ପରମବୀରଙ୍କ ଚିଠି

ମହମ୍ମଦ ହିଫ୍‌ଜୁର ‌ରହେମାନ୍

ଏହା କୌଣସି ଏକ ବଲିଉଡ୍ ଥ୍ରିଲରରୁ କମ୍ ନ ଥିଲା। ଗଲା ଫେବ୍ରୁଆରି ୨୫ ତାରିଖରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବିଶ୍ବ ପ୍ରସିଦ୍ଧ ଘର ଆଣ୍ଟେଲିଆ ସାମନାରେ ବିସ୍ଫୋରକ ଭରା ଏକ କାର୍‌ ରଖି ମୁମ୍ବାଇ ଅଣ୍ଡର ୱର୍ଲଡ୍‌ ଷ୍ଟାଇଲ୍‌ରେ ବଟି ଆଦାୟ କରିବା ଲାଗି ହୋଇଥିବା ଉଦ୍ୟମ ଯେ ପୁଲିସ୍‌ ଦ୍ବାରା ରଚିତ ଏକ ଷଡ୍‌ଯନ୍ତ୍ର, ତାହା ଉନ୍ମୋଚିତ ହେବା ହିଁ ପ୍ରମାଣ କରିଥିଲା ଯେ ‘ରିଲ୍‌ ଲାଇଫ୍‌’ରେ ପୁଲିସ ଚରିତ୍ରକୁ ଯେଉଁଭଳି ଭାବେ ଦର୍ଶା ଯାଇଥାଏ ତାହା ‘ରିଏଲ୍‌ ଲାଇଫ୍‌’ର ପୁଲିସ ଠାରୁ ବିଶେଷ ଭିନ୍ନ ନୁହେଁ। ଏହା ସତ ଯେ ଭାରତର ‘ମାକ୍‌ସିମମ୍‌ ସିଟି’ ମୁମ୍ବାଇ ମହାନଗରୀ ଏଇ ନିକଟ ଅତୀତ ପର୍ଯ୍ୟନ୍ତ ଅଣ୍ଡର ୱର୍ଲ‌୍ଡ ଡନ୍‌ମାନଙ୍କ କର୍ତ୍ତୃତ୍ବାଧୀନ ଥିଲା। ବଟି ଆଦାୟ, ସୁପାରି କିଲିଂ, ଚୋରା (ଡ୍ରଗ୍‌ସ ଏବଂ ସୁନା) କାରବାର ଠାରୁ ଆରମ୍ଭ କରି ସଟ୍ଟା, ବେଟିଂ ଓ ମ୍ୟାଚ୍‌ ଫିକ୍‌ସିଂ ପର୍ଯ୍ୟନ୍ତରେ ସର୍ବତ୍ର ସେହିମାନଙ୍କ ରାଜୁତି ଥିଲା। ମୁମ୍ବାଇର ବିତ୍ତଶାଳୀ ବ୍ୟବସାୟୀମାନେ ସେମାନଙ୍କ କାରବାରରେ ସଫଳତାର ମୂଲ୍ୟ ସ୍ବରୂପ ମୋଟା ଅର୍ଥର ‘ଦାଦା ବଟି’ ଏହି ଅଣ୍ଡର ୱର୍ଲଡ୍‌ ଗ୍ୟାଙ୍ଗଷ୍ଟର୍‌ମାନଙ୍କୁ ଦେଇ ସୁରକ୍ଷାର ଅଲିଖିତ ଲାଇସେନ୍‌ସ ପାଉଥିଲେ ସିନା, ସେମାନଙ୍କ ଦ୍ବାରା ଅତ୍ୟନ୍ତ ଆତଙ୍କିତ ଅବସ୍ଥାରେ ରହୁଥିଲେ। ତେବେ, କ୍ରମେ ମୁମ୍ବାଇରେ ଅଣ୍ଡର ୱର୍ଲଡ୍‌ର ପ୍ରଭାବ ହ୍ରାସ ପାଇବାରେ ଲାଗିଛି। ଅବଶ୍ୟ, ଏଥି ଲାଗି ମୁମ୍ବାଇ ପୁଲିସକୁ ଧନ୍ୟବାଦ ଦେବାକୁ ହେବ। କିନ୍ତୁ ଏଥିରେ ନିହିତ ଥିବା ଘୋର ବିଡ଼ମ୍ବନାଟି ହେଉଛି ଯେ ସେହି ଅପସୃୟମାନ ଗ୍ୟାଙ୍ଗଷ୍ଟର୍‌ମାନଙ୍କ ସ୍ଥାନ ନେବାରେ ଲାଗିଛି ପୁଲିସ ଏବଂ ବଟି ଆଦାୟର ଧାରା ଚାଲୁ ରହିଛି। ଯଦିଓ ମୁମ୍ବାଇ ପୁଲିସର ଅପରାଧୀକରଣ ନେଇ ବିଭିନ୍ନ ସମୟରେ ସନ୍ଦେହ ପ୍ରକାଶ ପାଉଥିଲା ବା ଚାପା ଗୁଂଜରଣ ଶୁଣାଯାଉଥିଲା; ମୁମ୍ବାଇର ପୂର୍ବତନ ପୁଲିସ କମିସନର ପରମବୀର ସିଂହ ସ୍ବୟଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିବା ଏକ ବିସ୍ଫୋରକ ଚିଠି ପ୍ରକାଶ୍ୟ ହେବା ପରେ ଏ ବିଷୟ ସ୍ପଷ୍ଟ ହୋଇଯାଇଛି। ସେହି ଚିଠିରେ ପରମବୀର ସିଂହ ଅଭିଯୋଗ କରିଛନ୍ତି ଯେ ରାଜନୈତିକ ‘ବସ୍‌’ମାନଙ୍କ ତତ୍ତ୍ବାବଧାନରେ ପୁଲିସ ବଟି ଆଦାୟ କରୁଛି। ପୁଲିସମାନଙ୍କୁ ମନ୍ତ୍ରୀ ବା ନେତା ବଟି ଆଦାୟ ପରିମାଣର ଟାର୍ଗେଟ୍ ଦେଉଛନ୍ତି ଏବଂ ପୁଲିସ ତାହା ଆଜ୍ଞାବହ ଭଳି ପୂରଣ କରୁଛି। ପରମବୀରଙ୍କ ଚିଠି ଅନୁସାରେ ଗୃହ ମନ୍ତ୍ରୀ ଅନିଲ ଦେଶମୁଖ ପ୍ରତ୍ୟେକ ମାସ ପୁଲିସ ଅଧିକାରୀମାନଙ୍କୁ ଡାକି ଏଭଳି ଟାର୍ଗେଟ୍‌ ଦେଇଥାଆନ୍ତି ଯାହା ମାସକୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ରେସ୍ତୋରାଁ, ବାର୍‌ ଓ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନରୁ ଏହି ବଟି ଆଦାୟ ହୋଇଥାଏ।

ପୁଲିସ ଏବଂ ଅପରାଧୀ ଗୋଟିଏ ମୁଦ୍ରାର ଏଭଳି ଦୁଇଟି ପାର୍ଶ୍ବ ଯେ ଅନେକ ସମୟରେ ଏ ଦୁଇଟି ଭିତରେ ଥିବା ସୀମା ରେଖାଟି ମିଳାଇ ଯାଇଥାଏ। ଅପରାଧୀମାନଙ୍କୁ ଧରିବା ବଦଳରେ ସେମାନଙ୍କ ଠାରୁ ବିପୁଳ ଅର୍ଥ ଲାଭ କରି ତା’ ବଦଳରେ ସେମାନଙ୍କ ତ୍ରାଣକର୍ତ୍ତା ସାଜିବାରେ ପୁଲିସର ଭୂମିକା ପ୍ରାୟ ସର୍ବତ୍ର ଦେଖିବାକୁ ମିଳିଥାଏ। ମୁମ୍ବାଇ ଅଣ୍ଡର ୱର୍ଲଡକୁ ନିଶ୍ଚିହ୍ନ କରିବା ଲାଗି ପୁଲିସର ପ୍ରୟାସକୁ ଏଠାରେ ଏକ ଉଦାହରଣ ଭାବେ ନିଆଯାଇପାରେ। ନବମ ଦଶକର ଶେଷ ଭାଗରେ ମୁମ୍ବାଇର ଏନ୍‌କାଉଣ୍ଟର ‌େସ୍ପସାଲିଷ୍ଟମାନେ ସେଲିବ୍ରିଟି ହୋଇ ପଡ଼ିଥିଲେ। କାରଣ ସେମାନଙ୍କ ଲକ୍ଷ୍ୟଭେଦୀ ବୁଲେଟ୍‌ କବଳରୁ ଗ୍ୟାଙ୍ଗଷ୍ଟର୍‌ମାନେ ନିଷ୍କୃତି ପାଇବାର ସୁଯୋଗ ହିଁ ନ ଥିଲା। ମୁମ୍ବାଇ ଅଣ୍ଡର ୱର୍ଲଡରେ ହାହାକାର ରଟି ଯାଇଥିଲା। ସେହି ସମୟରେ ମୁମ୍ବାଇ ପୁଲିସର ପୋଷ୍ଟର ବୟ ଥିଲେ ଦୟା ନାଏକ। କିନ୍ତୁ ପରିଶେଷରେ କ’ଣ ଜଣାପଡ଼ିଲା? ଜଣାପଡ଼ିଲା ଯେ କ୍ରମେ ଦୟା ନାଏକ ନିଜେ ଏକ ଅଣ୍ଡର ୱର୍ଲଡ୍‌ ଗ୍ୟାଙ୍ଗ୍‌ ଠାରୁ ବିପୁଳ ଅର୍ଥ ନେଇ ପ୍ରତିପକ୍ଷ ଗ୍ୟାଙ୍ଗ୍‌ର ସଦସ୍ୟମାନଙ୍କୁ ଟାର୍ଗେଟ୍‌ କରି ‘ଏନ୍‌କାଉଣ୍ଟର’ ନାମରେ ହତ୍ୟା କରି ଚାଲିଛନ୍ତି। ଏଭଳି ଆହୁରି ଅନେକ ଉଦାହରଣ ରହିଛି ଏବଂ ଦେଶର ସର୍ବତ୍ର କୌଣସି ନା କୌଣସି ବାଟ‌େର ପୁଲିସର ଅପରାଧୀକରଣ ହୋଇ ଚାଲିଛି।

ତେବେ, ପରମବୀର ସିଂହଙ୍କ ଚିଠିକୁ ଏକ ଅସହାୟ ପୁଲିସ ଅଧିକାରୀର ମର୍ମଦାହ ଭାବେ ଦେଖିବା ନିର୍ବୋଧ ନିରୀହତା ମଧ୍ୟ ହୋଇପାରେ। କାରଣ, ତାଙ୍କ ଚିଠି ବାବଦରେ ସ୍ବାଭାବିକ ଭାବେ ଯେଉଁ ପ୍ରଶ୍ନ ଉଠୁଛି, ତାହା ହେଲା, ସେ ଏ ସଂପର୍କରେ ଆଗରୁ ନ ଜଣାଇ ବଦଳି ହେଲା ପରେ ତାହା ପ୍ରଘଟ କଲେ କାହିଁକି? ପ୍ରକାଶ ଥାଉ କି ମୁକେଶ ଅମ୍ବ‌ାନୀଙ୍କ ଘର ସାମନାରୁ ବିସ୍ଫେ‌ାରକ ବୋଝେଇ ଗାଡ଼ି ଜବତ ହେବା ଘଟଣ‌ାରେ ଗିରଫ ହୋଇଥିବା ପୁଲିସ ଅଧିକାରୀ ସଚିନ ୱାଜେ ପରମବୀରଙ୍କ ଘନିଷ୍ଠ ହୋଇଥିବାରୁ ପରମବୀରଙ୍କୁ କମିସନର ପଦରୁ ହଟାଇ ଦିଆଯାଇଛି। ତେଣୁ ପ୍ରତିଶୋଧ ପରାୟଣ ହୋଇ ସେ ଏଭଳି ଅଭିଯୋଗ ଆଣି ନାହାନ୍ତିି ତ? ସ୍ମରଣରେ ଥାଉ ଯେ ‘ରିପବ୍ଲିକ୍‌ ଟିଭି’ର ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କରିବା ଘଟଣାରେ ପରମବୀର ଯେଉଁ ମାତ୍ରାତିରିକ୍ତ ଉତ୍ସାହ ପ୍ରଦର୍ଶନ କରିଥିଲେ, ସେଥିଲାଗି ସେ ବିଜେପି ନେତାଙ୍କ ସମାଲୋଚନାର ଶରବ୍ୟ ହୋଇଥିଲେ। ଅଥଚ, ଏବେ ଗୃହ ମନ୍ତ୍ରୀ ଅର୍ଥାତ୍‌ ‘ଏନ୍‌.ସି.ପି.’ର ଅନିଲ ଦେଶମୁଖଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ତାଙ୍କୁ ସେହି ବି‌ଜେପି ନେତାମାନେ ତ୍ରାଣକର୍ତ୍ତା ଭାବେ ଉପସ୍ଥାପନ କଲେଣି। କେବଳ ସେତିକି ନୁହେଁ, ସୁପ୍ରିମ କୋର୍ଟରେ ପରମବୀର ଯେଉଁ ପିଟିସନ ଦାଖଲ କରିଛନ୍ତି ସେଥିରେ ଦର୍ଶାଇଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ମାମଲାରେ ବିଜେପି ନେତାଙ୍କୁ ଛନ୍ଦିବା ଲାଗି ତାଙ୍କ ଉପରେ ରାଜନୈତିକ ଚାପ ପଡ଼ୁଥିଲା। ସୁତରାଂ, ପରମବୀରଙ୍କ ଚିଠିରେ ରାଜନୈତିକ ଅଭିସନ୍ଧି ରହିଛି ବୋଲି ଏକ ଧାରଣା ଦୃଢ଼ ହୋଇଥାଏ।

ତେବେ, ଏଭଳି ଏକ ଚାଞ୍ଚଲ୍ୟକର ଘଟଣାରେ ଯାହା ଉଭୟ ହତାଶାଜନକ ଏବଂ ଉଦ୍‌ବେଗଜନକ; ତାହା ହେଲା ଆମ ଗଣତନ୍ତ୍ରକୁ ଦୃଢ଼ କରିବା ଲାଗି ରହିଥିବା ଦୁଇ ମୁଖ୍ୟ ଅନୁଷ୍ଠାନର ପ୍ରତିନିଧି (ରାଜନେତା ଓ ପୁଲିସ) ଏବେ କଳଙ୍କିତ ହୋଇ ପଡ଼ିଛନ୍ତି। ନିରଙ୍କୁଶ କ୍ଷମତା ଯେ ଦୁର୍ନୀତିଗ୍ରସ୍ତ କରାଏ, ଏହି ଆପ୍ତ ବାକ୍ୟ ଏବେ ଅଧିକରୁ ଅଧିକ ପ୍ରମାଣିତ ହେବାରେ ଲାଗିଛି। ଏହି ଘଟଣାରେ ପରମବୀରଙ୍କ ଉଦ୍ଦେଶ୍ୟ ନେଇ ହୁଏ’ତ ପ୍ରଶ୍ନ ଉଠିପାରେ ବା ନିର୍ଦ୍ଦିଷ୍ଟ ରାଜନେତାଙ୍କ ସଂପୃକ୍ତି ନେଇ ମଧ୍ୟ ଜୋର ଦେଇ କିଛି କୁହାଯାଇ ନ ପାରେ, କିନ୍ତୁ ଉଭୟ ରାଜନେତା ଓ ପୁଲିସ ଯେ ଅପରାଧର ଅନା‌େଲାକିତ ଇଲାକାରେ ଏବେ ସ୍ବଚ୍ଛନ୍ଦରେ ବିଚରଣ କରୁଛନ୍ତି, ସେ ନେଇ କାହାର ବିଶେଷ ସନ୍ଦେହ ନାହିଁ। ଏହା ଆମ ସାଧାରଣତନ୍ତ୍ର ଲାଗି ମଙ୍ଗଳକର ନୁହେଁ।

ସମ୍ବନ୍ଧିତ ଖବର