ବିକାଶରେ ଅହେତୁକ ଅସନ୍ତୁଳନ ରହିଲେ ଏବଂ ଧନୀ ଦରିଦ୍ର ଭିତରେ ବ୍ୟାପକ ପାର୍ଥକ୍ୟ ପରିଲକ୍ଷିତ ହେଲେ ଯେ ସମାଜରେ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ, ଗାନ୍ଧୀଜୀ ଏଥିନେଇ ଏକ ଚେତାବନୀ ଦେଇଥିଲେ। ଗାନ୍ଧୀଜୀଙ୍କ ଏକ କ୍ଷୁଦ୍ର ପୁସ୍ତିକା, ‘କନ୍‌ଷ୍ଟ୍ରକ୍ଟିଭ୍‌ ପ୍ରୋଗ୍ରାମ୍: ଇଟସ୍ ମିନିଙ୍ଗ ଆଣ୍ଡ୍‌ ପ୍ଲେସ୍‌’ର ୨୦ ପୃଷ୍ଠାରେ ଏହାର ଉଲ୍ଲେଖ ରହିଛି। ଗାନ୍ଧୀ ଲେଖିଥିଲେ, ‘ଏକ ସମତୁଲ ଅହିଂସ ସମାଜଟିଏ ପାଇଁ ଆର୍ଥିକ ସମତା ହିଁ ଜରୁରୀ। ଧନୀ ଦରିଦ୍ର ଭିତରେ ଥିବା ପାର୍ଥକ୍ୟ ଦୂର ହେବା ଉଚିତ, ନଚେତ ଏଠି ରକ୍ତାକ୍ତ ବିପ୍ଳବ ସଂଗଠିତ ହେବା ନିଶ୍ଚିତ।’ ଗାନ୍ଧୀଜୀ କେବଳ ସମସ୍ୟା କଥା କହି ନାହାନ୍ତି, ସମାଧାନ କଥା ବି କହିଛନ୍ତି। ହିଂସକ ବିପ୍ଳବକୁ ରୋକିବାର ଉପାୟ କ’ଣ ପ୍ରଶ୍ନର ଗାନ୍ଧୀଙ୍କର ଉତ୍ତର ଥିଲା, ‘ସର୍ବୋଦୟ’, ଅର୍ଥାତ ସମସ୍ତଙ୍କର ମଙ୍ଗଳ। ସମାଜରେ ଶେଷ ଜନର ବିକାଶ ହିଁ ସର୍ବୋଦୟ।

Advertisment

ଗାନ୍ଧୀଙ୍କ ସର୍ବୋଦୟ ତତ୍ତ୍ବ କିନ୍ତୁ ଜେରିମ୍ ବେନ୍ଥାମ ଓ ଜନ୍‌ ଷ୍ଟୁଆର୍ଟ ମିଲ୍‌ଙ୍କ ବ୍ୟାବହାରିକତାବାଦ (ୟୁଟିଲିଟାରିଆନିଜିମ) ଠାରୁ ପୂରା ଭିନ୍ନ। ବ୍ୟାବହାରିକତାବାଦୀମାନେ ଗ୍ରେଟେଷ୍ଟ ଗୁଡ୍‌ ଅଫ୍ ଗ୍ରେଟେଷ୍ଟ ନମ୍ବର ବା ସର୍ବାଧିକ ଲୋକଙ୍କ ସର୍ବୋତ୍କୃଷ୍ଟ ମଙ୍ଗଳ କଥା କହୁଥିଲେ। ଗାନ୍ଧୀ କିନ୍ତୁ ସଭିଙ୍କ ମଙ୍ଗଳ କଥା କହୁଥିଲେ- ଗ୍ରେଟେଷ୍ଟ ଗୁଡ୍‌ ଅଫ୍ ଅଲ୍। ୧୯୦୪ ମସିହାରେ ଏକ ବିଶେଷ ପରିସ୍ଥିତିରେ ଗାନ୍ଧୀଙ୍କର ଏଇ ‘ସର୍ବୋଦୟ’ ତତ୍ତ୍ବ ଜନ୍ମ ନେଇଥିଲା। ୧୯୦୪ ମସିହାରେ ଗାନ୍ଧୀଜୀ ତାଙ୍କ ପରିବାର ସହ ଦକ୍ଷିଣ ଆଫ୍ରିକାର ଜୋହାନ୍‌ସବର୍ଗରେ ରହୁଥିଲେ। ଦକ୍ଷିଣ ଆଫ୍ରିକାରେ ସେବେ ଏକ ପ୍ରତିଷ୍ଠିତ ଓକିଲ ଥିଲେ ମୋହନଦାସ କରମଚାନ୍ଦ ଗାନ୍ଧୀ। ତାଙ୍କର ବାର୍ଷିକ ରୋଜଗାର ଥିଲା ପ୍ରାୟ ୭୫ ହଜାର ପାଉଣ୍ଡ। ତତ୍କାଳୀନ ଦକ୍ଷିଣ ଆଫ୍ରିକାର ବଡ଼ ବଡ଼ ବୃତ୍ତିଜୀବୀମାନେ ଯେତେବେଳେ ହର୍ସ ରେସ୍‌, ସେୟାର୍‌ କାରବାରରେ ବ୍ୟସ୍ତ ଥିଲେ, ଗାନ୍ଧୀ ସେତେବେଳେ ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟଙ୍କ ପାଇଁ ‘ଇଣ୍ଡିଆନ୍‌ ଓପିନିଅନ୍‌’ ନାମରେ ଏକ ସମ୍ବାଦଭିତ୍ତିକ ପତ୍ରିକା ପ୍ରକାଶନରେ ଅର୍ଥ ଓ ସମୟ ଦେଉଥିଲେ। ଉଭୟ ଇଂରେଜୀ ଓ ଗୁଜୁରାଟୀରେ ଏହା ପ୍ରଥମେ ପ୍ରକାଶ ପାଇଥିଲା ୧୯୦୩ ମସିହା ଜୁନ୍‌ରେ। ଡର୍ବାନ ସହରରୁ ଏହା ପ୍ରକାଶ ପାଉଥିଲା। ଏଥିରେ ଭାରତୀୟଙ୍କ ସମସ୍ୟା, ଆକାଂକ୍ଷା ଓ ଦର୍ଶନ ସମ୍ପର୍କରେ ଖବର ଏବଂ ପ୍ରବନ୍ଧମାନ ଲେଖା ଯାଉଥିଲା। ଏଇ ପତ୍ରିକା ପ୍ରକାଶନ କଥା ଦେଖିବାକୁ ଗାନ୍ଧୀ ପ୍ରତି ସପ୍ତାହର ଶେଷ ଦିନ ଜୋହାନ୍‌ସବର୍ଗରୁ ଡର୍ବାନ ଟ୍ରେନରେ ଯାଉଥିଲେ। ଜୋହାନ୍‌ସବର୍ଗରୁ ଡର୍ବାନର ଦୂରତା ପ୍ରାୟ ଦୁଇ ଶହ ମାଇଲ, ଟ୍ରେନରେ ବାର ଘଣ୍ଟାର ଯାତ୍ରା।

ଗାନ୍ଧୀ ଦିନେ ଜୋହାନ୍‌ସବର୍ଗରୁ ଡର୍ବାନ ଗଲାବେଳେ ତାଙ୍କ ବନ୍ଧୁ ହେନେରି ପୋଲକ ତାଙ୍କୁ ଏକ ଛୋଟ ବହି ଟ୍ରେନରେ ପଢ଼ିବାକୁ ଦେଇଥିଲେ। ସେ ବହିଟି ଥିଲା ଜନ୍‌ ରସ୍କିନ୍‌ଙ୍କର ‘ଅନ୍‌ଟୁ ଦିସ୍ ଲାଷ୍ଟ’। ବହିଟି ସେଦିନ ଟ୍ରେନରେ ପଢ଼ି ସାରିବା ପରେ ଗାନ୍ଧୀଙ୍କ ଭିତରେ ଏକ ଅଦ୍ଭୁତ ପରିବର୍ତ୍ତନ ଆସିଥିଲା। ଗାନ୍ଧୀ ନିଜେ ସ୍ୱୀକାର କରିଛନ୍ତି, “ରସ୍କିନଙ୍କର ଏ ବହି ମୋତେ ସମ୍ପୂର୍ଣ୍ଣ ଗ୍ରାସ କରିଦେଇଛି। ମୋ ଭିତରେ ଲୁଚିଥିବା ଏବଂ ଅହରହ ଖୋଜୁଥିବା ଧାରଣାକୁ ମୁଁ ଶେଷରେ ଏ ବହିରେ ଆବିଷ୍କାର କରିଛି। ମୁଁ ଏ ବହିର ଅନୁବାଦ କରିଛି। ନାଁ ଦେଇଛି ‘ସର୍ବୋଦୟ’।’’ ଗାନ୍ଧୀ ଏହା ବି ସୂଚାଇ ଦେଇଥିଲେ ଯେ ସମାଜର ସାମଗ୍ରିକ ମଙ୍ଗଳରେ ବ୍ୟକ୍ତିର ମଙ୍ଗଳ ନିହିତ। ଜଣେ ଓକିଲର କାମର ମୂଲ୍ୟ ସହିତ ଜଣେ ଶ୍ରମିକର କାମର ମୂଲ୍ୟ ସମାନ। ଶ୍ରମ ହିଁ ଦୁଇ ଜଣଙ୍କର ବଂଚିବାର ଅଧିକାରର ଉତ୍ସ।

ଗାନ୍ଧୀଙ୍କର ସର୍ବୋଦୟ ସାମାନ୍ୟ ଏକ ଆଦର୍ଶବାଦୀ ତାତ୍ତ୍ବିକ ସିଦ୍ଧାନ୍ତ ନୁହେଁ। ଏକ ଅନ୍ତର୍ଭୁକ୍ତ ତଥା ସମତାଭିତ୍ତିକ ସମାଜ ଗଠନ ପାଇଁ ଏହା ବ୍ୟାବହାରିକ ଉପାୟର ସମଷ୍ଟି। ଆର୍ଥିକ ସମତା, ସମବଣ୍ଟନ, ଗ୍ରାମ ସ୍ୱରାଜ, ଆତ୍ମନିର୍ଭରତା, ନିଶା ନିବାରଣ, ଅସ୍ପୃଶ୍ୟତା ଦୂରୀକରଣ, ନାରୀ ସୁରକ୍ଷା, ଶାସନର ବିକେନ୍ଦ୍ରୀକରଣ ପରି ଉପାୟ ଏଥିରେ ସାମିଲ। ସମାଜର ଶେଷ ମଣିଷ ପର୍ଯ୍ୟନ୍ତ ନ୍ୟାୟ ପହଞ୍ଚାଇବାର ଗାନ୍ଧୀଙ୍କ ସର୍ବୋଦୟ ଏକ ଶୃଙ୍ଖଳିତ ପ୍ୟାକେଜ। ସର୍ବୋଦୟରେ ଉଭୟ ଶାସକ ଏବଂ ଶାସିତଙ୍କ ପାଇଁ ଗାନ୍ଧୀଙ୍କର ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଅଛି। ପ୍ରଥମଟି ତାଲିସମାନ ଏବଂ ଦ୍ୱିତୀୟଟି ସରଳ ଜୀବନ ଯାପନ। ତାଲିସମାନ ହେଉଛି ଏକ ତାବିଜ ଯାହା ଜଣକୁ ସୁରକ୍ଷା ଦେଉଛି ବୋଲି ବିଶ୍ୱାସର ଏକ ଯାଦୁକରୀ ଶକ୍ତି ସୃଷ୍ଟି କରିଥାଏ। ତାଲିସମାନ ନାଁରେ ଗାନ୍ଧୀଙ୍କର ଏକ କାହାଣୀ ଥିଲା।

ତାଲିସମାନ କାହାଣୀରେ ଗାନ୍ଧୀ ଉଲ୍ଲେଖ କରିଛନ୍ତି, ‘ମୁଁ ତୁମକୁ ଏକ ତାବିଜ ଦେଉଛି। ଯେତେବେଳେ ତୁମେ କିଛି ସନ୍ଦେହରେ ଅଛ, ଏବଂ ତୁମ ଅହଂକାର ତୁମକୁ କାବୁ କରିନେଇଛି, ତୁମେ ସଙ୍କଟରୁ ମୁକ୍ତି ପାଇଁ ଏହି ତାବିଜର ପରୀକ୍ଷା କରିପାରିବ, ଠିକ୍‌ ଏମିତି- ନିଜେ ଦେଖିଥିବା କୌଣସି ଏକ ଗରିବ ଲୋକର ମୁହଁ ମନେ ପକାଅ ଏବଂ ନିଜକୁ ନିଜେ ପ୍ରଶ୍ନ କର, ତୁମେ କରୁଥିବା କାମ ଓ ନେଉଥିବା ନିଷ୍ପତ୍ତି କେତେଦୂର ସେ ଗରିବ ଲୋକଟିକୁ ସାହାଯ୍ୟ କରିବ?; ତା’ର ଜୀବନ ଓ ମର୍ଯ୍ୟାଦାକୁ ଏହା କେତେଦୂର ସୁରକ୍ଷା ଦେଇପାରିବ? ଖାଦ୍ୟ ତଥା ଆଧ୍ୟାତ୍ମିକତା ବିନା ଭୋକିଲା ଥିବା କୋଟି କୋଟି ଲୋକଙ୍କ ପ୍ରତି ତୁମର ଏ ସିଦ୍ଧାନ୍ତ କେତେଦୂର ସହାୟକ ହେବ? ତୁମେ ସେତେବେଳେ ହିଁ ସମସ୍ତ ଦ୍ୱନ୍ଦ୍ୱରୁ ମୁକ୍ତ ହୋଇଯିବ।’

ଗାନ୍ଧୀଜୀଙ୍କ ଦ୍ବିତୀୟ ଉପାୟ ଥିଲା ସରଳ ଜୀବନର ମାର୍ଗ। ୧୯୪୬ ମସିହା ନଭେମ୍ବର ୧୭ ତାରିଖ ହରିଜନ ପତ୍ରିକାରେ ଗାନ୍ଧୀଙ୍କ ଏକ ଲେଖାରେ ଏଥିନେଇ ଏକ ବିସ୍ତୃତ ବର୍ଣ୍ଣନା ଅଛି। ଗାନ୍ଧୀ ଲେଖିଥିଲେ- ‘ପ୍ରାଚୁର୍ଯ୍ୟ ଏଠି ଅସୀମ ନୁହେଁ। ବିଳାସର ବି ସୀମା ଥାଏ। ନିଜ ଇଚ୍ଛାକୁ ସଂକୁଚିତ ନ କଲେ, ଅଶାନ୍ତି ପ୍ରାଧାନ୍ୟ ବିସ୍ତାର କରିନିଏ। ସୁତରାଂ ସରଳ ଜୀବନ ଏବଂ ଉଚ୍ଚ ଚିନ୍ତନ ପ୍ରତ୍ୟେକ ବ୍ୟକ୍ତି ପାଇଁ ଏକ ସଂସ୍କୃତି ହେବା ଉଚିତ।’ ଗାନ୍ଧୀଙ୍କ ଉପସଂହାର ଥିଲା ପ୍ରକୃତରେ ଖୁବ୍‌ ଆବେଗିକ- ‘ପ୍ରତ୍ୟେକ ମଣିଷର ଆବଶ୍ୟକତା ମେଣ୍ଟାଇବା ପାଇଁ ଏ ଧରିତ୍ରୀ ପାଖରେ ସବୁ କିଛି ଅଛି, କିନ୍ତୁ ଜଣେ ଲୋକର ଲୋଭର ପୂର୍ତ୍ତି ପାଇଁ ଏ ଧରିତ୍ରୀ ଯାହା ସାଇତି ରଖିଛି, ତାହା ଯଥେଷ୍ଟ ନୁହେଁ।’
ମୋ: ୯୮୬୧୪୬୯୩୨୮