କରାଳ ଜୀବନ

ଦାଶ ବେନହୁର

ନିଃଶ୍ବାସ ପ୍ରଶ୍ବାସ ଚାଲିଥିଲେ ଆମେ କହୁ ଜୀବନ ଅଛି। ହୃତ୍‌ପିଣ୍ତର ଦୁକ୍‌ଦୁକିକୁ ଜୀବନର ମୂଳ କଥା ବୋଲି ବିବେଚନା କରୁ। ହେଲେ ସେତିକି କ’ଣ ଜୀବନ? ଜୀବନ ଜୀଇଁବାରେ କେବଳ ସୀମିତ ନୁହେଁ। ଏହା ଏକ ବ୍ୟାପକ ଶବ୍ଦ। ମଣିଷ ଯେତେବେଳେ ମଣିଷ ଭଳି ବଞ୍ଚେ ସେତେବେଳେ ଜୀବନ ସାର୍ଥକ ହୁଏ। ମଣିଷ ଭଳି ବଞ୍ଚିବା ହିଁ ଜୀବନର ସାର୍ଥକତା। ଫୁଲଗଛଟିଏ ରୁଗ୍‌ଣ ହୋଇ ବଞ୍ଚିବାରେ ସାର୍ଥକତା ନ ଥାଏ। ଫୁଲ ଫୁଟାଇବାରେ ହିଁ ତା’ର ଜୀବନ ସଫଳ ହୁଏ। ସେ ସାର୍ଥକ ହୁଏ। ପ୍ରତିଟି ମଣିଷ ଗୋଟିଏ ଗୋଟିଏ ଫୁଲଗଛ। ଗତ ସପ୍ତାହର ଶୁକ୍ରବାରକୁ ଫେରିବା।

ଅଧିକା˚ଶ ଓଡ଼ିଆ ଖବରକାଗଜର ପ୍ରଥମ ପୃଷ୍ଠାରେ ସେଦିନ ଦୁଇଟି ଖବର ବେଶ୍‌ ବଡ଼ ବଡ଼ ଅକ୍ଷରରେ ପ୍ରକାଶ ପାଇଥିଲା। ଖବରକାଗଜ ବିଚରା କ’ଣ କରିବ? ଭୟଙ୍କର ଖବର ତା’ପାଇଁ ଯେମିତି ବଡ଼ ବଡ଼ ହରଫରେ ପ୍ରକାଶନ ଯୋଗ୍ୟ, ଶୁଭଙ୍କର ଖବର ବି ଅନୁରୂପ ଯୋଗ୍ୟତା ହାସଲ କରେ। ବଡ଼ ସଫଳତା ଓ ବିଫଳତା ଉଭୟ ମୁଖ୍ୟ ଖବର। ପ୍ରକାଶ ପାଇଲା – ‘‘ଟିକେଟ୍‌ ପାଇଁ ନିର୍ଧୂମ୍‌ ମାଡ଼ ଖାଇଲେ’’, ‘‘ସ୍ତ୍ରୀକୁ ହତ୍ୟାକରି ଝିଅର ଗଳା କାଟିଲା’’। ସକାଳର ଚା’ସହ ଅନେକ ଏ ଦୁଇଟି ସମ୍ବାଦ ସେଦିନ ଏକ ପ୍ରକାର ତରତର ହୋଇ ପିଇଥିବେ। ଚା’ର ଉଷ୍ମତା ଭଳି ଖବର ଦୁଇଟି ସେମାନଙ୍କର ଭିତରକୁ ଛୁଇଁଥିବ। ପାଟିରୁ ବାହାରିଥିବ ଛି! ଆହା!। ଉପବେଳା ହେଲାବେଳକୁ ସେ କଥା ଆଉ ନ ଥିବ। ମନ ବୁଝିଯାଇଥିବ ଯେ, ‘‘ସେମିତି ତ ଆଜିକାଲି ଘଟୁଛି, ଆମେ କ’ଣ କରିପାରିବା?’’ ବାସ୍‌ ଭୟଙ୍କର କରାଳ ଜୀବନ ବି ସ୍ବାଭାବିକ ଜୀବନର ସ˚ଜ୍ଞା ପାଇଗଲା ମାତ୍ର କେଇ ଘଣ୍ଟା ଭିତରେ। ଖବର ଦୁଇଟି ଥିଲା ଖେଳଦେଖା-ନିଶା ଓ ମଦ-ନିଶାକୁ ନେଇ।

କଟକର ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ପାଇଁ ଟିକେଟ୍‌ ବିକ୍ରିର ବ୍ୟବସ୍ଥା ହୋଇଥିଲା। ବୁଧବାର ରାତି ୯ଟାରୁ ଟିକେଟ୍‌ କିଣିବା ପାଇଁ ଲୋକ ଧାଡ଼ି ବାନ୍ଧିଥିଲେ। ପରଦିନ ଅର୍ଥାତ୍‌ ଗୁରୁବାର ସକାଳ ୧୦ଟାରେ ଟିକେଟ୍‌ ବିକ୍ରି ଆରମ୍ଭ ହେବ। ଟିକେଟ୍‌ ଖଣ୍ତିକ ଯେମିତି ଜୀବନ ରକ୍ଷାକାରୀ ଔଷଧ! ବାରଘଣ୍ଟା ଅପେକ୍ଷା। ଠେଲା ପେଲା, ମାଡ଼ପିଟ୍‌, ଧସ୍ତାଧସ୍ତି, ପୁଲିସ୍‌ର ଲାଠି ଧରି ଗୋଡେ଼ଇ ଥିବାର ଦୃଶ୍ୟ। ଷ୍ଟାଡିୟମ୍‌ର ଦର୍ଶକ-ଧାରଣ କ୍ଷମତା ୪୪ ହଜାର ୨୩୪। ସେଥିରୁ ୩୨ ହଜାରରୁ ଅଧିକ ଟିକେଟ୍‌ ଓ ପାସ୍‌ ବାବୁଭାୟାମାନେ ଘରେ ବସି ହାତେଇ ନେଇଥିଲେ। ଭଲ ଗୋଟେ ଦାମୀ ଶବ୍ଦ ପଶିଛି ଗଣତନ୍ତ୍ର ଭିତରେ। ଭି.ଆଇ.ପି। ବାକି ସାଧାରଣ ଲୋକଙ୍କ ପାଇଁ ଥିଲା ମାତ୍ର ୧୨ ହଜାର। ସେଇଥିପାଇଁ ମରଣାନ୍ତକ ପ୍ରଚେଷ୍ଟା। ଟିକେଟ୍‌ ଖଣ୍ତେ ଖଣ୍ତେ ମିଳିଯାଇଥିଲେ ପ୍ରାଣ ଶୀତଳ ହେଇଥାନ୍ତା। ସବୁକଥା ଟି.ଭି ପରଦାରେ ଦୃଶ୍ୟମାନ ହୁଏ ହେଲେ ଜୀବନକୁ ମାଡ଼ପିଟ୍‌ ଭିତରକୁ ନ ନେଲେ ମଜା କାଇଁ? ପ୍ରତ୍ୟକ୍ଷ ଅନୁଭୂତି ପାଇଁ ପ୍ରାଣ ପଛକେ ଯାଉ, ଟିକେଟ୍‌ ଖଣ୍ତେ ମିଳୁ।
ଗାନ୍ଧୀଟିଏ ଥିଲେ ସତ୍ୟାଗ୍ରହ କରିଥାନ୍ତେ ନିଶ୍ଚୟ। ଖାଲି ନୀଳଚାଷ ବା ଲୁଣମରା ବିରୋଧରେ ସତ୍ୟାଗ୍ରହ ଲୋଡ଼ା ନୁହେଁ, କ୍ରିକେଟ୍‌ର ଟିକେଟ୍‌ ବିକ୍ରି ଅନ୍ୟାୟ ପାଇଁ ବି ସତ୍ୟାଗ୍ରହ ଲୋଡ଼ା। ଯେଉଁଠି ଅନ୍ୟାୟ ରୋଗ ଧରିଛି ସେଇଠି ସହଜ ସମାଧାନ ପାଇଁ ସତ୍ୟାଗ୍ରହ ଔଷଧ ଆବଶ୍ୟକ। ଗାନ୍ଧୀଜୀ ବିଚରା ଜଡ଼ିବୁଟି ବାହାର କଲେ! ଆମେ କିନ୍ତୁ କହିଲୁ କବିରାଜୀ ଅଲୋଡ଼ା, ଏଲୋପାଥି ଦରକାର। ସେତେବେଳେ ବ୍ରିଟିସ୍‌ ନାଆଁରେ ଭାରତୀୟ ପୁଲିସ୍‌ ଭାରତୀୟଙ୍କୁ ବାଡ଼ୋଉଥିଲେ, ଏବେ ଦେଶ ନାଆଁରେ ଦେଶୀୟ ପୁଲିସ ସେଇ ଭାରତୀୟଙ୍କୁ ମାଡ଼ ମାରୁଛନ୍ତି। ମାଡ଼ ହିଁ ସତ୍ୟ। ଅନ୍ୟାୟ ଅଛି, ମାଡ଼ ବି ଅଛି। ବଦଳିଛି କ’ଣ? ସେତେବେଳେ ଲୋକେ ସମୂହ ପାଇଁ ମାଡ଼ ଖାଉଥିଲେ, ଏବେ ନିଜ ସ୍ବାର୍ଥ ପାଇଁ ମାଡ଼ ଖାଉଛନ୍ତି। କରାଳ କରୁଛନ୍ତି ଆପଣା ଜୀବନକୁ।

ଦ୍ବିତୀୟ ଖବରଟି ଅଧିକ ଜଘନ୍ୟ। ଏ ଖବର କିନ୍ତୁ ଧାରାବାହିକ। ମୋବାଇଲ୍‌ ରିଚାର୍ଜ କରି ଟପ୍‌ ଅପ୍‌ ପକାଇଲା ଭଳି ଘଟଣାଟିଏ ମନରୁ ଲିଭିବା ପୂର୍ବରୁ ଆଉ ଗୋଟିଏ ଘଟଣା ତା’ଉପରେ ମଡେ଼ଇ ହୋଇ ପଡୁଛି। ନିଆଁ ଲିଭୁନାହିଁ, ଲିଭିବାର ନାହିଁ। ସେ ଶିଖା ଲେଲିହାନ। ଅଖଣ୍ତ। ଘଟଣାର ପୂର୍ବଦିନ ହିଁ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ବନବିହାରୀ ଗାଆଁରେ ନିଶାସକ୍ତ ପୁଅ ଜଣେ ମା’କୁ ମଦ ପିଇବାକୁ ପଇସା ଦେଲାନି କାହିଁକି ବୋଲି ପିଟିପିଟି ହତ୍ୟା କରିଥିଲା। ଏବର କଥାଟି ସ୍ବାମୀ ସ୍ତ୍ରୀଙ୍କୁ ନେଇ। ଭୁବନେଶ୍ବରର ଭରତପୁର ଥାନା ଘାଟିକିଆରେ ଜଣେ ନିଶାସକ୍ତ ସ୍ବାମୀ ଅନୁରୂପ କାରଣରୁ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଛି। ନିଶା ପାଇଁ ଏ ନରପିଶାଚ ଘର ଭିତରେ ଗୋଡ଼ାଇ ଗୋଡ଼ାଇ ନିଜ ସ୍ତ୍ରୀକୁ କେବଳ ହତ୍ୟା କରିନାହିଁ, ପରେ ପରେ ଝିଅର ଗଳାକୁ ମଧୢ କାଟି ଦେଇଛି। ପୁରାଣ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଥାଉ ଥାଉ ମଦନିଶାରେ ତାଙ୍କ ଦ୍ବାରା ସ˚ଗଠିତ ଯଦୁବ˚ଶ ପରସ୍ପର ମରାମରି ହୋଇ ମଲେ। ସମସ୍ତଙ୍କ ହାତରେ ଥିଲା ଏରକା ବଣର ଗୋଟେ ଗୋଟେ ଵିକେଟ୍‌। ସେଇଥିରେ ଭୂଷାଭୂଷି ପିଟାପିଟି ହୋଇ ମଲେ ସମସ୍ତେ। ସ୍ବୟ˚ ଭଗବାନ ବି ରକ୍ଷା କରିପାରିଲେ ନାହିଁ।

ଯଦୁବ˚ଶର ଶେଷ-ଜୀବନ କଥା ଆମକୁ ଗୋଟିଏ ସନ୍ଦେଶ ଦେଉଛି। ଜୀବନ ଯେତେ ସମ୍ବଳ-ସାପେକ୍ଷ ବା ସମର୍ଥ ହେଲେ ମଧୢ ଥରେ ନିଶାରେ ପଡ଼ିଲେ ଆଗକୁ ପରିଣତି ଭୟଙ୍କର ହେବାକୁ ବାଧୢ। ଗୋପଲୀଳା, ଧର୍ମଯୁଦ୍ଧ ସହ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନକ୍ରମର ପରିଣତି ହେଲା, ‘‘ନିଶା ହିଁ ଧ୍ବ˚ସର କାରଣ’’। ସେଥିରୁ ଅତି ବଳଶାଳୀ ବୃଷ୍ଣିବ˚ଶର ବି ନିସ୍ତାର ନ ଥିଲା। ଆଜି ସାରା ଭାରତ ପାଇଁ ଖେଳଦେଖା-ନିଶା ଓ ମଦ-ନିଶା ବିଶେଷ ବିପର୍ଯ୍ୟୟର କାରଣ ସାଜିଛି। ସାଧାରଣ ଜୀବନକୁ କବଳିତ କରିଛି ଏ ଦୁଇ ନିଶା। ଏମିତିରେ ନିଶା ଶବ୍ଦଟି ଆପେ ଦୋଷାବହ ନୁହେଁ। ନିଶାର ଅସଲ ଅର୍ଥ ଶରୀର- ନିବୁଜ ସ˚ପୃକ୍ତି। ନିଶାରେ ପଡ଼ିଲେ ଶରୀରଟି ଆପେ ଅବଶ ହୋଇଯାଏ, ମନ କବଳିତ ହୁଏ। କେଉଁ ଆଡ଼କୁ କବଳିତ ହୁଏ ମନ? ପାଠନିଶା, ଗବେଷଣା ନିଶା, ଅନ୍ବେଷାର ନିଶା, ସାଧନାର ନିଶାରେ ଦେହ ଗୌଣ ମାତ୍ର ମଦ ବା ଖେଳଦେଖା ନିଶାରେ ଉଭୟ ଦେହ ଓ ମନ ଦୁଇଟି ଯାକ ଅବଶ ହୋଇଯାନ୍ତି। ଦେହ ତ ଅବଶ ହୁଏ ମାତ୍ର ମନ ଆଉ କାହାର କବଳରେ ପଡେ଼। ତେଣୁ ଅଣାୟତ୍ତ ହୁଏ।

ଖେଳିବା ଓ ଖେଳ ଦେଖିବା ଦୁଇଟି ଭିନ୍ନ କଥା। ଖେଳିବାର ଉପଯୋଗିତା ଅନେକ, ମାତ୍ର ଖେଳ ଦେଖିବାର ଉପକାରିତା ଦୁଇଟି ଶବ୍ଦରେ ସୀମିତ। ତାହାହେଲା ‘ଉତ୍ତେଜନା’ ଓ ‘ମନୋରଞ୍ଜନ’। ବିଶେଷ କରି କ୍ରିକେଟ୍‌ ଭଳି ଖେଳରେ ଦୀର୍ଘ ସମୟର ଶରୀର-ନିବୁଜ ସ˚ପୃକ୍ତି ଦେଖଣାହାରୀକୁ ଯେଉଁ ଉତ୍ତେଜନା ଓ ସୁଖ ଦିଏ ତା’ ତୁଳନାରେ ଅନେକ କ୍ଷତି ମଧୢ କରେ। ପରୋକ୍ଷରେ ଜିଣିବାର ଉତ୍ତେଜନାକୁ ଧରି ବସିଥିବା ଦୁର୍ବଳ ମନଟି ବେଳେବେଳେ ଅଦୃଶ୍ୟର ଶିକାର ହୋଇଯାଏ। କ୍ରିକେଟ୍‌ ଖେଳ ଦେଖୁ ଦେଖୁ ନିଜ ସପକ୍ଷ ଦଳର ପରାଜୟରେ ହୃଦ୍‌ଘାତ କାରଣରୁ ପ୍ରାଣତ୍ୟାଗ କରିଥିବା ଲୋକଙ୍କ ଉଦାହରଣ ସମ୍ଭବ ହୁଏ। ପରାଜୟକୁ ସମ୍ଭାଳି ନ ପାରି ଦେହରେ କିରୋସିନି ଢାଳି ମରିବାର ଅସମ୍ଭବ କଥାଟିଏ ବି ଘଟିଯାଏ କେଉଁଠି କେଉଁଠି। ଖେଳ ଖେଳିଲେ ବ୍ୟାୟାମ ହୁଏ। ମନ ଓ ଶରୀରର ସଞ୍ଚାଳନ କ୍ଷମତା ବୃଦ୍ଧି ପାଏ। ବିଚାର ବି ତାଜା ହୁଏ। ଅଙ୍ଗପ୍ରତ୍ୟଙ୍ଗ ଭିତରେ ଜୀବନ ପଶେ। ହେଲେ ଘଣ୍ଟା ଘଣ୍ଟା, ଦିନି ଦିନ ବସି ଖେଳ ଦେଖିଲେ? ଦେହ ଅବଶ ହୁଏ, ମନ କବଳିତ ହୁଏ ଓ ବିଚାରରେ ଦ୍ବେଷ, ଘୃଣା, ପକ୍ଷପାତିତା ସୃଷ୍ଟିହୁଏ। ଖାସ୍‌ ସେଇଥିପାଇଁ ଅତୀତରେ ଗ୍ରୀକ ସମ୍ରାଟ୍‌ମାନେ ଲୋକଙ୍କୁ ଗ୍ଲାଡିଏଟର୍‌ ଲଢ଼େଇରେ ଦେଖଣାହାରୀ କରି ବସାଉଥିଲେ ଦିନ ଦିନ। ସ୍ପେନ୍‌ରେ ଯେ ଷଣ୍ତ ଲଢ଼େଇ ତା’ପଛରେ ଏଇ ଖେଳଦେଖା ନିଶାର ମୋହିନୀ ମନ୍ତ୍ର ଭରି କରିଥିଲେ ସେତେବେଳକାର ଶାସକମାନେ। ଖେଳ ଦେଖିବା ପାଇଁ ଯେଉଁ ବୈକଲ୍ୟ ସେକଥା ଆଜି ଦେଶ, ରାଜ୍ୟ, ପଡ଼ୋଶୀ, ପରିବାର ଏପରିକି ନିଜର ମୌଳିକ କର୍ତ୍ତବ୍ୟ ପାଇଁ ମଧୢ ନାହିଁ। ଖେଳର ବିଶେଷ କଥାଟି କିନ୍ତୁ ଲୁକ୍‌କାୟିତ। ଖେଳ ମାତ୍ରେ ସେଥିରେ ହାର ଜିତ୍‌ ନିଶ୍ଚିତ। ତାସ୍‌ ଖେଳରୁ ଆରମ୍ଭ କରି କ୍ରିକେଟ୍‌ ଖେଳଯାଏ ସବୁଠି ବିଜୟ ଓ ପରାଜୟ। ପିଲାଦିନୁ ଥିଲା ଲୁଚକାଳିରୁ ଆରମ୍ଭ କରି ବୋହୂଚୋରୀ ଓ ବୋହୂବୋହୂକା ବା ଡାବଲ-ପୁଆ ଭଳି ଖେଳ। ତାହା କେଉଁ ଶିକ୍ଷା ଦିଏ ଆମକୁ?

ଜୀବନ ବି ଗୋଟେ ଖେଳ। ଅନ୍ଧାର, ଆଲୁଅ ତଥା ଜୟ, ପରାଜୟରେ ଭରା ସମସ୍ତଙ୍କର ଜୀବନ। ସେଇ କଥାକୁ ପ୍ରତିଟି ଖେଳରେ ଆମେ ପ୍ରତ୍ୟକ୍ଷ କରୁ ପିଲାଦିନୁ। ହସି ଖେଳି ଉଡେ଼ଇ ଦେଉ ଜୟ ପରାଜୟକୁ। ଜୀବନକୁ ଗଢୁ। ଜୟ ଭଳି ପରାଜୟକୁ ସାମନା କରିବାର ସାମର୍ଥ୍ୟ ପାଉ ନିଜ ଭିତରେ। ଖେଳ ଦେଖିବାର-ନିଶା କିନ୍ତୁ ଆମକୁ ସେସବୁ କଥା ଦିଏ ନାହିଁ। ଏହା ମାଧୢମରେ ଆମେ ନିଜ ଶରୀର ଓ ମନକୁ ଦୁର୍ବଳ କରିବାରେ ସହଯୋଗ ଦେଉ। ଅନେକ ବୟସ୍କ ଲୋକ ଭାବନ୍ତି ଖେଳ ଦେଖି ତାଙ୍କ ମନ ତାଜା ହେଉଛି ମାତ୍ର ଅସଲ କଥା ହେଲା ସେ ସମୟରେ ଅନ୍ୟବାଟେ ସେ ନିଜ ଲାଗି ଅଧିକ ତାଜାପଣ ଓ ଅନ୍ୟ ଲାଗି ଯଥେଷ୍ଟ ଶୁଭଙ୍କର ହୋଇପାରିଥାନ୍ତେ। କେଉଁ ଘରେ ସ୍ତ୍ରୀ ବା ବୋହୂ କିମ୍ବା ପିଲାମାନେ ଘରର ବୟସ୍କ ମୁରବିଟି ଏମିତି ବସି ବସି ଖେଳ ଦେଖିଲେ ସୁଖ ପାଇବେ? ସାନମାନଙ୍କ ଉପରେ ଏହାର କୁପ୍ରଭାବ ପଡ଼ିବ ନିଶ୍ଚୟ। ଅନ୍ୟପଟେ ମଦ ନିଶା। କେଉଁ ଅତୀତ କାଳରୁ ସାମାଜିକ ଭାବେ ପୋଥିପୁରାଣରୁ ଆରମ୍ଭ କରି ବିଭିନ୍ନ ଧର୍ମଶାସ୍ତ୍ରମାନଙ୍କରେ ସୁଦ୍ଧା ଏ ସମ୍ପର୍କରେ କୁହାଯାଇଛି। ମଦ ଯେ କେବଳ ଶରୀର ଓ ମନକୁ ନିସ୍ତେଜ କରିଦିଏ ସେ କଥା ନୁହେଁ ଚେତନାକୁ ମଧୢ କଳୁଷିତ କରିପକାଏ। ମଣିଷଟି ହିତାହିତ ଭୁଲି ଏଭଳି କୁକର୍ମ କରିବସେ ଯେ ସଚେତନ ହେବାପରେ ସେ ତାହା କରିଛି ବୋଲି ନିଜେ ବିଶ୍ବାସ କରିପାରେ ନାହିଁ।

କ୍ରିକେଟ୍‌ ଖେଳ ଦେଖିବାକୁ ଲୋକେ ରାତି ରାତି ଅନିଦ୍ରା ହୋଇ ଧାଡ଼ି ବାନ୍ଧିବା କଥା ପଡ଼ିଥିଲା। ମାତ୍ର କରୋନା ମହାମାରୀ କାଳରେ ପ୍ରଥମେ ଯେତେବେଳେ ଦୋକାନ ବଜାର ଖୋଲିଲା ସେତେବେଳେ ପନିପରିବା, ମାଛମା˚ସ, ତେଜରାତି ବା ଔଷଧ ଦୋକାନରେ ଏମିତି ଧାଡ଼ି ଲାଗି ନ ଥିଲା ଯେମିତି ଲାଗିଥିଲା ମଦଦୋକାନଗୁଡ଼ିକ ଆଗରେ। ଅନେକଙ୍କ ପାଇଁ ହଠାତ୍‌ ମଦ ପାଲଟି ଗଲା ନିର୍ବାଣ ମହୌଷଧି। ମଦ ବିକା କାଉଣ୍ଟର‌୍‌ରେ ଲୋକେ ବାଦୁଡ଼ି ଭଳି ଝୁଲିବାରେ ଲାଗିଲେ। ମଦ କାରଣରୁ ଘର ଉଜୁଡୁଛି, ସମାଜ ଉଜୁଡୁଛି, ଦେଶ ବି ଉଜୁଡୁଛି। ଅଥଚ ଗଣବୋଧୀ ସରକାରମାନେ ମଦର ସୌଦାଗର ପାଲଟୁଛନ୍ତି। ମଦକୁ ସ୍ବାସ୍ଥ୍ୟପ୍ରତି ହାନିକାରକ ବୋଲି ଘୋଷଣା କରି ଖୋଦ୍‌୍‌ ଶାସକମାନେ ମଦ ବିକ୍ରିକୁ ପ୍ରୋତ୍ସାହିତ କରୁଛନ୍ତି। ଆଶ୍ଚର୍ଯ୍ୟର କଥା ‘‘କ୍ଷୁଧାମୃତ୍ୟୁ’’ର କାରଣ ସରକାର ହାତକୁ ନେଇ ମାଗଣା ବା ଅଳ୍ପ ଦାମ୍‌ରେ ଖାଦ୍ୟବସ୍ତୁ ଯୋଗାଇ ଦେବାର ଭାର ନେଉଛନ୍ତି ମାତ୍ର ‘‘ମଦମୃତ୍ୟୁ’’ ବେଳକୁ ସେ ଉଦାରତା ପ୍ରକାଶ ପାଉ ନାହିଁ।

ଆମ ସମ୍ବିଧାନରେ ତିନୋଟି କାରଣରୁ ଦେଶରେ ଆପାତକାଳୀନ ଜରୁରୀ ପରିସ୍ଥିତି ଘୋଷଣା କରିବାର ବ୍ୟବସ୍ଥା ଅଛି। ଗୋଟିଏ ହେଲା ବାହ୍ୟଶତ୍ରୁ ଆକ୍ରମଣ, ଅନ୍ୟଟି ଆଭ୍ୟନ୍ତରୀଣ ଗଣ୍ତଗୋଳ ଓ ତୃତୀୟଟି ଅର୍ଥନୈତିକ ବ୍ୟାପକ ଅସଫଳତା। ଆମେ କ’ଣ ସ୍ବୀକାର କରିବା ନାଇଁ ଯେ ଭାରତରେ ସବୁଠାରୁ ଭୟାନକ ଆଭ୍ୟନ୍ତରୀଣ ଗଣ୍ତଗୋଳର କାରଣ ଏବେ ଏଇ ମଦନିଶା?

ଖେଳଦେଖା-ନିଶାକୁ ସହି ହେବ ମାତ୍ର ମଦ-ନିଶାକୁ ନୁହେଁ। ଆଜିର ଯେ କରାଳ ଜୀବନ ତା’ର କାରଣ ଏହି ମଦ। କହିବାର ଅଛି, ଆମ ଜୀବନ ଆମ ହାତରେ। ସରକାର ନ କଲେ ନାହିଁ, ଘରେ ଘରେ ମଦ-ସତ୍ୟାଗ୍ରହ ପାଳନ କରି ଏବେ ଆମକୁ ମଣିଷ ଭଳି ବଞ୍ଚିବାକୁ ଚେଷ୍ଟା କରିବା ଉଚିତ୍‌। ଅନ୍ୟଥା ଆମେ ସମସ୍ତେ ଅଚିରେ ରୁଗ୍‌ଣ ଫୁଲଗଛ ପାଲଟିଯିବା। ଆଉ ଜୀବନ-ଫୁଲ ଫୁଟିବ ନାହିଁ। ଜୀବନ ହଜେଇଦେବ ବଞ୍ଚିବାର ସାର୍ଥକତା।
[email protected]

ସମ୍ବନ୍ଧିତ ଖବର