ମକାପୋଡ଼ାର ସୁଆଦ

ସତ୍ୟନାରାୟଣ ଗନ୍ତାୟତ

ଚାକିରିରୁ ଅବସର ଗ୍ରହଣ କରିବାକୁ ଆହୁରି ଦି’ବର୍ଷ ବାକି ଥିବା ସତ୍ତ୍ୱେ ବାବୁରାଓ ସ୍ୱଇଚ୍ଛାରେ ଅବସର ନେଇଗଲା। ଗୋଟିଏ ବୋଲି କନ୍ୟା ସନ୍ତାନର ବାହାଘର ସାରି ଗୁଲୁଗୁଲିଆ ନାତି ଟୋକାଟେ ବି ପାଇ ସାରିଚି ସେ। ବିନା ଋଣରେ ତୋଳିଚି ଦି’ମହଲା କୋଠା, ଯାହାର ତଳ ମହଲା ଲିଜ୍‌ରେ ନେଇଛି ଗୋଟେ କମ୍ପାନି। ଏତେ ସବୁ ହାସଲ ପରେ ଆଉ ଦୁଇ ବର୍ଷ ଯାଇ ପୁଣି ସେଇ ସେଇ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କ ପି.ଏ. ହୋଇ ଖଟିବାକୁ ଆଉ ମନ ବଳିଲାନି ବାବୁରାଓର। ତ’ ଛାଡି ଦେଲା ଚାକିରି।
ସତ୍ୟେନ୍ଦୁର ପିଲାଦିନର ସାଙ୍ଗ ବାବୁରାଓ। ସବୁ କଥାରେ ସତ୍ୟେନ୍ଦୁର ପରାମର୍ଶ ଲୋଡ଼ିଥାଏ। ଏ ଚାକିରି ଛାଡ଼ିବାକୁ କିନ୍ତୁ ତାକୁ ମନା କରିଥିଲା ସତ୍ୟେନ୍ଦୁ। କହିଥିଲା- ‘ଦେଖ୍ ବାବୁରାଓ, ମୋଠୁ ସାନମାନେ ନୂଆ ସିଷ୍ଟମକୁ ସମ୍ଭାଳି ନ ପାରି ଆମ ବ୍ୟାଙ୍କ୍‌ ଚାକିରି ଛାଡ଼ି ଆଗରୁ ଅବସର ନେଇ ଯାଉଥିଲେ ବି ମୁଁ କ’ଣ ଛାଡ଼ି ଦେଉଚି?’
ହେଲେ ତା’ର ସବୁ କଥା ମାନି ଆସିଥିବା ବାବୁରାଓ ଏଇ ପରାମର୍ଶ ମାନିଲାନି।

ଚାକିରି ଛାଡ଼ିବା ପରେ ପରେ ପହିଲି ରବିବାର ଦିନ ଆସି ହାବୁଡ଼ିଗଲା ସତ୍ୟେନ୍ଦୁ ଘରେ ବାବୁରାଓ ଓ ସତ୍ୟେନ୍ଦୁକୁ କହିଲା- ‘ଗୁରୁ, ସିନେମା ହଲ୍‌ ଖୋଲା ହେଲାଣି। ନୂଆ ତେଲୁଗୁ ଫିଲ୍‌ମଟେ ଆସିଚି ଆମ ପ୍ରିୟ ରାମକୃଷ୍ଣା ଟକିଜ୍‌କୁ। ଦେଖି ବୁଲାବୁଲି କରି ଆସିବା ଯେ ଫ୍ରେସ୍ ଲାଗିବ।’ ସତ୍ୟେନ୍ଦୁକୁ ବାବୁରାଓର ପ୍ରସ୍ତାବ ମନ୍ଦ ଲାଗିଲାନି। ତଥାପି ସେ କହିଲା- ‘ଠିକ୍ ଯେ ହେଲେ ସିନେମା ଦେଖିବା ପାଇଁ ଏତେ ସମୟ ବସିବା ଅଭ୍ୟାସ ଆଉ କ’ଣ ଅଛି କି ଗୁରୁ?’ ମୋବାଇଲକୁ ଦେଖାଇ ପୁଣି କହିଲା- ‘ୟାକୁ ଫେର୍ ଅଫ୍ କରି ରଖିବାକୁ ହେବ। ତା’ ପରେ ଯେବେ ଖୋଲିବ, ନାନା ଝମେଲା ବାହାରିବେ ୟା ଭିତରୁ!’

‘ଧେତ୍ ଆମ ମଉଜଠୁ ଏ ମୋବାଇଲ ବଡ଼ କି? ଥାଉ କିଛି ଘଣ୍ଟା ଅଫ୍! ଶୋଇ ରହୁ କିଛି ସମୟ। ମନେ ପକା, ବହୁ ବର୍ଷ ତଳେ ଆମେ ମିଶି ଦେଖିଥିଲେ ତେଲୁଗୁ ଫିଲ୍‌ମ ‘ଆର୍ୟ୍ୟା’! ତୁ କେତେ ଖୁସି ହୋଇ ନ ଥିଲୁ ସତେ? ଚାଲ, ଏବେ ବି ପୁଣି ସୁରୁ କରିବା ସିନେମା ଦେଖା,’ କହିଲା ବାବୁରାଓ। ସତ୍ୟେନ୍ଦୁ ପିଛିଲା ଦିନଙ୍କ କଥା ପଡ଼ିଲେ ଏକ ରକମ ଭାବ ଭୋଳା ହୋଇଯାଏ। ସେ କହିଲା- ‘ତେବେ ଚାଲ ଗୁରୁ! ତୋ କଥା ହିଁ ରହୁ।’

ରାମକୃଷ୍ଣ ଟକିଜ୍‌ ବହୁତ ବାଗେଇ ଯାଇଚି ଏତେ ବର୍ଷ ଭିତରେ। ଏସି ଥିଏଟର ସାଙ୍ଗକୁ ସମ୍ପୂର୍ଣ୍ଣ ଡିଜିଟାଲ। ହେଲେ, ସତ୍ୟେନ୍ଦୁ କିନ୍ତୁ କିଛି ଖୋଜିଲା ଖୋଜିଲା ନଜରରେ ଚାରି ଆଡ଼କୁ ଅନାଇ ଚାଲିଥାଏ। ବାବୁରାଓ ସତ୍ୟେନ୍ଦୁର ଏ ଅନ୍ୟମନସ୍କତା ଲକ୍ଷ୍ୟ କରି ପଚାରିଲା- ‘କ’ଣ ହେଲା ଗୁରୁ? ବଡ଼ ସିରିଅସ୍‌ ହୋଇ ଇଆଡ଼େ ସିଆଡ଼େ ଅନାଇ ଚାଲିଚ ଦେଖୁଚି!’ ସତ୍ୟେନ୍ଦୁ କହି ଉଠିଲା: ଆରେ ହେ ବାବୁରାଓ, ମନେ ଅଛି, ସେତେବେଳେ ଏଠି ମକାପୋଡ଼ା ମିଳୁଥିଲା? ଏବେ ମିଳନ୍ତାନି, ଆଃ! ଶୁଣୁଶୁଣୁ ବାବୁରାଓ ଚେଙ୍ଗା ହୋଇ ଉଠିଲା ଓ କହିଲା- ‘ମିଳୁଚି ଗୁରୁ।’ ହେଲେ ଆଗ ପରି ଆପାୟାମ୍ମା ପୋଡ଼ି ପୋଡ଼ି ଦେଉଥିବା ମକାପୋଡ଼ା ନୁହଁ। ହେଇ ଦେଖ ଟକିଜ୍‌ ସାମନା ସେ ସପିଙ୍ଗ୍‌ କମ୍ପ୍ଲେକ୍‌ସକୁ। ସେଠି ଯୋଉ ରାମକୃଷ୍ଣା ଫୁଡ୍ ଜୋନ୍ ନାଇଁ? ସେଠି ମକାପୋଡ଼ା ମିଳୁଚି। ଆପାୟାମ୍ମାର ନାତି ଭାନୁ ଶଙ୍କର ହିଁ କରିଚି ସେ ଷ୍ଟଲ୍‌। ମକାପୋଡ଼‌ାରେ ସେ ଲେମ୍ବୁ ଘଷି ଲୁଣ ଲଙ୍କା ଗୁଣ୍ଡ ଆଦି ମାରି ଏତେ ସୁଆଦିଆ କରି ଦେଉଛି ଯେ କହନି! ଆରେ, ସେଇଠି ମକାପୋଡ଼ା ଖାଇ ଆମ କିଛି ମୁଣ୍ଡି ନେତା ସେ ଦୃଶ୍ୟ ଭିଡିଓ କରି ଭାଇରାଲ୍‌ କରି ନ ଥିଲେ?’
‘ଚାଲ ଆମେ ବି ମକାପୋଡ଼ା କିଣିବା ଓ ସିନେମା ଦେଖି ଦେଖି ଖାଇବା’, କହିଲା ସତ୍ୟେନ୍ଦୁ ।

‘ତା ତ ନିଶ୍ଚୟ ହେବ ଗୁରୁ, ତେବେ ଟିକେ ସବୁର କରି ଯା। ପହିଲେ ମୁଁ ଚିହ୍ନା ଲୋକ ଜଣେ ଦେଖି ତା’ ହାତରେ ମୋର ଏ ମୋବାଇଲ ଧରାଇ ଦେଇ ଆମର ମକାପୋଡ଼ା କିଣିବା ଦୃଶ୍ୟ ଓ ଏ ମକାପୋଡ଼ାକୁ ନେଇ ଆପାୟାମ୍ମାଠୁ ଆରମ୍ଭ କରି ଏବେ ତା’ ନାତି ଭାନୁଶଙ୍କର ଦେଇ ଏ ରାମକୃଷ୍ଣା ଟକିଜ୍‌ ଯାଏ ରହି ଆସିଥିବା ଆମ ପୁରୁଣା ସମ୍ପର୍କ କଥା ଏମିତି କହିବି ଯେ ଦେଖିବ ଏ ଭିଡିଓ ପୂରା ଭାଇରାଲ୍‌ ହୋଇଯିବ। ସେଇ ନେତାମାନଙ୍କ ଭିଡିଓକୁ ବି ପଛରେ ପକାଇ ଦେବ, ଉଚ୍ଚାଟିତ ହୋଇ କହିଲା ବାବୁରାଓ।’
ସତ୍ୟେନ୍ଦୁ କହିଲା- ‘ଲାଗୁଚି, ଆଗକୁ ଆସୁଥିବା ମ୍ୟୁନିସିପାଲିଟି ନିର୍ବାଚନରେ କିଛି ନ ହେଲେ ବି ଅନ୍ତତଃ କାଉନସିଲରଟେ ବନି ଯିବାର ମହାନ ପଲିଟିକାଲ ଉଦ୍ଦେଶ୍ୟ ପେଟରେ ସାଇତି ରଖିଚୁ ଗୁରୁ! ତେଣୁ ଚାକିରି ଛାଡୁ ଛାଡୁ ସିନେମା ଦେଖା ନାଁରେ ଏମିତି ସାହିବୁଲା ଭଳି କାର୍ଯ୍ୟକ୍ରମଟିଏ ବେଳ ହୁଁ ସୁରୁ କରି ଦେଇଚୁ!’
ଏହା ଶୁଣି ବାବୁରାଓ ଚିରାଚରିତ ଢଙ୍ଗରେ କହିଲା- ‘ଆଇଓ ସିନ୍ତି ନାଇଁ ଗୁରୁ, ହେଲେ ଚାନ୍‌ସ୍ ମିଳିଲେ ମାତ୍ର ଛାଡ଼ିବାର ନାଇଁ! ମକାପୋଡ଼ା ଖାଇଲେ ସିନା ଜାଣି ହେବ ତା’ ସୁଆଦ!’
[email protected]

ସମ୍ବନ୍ଧିତ ଖବର