ମଣିଷ ଦେହର ଅଭ୍ୟନ୍ତରରେ ବିଭିନ୍ନ ରସ ଆପେ ନିର୍ଗତ ହୋଇ ଶରୀରକୁ ନିୟନ୍ତ୍ରିତ କରେ। ଜୈବିକ ଦୃଷ୍ଟିରୁ ଡାକ୍ତରମାନେ ସେ ସବୁ କ୍ଷରଣର ଦିଗଗୁଡ଼ିକ ଅନୁଧୢାନ କରି ବିଭିନ୍ନ ରୋଗର ନିଦାନ ଓ ସମାଧାନ କରନ୍ତି। ହେଲେ ଦୁଇଟି ରସ ଦେହ ଭିତରେ କ୍ଷରିତ ହେଉଥିଲେ ବି ଡାକ୍ତରମାନେ ବା ବୈଦ୍ୟଗଣ ତା’ର ଟେର‌୍‌ ପାଆନ୍ତି ନାହିଁ। ସେ ଦୁଇଟି ହେଲା ‘‘ଜ୍ଞାନ ରସ’’ ଓ ‘‘ଭକ୍ତି ରସ’’। ମାନବିକ ଉତ୍କର୍ଷର ଅଲୌକିକ ସିଦ୍ଧାନ୍ତଗୁଡ଼ିକ ଏ ଦୁଇ ରସକୁ ନେଇ। ଇନ୍‌ସୁଲିନ୍‌ ନ ଝରିଲେ ସେ ରସକୁ ଡାକ୍ତରମାନେ ଶରୀରରେ ପ୍ରବେଶ କରାଇ ପାରିବେ। ଥାଇରଏଡ୍‌ ଝରଣର ଅନିୟମିତତାକୁ ରୋକି ପାରିବେ ମାତ୍ର ସାରା ବିଶ୍ବରେ ଏମିତି କେହି ଭେଷଜବିତ୍‌ ନାହାନ୍ତି ଯେ କି ଜ୍ଞାନ ରସ ଓ ଭକ୍ତି ରସକୁ ରାସାୟନିକ ଭାବେ କାହା ଭିତରେ ପୂରେଇ ପାରିବେ ବା ଅଧିକ ହେଲା ବୋଲି କହି କମେଇ ଦେଇପାରିବେ।

Advertisment

ଆତ୍ମିକ ସାଧନା ବଳରେ ଜ୍ଞାନ ରସ ଓ ଭକ୍ତି ରସ ହାସଲ କରିବାକୁ ହୁଏ। ଏ ସାଧନା ଐକାନ୍ତିକ ସାଧନା। ସେଥିରେ ପୁଣି ଯଦି ଦୁଇ ରସ ଭିତରେ ତୁଳନା କରାଯାଏ ତେବେ କାଳେ କାଳେ ଜ୍ଞାନ ରସ ଠାରୁ ଭକ୍ତି ରସ ମହନୀୟ ପ୍ରତିପାଦିତ ହୋଇଛି। ଜ୍ଞାନ ରସ ହୁଏତ ସାମାଜିକ କ୍ଷତି ସାଧନର କାରଣ ହୋଇପାରେ ମାତ୍ର ଭକ୍ତି ରସ ସବୁବେଳେ ବ୍ୟକ୍ତିଗତ ତଥା ସାମୂହିକ ହିତ ସାଧନର ଆଧାର ହୋଇ ଆସିଛି। ପୁରାଣ କାହାଣୀମାନଙ୍କରେ ଅସୁରମାନେ ସବୁବେଳେ ଜ୍ଞାନ ହାସଲ ପାଇଁ ତପସ୍ୟା କରିବାର ବର୍ଣ୍ଣନା ଅଛି ମାତ୍ର ଭକ୍ତି ହାସଲ ପାଇଁ ସେମାନଙ୍କର ସାଧନା ନ ଥାଏ। ପ୍ରାୟତଃ ଶ୍ରେଷ୍ଠ ଅସୁରମାନେ ଜ୍ଞାନୀ ଅଥଚ ଭକ୍ତ ନୁହନ୍ତି। ଅତଏବ ଭକ୍ତି ହିଁ ଜ୍ଞାନଠାରୁ ଅଧିକ ଶ୍ଳାଘ୍ୟ। ଏଠାରେ ଭକ୍ତି କହିଲେ କେବଳ ଈଶ୍ବରଙ୍କ ପ୍ରତି ଭକ୍ତି କଥା କୁହାଯାଉ ନାହିଁ। ପୃଥିବୀର ମାଟି, ପାଣି, ପବନ, ଆକାଶ, ଶକ୍ତି ପ୍ରତି ଭକ୍ତିଭାବ ବି ସମସ୍ତଙ୍କ ଲାଗି ସ୍ପୃହଣୀୟ ଓ ସମସ୍ତଙ୍କର କାମ୍ୟ।
ଭକ୍ତିର ଅର୍ଥ, ବିନା ପ୍ରଶ୍ନରେ ସମର୍ପଣ। ପ୍ରଶ୍ନ ପଚାରି ଉତ୍ତର ପାଇ ଯେଉଁ ସମର୍ପଣ ଭାବ ପ୍ରକାଶ ପାଏ ତା’ଠାରୁ ବିନା ପ୍ରଶ୍ନର ସମର୍ପଣ ଅନ୍ତରୀଣ ଭାବେ ଅମୂଲ୍ୟ ଓ ଅପୂର୍ବ। ଏହା ଠିକ୍‌ କାହାଙ୍କୁ ଦେଖୁ ଦେଖୁ ତାଙ୍କ ପ୍ରେମରେ ପଡ଼ିବା ପରି। ଆମେ ଯେ କ୍ଷେତ, ବୃକ୍ଷ, ଗାଈଗୋରୁ, ନଦୀକୁ ପୂଜା କରୁ ସେଥିରେ ଏଇ ପ୍ରଶ୍ନ-ରହିତ ଭକ୍ତିଭାବ ହିଁ ପ୍ରକଟିତ। ଭକ୍ତିର ମୂଳ ଆଧାର ହେଉଛି କୃତଜ୍ଞତା।

ଏଇଭଳି ଏକ ପୃଷ୍ଠପଟରୁ ଆମେ ଏବେ ଦେଶ କଥାକୁ ଆସିବା। ଆଜି ସିନା ଆମେ ଦେଶ ବା ନେସନ୍‌ କଥା କହୁଛେ ହେଲେ ରାଜା ଶାସିତ ହୋଇ ରହୁଥିବାରୁ ଦୀର୍ଘକାଳ ଧରି ମନୁଷ୍ୟମାନଙ୍କର ବାସ ଓ ଶାସନ ଭୂମି ରାଜ୍ୟ ହିଁ ଥିଲା। ସେତେବେଳର ରାଜ୍ୟ ଓ ଆଜି କାଲିର ରାଷ୍ଟ୍ର ଭିତରେ ଗୋଟିଏ ଫରକ ଯେ ତାହାଥିଲା ଜଣେ ବ୍ୟକ୍ତିର ଶାସନାଧୀନ ଏବେ ସେଇ ଏକା କଥାର ମୂଳ ବଦଳେଇ କୁହାଯାଉଛି ପ୍ରତିନିଧିମୂଳକ ଶାସନ। କିନ୍ତୁ ବିଶ୍ବ ସାରା ବର୍ତ୍ତମାନ ବହୁଳା˚ଶରେ ଏ ଶାସନ ବ୍ୟକ୍ତି-ଆଧାରିତ। ଗୋଟିଏ ପଟେ ନିଜର ଭୂମି ପ୍ରତି କୃତଜ୍ଞତା ଓ ଅନ୍ୟପଟେ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ତାଙ୍କ ଦଳ ପ୍ରତି ଆନୁଗତ୍ୟ ହିଁ ଶାସନର ମୂଳକଥା ପାଲଟୁଛି। ଆମେ କହୁ ଭାରତରେ ବିଦେଶୀମାନେ ଆସି ଅନେକ ଦିନ ଧରି ଶାସନ କରୁଥିଲେ। ଏ ଶାସନ ଜନସାଧାରଣଙ୍କର ଶାସନ ପ୍ରତି ଭୟ କାରଣରୁ ଚାଲିଥିଲା ନା ନିସ୍ପୃହତା କାରଣରୁ ସମ୍ଭବ ହୋଇଥିଲା? ଭିତରେଇ ଦେଖିଲେ ଜଣାପଡ଼ିବ ଯେ ନିଜର ମାଟି ପ୍ରତି ପ୍ରଚୁର ମମତା ହିଁ ମୂଳ ଥିଲା ସେତେବେଳକା ଜନସାଧାରଣଙ୍କର। ଶାସକ ଯିଏ ହେଉ, ସି˚ହାସନରେ ଯିଏ ବସୁ ହେଲେ ଆମ ମାଟି, ପରମ୍ପରା ଓ ସ˚ସ୍କୃତି ଆମର। ସେଇଥିପାଇଁ ଯେବେ ଯେବେ ଆକ୍ରମଣକାରୀ ଆସିଛନ୍ତି ସେମାନେ କିଛି ବର୍ଷ ପରେ ପଳାତକ ହିଁ ସାଜିଛନ୍ତି। ଯେଉଁମାନେ ଦୀର୍ଘବର୍ଷ ରହି ଭାରତକୁ ଶାସନ କରିଛନ୍ତି ସେମାନେ କେବଳ ଗାଦିରେ ବସିନାହାନ୍ତି, ଭାରତୀୟ ମାଟିର ସ˚ସ୍କୃତି ଓ ପରମ୍ପରାରେ ନିଜକୁ ସାମିଲ କରିଛନ୍ତି। ମୋଗଲମାନଙ୍କ ଶାସନର ସଫଳତା ବା ଦୀର୍ଘତା ପଛରେ ରହିଛି ଏଇ ମାଟିଭାବ ପ୍ରତି ସ˚ପୃକ୍ତିର ଅନେକ ଭିତିରିଆ କଥା। ନଚେତ୍‌ ଆକବରଙ୍କ ମହଲରେ ଶ୍ରୀକୃଷ୍ଣ ପୂଜା ପଶି ନ ଥାନ୍ତା କି ଆଜି ବି ଚାରମିନାର‌୍‌ ଖୁଣ୍ଟ ପାଖରେ ମନ୍ଦିର ଶୋଭା ପାଉନଥାନ୍ତା।

ଭାରତୀୟମାନେ ସବୁ ଶାସନ ସହିଥିଲେ ଆପଣା ମାଟିମୋହକୁ ଧରି। ସେଇଥିପାଇଁ ତ ବ୍ରିଟେନ୍‌ର ମହାରାଣୀଙ୍କ ଶାସନ ଆରମ୍ଭ ହେଉ ହେଉ ଘୋଷଣା ହୋଇଗଲା ଯେ ‘‘ଆମେ ତୁମ ଧର୍ମମତରେ ହସ୍ତକ୍ଷେପ କରିବୁ ନାହିଁ। ରାଜାରାଜୁଡ଼ାଙ୍କୁ ବ୍ରିଟିସ୍‌ ରାଜକୂଳର ଭାଇ ବିରାଦର ସାମନ୍ତ ଭାବରେ ବିଚାର କରିବୁ।’’ ପରେ ପରେ ଧର୍ମ ଧର୍ମ ଭିତରେ ବିରୋଧକୁ ଉସୁକାଇ ସେମାନେ ଯେ ବିଭାଜନର ବୀଜ ବପନ କଲେ ତାହାକୁ ଭାରତୀୟ ମାନସିକତା ପ୍ରତିହତ କରିପାରିଲା ନାହିଁ। ଭାରତ ଖଣ୍ତ ଖଣ୍ତ ହେଲା। ସିନ୍ଧୁ (ସିନ୍ଦ୍‌), ଗାନ୍ଧାର (କନ୍ଦାହାର), ସି˚ହଳ, ବ୍ରହ୍ମଦେଶ ଛିଣ୍ତିପିଡ଼ିଲା ଚତୁର୍ଦ୍ଦିଗରେ। ବ୍ରିଟିସ୍‌ ଶାସନର ଖଳ ଦିଗଟି ସଫଳତା ପାଇଲା। ଏବେ ମଧୢ ସେ କଥାର ତତ୍ତ୍ବ ନ ବୁଝି ଆଧୁନିକ ଭାରତର ରାଜନୈତିକ ଦଳମାନେ ପିଲାଙ୍କ ପରି ଆପଣା ଭିତରେ ଠେଲା ପେଲାରେ ମାତିଛନ୍ତି। ନୂଆ ଭାରତ-ଦେଶ ଗଠିତ ହେବାର କାରଣ ଭାବରେ ଯେଉଁମାନେ ଦଧୀଚି ସାଜିଲେ ସେମାନଙ୍କ ପ୍ରତି ଆମର ମନୋଭାବ କ’ଣ? ସେମାନଙ୍କୁ ଆମେ ଦଳ ଆଧାରରେ ବିବେଚନା କରିବା ନା ବ୍ୟକ୍ତି ଭାବରେ ସେମାନଙ୍କ ପ୍ରତି ପ୍ରଶ୍ନରହିତ ଭକ୍ତିଭାବ ପ୍ରଦର୍ଶନ କରିବା? ମଣିଷ ଭଲ କରେ, ଭେଲ କରେ। ସେଥିରୁ ଭଗବାନ ଶ୍ରୀରାମ, ଶ୍ରୀକୃଷ୍ଣ, ବୁଦ୍ଧ ସୁଦ୍ଧା ବାଦ ପଡ଼ିନାହାନ୍ତି। ମହାତ୍ମାମାନଙ୍କ ଜୀବନରେ ଯେ ସାମାଜିକ କିଛି ଭୁଲ୍‌ ଭଟକା ହୋଇନାହିଁ ସେ କଥା ନୁହେଁ। ଯେଉଁ ଧର୍ମରେ ସେ ବିଶ୍ବାସର ସ˚ସ୍ଥାପକମାନଙ୍କ ପ୍ରତି ଯେତେ ପ୍ରଶ୍ନରହିତ ଆନୁଗତ୍ୟ ସେ ଧର୍ମ ସେତେ ଭକ୍ତିଭାବ ଉଦ୍ରେକକାରୀ।
ମୁସଲମାନ୍‌ମାନେ ପୈଗମ୍ବର ମହମ୍ମଦ ବିଚ୍ଛୁରିତ କରିଯାଇଥିବା ଆଲୋକର କଥା ଆଲୋଚନା କରନ୍ତି। ବ୍ୟକ୍ତିଗତ ଜୀବନକୁ ଯାଆନ୍ତି ନାହିଁ। ଖ୍ରୀଷ୍ଟିଆନ୍‌ମାନେ ମହାତ୍ମା ଯୀଶୁଖ୍ରୀଷ୍ଟଙ୍କର ଅତୁଳନୀୟ କରୁଣା, ପ୍ରେମ ଓ ବଳିଦାନର ଅନୁଶୀଳନ କରନ୍ତି। ତାଙ୍କ ଜୀବନ ଚରିତର ଭଲମନ୍ଦ ବିଚାର କରନ୍ତି ନାହିଁ। ଶିଖ୍‌ ଧର୍ମରେ ନାନକ ଦେଇଥିବା ସମାନତା, ସମର୍ପଣ ଓ ସ˚ପୃକ୍ତି କଥାରେ ଗଦ୍‌ଗଦ୍‌ ହୁଅନ୍ତି ସେମାନେ। ନୀତି, ଆଦର୍ଶର ବିଚାର ଆଗରେ ଶୋଇବା, ଉଠିବା, ଖାଇବା, ରହିବା ଗୌଣ। ସେମାନେ ଦଧୀଚି ଭଳି ଆପଣାକୁ ଦାନ କରି ଧର୍ମମତ ଠିଆ କରାଇଛନ୍ତି। ପୃଥିବୀରେ କେତେଜଣ ଅଛନ୍ତି ଗୋଟାଏ ଧର୍ମମତକୁ ବିଶ୍ବାୟିତ କରିପାରିବେ? ବୌଦ୍ଧମାନେ ସିଦ୍ଧାର୍ଥ କାହିଁକି ରାତି ଅଧରେ ପୁତ୍ରପତ୍ନୀକୁ ଛାଡ଼ି ପଳେଇଲେ ବୋଲି ଦିନେ ପ୍ରଶ୍ନ କରନ୍ତି ନାହିଁ। ବୌଦ୍ଧଧର୍ମରେ ବୁଦ୍ଧଙ୍କର ବାଣୀ ହିଁ ମୂଳ।

ଦଧୀଚିଙ୍କ ବିଷୟକୁ ଆସିବା।
ଦଧୀଚି ଜଣେ ପୌରାଣିକ ଚରିତ୍ର। ବ୍ରହ୍ମାଣ୍ତ ପୁରାଣ ଅନୁସାରେ ସେ ମହର୍ଷି ଶୁକ୍ରାଚାର୍ଯ୍ୟଙ୍କ ପୁତ୍ର। ଋଗ୍‌ବେଦ ମତରେ ଦଧୀଚି ଅଥର୍ବାଙ୍କ ପୁତ୍ର। ଦଧୀଚିଙ୍କୁ କେଉଁ କେଉଁ ସ୍ଥାନରେ ‘‘ଦଧୢାଞ୍ଚ’’ ବା ‘‘ଦଧୢାଙ୍ଗ’’ ଭାବରେ ବର୍ଣ୍ଣନା କରାଯାଇଛି। ତାଙ୍କ ସମ୍ପକରେ ଅନେକ କାହାଣୀ ଅଛି। ତେବେ ସବୁଠାରୁ ଶ୍ରେଷ୍ଠ କଥାଟି ହେଲା ଯେ ଏକଦା ବୃତ୍ରାସୁର ନାମକ ଏକ ଅସୁର ସ୍ବର୍ଗ, ମର୍ତ୍ତ, ପାତାଳ ଥରହର କଲା। ସେ ବର ପାଇଥିଲା ଯେ କୌଣସି ଅସ୍ତ୍ର ଶସ୍ତ୍ରରେ ମରିବ ନାହିଁ। ସେତେବେଳେ ଦଧୀଚି ନିଜକୁ ଦାନ କରି ତାଙ୍କ ଅସ୍ଥିରେ ବଜ୍ର ତିଆରି କରିବା ଲାଗି ଇନ୍ଦ୍ରଙ୍କୁ ଅନୁମତି ଦେଲେ। ବଞ୍ଚି ଥାଉ ଥାଉ ନିଜ ଦେହରୁ ମା˚ସ କାଟି ଦାନ କରିଥିବା ରାଜା ଶିବିଙ୍କ ଉପାଖ୍ୟାନ ଆମେ ଶୁଣିବାକୁ ପାଉ ମାତ୍ର ନିଜର ଅସ୍ଥିକୁ ସମୂହ କଲ୍ୟାଣ ଲାଗି ସ୍ବଇଚ୍ଛାରେ ଜୀବନ ତ୍ୟାଗ କରି କେହି କାହାକୁ ଦେବା ବିରଳ ତଥା ଅଶ୍ରୁତପୂର୍ବ। ଦଧୀଚି ଉପାଖ୍ୟାନଟି ଗଣହିତ ଲାଗି ଆପଣାକୁ ଦାନ କରିବାର ଏକ ବିରଳ ଉଦାହରଣ।

ଆଜି ଯେ ଏତେ ଆକ୍ରମଣ ଓ ଶୋଷଣ ପରେ ବି ଏ ଭୂମି ତା’ର ପରିଚୟ, ପରମ୍ପରା ଓ ଅତୀତକୁ ଧରି ରହିଛି ତାହା କେତେକେତେ ଦଧୀଚିମନ୍ୟ ବ୍ୟକ୍ତି ବିଶେଷଙ୍କୁ ନେଇ। ଆମେ ଦଧୀଚିଙ୍କ କଥା କହିଲା ବେଳେ ତାଙ୍କର ସର୍ବଶ୍ରେଷ୍ଠ ଅବଦାନର କଥା କହୁ। କେଉଁଠି ଅଳମ୍ଭୁଷା ନାମ୍ନୀ ଅପ୍‌ସରାକୁ ଦେଖି ତା’ଙ୍କର ସ୍ଖଳନ ହେବା ଫଳରେ ସାରସ୍ବତ ନାମକ ପୁତ୍ରଟିଏ ଜନ୍ମ ହୋଇଥିଲା ତାହାର ବିଚାର ଆମ ପାଇଁ ନିତାନ୍ତ ଗୌଣ।

ଆଜି ଭାରତର ସର୍ବଶ୍ରେଷ୍ଠ ଆବଶ୍ୟକତା ହେଉଛି ଦେଶ ଗଠନରେ ଦଧୀଚିଙ୍କ ଭଳି ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରି ଦେଇଥିବା ମନୀଷୀଗଣଙ୍କ ପ୍ରତି କୃତଜ୍ଞତା ପ୍ରକାଶର ବେଳ। ମନେରଖିବା ଆବଶ୍ୟକ ଯେ ଏ ଦେଶ ଗଠନ ପାଇଁ ବିଭିନ୍ନ ଧର୍ମର, ବିଶ୍ବାସର, ବ˚ଶର, ସମ୍ପ୍ରଦାୟର, ରାଜନୈତିକ ଦଳର ବ୍ୟକ୍ତିମାନେ ଆତ୍ମବଳି ଦେଇଛନ୍ତି। ସେମାନେ କୌଣସି ଧର୍ମର କି ମତର ବୋଲି ନିଜକୁ ଉତ୍ସର୍ଗ କରିନାହାନ୍ତି। ଭାରତକୁ ପୁଣି ଥରେ ମୁକ୍ତ କରି ନୂଆଧାରାରେ ଗଢ଼ିବା ଲାଗି କେତେକେତେ କଷ୍ଟ ସ୍ବୀକାର କରି ଶେଷକୁ ଦେହଦାନ କରିଛନ୍ତି ସେମାନେ। ଖାଲି ଯେ ଗୁଳିରେ ମଲା ବା ଫାଶୀଖୁଣ୍ଟରେ ଝୁଲିଲା ସେ ବଳିଦାନ ଦେଲା ସେ କଥା ନୁହେଁ। ପଟେଲ, ତିଲକ୍‌, ଗୋଖଲେ, ନେହରୁ, ସୁଭାଷ ବୋଷଙ୍କ ଭଳି ବ୍ୟକ୍ତିମାନେ ଗୁଳିଚୋଟରେ ମରିନାହାନ୍ତି। ତା’ର ଅର୍ଥ ନୁହେଁ ଯେ ସେମାନଙ୍କ ତ୍ୟାଗ କିଛି କମ୍‌। ଆମେ ସେମାନଙ୍କ ବ୍ୟକ୍ତିଗତ ଜୀବନର ଛୋଟ ଛୋଟ କଥାଗୁଡ଼ିକୁ ଉଖାରି ହିମାଳୟ ଭଳି ଦେଇଥିବା ଅବଦାନଗୁଡ଼ିକୁ ଭୁଲିଯିବା ଅକୃତଜ୍ଞତା। ତାହା ଫଳରେ ଦେଶ ଜ୍ଞାନବନ୍ତ ହେବ ନାହିଁ କି ଭକ୍ତିପୁଷ୍ଟ ହୋଇପାରିବ ନାହିଁ। ପୂର୍ବରୁ କହିଲା ଭଳି ଭକ୍ତି ନ ଥିଲେ ଆମର କ’ଣ ଉପକାର ହେବ? ଅସୁର ହେବା ଆମର ଅନାବଶ୍ୟକ। ଜ୍ଞାନ ଓ ଗରିମା ବଳରେ ରାବଣ ସ୍ବର୍ଣ୍ଣଲଙ୍କା ତିଆରି କରିଥିଲା, ମାତ୍ର ହେଲା କ’ଣ? ଭକ୍ତି ନ ଥିବାରୁ ଜ୍ଞାନାନଳରେ ଆପେ ତାହା ଛାରଖାର ହୋଇଗଲା। ଅତଏବ ଦେଶ ଚାହେଁ ଉଭୟ ଜ୍ଞାନ ଓ ଭକ୍ତି। ଏବ˚ ଅଧିକ ଶ୍ରେୟ ହେଉଛି ଦେଶର ଦଧୀଚିମାନଙ୍କ ପ୍ରତି କୃତଜ୍ଞତା ଓ ଭକ୍ତିର ପ୍ରଦର୍ଶନ।

ଲାଲା ଲଜ୍‌ପତ୍‌ରାୟଙ୍କ ଠାରୁ ଆରମ୍ଭ କରି ଭଗତ ସି˚ହ, ଚନ୍ଦ୍ରଶେଖର ଆଜାଦ, ମଙ୍ଗଳ ପାଣ୍ତେ, ଖୁଦିରାମ ବୋଷ ଆଦି ଦେଶର ଅସ୍ମିତା ପାଇଁ ଆତ୍ମବଳି ଦେଇଛନ୍ତି। ସେମାନଙ୍କର ଦେହଦାନ କୌଣସି ସାମ୍ପ୍ରଦାୟିକ ସ୍ବାର୍ଥ ପାଇଁ ନିହିତ ନ ଥିଲା। ସମୂହ-କଲ୍ୟାଣ ପାଇଁ ଦେହଦାନ ହିଁ ପ୍ରକୃତ ଦଧୀଚି ତୁଲ୍ୟ ଅସ୍ଥିଦାନ। ଏଠାରେ ସବୁଠାରୁ ବଡ଼କଥା ହେଲା ନିଜ ଆଡୁ ସମୂହର ଉପକାର ପାଇଁ ନିଜକୁ ଉତ୍ସର୍ଗ କରିବା। ଦେଶରକ୍ଷା ଲାଗି ଦେଶସୀମାରେ ଦେହ ଦେଖାଇ ଲଢ଼େଇ କରିବା ଓ ମୃତ୍ୟୁବରଣ କରିବା ବି ଦଧୀଚି-ଅନୁରୂପ ଦାନ। ଓଡ଼ିଶାରେ କବି ସଚ୍ଚି ରାଉତରାୟ ବାଜିରାଉତ ଉପରେ କବିତା ଲେଖି ଗୁଳିଚୋଟ ଆଗରେ ଛାତି ପତେଇବା କଥା ଯେ ଲେଖିଛନ୍ତି ତାହା ଏଇ ମାନସିକତାକୁ ହିଁ ଚିତ୍ରିତ କରିଛି। ଓଡ଼ିଶା କଥା କହିଲାବେଳେ ଏଠାରେ ଆଉ ଗୋଟିଏ ପ୍ରସଙ୍ଗ ମନକୁ ଆସୁଛି। ଅନେକଙ୍କର ଧାରଣା ଜୟୀ ରାଜଗୁରୁ, ବକ୍‌ସି ଜଗବନ୍ଧୁ, ସୁରେନ୍ଦ୍ର ସାଏ ଆଦି ଯେଉଁ ବଳିଦାନ ଦେଇଥିଲେ ତାହା ତାଙ୍କର ସୀମିତ ମାଟି ପାଇଁ। ମନେ ରଖିବା ଦରକାର ଯେ ଯୋଗ କଲାବେଳେ କେହି କୌଣସି ନିର୍ଦ୍ଦିଷ୍ଟ ଅଙ୍ଗ ପାଇଁ ପ୍ରାଣାୟମ ବା ଯୋଗସାଧନ କରନ୍ତି ନାହିଁ। ଯୋଗ ସମ୍ପୂର୍ଣ୍ଣ ଶରୀରର କଲ୍ୟାଣ ପାଇଁ ହିଁ କରାଯାଏ। ତେଣୁ ବିଦେଶୀ ବିରୋଧରେ ସ୍ବାଧୀନତା ପାଇଁ ପ୍ରତିଟି ଲଢ଼େଇ ଦେଶଭକ୍ତିର ପରିଚାୟକ।

ଯେତେ ତ୍ୟାଗ ସେତେ ବଳିଦାନ। କେହି କେହି ନେହରୁଙ୍କ ସମ୍ପର୍କରେ ସଙ୍କୁଚିତ କଟୁ ମନ୍ତବ୍ୟ କରନ୍ତି ମାତ୍ର ଭୁଲିଯାଆନ୍ତି ଯେ ସେ ହିଁ ଭାରତର ସମସ୍ତ ସ୍ବାଧୀନତା ସ˚ଗ୍ରାମୀଙ୍କ ଭିତରେ ସବୁଠାରୁ ଅଧିକ ନଅବର୍ଷର ଅବଧି ଜେଲଖାନାରେ ବନ୍ଦୀ ଜୀବନ କଟାଇଛନ୍ତି। କାହାକୁ ଛୋଟ କଲେ ଆଉ କେହି ଆପେ ବଡ଼ ହୁଅନ୍ତି ନାହିଁ। ଗୋପବନ୍ଧୁ ଭାରତ ପାଇଁ ଲଢ଼ିନାହାନ୍ତି ବୋଲି ସଙ୍କୁଚିତ ମତଧାରୀମାନେ କହନ୍ତି, ଥଟ୍ଟା କରି କହନ୍ତି ସେ ଉପକୂଳମଣି। ହେଲେ ତାଙ୍କର ତ୍ୟାଗ ଆଗରେ ଅନେକ ମ୍ଳାନ ପଡ଼ିଯାଆନ୍ତି।
ତ୍ୟାଗ ହିଁ ମଣିଷକୁ ମହନୀୟ କରେ। ଉତ୍କଳଗୌରବ ମଧୁସୂଦନ କାହାକୁ ଜୀବନରେ ମାଗି ନାହାନ୍ତି କି କୌଣସି ମକଦ୍ଦମା ଲାଗି ଗରିବ ଠାରୁ ଦେୟ ଆଶା କରିନାହାନ୍ତି। ଜଣେ ରାଜାଠାରୁ ଅଧିକ ଥିଲା ତା’ଙ୍କ ରୋଜଗାର। ମାତ୍ର ଜାତିଗଠନ ଲାଗି ତାଙ୍କର ସର୍ବସ୍ବଦାନ ବିଶ୍ବ ଇତିହାସରେ ସୁଦ୍ଧା ବିରଳ। ମରିବାବେଳକୁ ସେ କପର୍ଦ୍ଦକଶୂନ୍ୟ। କାହାକୁ କ’ଣ ନଳକୂଅଟିଏ ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ। ମୃତ୍ୟୁଶଯ୍ୟାରେ ଥାଇ କିଛି ବାକିଆ ପାଉଣା ପାଉ ପାଉ ସେ ତାହାକୁ ବି ଦାନ କରିଥିଲେ। ଓଡ଼ିଶାର ଅସଲ ଦଧୀଚି ମଧୁସୂଦନ ଦାସ।

ଗାନ୍ଧୀଜୀଙ୍କର ରୋଜଗାର ଦକ୍ଷିଣ ଆଫ୍ରିକାରେ ବେଶ୍‌ ସ୍ବଚ୍ଛଳ ହୋଇପାରିଥିଲା। ସାରାଜୀବନ ସେ ନିଜକୁ ଗଣହିତ ପାଇଁ ଦାନ କରିଦେଇଗଲେ। ଯେ ତାଙ୍କୁ ମାରିଲେ ସେ ଆପଣା ସଙ୍କୁଚିତ ବିଶ୍ବାସ ପାଇଁ ମାରିଲେ ମାତ୍ର ସେ ମଲେ ସମୂହ ବିଶ୍ବାସ ପାଇଁ। ଭାରତର ବିକାଶ ଆଜି ତା’ର ଭକ୍ତିଭାବରେ ନିର୍ଭରଶୀଳ। ଭକ୍ତି ନ ଥିଲେ ଜ୍ଞାନ ଆପେ ଆସୁରିକ ହୁଏ। ଅତଏବ କହିବାର ଅଛି, ଦେଶ ପାଇଁ ଦଧୀଚି ପାଲଟିଥିବା ସମସ୍ତଙ୍କ ଲାଗି ସମୂହ ଭାବରେ ଭକ୍ତିଭାବ ପ୍ରଦର୍ଶିତ ହେଉ। କାହା ଜୀବନର କ୍ଷୁଦ୍ରା˚ଶକୁ ଉଖାରି ତାଙ୍କ ଉଜ୍ଜ୍ବଳ ଅବଦାନକୁ କଳଙ୍କିତ କରାନଯାଉ।
[email protected]