ଗଣତନ୍ତ୍ରର ହାଲ୍‌: ଜ୍ଞାନୋଦୟର ଅବକ୍ଷୟ, ଗଣତନ୍ତ୍ରରେ ସଙ୍କଟ

ସୁଧାଂଶୁ ଷଡ଼ଙ୍ଗୀ

କେତେକ ମୂଲ୍ୟବୋଧର ଆଧାରକୁ ନେଇ ଆଧୁନିକ ଉଦାରବାଦୀ ଗଣତନ୍ତ୍ର ପ୍ରତିଷ୍ଠିତ ହୋଇଛି। ଏହି ଚିନ୍ତା ଧାରାଗୁଡ଼ିକ ଜ୍ଞାନୋଦୟ ବା ‘ଏନ୍‌ଲାଇଟେନ୍‌ମେଣ୍ଟ୍‌’ (୧୬୫୦-୧୭୫୦) କାଳରେ ପାଶ୍ଚାତ୍ୟ ଜଗତ୍‌ରେ ପ୍ରଥମେ ପ୍ରାଧାନ୍ୟ ବିସ୍ତାର କଲା। ଏମାନଙ୍କ ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ବୈଜ୍ଞାନିକ ଚିନ୍ତା ଧାରା ଓ ବ୍ୟକ୍ତିର ଅଧିକାରକୁ ନେଇ ନୂଆ ସାମାଜିକ ଚେତନା। ବର୍ତ୍ତମାନ ପୃଥିବୀରେ ଦୁଇଟି ସ୍ଥିତି ଦେଖା ଦେଇଛି। ପ୍ରଥମ, ପ୍ରତିଷ୍ଠିତ ଗଣତନ୍ତ୍ରମାନଙ୍କରେ ଜ୍ଞାନୋଦୟର ମୂଲ୍ୟବୋଧଗୁଡ଼ିକ ଉପରେ ବ୍ୟବସ୍ଥିତ ଢଙ୍ଗରେ ଆକ୍ରମଣ ହେଉଛି, ଯାହା ସେ ଦେଶମାନଙ୍କରେ ଗଣତନ୍ତ୍ରର ନିଅଁକୁ ଦୁର୍ବଳ କଲାଣି। ଦ୍ବିତୀୟ, ଅନ୍ୟ ଦେଶମାନଙ୍କରେ ପାଶ୍ଚାତ୍ୟ ସାମ୍ବିଧାନିକ ବ୍ୟବସ୍ଥା ଅନୁକରଣ କରାଯାଇଥିଲେ ମଧ୍ୟ ଆବଶ୍ୟକ ମୂଲ୍ୟବୋଧ ଚେର ଧରୁନି। ତେଣୁ ଗଣତନ୍ତ୍ର ପୂର୍ଣ୍ଣାଙ୍ଗ ହୋଇପାରୁନି ବା ଭୁଶୁଡ଼ିଲାଣି।

ଜର୍ମାନ ଦାର୍ଶନିକ ଇମାନୁଏଲ୍ କାଣ୍ଟ୍‌ଙ୍କ ଭାଷାରେ ଜ୍ଞାନୋଦୟ ସହ ମଣିଷ ନିଜ ଉପରେ ଲଦି ଦେଇଥିବା ଅପରିପକ୍ୱତାରୁ ମୁକ୍ତି ପାଏ। ଏଥର ସେ ନିଜ ପାଇଁ ନିଷ୍ପତ୍ତି କରିବ। ଅଳସୁଆ ହୋଇ କୁହା-ଶୁଣା କଥା ଆଖି ମୁଜି ଗ୍ରହଣ କରିବ ନାହିଁ। ପରିପକ୍ୱତାର ସହ ସବୁଥିପାଇଁ ପ୍ରମାଣ ଖୋଜିବ। କୌଣସି ଅନ୍ଧବିଶ୍ୱାସକୁ ବା ଅଲୌକିକତାକୁ ସ୍ୱୀକାର କରିବନି। ନିଜ ଜ୍ଞାନ ଓ ପରାକାଷ୍ଠା ବଳରେ ସବୁ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବ। ଜ୍ଞାନର ବିକାଶ ଯୋଗୁଁ ସମାଜରେ ପ୍ରଗତି ହେବ। ପୂର୍ବରୁ ଲୋକେ ସ୍ୱୀକାର କରୁଥିଲେ ଯେ ରାଜାଙ୍କୁ ଶାସନ କରିବା ପାଇଁ ଇଶ୍ୱର ଜନ୍ମଗତ ଅଧିକାର ଦେଇଛନ୍ତି। ତେଣୁ, ପ୍ରଜାଙ୍କ କର୍ତ୍ତବ୍ୟ ହେଲା ରାଜାଙ୍କ ପ୍ରତି ନିଷ୍ଠା ପ୍ରଦର୍ଶନ କରିବା। କିନ୍ତୁ ଜ୍ଞାନୋଦୟ ପରେ ମଣିଷ ନିଷ୍ପତ୍ତି କଲା ଯେ ଭଗବାନ କାହାକୁ ଆମ ଉପରେ ହାକିମାତି କରିବାକୁ ଅଧିକାର ଦେଇନାହାନ୍ତି। ଶାସକର କୌଣସି ଜନ୍ମଗତ ଅଧକାର ନାହିଁ। ବରଂ ପ୍ରତ୍ୟେକ ମଣିଷର କେତେକ ଅଛିନ୍ନ ଅଧିକାର ଅଛି, ଯାହାକୁ ଜ୍ଞାନୋଦୟର ଅନ୍ୟତମ ପୁରୋଧା ଜନ୍ ଲକ୍ ‘ପ୍ରାକୃତିକ ଅଧିକାର’ ଭାବେ ନାମିତ କରିଛନ୍ତି। ମଣିଷ ଏକ ‘ସାମାଜିକ ଚୁକ୍ତି’ ଦ୍ୱାରା ରାଷ୍ଟ୍ର ସୃଷ୍ଟି କରେ ଓ ଶାସକ ନିଯୁକ୍ତି କରେ। ଏହି ଚୁକ୍ତିର ମୂଳ ସର୍ତ୍ତ ହେଲା ମଣିଷର ସମାନତା ଓ ସ୍ୱାଧୀନତାର ଅଧିକାରକୁ ସୁରକ୍ଷିତ ରଖିବା ଏବଂ ସମାଜରେ ଶାନ୍ତି ଓ ପ୍ରଗତି ଆଣିବା। ତେଣୁ, ରାଷ୍ଟ୍ର କ୍ଷମତା ସୀମିତ, ସର୍ତ୍ତମୂଳକ। ଆନୁଗତ୍ୟ ନିଃସର୍ତ୍ତ ହେଲେ ଶାସକ ନୂଆ ଭଗବାନ ହେଇଯିବ। ଜନତା ପ୍ରଜା ହୋଇ ଶାସକଙ୍କ ନିକଟରେ ନିଜକୁ ସମର୍ପିତ କରିବ। ଶାସକ ଜନତାର ପ୍ରଶ୍ନ ନୁହେଁ, କୀର୍ତ୍ତନ ଶୁଣି ବିଭୋର ହେବ, ସ୍ମିତ ହାସ୍ୟରେ ପ୍ରଜାଙ୍କୁ ଦର୍ଶନ ଦେବ। ଶାସକର ‘ମୁଁ’ ଚାରିଆଡ଼େ ପ୍ରତିଧ୍ୱନିତ ହେବ, ଜନତାର ‘ଆମେ’ କ୍ଷୀଣ ହୋଇଯିବ। ଜନତା ହିଁ ପ୍ରକୃତରେ ସାର୍ବଭୌମ ଓ ସମସ୍ତ ରାଜନୈତିକ କ୍ଷମତାର ଉତ୍ସ। ଆମେରିକାରେ ଦକ୍ଷିଣ ପନ୍ଥୀ ଷଡ୍‌ଯନ୍ତ୍ରବାଦୀ ଗୋଷ୍ଠୀ କ୍ୟୁଆନନ୍‌ର ସଦସ୍ୟମାନେ ଚିନ୍ତା କରନ୍ତି ଯେ ସୈତାନକୁ ପୂଜା କରୁଥିବା ଓ ଶିଶୁମାନଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ଏକ ଆନ୍ତର୍ଜାତିକ କୁଚକ୍ରୀ ଗୋଷ୍ଠୀ ପୃଥିବୀକୁ ଶାସନ କରୁଛନ୍ତି। ଟ୍ରମ୍ପ ଦୁଷ୍ଟ ଶାସକମାନଙ୍କୁ ଧ୍ୱଂସ କରି ଈଶ୍ୱରଙ୍କୁ ଧରା ପୃଷ୍ଠକୁ ଫେରାଇ ଆଣିବେ। ଯଦି ଏହିଭଳି କାରଣକୁ ଗ୍ରହଣ କରି ଲୋକେ ଭୋଟ୍ ଦେବେ, ତେବେ ଗଣତନ୍ତ୍ର ଅର୍ଥହୀନ ହେବ।

ମଣିଷ ଅତି ସହଜରେ ମିଥ୍ୟା, ଗୁଜବ ଓ କୁସଂସ୍କାରରେ ବିଶ୍ୱାସ କରେ। ଆମେ ହଜାର ହଜାର ବର୍ଷ ଧରି ଏପରି କରିଆସିଛେ। ତେଣୁ ଗଣତନ୍ତ୍ରରେ ନିର୍ବାଚିତ ହେଉଥିବା ନେତାମାନେ ଏହି ଦୁର୍ବଳତାର ସୁଯୋଗ ନେଇ ବିଶ୍ୱସ୍ତ ସମର୍ଥକ ସୃଷ୍ଟି କରିବା ଆଦୌ ଅସମ୍ଭବ ନୁହେଁ। ଜ୍ଞାନୋଦୟ ସମୟରେ ମଣିଷ ପ୍ରଶ୍ନ ପଚାରିବା ଶିଖିଲା। ସମାଜରେ ସବୁ ପ୍ରସଙ୍ଗରେ ବିତର୍କ ହେଲା। ବୈଜ୍ଞାନିକ ପ୍ରଣାଳୀରେ ସତ୍ୟ ଅନୁସରଣ କଲା। ଗଣତନ୍ତ୍ରକୁ ଧ୍ୱଂସ କରିବାକୁ ହେଲେ, ପ୍ରଥମେ ସତ ଓ ମତ ମଧ୍ୟରେ ପାର୍ଥକ୍ୟ ଦୂର କରିବାକୁ ହେବ। ନିଜ ବୁଦ୍ଧି ବିବେକକୁ ଆତ୍ମସମର୍ପଣ କରିବାକୁ ଲୋକଙ୍କୁ ପ୍ରବର୍ତ୍ତାଇବାକୁ ହେବ। ସତ୍ୟ ପର ଦୁନିଆର ଏହା ବାସ୍ତବିକତା। କିଏ ସତ କହୁଛି ଓ କିଏ ଅସତ୍ୟ ପ୍ରଚାର କରୁଛି; ତାହା ବୁଝିବା କଷ୍ଟ। ଶାସକ ଜାଣି ଗଲେଣି ଯେ ନିରଙ୍କୁଶ ଶାସନ ପାଇଁ ଆଗ ଭଳି ସୈନିକ ଶକ୍ତି ବା ଦମନର ଆବଶ୍ୟକତା ନାହିଁ। କେବଳ ପ୍ରଚାରର ମାଧ୍ୟମ ଉପରେ ନିୟନ୍ତ୍ରଣ ଦରକାର ଓ ଏଭଳି ନିଷ୍ପ୍ରଭ ବୁଦ୍ଧିଜୀବୀ ଦରକାର ଯେଉଁମାନେ ମିଥ୍ୟା ବିରୋଧରେ କିଛି କହିବେ ନାହିଁ ବା କହିଲେ ମଧ୍ୟ ଲୋକେ ଶୁଣିବେ ନାହିଁ। ଏହା ଛଡ଼ା ଆବଶ୍ୟକତା ଅନୁସାରେ ବ୍ୟକ୍ତି ସ୍ୱାଧୀନତା, ଖୋଲା ବିତର୍କ ଓ ଅଭିବ୍ୟକ୍ତିର ଅଧିକାରକୁ ନିୟନ୍ତ୍ରଣ କଲେ ପୁଣି ଜ୍ଞାନୋଦୟର ପୂର୍ବ ସ୍ଥିତି ଫେରିବ। ଲୋକେ ପ୍ରମାଣ ଓ ଯୁକ୍ତିଯୁକ୍ତତା ଖୋଜିବା ବନ୍ଦ କରିଦେବେ। ଏକ ପାଖିଆ ତଥ୍ୟ ପାଇବେ ଓ ତାକୁ ଆଖି ମୁଜି ଗ୍ରହଣ କରିବେ। ଜନତାଙ୍କୁ ଅନୁଗତ ଟିଭି ଚାନେଲ୍, ଖବର କାଗଜ ଓ ବୁଦ୍ଧିଜୀବୀଙ୍କ ଦ୍ୱାରା କବଳିତ କରି ସମାଜରେ ଚିନ୍ତା ଚେତନାକୁ ପାତାଳି କରିବାକୁ ହେବ। ତେଣିକି ଭୋଟ୍ ଏକ ଔପଚାରିକତା ହେବ। ଶାସକ ନିରଙ୍କୁଶ କ୍ଷମତା ଉପଭୋଗ କରିବ।

ଡିକାର୍ଟ ଓ ଫ୍ରାନ୍‌ସିସ୍ ବେକନ୍ ପାଶ୍ଚାତ୍ୟ ଚିନ୍ତାଧାରାରେ ନୂଆ ଯୁଗ ଆରମ୍ଭ କଲେ। ବୈଜ୍ଞାନିକ ପ୍ରମାଣ ଜ୍ଞାନକୁ ସିଦ୍ଧ ବା ଅସିଦ୍ଧ କଲା। ଯିଏ ବର୍ତ୍ତମାନର ଜ୍ଞାନକୁ ଅସିଦ୍ଧ କରିବ ବା ନୂଆ କିଛି କହିବ, ସେ ହେବ ଶ୍ରେଷ୍ଠ ବୈଜ୍ଞାନିକ। ଯିଏ ପ୍ରମାଣ କରି ଦେଖେଇଦେବ ଯେ ନିଉଟନ୍ ବା ଆଇନ୍‌ଷ୍ଟାଇନ୍ ଭୁଲ୍, ଲୋକେ ତା’ର ଜୟ-ଜୟକାର କରିବେ। କାର୍ଲ ପପର୍‌ଙ୍କ ଭାଷାରେ, ବିଜ୍ଞାନ ସବୁବେଳେ ପ୍ରତିଷ୍ଠିତ ଜ୍ଞାନକୁ ଅସିଦ୍ଧ ପ୍ରମାଣ କରିବାକୁ ଚେଷ୍ଟା କରେ। ଏହାର ବିପରୀତ, ଏକଛତ୍ରବାଦୀ ଶାସକ ଚାହେଁ ଯେ ତାକୁ ଲୋକେ ଠିକ୍ ପ୍ରମାଣିତ କରନ୍ତୁ। ସେଥିପାଇଁ ଶାସକ ଓ ତାଙ୍କ ପାରିଷଦମାନେ ଜ୍ଞାନୀ ଲୋକଙ୍କୁ ହନ୍ତସନ୍ତ କରନ୍ତି। ତାଙ୍କର ସବୁ ବେଳେ ସନ୍ଦେହ ହୁଏ ଯେ ଏହି ବୁଦ୍ଧିଜୀବୀମାନେ ବୈଜ୍ଞାନିକ ଚିନ୍ତାଧାରା ଅନୁସରଣ କରିବେ। ଶାସକଙ୍କ ହଁରେ ହଁ ଭରିବେନି। ଫ୍ରାନସିସ୍ ବେକନ୍ ଲେଖିଲେ ‘ଜ୍ଞାନ ହିଁ କ୍ଷମତା’। କିନ୍ତୁ ଗଣତନ୍ତ୍ରରେ କ୍ଷମତା ବହୁ ମତ ଉପରେ ନିର୍ଭର କରେ। ଧରନ୍ତୁ ଅନେକ ଲୋକ କହୁଛନ୍ତି ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହୁଏ। କିନ୍ତୁ, କିଛି ବୈଜ୍ଞାନିକ ବହୁ ମତର ବିପରୀତ ପ୍ରମାଣ ଦେଉଛନ୍ତି ଯେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଏ। ପ୍ରଶ୍ନ ହେଲା, ଆମେ ବହୁ ମତକୁ ଗ୍ରହଣ କରିବା ନା ବୈଜ୍ଞାନିକ ମତକୁ?

ଲୋକପ୍ରିୟବାଦୀ ଅଭିଯୋଗ କରୁଛନ୍ତି, ବିଜ୍ଞାନ ନାମରେ ବୁଦ୍ଧିଜୀବୀମାନେ ବହୁମତକୁ ରଦ୍ଦ କରୁଛନ୍ତି। ସେମାନେ ସାଧାରଣ ଲୋକଙ୍କ ସଂସ୍କୃତି, ବିଶ୍ୱାସ ଓ ଚିନ୍ତାଧାରାକୁ ନ୍ୟୂନ ଚକ୍ଷୁରେ ଦେଖୁଛନ୍ତି। ଜ୍ଞାନ ଓ ମେଧାର ଦ୍ୱାହି ଦେଇ ସମାଜର ବିଭିନ୍ନ କ୍ଷେତ୍ରକୁ ପରିଚାଳନା କରୁଛନ୍ତି। ତେଣୁ ସମାଜରୁ ପ୍ରତିଷ୍ଠିତ ବୁଦ୍ଧିଜୀବୀ, ବୈଜ୍ଞାନିକ ବିତାଡ଼ିତ ହୁଅନ୍ତୁ। ନିର୍ବାଚନ ଜିତି କ୍ଷମତାକୁ ଆସୁଥିବା ଶାସକ ଓ ତାଙ୍କ ସମର୍ଥକ ମିଶି ସତ୍ୟ କ’ଣ ନିର୍ଦ୍ଧାରଣ କରିବେ। ଯେଉଁଠି ବିଜ୍ଞାନ ପସନ୍ଦ ହେବ, ସେଠି ସେମାନେ ବିଜ୍ଞାନକୁ ଗ୍ରହଣ କରିବେ, ଯେଉଁଠି ନ ହେବ, ସେଠି ବୈଜ୍ଞାନିକ ଚିନ୍ତାଧାରାକୁ ଜଳାଞ୍ଜଳି ଦିଆଯିବ। ଜ୍ଞାନୋଦୟ ପରେ ଜନ୍ମ ନୁହେଁ, ବିଦ୍ୟା, ବୁଦ୍ଧି, ଦକ୍ଷତାକୁ ନେଇ ବିଭିନ୍ନ ସଂସ୍ଥାରେ ଲୋକ ନିଯୁକ୍ତ ହେଉଛନ୍ତି। ଟ୍ରମ୍ପଙ୍କ ଭଳି ନେତା ବ୍ୟକ୍ତିଗତ ଭକ୍ତିଭାବ ବା ଆନୁଗତ୍ୟ ଭିତ୍ତିରେ ନିଯୁକ୍ତି ଦିଅନ୍ତି। ସେମାନଙ୍କୁ ଯିଏ ସୁହାଇବ, ସେ ବିଦ୍ୱାନ। ଏଭଳି ସ୍ଥିତିରେ ସମାଜ ଜ୍ଞାନୀ ଲୋକଙ୍କ ସେବା ଓ ନେତୃତ୍ୱରୁ ବଞ୍ଚିତ ହୁଏ। ଚାଟୁକାର ଶାସକଙ୍କୁ ଘେରି ରହନ୍ତି; ସମାଜର ମୁଣ୍ଡି ହେଇଯାଆନ୍ତି। ବୈଜ୍ଞାନିକ ଚିନ୍ତାଧାରା ଓ ମେଧା ଭିତ୍ତିକ ନିଯୁକ୍ତିକୁ ନେଇ ମଣିଷ ଅଭୂତପୂର୍ବ ପ୍ରଗତି କରିଛି। ସତ୍ୟ ଓ ମେଧାର ନିଷ୍ପତ୍ତି ଇଚ୍ଛାଧୀନ ହେଲେ ଗଣତନ୍ତ୍ର ଭୁଲୁଣ୍ଠିତ ହେବ।
ଆଧୁନିକ ବିଜ୍ଞାନ ପ୍ରାଧାନ୍ୟ ହାସଲ କରିବା ପୂର୍ବରୁ ମଣିଷ ଭୂତ, ପ୍ରେତ, ପିଶାଚ, ଡାହାଣୀ ଓ ବିଭିନ୍ନ ଅଲୌକିକତାରେ ବିଶ୍ୱାସ କରୁଥିଲା। ୧୩୪୬ ମସିହାରୁ ୧୩୫୩ ମସିହା ମଧ୍ୟରେ ପ୍ଲେଗ୍ ମହାମାରୀରେ ଦଶ କୋଟିରୁ ଅଧିକା ଲୋକ ମୃତ୍ୟବରଣ କରିଥିଲେ। ହଇଜା, ବସନ୍ତ ଭଳି ନାନା ମହାମାରୀ ହୋଇ ବଡ଼ ବଡ଼ ସହର ମାସ କେତେଟାରେ ମୂଳପୋଛ ହେଇ ଯାଉଥିଲା। ଚାରି ଆଡ଼େ ଦାରିଦ୍ର୍ୟ, ନିରକ୍ଷରତା ଓ କୁସଂସ୍କାର ଭରି ରହିଥିଲା। ଏଭଳି ଅସୁରକ୍ଷାର ପରିସ୍ଥିତିରେ ଲୋକେ ପ୍ରମାଣ ଖୋଜିବା ବା କ୍ଷମତାରେ ଥିବା ଲୋକଙ୍କୁ ପ୍ରଶ୍ନ କରିବାର ସାହସ ଜୁଟେଇବା କଷ୍ଟକର ଥିଲା। ଡରୁଆ ଲୋକ ପାଇଁ ସମ୍ବିଧାନରେ ଅଭିବ୍ୟକ୍ତିର ଅଧିକାର ଅର୍ଥ ରଖେନା। ଅଧିକାର ବହିରେ ଲେଖା ଥାଏ, କିନ୍ତୁ ଲୋକେ ଏହାକୁ ସାବ୍ୟସ୍ତ କରନ୍ତି ନାହିଁ। ଏକ ଛତ୍ରବାଦୀ ଶାସକ ଚାହେଁ ଲୋକେ ବିଜ୍ଞାନ ପୂର୍ବ ସ୍ଥିତିକୁ ମାନସିକ ସ୍ତରରେ ଫେରି ଯାଆନ୍ତୁ, ପ୍ରଶ୍ନ କରିବାକୁ ଡ଼ରନ୍ତୁ। ସେମାନଙ୍କୁ କେହି ଭୁଲ୍ ବୋଲି ପ୍ରମାଣିତ କରିବାକୁ ଉଦ୍ୟମ ନକରୁ। ଜ୍ଞାନ ଓ ମେଧା କ୍ଷମତାର ସ୍ରୋତ ନ ହେଉ। ସମାଜର ବିଭିନ୍ନ ଅଙ୍ଗକୁ ଜ୍ଞାନୀଲୋକ ନେତୃତ୍ୱ ଦେଲେ ଶାସକ ‘ମେରି ମର୍ଜି’ର ଶାସନ ଚଳାଇବା କଷ୍ଟକର। ସ୍ୱାଧୀନ ବିଜ୍ଞାନୀଙ୍କୁ ଦମନ କରି ଚୁପ୍ କରିଦେଲେ ବା କଳାପାଣି ପଠେଇ ଦେଲେ, ସାଧାରଣ ଲୋକଙ୍କୁ ସହଜରେ ବୋକା ବନେଇ ହେବ।

ଗଣତନ୍ତ୍ର ପୂର୍ବରୁ ସୁରକ୍ଷା ଓ ସମ୍ମାନ କେବଳ ଶାସକକୁ ମିଳେ। ରାଜାଙ୍କର ଜୟଜୟକାର ହୁଏ। ରାଜା ଓ ପାରିଷଦ ଛାଡ଼ି ଦେଲେ, ଅନ୍ୟମାନେ ହେଲେ ପ୍ରଜା। ରାଜା ନିରଙ୍କୁଶ କ୍ଷମତାର ଅଧିକାରୀ ଏବଂ ଲୋକଙ୍କ ନିକଟରେ ଉତ୍ତରଦାୟୀ ନୁହନ୍ତି। ପ୍ରଜାର ଅଧିକାର ଓ ଆତ୍ମମର୍ଯ୍ୟାଦା ନଥାଏ। ରାଜା ଯେତେବେଳେ ଚାହିଁବେ, ଯେ କୌଣସି ପ୍ରଜାର ମୁଣ୍ଡ କାଟ ହେବ। ରାଜା ଭଲ କାମ କରି ପ୍ରସଂଶିତ ହେବେ। ସାଧାରଣ ଲୋକ ଭଲ କାମ କଲେ ଚୁପ୍ ରହିବେ। ଧରମା ଦଧିନଉତି ବସେଇଲା ପରେ ସମୁଦ୍ରକୁ ଲମ୍ପ ଦେଇ ସବୁ ଦିନ ପାଇଁ ନିଶ୍ଚିହ୍ନ ହେଇଯିବ। ଗଣତନ୍ତ୍ରରେ ସମସ୍ତଙ୍କର ସମ୍ମାନ ଥାଏ। ଯେତେବେଳେ ଗଣତନ୍ତ୍ର ଦୁର୍ବଳ ହୁଏ, ସମସ୍ତେ ନୁହେଁ, କେବଳ ଶାସକର ସୁରକ୍ଷା ଓ ସମ୍ମାନ ଗୁରୁତ୍ୱ ରଖେ। ଜ୍ଞାନୋଦୟ ସହ ମଣିଷ ସମାଜ ନିଷ୍ପତ୍ତି କଲା ଯେ ଧର୍ମ, ଲିଙ୍ଗ, ଜାତି ନିର୍ବିଶେଷରେ ସବୁ ମଣିଷ ସମାନ। ସମସ୍ତଙ୍କ ସଂସ୍କୃତି, ବିଶ୍ୱାସ ଓ ମତ ପ୍ରତି ଆମେ ସହିଷ୍ଣୁ ହେବା। ପ୍ରତ୍ୟେକ ମଣିଷକୁ ମଣିଷ ପରି ଦରଦୀ ହୋଇ ବ୍ୟବହାର କରିବା। ଅନୁକମ୍ପା, ଦୟା ସମାଜର ମୂଲ୍ୟବୋଧ ହେବ। ଏପରିକି ଜଘନ୍ୟ ଅପରାଧ କରିଥିବା ବ୍ୟକ୍ତିର ମଧ୍ୟ ଅଧିକାର ରହିବ। ରାଷ୍ଟ୍ର ଚାହିଁଲେ ମଧ୍ୟ ଆଇନଗତ ପ୍ରକ୍ରିୟା ବାହାରେ କାହାକୁ ଦଣ୍ଡ ଦେବ ନାହିଁ। ଅପରାଧୀର ହାତ କାଟିବା, ଆଖି ତାଡ଼ିବା ବା ହଜାର ହଜାର ଲୋକଙ୍କ କରତାଳି ମଧ୍ୟରେ ଶୂଳିରେ ଚଢ଼େଇବା ଭଳି ନିଷ୍ଠୁରତାରୁ ମଣିଷ ଦୂରେଇ ଗଲା। ମାନବିକ ଅଧିକାର ଓ ମାନବିକବାଦ ଆଜି ବିଶ୍ୱର ସାମୁହିକ ନୀତି। ଏବେ ବିଭିନ୍ନ ଦେଶରେ ଧାର୍ମିକ ଓ ଜାତିଗତ ଅସହିଷ୍ଣୁତା ବଢ଼ିଛି। ସମାଜର କିଛି ବର୍ଗଙ୍କୁ ସମାନ ନାଗରିକ ଭାବେ ଗ୍ରହଣ କରିବାକୁ ଅନେକ ଅରାଜି। ସମାଜ ଓ ରାଷ୍ଟ୍ର ମାନବ ବାଦର ମୌଳିକ ଆଦର୍ଶରୁ ଦୂରେଇଲେ ଗଣତନ୍ତ୍ରର ଅବକ୍ଷୟ ହେବା ସ୍ୱାଭାବିକ।

ଆଧୁନିକ ଉଦାରବାଦୀ ଗଣତନ୍ତ୍ର ବ୍ୟକ୍ତି ଅଧିକାର, ସତ୍ୟ ଓ ମାନବ ବାଦକୁ କାର୍ଯ୍ୟକାରୀ କରିବାର ଏକ ବ୍ୟବହାରିକ ପ୍ରକ୍ରିୟା। କିନ୍ତୁ ଏହି ମୌଳିକ ଆଦର୍ଶଗୁଡ଼ିକ ଚାଲିଗଲେ, ସମ୍ବିଧାନରେ ଯାହା ବି ଲେଖା ହେଉ ବା ନିର୍ବାଚନ ଯେତେ ନିୟମିତ ହେଉ; ସମାଜ ଗଣତାନ୍ତ୍ରିକ ହେବ ନାହିଁ। ବିନା ନିଅଁରେ ଗଣତନ୍ତ୍ରର ବହୁତଳ ପ୍ରାସାଦ ତୋଳା ଯାଇ ପାରିବ ନାହିଁ। ଶହ ଶହ ବର୍ଷ ଉଦ୍ୟମ ହେବ, କିନ୍ତୁ ଘରଟି ଯେତିକି ସୁନ୍ଦର କରି ଉପରକୁ ଗଢ଼ିଲେ ମଧ୍ୟ ବାରମ୍ବାର ଭୁଶୁଡ଼ିବ। ସେହିଭଳି, ଯେଉଁଠି ଗଣତନ୍ତ୍ର ପୂର୍ଣ୍ଣାଙ୍ଗ, ସେଠି ଘରକୁ ଭୁଶୁଡ଼େଇବାର ଉପାୟ ହେଲା ନିଅଁକୁ ଦୁର୍ବଳ କରିବା। ଜ୍ଞାନୋଦୟର ଦାର୍ଶନିକ ଉପଲବ୍‌ଧିକୁ ଅଧିକ ଗଭୀରତାର ସହ ବୁଝିବାକୁ ହେବ ଓ ଏଥିପ୍ରତି ସମାଜରେ ନିଷ୍ଠା ସୃଷ୍ଟି କରିବାକୁ ହେବ। ସମ୍ରାଟ୍ ଷୋଡ଼ଶ ଲୁଇ ଓ ରାଣୀ ମେରୀ ଅନ୍ତୋନେତ୍‌ଙ୍କୁ ଈଶ୍ୱରଙ୍କ ପ୍ରତିନିଧି ବୋଲି ସ୍ୱୀକାର କରୁଥିବା ଫରାସୀମାନେ ମାସ କେତେଟାରେ ସେମାନଙ୍କୁ ହତ୍ୟା କରିଥିଲେ। କିନ୍ତୁ ସେଥିପାଇଁ ସବୁ ଦେଶ ଓ କାଳରେ ମୂଲ୍ୟବୋଧ ପ୍ରତି ନିଷ୍ଠା ଓ ଅଙ୍ଗୀକାରବୋଧ ସୃଷ୍ଟି କରି ପାରିଲା ଭଳି ରୁଷୋ, ଭୋଲ୍‌ଟାୟାର୍‌ଙ୍କ ଭଳି ବୁଦ୍ଧିଜୀବୀ ଦରକାର। ନ ହେଲେ ଗଣତନ୍ତ୍ରରୁ କର୍ପୂର ଉଡ଼ିଯିବ, କନା ରହିଯିବ।
ଲେଖକ ଜଣେ ବରିଷ୍ଠ ଆଇପିଏସ୍‌ ଅଫିସର;
ମତ ବ୍ୟକ୍ତିଗତ

ସମ୍ବନ୍ଧିତ ଖବର