ବେକରେ ବେଲ୍‌ଟ

ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହେବା ପର ଠାରୁ ବିଭିନ୍ନ ସମୟରେ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ୍‌ଙ୍କ ସହିତ ବ୍ୟକ୍ତିଗତ ବନ୍ଧୁତା ସ୍ଥାପନ ପାଇଁ କୌଣସି ସୁଯୋଗ ହାତଛଡ଼ା କରି ନ ଥିଲେ। ଗୁଜରାଟରେ ଏକତ୍ର ଦୋଳିରେ ଝୁଲିବାରୁ ଆରମ୍ଭ କରି, ତାମିଲନାଡ଼ୁର ବେଳାଭୂମିରେ ଭ୍ରମଣରୁ ଉହାନ୍‌ରେ ଏକତ୍ର ଅବସର ବିନୋଦନ ପର୍ଯ୍ୟନ୍ତ ଥିଲା ଏହି ଉଦ୍ୟମର ଦୃଶ୍ୟମାନ ପ୍ରମାଣ ମାନ। ଏଥି ସତ୍ତ୍ବେ ସି ଜିନ୍‌ ପିଙ୍ଗ୍‌ କାହିଁକି କଣ୍ଟାବାଡ଼ରେ ଲୁଗା ପକାଇଲା ଭଳି ଭାରତ ସହିତ ଅକାରଣେ ଝଗଡ଼ା କରିବାକୁ ଚାହିଁଲେ, ତାହା ଅନେକଙ୍କୁ ଏବେ ବି ଏକ ଅସମାହିତ ପ୍ରଶ୍ନ ଭଳି ମନେ ହୋଇଥାଏ।

ଏହାର ସ˚କ୍ଷିପ୍ତ, ଏକପଦୀ ଉତ୍ତର ବୋଧହୁଏ ହେଉଛି ‘ବେଲ୍‌ଟ ଆଣ୍ତ୍‌ ରୋଡ୍‌ ଇନିସିଏଟିଭ୍‌’ (‘ବିଆର‌୍‌ଆଇ’), ଯାହା ପ୍ରଥମେ ‘ଵାନ୍‌ ବେଲ୍‌ଟ, ଵାନ୍‌ ରୋଡ୍‌’ (‘ଓବର‌୍‌’) ନାମରେ ପରିଚିତ ଥିଲା। ତା’ର ପଡ଼ୋଶୀ ଅଞ୍ଚଳରେ ନିଜର ନିରଙ୍କୁଶ ପ୍ରଭାବ ବିସ୍ତାର କରି ନିଜକୁ ଚୀନ୍‌ର ଜଣେ ବିରଳ ଦୂରଦୃଷ୍ଟିସମ୍ପନ୍ନ ତୁଙ୍ଗ ଜାତୀୟବାଦୀ ନେତା ରୂପେ ଇତିହାସରେ ପ୍ରତିଷ୍ଠିତ କରିବା ପାଇଁ ସି’ଙ୍କର ଏହା ଥିଲା ଏକ ସୁଚିନ୍ତିତ ପରିକଳ୍ପନା। ଭାରତ ଯଦି ଏହି ତଥାକଥିତ ବାଣିଜ୍ୟ ଓ ଯୋଗାଯୋଗ ପ୍ରକଳ୍ପରେ ଅ˚ଶ ଗ୍ରହଣ କରିଥାଆନ୍ତା, ତା’ହେଲେ ଅନ୍ୟ ରାଷ୍ଟ୍ରମାନଙ୍କ ଦୃଷ୍ଟିରେ ଏହାର ବିଶ୍ବସନୀୟତା ଓ ଗ୍ରହଣୀୟତାରେ ଅସୀମ ଉନ୍ନତି ଘଟନ୍ତା ବୋଲି ସି ଯୋଜନା କରିଥିଲେ। ମୋଦୀଙ୍କର ବନ୍ଧୁଭାବ ପ୍ରଦର୍ଶନ ସତ୍ତ୍ବେ ଭାରତ କିନ୍ତୁ ମୂଳରୁ ଚୀନ୍‌କୁ ଏଥିରେ ଧରା ଦେଲା ନାହିଁ।

‘ବିଆର‌୍‌ଆଇ’ ପ୍ରତି ଭାରତର ବିରାଗ ପଛରେ ଏକ ଅଲ˚ଘ୍ୟ କାରଣ ନିହିତ ଥିଲା: ଏହି ପ୍ରକଳ୍ପ ଅନ୍ତର୍ଭୁକ୍ତ ଏକ ସଡ଼କ ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳ ଭିତରେ ନିର୍ମିତ ହେବାର ଯୋଜନା। ଭାରତ ଏହି ଅଞ୍ଚଳକୁ ନିଜର ସାର୍ବଭୌମ ଅଞ୍ଚଳର ଅ˚ଶ ରୂପେ ବିଚାର କରେ। ଭାରତ ଯେଉଁ କାରଣରୁ ‘ବିଆର‌୍‌ଆଇ’ରେ ଅ˚ଶ ଗ୍ରହଣ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥାଉ ନା କାହିଁକି, ତାହା ଯେ ନିଶ୍ଚିତ ରୂପେ ସି ଜିନ୍‌ ପିଙ୍ଗ୍‌ଙ୍କର କ୍ରୋଧର କାରଣ ହୋଇଛି, ଏଥିରେ କୌଣସି ସନ୍ଦେହ ନାହିଁ। ବର୍ତ୍ତମାନ କିନ୍ତୁ ସି’ଙ୍କର ସେଇ ପୋଷ୍ୟ ପ୍ରୋଜେକ୍ଟ୍‌ ସମ୍ପର୍କରେ ଏପରି ଏକ ନିରପେକ୍ଷ ରିପୋର୍ଟ ପ୍ରକାଶ ପାଇଛି, ଯାହା ସାବ୍ୟସ୍ତ କରିଥାଏ ଯେ ଭାରତର ବେଲ୍‌ଟ-ବର୍ଜନ ନିଷ୍ପତ୍ତିର କାରଣ ଯାହା ହୋଇଥାଉ ନା କାହିଁକି, ଏହା ଏକ ଅତ୍ୟନ୍ତ ଉଚିତ ନିଷ୍ପତ୍ତି ହୋଇଛି। ଯେଉଁ ସବୁ ଦେଶମାନ ଏହି ଚୀନା ମେଗା ପ୍ରକଳ୍ପରେ ଅ˚ଶ ଗ୍ରହଣ କରିଛନ୍ତି, ସେମାନଙ୍କୁ ଏଥିପାଇଁ ଚୀନ୍‌ ମୁକ୍ତ ହସ୍ତରେ ଋଣ ପ୍ରଦାନ କରିଛି। ଏହି ସମସ୍ତ ଋଣର ଏକ ଅ˚ଶ ଚୀନା ସରକାରଙ୍କ ହିସାବ ଖାତାରେ ସ୍ଥାନ ପାଇଥିବା ବେଳେ ଏବ˚ ସେ ସମ୍ବନ୍ଧରେ ବିଶ୍ବ ବ୍ୟାଙ୍କ୍‌କୁ ସୂଚନା ପ୍ରଦାନ କରାଯାଉଥିବା ବେଳେ, ଆଉ ଏକ ବିଶେଷ ଅ˚ଶ ଏପରି କୌଶଳ ଅବଲମ୍ବନ କରି ପ୍ରଦାନ କରାଯାଇଥାଏ ଯେ ଚୀନ୍‌ର ସରକାରୀ ହିସାବ ଖାତାରେ ତାହାର ଚିହ୍ନବର୍ଣ୍ଣ ନଥିବା ବେଳେ (ବିଭିନ୍ନ ସରକାରୀ ଏଜେନ୍‌ସି ମାଧୢମରେ ଏହି ଋଣ ପ୍ରଦାନ କରାଯାଇଥାଏ) ସମ୍ପୃକ୍ତ ଋଣଗ୍ରହୀତା ଦେଶକୁ ଅବଶ୍ୟ ତାହା ସୁଧ ସହିତ ପରିଶୋଧ କରିବାକୁ ପଡ଼ିଥାଏ। ବିଶ୍ବ ବ୍ୟାଙ୍କ୍‌କୁ ଏହି ଲୁକ୍‌କାୟିତ ଋଣ ସମ୍ବନ୍ଧରେ କୌଣସି ସୂଚନା ପ୍ରଦାନ କରାଯାଇନଥାଏ, ଏଣୁ ବିଶ୍ବ ବ୍ୟାଙ୍କ୍‌ ଏ ସମ୍ବନ୍ଧରେ ଅନ୍ଧାରରେ ଥାଏ। କିନ୍ତୁ ଏଥିଯୋଗୁଁ ସମ୍ପୃକ୍ତ ଦେଶର ଋଣ ବୋଝ କିଛି ହାଲୁକା ହୋଇ ନ ଥାଏ।

ଏବେ ଆମେରିକାର ଏକ ବିଶ୍ବବିଦ୍ୟାଳୟର ଗୋଟିଏ ଗବେଷଣା ସ˚ସ୍ଥା ଏହି ଅନ୍ଧାରି ଋଣ ଉପରେ ଆଲୋକପାତ କରିବା ସହିତ ବିଭିନ୍ନ ଦେଶକୁ ଚୀନ୍‌ ପ୍ରଦାନ କରିଥିବା ପ୍ରକଳ୍ପ ଋଣ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟରାଜିକୁ ଲୋକଲୋଚନକୁ ଆଣିଛି। ଆମେରିକାର ‘ଵିଲିଅମ୍‌ ଆଣ୍ତ୍‌ ମେରୀ’ ବିଶ୍ବବିଦ୍ୟାଳୟର ‘ଏଡ୍‌ ଡେଟା’ ନାମକ ଗବେଷଣା ସ˚ସ୍ଥା ‘ବିଆର‌୍‌ଆଇ’ ଋଣ ପ୍ରଦାନରେ ଚୀନ୍‌ର ଆଭିମୁଖ୍ୟ କିଭଳି ହୋଇଥିବ, ସେ ସମ୍ବନ୍ଧରେ ଏକ ବାସ୍ତବ ଧାରଣା ହାସଲ କରିବା ପାଇଁ ଦୀର୍ଘକାଳ ଧରି ବୈଦେଶିକ ପ୍ରକଳ୍ପମାନଙ୍କୁ ଚୀନ୍‌ ଋଣ ଯୋଗାଇବାରେ କିଭଳି କୌଶଳ ଅବଲମ୍ବନ କରିଛି ସେ ସମ୍ବନ୍ଧରେ ଏକ ଲମ୍ବା ସମୟର ଗବେଷଣା ଚଳାଇ ଥିଲା। ୨୦୦୦ ସାଲରୁ ଆରମ୍ଭ କରି ୧୮ ବର୍ଷ ମଧୢରେ ଚୀନ୍‌ ୧୩,୪୨୭ଟି ବୈଦେଶିକ ପ୍ରକଳ୍ପମାନଙ୍କୁ ଋଣ ପ୍ରଦାନ କରିଥିଲା ବୋଲି ‘ଏଡ୍‌ ଡେଟା’ ଆବିଷ୍କାର କରିଛି। ସେପ୍‌ଟେମ୍ବର ୨୯ରେ ‘ଏଡ୍‌ ଡେଟା’ ପ୍ରକାଶ କରିଥିବା ଏ ସ˚କ୍ରାନ୍ତରେ ରିପୋର୍ଟ‌୍‌ରୁ ଜଣାପଡ଼େ ଯେ ଏହି ପ୍ରକଳ୍ପମାନଙ୍କୁ ଚୀନ୍‌ ଦେଇଥିବା ମୋଟ ଋଣର ପରିମାଣ ହେଉଛି ୮୦୦ ବିଲିଅନ୍‌ ଡଲାର‌୍‌। ଏଥିରେ ଯାହା ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଲା ଏଥି ମଧୢରୁ ୩୮୫ ବିଲିଅନ୍‌ ଡଲାର‌୍‌ର ଋଣ ହେଉଛି ଉପରବର୍ଣ୍ଣିତ ଲୁକ୍‌କାୟିତ ଋଣ ଶ୍ରେଣୀର।

‘ଏଡ୍‌ ଡେଟା’ ତା’ର ଗବେଷଣା କ୍ରମରେ ଏଭଳି ୪୪ଟି ଦେଶ ଠାବ କରିଥିଲା ଯେଉଁମାନଙ୍କର ଚୀନା ଋଣ ବୋଝର ଅନୁପାତ ହେଉଛି ସେମାନଙ୍କର ମୋଟ ଜାତୀୟ ଉତ୍ପାଦ ବା ‘ଜିଡିପି’ର ଅନ୍ୟୂନ ୧୦ ଶତା˚ଶ ବା ତା’ଠାରୁ ଅଧିକ। ଚୀନ୍‌ ପାଖରେ ଋଣଗ୍ରସ୍ତ ଏ ସମସ୍ତ ଦେଶ ହେଉଛନ୍ତି ବିକାଶଶୀଳ ଦେଶ, ଯେଉଁମାନଙ୍କର ଅର୍ଥନୀତି ବର୍ତ୍ତମାନ ଚୀନା କରୋନା ଜନିତ କୋଭିଡ୍‌ ଦ୍ବାରା ବିଧ୍ବସ୍ତ ହୋଇ ଯାଇଛି। ସେମାନେ ବିକଳରେ ସେମାନଙ୍କର ବୈଦେଶିକ ଋଣ ବୋଝ କୋହଳ କରିବା ପାଇଁ ଋଣଦାତାମାନଙ୍କ ସହିତ ଆଉ ଥରେ ଆଲୋଚନା କରିବାକୁ ଚେଷ୍ଟା କରୁଛନ୍ତି। ଏହି ଉଦ୍ୟମର ଏକ ଫଳ ସ୍ବରୂପ ୨୦୨୦ରେ ଚୀନ୍‌ ସଦସ୍ୟ ଥିବା ଜି-୨୦ ସ˚ଗଠନ ୭୩ଟି ଦେଶର ଋଣ ପରିଶୋଧକୁ ସାମୟିକ ଭାବରେ ସ୍ଥଗିତ କରି ଦେଇଥିଲା। କିନ୍ତୁ ସମ୍ପୃକ୍ତ ଦେଶମାନଙ୍କ ପାଇଁ ଏକ ନିଷ୍ଠୁର ବିଡ଼ମ୍ବନା ସ୍ବରୂପ ଚୀନ୍‌ ପ୍ରଦାନ କରିଥିବା ଏହି ବିଶାଳ ଲୁକ୍‌କାୟିତ ଋଣ ଅବଶ୍ୟ ଏଥିରେ ଅନ୍ତର୍ଭୁକ୍ତ ନୁହେଁ।

ଚୀନା ଋଣର ଆଉ ଯେଉଁ ଏକ ମନ୍ଦ ଦିଗ ବିଶେଷ କରି ‘ବିଆର‌୍‌ଆଇ’ ଋଣ କ୍ଷେତ୍ରରେ ଗବେଷକମାନେ ଆବିଷ୍କାର କରିଛନ୍ତି, ତାହା ହେଲା, ଚିରାଚରିତ ଭାବରେ ବିକାଶ ଋଣ ପ୍ରତି କୋହଳ ସୁଧ ଲାଗୁ ହେବା ଏକ ଆନ୍ତର୍ଜାତିକ ଆଚରଣ ବିଧି ହୋଇଥିଲେ ମଧୢ, ଚୀନ୍‌ ଦେଉଥିବା ‘ବିଆର‌୍‌ଆଇ’ ଋଣ ପ୍ରତି ଉଚ୍ଚା ବାଣିଜ୍ୟିକ ହାରରେ ସୁଧ ଲାଗୁ କରି ଚାଲିଛି। ସେତିକି ନୁହେଁ, ଚୀନ୍‌ ଏହି ଋଣ ବାବଦରେ ସମ୍ପୃକ୍ତ ଦେଶର ଅର୍ଥକରୀ ସମ୍ପତ୍ତିକୁ ମଧୢ ବନ୍ଧକ ରଖିଛି- ଯେମିତି ଖଣିଜ ସମ୍ପଦ। ଋଣ ପରିଶୋଧ ହୋଇ ନ ପାରିଲେ, ଏହି ସମ୍ପଦକୁ ହଡ଼ପ କରି ବା ବିକ୍ରି କରି ଚୀନ୍‌ ସାଇଲକ୍‌ ଭଳି ତା’ର ଋଣ ସୁଧମୂଳ ସହିତ ଆଦାୟ କରିଥାଏ। କେତେକ ଘଟଣାରେ ଋଣ ପରିଶୋଧରେ ଖିଲାପ ଘଟିଲେ, ଚୀନ୍‌ ତା’ର ସମାଧାନ ସ୍ବରୂପ ସମ୍ପୃକ୍ତ ପ୍ରକଳ୍ପର ଆ˚ଶିକ ବା ସମ୍ପୂର୍ଣ୍ଣ ମାଲିକାନା ନିଜ ଦଖଲକୁ ନେଇ ଯାଉଛି। ଶ୍ରୀଲଙ୍କାର ହାମ୍ବନତୋତା ବନ୍ଦର ଏହି ଉପାୟରେ ବର୍ତ୍ତମାନ ଆଗାମୀ ୯୯ ବର୍ଷ ପାଇଁ ଚୀନ୍‌ର ଦଖଲକୁ ଚାଲି ଯାଇଛି। ଯୁଦ୍ଧ ବାହାରେ ଏକ ଦେଶର ସାର୍ବଭୌମତ୍ବ ପ୍ରତି ଏହା ଠାରୁ ବଡ଼ ବିପଦ ଆଉ କ’ଣ ହୋଇପାରେ? ନିଃସନ୍ଦେହରେ ‘ଏଡ୍‌ ଡେଟା’ ଯାହା ପ୍ରମାଣିତ କରିଛି, ତାହା ହେଲା ‘ବିଆର‌୍‌ଆଇ’ର ବେଲ୍‌ଟ ହେଉଛି ଏଥିରେ ଅ˚ଶ ଗ୍ରହଣକାରୀ ଦେଶର ବେକକୁ ଭିଡ଼ି ଶ୍ବାସରୁଦ୍ଧ କରିବା ପାଇଁ ଚୀନ୍‌ ବ୍ୟବହାର କରୁଥିବା ବେଲ୍‌ଟ। ଭାରତ ଏଥିରୁ ଦୂରେଇ ରହି ବୁଦ୍ଧିମାନର କାର୍ଯ୍ୟ କରିଛି।

ସମ୍ବନ୍ଧିତ ଖବର