ଗଣତନ୍ତ୍ରର ହାଲ୍‌, କୋଭିଡ୍ ଲଢ଼େଇରୁ ଶିକ୍ଷା- ଶାସନତନ୍ତ୍ରର ସଂସ୍କାର

ସୁଧାଂଶୁ ଷଡ଼ଙ୍ଗୀ

କୋଭିଡ୍ ମହାମାରୀକୁ ସମ୍ମୁଖୀନ ହେବାରେ ସବୁ ଦେଶକୁ ସମାନ ସଫଳତା ମିଳି ନାହିଁ। ବିଭିନ୍ନ ଦେଶର ପ୍ରଦର୍ଶନକୁ ଗଣତନ୍ତ୍ର-ଅଗଣତନ୍ତ୍ର ବା ବାମପନ୍ଥୀ-ଦକ୍ଷିଣପନ୍ଥୀ ଦୃଷ୍ଟିକୋଣରୁ ଦେଖିବା ଠିକ୍ ନୁହେଁ। ଏହା ନିଶ୍ଚିତ ଯେ ଯେଉଁ ଦେଶମାନଙ୍କରେ ଗଣତନ୍ତ୍ର ନାହିଁ, ସେଠାରେ ସରକାର ସ୍ୱାଭାବିକ ଜୀବନଯାତ୍ରାକୁ ସମ୍ପୂର୍ଣ୍ଣ ବନ୍ଦ କରି ସହଜରେ ସଂକ୍ରମଣକୁ ନିୟନ୍ତ୍ରଣ କଲେ। କିନ୍ତୁ ତାଇୱାନ୍, ଦକ୍ଷିଣ କୋରିଆ, ଇସ୍ରାଏଲ୍, ନରୱେ, ନିଉଜିଲାଣ୍ଡ, ଜର୍ମାନି ଭଳି ଅନେକ ଗଣତାନ୍ତ୍ରିକ ଦେଶ ମଧ୍ୟ ସଫଳତାର ସହ ମହାମାରୀକୁ ମୁକାବିଲା କରିଛନ୍ତି। ସେ ଭଳି ସ୍ବିଡେନ୍‌ରେ ବାମବାଦୀ ସରକାର ବିଫଳ ହେବା ବାମ-ଦକ୍ଷିଣ ପ୍ରଭେଦକୁ ମଧ୍ୟ ଭୁଲ୍ ପ୍ରମାଣିତ କରୁଛି। ବିଶ୍ଳେଷଣରୁ ଜଣାଯାଉଛି, ଯେଉଁ ଦେଶରେ ସରକାରୀ କଳ ଯେତେ ସମର୍ଥ ଓ ସ୍ୱାୟତ୍ତ, ସେ ଦେଶ କୋଭିଡ୍‌ର ସମ୍ମୁଖୀନ ହେବାରେ ସେତେ ଭଲ ପ୍ରଦର୍ଶନ କରିଛି।

ଗଣତନ୍ତ୍ର ଉତ୍ତରଦାୟୀ ଶାସନ ବ୍ୟବସ୍ଥା ପ୍ରତିଷ୍ଠାର ଏକ ମାଧ୍ୟମ। କିନ୍ତୁ, ଗଣତନ୍ତ୍ର ହେଇଗଲେ ଯେ ସରକାରୀ ବ୍ୟବସ୍ଥାଗୁଡ଼ିକ ଆପଣାଛାଏଁ ସକ୍ଷମ ହେବେ, ତାହା କହିହେବ ନାହିଁ। ସେଭଳି ହୋଇଥିଲେ ଆମେରିକା ଓ ବ୍ରିଟେନ୍‌ ଏଭଳି ବିପର୍ଯ୍ୟୟ ଦେଖିନଥାନ୍ତେ। ଆମେରିକା ପୃଥିବୀର ସବୁଠୁ ଧନୀ ଦେଶ। ଅକ୍ଟୋବର ୨୦୧୯ ମସିହାରେ ଜନ୍ ହପ୍‌କିନ୍‌ସ୍ ବିଶ୍ୱବିଦ୍ୟାଳୟ ପ୍ରଥମ କରି ବିଶ୍ୱ ସ୍ୱାସ୍ଥ୍ୟ ସୁରକ୍ଷା ସୂଚକାଙ୍କ ପ୍ରକାଶିତ କଲା। ଏହି ସୂଚକାଙ୍କ ଅନୁସାରେ କାଗଜୀ ଆକଳନରେ ଆମେରିକା ଓ ଇଂଲଣ୍ଡ ମହାମାରୀ ମୁକାବିଲା ଦୃଷ୍ଟିକୋଣରୁ ପୃଥିବୀରେ ସବୁଠାରୁ ସୁରକ୍ଷିତ ରାଷ୍ଟ୍ର ଭାବେ ପ୍ରଥମ ଓ ଦ୍ବିତୀୟ ସ୍ଥାନର ମାନ୍ୟତା ପାଇଲେ। ୧୯୫ଟି ଦେଶରୁ ଭାରତକୁ ମିଳିଥିଲା ୩୬ ନମ୍ବର ସ୍ଥାନ। ସୂଚକାଙ୍କ ପ୍ରକାଶିତ ହେବାର କିଛି ମାସ ମଧ୍ୟରେ କରୋନା ମହାମାରୀ ବ୍ୟାପିଲା। ମୃତ୍ୟୁ ଦୃଷ୍ଟିକୋଣରୁ ଆମେରିକା ବର୍ତ୍ତମାନ ଯାଏଁ କରୋନାରେ ବିଶ୍ୱର ସବୁଠୁ କ୍ଷତିଗ୍ରସ୍ତ ରାଷ୍ଟ୍ର। ବ୍ରିଟେନ୍‌ରେ ମଧ୍ୟ ମୃତ୍ୟୁ ସଂଖ୍ୟା ଅନ୍ୟ ବିକଶିତ ଦେଶମାନଙ୍କ ତୁଳନାରେ ବହୁଗୁଣ ଅଧିକ। ତେଣୁ ଏହି ଦୁଇ ଧନୀ ଓ ଗଣତାନ୍ତ୍ରିକ ଦେଶ କରୋନାକୁ ସମ୍ମୁଖୀନ ହେବାରେ ଏଭଳି ବିଫଳ ହେଲେ କାହିଁକି?

ରୋନାଲ୍‌ଡ୍ ରେଗାନ୍ ୧୯୮୧ ମସିହାରେ ଆମେରିକାର ରାଷ୍ଟ୍ରପତି ହେଲେ। ତାଙ୍କ ମତ ଥିଲା ଯେ ‘ସରକାର କୌଣସି ସମସ୍ୟାର ସମାଧାନ ନୁହନ୍ତି; ସରକାର ହିଁ ସମସ୍ୟା’। ଅର୍ଥାତ୍ ବିଭିନ୍ନ କ୍ଷେତ୍ରରୁ ସରକାର ଓହରି ଯାଆନ୍ତୁ। ସରକାର ଚାଲିଗଲେ, ଘରୋଇ ସଂସ୍ଥା ଓ ସାଧାରଣ ଲୋକ ସବୁ କିଛି ଦକ୍ଷତାର ସହ ସମ୍ଭାଳି ନେବେ। ରେଗାନ୍‌ଙ୍କ ଅନୁରୂପ ଥାଚର୍ କହିଲେ, ‘ଘରୋଇକରଣର ବିକଳ୍ପ ନାହିଁ’। ରେଗାନ୍-ଥାଚର୍‌ ସରକାରୀ କଳକୁ ସଂକୁଚିତ କଲେ। ଟିକସ ବୋଝ କମେଇଲେ। ଅନେକ କ୍ଷେତ୍ରକୁ ଘରୋଇକରଣ କରାଗଲା। କୁହାଗଲା, ସରକାରୀ ସଂସ୍ଥାଗୁଡ଼ିକ ବଜାରରେ ମୁକ୍ତ ପ୍ରତିଯୋଗିତାର ସମ୍ମୁଖୀନ ହୁଅନ୍ତି ନାହିଁ। ଅପାରଗ ନେତୃତ୍ବ, ଶ୍ରମିକ ସଂଘ ଓ ରାଜନୈତିକ ହସ୍ତକ୍ଷେପ ମଧ୍ୟରେ ଏଭଳି ଧଳାହାତୀଙ୍କୁ ପାଳିବା, ଅର୍ଥ ଖଇରାତର ଉପାୟ, କିନ୍ତୁ ବିକାଶର ନୁହେଁ। ରାଜନୀତିବିଜ୍ଞାନୀ ଫୁକୁୟାମା ଲେଖିଛନ୍ତି, ସରକାରୀ ଅମଲାତନ୍ତ୍ରରେ ଅବସ୍ଥାପିତ ଲୋକେ ନିଜ ଜୀବନରେ ବ୍ୟକ୍ତିଗତ ଭାବେ ସଫଳ ହୁଅନ୍ତି, କିନ୍ତୁ ସେମାନେ ଚଳାଉଥିବା ସଂସ୍ଥାଗୁଡ଼ିକ ବିଫଳ ହୁଅନ୍ତି। ଗଲା ଚାଳିଶ ବର୍ଷ ହେଲା ଏହି ଚିନ୍ତାଧାରା ଚାରିଆଡ଼େ ଲୋକପ୍ରିୟତା ହାସଲ କରିଛି। ମୁଁ ମଧ୍ୟ ନିଜେ ଏହି ଯୁକ୍ତିକୁ ଠିକ୍ ମନେକରିବାକୁ ଲାଗିଥିଲି। କିନ୍ତୁ କୋଭିଡ୍ ସଙ୍କଟ ପରେ ଏବେ ସମସ୍ତେ ସ୍ୱୀକାର କରୁଛନ୍ତି ଯେ ଗଲା ଚାଳିଶ ବର୍ଷର ଘରୋଇକରଣ ଓ ଠିକା ବ୍ୟବସ୍ଥା ବିଭିନ୍ନ ଦେଶରେ ସରକାରୀ କଳକୁ ଦୁର୍ବଳ ଓ ଅପ୍ରସ୍ତୁତ କରିଦେଇଥିଲା। ନିର୍ବାଚିତ ସରକାରମାନେ ସରକାରୀ ସଂସ୍ଥାମାନଙ୍କର ସମସ୍ୟା ସୁଧାରିବେ କ’ଣ, ଘରୋଇକରଣର ଗଳାବାଟ ଧରିଥିଲେ। ଯଦି ଘରୋଇ ଡାକ୍ତରଖାନାରେ ଭଲ ଚିକିତ୍ସା ମିଳୁଛି, ସରକାରୀ ବ୍ୟବସ୍ଥାର ସମସ୍ୟା ଉପରେ ଆଲୋଚନା ହେବ କାହିଁକି? ରେଗାନ୍-ଥାଚର୍‌ଙ୍କ ପ୍ରଭାବ ଏଭଳି ଥିଲା ଯେ ସେମାନଙ୍କ ବିପକ୍ଷ ରାଜନୈତିକ ଦଳମାନେ ମଧ୍ୟ ଏହି ଆଦର୍ଶକୁ ଗ୍ରହଣ କଲେ। ଆମେରିକାରେ ବିଲ୍ କ୍ଲିଣ୍ଟନ୍, ବ୍ରିଟେନ୍‌ରେ ଟୋନି ବ୍ଲେୟାର୍ ଓ ଜର୍ମାନିରେ ଗେରାହଟ୍ ସ୍ରୋଡର୍ ନିଜ ଦଳର ମୂଳ ଆଦର୍ଶକୁ ବଦଳାଇ ନିର୍ବାଚନ ଜିତିଲେ। ତେଣୁ କ୍ରମାଗତ ଭାବେ ଅନେକ ଦେଶରେ ସରକାରୀ କଳକୁ ସଙ୍କୁଚିତ କରାଗଲା। ସରକାରୀ ସଂସ୍ଥା ବ୍ୟାପକ ଖର୍ଚ୍ଚକାଟ ମଧ୍ୟରେ ଦୁର୍ବଳ ହେଲେ। ଗଲା ଚାଳିଶ ବର୍ଷ ହେଲା ଯେଉଁ ସରକାରୀ କଳକୁ ଅପାରଗ ଧଳାହାତୀ କହି ଦୂର୍‌ଦୂର୍‌ ମାର୍‌ମାର୍‌ କରାଗଲା, ଏବେ ସେମାନେ ହିଁ ଭରସା। ସମସ୍ୟା ସେଇଠି।

ଆମେରିକାରେ ପୂରା ସ୍ୱାସ୍ଥ୍ୟ ଭିତ୍ତିଭୂମି ଘରୋଇ ମାଲିକାନାରେ ବୀମା ଭିତ୍ତିରେ କାମ କରେ। ଘରୋଇ କ୍ଷେତ୍ରରେ ଡାକ୍ତରଖାନା ଲାଭରେ ଚାଲିବାର ଏକ ମୂଳ ମାନଦଣ୍ଡ ହେଲା, ପୂରା ଶଯ୍ୟାରୁ କେତୋଟିରେ ରୋଗୀ ଅଛନ୍ତି। ଯଦି ଶଯ୍ୟା ଖାଲି ପଡ଼ିବ, ତେବେ ଡାକ୍ତରଖାନା ବ୍ୟବସାୟରେ କ୍ଷତି ହେବ। ତେଣୁ, ଲାଭ ପାଇଁ ଯେତିକି ରୋଗୀ ହେବେ, ସେତିକି ଶଯ୍ୟା ରଖାଯାଏ। ସେହି ଅନୁସାରେ ଆବଶ୍ୟକ ସଂଖ୍ୟକ ଡାକ୍ତର, ନର୍ସ ନିଯୁକ୍ତି କରାଯାଏ। ଯଦି ଦୁଇଶହ ରୋଗୀ ହେବେ, ତେବେ ହଜାରେ ରୋଗୀଙ୍କ ପାଇଁ ବ୍ୟବସ୍ଥା କରିବା ବା ଡାକ୍ତର, ନର୍ସ ନିଯୁକ୍ତି କରିବା ଘରୋଇ ଡାକ୍ତରଖାନା ପାଇଁ ସମ୍ଭବପର ନୁହେଁ। କିନ୍ତୁ ମହାମାରୀ ସମୟରେ ହଠାତ୍ ଦୁଇଶହ ନୁହେଁ, ହଜାରେ ଶଯ୍ୟା ଦରକାର। ଅଧିକ ଡାକ୍ତର, ନର୍ସ ଦରକାର। ହଜାରେ ଗୁଣ ଅଧିକ ସାମ୍ପଲ୍‌ ପରୀକ୍ଷା କରିବା ଦରକାର। ଲାଭ ପାଇଁ ପ୍ରତିଷ୍ଠିତ ଘରୋଇ ଡାକ୍ତରଖାନା ବା ସ୍ୱାସ୍ଥ୍ୟ ବ୍ୟବସ୍ଥା ମହାମାରୀ ପାଇଁ ପ୍ରସ୍ତୁତ ରହିବା ସମ୍ଭବପର ନୁହେଁ। ଇଂଲଣ୍ଡରେ ସ୍ୱାସ୍ଥ୍ୟ ବ୍ୟବସ୍ଥାଟି ପୁରାପୁରି ସରକାରୀ। କିନ୍ତୁ ସେଠି ଗଲା ଚାଳିଶ ବର୍ଷ ହେଲା ଅର୍ଥକାଟ ଚାଲିଛି। ସାମାନ୍ୟ ଏକ୍‌ସରେଟିଏ କରିବାକୁ ସପ୍ତାହେ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼େ। ତେଣୁ ମହାମାରୀ ପାଇଁ ପ୍ରସ୍ତୁତି ବାହାଘର ବେଳେ ବାଇଗଣ ରୁଆଗଲା ଭଳି କରିବା ଛଡ଼ା ବାଟ ନଥିଲା। ଅବଶ୍ୟ ଉଭୟ ଆମେରିକା ଓ ଇଂଲଣ୍ଡ ଟିକାକରଣ ଦ୍ୱାରା ବିପଦମୁକ୍ତ ହେଲେଣି। କିନ୍ତୁ ଏହା ସ୍ପଷ୍ଟ ଯେ ଲାଭ ପାଇଁ ପ୍ରତିଷ୍ଠା କରାଯାଉଥିବା ଡାକ୍ତରୀ ବ୍ୟବସ୍ଥା ବା ଅର୍ଥର ଅକାଳ ଦେଇ ଗତି କରୁଥିବା ସରକାରୀ ଡାକ୍ତରୀ ବ୍ୟବସ୍ଥାରେ ମହାମାରୀର ସମ୍ମୁଖୀନ ହେବା ସମ୍ଭବପର ନୁହେଁ। ଏହାଛଡ଼ା, ମେଧାବୀ ଲୋକେ ଆଉ ସରକାରୀ ସଂସ୍ଥା ପ୍ରତି ଆକୃଷ୍ଟ ହେଉନାହାନ୍ତି। ଯେଉଁମାନେ ଅଛନ୍ତି, ଉଧଉ ନାହାନ୍ତି। ସରକାରୀ ବ୍ୟବସ୍ଥାରେ ଦରମା ଆଗରୁ ବି କମ୍ ମିଳୁଥିଲା। ଏବେ ପୂର୍ବଭଳି ସମ୍ମାନ ଓ ସ୍ୱାୟତ୍ତତା ନାହିଁ।

୨୦୦୬ ମସିହାରେ ଜର୍ଜ ବୁଶ୍‌ଙ୍କ ଅମଳରେ ମହାମାରୀ ମୁକାବିଲା କରିବା ପାଇଁ ଏକ ଲିଖିତ ଯୋଜନା ପ୍ରସ୍ତୁତ ହୋଇଥିଲା। ଏହାର କାର୍ଯ୍ୟକାରିତାକୁ ୨୦୧୮ ମସିହାରେ ଓବାମାଙ୍କ ସମୟରେ ‘ରିହର୍‌ସାଲ୍’ କରାଯାଇଥିଲା। ଦେଖାଯାଇଥିଲା ଯେ ମହାମାରୀକୁ ସମ୍ମୁଖୀନ ହେଲା ଭଳି ଆମେରିକାରେ ପ୍ରସ୍ତୁତି ନାହିଁ। ସବୁକିଛି ଠିକା ଭିତ୍ତିରେ ଚୀନ୍‌ରେ ଉତ୍ପାଦନ ହେଉଛି। ମହାମାରୀ ହେଲେ ମାସ୍କ, ଗ୍ଲୋଭ୍‌ସ୍, ପୋଷାକ, ଯନ୍ତ୍ରପାତି ଓ ଔଷଧ ମଧ୍ୟ ନିଅଣ୍ଟିଆ ହେବ। ତେଣୁ ଯେଉଁସବୁ ଦୁର୍ବଳତା ପ୍ରକୃତ ମହାମାରୀ ବେଳେ ଦେଖାଦେଲା, ତାହା ସରକାର ଜାଣିସାରିଥିଲେ। କିନ୍ତୁ ଏଗୁଡ଼ିକ ଦୂରକରିବା ପରିବର୍ତ୍ତେ, ପରବର୍ତ୍ତୀ ରାଷ୍ଟ୍ରପତି ଟ୍ରମ୍ପ୍‌ ସମ୍ପୃକ୍ତ ସରକାରୀ ସଂସ୍ଥାମାନଙ୍କୁ ଆର୍ଥିକ ଅନୁଦାନ ବନ୍ଦ କରିଦେଲେ। ଏପରି କି ୟୁହାନ୍‌ରେ ଭୂତାଣୁ ଉପରେ ଦୃଷ୍ଟିରଖିବା ପାଇଁ ନିଯୁକ୍ତ ଆମେରିକାର ବିଶେଷଜ୍ଞ ଦଳକୁ ଫେରାଇ ନିଆଗଲା। ଟ୍ରମ୍ପ୍‌ଙ୍କ ଜଣେ ଗୁରୁ ରସ୍ ଲିମ୍ବୋଙ୍କ ମତ ଥିଲା, ଲୋକଙ୍କୁ ଚାରିଟି ସଂସ୍ଥା ଠକୁଛନ୍ତି। ସେମାନେ ହେଲେ: ସରକାର, ବୁଦ୍ଧିଜୀବୀବର୍ଗ, ଗଣମାଧ୍ୟମ ଓ ବିଜ୍ଞାନ। ତେଣୁ ଟ୍ରମ୍ପ୍‌ ଆସିଲା ପରେ ସରକାରୀ ସଂସ୍ଥାଗୁଡ଼ିକୁ ‘ଡିପ୍ ଷ୍ଟେଟ୍’ କହି ସନ୍ଦେହ କଲେ। ବିଶେଷଜ୍ଞମାନଙ୍କ କଥା ଶୁଣିଲେନି। ଗଣମାଧ୍ୟମ ପ୍ରକାଶିତ କରୁଥିବା ଘଟଣାକୁ ଗୁରୁତ୍ୱ ଦେବେ କ’ଣ, ସେମାନଙ୍କୁ ‘ଫେକ୍‌-ନ୍ୟୁଜ୍’ ଓ ‘ଦେଶଦ୍ରୋହୀ’ କହିଲେ। କୌଣସି ବୈଜ୍ଞାନିକ ମତକୁ ଗ୍ରହଣ କଲେ ନାହିଁ। ଲୋକ ହଜାର ହଜାର ସଂଖ୍ୟାରେ ମରିବା ସତ୍ତ୍ୱେ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଭୂତାଣୁ ଗୋଟିଏ ମିଛ ବୋଲି କହିଲେ। ମାସ୍କ ପିନ୍ଧିବାକୁ ମନା କଲେ। ତେଣୁ, ରେଗାନ୍-ଥାଚର୍‌ଙ୍କ ସମୟରେ ଆରମ୍ଭ ହୋଇଥିବା ଚିନ୍ତାଧାରା ଗଲା କୋଡ଼ିଏ ବର୍ଷରେ ବହୁ ଆଗକୁ ଆସି ଏକ ଲୋକପ୍ରିୟ ବିପ୍ଳବର ରୂପ ଧାରଣ କରିଛି। ଏହାର ଚରମ ପରିଣତି ଆମେରିକା ଭୋଗିଲା। ବ୍ରିଟେନ୍‌ରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ ପ୍ରଥମେ ବିଜ୍ଞାନକୁ ଗ୍ରହଣ ନକରି ଦାୟିତ୍ବହୀନ ବକ୍ତବ୍ୟ ରଖିଥିଲେ। କିନ୍ତୁ ନେଡ଼ିଗୁଡ଼ କହୁଣିକୁ ବୋହିଗଲା ପରେ ଓ ନିଜେ ସଂକ୍ରମିତ ହୋଇ ମୃତ୍ୟୁମୁଖରୁ ଫେରିବା ପରେ ନୀତି ବଦଳାଇଲେ।

ଆମେରିକାରେ ରାଜନୈତିକ ଧ୍ରୁବୀକରଣ ଯୋଗୁଁ ଗଲା ତିରିଶ ବର୍ଷ ହେଲା ସଂଘୀୟ ସରକାର ଅତି ଦୁର୍ବଳ ହୋଇଗଲାଣି। ରିପବ୍ଲିକାନ୍ ଓ ଡେମୋକ୍ରାଟ୍ ଦଳ ମଧ୍ୟରେ ବିବାଦ ଯୋଗୁଁ କୌଣସି ବଡ଼ ପରିବର୍ତ୍ତନ ପାଇଁ ସହମତି ହେଇପାରୁନାହିଁ। ଏପରି କି ମାସ୍କ ପିନ୍ଧିବା ପାଇଁ ମଧ୍ୟ ସହମତି ହୋଇପାରିଲା ନାହିଁ। ଆମେରିକାରେ ୨୬୮୪ଟି ସ୍ୱାସ୍ଥ୍ୟ ବିଭାଗ, ୯୦୧୨୬ଟି ସ୍ଥାନୀୟ କର୍ତ୍ତୃପକ୍ଷ ଓ ୧୮,୦୦୦ଟି ପୁଲିସ୍ ବିଭାଗ ଅଛନ୍ତି। ସେମାନଙ୍କ ମଧ୍ୟରେ ସମନ୍ୱୟ ରହିଲାନି। କୌଣସି ଜାତୀୟ ନୀତି ପ୍ରଣୟନ ହେଇପାରିଲା ନାହିଁ। ତେଣୁ ଚାରିଆଡ଼େ ଚରମ ବିଶୃଙ୍ଖଳା ଦେଖାଦେଲା। ସ୍ୱାଭାବିକ ସମୟରେ ଏସବୁ ଚଳିଯାଉଥିଲା। କିନ୍ତୁ ମହାମାରୀ ବେଳେ ବିଶୃଙ୍ଖଳା ଘାତକ ସାବ୍ୟସ୍ତ ହେଲା।
ତାଇୱାନ୍ ଗୋଟିଏ ଛୋଟ ଦେଶ। ଜନସଂଖ୍ୟା ଅଢ଼େଇକୋଟି। ଭାରତର ରାଜଧାନୀ ଦିଲ୍ଲୀର ଜନସଂଖ୍ୟା ଦୁଇକୋଟି। ଚୀନ୍‌ର ପାଖ ଦେଶ ହେଲେ ମଧ୍ୟ, ପ୍ରଥମ ଢେଉରେ ତାଇୱାନ୍‌ରେ ମାତ୍ର ସାତଜଣଙ୍କର ମୃତ୍ୟୁ ହେଲା। ଯଦିଓ ସେମାନେ ଦ୍ବିତୀୟ ଢେଉରେ ଅଧିକ ପ୍ରଭାବିତ ହୋଇଛନ୍ତି। ଏହି ଦେଶ ସଫଳତାର ସହ ସଂକ୍ରମଣକୁ ଚିହ୍ନଟ କଲା। ସଂକ୍ରମିତ ବ୍ୟକ୍ତି ଓ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କଡ଼ାକଡ଼ି ସଙ୍ଗରୋଧରେ ରଖିପାରିଲା। ସମସ୍ତେ ମାସ୍କ ବ୍ୟବହାର କଲେ। ଦିନଟିଏ ମଧ୍ୟ ‘ଲକ୍-ଡାଉନ୍’, ‘ସଟ୍-ଡାଉନ୍’ ନକରି ସଂକ୍ରମଣକୁ ନିୟନ୍ତ୍ରଣ କରାଗଲା। ତତ୍କାଳୀନ ଉପ-ରାଷ୍ଟ୍ରପତି ଚେନ୍ ନିଜେ ଜଣେ ମହାମାରୀ ବିଶେଷଜ୍ଞ। ସେ ଆମେରିକାର ଜନ୍ ହପ୍‌କିନ୍‌ସ୍ ବିଶ୍ୱବିଦ୍ୟାଳୟରେ ଏଥିପାଇଁ ପ୍ରଶିକ୍ଷିତ। ୨୦୦୩ରେ ସାର୍ସ ମହାମାରୀ ବେଳେ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ ଓ ସେତେବେଳୁ ଦେଶକୁ ମହାମାରୀ ସମ୍ମୁଖୀନ ହେବାକୁ ପ୍ରସ୍ତୁତ କରୁଥିଲେ। ଚେନ୍‌ଙ୍କ ନେତୃତ୍ୱରେ ପୂରା ମହାମାରୀକୁ ବିଶେଷଜ୍ଞ ଡାକ୍ତରମାନେ ସମ୍ଭାଳିଲେ। ସେହିଭଳି ନିଉଜିଲାଣ୍ଡ, ନରୱେ, ଜର୍ମାନି, ଇସ୍ରାଏଲ୍, ଦକ୍ଷିଣ କୋରିଆ, ସିଙ୍ଗାପୋର୍, ହଂକଂ ପ୍ରଭୃତି ଅନେକ ଦେଶ ଅତି କମ୍ ସମୟରେ ପ୍ରସ୍ତୁତ ହୋଇଗଲେ। ନିଶ୍ଚିତରେ ଏହି ଦେଶଗୁଡ଼ିକ ଜନସଂଖ୍ୟା ଓ ଭୌଗୋଳିକ ଦୃଷ୍ଟିକୋଣରୁ ଛୋଟ। କିନ୍ତୁ ଏମାନେ ଛୋଟ ଦେଶ କହିଦେଲେ, ଅନ୍ୟ ଦେଶମାନଙ୍କରେ ସରକାରୀ କଳ କାହିଁକି ନିଜକୁ ଏତେ ଅସହାୟ ପାଇଲା, ତାହା ବୁଝିହେବ ନାହିଁ। ଯେଉଁ ଦେଶରେ ସରକାରୀ ସଂସ୍ଥାଗୁଡିକ ସକ୍ଷମ ଓ ବିଶେଷଜ୍ଞଙ୍କ ନେତୃତ୍ୱରେ ସ୍ଥିତିର ମୁକାବିଲା କରାଗଲା, ସେହି ଦେଶକୁ ଅଧିକ ସଫଳତା ମିଳିଲା।

ଟିକାକରଣ ସରିଲେ କୋଭିଡ୍ ମହାମାରୀ ଯିବ। ମୃତଲୋକଙ୍କୁ ସମାଜ ଭୁଲିଯିବ। ପ୍ରଶଂସା ଓ ନିନ୍ଦାକୁ ନେଇ ଅନେକ ଆଲୋଚନା ହେବ। କିନ୍ତୁ ଆଶାକରିବା ଯେ କୋଭିଡ୍ ସଙ୍କଟରୁ ପୃଥିବୀ କିଛି ଶିଖିବ। ପ୍ରତ୍ୟେକ ଦେଶରେ ଏକ ଦୃଢ଼ ଓ ସକ୍ଷମ ସରକାରୀ କଳ ଦରକାର। କିଛି କ୍ଷେତ୍ରକୁ ଘରୋଇକରଣ କରାଯିବା ନିଶ୍ଚିତରେ ଆବଶ୍ୟକ। କିନ୍ତୁ ଲୋକେ ସରକାର ନିର୍ବାଚିତ କରନ୍ତି ଗୋଟିଏ ସକ୍ଷମ, ଉତ୍ତରଦାୟୀ ଓ ଭଲ ସରକାରୀ ବ୍ୟବସ୍ଥା ସୃଷ୍ଟିକରିବା ପାଇଁ; ଘରୋଇକରଣ କରି ହାତ ଝାଡ଼ିଦେବା ପାଇଁ ନୁହେଁ। ଏ ଭଳି କରି ନିର୍ବାଚିତ ସରକାର ଦାୟିତ୍ବମୁକ୍ତ ହେବେ ନାହିଁ। ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଘରୋଇକରଣ ଏକମାତ୍ର ରାସ୍ତା ନୁହେଁ। ସବୁକିଛି ଘରୋଇ ସଂସ୍ଥାମାନଙ୍କ ଉପରେ ଛାଡ଼ିହେବ ନାହିଁ। ସରକାରୀ କଳକୁ ଦୁର୍ବଳ କରିବା ବିପଦଜନକ। ଯେଉଁ ଦେଶରେ ସରକାରୀ ସଂସ୍ଥାଗୁଡ଼ିକ ସ୍ୱାୟତ୍ତ, ବିଶେଷଜ୍ଞଙ୍କ ନେତୃତ୍ୱରେ ପରିଚାଳିତ ଓ ସମ୍ବଳ ଦୃଷ୍ଟିକୋଣରୁ ଉନ୍ନତ, ସେ ଦେଶ କୋଭିଡ୍‌କୁ ଅଧିକ ସଫଳତାର ସହ ମୁକାବିଲା କଲେ। କୋଭିଡ୍ ପର ପୃଥିବୀରେ ଅଧିକାଂଶ ଦେଶ ରେଗାନ୍-ଥାଚର୍ ମାନସିକତାକୁ ଆଉ ଫେରିବେ ନାହିଁ। ସମସ୍ତେ ବୁଦ୍ଧି ଶିଖିଛନ୍ତି। ତେଣୁ, ମେଧାବୀ ଓ ବିଶ୍ୱସ୍ତରୀୟ ବିଶେଷଜ୍ଞଙ୍କୁ ନେଇ ସକ୍ଷମ, ସ୍ୱାୟତ୍ତ ଓ ଭଲ ସରକାରୀ କଳ ତିଆରି କରିବାକୁ ଉଦ୍ୟମ ହେବ। ଲୋକେ ଏ ଭଳି ଲୋକଙ୍କୁ ନିର୍ବାଚିତ କରିବା ଉଚିତ ଯେଉଁମାନେ ସରକାରୀ ବ୍ୟବସ୍ଥାକୁ ସୁଧାରିବେ। ନ ‌େହଲେ ଗଣତନ୍ତ୍ର ସତ୍ତ୍ୱେ ସରକାରୀ ବ୍ୟବସ୍ଥାରେ ଦକ୍ଷତା ଆସିବନି। ପ୍ରାଶାସନିକ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଶା କରିବା।
ଲେଖକ ଜଣେ ବରିଷ୍ଠ ଆଇପିଏସ୍‌ ଅଫିସର, ମତ ବ୍ୟକ୍ତିଗତ

ସମ୍ବନ୍ଧିତ ଖବର