ମହାନ୍ ଦାର୍ଶନିକ ସକ୍ରେଟିସ୍ଙ୍କ ଅନୁଯାୟୀ ଅଧିକାଂଶ ଲୋେକ କେବଳ ଜୀବନ ଅତିବାହିତ କରିଥାନ୍ତି, କିନ୍ତୁ ବଞ୍ଚିବାର କୌଶଳ ଜାଣି ନଥାନ୍ତି। ସେଥିପାଇଁ ବିଭିନ୍ନ ପରିସ୍ଥିତି ଓ ସମୟକୁ ନେଇ ଦୁଃଖ, ନୈରାଶ୍ୟ ଓ ଉଦାସ ଦ୍ବାରା ଆକ୍ରାନ୍ତ ହୁଅନ୍ତି। ସଂସାରର ଅନେକ ସୁଖ ପାଇଲା ପରେ ମଧ୍ୟ ସନ୍ତୁଷ୍ଟି ଅନୁଭବ କରିପାରନ୍ତି ନାହିଁ। ଜୀବନ ବଞ୍ଚିବାର କଳାକୁ ବୁଝିଲେ ଜୀବନର ପ୍ରତ୍ୟେକ କ୍ଷଣ ଆନନ୍ଦମୟ ହୋଇଉଠେ। କେବଳ ସେତିକି ନୁହେଁ, ଦୁଃଖ ଭୋଗ ତାକୁ ଭାଙ୍ଗି ପକାଏ ନାହିଁ।
ମୋଟାମୋଟି ଭାବେ ଜୀବନ ଦୁଇ ପ୍ରକାର ସ୍ଥିତି ଦ୍ବାରା ପ୍ରଭାବିତ ହୁଏ- ସୁଖ ଓ ଦୁଃଖ। କିନ୍ତୁ କୌଣସି ଘଟଣା ଯେତେବେଳେ ଘଟେ ତାହା ସଂପୂର୍ଣ୍ଣ ମୁକ୍ତ ଭାବେ ଘଟେ। କିନ୍ତୁ ତଦ୍ଦ୍ବାରା ପ୍ରଭାବିତ ହେଉଥିବା ଲୋକଙ୍କ ବିଚାର ହିଁ ଘଟଣାର ସ୍ବରୂପ ନିର୍ଦ୍ଧାରଣ କରିଥାଏ। ଉଦାହରଣ ସ୍ବରୂପ ହଠାତ୍ ଜୋରରେ ବର୍ଷା ହୋଇଗଲା। ଲୋକେ ସେଥି ଲାଗି ପ୍ରସ୍ତୁତ ନ ଥିଲେ। ଖରା ଦେଖି ଲୋକେ ବାହାରେ ଲୁଗା ଶୁଖାଇଥିଲେ। ବର୍ଷାରେ ତାହା ତିନ୍ତି ଗଲା। ତେଣୁ ଲୁଗା ଶୁଖାଇଥିବା ଲୋକେ ଭାଗ୍ୟକୁ ନିନ୍ଦିଲେ ଓ ବର୍ଷାକୁ ଗାଳି କଲେ। କିନ୍ତୁ ସେହି ସମୟରେ ରାସ୍ତାରେ ଯାଉଥିବା ଜଣେ ଲୋକ କେଜାଣି କାହିଁକି ନିଜ ପାଖରେ ଛତାଟିଏ ରଖିଥିଲା। ସେ ଛତାକୁ ମୁଣ୍ଡ ଉପରେ ଟାଣି ଦେଇ ଏମିତି ଅଦିନିଆ ବର୍ଷାର ଆନନ୍ଦ େନଇ ରାସ୍ତାରେ ଗୀତ ଗାଇ ଗାଇ ଚାଲିଲା। ସେହି ଗୋଟିଏ କଥା ଦୁଇ ପ୍ରକାର ପ୍ରତିକ୍ରିୟା ସୃଷ୍ଟି କଲା ନାହିଁ କି? ତେଣୁ ଅଯଥା ଉଦ୍ବେଗହୀନ ଓ ଶାନ୍ତ ଜୀବନ ବଞ୍ଚିବା ଲାଗି ଛୋଟିଆ ଶିକ୍ଷାଟି ହେଲା ଘଟଣାଟି ସୁଖ ବା ଦୁଃଖର କାରଣ ହୋଇ ନ ଥାଏ। ବରଂ ଘଟଣାଟି ପ୍ରତି ଆମେ ପ୍ରଦର୍ଶନ କରୁଥିବା ପ୍ରତିକ୍ରିୟା ଆମକୁ ସୁଖୀ ବା ଦୁଃଖୀ କରିପାରେ। ଯଦି ବାହାରେ ଲୁଗା ଶୁଖାଇଥିବା ବ୍ୟକ୍ତି ଭାବି ନିଏ ଯେ ବର୍ଷା ତ ହୋଇଗଲା, କ’ଣ କରାଯିବ? ବର୍ଷା ଛାଡୁ ଆଉ ଥରେ ଶୁଖାଇବା, ତେବେ ଦେଖିବେ ସେହି ବ୍ୟକ୍ତି ଅଯଥା ଉଦ୍େବଗର ଶିକାର ହେବ ନାହିଁ।
ତେଣୁ ସେଥିରୁ ଆଉ ଗୋଟିଏ ବଞ୍ଚିବାର କୌଶଳ ମିଳିଗଲା। ତାହା ହେଉଛି କୌଣସି ଦୁର୍ଘଟଣା ଘଟିଲେ ତାକୁ ଗ୍ରହଣ କରିନିଅ। କିନ୍ତୁ ଅଧିକାଂଶ କେବଳ ଏଭଳି ପ୍ରଶ୍ନ ପଚାରି ସମୟ କାଟି ଦିଅନ୍ତି ଯେ ଏହା ମୋ ସହିତ ଘଟିଲା କାହିଁକି? ମୁଁ ତ କାହାର କୌଣସି ଅପକାର କରିନାହିଁ। କିନ୍ତୁ ଦୁର୍ଘଟଣାକୁ ଗ୍ରହଣ କରି ନେଲେ ତା’ ପରେ ଜୀବନ କେମିତି କାଟି ହେବ ତାର ବାଟ ଫିଟିଯାଏ। ଏହି ସଂଦର୍ଭରେ ଦୁଇଟି ଉଦାହରଣ ଦେଉଛି। ଆଇଜାକ୍ ନିିଉଟନ ଲେଖିଥିଲେ ‘ପ୍ରିନ୍ସିପିଆ ମାଥମେଟିକା’। ଦିନକର କଥା। ତାଙ୍କ ପୋଷା କୁକୁର ଡାଇମଣ୍ଡ ଖେଳୁଥିବା ବେଳେ ଡିବିରି ବତି ବା ଲଣ୍ଠନଟି ପଡ଼ିଯିବାରୁ ‘ପ୍ରିନ୍ସିପିଆ ମାଥମେଟିକା’ର ପାଣ୍ଡୁଲିପି ପୋଡ଼ିଗଲା। ଏଥିରେ ନିଉଟନ୍ କେବଳ ଏତିକି କହିଲେ- କ’ଣ କଲୁରେ? ତା’ ପରେ ପୁଣି ସେହି ପାଣ୍ଡୁଲିପିକୁ ଆଉ ଥରେ ଲେଖିବା ଆରମ୍ଭ କରି ସଂପୂର୍ଣ୍ଣ କଲେ; ହତାଶ ହୋଇ ସେହି ରାତିରେ ନ ଖାଇ ଶୋଇବାକୁ ଗଲେ ନାହିଁ। ସେମିତି ଏକ ରେଳ ଯାତ୍ରାରେ ବିଖ୍ୟାତ ଲେଖକ ଅର୍ନେଷ୍ଟ ହେମିଂେୱଙ୍କ ପତ୍ନୀ ଏକ ପାଣ୍ଡୁଲିପି ଭରା ବାକ୍ସ ହଜାଇ ଦେଲେ। ହେମିଂେୱ ପୁଣି ସେତିକି ବେଳକୁ ଲେଖକ ହେବାକୁ ସଂଘର୍ଷ କରୁଥାଆନ୍ତି। ସେ କିନ୍ତୁ ଏତିକି ବେଳେ ଧାଡ଼ିଏ କଥା କହିଲେ, ଯାହା ଥିଲା ଏକ ଆପ୍ତ ବାକ୍ୟ। ସେ କହିଥିଲେ, ‘ନେଭର ଡିସ୍କସ୍ ଦ କାଜୁଆଲ୍ଟିଜ୍’ ଯାହାର ଅର୍ଥ, ଯାହା ଘଟିଗଲା ତାକୁ ନେଇ ଆଲୋଚନା କର ନାହିଁ। ହେମିଂେୱ ପୁଣି ଲେଖି ଚାଲିଲେ ଓ ବିଶ୍ବ ପ୍ରସିଦ୍ଧି ପାଇଲେ। କିନ୍ତୁ ଏମିତି ଆହୁରି ଅନେକ ଉଦାହରଣ ରହିଛି ଯେଉଁଠି ଅନେକ ବ୍ୟକ୍ତି ବିଭିନ୍ନ ଦୁଃସ୍ଥିତିକୁ ଗ୍ରହଣ କରି ନେଇ ସକାରାତ୍ମକ ଭାବେ ବଞ୍ଚିବାକୁ ଲାଗିଛନ୍ତି ଓ ଜୀବନକୁ ଅର୍ଥ ପୂର୍ଣ୍ଣ କରିବାରେ ସଫଳ ହୋଇଛନ୍ତି।
ଦୁନିଆର ଗଣିତ ଆମ ଇଚ୍ଛା ଦ୍ବାରା ପରିଚାଳିତ ହୋଇନଥାଏ। ଗୋସ୍ୱାମୀ ତୁଳସୀ ଦାସ କହନ୍ତି- “ହୋଇହୀ ଶୋଇଯୋ ରାମରଚି ରାଖା”। ଯାହା ଘଟିଛି, ଘଟିବ, ଘଟିଥିଲା ତାହା ପ୍ରକୃତରେ ଭଗବାନଙ୍କର ଇଚ୍ଛା ଦ୍ବାରା ପରିଚାଳିତ; ମନୁଷ୍ୟ ନିମିତ୍ତ ମାତ୍ର। କିନ୍ତୁ ମନୁଷ୍ୟ ଏବେ ଏଭଳି ଅହଂକାରଯୁକ୍ତ ହୋଇଯାଇଛି ଯେ ଯଦି ତାକୁ ନ ସୁହାଇଲା ଭଳି ଘଟଣା ଘଟିଗଲା ତେବେ ସେ ଈଶ୍ବର ଦ୍ରୋହୀ ହୋଇ ଉଠୁଛି। ସେ କହିବା ଶୁଣାଯାଉଛି ଯେ ଏତେ ଡାକି ଡାକି ଯଦି ଈଶ୍ବର ଶୁଣିଲେ ନାହିଁ, ତାଙ୍କୁ ଡାକି ଲାଭ କ’ଣ? ସୁତରାଂ, ସେ ଭାବି ନେଇଛି ଯେ ଈଶ୍ବର କେବଳ ତାକୁ ରକ୍ଷା କରିବା ଲାଗି ବିଦ୍ୟମାନ ଏବଂ ତାଙ୍କୁ ପ୍ରାର୍ଥନା କରିବା ପଛରେ ତାର କିଛି ଲାଭ ପାଇବାର ଉଦ୍ଦେଶ୍ୟ ଥିଲା। ଏହା ଏକ ବିଡ଼ମ୍ବନା। ଯେଉଁ ବ୍ୟକ୍ତି ଏହା ପ୍ରକୃତରେ ହୃଦ୍ବୋଧ କରିଥାଏ ଯେ ସବୁ ଈଶ୍ବରଙ୍କ ଭିଆଣ, ତା’ ହାତରେ କିଛି ହେଲେ ନାହିଁ, ସେହି ବ୍ୟକ୍ତି ଯେ କୌଣସି ପ୍ରତିକୂଳତାକୁ ଅଧିକ ଭଲ ଭାବେ ସାମନା କରିବାରେ ସମର୍ଥ ହୁଏ।
ସେଥି ଲାଗି କୁହାଯାଇଥାଏ ଯେ ତୁମେ ଦୁନିଆକୁ ବଦଳାଇ ପାରିବ ନାହିଁ। ତୁମେ ସଂସାରର ଗତିକୁ ବଦଳାଇ ପାରିବ ନାହିଁ। କିନ୍ତୁ ଚାହିଁଲେ ନିଜକୁ ବଦଳାଇ ପାରିବ। ଏହାର ଅର୍ଥ ହେଲା ବଞ୍ଚିବାର ମୂଳ କୌଶଳ ହେଲା ନିଜ ଆଭିମୁଖ୍ୟକୁ ବଦଳାଇବା। ଦୂବ ଘାସକୁ ସମସ୍ତେ ପାଦ ଦ୍ବାରା ଦଳନ କରନ୍ତି। କିନ୍ତୁ ତାହା ଅମର। ପୁଣି ବର୍ଷାଟିିକିଏ ହେଲେ ତାହା ଗଜୁରି ଉଠେ। ଦୂବ ଘାସ କେବେ ହେଲେ ଦାମ୍ଭିକତା ଦେଖାଇ ନ ଥାଏ। ତାର ଆଭିମୁଖ୍ୟ ହିଁ ତାକୁ ଅମର ହୋଇ ରହିବାର ବାଟ ଦେଖାଏ। ମଣିଷ ବି ଦୂବ ଘାସ ଠାରୁ ଶିଖିବା ଆବଶ୍ୟକ।
ଜୟପୁର,କୋରାପୁଟ
ମୋ- ୯୪୩୭୨୩୬୫୭୫