ଲୋକ-ଟିକା

କାନାଡା ଭଳି ଉନ୍ନତ ପାଶ୍ଚାତ୍ୟ ଦେଶଠାରୁ ଆରମ୍ଭ କରି ବା˚ଲାଦେଶ ଭଳି ବିକାଶଶୀଳ ଦେଶମାନଙ୍କ ପର୍ଯ୍ୟନ୍ତରେ ଏପରି ଅନେକ ଔଷଧ କମ୍ପାନି ଅଛନ୍ତି ଯେଉଁମାନଙ୍କ ପାଖରେ ଯଦି ଆବଶ୍ୟକ ଜ୍ଞାନକୌଶଳ ଉପଲବ୍‌ଧ ଥାଆନ୍ତା, ସେମାନେ ତୁରନ୍ତ ବିପୁଳ ପରିମାଣର ‘ଲୋକ-ଟିକା’ ଉତ୍ପାଦନରେ ଲାଗିପଡ଼ନ୍ତେ। ବିନା ଲାଭ, ବିନା କ୍ଷତିରେ ଉତ୍ପାଦିତ ହୋଇ ଏହି ଲୋକ-ଟିକା ତୁରନ୍ତ ପୃଥିବୀର ପ୍ରତ୍ୟେକ ଲୋକ ପାଖରେ ପହଞ୍ଚି ଯାଆନ୍ତା। ବର୍ତ୍ତମାନ ଦେଖା ଦେଇଥିବା ଟିକା ମରୁଡ଼ି ଦୂର ହୁଅନ୍ତା।

ବେଳେ ବେଳେ ଜନସ୍ବାର୍ଥ ସାଧନ ଉଦ୍ଦେଶ୍ୟରେ ସରକାର ଘରୋଇ କ୍ଷେତ୍ରରେ ଏକଚାଟିଆ ବ୍ୟବସାୟ ସୃଷ୍ଟି କରିବା ଦେଖାଯାଇଥାଏ। ଉଦାହରଣ ସ୍ବରୂପ ଯେତେବେଳେ କୌଣସି ଏକ ଔଷଧ କମ୍ପାନି ଏକ ନୂତନ ଔଷଧ ଆବିଷ୍କାର କରେ, ସେ କମ୍ପାନି ଏକ ପେଟେଣ୍ଟ୍‌ ପାଇବା ପାଇଁ ସରକାରଙ୍କୁ ଆବଦେନ କରିପାରେ। ଯଦି ସରକାରଙ୍କର ହୃଦ୍‌ବୋଧ ହୁଏ ଯେ ଔଷଧଟି ହେଉଛି ବାସ୍ତବରେ ମୌଳିକ, ତାହେଲେ ସରକାର ଏକ ନିର୍ଦ୍ଦିଷ୍ଟ ସମୟସୀମା (ଧରା ଯାଉ ୨୦ ବର୍ଷ) ପର୍ଯ୍ୟନ୍ତ ତାହା ଉପରେ ସମ୍ପୃକ୍ତ କମ୍ପାନିକୁ ପେଟେଣ୍ଟ୍‌ ଅଧିକାର ପ୍ରଦାନ କରିଥାନ୍ତି, ଯାହାଦ୍ବାରା କମ୍ପାନିଟି ୨୦ ବର୍ଷ ପର୍ଯ୍ୟନ୍ତ ସେ ନୂତନ ଔଷଧର ଉତ୍ପାଦନ ଓ ବିକ୍ରୟ ଉପରେ ଏକଚାଟିଆ ଅଧିକାର ହାସଲ କରିଥାଏ। ଆଜିକାଲି ବିଶ୍ବ ବାଣିଜ୍ୟ ସ˚ଗଠନ ଆନ୍ତର୍ଜାତିକ ସ୍ତରରେ ଏହି ବୌଦ୍ଧିକ ଅଧିକାରକୁ ସୁରକ୍ଷା ପ୍ରଦାନ କରିଥାଏ। ପେଟେଣ୍ଟ୍‌ ମାଧୢମରେ ହାସଲ କରିଥିବା ଏହି ଏକଚାଟିଆ ଅଧିକାର ବ୍ୟବହାର କରି ସମ୍ପୃକ୍ତ କମ୍ପାନି ଔଷଧଟିର ଉତ୍ପାଦନ ସୀମିତ ରଖି ବିକ୍ରୟ ମୂଲ୍ୟ ଉଚ୍ଚା ରଖି ଅଧିକ ଲାଭ ଅର୍ଜନ କରିବାରେ ସକ୍ଷମ ହୁଏ। ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନ କରି ନୂତନ ଔଷଧ ଆବିଷ୍କାରରେ ସହାୟକ ହେବା ନିମିତ୍ତ ପେଟେଣ୍ଟ୍‌ ଆଇନ୍‌ ଏଭଳି ପ୍ରତିଯୋଗିତାକୁ ସାମୟିକ ଭାବରେ ଅଟକାଇ ରଖିଥାଏ।

ସାଧାରଣ ସମୟରେ ପେଟେଣ୍ଟ୍‌ ଆଇନ ସପକ୍ଷରେ ଏଭଳି ଯୁକ୍ତି ବେଶ୍‌ ବଳିଷ୍ଠ ମନେ ହୋଇଥାଏ। କିନ୍ତୁ ବର୍ଷାଧିକ କାଳ ଧରି ଚୀନା କରୋନା ଜନିତ ବିଶ୍ବବ୍ୟାପୀ ମହାମାରୀରେ ପଡ଼ି ଛଟପଟ ହେଉଥିବା ପୃଥିବୀ ଏକ ସାଧାରଣ ସମୟ ଦେଇ ଗତି କରୁନାହିଁ। ଏଥିରେ ସନ୍ଦେହ ନାହିଁ ଯେ ପେଟେଣ୍ଟ୍‌ ବ୍ୟବସ୍ଥାର ଛତ୍ରଛାୟା ତଳେ ରହି ଯେଉଁ ଭଳି ତତ୍ପରତାର ସହିତ ଅଭୂତପୂର୍ବ କମ୍‌ ସମୟ ମଧୢରେ କତିପୟ ଔଷଧ କମ୍ପାନି କୋଭିଡ୍‌ର ପ୍ରତିରୋଧ ପାଇଁ କେତେକ ଟିକାମାନ ଆବିଷ୍କାର କରିବାରେ ସଫଳ ହୋଇଛନ୍ତି, ତାହା ସ˚କ୍ଷେପରେ କହିଲେ ଚମକପ୍ରଦ। ପୃଥିବୀରେ କୋଭିଡ୍‌ ଯୋଗୁଁ ଘଟିଚାଲିଥିବା ନିୟୁତ ନିୟୁତ ମୃତ୍ୟୁକୁ ଅଟକାଇବାର ଏକମାତ୍ର ଉପାୟ ହେଉଛି ପୃଥିବୀର ଅଧିକା˚ଶ ଲୋକଙ୍କର ଟିକାଦାନ କରିବା। ଯେତେ ଶୀଘ୍ର ଏ ଲକ୍ଷ୍ୟ ପୂରଣ ହେବ ସେତେ ଶୀଘ୍ର କୋଭିଡ୍‌ ପାଣ୍ତେମିକ୍‌ର ବିଲୟ ଘଟିବ।

ଏକ ଆକଳନ ଅନୁସାରେ ପୃଥିବୀରେ ଯେତିକି ଟିକା ଉତ୍ପାଦନ କ୍ଷମତା ଉପଲବ୍‌ଧ ଅଛି, ସେସବୁକୁ ଯଦି କୋଭିଡ୍‌ ଟିକା ଉତ୍ପାଦନରେ ନିୟୋଜିତ କରାଯାଆନ୍ତା, ତେବେ ୨୦୨୧ରେ ପୃଥିବୀ ଜନସ˚ଖ୍ୟାର ୬୦ ଶତା˚ଶଙ୍କର ଟିକାକରଣ କରାଯାଇପାରନ୍ତା ଏବ˚ ୨୦୨୨ ଶେଷ ସୁଦ୍ଧା ବାକି ମାନଙ୍କର ଟିକାକରଣ ସମାପ୍ତ ହୁଅନ୍ତା। ଏଥିରେ କିନ୍ତୁ ପ୍ରତିବନ୍ଧ ସାଜିଛି ସେଇ ‘ବୌଦ୍ଧିକ ସମ୍ପତ୍ତି ଅଧିକାର’, ଯାହାର ନାମ ହେଉଛି ପୂର୍ବ ବର୍ଣ୍ଣିତ ‘ପେଟେଣ୍ଟ୍‌’। ପୃଥିବୀରେ ଆବଶ୍ୟକତାଠାରୁ ବହୁ କମ୍‌ ପରିମାଣର ଟିକା ଉତ୍ପାଦନ ହେଉଥିବାର କାରଣ ହେଉଛି ଟିକା ଆବିଷ୍କାର କରିଥିବା କେତୋଟି ମାତ୍ର ଔଷଧ କମ୍ପାନିମାନଙ୍କର ଏକଚାଟିଆ ନିୟନ୍ତ୍ରଣରେ ରହିଥିବା ଉତ୍ପାଦନର ପରିମାଣ। ଏହି କମ୍ପାନିମାନେ ଯେତିକି ଟିକା ସିଧାସଳଖ ଉତ୍ପାଦନ କରୁଛନ୍ତି ଏବ˚ ସେମାନଙ୍କ ଠାରୁ ଲାଇସେନ୍‌ସ ପାଇଥିବା ଅଳ୍ପ କେତେକ ଅନ୍ୟ ଉତ୍ପାଦନକାରୀ ଯେତିକି ଟିକା ଉତ୍ପାଦନ କରୁଛନ୍ତି, ତାହା ମିଶି ପୃଥିବୀବାସୀଙ୍କ ସମ୍ପୂର୍ଣ୍ଣ ଆବଶ୍ୟକତା ମେଣ୍ଟାଇବା ପାଇଁ ଆଦୌ ଯଥେଷ୍ଟ ନୁହେଁ। ଏହି ଜୀବନ-ମରଣ ସମସ୍ୟାର ଆଶୁ ସମାଧାନର ପ୍ରକୃଷ୍ଟ ଉପାୟ ହେଉଛି ଏକ ‘ଲୋକ-ଟିକା’ର ବହୁଳ ଉତ୍ପାଦନ।

ପୃଥିବୀର ପ୍ରତ୍ୟେକ ଦେଶରେ ପ୍ରତ୍ୟେକ ଲୋକ ପାଖରେ ପହଞ୍ଚି ପାରୁଥିବା ଟିକାକୁ କୁହାଯିବ- ‘ଲୋକ-ଟିକା’। କାନାଡା ଭଳି ଉନ୍ନତ ପାଶ୍ଚାତ୍ୟ ଦେଶଠାରୁ ଆରମ୍ଭ କରି ବା˚ଲାଦେଶ ଭଳି ବିକାଶଶୀଳ ଦେଶମାନଙ୍କ ପର୍ଯ୍ୟନ୍ତରେ ଏପରି ଅନେକ ଔଷଧ କମ୍ପାନି ଅଛନ୍ତି ଯେଉଁମାନଙ୍କ ପାଖରେ ଯଦି ଆବଶ୍ୟକ ଜ୍ଞାନକୌଶଳ ଉପଲବ୍‌ଧ ଥାଆନ୍ତା, ସେମାନେ ତୁରନ୍ତ ବିପୁଳ ପରିମାଣର ‘ଲୋକ-ଟିକା’ ଉତ୍ପାଦନରେ ଲାଗିପଡ଼ନ୍ତେ। ବିନା ଲାଭ, ବିନା କ୍ଷତିରେ ଉତ୍ପାଦିତ ହୋଇ ଏହି ଲୋକ-ଟିକା ତୁରନ୍ତ ପୃଥିବୀର ପ୍ରତ୍ୟେକ ଲୋକ ପାଖରେ ପହଞ୍ଚି ଯାଆନ୍ତା। ବର୍ତ୍ତମାନ ଦେଖା ଦେଇଥିବା ଟିକା ମରୁଡ଼ି ଦୂର ହୁଅନ୍ତା। ଏହି ଟିକା ମରୁଡ଼ି ପଛରେ ରହିଥିବା ଦୁଇଟି କାରଣରୁ ଗୋଟିଏ ହେଲା ବର୍ତ୍ତମାନ ଯେତିକି ଟିକା (ଫାଇଜର‌୍‌, ମଡର୍ଣ୍ଣା, ଆଷ୍ଟ୍ରାଜେନେକା ଆଦି) ଉତ୍ପାଦିତ ହେଉଛି ତାହାକୁ ମୁଖ୍ୟତଃ ଧନୀ ଦେଶମାନେ ନିଜ ନିଜ ଦେଶରେ ମହଜୁଦ କରି ରଖିଦେଉଛନ୍ତି। ଅନ୍ୟ କାରଣଟି ହେଲା ସେମାନେ ଟିିକା ମହଜୁଦ କଲା ଭଳି ହାତଗଣତି ଔଷଧ କମ୍ପାନିମାନେ ଟିକା ତିଆରି ଜ୍ଞାନକୌଶଳକୁ ପେଟେଣ୍ଟ୍‌ ବଳରେ ନିଜ ପାଖରେ ମହଜୁଦ କରି ରଖିଛନ୍ତି। ବର୍ତ୍ତମାନ ଦେଖା ଦେଇଥିବା ଜରୁରୀକାଳୀନ ଅବସ୍ଥାର ମୁକାବିଲା ପାଇଁ ପାରମ୍ପରିକ ବୌଦ୍ଧିକ ସମ୍ପତ୍ତି ଅଧିକାର ସୁରକ୍ଷା ବ୍ୟବସ୍ଥାକୁ ହୁଗୁଳା କରି ଟିକା ତିଆରି ପାଇଁ ସକ୍ଷମ ବହୁ ସ˚ଖ୍ୟକ କମ୍ପାନିମାନଙ୍କୁ ଉପଲବ୍‌ଧ ଜ୍ଞାନ କୌଶଳ ବିତରଣ କରାଯିବା ଆବଶ୍ୟକ।

ଯେଉଁ ଔଷଧ କମ୍ପାନିମାନେ ଏହି ଜ୍ଞାନକୌଶଳକୁ ଜାବୁଡ଼ି ଧରି ବସିଛନ୍ତି, ସେମାନେ ଦାବି କରୁଛନ୍ତି ଯେ ଆଉ କାହାରିକୁ ଜ୍ଞାନକୌଶଳ ହସ୍ତାନ୍ତରିତ ନ କରି ସେମାନେ ନିଜେ ଉତ୍ପାଦନ ପରିମାଣରେ ବୃଦ୍ଧି କରି ସାରା ପୃଥିବୀର ଆବଶ୍ୟକତା ପୂରଣ କରିପାରିବେ। ଏହା କିନ୍ତୁ ବିଶ୍ବାସଯୋଗ୍ୟ ନୁହେଁ। ପୃଥିବୀର ଅନ୍ୟାନ୍ୟ ବିକାଶଶୀଳ ଦେଶମାନଙ୍କ କଥା ଛାଡ଼, ଏହି ଔଷଧ କମ୍ପାନିମାନେ ଯେଉଁ ସବୁ ଧନୀ ଦେଶମାନଙ୍କୁ ଯେଉଁ ସମୟ ମଧୢରେ ଯେତିକି ପରିମାଣର ଟିକା ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ସେମାନଙ୍କୁ ସେତିକି ଯୋଗାଇବାକୁ ମଧୢ ସମର୍ଥ ହୋଇନାହାନ୍ତି। ଉଭୟ ଆଷ୍ଟ୍ରାଜେନେକା ଓ ଜନ୍‌ସନ୍‌ ଆଣ୍ତ ଜନ୍‌ସନ୍‌ ନିଜର ଟିକା ଉତ୍ପାଦନ ବୃଦ୍ଧି କରିବା ପଥରେ ବିଭିନ୍ନ ପ୍ରତିବନ୍ଧମାନଙ୍କର ସମ୍ମୁଖୀନ ହେବା ଦେଖାଯାଉଛି; ତେଣୁ ସେମାନେ ଇଉରୋପ ଏବ˚ ଆମେରିକାକୁ ଯେତିକି ପରିମାଣର ଟିକା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ, ତାହା ପୂରଣ କରିପାରୁନାହାନ୍ତି। ଫାଇଜର ଓ ମଡର୍ଣ୍ଣା ମୁଖ୍ୟତଃ ସେମାନଙ୍କର ଟିକା ଯୋଗାଣକୁ ଆମେରିକା ଭିତରେ ହିଁ ସୀମିତ ରଖିଛନ୍ତି।

ଏଥିରୁ ଯାହା ସାବ୍ୟସ୍ତ ହୋଇଥାଏ, ତାହା ହେଲା ଟିକା ଉତ୍ପାଦନର ବିକେନ୍ଦ୍ରୀକରଣ ଘଟାଇ ତାହାକୁ ‘ଲୋକ-ଟିକା’ରେ ପରିଣତ ନ କଲେ ଯେଉଁ କଚ୍ଛପ ଗତିରେ ଟିକାକରଣର ପ୍ରସାର ଘଟି ଚାଲିବ, ତାହା କୋଭିଡ୍‌ ଯୋଗୁଁ ଆହୁରି ନିୟୁତ ନିୟୁତ ଲୋକଙ୍କର ପ୍ରାଣହାନିର କାରଣ ହେବ। ଏହାକୁ ଦୃଷ୍ଟିରେ ରଖି ଗତ ଅକ୍‌ଟୋବରରେ ପ୍ରଥମ କରି ଭାରତ ଓ ଦକ୍ଷିଣ ଆଫ୍ରିକା ଟିକା ପେଟେଣ୍ଟ୍‌କୁ ହୁଗୁଳା କରିବା ପାଇଁ ଯେଉଁ ଆହ୍ବାନ ଦେଇଥିଲେ, ତାହା ବର୍ତ୍ତମାନ ଆମେରିକା ଓ ଇଉରୋପର କାନରେ ପଡ଼ିବା ଭଳି ମନେ ହେଉଛି। ମଇ ୫ ତାରିଖରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏଥିରେ ଆମେରିକାର ସହମତି ଘୋଷଣା କରିଛନ୍ତି ଏବ˚ ଇ.ୟୁ. କମିସନ ମୁଖ୍ୟ ଉର୍ସଲା ଭନ୍‌ ଡର ଲେୟେନ୍‌ ମଧୢ ପରେ ଅନୁରୂପ ମନୋଭାବ ପ୍ରକାଶ କରିଛନ୍ତି। ଆଶା ବିଶ୍ବ ବାଣିଜ୍ୟ ସ˚ଗଠନ ଏଥର ଆବଶ୍ୟକ ପଦକ୍ଷେପ ନେଇ ଏକ ଲୋକ-ଟିକା ସ୍ବପ୍ନକୁ ସାକର କରିବ।

ସମ୍ବନ୍ଧିତ ଖବର