ପୁରୁଷକୈନ୍ଦ୍ରିକ ସମାଜ ବ୍ୟବସ୍ଥା ଏବଂ ପରମ୍ପରା ଅନୁସାରେ ନାରୀମାନଙ୍କୁ ଏକ ଗୌଣ ଆସନ ପ୍ରଦାନ କରାଯାଇଥାଏ। ସେମାନେ ନ୍ୟାଯ୍ୟ ଓ ନ୍ୟାୟୋଚିତ ପଦ-ମର୍ଯ୍ୟାଦାରୁ ବଞ୍ଚିତ ହୋଇଥାଆନ୍ତି। ଦେଖାଯାଇଥାଏ ଯେ ବିଭିନ୍ନ ବିପର୍ଯ୍ୟୟ ସମୟରେ ସେମାନେ ଅଧିକ ମାତ୍ରାରେ ଘରୋଇ ହି˚ସା ଓ ଦୁଷ୍କର୍ମ ଆଦିର ଶିକାର ହୋଇଥାଆନ୍ତି; ଯେମିତି କୋଭିଡ୍‌ ମହାମାରୀ ସମୟରେ ବର୍ତ୍ତମାନ ଦେଖିବାକୁ ମିଳୁଛି। କିନ୍ତୁ ଏଣେ ସମସ୍ତ ପ୍ରତିକୂଳତା ସତ୍ତ୍ବେ ମହିଳାମାନଙ୍କ ଠାରେ ତିଷ୍ଠି ରହିବାର କ୍ଷମତା ଅଧିକ। ଉଦାହରଣ ସ୍ବରୂପ ବିଶ୍ବର ଶତାୟୁଙ୍କ ଭିତରୁ ୮୫ ପ୍ରତିଶତ ହେଉଛନ୍ତି ମହିଳା; ଅର୍ଥାତ୍‌ ସେମାନେ ଅପେକ୍ଷାକୃତ ଅଧିକ ଦୀର୍ଘାୟୁ, କିନ୍ତୁ ସେମାନେ ସମୁଚିତ ସ୍ବାସ୍ଥ୍ୟସେବା ପାଇ ନ ଥାଆନ୍ତି, ସେମାନଙ୍କର ଆର୍ଥିକ ମାନଦଣ୍ତ ମଧୢ ଦୁର୍ବଳ, ପୁରୁଷଙ୍କ ତୁଳନାରେ ସେମାନଙ୍କ ଆୟ ପ୍ରାୟତଃ କମ୍‌ ଏବ˚ କର୍ମ କ୍ଷେତ୍ରରେ ସେମାନେ ଅଧିକ ଅସୁରକ୍ଷିତ। ଏହା ସହିତ ସେମାନେ ସାମାଜିକ ବାଛବିଚାର ଓ ପାତର ଅନ୍ତର ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ଉଦାହରଣ ସ୍ବରୂପ ପରିବାରରେ ପୁତ୍ର ସନ୍ତାନ ଜନ୍ମ ନ ହେଲେ ମା’କୁ ଦୋଷ ଦିଆଯାଏ, ଏପରିକି ନିର୍ଯାତନା ମଧୢ ଦିଆଯାଇଥାଏ। କିନ୍ତୁ ବିଜ୍ଞାନ କହେ ଯେ ‘ପୁଅ ହେବ କି ଝିଅ’- ଏହା ନିର୍ଭର କରିଥାଏ ପୁରୁଷ ଉପରେ।

Advertisment

ଏହି ପୃଷ୍ଠଭୂମିରେ ଜୀବ ବିଜ୍ଞାନ ଦୃଷ୍ଟିକୋଣରୁ ପ୍ରସଙ୍ଗଟିକୁ ବିଚାର କରିବା ଉଚିତ। ଜୀବମାନେ ପ୍ରଜନନ ଜରିଆରେ ବ˚ଶବିସ୍ତାର କରିଥାଆନ୍ତି। ବିବର୍ତ୍ତନ କ୍ରମରେ ମଣିଷ ସମେତ ବହୁ ଉଚ୍ଚ ଶ୍ରେଣୀର ପ୍ରାଣୀଙ୍କ ଠାରେ ଏଥି ପାଇଁ ସ୍ତ୍ରୀ ଜନନାଙ୍ଗ ଓ ପୁରୁଷ ଜନନାଙ୍ଗର ଆବିର୍ଭାବ ଘଟିଛି। ଏହା ହେଉଛି ଲିଙ୍ଗୀୟ ଦ୍ବୈତ ରୂପତା (ନାରୀ ଓ ପୁରୁଷ)ର ଭିତ୍ତି। ସେ ଦୃଷ୍ଟିରୁ ନାରୀ ଓ ପୁରୁଷ ଗୋଟିଏ ଜୀବ-ଜାତି (Species)ର ଦୁଇଟି ଅଲଗା ଅଲଗା ରୂପ। ସେମାନଙ୍କ ଭିତରେ ସ୍ବାଭାବିକ ଭାବେ ଗାଠନିକ ତଥା କ୍ରିୟାତ୍ମକ ଏବ˚ ବ୍ୟାବହାରିକ ତଥା ମନସ୍ତାତ୍ତ୍ବିକ ପାର୍ଥକ୍ୟ ରହିଛି। ତେବେ ବ˚ଶବିସ୍ତାର ସହ ସ˚ପୃକ୍ତ ଜୀବ-ଜାତିର ନିରବଚ୍ଛିନ୍ନତା ବଜାୟ ରଖିବାରେ ନାରୀର ଭୂମିକା, ଦାୟିତ୍ବ ଓ ଅବଦାନ ପୁରୁଷ ତୁଳନାରେ ଅଧିକ ଗୁରୁତ୍ବପୂର୍ଣ୍ଣ ମନେ ହୁଏ।

ଜୀବବିଜ୍ଞାନ ଅଧୢୟନରୁ ଆହୁରି ସ୍ପଷ୍ଟ ହୁଏ ଯେ ମହିଳାଙ୍କ ଶରୀର ଗଠନ, ମସ୍ତିଷ୍କ, ସ୍ନାୟୁ ଓ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟ, ହରମୋନ୍‌ ତଥା ଅନ୍ୟ ଜୈବ ରସର ଭୂମିକା, ଆନୁବ˚ଶିକୀ ପଦାର୍ଥ ରୂପରେ କ୍ରୋମୋଜୋମ୍‌ (ଗୁଣସୂତ୍ର) ଓ ଜିନ୍‌ର ଅବଦାନ, ମାନସିକତା, ଆଭିମୁଖ୍ୟ, କାର୍ଯ୍ୟଶୈଳୀ ଓ କର୍ମକୁଶଳତା ଆଦିର ତୁଳନା ନାହିଁ। ନାରୀ ଓ ପୁରୁଷଙ୍କ ତୁଳନାତ୍ମକ ଦକ୍ଷତା ସମ୍ପର୍କରେ ହୋଇଥିବା ବହୁ ଗବେଷଣାରୁ ଜଣାଯାଏ ଯେ ସେମାନେ ପୁରୁଷଙ୍କ ଠାରୁ ପାଦେ ଆଗରେ। ଛୁଆପିଲାଙ୍କ ଯତ୍ନ ସମେତ ପାରିବାରିକ ଦାୟିତ୍ବ ତୁଲାଇବା, ଚାପର ମୁକାବିଲା କରିବା ଏବ˚ ନେତୃତ୍ବ ନେବାରେ ସେମାନେ ପୁରୁଷଙ୍କ ତୁଳନାରେ ଅଧିକ ପାରଙ୍ଗମ। ସେମାନେ ବେଶ୍‌ ସହନଶୀଳ ମଧୢ; ସେ ଦୃଷ୍ଟିରୁ ସେମାନଙ୍କୁ ‘ସର୍ବଂସହା ପୃଥିବୀ’ ସହ ତୁଳନା କରାଯାଇଥାଏ।

କେବଳ ସେତିକି ନୁହେଁ, ସେମାନେ ଅଧିକ ଆତ୍ମନିର୍ଭରଶୀଳ ତଥା ନିଜ ସମସ୍ୟାର ସମାଧାନ ନିଜେ କରିପାରନ୍ତି। ତା’ ଛଡ଼ା ମେଧା ବିଶେଷଜ୍ଞ ଜେମ୍‌ସ ଫ୍ଲିନ୍‌ଙ୍କ ମତରେ ମେଧା ପରୀକ୍ଷାରେ ସେମାନଙ୍କ ପ୍ରଦର୍ଶନ ପୁରୁଷଙ୍କ ତୁଳନା‌େର ଅଧିକ ଉନ୍ନତ। ସେମାନେ ଅଧିକ ଗୁଣଗ୍ରାହୀ ଏବ˚ ସେମାନଙ୍କର ଶ୍ରବଣ ତଥା ଦୃଷ୍ଟିଶକ୍ତି ବେଶ୍‌ ପ୍ରଖର। ଇସ୍ରାଏଲ୍‌ ଆବ୍ରାମୋଭଙ୍କ ଗବେଷଣା ପ୍ରମାଣ କରିଛି ଯେ ରଙ୍ଗ ଚିହ୍ନିବାରେ ଓ ଗନ୍ଧ ବାରିବାରେ ସେମାନେ ଅଧିକ ଦକ୍ଷ। ମସ୍ତିଷ୍କରୁ କ୍ଷରିତ ‘ଅକ୍‌ସିଟୋସିନ୍‌ ହରମୋନ୍‌’ ଯୋଗୁଁ ସେମାନେ ଅଧିକ ସ୍ନେହଶୀଳ ଓ ଶାନ୍ତଶିଷ୍ଟ। ସେବାକାରୀ ନର୍ସ ବା ଡାକ୍ତର ଭାବେ ସେମାନେ ଅତ୍ୟନ୍ତ ପ୍ରଭାବୀ। ଏକା ସାଙ୍ଗରେ ବିଭିନ୍ନ ପ୍ରକାରର କାର୍ଯ୍ୟ କରିବାରେ, ଗାଡ଼ି ଚଳାଇବାରେ, କମ୍ପ୍ୟୁଟର ଚାଳନାରେ ଏବ˚ ଟଙ୍କା ପଇସା କାରବାର ତଥା ପୁଞ୍ଜିନିବେଶ କ୍ଷେତ୍ରରେ ସେମାନେ ଅଧିକ ଦକ୍ଷ। ବିଦ୍ୟାର୍ଥୀ ଭାବେ ଜ୍ଞାନ ଆହରଣ କରିବାରେ ସେମାନଙ୍କର ନିଷ୍ଠା ଓ ଆନ୍ତରିକତା ଅଧିକ ବୋଲି ଜର୍ଜିଆ ବିଶ୍ବବିଦ୍ୟାଳୟ ଓ କଲମ୍ବିଆ ବିଶ୍ବବିଦ୍ୟାଳୟର ମିଳିତ ଗବେଷଣାରୁ ଜଣାପଡ଼ିଛି।

ଆମେ ଦେବୀ ଦୁର୍ଗାଙ୍କୁ ଶକ୍ତିର ପ୍ରତୀକ ଭାବେ ପୂଜା କରିଥାଉ; ଏହାର ଜୀବ ତାତ୍ତ୍ବିକ ତାତ୍ପର୍ଯ୍ୟ ରହିଛି। ଆମ ଶରୀରର ଅସ˚ଖ୍ୟ କୋଷରେ ଅହରହ ସ˚ଘଟିତ ସମସ୍ତ କ୍ରିୟା-ପ୍ରତିକ୍ରିୟା ପାଇଁ ଆବଶ୍ୟକ ଶକ୍ତି କୋଷ ରସରେ ଥିବା ‘ମାଇଟୋକଣ୍ତ୍ରିଆ ’ନାମକ ସୂକ୍ଷ୍ମ ଅଙ୍ଗିକାରୁ ଉପଲବ୍‌ଧ ହୋଇଥାଏ। ତେଣୁ ଏହି ଅଙ୍ଗିକାକୁ କୋଷର ଶକ୍ତି କେନ୍ଦ୍ର ବା ‘ପାଵାରହାଉସ୍‌’ ବୋଲି କୁହାଯାଏ। ପ୍ରଜନନରେ ଏହା ମା’ର ଡିମ୍ବାଣୁସ୍ଥିତ କୋଷ ରସ ସହ ପରବର୍ତ୍ତୀ ପିଢ଼ିକୁ ସ˚ଚରିତ ହୋଇଥାଏ। ସବୁ ସନ୍ତାନ ମା’ର ସୌଜନ୍ୟରୁ ଏହା ପାଇଥାନ୍ତି ଏବ˚ ସକ୍ରିୟ, କର୍ମଦକ୍ଷ ଓ ଚଳଚଞ୍ଚଳ ହୋଇଥା’ନ୍ତି। ସେ ଦୃଷ୍ଟିରୁ ନାରୀ ହେଉଛି ଶକ୍ତିର ଉତ୍ସ। ତା’କୁ ଅବଳା ବା ଦୁର୍ବଳା କହିବା ସଂପୂର୍ଣ୍ଣ ଅଯୌକ୍ତିକ। ତା’ଛଡ଼ା ଆନୁବ˚ଶିକୀ ପଦାର୍ଥର ପରିମାଣ ତଥା ଜିନ୍‌ ସ˚ଖ୍ୟା ନାରୀ ଠାରେ ଅଧିକ। ଏଠାରେ ସୂଚନା ଦିଆଯାଇପାରେ ଯେ ଆମ ଶରୀରର ପ୍ରତ୍ୟେକ କୋଷରେ ୨୩ ଯୋଡ଼ା ଲେଖାଏଁ କ୍ରୋମୋଜୋମ୍‌ ଥାଏ ଏବ˚ ଏଥି ଭିତରୁ ଗୋଟିଏ ଯୋଡ଼ାକୁ ଲିଙ୍ଗ ଗୁଣସୂତ୍ର କୁହାଯାଏ। ନାରୀର ଦୁଇ ଗୋଟି ଏକ୍‌ସ (XX) କ୍ରୋମୋଜୋମ୍‌ ଏବ˚ ପୁରୁଷର ଗୋଟିଏ ଏକ୍‌ସ ଓ ଗୋଟିଏ ଵାଇ (XY) କ୍ରୋମୋଜୋମ୍‌କୁ ନେଇ ଏହି ଯୋଡ଼ା ଗଠିତ। ଗୁରୁତ୍ବପୂର୍ଣ୍ଣ ହେଲା, X ତୁଳନାରେ Y ଖୁବ୍‌ ଛୋଟ, ଏଥିରେ ମଧୢ ଖୁବ୍‌ କମ୍‌ ସ˚ଖ୍ୟକ ଜିନ୍‌ ଥାଏ। ସୁତରା˚ ପ୍ରାୟ ସବୁ ଦୃଷ୍ଟିରୁ ନାରୀମାନେ ପୁରୁଷ ତୁଳନାରେ ଅଧିକ ଉନ୍ନତ ଏବ˚ ନେତୃତ୍ବ ନେବାରେ ଅଧିକ ଦକ୍ଷ।କରୋନା ମହାମାରୀରୁ ମଧୢ ସେମାନଙ୍କର ନେତୃତ୍ବ ନେବାର ସାମର୍ଥ୍ୟ ଉପରେ ସ୍ପଷ୍ଟ ବାର୍ତ୍ତା ମିଳୁଛି।

ସୂଚନାଯୋଗ୍ୟ ଯେ ଏ ବର୍ଷ ପାଳନ କରାଯାଇଥିବା ଆନ୍ତର୍ଜାତିକ ମହିଳା ଦିବସର ବିଷୟବସ୍ତୁ ଥିଲା, ‘Women in Leadership: Achieving an Equal Future in a Covid-19 World’। ସୁତରାଂ, ସେମାନଙ୍କର ଦକ୍ଷତା ତଥା ପ୍ରଦର୍ଶନ ଦୃଷ୍ଟିରୁ ଏବ˚ ନାରୀ ପୁରୁଷ ସମତା ନିଶ୍ଚିତ କରିବା ପାଇଁ ମହିଳାଙ୍କୁ ସମୁଚିତ ଗୁରୁତ୍ବ ଦେବା ଓ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସେମାନଙ୍କୁ ଅଧିକ ସ˚ଶ୍ଳିଷ୍ଟ କରାଯିବା ବାଞ୍ଛନୀୟ।