ଭଲ ଭୃତ୍ୟ, ଖରାପ ମୁନିବ

ବିଜୟ କେତନ ପଟ୍ଟନାୟକ

‘ବନ ବିଜ୍ଞାନ’ରେ ଉଲ୍ଲେଖ ଅଛି ଯେ ବନାଗ୍ନି ବା ଜଙ୍ଗଲ ନିଆଁ ଏକ ଉତ୍ତମ ଭୃତ୍ୟ, କିନ୍ତୁ, ଖରାପ ମୁନିବ। ଅର୍ଥାତ୍‌ ନିୟନ୍ତ୍ରଣ କରି ଜାଣିଲେ ଏହା ଜଙ୍ଗଲ ପରିଚାଳନାରେ ଯଥେଷ୍ଟ ସହାୟକ ହୋଇଥାଏ; ତେବେ, ନିୟନ୍ତ୍ରଣ ବାହାରକୁ ଚାଲିଗଲେ ଏହା ବିଧ୍ବଂସର କାରଣ ହୋଇଥାଏ। ବନ ବିଜ୍ଞାନରେ ‘ଜଙ୍ଗଲ’ ପରିଚାଳନା ପାଠ୍ୟକ୍ରମରେ ଜଙ୍ଗଲ ନିଆଁର ନିୟନ୍ତ୍ରିତ ବ୍ୟବହାର (Controlled burning) ଉପରେ ଗୁରୁତ୍ବ ଦିଆଯାଇଛି। କୌଣସି ସ˚ରକ୍ଷିତ ବା ରକ୍ଷିତ ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗିଲେ, ତାହା ଯେପରି ଅନ୍ୟ ଜଙ୍ଗଲକୁ ବ୍ୟାପି ନ ଯାଏ, ସେଥିପାଇଁ ଜଙ୍ଗଲ ଚାରିପଟେ ୩୦ରୁ ୪୫ ଫୁଟ ଓସାରର ‘ଫାୟାର ଲାଇନ୍‌’ କଟା ଯାଇଥାଏ ବା ଟ୍ରେଞ୍ଚ୍‌ (ପରିଖା) ଖୋଳା ଯାଇଥାଏ। ଜଙ୍ଗଲ ମଝିରେ ମଧୢ ପ୍ରତି ୩୦ରୁ ୪୦ ଫୁଟ ଅନ୍ତରରେ ୧୫ ଫୁଟ ଓସାରର ‘ଫାୟାର ଲାଇନ୍‌’ କଟାଯାଏ। ‘ଫାୟାର ଲାଇନ୍‌’ କଟାଯାଇଥିବା ସ୍ଥାନରୁ ଘାସ ଓ ଶୁଖିଲା ଡାଳପତ୍ରକୁ ସଫା କରି ଦିଆଯାଏ। ଫଳରେ ଜଙ୍ଗଲରେ ନିଆଁ ଲାଗିଲେ, ତାହା ସହଜରେ ‘ଫାୟାର ଲାଇନ୍‌’ ଆର ପଟକୁ ବ୍ୟାପି ପାରେ ନାହିଁ।
ଆମ ରାଜ୍ୟର ଅଧିକା˚ଶ ଜଙ୍ଗଲ ଶୁଷ୍କ ପତ୍ର ଝଡ଼ା ଜଙ୍ଗଲ।

ଶୀତ ଦିନେ ଏହିସବୁ ଗଛରୁ ପତ୍ର ଝଡ଼ି ଜଙ୍ଗଲ ଚଟାଣ ସାରା ଜମା ହୋଇ ରହିଥାଏ। ଖରା ଦିନେ ଏହି ପତ୍ରଗୁଡ଼ିକ ଶୁଖିଯାଇ ନିଆଁ ଧରିବା ଓ ବ୍ୟାପିବା ପାଇଁ ଉପଯୁକ୍ତ ଇନ୍ଧନର କାମ କରିଥାଏ। ଡହଡ଼ହ ଖରାରେ ଶୁଖିଯାଇଥିବା ପତ୍ର ଓ ଡାଳକୁ ଖରା ଦିନିଆ ସୁଲୁସୁଲିଆ ପବନ ଜଳିବାକୁ ଖୋରାକ୍‌ ଯୋଗାଇଥାଏ। ଅନେକ ସମୟରେ ଜଙ୍ଗଲ ଭିତରେ ନିଆଁ ଲାଗିଲେ ତାହା କ୍ରମାଗତ ଭାବେ ଆଠ ଦଶ ଦିନ ପର୍ଯ୍ୟନ୍ତ ଜଳୁଥାଏ। ଯଦିଓ ଏବେ ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ନିଆଁ ଲାଗିବା ଏକ ନିୟମିତ ଘଟଣା ହେଲାଣି, ତେବେ, ଗତ ମାର୍ଚ୍ଚ ମାସରେ ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ପ୍ରବଳ ବନାଗ୍ନି କ୍ରମାଗତ ଦୁଇ ସପ୍ତାହ ଧରି ଜଙ୍ଗଲ ସାରା ବ୍ୟାପିବାକୁ ଲାଗିଲା। ଏଥିରୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଓ ଜୈବମଣ୍ତଳ ଉଭୟ ଆର୍ଦ୍ର ପର୍ଣ୍ଣମୋଚୀ ଏବ˚ ଶୁଷ୍କ ପର୍ଣ୍ଣମୋଚୀ ଜଙ୍ଗଲର ସମାହାର। ଏଠାରେ ଘଞ୍ଚ ଶାଳ ଜଙ୍ଗଲ ରହିଛି। ଶିମିଳିପାଳର ଏକ ବୈଶିଷ୍ଟ୍ୟ ହେଉଛି ଫେବ୍ରୁଆରି, ମାର୍ଚ୍ଚ ମାସରେ ପାଞ୍ଚ, ଛଅ ଦିନର ଅସହ୍ୟ ଗ୍ରୀଷ୍ମ ପ୍ରବାହ ପରେ ହଠାତ୍‌ ଅପରାହ୍‌ଣରେ ଭଲ ଅସରାଏ ବର୍ଷା ହୋଇଯାଏ। ଫଳରେ ଜଙ୍ଗଲ ମାଟି ଓ ତଳେ ପଡ଼ିଥିବା ଶୁଖିଲା ଡାଳପତ୍ର ସିକ୍ତ ବା ଓଦା ହୋଇଯା’ନ୍ତି। ଫଳରେ ଜଙ୍ଗଲ ନିଆଁ ଧରି ନ ଥାଏ। କିନ୍ତୁ ଚଳିତ ବର୍ଷ ଫେବ୍ରୁଆରି ମାସରେ ଶିମିଳିପାଳରେ ଆଦୌ ବର୍ଷା ହେଲା ନାହିଁ। ତେଣୁ ନିଆଁ ଧରିବା ଓ ବ୍ୟାପିବା ସହଜ ହେଲା।

ପ୍ରତି ଜଙ୍ଗଲର କେନ୍ଦ୍ରାଞ୍ଚଳରେ ଏବ˚ ବାହ୍ୟାଞ୍ଚଳରେ ଜନଜାତି ସଂପ୍ରଦାୟର ଲୋକେ ରହନ୍ତି। ଅନେକ ସମୟରେ ଗ୍ରାମବାସୀମାନେ ଗାଈ, ବଳଦ, ଛେଳି ଆଦି ଭଳି ଗୃହପାଳିତ ପଶୁଙ୍କ ପାଇଁ ଭଲ ଚାରଣ ଭୂମି ଆଶାରେ ଛୋଟ ଛୋଟ ଜଙ୍ଗଲ ଅଞ୍ଚଳକୁ ନିଆଁ ଲଗାଇ ପୋଡ଼ି ଦିଅନ୍ତି। ଏପରି କଲେ ବର୍ଷା ଋତୁରେ କଅଁଳ ଛନଛନ ଘାସ ବାହାରେ, ଯାହା ତୃଣଭୋଜୀ ପ୍ରାଣୀଙ୍କର ମୁଖ୍ୟ ଆହାର। କିନ୍ତୁ ତାହା ଜଙ୍ଗଲ ନିଆଁର ଏକ କାରଣ ପାଲଟି ଥାଏ। ପୁଣି ଅନେକ ସମୟରେ ଶିକାରୀମାନେ ମଧୢ ଜଙ୍ଗଲ ଗୋଟେ ପଟେ ନିଆଁ ଲଗାଇ ଦେଇ ଅନ୍ୟ ପଟେ ଛକି ରହି ପ୍ରାଣ ବିକଳରେ ପଳାୟନରତ ଜୀବଜନ୍ତୁଙ୍କୁ ଶିକାର କରିଥାନ୍ତି। ପ୍ରାୟ ୨୭୫୦ ବର୍ଗ କିଲୋମିଟର ପରିମିତ ଶିମିଳିପାଳ ଅଞ୍ଚଳରେ ୬୦ଟି ଗ୍ରାମ ରହିଛି। ଏହି ସବୁ ଗ୍ରାମରେ ପାଖାପାଖି ୧୦,୦୦୦ ଜନଜାତି ସଂପ୍ରଦାୟର ଲୋକେ ରହନ୍ତି। ତେଣୁ ଉପରେ କୁହାଯାଇଥିବା ଭଳି କିଛି କାରଣରୁ ଶିମିଳିପାଳରେ ନିଅାଁ ଲାଗିଥିବା ସମ୍ଭବ।

ଏ କଥା ସ୍ପଷ୍ଟ ଯେ, ଜଙ୍ଗଲ ନିଆଁର କାରଣ ଭିତରୁ ୯୦% ମନୁଷ୍ୟକୃତ। ଏହା ଇଚ୍ଛାକୃତ ହୋଇପାରେ ବା ଅସାବଧାନତା କାରଣରୁ ହୋଇପାରେ। ଆଦିବାସୀମାନଙ୍କର ୫୦%ରୁ ଅଧିକ ଏହି ବଣ ଜଙ୍ଗଲ ଓ ତହିଁରୁ ସ˚ଗୃହୀତ ଲଘୁ ବନ ଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବାରୁ ସେମାନେ ଜାଣିଶୁଣି ମନ୍ଦ ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗେଇବାର ସମ୍ଭାବନା କ୍ଷୀଣ। କେବଳ ନିଜର ଗୁଜୁରାଣ ପାଇଁ ଅନେକ କ୍ଷେତ୍ରରେ ସେମାନେ ନିଆଁ ଲଗାଇଥା’ନ୍ତି। ଶୀତ ଋତୁ ପରେ ପରେ ଜଙ୍ଗଲ ମାଟିରେ ପଡ଼ିଥିବା ଶୁଷ୍କ ଡାଳ, ପତ୍ର, ଘାସକୁ ଠିକଣା ସମୟରେ ନିଆଁ ଲଗାଇ ପୋଡ଼ି ଦେବା ଦ୍ବାରା ପରିସ˚ସ୍ଥା ସୁରକ୍ଷିତ ରହେ ଏବଂ ପରବର୍ତ୍ତୀ ସମୟରେ ବନାଗ୍ନି ତୀବ୍ର ହୋଇ ବ୍ୟାପିବାର ସମ୍ଭାବନା ନ ଥାଏ। ଜଙ୍ଗଲ ଭିତରେ ଭୂପୃଷ୍ଠରେ ନିଆଁ ଲାଗିବା ଦ୍ବାରା ଶାଳମଞ୍ଜି, ମହୁଲ ଫୁଲ ଓ ମଞ୍ଜି ପାକଳ ହୋଇ ଝଡ଼ିଥାଏ। ମହୁ ସ˚ଗ୍ରହ ବଢ଼ିଥାଏ। ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ରହିଥିଲେ ଅନାବଶ୍ୟକ ଭାବେ ଜଙ୍ଗଲରେ ବଢୁଥିବା ଆକ୍ରମଣାତ୍ମକ ପ୍ରଜାତିର ଗୁଳ୍ମମାନଙ୍କୁ ନଷ୍ଟ କରେ; ବୃକ୍ଷର ଶତ୍ରୁ କୀଟପତଙ୍ଗମାନଙ୍କୁ ମଧୢ ମାରି ଦିଏ। ଜଙ୍ଗଲ ମାଟିରେ ପଡ଼ିଥିବା ଝଡ଼ାକାଠ, ଘାସ, ପତ୍ର ଆଦି ପୋଡ଼ିଯିବା ଦ୍ବାରା ମାଟି ଉର୍ବର ହୁଏ, ଫଳରେ ଜଙ୍ଗଲରେ ନୂଆ ଗଛ ଭଲ ବଢ଼େ ଓ ଜଙ୍ଗଲ ଅଧିକ ଘଞ୍ଚ ହୁଏ। ଜଙ୍ଗଲ ନିଆଁରେ ବଡ଼ ବଡ଼ ଗଛ ଗଣ୍ତିରେ କୋରଡ଼ ସୃଷ୍ଟି ହୁଏ, ଯହିଁରେ କାଠହଣା ଜାତୀୟ ଅନେକ ଚଢ଼େଇ ବସା ବାନ୍ଧନ୍ତି।

କିନ୍ତୁ ନିଆଁ ନିୟନ୍ତ୍ରଣରୁ ବାହାରି ଗଲେ ଅଧିକ ତୀବ୍ର ହୋଇ ଛୋଟ ଛୋଟ ଚାରା ଗଛଗୁଡ଼ିକ ପୋଡ଼ି ପକାଏ, ଯାହା ଫଳରେ ଜଙ୍ଗଲର ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ। ମୂଲ୍ୟବାନ ଔଷଧୀୟ ଲତା, ଗୁଳ୍ମ ନଷ୍ଟ ହୋଇଯାଏ। ଜଙ୍ଗଲରୁ ମିଳୁଥିବା କନ୍ଦମୂଳ ଓ ଛତୁର ପରିମାଣ ହ୍ରାସ ପାଏ। ନିଆଁ ଲାଗି ଜଙ୍ଗଲ ପଦା ହୋଇଯିବା ଫଳରେ ମୃତ୍ତିକା କ୍ଷୟ ଘଟେ। ଜଙ୍ଗଲର ଜୈବ ବିବିଧତା କ୍ଷତିଗ୍ରସ୍ତ ହୁଏ। ତେଣୁ ଜଙ୍ଗଲ ନିଆଁ, ଏକ ଦୁଇପାଖରେ ଧାର ଥିବା ଛୁରୀ; ଯାହାର ନିୟନ୍ତ୍ରିତ ପ୍ରୟୋଗ ଅନେକ ଲାଭ ଦେଇଥାଏ। ତେବେ, ସ˚ରକ୍ଷିତ ଓ ରକ୍ଷିତ ଜଙ୍ଗଲରେ ବା ଜଙ୍ଗଲ ନିକଟରେ ବାସ କରୁଥିବା ବ୍ୟକ୍ତି ଜଙ୍ଗଲରେ ନିଆଁ ଲାଗିବା ଜାଣିଲେ ନିକଟସ୍ଥ ଜଙ୍ଗଲ ବିଭାଗ ଅଫିସରଙ୍କୁ ଜଣାଇବାକୁ ବାଧୢ। କିନ୍ତୁ ଏ କଥା ହୁଏ’ତ ଅନେକଙ୍କୁ ଜଣା ନ ଥିବ। ଓଡ଼ିଶା ଜଙ୍ଗଲ ଆଇନ, ୧୯୭୨ର ୮୪ ଧାରାର ୧ ନମ୍ବର ଉପଧାରା ଅନ୍ତର୍ଗତ ବ୍ୟବସ୍ଥା ଅନୁଯାୟୀ, ୧୯୭୯ ମସିହାରେ ଓଡ଼ିଶା ଜଙ୍ଗଲ (ନିଆଁରୁ ସୁରକ୍ଷା) ଅଧିନିୟମ ପ୍ରଣୟନ କରାଯାଇଛି। ଏହି ନିୟମ ଅନୁସାରେ ସ˚ରକ୍ଷିତ ଓ ରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ନିଷେଧ। ସେମିତି ଜଙ୍ଗଲ ସନ୍ନିକଟ ଅଞ୍ଚଳରେ ନିଆଁର ବ୍ୟବହାର ଉପରେ କଟକଣା ଜାରି କରାଯାଉଛି। ନିଆଁ ଲଗାଇବା ବେଳେ ଧରାପଡ଼ିଲେ କିମ୍ବା ନିଆଁ ଲଗାଇ ଥିବାର ପ୍ରମାଣ ମିଳିଲେ ୩ ବର୍ଷରୁ ୭ ବର୍ଷ ଜେଲ୍‌ ଦଣ୍ତ ସହିତ, ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦଣ୍ଡର ବ୍ୟବସ୍ଥା ରହିଛି। କିନ୍ତୁ, ଦଣ୍ଡ ନୁହେଁ, ଜଙ୍ଗଲର ଉପଯୋଗିତା ଓ ଉପକାରିତା ତଥା ଜଙ୍ଗଲ ନିଆଁର ପରିଚାଳନା ବିଷୟରେ ବୁଝି ପାରିଲେ ଯାଇ ବନାଗ୍ନି ଏକ ବିପର୍ଯ୍ୟୟରେ ପରିଣତ ନ ହୋଇ ଉପଯୋଗୀ ସାବ୍ୟସ୍ତ ହୋଇପାରେ।
ମୋ: ୯୪୩୭୦୦୦୯୦୪

ସମ୍ବନ୍ଧିତ ଖବର