‘ମୁଁ କ’ଣ? ଏସୀୟ, ଇଉରୋପୀୟ, ନା ଆମେରିକାନ୍‌? ନିଜ ଭିତରେ ବିଭିନ୍ନ ବ୍ୟକ୍ତିତ୍ବର ଏକ କୌତୂହଳପ୍ରଦ ମିଶ୍ରଣ ମୁଁ ଅନୁଭବ କରେ।’- ସ୍ବାମୀ ବିବେକାନନ୍ଦ

Advertisment

୧୮୭୩ରେ ସମାଜ ସ˚ସ୍କାରକ ଜ୍ୟୋତିରାଓ ଫୁଲେ, ଜାତି-ପ୍ରଥା ବିରୋଧୀ ଏକ ତୀବ୍ର ସମାଲୋଚନାମୂଳକ ପୁସ୍ତକ ପ୍ରକାଶ କରିଥିଲେ। ମରାଠୀ ଭାଷାରେ ଲିଖିତ ପୁସ୍ତକର ନାମ- ‘ଗୁଲାମଗିରି’। ଏହାକୁ ଇ˚ଲିସ୍‌ ଭାଷାରେ ‘ଉତ୍ସର୍ଗ’ କରାଯାଇଥିଲା। ‘ଉତ୍ସର୍ଗ’ରେ ଲେଖକ ଯୁକ୍ତରାଷ୍ଟ୍ର ଆମେରିକାର ‘ଭଲ ଲୋକ’ଙ୍କର ପ୍ରଶ˚ସା କରିଥିଲେ, ଯେଉଁମାନେ ଦାସ-ପ୍ରଥା ପ୍ରତି ଅନାଗ୍ରହୀ ଥିଲେ ଏବ˚ ଏହାର ଉଚ୍ଛେଦ ପାଇଁ ନିଷ୍ଠା ଓ ନିଃସ୍ବାର୍ଥତାର ସହ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଥିଲେ। ମାର୍କିନ୍‌ ସ˚ସ୍କାରକମାନଙ୍କଠାରୁ ଭାରତୀୟମାନେ ଶିକ୍ଷା କରିବେ, ସାମାଜିକ ନ୍ୟାୟ ପ୍ରତି ସେମାନଙ୍କ ଆନ୍ତରିକତାକୁ ଏକ ମହାନ୍‌ ଦୃଷ୍ଟାନ୍ତ ଭାବେ ଗ୍ରହଣ କରିବେ ଏବ˚ ବ୍ରାହ୍ମଣମାନଙ୍କ ଦୌରାତ୍ମ୍ୟ କବଳରୁ ଶୂଦ୍ର ଭାଇମାନଙ୍କୁ ମୁକ୍ତ କରିବେ ବୋଲି ଫୁଲେ ସେଥିରେ ଆଶା ପୋଷଣ କରିଥିଲେ।

ପ୍ରଧାନମନ୍ତ୍ରୀ ସ˚ସଦରେ ନିଜ ଭାଷଣରେ ‘ନିନ୍ଦନୀୟ ବୈଦେଶିକ ଧ୍ବ˚ସାତ୍ମକ ଆଦର୍ଶ’ ବିରୋଧରେ ଭାରତୀୟଙ୍କୁ ଚେତାବନୀ ଦେବା ସ˚ପର୍କିତ ବିବରଣୀ ପାଠ କରୁଥିବା ବେଳେ ଫୁଲେଙ୍କର ‘ଉତ୍ସର୍ଗ’ ମନେପଡ଼ିଲା। ଏକ ପକ୍ଷରେ ଏକଲା ସ˚ଘର୍ଷ କରିଥିବା ମହାନ୍‌ ବିଶ୍ବଜନୀନ ସ˚ସ୍କାରକ ବନାମ ଅନ୍ୟ ଜାତି-ଧର୍ମର ବିଦେଶୀଙ୍କୁ ଭଲ ପାଉ ନ ଥିବା ଭାରତର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତିଙ୍କ ପାଗଳାମି। ଏବେ ଆମେ ଏକ ସ୍ବାଧୀନ ରାଷ୍ଟ୍ର ଭାବେ ଗର୍ବ ଅନୁଭବ କରୁଛେ; ତେବେ, ଏହା ସ୍ପଷ୍ଟ ଯେ, ଔପନିବେଶିକ ଶାସନ ଅଧୀନରେ ଥିବା ବେଳେ ଆମର ହିନ୍ଦୁ ମନ ଅଧିକ ଉନ୍ମୁକ୍ତ, ପ୍ରଶସ୍ତ ଓ ପ୍ରସାରିତ ଥିଲା।

ସାରା ଊନବି˚ଶ ଶତାବ୍ଦୀ ତଥା ବି˚ଶ ଶତାବ୍ଦୀର ଅନେକ ଦଶନ୍ଧି ପର୍ଯ୍ୟନ୍ତ ହିନ୍ଦୁ ସମାଜର ନେତାମାନେ ଏହାର ଦୁର୍ବଳତା ସ˚ପର୍କରେ ପୂର୍ଣ୍ଣ ଅବଗତ ଓ ସଚେତନ ଥିଲେ। ହିନ୍ଦୁମାନେ ଭୋଗ କରୁଥିବା ବିକଳାଙ୍ଗତାର କାରଣ ସେମାନେ ନିଜେ, ଏହା ସେମାନଙ୍କୁ ଭଲ ଭାବେ ଜଣାଥିଲା। ଆମର ବିଫଳତା ପାଇଁ ଆମକୁ ଶାସନ କରିିଥିବା ବିଦେଶୀମାନଙ୍କୁ ଦାୟୀ କରାଯାଇ ପାରିବନାହିଁ। ଆମେ ଭୋଗୁଥିବା ବିକଳାଙ୍ଗତାରୁ ମୁକ୍ତି ପାଇବା ଲାଗି ଆମକୁ ଉଭୟ ଅଭ୍ୟନ୍ତରୀଣ ଓ ବାହ୍ୟ ସମାଲୋଚନାମୂଳକ ସ୍ବରକୁ ଶୁଣିବାକୁ ହେବ; ଅନ୍ୟମାନଙ୍କର ଉପଦେଶ ଗ୍ରହଣ କରିବାକୁ ହେବ।
ହିନ୍ଦୁ ସମାଜ ସ˚ସ୍କାରର ଆଧୁନିକ ପର˚ପରା ରାଜା ରାମ ମୋହନ ରାୟଙ୍କଠାରୁ ଆରମ୍ଭ ହୋଇଥିଲା। ଏବର ହିନ୍ଦୁତ୍ବବାଦୀଙ୍କ ପରି ହିନ୍ଦୁମାନେ ଶୁଦ୍ଧ, ନିଖୁଣ ଓ ତ୍ରୁଟିହୀନ ବୋଲି ରାଜା ରାମ ମୋହନ ଭାବୁ ନ ଥିଲେ। ନିଜ ସମୟର ହିନ୍ଦୁ ନେତୃତ୍ବ ସହ ମୁଖ୍ୟତଃ ତିନିଟି କ୍ଷେତ୍ରରେ ତାଙ୍କର ମତ-ପାର୍ଥକ୍ୟ ଥିଲା ଏବ˚ ସେଗୁଡ଼ିକ ହେଲା- ମହିଳାଙ୍କ ପ୍ରତି ସେମାନଙ୍କ ଆଚରଣ, ଆଧୁନିକ ଜ୍ଞାନରେ ସେମାନଙ୍କର ଆଗ୍ରହର ଅଭାବ ଏବ˚ କାରଣ, ବିଚାର ଓ ତର୍କ ଊର୍ଦ୍ଧ୍ବରେ ଶାସ୍ତ୍ର ଉପରେ ବିଶ୍ବାସ। ଏସବୁ ବିରୋଧରେ ରାଜା ରାମ ମୋହନ ସ୍ବର ଉତ୍ତୋଳନ କରିଥିଲେ। କିଛି ଲୋକ ଜାଗ୍ରତ ହୋଇଥିଲେ ଏବ˚ ସାମାଜିକ ସ˚ସ୍କାର କର୍ମୀ ଭାବେ ଆଗକୁ ବାହାରି ଜାଗରଣକୁ ଗଭୀର କରିଥିଲେ। ଏସବୁ ଛଡ଼ା ରାଜା ରାମ ମୋହନ ବିବାହ ବୟସ ବୃଦ୍ଧି ଓ ବିଧବା ବିବାହ ସପକ୍ଷରେ ମତ ଦେଇଥିଲେ; ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ଆଧୁନିକ ଶିକ୍ଷା ପାଇଁ ଉଦ୍ୟମ କରିଥିଲେ; ଜାତି-ପ୍ରଥା ଉଚ୍ଛେଦ ପାଇଁ ମଧ୍ୟ ସାଧାରଣ ଲୋକଙ୍କୁ ଉତ୍ସାହିତ କରିଥିଲେ। ତାଙ୍କ ଉଦ୍ୟମରେ ଏକ ମୁକ୍ତ ଗଣମାଧ୍ୟମ ମାଧ୍ୟମରେ ସ୍ବାଧୀନ ଆଲୋଚନା ଓ ବିତର୍କ ପାଇଁ ବାଟ ଖୋଲିଥିଲା।

ରାଜା ରାମ ମୋହନ ବ୍ୟାପକ ଭାବେ ପାଶ୍ଚାତ୍ୟ ଭ୍ରମଣ କରିଥିଲେ ଏବ˚ ଅନେକ ପାଶ୍ଚାତ୍ୟ ବୁଦ୍ଧିଜୀବୀ ଓ ସକ୍ରିୟତାବାଦୀଙ୍କ ସ˚ସ୍ପର୍ଶରେ ଆସିଥିଲେ। ତାଙ୍କ ସ˚ପର୍କରେ ରବୀନ୍ଦ୍ରନାଥ ଠାକୁର ଲେଖିଥିଲେ- ‘ରାଜା ରାମ ମୋହନ ପ୍ରାଚ୍ୟ ପ୍ରତି ବିଶ୍ବାସଘାତକତା ନ କରି ପ୍ରସାରିତ ହୃଦୟ ଓ ବୌଦ୍ଧିକତାର ସହ ପାଶ୍ଚାତ୍ୟକୁ ଗ୍ରହଣ କରିଥିଲେ।’ ରାଜା ରାମ ମୋହନ ଥିଲେ ସ˚ସ୍କୃତ, ବାଂଲା ଓ ପାରସୀ ଭାଷାର ବିଦ୍ବାନ୍‌। ସେ ଅନ୍ୟ ଉତ୍ସରୁ ଜ୍ଞାନ ଆହରଣ ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ଭାରତର ପ୍ରକୃତ ସ˚ପଦ ତାଙ୍କୁ ଅଛପା ନ ଥିଲା; ଏବ˚ ନିଜ ଦେଶର ମହାନ ବୌଦ୍ଧିକତା ବାବଦରେ ସେ ଭଲ ଭାବେ ଅବଗତ ଥିଲେ। ପରିଣାମ ସ୍ବରୂପ ତାଙ୍କ ପାଖକୁ ଆସିଥିଲା ଏକ କଷଟି ପଥର, ଯାହା ମାଧ୍ୟମରେ ସେ ଅନ୍ୟମାନଙ୍କର ସ˚ପଦକୁ ପରୀକ୍ଷା କରିପାରିବେ।

ରାଜା ରାମ ମୋହନଙ୍କ ପରି ରବୀନ୍ଦ୍ରନାଥ ଜଣେ ବଙ୍ଗୀୟ ଭାବେ ଭାରତର ଅନ୍ୟ ଅଞ୍ଚଳ ଏବ˚ ଜଣେ ଭାରତୀୟ ଭାବେ ବିଶ୍ବର ଅନ୍ୟ ଅଞ୍ଚଳ ବାବଦରେ ଜାଣିବାକୁ ଆଗ୍ରହୀ ଥିଲେ। ରବୀନ୍ଦ୍ରନାଥଙ୍କର ବିଶ୍ବଜନୀନତା ସମସାମୟିକ ଭାରତୀୟଙ୍କ ଭଳି କେବଳ ଇଉରୋପ ଓ ଆମେରିକା ମଧ୍ୟରେ ସୀମିତ ନ ଥିଲା। ଜ୍ଞାନର ଅନ୍ବେଷଣ ତାଙ୍କୁ ଜାପାନ, ଚାଇନା, ଜାଭା, ଇରାନ ଓ ଏପରିକି ଲାଟିନ୍‌ ଆମେରିକାକୁ ମଧ୍ୟ ନେଇଥିଲା। ବିଶ୍ବ ଭ୍ରମଣର ସୁଫଳ ସ୍ବରୂପ ସେ ଗ୍ରାମୀଣ ବଙ୍ଗରେ ଏକ ବିଶ୍ବବିଦ୍ୟାଳୟ ସ୍ଥାପନ କରି, ‘ବିଶ୍ବ-ଭାରତୀ’ ଭାବେ ନାମିତ କରିଥିଲେ; ଯାହାକୁ ଆମେ ‘ଭାରତର ବିଶ୍ବ’ ଭାବେ ଅନୂଦିତ କରିପାରିବା। ସେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜ୍ଞାନର ମିଳନ ଚାହୁଁଥିଲେ। ଜାତି-ଧର୍ମ-ବର୍ଣ୍ଣ ଓ ଜାତୀୟତା ନିର୍ବିଶେଷରେ ଉଭୟ ପ୍ରାଚ୍ୟ ଏବ˚ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ବିଦ୍ବାନ୍‌ମାନେ ଏକତ୍ର ଅଧ୍ୟୟନ କରିବା, ତାଙ୍କର ବିଶ୍ବବିଦ୍ୟାଳୟ ସ୍ଥାପନର ମୂଳ ତଥା ମୁଖ୍ୟ ଲକ୍ଷ୍ୟ ଥିଲା। ଏହା ବିଶ୍ବବିଦ୍ୟାଳୟର ଜ୍ଞାପକ ପତ୍ରରେ ସ୍ପଷ୍ଟ ଉଲ୍ଲେଖିତ।

୧୯୨୦-୨୧ରେ ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲେ। ଔପନିବେଶିକ ଶାସନ କବଳରୁ ଭାରତ ମୁକ୍ତ ହେବା ରବୀନ୍ଦ୍ରନାଥ ଚାହୁଁଥିଲେ। ତେବେ, ସ୍ବାଧୀନତା ପାଇଁ ଲୋକପ୍ରିୟ ଆନ୍ଦୋଳନର ‘ବିଦେଶୀଙ୍କ ପ୍ରତି ଘୃଣା’ ପ୍ରବଣତାକୁ ନେଇ ସେ ବିବ୍ରତ ଥିଲେ। ମହାତ୍ମା ଗାନ୍ଧୀଙ୍କ ଅନୁଗାମୀମାନଙ୍କୁ ସେ ପ୍ରଶ୍ନ କରିଥିଲେ- ‘ନକାରାତ୍ମକ ଦୃଷ୍ଟିଭଙ୍ଗୀ ରଖି ଆମେ ସନ୍ତୁଷ୍ଟ ହୋଇପାରିବା କି? ଅଯଥା ଅନ୍ୟର ଛିଦ୍ର ଖୋଜି ଏବ˚ ଝଗଡ଼ା କରି ପ୍ରକୃତ ସ୍ବରାଜ ଲାଭ କରିପାରିବା କି?’ ମହାତ୍ମାଙ୍କ ସହ ଏକ ବ୍ୟକ୍ତିଗତ ସ୍ତରୀୟ ଆଲୋଚନା ବେଳେ ସେ କହିଥିଲେ- ‘ସାରା ବିଶ୍ବ ଏବେ ସ୍ବାର୍ଥପର ଓ ଦୂରଦୃଷ୍ଟିହୀନ ଜାତୀୟତାବାଦର ଶିକାର। ଆମକୁ ପାଶ୍ଚାତ୍ୟରୁ ଅନେକ କିଛି ଶିଖିବାର ଅଛି ବୋଲି ଜଣେ ଭାରତୀୟ ଭାବେ ମୁଁ ବିଶ୍ବାସ କରେ। ପୁଣି, ଅବଶିଷ୍ଟ ବିଶ୍ବ ପ୍ରତି ଆମର ଅବଦାନ ମଧ୍ୟ ରହିବା ଉଚିତ। ତେଣୁ, ପାଶ୍ଚାତ୍ୟ ପ୍ରତି ଆମେ ନିଜର ଦ୍ବାର ବନ୍ଦ କରିପାରିବାନାହିଁ। ଶିକ୍ଷା ମାଧ୍ୟମରେ ଆମକୁ ଜ୍ଞାନ ବୃଦ୍ଧି କରିବାକୁ ହେବ। ଏହା ଦ୍ବାରା ଆମେ ଅ˚ଶୀଦାରିରେ ଆଗକୁ ବଢ଼ିପାରିବା ଏବ˚ ପ୍ରକୃତରେ କିଛି ହାସଲ କରିପାରିବା।’

ରାଜା ରାମ ମୋହନ ଓ ରବୀନ୍ଦ୍ରନାଥ ଥିଲେ ଦୂରଦୃଷ୍ଟିସ˚ପନ୍ନ ବିଦ୍ବାନ୍‌। ନିଜ ସ˚ସ୍କୃତିର ସମୃଦ୍ଧି ନିମନ୍ତେ ଦୁହେଁ; ଅନ୍ୟ ସ˚ସ୍କୃତି ସହ ପୂର୍ଣ୍ଣ କ୍ରିୟାଶୀଳତା ଚାହୁଁଥିଲେ। ସେହି ସମୟର ଅନ୍ୟ ଭାରତୀୟ ସ˚ସ୍କାରକମାନେ ମଧ୍ୟ ସେମାନଙ୍କ ସହ ସମାନ ବିଚାର ପୋଷଣ କରୁଥିଲେ। ତେଣୁ, ନିଜ ପୁସ୍ତକରେ ଆମେରିକାର ଦାସ-ପ୍ରଥା କଥା ଉଲ୍ଲେଖ କରି, ଫୁଲେ ଏକ ଅନୁପ୍ରେରଣାତ୍ମକ ଦୃଷ୍ଟାନ୍ତ ଦେଇଥିଲେ। ଜାତି-ପ୍ରଥାର ଉଚ୍ଛେଦ ପାଇଁ ସେ ଆଜୀବନ ଉଦ୍ୟମ କରିଥିଲେ ଏବ˚ ଆମେରିକାରେ ଦାସ-ପ୍ରଥାର ବିଲୋପନ ତାଙ୍କୁ ତଥା ତାଙ୍କ ସାଥୀ-ସହଚରମାନଙ୍କୁ ସଦା-ସର୍ବଦା ଅନୁପ୍ରାଣିତ କରିଥିଲା। ଫୁଲେ କେବେ ଭାରତ ବାହାରକୁ ଯାଇ ନ ଥିଲେ; କିନ୍ତୁ, ତାଙ୍କର ମହାନ୍‌ ଉତ୍ତରାଧିକାରୀ ଭୀମରାଓ ରାମଜୀ ଆମ୍ବେଦକର ଯାଇଥିଲେ। ଯୁକ୍ତରାଷ୍ଟ୍ର ଆମେରିକାରେ ଶିକ୍ଷା, ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ଫୁଲେଙ୍କ ଭଳି ସେ ମଧ୍ୟ ଆମେରିକାରେ କୃଷ୍ଣକାୟଙ୍କ ପ୍ରତି ହେଉଥିବା ଅନ୍ୟାୟ ସହ ଭାରତରେ ଦଳିତଙ୍କ ପ୍ରତି ହେଉଥିବା ଅତ୍ୟାଚାର ମଧ୍ୟରେ ସାଦୃଶ୍ୟ ଅନୁଭବ କରିଥିଲେ। ନାଗରିକତ୍ବର ପରିପୋଷଣ ପାଇଁ ଶିକ୍ଷାର ଗୁରୁତ୍ବ ସ˚ପର୍କିତ ଦାର୍ଶନିକ ଜନ୍‌ ଡିଵିଙ୍କ ଶିକ୍ଷା, ଆମ୍ବେଦକରଙ୍କୁ ଜାଗ୍ରତ କରିଥିଲା।

ରାଜା ରାମ ମୋହନଙ୍କଠାରୁ ଆରମ୍ଭ କରି ଏବ˚ ଫୁଲେ, ଗୋଖଲେ, ରବୀନ୍ଦ୍ରନାଥ, ଗାନ୍ଧୀ, ପେରିୟାର, କମଲାଦେବୀ ଚଟ୍ଟୋପାଧ୍ୟାୟ ଆଦି ଦେଇ ଆମ୍ବେଦକରଙ୍କ ପର୍ଯ୍ୟନ୍ତ ଅନେକ ସମାଜ ସ˚ସ୍କାରକ ନିଜ ସମକାଳୀନମାନଙ୍କୁ ଅତୀତର ବୋଝ କବଳରୁ ଉଦ୍ଧାର କରିବା ପାଇଁ ଅବିଶ୍ରାନ୍ତ କଠିନ ପରିଶ୍ରମ କରିଥିଲେ। ସେମାନେ ଜାଣିଥିବା ଏବ˚ ଅନୁଭବ କରିଥିବା ହିନ୍ଦୁ ସମାଜ ଏକ ସଙ୍ଗେ ଅସମାନ, ଅଶିକ୍ଷିତ ଓ ପରାଧୀନ ଥିଲା। ଏହି ସ˚ସ୍କାରକମାନେ ନିଜ ସମାଜକୁ ଅଧିକ ସମାନ କରିବା ପାଇଁ ଉଦ୍ୟମ କରିଥିଲେ। ମହିଳା ଓ ଦଳିତ ବର୍ଗ ପ୍ରତି ପକ୍ଷପାତୀ ଆଚରଣର ବିରୋଧ କରିଥିଲେ। ଶିକ୍ଷାର ପ୍ରସାର କରାଇଥିଲେ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଆଦିରେ ଆଧୁନିକ ଧର୍ମ ନିରପେକ୍ଷ ଶିକ୍ଷାକୁ ପ୍ରୋତ୍ସାହନ ଦେଇଥିଲେ। ସମସ୍ତେ କିପରି ଜ୍ଞାନ ଲାଭ କରିବେ, ତାହାର ବ୍ୟବସ୍ଥା କରିଥିଲେ। ସାର୍ବଜନୀନ ଆଲୋଚନା ଓ ବିତର୍କ ମାଧ୍ୟମରେ ସମାଜକୁ ଅଧିକ ମୁକ୍ତ ଏବ˚ ଉନ୍ମୁକ୍ତ କରିବା ନିମନ୍ତେ ପଦକ୍ଷେପ ନେଇଥିଲେ।

ପିଢ଼ି ପରେ ପିଢ଼ି ଧରି ସମାଜ ସ˚ସ୍କାରକମାନଙ୍କ ଶ୍ରମ ଦ୍ବାରା ହିନ୍ଦୁ ମନ-ମଗଜ ମୁକ୍ତ-ଉନ୍ମୁକ୍ତ ହୋଇଥିଲା; ଏବ˚ ତାହା ପ୍ରତିଫଳିତ ହୋଇଥିଲା ସମ୍ବିଧାନ ସଭାରେ, ଏହାକୁ ପ୍ରସ୍ତୁତ ଓ ଲାଗୁ କରାଇବାରେ। ଆମ ସମ୍ବିଧାନରେ ବିଶ୍ବର ବିଭିନ୍ନ ଅଞ୍ଚଳର ସର୍ବୋତ୍ତମ ଓ ସଫଳ ପ୍ରୟୋଗଗୁଡ଼ିକୁ ସ୍ଥାନ ଦିଆଯାଇଥିଲା। ଆମକୁ ସୁହାଇବା ଭଳି ଇଉରୋପୀୟ ଓ ଆମେରିକୀୟ ଆଇନ ଏବ˚ ଚିନ୍ତାଧାରାଗୁଡ଼ିକୁ ନିଆଯାଇଥିଲା। ଉଲ୍ଲେଖନୀୟ ଯେ, ଅନ୍ୟ ସାମ୍ବିଧାନିକ ପର˚ପରାର ବୈଶିଷ୍ଟ୍ୟଗୁଡ଼ିକ ପ୍ରତି ଆମର ଉନ୍ମୁକ୍ତତାକୁ ‘ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ’ ଗ୍ରହଣ କରିପାରି ନ ଥିଲା। ୧୯୪୯ ନଭେମ୍ବର ଶେଷ ସପ୍ତାହରେ, ଆମ୍ବେଦକର ଆମ ସମ୍ବିଧାନର ଚୂଡ଼ାନ୍ତ ଚିଠା ଉପସ୍ଥାପନ କଲା ପରେ, ‘ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ’ର ମୁଖପତ୍ର ‘ଅର୍ଗାନାଇଜର‌୍‌’ ଏହି ମର୍ମରେ ଅଭିଯୋଗ କରିଥିଲା- ‘ଭାରତର ନୂଆ ସମ୍ବିଧାନ ବାବଦରେ ସବୁଠାରୁ ଅପ୍ରିୟ କଥାଟି ହେଲା, ଏଥିରେ ଭାରତୀୟତା ବୋଲି କିଛି ନାହିଁ। ଏଥିରେ ପ୍ରାଚୀନ ଭାରତର ସାମ୍ବିଧାନିକ ଆଇନ, ସ˚ସ୍ଥାନ, ସଭା ଆଦି କିଛି ସ୍ଥାନ ପାଇନାହିଁ।’ ଆମ ସମ୍ବିଧାନର ମୁଖ୍ୟ ସ୍ରଷ୍ଟା ଆମ୍ବେଦକରଙ୍କୁ ଜଣେ ଲେଖକ ‘ଆଧୁନିକ ଭାରତର ମନୁ’ ଭାବେ ଆଖ୍ୟାୟିତ କରିଥିଲେ। ଏହି ଲେଖକଙ୍କୁ ‘ଅର୍ଗାନାଇଜର‌୍‌’ ଏକ ଆଲେଖ୍ୟ ମାଧ୍ୟମରେ ଆକ୍ରମଣ କରିବାକୁ ଛାଡ଼ି ନ ଥିଲା। ଏହା ଲେଖିଥିଲା- ‘ଏହା ଏକ ଲିଲିପୁଟ୍‌କୁ ଏକ ବ୍ରୋବ୍‌ଡି˚ନାଗ୍‌’ ଭାବେ ଦେଖାଇବାର ଦୃଷ୍ଟାନ୍ତ। ଦେବ-ତୁଲ୍ୟ ପଣ୍ତିତ ମନୁଙ୍କ ସହ ଆମ୍ବେଦକରଙ୍କୁ ତୁଳନା କରିବା ହାସ୍ୟାସ୍ପଦ।’

ଆମ୍ବେଦକରଙ୍କ ପ୍ରତି ‘ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ’ର ଭିନ୍ନ ଦୃଷ୍ଟି, ଏହାର ଚରିତ୍ରର ପରିଚୟ ଦିଏ। ମୁଁ ପ୍ରଶ˚ସା କରିଥିବା ସମାଜ ସ˚ସ୍କାରକମାନଙ୍କ ଭାବନା ଓ ବିଚାର ସହ ‘ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ’ର ଅମେଳ ରହିଛି। ହିନ୍ଦୁମାନେ ଅନ୍ୟ ରାଷ୍ଟ୍ର ବା ସ˚ସ୍କୃତିରୁ କିଛି ଶିଖିବାର ନାହିଁ ବୋଲି ‘ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ’ ବିଶ୍ବାସ କରେ। ସାରା ବିଶ୍ବକୁ ପଢ଼ାଇବା ପାଇଁ ହିନ୍ଦୁମାନଙ୍କୁ ପୃଥିବୀକୁ ପଠାଯାଇଥିବା ଏହା କହେ। ହିନ୍ଦୁମାନଙ୍କୁ ‘ବିଶ୍ବ ଗୁରୁ’ ଭାବେ ଦେଖିବାର ଚିନ୍ତାଧାରା ‘ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ’ର ଆଦର୍ଶବାଦୀ ଏମ୍‌ଏସ୍‌ ଗୋଲଵାଲକରଙ୍କଠାରୁ ଆରମ୍ଭ ହୋଇଥିଲା।

‘ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ’ର ବିଶ୍ବ ସମ୍ବନ୍ଧୀୟ ଦୃଷ୍ଟିଭଙ୍ଗୀ ପାଗଳାମି ଓ ବିଜୟୋଲ୍ଲାସବାଦର ଏକ ବିଚିତ୍ର ମିଶ୍ରଣ। ଏକ ପକ୍ଷରେ ହିନ୍ଦୁମାନେ ବିଶ୍ବ ସ୍ତରରେ ପ୍ରଭାବ ବିସ୍ତାର କରିବାର ଘୋଷଣା ଏବ˚ ଅପରପକ୍ଷେ ଅନ୍ୟ ଧର୍ମର ଭାରତୀୟ ବିଶେଷତଃ ମୁସଲମାନ ସ˚ପ୍ରଦାୟ ଉପରେ ଆକ୍ରୋଶ ଭାବ। ଆଉ ହିନ୍ଦୁମାନଙ୍କ କେତେକ କାର୍ଯ୍ୟକଳାପ ଯୋଗୁଁ ଭାରତୀୟ ସମାଜରେ ବିଭେଦର ସୂତ୍ରପାତ ହୋଇଥିବା, ‘ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ’ ସ୍ବୀକାର କରେନାହିଁ।

ଗତ କିଛି ଦଶନ୍ଧି ଧରି ସ˚ଘ ପରିବାରର ପ୍ରଭାବ ଓ ଶକ୍ତି ବୃଦ୍ଧି ସହ ହିନ୍ଦୁ ମାନସ ସଙ୍କୁଚିତ ହୋଇଛି। ଏହା ଆଉ ମୁକ୍ତ ଭାବେ ଚିନ୍ତା କରିପାରୁନାହିଁ। ଏହା ଆତ୍ମ-ସମୀକ୍ଷା କରିବାରେ ବିଫଳ ହୋଇଛି। ଆମର ରାଜନୈତିକ ଓ ଆନୁଷ୍ଠାନିକ ଜୀବନରେ ଭାଜପା ଓ ‘ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ’ ବହୁତ ପ୍ରଭାବ ବିସ୍ତାର କରିଥିବା, ସବୁ ସ୍ତରରେ ଜଳଜଳ ଦୃଶ୍ୟ ହେଉଛି। କେନ୍ଦ୍ର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀମାନେ ବିଜ୍ଞାନକୁ ତ୍ୟାଗ କରି ଅନ୍ଧ-ବିଶ୍ବାସକୁ ବିଶ୍ବାସ କରୁଛନ୍ତି। ନାରୀ ସ୍ବାଧୀନତାକୁ ଅଣଦେଖା କରାଯାଉଛି। ପାଶ୍ଚାତ୍ୟ ବିରୋଧରେ ବିଷୋଦ୍‌ଗାର ଚାଲିଛି। ସମାଜରେ ହେଉଥିବା ଅନ୍ୟାୟ-ଅତ୍ୟାଚାର ବାବଦରେ ସାହସର ସହ ସତ୍ୟ ପରିବେଷଣ କରୁଥିବା ସାମ୍ବାଦିକ, କଳାକାର, ଲେଖକ ଓ ଚଳଚ୍ଚିତ୍ର ନିର୍ମାତା ଆଦି ସ˚ଘୀମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି।

ଊନବି˚ଶ ଶତାବ୍ଦୀରେ ଯେତେ ବେଳେ ବିମାନ ଯାତ୍ରା ସ˚ଭବ ନ ଥିଲା, ଇ˚ଟର‌୍‌ନେଟ୍‌ର ଉଦ୍ଭାବନ ହୋଇ ନ ଥିଲା, ମାନସିକ ସ୍ତରରେ ଜ୍ୟୋତିରାଓ ଫୁଲେ ସାତ ସମୁଦ୍ର ସେପାରିରେ ପହଞ୍ଚି, ଏକ ବିଦେଶୀ ରାଷ୍ଟ୍ରର ସାମାଜିକ ଅବସ୍ଥା ଅଧ୍ୟୟନ କରିପାରିଥିଲେ। ଏବେ ଏକବି˚ଶ ଶତାବ୍ଦୀରେ ବିଶ୍ବ ଅତି ନିକଟତର ହୋଇଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନିଜ ଭିତରେ ରୁନ୍ଧି ହେବା ପାଇଁ ଆମକୁ କହୁଛନ୍ତି। ଆମେ, ତାଙ୍କ କଥା ଶୁଣିବା ନାହିଁ।
(ମତା‌ମତ ଲେଖକଙ୍କ ସଂପୂର୍ଣ୍ଣ ନିଜସ୍ବ)