍ଭ ହେଲା- ‘କଥା’। ଏହି କ୍ରମରେ ଯୋଡ଼ା ହେଲା ରବିବାର, ମହାନଗର ଏବ˚ ଆଉ ତିନିଟି ଗଠନମୂଳକ କାର୍ଯ୍ୟକ୍ରମ- ରକ୍ତଦାନ, ମତଦାନ ଓ ଭାଷାଜ୍ଞାନ। ରାଜ୍ୟର ଆଠଟି ଅଞ୍ଚଳରେ ଆଠଟି ଶାଖା ଖୋଲିଲା। ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଅନ୍‌ଲାଇନ୍‌ ମାଧୢମରେ ‘ସମ୍ବାଦ’ ପଢ଼ିଲେ, ନିଜ ଜନ୍ମଭୂମି ସହ ଯୋଡ଼ି ହେଲେ। ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ବୈଜ୍ଞାନିକ, ବୁଦ୍ଧିଜୀବୀମାନେ ନିକଟତର ହେଲେ। ତା’ପରେ ଆରମ୍ଭ ହେଲା ‘କନକ ଟିଭି’, ‘ରେଡିଓ ଚକ୍‌ଲେଟ୍‌’ ଏବ˚ ଏହିପରି ଅନେକ କାର୍ଯ୍ୟକ୍ରମ। ଆଉ ଏକ ପରିବେଶଧର୍ମୀ ସଦ୍ୟ ଉଦ୍ୟମ ହେଲା ‘ପୁନଶ୍ଚ ପୃଥିବୀ’। ଧୀରେ ଧୀରେ ‘ସମ୍ବାଦ’ ହୋଇଗଲା ରାଜ୍ୟର ସ୍ବର। ଏସବୁ ଯେଉଁ ବ୍ୟକ୍ତିଙ୍କ ପ୍ରେରଣା ଓ ଅହରହ ଉଦ୍ୟମ ଯୋଗୁଁ ସମ୍ଭବ ହେଲା ତାଙ୍କର ଆଜି ଜନ୍ମଦିନ (୧୮ ଅଗଷ୍ଟ, ୧୯୫୨)। ଘରେ ଘରେ ପରିଚିତ ତାଙ୍କର ଶୁଭନାମ ଶ୍ରୀ ସୌମ୍ୟର˚ଜନ ପଟ୍ଟନାୟକ। ଓଡ଼ିଶାର ମେଡିଆ ମୋଗଲ, ଶାହା ଇନ୍‌ ଶାହା ଓ ଗଣମାଧୢମର ଗଣେଶ।

ଗତ ୩୦ ବର୍ଷ ହେଲା ବିଭିନ୍ନ କ୍ଷେତ୍ରରେ ଓଡ଼ିଆ ଜନମାନସକୁ ପ୍ରଭାବିତ କରି ରଖିଛନ୍ତି ସୌମ୍ୟର˚ଜନ। ଜଣେ ସୁବକ୍ତା, ସୁଲେଖକ, ବରିଷ୍ଠ ସାମ୍ବାଦିକ, ସୁସ˚ଗଠକ ଓ ଚିନ୍ତାନାୟକ ଭାବରେ, ବହୁମୁଖୀ ପ୍ରତିଭା, ଉଚ୍ଚ ନେତୃତ୍ବ ଗୁଣ ସ˚ପନ୍ନ ବ୍ୟକ୍ତି ଭାବରେ ସେ ସର୍ବତ୍ର ସମ୍ମାନିତ। ନିର୍ବାଚନ ରାଜନୀତି, ଦଳୀୟ ରାଜନୀତିକୁ ଅତି ପାଖରୁ ଦେଖିଛନ୍ତି, ଅନୁଭବ କରିଛନ୍ତି, କିନ୍ତୁ ତତ୍‌ଜନିତ ପଙ୍କ, କାଦୁଅ ତାଙ୍କ ଶରୀରକୁ ମଳିନ କରିପାରିନାହିଁ। ନିର୍ବାଚନ ହାରିଛନ୍ତି, ଜିତିଛନ୍ତି, ଅଭିଜ୍ଞତାରୁ ଶିଖିଛନ୍ତି। ହୋଇଛନ୍ତି ବିଧାୟକ, ଲୋକସଭା ଓ ରାଜ୍ୟସଭା ସଦସ୍ୟ। ପଡ଼ିଛନ୍ତି ଉଠିଛନ୍ତି, ଛାଡ଼ିଛନ୍ତି, ଗଢ଼ିଛନ୍ତି ପାର୍ଟି। କ୍ଷମତା ପଛରେ ଗୋଡ଼ାଇ ନିଜ ବିବେକ, ଆତ୍ମସମ୍ମାନକୁ ବନ୍ଧା ପକାଇନାହାନ୍ତି। ସୁବିଧାବାଦୀ, ସ୍ବାର୍ଥ ସର୍ବସ୍ବ ତତ୍ତ୍ବ ଦ୍ବାରା ପ୍ରଭାବିତ ହୋଇନାହାନ୍ତି। ପାରିବାରିକ ସ˚ପର୍କକୁ ‘ନିଜର ଉତ୍‌ଥାନ’ ପାଇଁ ପ୍ରୟୋଗ କରିନାହାନ୍ତି। ବ˚ଶବାଦ ଠାରୁ ନିଜକୁ ଦୂରରେ ରଖିଛନ୍ତି। ନିଜ ଶି˚ଘରେ ମାଟି ତାଡ଼ିଛନ୍ତି। ସତ୍ୟ ପ୍ରକାଶରେ ସଙ୍କୋଚ କରିନାହାନ୍ତି। ଅର୍ଜୁନ ବିଷାଦ ଯୋଗ ଭଳି ବହୁବାର ଦ୍ବିଧା, ଦ୍ବନ୍ଦ୍ବ, ଧର୍ମ ସ˚କଟରେ ପଡ଼ିଛନ୍ତି ସୌମ୍ୟର˚ଜନ, କିନ୍ତୁ ହାରିନାହାନ୍ତି। ରାଜ୍ୟର ସ୍ବାର୍ଥରକ୍ଷା ପାଇଁ ସଦାବେଳେ ଆଗଧାଡ଼ିରେ ଥା’ନ୍ତି- ସେ ଚାଷୀ ଆନ୍ଦୋଳନ ହେଉ, ଭାଷା ସୁରକ୍ଷା ଆନ୍ଦୋଳନ ହେଉ, ନିଶା ନିବାରଣ ହେଉ। ରାଜ୍ୟର ବିଭିନ୍ନ ନାଗରିକ ସ˚ଗଠନମାନଙ୍କ ସହ ତାଙ୍କର ସଦିଚ୍ଛାପୂର୍ଣ୍ଣ ସ˚ପର୍କ ଥାଏ। ମଝିରେ ମଝିରେ ‘ଆମ ଘରର ହାଲଚାଲ’ ଜରିଆରେ ସେ ବିଭିନ୍ନ ସମସ୍ୟାକୁ ସମାଜ ଓ ସରକାରଙ୍କ ଦୃଷ୍ଟିକୁ ଆଣିବା ସହ ଗଠନମୂଳକ ସମାଧାନ ସୂତ୍ର ସୂଚାଇଥା’ନ୍ତି। ନିଜେ କରି ଦେଖାଇଥା’ନ୍ତି। ତାଙ୍କ ନେତୃତ୍ବରେ ପରିଚାଳିତ ‘ରକ୍ତଦାନ ଅଭିଯାନ’ ଆଜି ଓଡ଼ିଶାର ଏକ ନମ୍ବର ରକ୍ତଦାନୀ ଅନୁଷ୍ଠାନ। ଉପକୃତ ହେଇଛନ୍ତି ଲକ୍ଷାଧିକ ରୋଗୀ। ଏହା ଗଠନମୂଳକ ରାଜନୀତିର ଏକ ଜ୍ବଳନ୍ତ ଦୃଷ୍ଟାନ୍ତ। ଜୟ ପ୍ରକାଶ ନାରାୟଣ କହୁଥିଲେ କେବଳ ବିକାଶଧର୍ମୀ ଲୋକନୀତି ଦ୍ବାରା ପଙ୍କିଳ ରାଜନୀତିର ଶୁଦ୍ଧୀକରଣ ସମ୍ଭବ। ଗଣମାଧୢମର ସାମାଜିକ ଦାୟିତ୍ବ ପ୍ରକ୍ରିୟାର ଏହା ଏକ ଅଙ୍ଗ ହେବା ଉଚିତ। ସୌମ୍ୟର˚ଜନ ନିଜେ ତାହାର ଉଦାହରଣ। ଅନେକ ଜନମଙ୍ଗଳ କାର୍ଯ୍ୟକ୍ରମର ସେ ପୃଷ୍ଠପୋଷକ।

‘ଆମ ଓଡ଼ିଶା’ର ଉଦ୍‌ଗାତା ସୌମ୍ୟର˚ଜନ ଏବେ ୭୦ ବର୍ଷରେ ପଦାର୍ପଣ କଲେ। କିନ୍ତୁ ସକ୍ରିୟ ସାଧାରଣ ଜୀବନ ପାଇଁ ୭୦ ଶେଷ ସୀମା ନୁହେଁ। ଓଡ଼ିଶାରେ ଅନେକ ଅଧୁରା କାମ ପଡ଼ି ରହିଚି ଯାହା ପାଇଁ ତାଙ୍କ ଦିଗ୍‌ଦର୍ଶନ ଆବଶ୍ୟକ। ସତୁରି ବର୍ଷ ପରେ ସର୍ଦ୍ଦାର ପଟେଲ ଭାରତକୁ ଏକାଠି କରିଥିଲେ ଓ ୭୮ ବର୍ଷ ବୟସରେ ଡ. ରାଜେନ୍ଦ୍ର ପ୍ରସାଦ ଭାରତର ରାଷ୍ଟ୍ରପତି; ଜୋ ବାଇଡେନ୍‌ ଆମେରିକାର ରାଷ୍ଟ୍ରପତି; ଖ୍ୟାତନାମା ସାମ୍ବାଦିକ କୂଲଦୀପ ନାୟାର ‘ପଦ୍ମ ବିଭୂଷଣ’। ୮୨ ବର୍ଷ ବୟସରେ ମୋରାର‌ଜୀ ଦେଶାଇ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ। ୯୨ ବର୍ଷ ବୟସରେ ମହାଥିର ମୋହମ୍ମଦ ମାଲେସିଆର ପ୍ରଧାନମନ୍ତ୍ରୀ ଥିଲେ। ୭୨ ବର୍ଷ ବୟସରେ ନେଲ୍‌ସନ ମାଣ୍ତେଲା ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ ଓ ନୋବେଲ ପୁରସ୍କାର ପାଇଥିଲେ। ୯୭ ବର୍ଷ ବୟସରେ ଗୁଡ଼େନ୍‌ବର୍ଗ ପାଇଥିଲେ ରସାୟନ ବିଜ୍ଞାନରେ ନୋବେଲ୍‌। ଏବେ ୩ ବର୍ଷ ପୂର୍ବେ ୨୦୧୮ ମସିହାରେ ଆର୍ଥର ଆସ୍‌କିନ୍‌ ପଦାର୍ଥ ବିଜ୍ଞାନରେ ପାଇଥିଲେ ନୋବେଲ। ସେତେବେଳକୁ ତାଙ୍କର ବୟସ ଥିଲା ୯୬। ଖେଳକୁଦ ଓ ଫିଟ୍‌ନେସ ପାଇଁ ୮୨ ବର୍ଷୀୟା ଡ. ଭଗବତୀ ଓଜାଙ୍କୁ ମିଳିଚି ରାଷ୍ଟ୍ରପତି ପୁରସ୍କାର। ଏବେ କେରଳର ଏକ ବରିଷ୍ଠ ନାଗରିକ ଆଶ୍ରମରେ ଜଣେ ୬୦ ବର୍ଷର କନ୍ୟା ୭୦ ବର୍ଷୀୟ ବରଙ୍କ ବେକରେ ଜୟମାଳା ପିନ୍ଧାଇ ପ୍ରମାଣ କରି ଦେଇଛନ୍ତି ଯେ ୭୦ ବର୍ଷ ପରେ ଅନେକ ନୂଆ କାମ କରିହେବ।

ଆମ ଲୋକସ˚ଖ୍ୟାରେ ବରିଷ୍ଠ ନାଗରିକଙ୍କ ସ˚ଖ୍ୟା କ୍ରମେ ବଢ଼ିବାରେ ଲାଗିଚି। କିନ୍ତୁ ତା’ ସହ ବଢ଼ି ଚାଲିଚି ଆୟୁଷ ବା ଜୀବନକାଳ। ପୁଷ୍ଟିକର ଖାଦ୍ୟପେୟ ଓ ସ୍ବାସ୍ଥ୍ୟ ସେବା ଫଳରେ ମଣିଷ ଦୀର୍ଘାୟୁ ହେଉଛନ୍ତି। କିନ୍ତୁ ଶରୀର ଧୀରେ ଧୀରେ ସରିଯାଏ। ତେଣୁ ସତୁରି ବର୍ଷିଆଙ୍କୁ କେତୋଟି ସତର୍କବାଣୀ ଶୁଣାଇଥା’ନ୍ତି ଜେରିଆଟ୍ରିକ୍‌ ବିଶେଷଜ୍ଞମାନେ। ଆଗ୍ରହଜନକ କଥା ଯେ ୭୦ ପରେ ଶରୀର ସ୍ବୟ˚ ନିଜର ଶକ୍ତି ଓ ସୁରକ୍ଷା ପାଇଁ ଉଦ୍ୟମ କରିଥାଏ। ୭୦ ପରେ ଇନ୍ଦ୍ରିୟମାନେ ଅଧିକ ସତର୍କ ହୋଇଥା’ନ୍ତି। ଉଦାହରଣ ସ୍ବରୂପ ଶ୍ରବଣ ଶକ୍ତି ଓ ଘ୍ରାଣଶକ୍ତି ସୁରକ୍ଷା ପାଇଁ ବ୍ୟକ୍ତିଙ୍କ ଅଗୋଚରରେ ନାକ ଓ କାନ ନିଜ ନିଜର ଆକାରରେ ସାମାନ୍ୟ ବୃଦ୍ଧି କରିଥା’ନ୍ତି। ୭୦ରେ ପ୍ରବେଶ କଲା ପରେ ଗାନ୍ଧୀଙ୍କ ଠାରେ ଏହି ଲକ୍ଷଣ ପ୍ରକାଶ ପାଇଥିଲା। ଏହି ସମୟରେ ଚର୍ମ ଶୁଷ୍କ ଓ ଶିରା ଦୃଶ୍ୟମାନ ହୁଅନ୍ତି। ମା˚ସପେଶୀରେ ବୃଦ୍ଧି ଓ ଶରୀର ପୃଥୁଳ ହେବାକୁ ଲାଗେ। ଅଣ୍ଟା, ଆଣ୍ଠୁ, ଗଣ୍ଠିର ଅଧିକ ଯତ୍ନ ନେବାକୁ ପଡ଼େ। ମହିଳାମାନଙ୍କ କ୍ଷେତ୍ରରେ ଅଷ୍ଟିଓପେରୋସିସ୍‌ ଓ ପୁରୁଷ ଆର୍ଥାଇଟିସ୍‌, ପ୍ରୋଷ୍ଟେଟ୍‌ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଦୃଷ୍ଟିଶକ୍ତିରେ ହ୍ରାସ ଘଟେ। ଯୌନ ଜୀବନ ପ୍ରତି ବିତୃଷ୍ଣା ଓ ଅଧୢାତ୍ମ ଜୀବନ ପ୍ରତି ଶ୍ରଦ୍ଧା ବଢ଼େ। ଏହି ସମୟରେ କାଲ୍‌ସିୟମଯୁକ୍ତ ପୁଷ୍ଟିକର ଅଳ୍ପାହାର, ଅଧିକ ଜଳପାନ, ସରଳ ବ୍ୟାୟାମ, ସୁନିଦ୍ରା ଓ ଚିନ୍ତାଶୂନ୍ୟ ସନ୍ତୋଷମୟ ଜୀବନ ଶରୀରକୁ ରୋଗମୁକ୍ତ ରଖିବାରେ ସାହାଯ୍ୟ କରେ।

ବୟସବିତ୍‌ ଓ ଗବେଷକମାନଙ୍କ ମତରେ ୭୦ ଦଶକ ଜୀବନଚକ୍ରର ସବୁଠାରୁ ସୁଖମୟ ସମୟ। ଏହି ସମୟରେ ପିତାମାତାଙ୍କୁ ପିତାମହ ଓ ମାତାମହ ଭାବରେ ନାତି, ନାତୁଣୀଙ୍କ ସହ ଅଧିକ ସମୟ କାଟିବାର ଆନନ୍ଦ ମିଳିଥାଏ। ଶାସ୍ତ୍ରରେ ଏହାକୁ ସପ୍ତମ ରସ ବୋଲି କୁହାଯାଇଚି। ଏହି ସମୟରେ ସାମାଜିକ ଜୀବନ ଓ ସ˚ପର୍କ ବା ସୋସିଆଲ କ୍ୟାପିଟାଲ ସମୃଦ୍ଧି ହୋଇଥାଏ। ବ୍ୟକ୍ତି ଅଧିକ କ୍ଷମାଶୀଳ ହୋଇଥା’ନ୍ତି। ପତିପତ୍ନୀଙ୍କ ମଧୢରେ ନକାରାତ୍ମକ ଭାବନା ଅପେକ୍ଷା ବୁଝାମଣା ବଢ଼ିଥାଏ। କ୍ରମାଗତ ପଠନ, ଅଧୢୟନ, ଗବେଷଣା ଓ ବୌଦ୍ଧିକ ବ୍ୟାୟାମ ମସ୍ତିଷ୍କ ପାଇଁ ପୁଷ୍ଟିକର ଖାଦ୍ୟ ଭାବରେ କାମ କରିଥାଏ। ଫଳରେ ଡିମେନ୍‌ସିଆ ବା ମନୋଭ୍ର˚ଶର ପ୍ରଭାବ ହ୍ରାସ ହୋଇଥାଏ। ୭୦ ପ୍ରବେଶ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ମାଇଲ୍‌ ଖୁଣ୍ଟ। ଏହି ଅବସରରେ ସୌମ୍ୟର˚ଜନଙ୍କୁ ଅନେକ ଶୁଭେଚ୍ଛା। ସୁଦତ୍ତା, ତଲ୍ଲୀନା, ତନୟା ଓ ‘ସମ୍ବାଦ’, ‘ଆମ ଓଡ଼ିଶା’, ‘କନକ ଟିଭି’ ପରିବାରଙ୍କୁ ଅଭିନନ୍ଦନ ଏବ˚ ସୌମ୍ୟଙ୍କ ଶତାୟୁ ପାଇଁ ପ୍ରାର୍ଥନା।
୨୯-ବି, ପ୍ରଜ୍ଞାବିହାର,
ବରମୁଣ୍ତା, ଭୁବନେଶ୍ବର
ମୋ- ୯୯୩୭୦୨୭୦୧୭
[email protected]

ସମ୍ବନ୍ଧିତ ଖବର