ପ୍ରାପ୍ତି-ସ୍ବୀକାରର ଅଧିକାର ଓ ସଚେତନତା

ବାଘାମ୍ବର ପଟ୍ଟନାୟକ

ଭାରତୀୟ ସମ୍ବିଧାନର ୩୫୦ ଧାରା ପ୍ରତ୍ୟେକ ବ୍ୟକ୍ତିକୁ ଯେ କୌଣସି ବ୍ୟବହୃତ ଭାରତୀୟ ଭାଷାରେ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଯେ କୌଣସି ସରକାରୀ ଅଧିକାରୀଙ୍କୁ ତାଙ୍କର ଅଭିଯୋଗ ଦେଇ ପାରିବାର ଅଧିକାର ଦେଇଛି। ଏହାକୁ ତର୍ଜମା କଲେ ପ୍ରତ୍ୟେକ ବ୍ୟକ୍ତିର ସରକାରୀ କାର୍ଯ୍ୟାଳୟରୁ ଲିଖିତ ପ୍ରାପ୍ତି-ସ୍ବୀକାର ପାଇବାର ଅଧିକାର ରହିଛି। ପ୍ରାପ୍ତି-ସ୍ବୀକାରର ଅର୍ଥ ହେଉଛି ଅଧିକାରୀ ଜଣକ ଅଭିଯୋଗ ପାଇଲେ ବୋଲି ସ୍ବୀକାର କରିବା। ଏହା ସ୍ୱଚ୍ଛତାର ପ୍ରମାଣ। ୨୦୦୫ ମସିହାରେ ଭାରତର ପାର୍ଲିଆମେଣ୍ଟରେ ଗୃହୀତ ହୋଇଥିବା ସୂଚନା ଅଧିକାର ଆଇନର ମୁଖବନ୍ଧରେ ପ୍ରତ୍ୟେକ ସ୍ତରରେ କାର୍ଯ୍ୟରତ ସରକାରୀ ଅଧିକାରୀମାନଙ୍କର ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଛି। ସୂଚନା ଅଧିକାର ଆଇନ ଅନୁଯାୟୀ ଦରଖାସ୍ତକାରୀ ପ୍ରାପ୍ତି-ସ୍ବୀକାର ପାଉଥିବା ବେଳେ ଓଡ଼ିଶା ବିଧାନସଭାରେ ଗୃହୀତ ହୋଇଥିବା ‘ଜନସେବା ଅଧିକାର ଆଇନ’ରେ ଦରଖାସ୍ତକାରୀ ନିର୍ଦ୍ଧାରିତ ଫର୍ମରେ ପ୍ରାପ୍ତି-ସ୍ବୀକାର ପାଇବାର ବ୍ୟବସ୍ଥା ରହିଛି। ମାତ୍ର ଯେ କୌଣସି ଦରଖାସ୍ତ ଉପରେ ପ୍ରାପ୍ତି-ସ୍ବୀକାର ପାଇଁ ଭାରତର ପାର୍ଲିଆମେଣ୍ଟରେ କିମ୍ବା ରାଜ୍ୟ ବିଧାନସଭାମାନଙ୍କରେ କୌଣସି ବିଧିବଦ୍ଧ ଆଇନ ପାରିତ ହୋଇନାହିଁ।

ଜାଣିଥିବା ଲୋକେ ଇ-ମେଲ୍‌ ଯୋଗେ ଦରଖାସ୍ତ ଦେଇ ପ୍ରମାଣ ରଖୁଥିବା ବେଳେ ହାତକୁ ହାତ ଦିଆଯାଉଥିବା ଦରଖାସ୍ତ ଉପରେ ପ୍ରାପ୍ତି-ସ୍ବୀକାର ପ୍ରାୟତଃ ଦିଆଯାଉ ନ ଥିବାରୁ ସରକାରୀ ଦପ୍ତରଗୁଡ଼ିକରେ ଲାଞ୍ଚ କାରବାର ଚାଲିଛି। ଚାଲାକ ଚତୁର ଲୋକେ ଗଳିଆ ବାଟ ଦେଇ କିମ୍ବା ପ୍ରଭାବଶାଳୀ ଲୋକଙ୍କ ସହାୟତା ନେଇ କାମ ହାସଲ କରିବାକୁ ଉଦ୍ୟମ କରୁଥିବା ବେଳେ ନିରୀହ ଲୋକେ ଦଲାଲଙ୍କ ମାଧ୍ୟମରେ ପଇସାପତ୍ର ଦେଇ କାମ ହାସଲ କରିବାକୁ ବାଧ୍ୟ ହେଉଛନ୍ତି। ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ନିର୍ବାଚିତ ପ୍ରତିନିଧିମାନେ ଲୋକଙ୍କର ଅଧିକାର ପାଇଁ ଲଢ଼ୁଥିବା ବେଳେ କେତେକ ପ୍ରତିନିଧି ଲୋକଙ୍କ ଠାରୁ ପଇସାପତ୍ର ଆଦାୟ କରି ଦଲାଲର ଭୂମିକା ନିର୍ବାହ କରୁଛନ୍ତି। ଏହା କେବଳ ଓଡ଼ିଶାର କଥା ନୁହେଁ; ସାରା ଭାରତର ଏହି ଅବସ୍ଥା। ତେଣୁ ‘ପିସି’ କାରବାର ସାରା ଦେଶରେ ଦେହସୁହା ହୋଇଯାଇଛି, ଯାହା ଫଳରେ ଜଣେ ମୁଖ୍ୟମନ୍ତ୍ରୀ ଏହି ସରଳ ସତ୍ୟକୁ ସର୍ବସାଧାରଣରେ ପ୍ରକାଶ କରି ସାରା ଦେଶରେ ଚର୍ଚ୍ଚିତ ହୋଇଛନ୍ତି। ଏହା ସତ୍ୟ ଯେ ଏକ ଗଣତାନ୍ତ୍ରିକ ଦେଶରେ ଶାସନ ଓ ପ୍ରଶାସନର ସର୍ବୋଚ୍ଚ ସ୍ତରରେ ଥିବା ବ୍ୟକ୍ତିମାନଙ୍କର ଏହି ସ୍ଥିତିକୁ ବଦଳେଇ ପାରିବାର କ୍ଷମତା ସୀମିତ। ସେମାନେ ଆଇନ ତିଆରି ଓ ତଦାରଖ କରିବେ ସିନା, ତଳ ସ୍ତରର ଅଧିକାରୀମାନେ ଏହି ଆଇନକୁ କାର୍ଯ୍ୟକାରୀ କରିବେ। ୨୦୦୩ ମସିହା ଅକ୍ଟୋବର ୩୧ ତାରିଖରେ ମିଳିତ ଜାତିସଂଘର ସାଧାରଣ ପରିଷଦରେ ଦୁର୍ନୀତି ବିରୋଧରେ ବସିଥିବା ସମ୍ମିଳନୀର ୫୮/୪ ନଂ ପ୍ରସ୍ତାବରେ ଘୋଷିତ ହୋଇଥିଲା ଯେ ଭାଗ ନେଇଥିବା ପ୍ରତ୍ୟେକ ଦେଶ ନିଜ ନିଜ ଦେଶରୁ ଦୂର୍ନୀତି ଦୂର କରିବା ଓ ଶାସନରେ ସ୍ୱଚ୍ଛତା ଆଣିବା ପାଇଁ ନିଜ ନିଜର ମୌଳିକ ନୀତି ଅନୁସାରେ ଆଇନ ଆଣିବେ।

ତଦନୁସାରେ ଭାରତ ସରକାର ଏହି ସମ୍ମିଳନୀର ଜଣେ ଅଂଶଗ୍ରହଣକାରୀ ହିସାବରେ ୨୦୧୮ ମସିହାରେ ୧୯୮୮ ମସିହାର ଦୁର୍ନୀତି ନିବାରଣ ଆଇନକୁ ଅଧିକ କ୍ରିୟାଶୀଳ କରି ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ଦଣ୍ଡିତ କରିବା ପାଇଁ ସଂଶୋଧନ କରିଛନ୍ତି। ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମଧ୍ୟ ବାଘାମ୍ବର ପଟ୍ଟନାୟକ-ବନାମ-ପୁରୀ ଜିଲ୍ଲାପାଳ ଲୋକପାଳ କେସ୍‌ ନଂ ୧୧୨ (କ)/୨୦୦୪ ଲୋକପାଳଙ୍କ ନିଷ୍ପତ୍ତି ଅନୁସାରେ ଦରଖାସ୍ତକାରୀ ଚାହିଁଲେ ତାଙ୍କ ଦରଖାସ୍ତର ପ୍ରାପ୍ତି-ସ୍ବୀକାର କରିବା ନେଇ ସମସ୍ତ ଅଧିକାରୀଙ୍କ ଦୃଷ୍ଟିକୁ ଆଣିବାକୁ ଜିଲ୍ଲାପାଳମାନଙ୍କୁ ନଂ ୧୯୯୫୩ ତା.୧୯.୦୫.୨୦୦୯ରିଖ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି। ଲୋକପାଳଙ୍କ ନିଷ୍ପତ୍ତି ଅନୁସାରେ ପ୍ରାପ୍ତି-ସ୍ବୀକାରର ଅର୍ଥକୁ ସ୍ପଷ୍ଟ କରି ଦିଆଯାଇଛି ଯେ ଦରଖାସ୍ତକାରୀ ଯଦି ଚାହାନ୍ତି ତେବେ ତାଙ୍କୁ ଡାଏରି ନମ୍ବର ଓ ତାରିଖ ଦିଆଯିବ ଅଥବା ସେ ଯଦି ସଂକ୍ଷେପରେ ଦଲିଲର ସବିଶେଷ ବିବରଣୀ ଉଲ୍ଲେଖ କରି ଏକ ଚିରୁକୁଟି ପ୍ରଦାନ କରନ୍ତି, ସେଥିରେ ଦସ୍ତଖତ ଦିଆଯିବ, ଯାହାକୁ ପ୍ରାପ୍ତି-ସ୍ବୀକାର ବୋଲି ଧରାଯିବ। ଏତଦ୍ ବ୍ୟତୀତ ଯଦି କୌଣସି ଦଲିଲର ନକଲକୁ ତା’ର ମୂଳ ନକଲ ସହିତ ଦିଆଯାଏ, ତେବେ ନକଲଟିରେ ଦସ୍ତଖତ କରି ତାରିଖ ପକେଇ ପ୍ରାପ୍ତି ମୋହର ଦିଆଯିବ। ରାଜ୍ୟ ସରକାରଙ୍କ ଜନ ଅଭିଯୋଗ ଓ ପେନ୍‌ସନ୍‌ ବିଭାଗର ନଂ ୧୮୩୬ ତା.୨୦.୦୩.୨୦୧୨ରିଖ ଚିଠିରେ ଏବଂ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ନଂ ୩୮୨୭ ତା.୧୪.୦୯.୨୦୧୭ରିଖ ଚିଠିରେ ସମସ୍ତ ବିଭାଗ, ସମସ୍ତ ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳମାନଙ୍କୁ ଆଦେଶନାମା ପଠାଯାଇ ଲୋକପାଳଙ୍କ ନିଷ୍ପତ୍ତି ମୁତାବକ ଉପରୋକ୍ତ ପ୍ରଣାଳୀରେ ଦରଖାସ୍ତର ପ୍ରାପ୍ତି-ସ୍ବୀକାର କରିବାକୁ ପଡ଼ିବ ବୋଲି କୁହାଯାଇଛି। ଯେଉଁ ଅଧିକାରୀ ଦରଖାସ୍ତ ଗ୍ରହଣ କରି‌େବ ନ‌ାହିଁ ଏବଂ ପ୍ରାପ୍ତି-ସ୍ବୀକାର ପ୍ରମାଣ ଦେବାକୁ ମନା କରିବେ, ସେମାନଙ୍କ ପାଇଁ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି।

ତା’ ଅର୍ଥ ସମସ୍ତ ଅଧିକାରୀ ଉପରୋକ୍ତ ନିୟମଗୁଡ଼ିକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ଏହି ଚିଠିରେ ଉଲ୍ଲେଖ କରାଯାଇଛି। ଓଡ଼ିଶା ସୂଚନା କମିସନଙ୍କ ନିର୍ଦ୍ଦେଶ ଓ ସୁପାରିସ ଯୋଗୁଁ ରାଜ୍ୟ ସରକାର ପ୍ରାପ୍ତି-ସ୍ବୀକାର ବ୍ୟବସ୍ଥା ଆପଣାଇଥିଲେ ସୁଦ୍ଧା ଲୋକସେବା ଭବନ ଠାରୁ ଆରମ୍ଭ କରି ପୁଲିସ ମୁଖ୍ୟ କାର୍ଯ୍ୟାଳୟ, ଥାନା ଓ ଆଂଚଳିକ ଦପ୍ତରଗୁଡ଼ିକରେ ମାଗିବା ସତ୍ତ୍ୱେ ପ୍ରାପ୍ତି-ସ୍ବୀକାର ଦିଆଯାଉ ନ ଥିବାର ଅଭିଯୋଗ ଆସୁଛି। ଏହା ଉପରେ ଓଡ଼ିଶା ମାନବାଧିକାର କମିସନ ରାଜ୍ୟ ସରକାରଙ୍କ ମତ ମାଗିଥିଲେ। ଫଳରେ ପୁନଶ୍ଚ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ତରଫରୁ ନଂ ୪୧୨୫ ତା. ୧୭.୧୨.୨୦୧୯ ରିଖ ଚିଠିରେ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରଧାନ ସଚିବ, କମିସନର-ତଥା-ସଚିବ, ସ୍ୱତନ୍ତ୍ର ସଚିବ, ସମସ୍ତ ବିଭାଗୀୟ ମୁଖ୍ୟ, ସମସ୍ତ ଆର୍‌.ଡି.ସି. ଓ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶନାମା ପଠାଯାଇ ସ୍ପଷ୍ଟ କରିଦିଆଯାଇଛି ଯେ ପ୍ରାପ୍ତି-ସ୍ବୀକାର ରସିଦ ଦେବାକୁ ଅଧିକାରପ୍ରାପ୍ତ କର୍ମଚାରୀ ଯଦି ପ୍ରାପ୍ତି-ସ୍ବୀକାର ରସିଦ ଦେବାକୁ ମନା କରନ୍ତି, ତେବେ ତାଙ୍କର ଏଭଳି ବ୍ୟବହାରକୁ ଦୁର୍ବ୍ୟବହାର ବୋଲି ବିବେଚନା କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କରାଯାଇପାରିବ।

କିନ୍ତୁ ବିଡ଼ମ୍ବନା ହେଲା, ଏହା ସତ୍ତ୍ବେ ଅଦ୍ୟାବଧି ରାଜ୍ୟର ସମସ୍ତ ପଞ୍ଚାୟତ ସମିତି, ତହସିଲ, ଥାନା ଓ ଅନ୍ୟାନ୍ୟ ସ୍ଥାନୀୟ କାର୍ଯ୍ୟାଳୟରେ ନିର୍ଦ୍ଦେଶନାମା ବା ସଚେତନତା ପହଞ୍ଚି ନାହିଁ। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ ରାଜ୍ୟ ସରକାରଙ୍କ ଠାରୁ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକଙ୍କ ନିକଟକୁ ଆସିଥିବା ୨୦୧୨, ୨୦୧୭ ଓ ୨୦୧୯ ମସିହାର ଏ ସଂପର୍କିତ ନିୟମ ଗଲା ୨୦ ଏପ୍ରିଲ, ୨୦୨୧ରେ ହିଁ ଜିଲ୍ଲା ପୁଲିସ ମୁଖ୍ୟମାନଙ୍କ ନିକଟକୁ ପଠାଯାଇଛି; ତାହା ପୁଣି ସୂଚନା କମିସନଙ୍କ ଅଦାଲତରେ ତାଙ୍କ କାର୍ଯ୍ୟାଳୟର ଜନସୂଚନା ଅଧିକାରୀ ହାଜର ହେବା ପରେ। ପୁରୀ ଜିଲ୍ଲାରେ ଏକ ତହସିଲ କାର୍ଯ୍ୟାଳୟରେ ପ୍ରାପ୍ତି-ସ୍ବୀକାର ଦିଆ ନ ଯିବାର ଅଭିଯୋଗ ଯେତେବେଳେ ତହସିଲଦାରଙ୍କ ପାଖକୁ ଗଲା, ତାଙ୍କର ଉତ୍ତର ଥିଲା ପ୍ରାପ୍ତି-ସ୍ବୀକାର କଅଣ ସେ ଜାଣି ନାହାନ୍ତି, କେବେ ହେଲେ ସେମିତି କିଛି ଦେଇ ନାହାନ୍ତି କି ଦେବେ ନାହିଁ ଯାହାକୁ ଓଡ଼ିଶା ମାନବାଧିକାର କମିସନଙ୍କ ତଦନ୍ତ ପାଇଁ ଦିଆଯାଇଛି। ଏହାର କାର୍ଯ୍ୟକାରିତା ଉପରେ ସନ୍ଦେହ ସୃଷ୍ଟି ହେଉଥିବାରୁ ଲୋକପାଳଙ୍କ ନିଷ୍ପତ୍ତି ଭିତ୍ତିରେ ଏଗୁଡ଼ିକୁ ଆଇନସିଦ୍ଧ କରାଯିବାର ଯଥେଷ୍ଟ ଆବଶ୍ୟକତା ରହିଛି। ଏଥିପାଇଁ ଓଡ଼ିଶା ବିଧାନସଭାରେ ଏକ ବିଧେୟକ ପାରିତ ହେବା ସହିତ ତଦନୁସାରେ ଓଡ଼ିଶା ରେକର୍ଡ ମାନୁଆଲ ମଧ୍ୟ ସଂଶୋଧିତ ହେବା ଦରକାର। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନିଜର ହକ୍‌ ପାଇବା ଲାଗି ବାରମ୍ବାର ଦୌଡ଼ିବାକୁ ପଡ଼ୁଛି ଏବଂ ଲାଞ୍ଚ ଦେବାକୁ ପଡୁଛି। ସୁତରାଂ, ନିରୀହ ଜନସାଧାରଣଙ୍କ ପାଇଁ ଏହି ପ୍ରାପ୍ତି-ସ୍ବୀକାର ନିୟମ ଏକ ମହୌଷଧି ଭଳି କାମ ଦେବ ନିଶ୍ଚୟ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହା ସୁଶାସନ ପ୍ରତିଷ୍ଠା କରିବାରେ ସହାୟକ ହେବ, ଯାହା କି ଅଭିଯୋଗକାରୀର ସଶକ୍ତୀକରଣ ବୋଲି କହିଲେ ଭୁଲ‌୍ ହେବ ନାହିଁ।

ଏହି ନିୟମ ମାନବାଧିକାର ସୁରକ୍ଷାକାରୀଙ୍କ ସ୍ଥିତିକୁ ଦୃଢ଼ କରିବ। ୧୯୯୮ ମସିହା ଡିସେମ୍ବର ୯ ତାରିଖରେ ମିଳିତ ଜାତିସଂଘ ସାଧାରଣ ପରିଷଦର ୫୩/୧୪୪ ନଂ ପ୍ରସ୍ତାବରେ ଗୃହୀତ ମାନବାଧିକାର ସୁରକ୍ଷାକାରୀଙ୍କ ଅଧିକାର ସମ୍ପର୍କୀୟ ଘୋଷଣାନାମା ଅନୁଯାୟୀ ପ୍ରତ୍ୟେକ ଲୋକ ମୌଳିକ ଅଧିକାର ହନନ ସମ୍ପର୍କରେ ନିଜ ଦେଶର ଆଇନ ଅନୁସାରେ ପ୍ରଶାସନିକ କିମ୍ବା ବିଚାର ବିଭାଗୀୟ କିମ୍ବା ଆଇନ ପ୍ରଣୟନକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ, ଯେଉଁମାନେ କୌଣସି ଅନାବଶ୍ୟକ ବିଳମ୍ବ ନ କରି ସେମାନଙ୍କର ନିଷ୍ପତ୍ତି ଦେବେ। ଏହି ପରିପ୍ରେକ୍ଷୀରେ ପୀଡ଼ିତଙ୍କ ଲାଗି ଦରଖାସ୍ତ ଲେଖାଇ ଏବଂ ସେମାନଙ୍କ ଅଭିଯୋ‌ଗର ପ୍ରାପ୍ତି-ସ୍ବୀକାର ଅଣାଇ ସେମାନଙ୍କ ଲାଗି ନ୍ୟାୟ ଦେବାର ବ୍ୟବସ୍ଥା ମାନବାଧିକାର କର୍ମୀମାନେ କରିପାରିବେ। କହିବା ବାହୁଲ୍ୟ ଯେ ପ୍ରାପ୍ତି-ସ୍ବୀକାର ଅଧିକାର ପ୍ରକାରାନ୍ତରେ ଦୁର୍ନୀତିର ବିଲୋପରେ ସହାୟକ ହେବ। ଅଭିଯୋଗକୁ ଟାଳିବା ବା ବିଳମ୍ବ କରିବା ବା ଅସ୍ବୀକାର କରିବା ଲାଗି ସରକାରୀ କର୍ମଚାରୀ ବାହାନା ପାଇବେ ନାହିଁ। ତେବେ ବଡ଼ କଥା ହେଲା, ଏ ଅଧିକାର ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ।
ମୋ- ୯୪୩୮୦୫୯୩୩୦

ସମ୍ବନ୍ଧିତ ଖବର