ସମବାୟ ସ୍ବର୍ଗ

ବର୍ତ୍ତମାନ ଚୀନା କରୋନା ଆମ ଦେଶର ତଥା ସାରା ପୃଥିବୀର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରି ଦେଇଥିବା ଭଳି ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶକରେ ନେପୋଲିଅନ୍‌ଙ୍କ ଦିଗ୍‌ବିଜୟ ଅଭିଯାନ ମାନ ସାରା ଇଉରୋପ୍‌ର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେଇଥିଲା। ୧୮୧୫ରେ ଏହି ନେପୋଲିଅନୀୟ ଯୁଦ୍ଧ ସବୁର ଅନ୍ତ ଘଟିବା ପରେ ୧୮୧୬ରୁ ୧୮୨୦ ପର୍ଯ୍ୟନ୍ତ ବ୍ରିଟେନ୍‌ରେ ଶିଳ୍ପ ବାଣିଜ୍ୟ ପରିସ୍ଥିତି ଏପରି ଶୋଚନୀୟ ହୋଇ ପଡ଼ିଥିଲା ଯେ ତାହାର କାରଣ ଅନୁଶୀଳନ କରିବା ପାଇଁ ଏବଂ ସେଥିରୁ ଉଦ୍ଧାର ପାଇବାର ବାଟ ଖୋଜି ବାହାର କରିବା ପାଇଁ ସେ ସମୟର ବିଶିଷ୍ଟ ନାଗରିକମାନଙ୍କୁ ନେଇ ଏକ କମିଟି ଗଠିତ ହୋଇଥିଲା। ଏହି କମିଟି ସେ ସମୟରେ ସ୍କଟ୍‌ଲାଣ୍ଡର ନିଉ ଲାନାର୍କ ଠାରେ ଏକ ସମ୍ପୂର୍ଣ୍ଣ ଅଭିନବ ଢଙ୍ଗରେ ଲୁଗା କଳମାନ ଚଳାଇ ସାରା ଇଉରୋପ୍‌ରେ ଖ୍ୟାତି ଲାଭ କରିଥିବା ଶିଳ୍ପୋଦ୍ୟୋଗୀ ରବର୍ଟ ଓୱେନ୍‌ଙ୍କୁ ଏ ସମ୍ପର୍କରେ ପରାମର୍ଶ ଦେବା ନିମିତ୍ତ ଆମନ୍ତ୍ରଣ କରିଥିଲା।

ସେ ସମୟର ଶିଳ୍ପ ସଂସ୍କୃତି ଥିଲା ସମ୍ପୂର୍ଣ୍ଣ ରୂପେ ଶ୍ରମିକ ଶୋଷଣ ଓ ନିଷ୍ଠୁର ଭାବେ ଶିଶୁ ଶ୍ରମିକ ବ୍ୟବହାର ଉପରେ ପ୍ରତିଷ୍ଠିତ। ନିଉ ଲାନାର୍କ ଠାରେ ରବର୍ଟ ଓୱେନ୍ ଯେଉଁ ଶିଳ୍ପ ସଂସ୍କୃତି ପ୍ରତିଷ୍ଠା କରିଥିଲେ, ତା’ର ମୂଳ ଭିତ୍ତି କିନ୍ତୁ ଥିଲା ଶ୍ରମିକ ମଙ୍ଗଳ। ସେଠାରେ ସେ ଯେଉଁ ଶିଳ୍ପ ବସତି ସ୍ଥାପନ କରିଥିଲେ, ତାହା ଶ୍ରମିକମାନଙ୍କର ସ୍ବର୍ଗ ରୂପେ ଏପରି ପ୍ରସିଦ୍ଧି ଲାଭ କରିଥିଲା ଯେ ଦେଶ ବିଦେଶରୁ ସାଧାରଣ ପର୍ଯ୍ୟଟକମାନଙ୍କ ଠାରୁ ଆରମ୍ଭ କରି ଶାସକମାନଙ୍କ ପର୍ଯ୍ୟନ୍ତ ତାହାକୁ ପରିଦର୍ଶନ କରିବାକୁ ଆସି ନିଉ ଲାନାର୍କକୁ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିଦେଇଥିଲେ। ଓୱେନ୍ ଅବଲମ୍ବନ କରିଥିବା ଅଣପାରମ୍ପରିକ ଶ୍ରମିକ ମଙ୍ଗଳ ନୀତି ଓ ବଦାନ୍ୟତା ଯୋଗୁଁ ଯେ ତାଙ୍କର ଶିଳ୍ପ ସଂସ୍ଥାମାନ କ୍ଷତିରେ ଚାଲୁଥିଲା, ତାହା ନୁହେଁ; ବରଂ ସୁଖୀ ଶ୍ରମିକମାନଙ୍କ ଅକୁଣ୍ଠିତ ଅବଦାନ ଯୋଗୁଁ ସେଗୁଡ଼ିକରୁ ବେଶ୍ ଲାଭ ମଧ୍ୟ ଉତ୍ପନ୍ନ ହେଉଥିଲା।

ଦେଶକୁ ଉପସ୍ଥିତ ସଂକଟରୁ ଉଦ୍ଧାର କରିବା ପାଇଁ ରବର୍ଟ ‌ଓୱେନ୍ କମିଟିକୁ ଯେଉଁ ଉପଦେଶ ଦେଲେ, ତାହା ହେଲା- ଆଜିର ଭାଷାରେ ଦେଶବ୍ୟାପୀ ଏକ ସମବାୟ ଆନ୍ଦୋଳନର ଆରମ୍ଭ।(କେନ୍ଦ୍ର ସରକାର ଏବେ ଏକ ନୂତନ ସମବାୟ ମନ୍ତ୍ରଣାଳୟ ପ୍ରତିଷ୍ଠା କରିବା ପରେ ଯେଉଁ ଏକ ନୂତନ ସ୍ଲୋଗାନ୍ ସୃଷ୍ଟି କରିଛନ୍ତି, ତା’ର ଏହି ଓୱେନୀୟ ଚିନ୍ତାଧାରା ସହିତ ଥିବା ସାମଞ୍ଜସ୍ୟ କୌଣସି ଅର୍ଥନୀତି ଛାତ୍ରର ଦୃଷ୍ଟି ଏଡ଼ାଇ ନ ଥିବ: ‘ସହକାର୍ ସେ ସମୃଦ୍ଧି’)। ଓୱେନ୍ କମିଟି ସମ୍ମୁଖରେ ଯେଉଁ ଯୋଜନା ଉପସ୍ଥାପନ କରିଥିଲେ, ତାହା ହେଲା- କୃଷି କ୍ଷେତ୍ରରୁ ଶିଳ୍ପ କ୍ଷେତ୍ର ପର୍ଯ୍ୟନ୍ତ ସମସ୍ତ ଉତ୍ପାଦନ ସମବାୟ ଭିତ୍ତିରେ ପରିଚାଳିତ ହେବା। ଏ ଉଦ୍ଦେଶ୍ୟରେ ଦେଶ ସାରା ସମବାୟ ଗ୍ରାମମାନ ପ୍ରତିଷ୍ଠା ପାଇଁ ଓୱେନ୍ ଆହ୍ବାନ ଦେଇଥିଲେ। କେବଳ ଆହ୍ବାନ ଦେଇ ନ ଥିଲେ, ଏହାର ଟିକିନିଖି ନକ୍‌ସା ପ୍ରସ୍ତୁତ କରି କମିଟି ନିକଟରେ ଉପସ୍ଥାପନ କରିଥିଲେ ମଧ୍ୟ।
ଏକ ପୁଞ୍ଜିବାଦୀ ଅବାଧ ପ୍ରତିଯୋଗିତାଭିତ୍ତିକ (ସମବାୟ ବା ସହଯୋଗର ବିପରୀତ) ଅର୍ଥନୈତିକ ବ୍ୟବସ୍ଥା ସହିତ ଅଭ୍ୟସ୍ତ କମିଟି ସଦସ୍ୟମାନଙ୍କୁ ଓୱେନ୍‌ଙ୍କର ଏହି ପ୍ରସ୍ତାବ ଏକ ମାନସିକ ଧକ୍‌କା ଦେଇଥିଲା କହିଲେ ଅତିରଂଜନ ହେବ ନାହିଁ। ସେମାନେ ଏବେ ସମବାୟର ପିତା ରୂପେ ପରିଚିତ ରବର୍ଟ ଓୱେନ୍‌ଙ୍କର ଏହି ‘ଉଦ୍ଭଟ’ ପ୍ରସ୍ତାବକୁ ଭଦ୍ରାମିର ସହ ଶୁଣିଲେ, ତାଙ୍କୁ ଧନ୍ୟବାଦ ଦେଲେ, ଓ ପର ମୁହୂର୍ତ୍ତରେ ସେ ଗୁଡ଼ିକୁ ପୂରାପୂରି ଭୁଲି ଗଲେ।

ବର୍ତ୍ତମାନ ଭାରତ ସରକାର ଦେଶର ଏହି ସଂକଟ ସମୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରି କେନ୍ଦ୍ରରେ ପ୍ରଥମ ଥର ପାଇଁ ଏକ ସମବାୟ ମନ୍ତ୍ରଣାଳୟ ପ୍ରତିଷ୍ଠା କରି ମୋଦୀ ସରକାରର ଦ୍ବିତୀୟ ସର୍ବାଧିକ କ୍ଷମତାଶାଳୀ ମନ୍ତ୍ରୀ ଅମିତ ଶାହଙ୍କୁ ତା’ର ଦାୟିତ୍ବରେ ରଖିବା ପରେ ମନେ ହେଉଛି ସତେ ଯେମିତି ରବର୍ଟ ଓୱେନ୍‌ଙ୍କର ଦୁଇ ଶହ ବର୍ଷ ତଳର ସେଇ ଆହ୍ବାନ ଏବେ ଭାରତ ସରକାରଙ୍କ କାନରେ ପଡ଼ିଛି। ଅବଶ୍ୟ ସେ ସମୟର ବ୍ରିଟିସ୍ ସରକାର ସମ୍ମୁଖୀନ ହୋଇଥିବା ପରିସ୍ଥିତି ଠାରୁ ଯାହା ଭିନ୍ନ, ଭାରତ ସରକାରଙ୍କୁ ଏଠାରେ ନୂଆ କରି ସମବାୟ ଆନ୍ଦୋଳନ ଆରମ୍ଭ କରିବାକୁ ପଡ଼ିବ ନାହିଁ, କାରଣ ଏ ଦେଶରେ ପ୍ରଥମ ସମବାୟ ଆଇନ ପ୍ରଣୟନ ହେବାର ଏକଶହ ବର୍ଷରୁ ଅଧିକ କାଳ ଅତିକ୍ରାନ୍ତ ହୋଇ ସାରିଲାଣି ଏବଂ ଦେଶ ସାରା ବିଭିନ୍ନ କିସମର ସମବାୟ ଅନୁଷ୍ଠାନମାନ ଶାଖା ପ୍ରଶାଖା ମେଲାଇବା ଦେଖା ଯାଇଥାଏ। ସରକାର ଏହାକୁ ଦୃଷ୍ଟିରେ ରଖି ଜାରି କରିଥିବା ବିବୃତିରେ କୁହାଯାଇଛି ଯେ ଏହି ନୂତନ ମନ୍ତ୍ରଣାଳୟ ‘‘ତୃଣମୂଳ ସ୍ତରରେ ପହଞ୍ଚୁଥିବା ଏକ ପ୍ରକୃତ ଜନଭିତ୍ତିକ ଆନ୍ଦୋଳନ ରୂପେ ସମବାୟ ସଂଗଠନମାନଙ୍କୁ ଗଭୀରତର ହେବାରେ ସା‌ହାଯ୍ୟ କରିବ। ଆମ ଦେଶରେ ଏକ ସମବାୟଭିତ୍ତିକ ଅର୍ଥନୈତିକ ବିକାଶ ମଡେଲ୍ ହେଉଛି ଅତ୍ୟନ୍ତ ପ୍ରାସଙ୍ଗିକ, ଯେଉଁଠି ପ୍ରତ୍ୟେକ ସଦସ୍ୟ ଏକ ଦାୟିତ୍ବବୋଧ ସହିତ କାର୍ଯ୍ୟ କରିଥାନ୍ତି।’’ ଏହା ଖୋଦ୍ ରବର୍ଟ ଓୱେନ୍‌ଙ୍କ ଭାଷା ଭଳି ମନେ ହୋଇଥାଏ।

ବିଗତ ବର୍ଷ ମାନଙ୍କରେ ଦେଖାଯାଇଛି ଯଦିବା ଦେଶରେ ହଜାର ହଜାର ସଂଖ୍ୟାରେ ସମବାୟ ଅନୁଷ୍ଠାନମାନ କାର୍ଯ୍ୟ କରୁଛନ୍ତି (‘ନାବାର୍ଡ’ର ୨୦୧୯-୨୦ ରିପୋର୍ଟ ଅନୁଯାୟୀ ଦେଶରେ କାର୍ଯ୍ୟ କରୁଥିବା ପ୍ରାଥମିକ କୃଷିଋଣ ସମବାୟ ସମିତି ବା ‘ପ୍ୟାକ୍‌ସ’ ସଂଖ୍ୟା ଥିଲା ୯୫,୨୩୮; ଜିଲ୍ଲା ସ୍ତରୀୟ ‘ଡିସିସିବି’ ସଂଖ୍ୟା ଥିଲା ୩୬୩; ରାଜ୍ୟ ସ୍ତରୀୟ ‘ଏସ୍‌ସିବି’ ସଂଖ୍ୟା ଥିଲା ୩୩ଟି। ଏହା ବ୍ୟତୀତ ସହରାଞ୍ଚଳରେ ସମବାୟ ଗୃହନିର୍ମାଣ ଓ ଗ୍ରାମାଞ୍ଚଳରେ ସମବାୟ ବିପଣନ ସମିତି ଆଦି ମଧ୍ୟ କ‌ାର୍ଯ୍ୟ କରିଥାନ୍ତି।), ସେମାନେ ଅନେକ ସମୟରେ ସମ୍ବଳ ସଂକଟ ଦେଇ ଗତି କରୁଛନ୍ତି।

ଯଦିବା ଏମାନଙ୍କ ପାଖକୁ ଅଂଶଧନ ବା କାମଚଳା ପୁଞ୍ଜି ଆକାରରେ କେନ୍ଦ୍ର ସରକାରଙ୍କ ଠାରୁ ପାଣ୍ଠି ଆସିଥାଏ, ଯାହା ଦେଖାଯାଇଛି ମୁଖ୍ୟତଃ ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଭଳି ଅଳ୍ପ କେତେଗୋଟି ରାଜ୍ୟ ଭାଗରେ ଏହାର ମୁଖ୍ୟ ଅଂଶ ପଡ଼ିଥାଏ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏହି ରାଜ୍ୟ କେତୋଟି ସମବାୟ କ୍ଷେତ୍ରରେ ଦେଶରେ ସର୍ବାଧିକ ସଫଳତା ହାସଲ କରିବା ଦେଖା ଯାଇଛି। ଏଣୁ ଯଦି କୁହାଯାଏ ଯେ କେଉଁଟି କାର୍ଯ୍ୟ ଓ କେଉଁଟି କାରଣ, ତାହା ନିର୍ଭୁଲ୍ ଭାବରେ ଚିହ୍ନଟ କରିବା କଷ୍ଟ, ତାହା ମିଛ ହେବ ନାହିଁ। କୁହାଯାଉଛି ନୂତନ ସମବାୟ ମନ୍ତ୍ରଣାଳୟ ଯେଉଁ ବିତ୍ତୀୟ ଓ ବୈଧାନିକ କ୍ଷମତାର ଅଧିକାରୀ ହେବ, ତାହା ବଳରେ ଦେଶର ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଏହା ସମବାୟ ଆନ୍ଦୋଳନକୁ ଦୃଢ଼ୀଭୂତ କରିବାରେ ସକ୍ଷମ ହେବ। ଯଦି ଏହା ସତ ହୁଏ, ଏହା ଓୱେନ୍‌ଙ୍କ କଳ୍ପନାର ସ୍ବର୍ଗ ପ୍ରତିଷ୍ଠା ନ କରିପାରିଲେ ମଧ୍ୟ ଅଗଣିତ ସାଧାରଣ ଦେଶବାସୀଙ୍କର ଯେ ଅଶେଷ ମଙ୍ଗଳ ସାଧନ କରିବ, ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର