କେନ୍ଦ୍ର ସରକାର ଏବେ ତିନିଟି କୃଷି ଆଇନ ସହିତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ କରିଛନ୍ତି। ଏହି ଆଇନରେ ଚୁକ୍ତିଭିତ୍ତିକ କୃଷି ବ୍ୟବସ୍ଥା ପ୍ରଚଳନକୁ ଆଇନଗତ ମାନ୍ୟତା ଦିଆଯାଇଛି। ପୁନଶ୍ଚ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ସଂଶୋଧନରେ କେତେକ ପ୍ରଧାନ ସାମଗ୍ରୀକୁ ଅତ୍ୟାବଶ୍ୟକ ତାଲିକାରୁ ବାଦ ଦେବା ଭଳି ବ୍ୟବସ୍ଥା କୃଷକ ତଥା ସାଧାରଣ ଲୋକଙ୍କ ସ୍ବାର୍ଥ ହାନି କରିବା ସହିତ ପାଇକାରୀ ବ୍ୟବସାୟୀଙ୍କ ସ୍ବାର୍ଥରକ୍ଷାରେ ସହାୟକ ହେବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି କୃଷକମାନେ ଆଶଙ୍କା କରୁଛନ୍ତି। ଅନ୍ୟ ପକ୍ଷରେ ଏହା କୃଷି ଓ କୃଷକଙ୍କ ବିକାଶରେ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି। ଦୁଇ ମାସରୁ ଅଧିକ କାଳ ହେବ ଚାଷୀଙ୍କ ଆନ୍ଦୋଳନ ଚାଲୁ ରହିଛି ଏବଂ ସରକାର ଓ କୃଷକଙ୍କ ମଧ୍ୟରେ ବାରମ୍ବାର ଔପଚାରିକ ଆଲୋଚନା ହୋଇଛି। ଏହା ସତ୍ତ୍ୱେ କୌଣସି ସମାଧାନ ହୋଇ ପାରୁନାହିଁ। ବିବାଦୀୟ ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ପାଇଁ କୃଷକମାନେ ଅଡ଼ିବସିଥିବା ବେଳେ ସରକାର ତାକୁ ଗ୍ରହଣ କରୁ ନାହାନ୍ତି। ଅପର ପକ୍ଷରେ ଏହି ଆଇନକୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖିବା ଲାଗି ସରକାରଙ୍କ ପ୍ରସ୍ତାବକୁ ଆନ୍ଦୋଳନକାରୀ ଚାଷୀମାନେ ଗ୍ରହଣ କରିବାକୁ ନାରାଜ। ଏହା ଭିତରେ ସର୍ବୋଚ୍ଚ ନ୍ୟାୟାଳୟ ଘଟଣାରେ ହସ୍ତକ୍ଷେପ କରି ଆଇନର କାର୍ଯ୍ୟାନ୍ବୟନ ଉପରେ ରହିତାଦେଶ ଜାରି କରିବା ସହିତ ସମାଧାନର ରାସ୍ତା ବାହାର କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଥିବା ବେଳେ କୃଷକ ସଂଗଠନ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହିତ ଆଇନ ସଂପୂର୍ଣ୍ଣ ରୂପେ ପ୍ରତ୍ୟାହୃତ ନ ହେଲେ ସେମାନେ ଘରକୁ ଫେରିବେ ନାହିଁ ବୋଲି ଚରମବାଣୀ ଶୁଣାଇ ସାରିଛନ୍ତି। ସୁତରାଂ, ଏକ ଗଣ୍ଠି ପଡ଼ିଯିବା ଭଳି ସ୍ଥିତିରେ ଏହା ଥିବା ବେଳେ ଗଲା ସୋମବାର ଦିନ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ଏ ସଂକ୍ରାନ୍ତରେ ବିଶଦ ଭାଷଣ ପ୍ରଦାନ କରିଛନ୍ତି। ତହିଁରୁ ପୁଣି ଆଲୋଚନା ଲାଗି ବାଟ ଫିଟିବା ଭଳି ଲାଗୁଛି। ଏହି ପୃଷ୍ଠଭୂମିରେ ସଂପୃକ୍ତ ଆଇନର ବୈଧାନିକତା ସଂପର୍କରେ ଆଲୋଚନା ଲାଗି ଅବକାଶ ସୃଷ୍ଟି ହୋଇଛି।
ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଇନର ଖସଡ଼ା, କାର୍ଯ୍ୟକାରିତା, ପରିଣାମ ତଥା ସମ୍ବିଧାନର ଲକ୍ଷ୍ୟ ପୂରଣରେ ଏହାର ପ୍ରତିଶ୍ରୁତିବଦ୍ଧତା ଭଳି ପ୍ରଶ୍ନଗୁଡ଼ିକର ଆଲୋଚନା ସଂସଦ ବା ବିଧାନସଭାରେ କରାଗଲା ପରେ ଯାଇ ଆଇନଟି ଗୃହୀତ ହୋଇଥାଏ। ଅଥଚ ଏଠାରେ ସେଭଳି କରାଯାଇ ନାହିଁ। କୃଷି ସଂସ୍କାର ଆଇନ ଭଳି ଏକ ଗୁରୁତ୍ବପୂର୍ଣ୍ଣ ଆଇନକୁ ପାରିତ କରାଗଲା ବେଳେ ଏହି ପରଂପରାର ଉଲ୍ଲଂଘନ କରାଯାଇଛି। କୋଭିଡ କଟକଣାର ଅଘୋଷିତ ଜରୁରୀକାଳୀନ ସ୍ଥିତି ମଧ୍ୟରେ ସଂସଦରେ ପର୍ଯ୍ୟାପ୍ତ ଆଲୋଚନା କରା ନ ଯାଇ ଅଧ୍ୟାଦେଶ ବଳରେ ଏହାକୁ ଆଇନର ରୂପ ଦିଆଯାଇଛି। ଏପରି କି ରାଜ୍ୟସଭାରେ ଏହାର ବିରୋଧ ହୋଇଥିବା ସତ୍ତ୍ୱେ ଭୋଟ ନିଆ ନ ଯାଇ ବାଚନିକ ଭୋଟ ଆକାରରେ ଏହି ଆଇନ ଗୃହୀତ ହେଲା। ଏହାଦ୍ୱାରା ସମ୍ବିଧାନର ୧୦୦ ଧାରା (ସଂଖ୍ୟାଧିକ ଭୋଟରେ ଗୃହୀତ ବ୍ୟବସ୍ଥା) ଏବଂ ୧୦୭ ଧାରା (ସଂସଦର ଉଭୟ ଗୃହରେ ଗୃହୀତ ବ୍ୟବସ୍ଥା)ର ଉଲ୍ଲଂଘନ କରାଯାଇଛି। ସୁତରାଂ ଏହା ଅସାମ୍ବିଧାନିକ। କେବଳ ସେତିକି ନୁହେଁ; ଏଭଳି ଆଭିମୁଖ୍ୟ ଏହି ଆଇନ ପଛରେ ଥିବା ଉଦ୍ଦେଶ୍ୟକୁ ସନ୍ଦେହାସ୍ପଦ କରୁଛି।
ଏହି ଆଇନର ବୈଧାନିକତା ପ୍ରଶ୍ନର ବିଚାର କଲେ ଦେଖାଯାଏ ଯେ କୃଷି ବିଷୟ ସମ୍ବିଧାନର ଦ୍ବିତୀୟ ଅନୁଚ୍ଛେଦର ଦ୍ବିତୀୟ ତାଲିକା (ରାଜ୍ୟ ତାଲିକା) ଅନ୍ତର୍ଭୁକ୍ତ। ତେଣୁ, ସମ୍ବିଧାନର ନିର୍ଦ୍ଦେଶାନୁଯାୟୀ ରାଜ୍ୟମାନେ ନିଜ ନିଜ ଅଞ୍ଚଳର ପ୍ରାଥମିକତାକୁ ଅଗ୍ରାଧିକାର ଦେଇ ସ୍ବତନ୍ତ୍ର ଆଇନ ତିଆରି କରିପାରିବେ। ସୁତରାଂ ରାଜ୍ୟମାନଙ୍କ ସହିତ ଆଲୋଚନା ନ କରି କେନ୍ଦ୍ର ଦ୍ବାରା କୃଷି ଆଇନର ପ୍ରବର୍ତ୍ତନ କେବଳ ସଂଘୀୟ ଭାବଧାରାର ଉଲ୍ଲଂଘନ ନୁହେଁ, ରାଜ୍ୟ କ୍ଷମତାର ବଳାପହରଣ ମଧ୍ୟ। ଉଲ୍ଲେଖଯୋଗ୍ୟ ଯେ କେରଳ ବିଧାନସଭା ଏହି ଆଇନକୁ ପ୍ରତ୍ୟାଖ୍ୟାନ କରିଛି। ସେମିତି ଅନ୍ୟ ରାଜ୍ୟମାନେ ଯଦି କରିବାକୁ ବାହାରିବେ ତେବେ ଆଇନର ଏକ ସମାନ ପ୍ରଭାବ ସାରା ଦେଶରେ ଦେଖିବାକୁ ମିଳି ନ ପାରେ। ତେଣୁ ଏହା ପାରିତ କରିବା ପୂର୍ବରୁ ରାଜ୍ୟଗୁଡ଼ିକ ସହିତ ବିଶଦ ଆଲୋଚନା ଓ ବିତର୍କ ଆବଶ୍ୟକ ଥିଲା ବୋଲି ମନେ ହୁଏ।
କୃଷକ ଆନ୍ଦୋଳନ ନେଇ ସରକାର ଓ କୃଷକଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅପ୍ରତ୍ୟାଶିତ ହସ୍ତକ୍ଷେପ ସଂପୂର୍ଣ୍ଣ ଘଟଣାକ୍ରମକୁ ଭିନ୍ନ ମୋଡ଼ ଦେଇଥିଲା। ତେବେ, ଅନେକଙ୍କ ମତରେ ସର୍ବୋଚ୍ଚ ନ୍ୟାୟାଳୟ ଆଇନର ବୈଧତାକୁ ପରଖିବା ପରିବର୍ତ୍ତେ ଆଇନ ଉପରେ ସ୍ଥଗିତାଦେଶ ଲଗାଇ ଏକ ମଧ୍ୟସ୍ଥତା କମିଟି ଜରିଆରେ ଏକ ସମାଧାନର ପନ୍ଥା ବାହାର କରିବା ଉପରେ ଜୋର ଦେଇଛନ୍ତି। ତେଣୁ ଅଭିଯୋଗ ଆସିଥାଏ ଯେ ଏହା ଦ୍ବାରା ଆଇନରେ ଥିବା ଦୁର୍ବଳତା ଦୂର ହେବାର ଆଶା କମ୍। ଅବଶ୍ୟ, କୃଷକମାନେ ମଧ୍ୟ ସର୍ବୋଚ୍ଚ ଅଦାଲତଙ୍କ ପ୍ରସ୍ତାବକୁ ସ୍ବୀକାର କରି ନାହାନ୍ତି।
ଏହା ମଧ୍ୟ ସତ େଯ ସରକାର ଆଇନତଃ ଏହି କୃଷି ଆଇନକୁ ବାତିଲ କରି ପାରିବେ ନାହିଁ। ତେବେ କୃଷକ ଏବଂ ଖାଉଟିଙ୍କ ସ୍ବାର୍ଥ ଦୃଷ୍ଟିରୁ ବିଚାର କରି ସଂସଦର ବିଶେଷ ଅଧିବେଶନରେ ଏ ସଂପର୍କରେ ବିଶଦ ଆଲୋଚନା ଓ ବିତର୍କ କରାଯାଉ। ତା’ ପରେ ଦରକାର ପଡ଼ିଲେ ଏହି ଆଇନକୁ ବିଧି ପୂର୍ବକ ପ୍ରତ୍ୟାହାର କରାଯାଇପାରେ।
ଲିଙ୍କ୍ ରୋଡ୍, କଟକ-୧୨
ମୋ- ୯୯୩୭୭୫o୮୬୮