ନିର୍ବାଚନ ଦେଇ ଗଣତନ୍ତ୍ରର ସ୍ବରୂପ ଦର୍ଶନ

ଅଭିରାମ ବିଶ୍ବାଳ

ଗଣତନ୍ତ୍ରର ଅନ୍ୟତମ ପ୍ରମୁଖ ରାଜନୀତିକ ପର୍ବ ଓ ପ୍ରକ୍ରିୟା ଭାବେ ସ୍ବୀକୃତ ନିର୍ବାଚନ ବାଟେ ଅନେକ ସମୟରେ ଏକାଧିକ ଆଚମ୍ବିତ କଲା ଭଳି ଓ ଆଶ୍ବାସନା ଦେଲା ଭଳି ସଙ୍କେତ-ସନ୍ଦେଶ ମିଳେ ଯାହା କି ସଦ୍ୟ ଘୋଷିତ (ଆମ ଦେଶର) ଚାରିଟି ରାଜ୍ୟ ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବ˚ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ଫଳାଫଳରେ ଅଳ୍ପ ବହୁତ ପ୍ରତିଫଳିତ। ପୁଣି ଥରେ ରାଜନୀତି ଠାରୁ କିଛି ଭୋଟରେ ପରାସ୍ତ ହୋଇଗଲା ରାଜନୀତି ବିଜ୍ଞାନ। ବୁଥ୍‌ ବାହୁଡ଼ା ମତାମତ ଭିତ୍ତିକ ଆକଳନ (ଏକଜିଟ୍‌ ପୋଲ୍‌) ଅବିକଳ ମତଦାନ (ଏକ୍‌ଜାକ୍‌ଟ୍‌ ପୋଲ୍‌)ର ଗଣନା ହିସାବ ସହ ମେଳ ଖାଇଲାନି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କ˚ଗ୍ରେସ ଦଳ ୨୦୦ରୁ ଅଧିକ ଆସନ ପାଇଲା; ଯଦିଓ ପ୍ରାୟ ସବୁ ଭବିଷ୍ୟବାଣୀ ସୂଚାଉ ଥିଲା ତୃଣମୂଳ କ˚ଗ୍ରେସ ଓ ଭାରତୀୟ ଜନତା ପାର୍ଟି ଭିତରେ ଅତି କଡ଼ା ପ୍ରତିଦ୍ବନ୍ଦ୍ବିତା ହେବ ଏବ˚ ତୃଣମୂଳ କ˚ଗ୍ରେସ କଷ୍ଟେମଷ୍ଟେ ସ˚ଖ୍ୟାଗରିଷ୍ଠତା ହାସଲ କରିପାରେ। ହେଲେ ଶେଷକୁ ଭାଜପା ଠାରୁ ତୃଣମୂଳ କ˚ଗ୍ରେସ ୧୩୬ଟି ଅଧିକ ଆସନ ପାଇଲା। ଆହୁରି କୁହାଯାଉଥିଲା ତାମିଲନାଡୁରେ ଦ୍ରାବିଡ ମୁନ୍ନେତ୍ରା କାଝାଗମ୍‌ (ଦ୍ରାମୁକା) ବିପୁଳ ବିଜୟ ହାସଲ କରିବ ଏବ˚ ଆନ୍ନା ଦ୍ରାବିଡ ମୁନ୍ନେତ୍ରା କାଝାଗମ୍‌ (ଆଦ୍ରାମୁକା) ଅତି ଖରାପ ପ୍ରଦର୍ଶନ କରିବ। କିନ୍ତୁ ଆଦ୍ରାମୁକା ଓ ମେଣ୍ଟ ସପକ୍ଷରେ ଯାଇଛି ୭୪ଟି ଆସନ ଯଦିଓ ଦ୍ରାମୁକା ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିଛି ଏବ˚ ଏପରିକି କେବଳ ଦ୍ରାମୁକା ବି ସ˚ଖ୍ୟାଗରିଷ୍ଠତା ଲାଭ କରି ପାରିଛି। ହଁ, ମତଦାତାଙ୍କ ରାଜନୀତିକ ମତିଗତି ଠଉରେଇବା ଏତେଟା ସହଜ ନୁହେଁ। ବିଶାରଦମାନେ ମଧୢ ଠିକ୍‌ ଧରି ପାରନ୍ତିନି। କ’ଣ ତେବେ ଏ ପାଞ୍ଚଟି ଜନାଦେଶର ବିଶେଷ କରି ଚାରିଟି ପ୍ରାଦେଶିକ ଜନାଦେଶର ମୋଟାମୋଟି ସନ୍ଦେଶ?

କେରଳର ନିର୍ବାଚନୀ ରାଜନୀତିର ୪୦ ବର୍ଷର ପ୍ରତିଷ୍ଠିତ ଐତିହାସିକ ଧାରାକୁ ପ୍ରତିହତ କରି ବିଶିଷ୍ଟ ବାମପନ୍ଥୀ ପିନରୟୀ ବିଜୟନ୍‌ ବାମମେଣ୍ଟକୁ ଜିତାଇ ପାରିଛନ୍ତି। ଅନେକ ଏହାକୁ ବିଜୟନ୍‌ଙ୍କ ବିଜୟ ବୋଲି ଅଭିହିତ କରୁଛନ୍ତି। ୧୯୮୨ ମସିହା ଠାରୁ କେରଳରେ ଥରେ କ˚ଗ୍ରେସ ଜିଣିଲେ ତା’ପର ଥରକ କମ୍ୟୁନିଷ୍ଟମାନେ ଜିଣୁଥିଲେ। ଜଣକର ନେତୃତ୍ବ ଓ କାର୍ଯ୍ୟଶୈଳୀ ସତୀର୍ଥ ତଥା କମ୍ରେଡ୍‌ ସୀତାରାମ ୟେଚୁରୀ କିମ୍ବା ପ୍ରକାଶ କାରାଟ୍‌ଙ୍କ ଭଳି ଅତିଦୃଶ୍ୟମାନ, ସ୍ମାର୍ଟ ଓ ଉତ୍ତର ଆଧୁନିକ ହୋଇ ନ ଥାଇପାରେ; କିନ୍ତୁ ବିଜୟନ୍‌ମାନେ ନିଜର ଅଳ୍ପ ବଚନ, ସା˚ଗଠନିକ ଦକ୍ଷତା, କଠିନ ପରିଶ୍ରମ, ରାଜନୀତିକ ଏକାଗ୍ରତା ଓ ଆଦର୍ଶତାତ୍ତ୍ବିକ ବିଶୁଦ୍ଧତା ବଳରେ ଅସାଧୢ ସାଧନ କରିପାରନ୍ତି; ଯାହାଙ୍କ ଆଗରେ ‘ମେଟ୍ରୋ ମାନବ’ ବି (ଛାଏଁ ଛାଏଁ) ଲାଇନ୍‌ ଚ୍ୟୁତ ହୋଇଯାଆନ୍ତି। ପୁଣି କୋଭିଡ୍‌ ପରିଚାଳନାରେ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜାଙ୍କ ଭୂମିକା ଓ ବିତ୍ତ ବ୍ୟାପାର ବୁଝିବାରେ ଅର୍ଥମନ୍ତ୍ରୀ ଥମାସ୍‌ ଆଇଜାକ୍‌ଙ୍କ ଉଲ୍ଲେଖଯୋଗ୍ୟ ଅବଦାନ ଦଳଟିଏ ପାଇଁ ଅନବରତ ଅଧିକ ରାଜନୀତିକ ଆତ୍ମବିଶ୍ବାସ ସୃଷ୍ଟି କରି ଜନମାନସରେ ପ୍ରଭାବ ବିସ୍ତାର କରିବାରେ ବେଶ୍‌ ସହାୟକ ହୋଇଛି। ଆସନ ପ୍ରାପ୍ତି ଦୃଷ୍ଟିରୁ କେରଳରେ ଭାଜପାର ପ୍ରଦର୍ଶନ ସଭିଏଁ ଜାଣନ୍ତି- ଗୋଟିଏ ହେଲେ ବି ଆସନ ପାଇପାରିନି। ବାମପନ୍ଥୀ ରାଜନୀତିର କ୍ଷମତା ସଦର ମହକୁମା କଲିକତା ଓ ଦିଲ୍ଲୀରୁ ଉଠିଯାଇ ଅଧିକ କେରଳ କୈନ୍ଦ୍ରିକ, ବିଜୟନ୍‌ ଭିତ୍ତିକ ହେବ କି?

ନିଜ ଦଳ ପାଇଁ ଐତିହାସିକ- କେତେକଙ୍କ ମତରେ ଆସନ ସ˚ଖ୍ୟା ଦୃଷ୍ଟିରୁ ଚମକପ୍ରଦ- ବିଜୟ ସୁନିଶ୍ଚିତ କରିଥିବା ମମତା ନନ୍ଦିଗ୍ରାମରୁ ହାରିଯାଇଛନ୍ତି; ଯେଉଁ ନନ୍ଦିିଗ୍ରାମକୁ ସିଏ ୨୦୧୧ ମସିହାର ନିର୍ବାଚନ ଆଗରୁ ଓ ସେ ସମୟରେ ବାମପନ୍ଥୀ ଶାସନ ବିରୋଧୀ ରାଜନୀତିକ ପ୍ରତିବାଦର ପ୍ରତୀକଟିଏ ଭାବେ ବ୍ୟବହାର କରୁଥିଲେ। ଦେଶର ସ୍ବାଧୀନତା ପରେ ପ୍ରଥମ ଥର ପାଇଁ କ˚ଗ୍ରେସ କି କମ୍ୟୁନିଷ୍ଟ ପ୍ରାର୍ଥୀ ଗୋଟିଏ ହେଲେ ବି ଆସନ ଜିଣି ପାରିଲେନି ପଶ୍ଚିମବଙ୍ଗରୁ। ସେ ପଟେ କେରଳରେ ବାମ ମେଣ୍ଟ ଆରାମରେ ଜିତି ପାରୁଛି; ହେଲେ ଏ ପଟେ ପଶ୍ଚିମବଙ୍ଗରେ ୨୦୧୧ ଯାଏ ପ୍ରାୟ ୩୪ ବର୍ଷ ଶାସନରେ ଥିବା ବାମପନ୍ଥୀ ଦଳ/ମେଣ୍ଟ ତରଫରୁ ଜଣେ ବି ଜିଣି ପାରୁନାହାନ୍ତି। ଲାଗୁଛି କ˚ଗ୍ରେସ ଓ କମ୍ୟୁନିଷ୍ଟ ଦଳର ଜନାଧାର ତୃଣମୂଳ ଓ ଭାଜପା ଦଖଲକୁ ଭିନ୍ନ ଭିନ୍ନ କାରଣରୁ ଚାଲିଯାଇଛି। ଦିଦିଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବକ୍ତବ୍ୟ ଏଇଭଳି: କ˚ଗ୍ରେସ ଓ କମ୍ୟୁନିଷ୍ଟ ଦଳର କେହି କେହି ଜିତିଥିଲେ ଅତି ଭଲ ଲାଗିଥାନ୍ତା। ମମତା ବାନାର୍ଜୀଙ୍କ ନେତୃତ୍ବ ପଶ୍ଚିମବଙ୍ଗରେ ତିନି ଜାତୀୟ ଦଳ- କମ୍ୟୁନିଷ୍ଟ, କ˚ଗ୍ରେସ ଓ ଭାଜପା- କୁ କ୍ରମାଗତ ତିନି ଥର ହରେଇ ସାରିଲାଣି। ସାରା ଦେଶରେ ସିଏ ଜଣେ ୨୪x୭ ତୃଣମୂଳ କର୍ମୀ ଓ ସବୁଠି ସ˚ଶ୍ଲିଷ୍ଟ, ଓତୋପ୍ରୋତ ଭାବେ ଜଡ଼ିତ ନେତ୍ରୀ (ଅର୍ଗାନିକ୍‌ ଲିଡର‌୍‌) ଭାବେ ଜଣାଶୁଣା, ଯିଏ କି ଧ୍ରୁବୀକରଣର ସୀମା ଦର୍ଶାଇ ପାରନ୍ତି, ସେଥିରୁ ଲାଭ ନେଇ ପାରନ୍ତି ଓ ସା˚ପ୍ରଦାୟିକ ଧ୍ରୁବୀକରଣ କେମିତି ରାଜନୀତିକ ଧ୍ରୁବୀକରଣ ଠାରୁ ଭିନ୍ନ ହୋଇପାରେ ତାହା ପ୍ରମାଣିତ କରନ୍ତି। ଗଲା ଥରକ ଭାଜପା ପାଇଥିଲା ତିନିଟି ଆସନ; ଏଥରକ ପାଇଛି ୭୭ଟି ଆସନ- ଭବିଷ୍ୟତ ପାଇଁ ଏହାର ନିଶ୍ଚୟ ଅନେକ ଇ˚ଗିତ ରହିଛି। କୁହାଯାଏ ମମତା ଏମିତି ଜଣେ ନେତ୍ରୀ ଯିଏ ପାଦରେ ବି ଭାବି ପାରନ୍ତି; ଜଖମ ଗୋଡ଼ରେ ଚକଲଗା ଚଉକିରେ ବସି ଆହୁରି ଭଲ ଭାବେ ଭାବିଚିନ୍ତି ଯୋଜନା କରିପାରନ୍ତି। ଈଶ୍ବର ଚନ୍ଦ୍ର ବିଦ୍ୟାସାଗର, ରାଜା ରାମମୋହନ ରାୟ, ରାମକୃଷ୍ଣ ପରମହ˚ସ, ବିବେକାନନ୍ଦ, ରବୀନ୍ଦ୍ର ନାଥ ଠାକୁର, ସୁଭାଷ ଚନ୍ଦ୍ର ବୋଷ, ମେଘନାଦ ଶାହା, ନନ୍ଦଲାଲ ବୋଷ, ମଦର ଟେରେସା, ସତ୍ୟଜିତ୍‌ ରାୟ, ଅମର୍ତ୍ତ୍ୟ ସେନ, ଅମିତାଭ ଘୋଷ ଓ ଅଭିଜିତ୍‌ ବାନାର୍ଜୀ ପ୍ରଭୃତିଙ୍କ ପାଇଁ ଖ୍ୟାତ ବଙ୍ଗ ମଧୢ ସୌଜନ୍ୟ ଭାଷା, ସ˚ସ୍କୃତି, ଲୋକପ୍ରତିମା ଓ ପ୍ରଜାତିକତା ଆଧାରରେ ଆ˚ଚଳିକ ଗର୍ବ, ଗୌରବ ଓ ସ୍ବାଭିମାନ କଥା ଉଠାଇଥାଏ ଏବ˚ ସେ ସ୍ବାଭିମାନକୁ ରାଜନୀତି ସମେତ ଅନେକ ଲୋକ ଇଲାକାରେ ବ୍ୟକ୍ତ କରିଥାଏ। ଏ ଥରକର ବଙ୍ଗ ନିର୍ବାଚନ ପ୍ରଚାର ବେଳେ ବିଭିନ୍ନ ପକ୍ଷ ତରଫରୁ ଯେଉଁଭଳି ଭାଷା-ପରିଭାଷାର ବ୍ୟବହାର କରାଗଲା ଓ ଫଳାଫଳ ଘୋଷଣା ପରେ ଯେଭଳି ପୋଡ଼ାଜଳା ତଥା ହି˚ସାକାଣ୍ତ ଆରମ୍ଭ ହୋଇଗଲାଣି ତାହା ବ˚ଚିଥିଲେ ନିଶ୍ଚୟ ସତ୍ୟଜିତ୍‌ ରାୟଙ୍କୁ ଚକିତ କରୁଥାନ୍ତା; କାରଣ ସିଏ ରାଜନୀତିକୁ ଏକ ସୁଶୀଳ, ଉଦାର ଓ ସହନଶୀଳ ମାଧୢମ ବିବେଚନା କରୁଥିଲେ।

ପଶ୍ଚିମବଙ୍ଗ ଓ କେରଳ ଭଳି ଆସାମରେ ମଧୢ ଅପ୍ରମାଣିତ ହେଲା ଯେ ସତ୍ତାରେ ଥିବା ଦଳଟିଏ ଆଉ ଥରେ ନିର୍ବାଚନ ଲଢ଼ିଲେ ହାରିବାର ସମ୍ଭାବନା ଅଧିକ। ବିଜୟୀ ଦଳ ଭାଜପାର ସର୍ବାନନ୍ଦ ସୋନୋଵାଲ ଓ ହିମନ୍ତ ବିଶ୍ବଶର୍ମା ଅତି ଟାଣୁଆ ସ୍ଥାନୀୟ ନେତା। ବିଶ୍ବଶର୍ମା ୨୦୧୬ ପୂର୍ବରୁ କ˚ଗ୍ରେସରେ ଥିଲେ। ଏଥରକ ସେଠି କିଏ ହେବେ କେଜାଣି ମୁଖ୍ୟମନ୍ତ୍ରୀ?
ଅନେକ ଅନେକ ବର୍ଷ ପରେ ପ୍ରଥମ ଥର ପାଇଁ କରୁଣାନିଧି ଓ ଜୟଲଳିତାଙ୍କ ଅବର୍ତ୍ତମାନରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଲା। ନୂଆ ମୁଖ୍ୟମନ୍ତ୍ରୀ ହେବେ କରୁଣାନିଧିଙ୍କ ପୁତ୍ର ଷ୍ଟାଲିନ୍‌। ତାମିଲ୍‌ନାଡୁରେ ମଧୢ ବହୁ ଦଶନ୍ଧି ଧରି କୌଣସି ଜାତୀୟ ଦଳ ସରକାର ଗଢ଼ି ପାରିନାହାଁନ୍ତି। ହୁଏତ ସେଇଥିପାଇଁ ଆଦ୍ରାମୁକା କିମ୍ବା ଦ୍ରାମୁକା ବାଟେ ପ୍ରବେଶ ପାଇଁ ଏକାଧିକ ଉଦ୍ୟମ ଜାତୀୟ ଦଳଙ୍କ ତରଫରୁ ଚାଲିଛି। ଆଉ କେନ୍ଦ୍ରଶାସିତ କୁନି ପୁଡୁଚେରୀରେ ସରକାର ଗଢ଼ିବ ଏନ୍‌.ଡି.ଏ; କିନ୍ତୁ ମୁଖ୍ୟମନ୍ତ୍ରୀ ହେବେ ଏ.ଆଇ.ଏନ୍‌.ଆର.ସିର ଏନ୍‌.ର˚ଗାସ୍ବାମୀ ଭାଜପାର ସମର୍ଥନରେ। ସେଠି ମଧୢ ଜାତୀୟ ଦଳ ପ୍ରବେଶ ପଥ ଖୋଜୁଛି ସ୍ଥାନୀୟ ଦଳର ସହାୟତାରେ।

ଏ ସବୁ ବିଜୟର ବ୍ୟବଚ୍ଛେଦ କେତୋଟି କଥା ସ୍ପଷ୍ଟ କରେ। ଭାରତୀୟ ରାଜନୀତିରେ ଜାତୀୟ ପ୍ରେକ୍ଷାପଟକୁ ଆମେ ସ˚ଘୀୟ ଅର୍ଥରେ ନ ଦେଖିଲେ ଅନେକ ଭ୍ରମ ସୃଷ୍ଟି ହୋଇପାରେ। ଏକ ଜାତୀୟ ଦଳ ବା କେନ୍ଦ୍ରର ଶାସକ ଦଳ ଯେ ନିଶ୍ଚୟ ରାଜ୍ୟ ନିର୍ବାଚନରେ ସଫଳ ହେବ ତା’ର କିଛି ଗ୍ୟାରେଣ୍ଟି ନାହିଁ। ଜାତୀୟ ଦଳମାନେ ସ˚ଘୀୟ ସ୍ବଭାବର ହୋଇନଥିଲେ ଏବ˚ ସ୍ଥାନୀୟ ତଥା ଆଞ୍ଚଳିକ ଶକ୍ତିଙ୍କୁ ଅସ୍ବୀକାର କଲେ ଆହୁରି ଅସୁବିଧା। ଯେଉଁ ଯେଉଁ ନେତା-ନେତ୍ରୀ ସେମାନଙ୍କ ଦଳକୁ ଏଥରକ ଜିତେଇଛନ୍ତି ସେମାନେ ଅତ୍ୟନ୍ତ ପ୍ରଭାବଶାଳୀ ଆଞ୍ଚଳିକ, ସ˚ଘୀୟ ନେତାନେତ୍ରୀ, ଯେଉଁମାନେ କି ସ୍ଥାନୀୟ-ଆଞ୍ଚଳିକ-ସ˚ଘୀୟ-ଜାତୀୟ ସମୀକରଣର ସୂକ୍ଷ୍ମ ଓ ସ୍ଥୂଳ ରୂପକୁ ଭଲ ଭାବେ ବୁଝନ୍ତି। ଏମିତିରେ ଓଡ଼ିଶା, ତେଲେଙ୍ଗନା, ଆନ୍ଧ୍ର, ତାମିଲନାଡୁ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଶାସନର ମଙ୍ଗ ଏବେ ଧରିଛନ୍ତି ଆଞ୍ଚଳିକ ଦଳ। କେରଳରେ ବାମପନ୍ଥୀ ଦଳର ସୁସ୍ଥ ଆଞ୍ଚଳିକୀକରଣ ତା’ର ସଫଳତାର ଏକ ପ୍ରମୁଖ କାରଣ। ଆଗକୁ ମଧୢ ଆଞ୍ଚଳିକ ଦଳ ଆମ ଦେଶର ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସେମାନଙ୍କ ପ୍ରଭାବକୁ ଆଦୌ ଫାଙ୍କି ହେବନି। ଭୂତାଣୁ ସ˚କ୍ରମଣର ଭୟାବହତା ସତ୍ତ୍ବେ ମତଦାତାମାନେ ଗଲା ନିର୍ବାଚନରେ ଭାଗ ନେଇଛନ୍ତି ଜୀବନକୁ ପାଣି ଛଡ଼େଇ; ସେମାନଙ୍କ ଜନାଦେଶର ସନ୍ଦେଶ ନିଶ୍ଚୟ ବୃଥା ଯିବନି।
ବେହୁରିଆ ଭବନ, ଗୌରୀ ନଗର, ଭୁବନେଶ୍ବର-୨
ମୋ: ୮୯୧୭୬୮୩୫୩୬

ସମ୍ବନ୍ଧିତ ଖବର