େଖଳପଡ଼ିଆରେ ଉଷାଙ୍କୁ କେବଳ ମହିଳା ପ୍ରତିଦ୍ବନ୍ଦ୍ବୀମାନଙ୍କର ସମ୍ମୁଖୀନ ହେବାକୁ ପଡୁଥିଲା- ଅର୍ଥାତ୍ ଜନସଂଖ୍ୟାର ଅର୍ଦ୍ଧେକ ହୋଇଥିବା ପୁରୁଷମାନଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡୁନଥିଲା। ‘ଆଇଓଏ’ର ସଭାପତି ରୂପେ ଖେଳ ପ୍ରଶାସନ ରୂପକ ବିପଦସଂକୁଳ ପଡ଼ିଆରେ ତାଙ୍କୁ ସେ ବିଶେଷ ବିଳାସ ଆଉ ଉପଲବ୍ଧ ହେବ ନାହିଁ। ଆମେ କିନ୍ତୁ ନିଶ୍ଚିତ ଯେ ଏଠାରେ ମଧ୍ୟ କୌଣସି ପ୍ରତିବନ୍ଧ ‘ପାୟୋଲି ଏକ୍ସପ୍ରେସ’ଙ୍କୁ ତାଙ୍କର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରୁ ଅଟକାଇ ପାରିବ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ବୃତ୍ତିଗତ ଜଗତରେ କି˚ବଦନ୍ତିମୂଳକ ସଫଳତା ହାସଲ କରିଥିବା ସେରିଲ୍ ସ୍ୟାଣ୍ଡ୍ବର୍ଗ (ଅଳ୍ପଦିନ ତଳ ପର୍ଯ୍ୟନ୍ତ ‘ଫେସ୍ବୁକ୍’ର ଚିଫ୍ ଅପରେଟିଙ୍ଗ୍ ଅଫିସର୍ ଥିଲେ)ଙ୍କର ଅନ୍ୟ ଏକ ସୁବିଦିତ ପରିଚୟ ହେଉଛି ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ମନୋବଳ ବୃଦ୍ଧିକାରକ ପ୍ରସିଦ୍ଧ ପୁସ୍ତକ ‘ଲିନ୍ ଇନ୍’ର ଲେଖିକା ଭାବରେ। ଏକ ପୁରୁଷ-ପ୍ରଧାନ ଦୁନିଆରେ ମହିଳାମାନେ ପଛଘୁଞ୍ଚା ନ ଦେଇ ଅଧିକ ଦାୟିତ୍ବ ନେବା ପାଇଁ ଆଗେଇ ଆସିବା ପାଇଁ ସେ ଦେଇଥିବା ଆହ୍ବାନ ହେଉଛି ସ୍ୟାଣ୍ଡ୍ବର୍ଗଙ୍କର ଏହି ପୁସ୍ତକ ବହନ କରିଥିବା ମୁଖ୍ୟ ସନ୍ଦେଶ। ସେଇ ପୁସ୍ତକରେ ଠାଏ ସାଣ୍ଡ୍ବର୍ଗ ଆମେରିକାର ଆଉ ଜଣେ କି˚ବଦନ୍ତି ପୁରୁଷଙ୍କ ସମ୍ବନ୍ଧରେ ଏକ ରୋଚକ କାହାଣୀର ଉଲ୍ଲେଖ କରିଛନ୍ତି, ଯାହା ତାଙ୍କ ପୁସ୍ତକର ଆହ୍ବାନକୁ ପରିପୁଷ୍ଟ କରିଥାଏ। ଏହି ସୁପରିଚିତ ବର୍ଷୀୟାନ କି˚ବଦନ୍ତି ଜଣକ ହେଉଛନ୍ତି ପୃଥିବୀର ସଫଳତମ ନିବେଶକ, ସର୍ବଶ୍ରେଷ୍ଠ ଧନୀକ ଓ ସର୍ବାଧିକ ବଦାନ୍ୟ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ୟତମ ରୂପେ ପ୍ରସିଦ୍ଧ ୱାରେନ୍ ବଫେଟ୍। େସଥିରେ ସ୍ୟାଣ୍ଡ୍ବର୍ଗ ଲେଖିଛନ୍ତି ବଫେଟ୍ ତାଙ୍କୁ ଥରେ କହିଥିଲେ ଯେ ‘‘ତାଙ୍କର ପ୍ରସିଦ୍ଧ ସଫଳତାର ଅନ୍ୟତମ କାରଣ ହେଲା ଏହା ଯେ ତାଙ୍କୁ ଜନସଂଖ୍ୟାର ମାତ୍ର ଅର୍ଦ୍ଧେକଙ୍କ ସହିତ ପ୍ରତିେଯାଗିତା କରିବାକୁ ପଡୁଥିଲା’’। ପରେ ‘ଫର୍ଚୁନ୍’ ପତ୍ରିକାରେ ପ୍ରକାଶିତ ନିଜର ଏକ ଲେଖାରେ ଖୋଦ୍ ବଫେଟ୍ ତାଙ୍କ ସମ୍ବନ୍ଧରେ ସ୍ୟାଣ୍ଡ୍ବର୍ଗ ପ୍ରକାଶ କରିଥିବା ଏହି ସୂଚନାକୁ ସ୍ବୀକୃତି ପ୍ରଦାନ କରିଥିଲେ।
ଏବେ ଭାରତର ପ୍ରସିଦ୍ଧତମା ମହିଳା କ୍ରୀଡ଼ାବିତ୍ ପି ଟି ଉଷା ଭାରତର ଶୀର୍ଷ କ୍ରୀଡ଼ା ନିୟନ୍ତ୍ରକ ସଂସ୍ଥା ‘ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନ୍’ (‘ଆଇଓଏ’)ର ସଭାପତି ରୂପେ ଅପ୍ରତିଦ୍ବନ୍ଦ୍ବୀ ଭାବରେ ନିର୍ବାଚିତ ହେବା ପରେ ଉଭୟ ସ୍ୟାଣ୍ଡବର୍ଗ୍ଙ୍କର ଆହ୍ବାନ ଓ ବଫେଟ୍ଙ୍କ ସ୍ବୀକାରୋକ୍ତି ସେଥିପ୍ରତି ସବୁମନ୍ତେ ପ୍ରଯୁଜ୍ୟ ହେବା ଭଳି ମନେ ହୋଇଥାଏ। ବଫେଟ୍ଙ୍କ ସ୍ବୀକାରୋକ୍ତିର ମର୍ମ ଥିଲା ଏହା ଯେ ଜନସଂଖ୍ୟାର ଅର୍ଦ୍ଧେକ ହୋଇଥିବା ମହିଳାମାନେ ଯେହେତୁ ବଫେଟ୍ଙ୍କ ଦୁନିଆ-ବିତ୍ତୀୟ ନିବେଶ-ରେ ପ୍ରବେଶ କରୁନଥିଲେ, ତେଣୁ ତାଙ୍କର ପ୍ରତିଦ୍ବନ୍ଦ୍ବୀମାନଙ୍କର ସଂଖ୍ୟା ଆପେ ଅଧା ହୋଇଯାଇଥିଲା ଓ ତାଙ୍କର ଜୟଲାଭ ସହଜସାଧ୍ୟ ହୋଇଯାଇଥିଲା। ଯଦି ମହିଳାମାନେ ତାଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିବାକୁ ଆଗେଇ ଆସିଥାନ୍ତେ, ତେବେ ଆଜି ବଫେଟ୍ ଯେଉଁ ଆସନ ଅଧିକାର କରିଛନ୍ତି, ହୁଏତ କୌଣସି ଜଣେ ବିଚକ୍ଷଣା ମହିଳା ନିବେଶିକା ଆଜି ସେ ଆସନରେ ଅଧିଷ୍ଠିତ ହୋଇଥାନ୍ତେ। ଠିକ୍ ଯେମିତି ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନ୍ର ୯୫ ବର୍ଷର ଦୀର୍ଘ ଇତିହାସରେ ଏବେ ଘଟିଛି। ଏପର୍ଯ୍ୟନ୍ତ କେବଳ ପୁରୁଷମାନେ ହିଁ ଏହାର ସଭାପତି ପଦ ଦଖଲ କରି ଆସିଥିବା ଏହି କ୍ରୀଡ଼ା ସଂଗଠନରେ ବର୍ତ୍ତମାନ ଉଷା ଧସେଇ ପଶି ସେହି ପରମ୍ପରାରେ ଅନ୍ତ ଘଟାଇଛନ୍ତି। ବଫେଟ୍ ତାଙ୍କର ନିଜ ପରିପ୍ରେକ୍ଷୀରେ କହିଥିବା ଭଳି ହୁଏତ ଏହାର କାରଣ ହୋଇପାରେ ‘ଆଇଓଏ’ର ସଭାପତି ପଦ ପାଇଁ ଏ ପର୍ଯ୍ୟନ୍ତ କେହି ମହିଳା ପ୍ରତିଦ୍ବନ୍ଦ୍ବିତା କରିନଥିବା ଯୋଗୁଁ ତାହା ପୁରୁଷଙ୍କ ଦଖଲରେ ରହି ଆସିଥିଲା। ଯେତେବେଳେ ପି ଟି ଉଷାଙ୍କ ରୂପରେ ଜଣେ ମହିଳା ରଣକ୍ଷେତ୍ରରେ ଆବିର୍ଭୂତ ହେଲେ, ପୁରୁଷମାନେ ଏଭଳି ଛତ୍ରଭଙ୍ଗ ଦେଲେ ଯେ ଉଷା ନିର୍ବିରୋଧ ଭାବରେ ଜୟ ଲାଭ କଲେ।
ସେପ୍ଟେମ୍ବରରେ ‘ଆଇଓଏ’ ତା’ର ପ୍ରଶାସନିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଅନ୍ତିମ ଚେତାବନୀ ଲାଭ କରିଥିଲା, ନଚେତ୍ ନିଲମ୍ବନ ପାଇଁ ପ୍ରସ୍ତୁତ ହେବା ଛଡ଼ା ଅନ୍ୟ ବିକଳ୍ପ ନ ଥିଲା। ଏଥିପାଇଁ ସାଂଗଠନିକ ନିର୍ବାଚନ ସମାପ୍ତ କରିବାକୁ ‘ଇଣ୍ଟର ନେସନାଲ୍ ଅଲିମ୍ପିକ୍ କମିଟି’ (‘ଆଇଓସି’) ‘ଆଇଓଏ’କୁ ଡିସେମ୍ବର ପର୍ଯ୍ୟନ୍ତ ସର୍ବଶେଷ ସମୟ ପ୍ରଦାନ କରିଥିଲା। ଏହି ନିର୍ଦ୍ଦେଶର ପାଳନ ସ୍ବରୂପ ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ଡିସେମ୍ବର ୧୦ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ଏହାର ଅଂଶ ସ୍ବରୂପ ନାମାଙ୍କନ ପତ୍ର ଦାଖଲ ନିମିତ୍ତ ଶେଷ ତାରିଖ ଥିଲା ନଭେମ୍ବର ୨୭ ରବିବାର। ସେଦିନ ସୁଦ୍ଧା ସଭାପତି ପଦ ପାଇଁ କେବଳ ପି ଟି ଉଷା ଏକମାତ୍ର ପ୍ରାର୍ଥୀ ରୂପେ ନାମାଙ୍କନ ଦାଖଲ କରିଥିବାରୁ, ବସ୍ତୁତଃ ସେ ସଭାପତି ପଦ ଲାଭ କରିଛନ୍ତି। ଭାରତରେ ବିଭିନ୍ନ କ୍ରୀଡ଼ା ସଂଗଠନମାନ ପ୍ରଭାବଶାଳୀ ରାଜନେତା କିମ୍ବା ସେମାନଙ୍କର ପୃଷ୍ଠପୋଷକତା ଉପଭୋଗ କରୁଥିବା ପ୍ରଶାସକମାନଙ୍କର କ୍ରୀଡ଼ାକ୍ଷେତ୍ର ରୂପେ କୁଖ୍ୟାତ। ପି ଟି ଉଷା ‘ଆଇଓଏ’ ଭଳି ସର୍ବୋଚ୍ଚ କ୍ରୀଡ଼ା ସଂଗଠନର ସଭାପତି ପଦ ମଣ୍ଡନ କରିବାରେ କେବଳ ପ୍ରଥମ ମହିଳା ନୁହଁନ୍ତି, ସେ ମଧ୍ୟ ହେଉଛନ୍ତି ପ୍ରଥମ ଅଲିମ୍ପିଆନ୍ ଓ ପ୍ରଥମ ଆନ୍ତର୍ଜାତିକ ପଦକ ବିଜେତା ମଧ୍ୟ। ଏସିଆନ୍ ଗେମ୍ସରେ ଚାରିଥର ଚାମ୍ପିଅନ୍ ହୋଇଥିବା ଉଷା ମଧ୍ୟ ହେଉଛନ୍ତି ଜଣେ ରାଜ୍ୟସଭା ସାଂସଦ। କ୍ରୀଡ଼ାବିତ୍ମାନେ ହିଁ କ୍ରୀଡ଼ା ସଂଗଠନମାନଙ୍କରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବା ନିମିତ୍ତ ନ୍ୟାୟପାଳିକା ସର୍ବଦା ଗୁରୁତ୍ବ ପ୍ରଦାନ କରି ଚାଲିଛି। ‘ଆଇଓସି’ର ସନନ୍ଦ ତଥା ‘ଜାତୀୟ କ୍ରୀଡ଼ା ବିଧି’ (‘ନେସନାଲ୍ ସ୍ପୋର୍ଟ୍ସ କୋଡ୍) ମଧ୍ୟ ଅନୁରୂପ ଆଭିମୁଖ୍ୟ ବହନ କରିଥାନ୍ତି।
ବର୍ତ୍ତମାନ ‘ଆଇଓଏ’ର ନିର୍ବାଚନ ପରିଚାଳନା ଦାୟିତ୍ବ ଗ୍ରହଣ କରିଛନ୍ତି ଜଣେ ଅବସରପ୍ରାପ୍ତ ସୁପ୍ରିମ୍ କୋର୍ଟ ବିଚାରପତି- ଏଲ୍ ନାଗେଶ୍ବର ରାଓ। ଏଥିପାଇଁ ସେ ‘ଆଇଓଏ’ର ଏକ ନୂତନ ସଂବିଧାନ ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏହା ଅନୁସାରେ ଯେଉଁ ୭୭ ଜଣ ସଦସ୍ୟ ବିଶିଷ୍ଟ ଇଲେକ୍ଟୋରାଲ୍ କଲେଜ ଗଠନ କରାଯାଇଛି, ସେଥିରେ ପ୍ରାୟ ଏକ ଚତୁର୍ଥାଂଶ ହେଉଛନ୍ତି ପୂର୍ବତନ କ୍ରୀଡ଼ାବିତ୍ ଏବଂ ଅର୍ଦ୍ଧାଧିକ ହେଉଛନ୍ତି ମହିଳା (୩୯ ଜଣ); ପୁରୁଷଙ୍କ ସଂଖ୍ୟା ୩୮ ଜଣ। ପି ଟି ଉଷାଙ୍କ ସମେତ ଆଠଜଣ ଅତୀବ ସୁଯୋଗ୍ୟ କ୍ରୀଡ଼ାବିତ୍ (‘ସ୍ପୋର୍ଟ୍ସପର୍ସନ୍ସ ଅଫ୍ ଆଉଟ୍ଷ୍ଟାଣ୍ଡିଙ୍ଗ୍ ମେରିଟ୍’)ଙ୍କୁ ଇଲେକ୍ଟୋରାଲ୍ କଲେଜରେ ଅନ୍ତର୍ଭୁକ୍ତ କରାଯାଇ କ୍ରୀଡ଼ା ପରିଚାଳନାରେ କ୍ରୀଡ଼ାବିତ୍ମାନଙ୍କ ପାଇଁ ଉପଯୁକ୍ତ ସ୍ଥାନ ନିଶ୍ଚିତ କରାଯିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ନିକଟରେ ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ରୂପେ କିମ୍ବା ଫୁଟ୍ବଲ୍ ତାରକା କଲ୍ୟାଣ ଚୌବେ ଅଲ୍ ଇଣ୍ଡିଆ ଫୁଟ୍ବଲ୍ ଫେେଡରେସନ୍ର ସଭାପତି ରୂପେ ନିର୍ବାଚିତ ହେବା ଏହି ଧାରାକୁ ପରିପୁଷ୍ଟ କରୁଥିବା ଘଟଣା ନିଶ୍ଚୟ। ତେବେ ପି ଟି ଉଷା ସେରିଲ୍ ସ୍ୟାଣ୍ଡ୍ବର୍ଗଙ୍କ ଆହ୍ବାନକୁ ସାକାର କଲା ଭଳି ଏକ ନୂତନ କ୍ଷେତ୍ରରେ ଦାୟିତ୍ବ ଗ୍ରହଣ କରିବାକୁ ଆଗେଇ ଆସିଛନ୍ତି ସତ, କିନ୍ତୁ ତାଙ୍କୁ ମଧ୍ୟ ବଫେଟ୍ଙ୍କ ମନ୍ତବ୍ୟର ଅନ୍ୟ ଏକ ତାତ୍ପର୍ଯ୍ୟ ମନେ ରଖି କାର୍ଯ୍ୟ କରିବାକୁ ପଡ଼ିବ। େଖଳପଡ଼ିଆରେ ଉଷାଙ୍କୁ କେବଳ ମହିଳା ପ୍ରତିଦ୍ବନ୍ଦ୍ବୀମାନଙ୍କର ସମ୍ମୁଖୀନ ହେବାକୁ ପଡୁଥିଲା- ଅର୍ଥାତ୍ ଜନସଂଖ୍ୟାର ଅର୍ଦ୍ଧେକ ହୋଇଥିବା ପୁରୁଷମାନଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡୁନଥିଲା। ‘ଆଇଓଏ’ର ସଭାପତି ରୂପେ ଖେଳ ପ୍ରଶାସନ ରୂପକ ବିପଦସଂକୁଳ ପଡ଼ିଆରେ ତାଙ୍କୁ ସେ ବିଶେଷ ବିଳାସ ଆଉ ଉପଲବ୍ଧ ହେବ ନାହିଁ। ଆମେ କିନ୍ତୁ ନିଶ୍ଚିତ ଯେ ଏଠାରେ ମଧ୍ୟ କୌଣସି ପ୍ରତିବନ୍ଧ ‘ପାୟୋଲି ଏକ୍ସପ୍ରେସ’ଙ୍କୁ ତାଙ୍କର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରୁ ଅଟକାଇ ପାରିବ ନାହିଁ।