ବର୍ତ୍ତମାନର ଚର୍ଚ୍ଚାର କେନ୍ଦ୍ର ପାଲଟିଛି ଇଂରେଜୀ ଅକ୍ଷର ‘V’। ଅର୍ଥନୀତିରେ ଏହି ଇଂରେଜୀ ଅକ୍ଷରଟି ଅନେକ ଗୁରୁତ୍ବ ବହନ କରିଥାଏ। ଆର୍ଥିକ ‘ରିସେସନ୍’ ବା ସଂକୋଚନ ଏବଂ ତହିଁରୁ ମୁକୁଳିବାର ଏକ ଚିତ୍ର ଏହି ଅକ୍ଷରରେ ଥାଏ। ସେହି ଇଂରେଜୀ ଅକ୍ଷରକୁ ହାତରେ ଲେଖିଲେ ଯେମିତି ପ୍ରଥମେ ଗୋଟିଏ ବିନ୍ଦୁରୁ କଲମ ଆରମ୍ଭ ହୋଇ ତଳ ମୁହାଁ ଗତି କରିବା ପରେ ପୁଣି ଉପର ମୁହାଁ ହୋଇ ଅକ୍ଷରଟିକୁ ସଂପୂର୍ଣ୍ଣ କରିଥାଏ, ସେମିତି ଆର୍ଥିକ ସ୍ଥିତି ତଳ ମୁହାଁ (ନିମ୍ନଗାମୀ) ହୋଇ ସଂକୋଚନ ସୃଷ୍ଟି କରୁଥିଲେ ମଧ୍ୟ କିଛି ସମୟ ପରେ ଆର୍ଥିକ ସ୍ଥିତି ସୁଧୁରି ଉପର ମୁହାଁ (ଅଭିବୃଦ୍ଧି) ହୋଇ ପୁଣି ପୂର୍ବ ଅବସ୍ଥାକୁ ଫେରିଆସିବ। କରୋନାର ପ୍ରଥମ ତରଙ୍ଗ କାଳରେ ଭାରତୀୟ ଅର୍ଥନୀତିରେ ମୋଟ ଘରୋଇ ଉତ୍ପାଦ ବା ଜି.ଡି.ପି.ର ତ୍ରୟମାସିକ ସ୍ଥିତିରେ ଯେଉଁ ସଂକୋଚନ ଓ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିଲା, ତାହା ‘V’ ଆକାର ଧାରଣ କରିଥିଲା। ବିଗତ ୧୯୨୦ ଏବଂ ୧୯୫୩ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥନୀତିର ଗ୍ରାଫ୍ ମଧ୍ୟ ‘V’ ଆକାରର ଥିଲା।
ଭାରତ ଭଳି ୟୁନାଇଟେଡ୍ କିଙ୍ଗ୍ଡମ୍, ଜର୍ମାନି, ଇଟାଲି, ବ୍ରାଜିଲ୍, ସିଙ୍ଗାପୁର ଇତ୍ୟାଦି ଦେଶ କରୋନା ସଂକ୍ରମଣ ପୂର୍ବରୁ ମଧ୍ୟ ସଂକୋଚନ ଦେଇ ଗତି କରୁଥିଲେ। ଏହି ସମୟରେ ଦେଶର ସାମଗ୍ରିକ ଲାଭ ହ୍ରାସ ପାଇଥାଏ। ସଂକୋଚନ ଦୀର୍ଘ କାଳ ଧରି ଲାଗି ରହେ, ତେବେ ତାହା ମାନ୍ଦାବସ୍ଥା (ଡିପ୍ରେସନ୍ସ)ର ରୂପ ନିଏ। ୧୯୨୯ ମସିହାେର ଦେଖା ଦେଇଥିବା ‘ଗ୍ରେଟ୍ ଡିପ୍ରେସନ୍’ ଏହାର ଏକ ଜ୍ବଳନ୍ତ ଉଦାହରଣ ଓ ଏହା ଦୀର୍ଘ କାଳ ଧରି ରହିଥିଲା। ମାତ୍ର, ମହାମାରୀ କରୋନା ସମୟରେ ଚୀନ୍, ଦକ୍ଷିଣ କୋରିଆ, ଇଣ୍ଡୋନେସିଆ, ତୁର୍କୀ ଭଳି କେତେକ ଦେଶ ସ୍ବଳ୍ପ ସମୟ ମଧ୍ୟରେ ପୁନର୍ବାର ଅଭିବୃଦ୍ଧି ପଥରେ ଅଗ୍ରସର ହେଉଥିବା ଦେଖାଯାଉଛି।
ଭାରତର ଅର୍ଥନୀତି କରୋନା ମହାମାରୀ ପୂର୍ବରୁ ନିମ୍ନଗାମୀ ହେଉଥିଲା। ଆମେ ଯଦି ୨୦୧୮-୧୯ ଆର୍ଥିକ ବର୍ଷର ଜି.ଡି.ପି.ର ଅଭିବୃଦ୍ଧି ଧାରାକୁ ଲକ୍ଷ୍ୟ କରିବା, ତେବେ ଦେଖିବା ଯେ ପ୍ରଥମ ଚଉଠ(Q1)ରୁ ଏହା ସଂକୋଚିତ ହୋଇଥିଲା। ସେହିଭଳି ୨୦୧୯-୨୦ ଆର୍ଥିକ ବର୍ଷର ଶେଷ ଚଉଠ (Q4)ରେ ମଧ୍ୟ। ଢାଞ୍ଚାଗତ ଦୁର୍ବଳତାକୁ ଆର୍ଥିକ ସଂକୋଚନର କାରଣ ବୋଲି କେତେକ ଅର୍ଥଶାସ୍ତ୍ରୀ ମତ ଦେଇଥିଲେ। ପୂର୍ବତନ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ରଘୁରାମ ରାଜନ ଢାଞ୍ଚାଗତ ସମସ୍ୟା ଯେମିତି କି ଜମି ଓ ଶ୍ରମ ନୀତିରେ ସଂସ୍କାରର ଅଭାବ ଏବଂ ଶାସନାଗତ ଅପାରଗତାକୁ ଏହାର କାରଣ ବୋଲି ଅଭିହିତ କରିଥିଲେ କିନ୍ତୁ ନୋବେଲ ପୁରସ୍କାର ବିଜେତା ଅଭିଜିତ ବାନାର୍ଜୀ ‘ବିମୁଦ୍ରୀକରଣ’ ଏବଂ ‘ଦ୍ରବ୍ୟ ଓ ସେବା କର’ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଓ କୌଶିକ୍ ବସୁ ବର୍ତ୍ତମାନର ସରକାର ପ୍ରତି ବିଶ୍ବାସ ହାନିକୁ ମୁଖ୍ୟ କାରଣ ବୋଲି ଅଭିହିତ କରିଥିଲେ। ତେବେ ଏ ସବୁ ସମସ୍ୟା ସ୍ବଳ୍ପକାଳୀନ ବୋଲି ସାଧାରଣତଃ ବିଚାର କରାଯାଇଥାଏ।
ପାନ୍େଡମିକ୍ ହେତୁ ଅନ୍ୟାନ୍ୟ ଦେଶ ଭଳି ଭାରତର ମଧ୍ୟ ସ୍ବାଭାବିକ ଭାବେ ଜି.ଡି.ପି.ର ପ୍ରଥମ ଚଉଠ ଓ ଦ୍ବିତୀୟ ଚଉଠରେ ଅଭିବୃଦ୍ଧି ଋଣାତ୍ମକ ବା ବିଯୁକ୍ତାତ୍ମକ ହୋଇଥିଲା। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆକଳନ ଅନୁସାରେ କରୋନା ହେତୁ ବିଶ୍ବ ଅର୍ଥନୀତି ୩% ସଂକୁଚିତ ହେବ ଓ ଉନ୍ନତ ଦେଶଗୁଡ଼ିକର ଅର୍ଥନୀତି ୫ରୁ ୯% ସଂକୋଚନ ସହିବ। ଭାରତର ଜି.ଡି.ପି. ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଚଉଠରେ ପ୍ରାୟ ୨୪% ସଂକୁଚିତ ହୋଇଥିଲା। ଏହା ସମସ୍ତଙ୍କୁ ବିଚଳିତ କରିଥିଲା। ‘ଜୀବନ ଆଗ ଜୀବିକା ପର’ ନୀତିରେ ବିଶ୍ବାସ ରଖି ଓ କରୋନା ସଂକ୍ରମଣ ରେଖାକୁ ସ୍ଥିର ରଖିବା ପାଇଁ ଭାରତ ସରକାର ୨୦୨୦ ମାର୍ଚ୍ଚ ୧୫ରୁ ଜୁନ୍ ୩୦ ପର୍ଯ୍ୟନ୍ତ ସଂପୂର୍ଣ୍ଣ ତାଲାବନ୍ଦର ଘୋଷଣା କରିଥିଲେ। ଫଳରେ ଅର୍ଥନୈତିକ କାର୍ଯ୍ୟକଳାପ ଭୀଷଣ ଭାବରେ ବାଧାପ୍ରାପ୍ତ ହେଲା। ନାଗରିକମାନଙ୍କ ଆୟ ହ୍ରାସ ପାଇଲା। ଶିଳ୍ପ ଉତ୍ପାଦନରେ ହ୍ରାସ ଘଟିଲା। ତେଣୁ, ଯୋଗାଣ ଶୃଙ୍ଖଳ ମଧ୍ୟ ପ୍ରଭାବିତ ହେଲା। ଦ୍ରବ୍ୟର ଚାହିଦା ମଧ୍ୟ କମିଗଲା। ଆର୍ଥିକ ବର୍ଷର ଦ୍ବିତୀୟ ଚଉଠରେ ଜି.ଡି.ପି. ୭.୩% ହ୍ରାସ ପାଇ ସେପ୍ଟେମ୍ବର ମାସରେ ସଂକୋଚନ ଆଡ଼କୁ ଚାଲିଯାଇଥିଲା, ଯାହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ‘ଐତିହାସିକ ଟେକ୍ନିକାଲ୍ ରିସେସନ’ ନାମରେ ଅଭିହିତ କରିଥିଲେ। ଏହି ସମୟରେ ଜି-୨୦ର ଅଧିକାଂଶ ଦେଶ ସଂକୋଚନର ଶିକାର ହୋଇଥିଲେ।
ସଂକୋଚନ ସମୟରେ ଅର୍ଥନୀତିରେ ସୁଧାର ଆଣିବା ପାଇଁ ଅର୍ଥନୀତିଜ୍ଞ କେଏନ୍ସ୍ଙ୍କ ତତ୍ତ୍ବର ବହୁଳ ପ୍ରୟୋଗ ଦେଖିବାକୁ ମିଳିଥାଏ। ଏହି ସମୟରେ ଅର୍ଥନୀତିରେ ମୁଦ୍ରା ପୂରାଇ ଚାହିଦା ଓ ନିବେଶରେ ବୃଦ୍ଧି ଘଟାଯାଇଥାଏ। ସୁତରାଂ, ଭାରତ ସରକାର ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ୍ ଘୋଷଣା କଲେ। କିଛି ମାସ ପରେ କରୋନା ପ୍ରଭାବରେ ହ୍ରାସ ଘଟିବାରୁ ଦେଶରେ ଅନ୍ଲକ୍ ଆରମ୍ଭ ହେଲା, ଯାହା ଫଳରେ ଅର୍ଥନୈତିକ କାର୍ଯ୍ୟକଳାପ ପୁଣି ବୃଦ୍ଧି ପାଇବାକୁ ଲାଗିଲା। ତେଣୁ ବର୍ଷର ତୃତୀୟ ଚଉଠରେ ମୋଟ ଘରୋଇ ଉତ୍ପାଦ .୪% ହାରରେ ବୃଦ୍ଧି ପାଇଲା, ଯାହା ଫଳରେ ଦେଶର ଅର୍ଥନୀତି ସଂକୋଚନରୁ ମୁକୁଳିବାର ଆଶା ଦେଖା ଦେଇଥିଲା। କ୍ରମେ କରୋନା କଟକଣା ଉଠିଗଲା। ଲୋକମାନଙ୍କର ଜୀବନ ଓ ଜୀବିକା ଧୀରେ ଧୀରେ ସ୍ବାଭାବିକ ହେବାକୁ ଲାଗିଲା। ସୁତରାଂ, ଆର୍ଥିକ ବର୍ଷର ଶେଷ ଚଉଠରେ ଜି.ଡି.ପି. ୧.୬ ଶତାଂଶ ହାରରେ ବୃଦ୍ଧି ପାଇଲା। ଫଳରେ ଅର୍ଥନୀତିର ଗତି ‘V’ ଆକାର ସୃଷ୍ଟି କରିବାକୁ ଲାଗିଲା।
କରୋନା କାରଣରୁ ଆମ ଦେଶର ଅର୍ଥନୀତି ଚାହିଦା, ନିବେଶ, ରପ୍ତାନି ଓ ସରକାରୀ ବ୍ୟୟରେ ହ୍ରାସ ଦ୍ବାରା ପ୍ରଭାବିତ ହୋଇଥିଲା। ଏଣୁ କରୋନା ସଂକ୍ରମଣଜନିତ ସଂପୂର୍ଣ୍ଣ ତାଲାବନ୍ଦ ଦ୍ବାରା ଉପରୋକ୍ତ ଚାରିଟି କାରଣ ହେତୁ ପ୍ରଥମ ଚଉଠରେ ଆର୍ଥିକ ସଂକୋଚନ ଦେଖା ଦେଇଥିଲା। ଅନ୍ୟ ପକ୍ଷରେ ମୋଟ ଘରୋଇ ଉତ୍ପାଦକୁ ପ୍ରଭାବିତ କରୁଥିବା କ୍ଷେତ୍ରଗୁଡ଼ିକ ମଧ୍ୟରୁ କୃଷି, ଜଙ୍ଗଲ ଓ ମତ୍ସ୍ୟଚାଷକୁ ବାଦ୍ ଦେଲେ ଅନ୍ୟ ସମସ୍ତ କ୍ଷେତ୍ରଗୁଡ଼ିକ ସଂକୁଚିତ ହୋଇଥିଲେ। ଦେଶର ନିର୍ମାଣ କ୍ଷେତ୍ର ୫୦.୩% ସଂକୁଚିତ ହୋଇଥିଲା ବେଳେ ବ୍ୟବସାୟ, ହୋଟେଲ, ପରିବହନ, ଯୋଗାଯୋଗ ଓ ପ୍ରସାରଣ ସମ୍ବନ୍ଧୀୟ ସେବା ଖୁବ୍ ପ୍ରଭାବିତ ହୋଇଥିଲେ। ଫଳରେ ମୋଟ ଘରୋଇ ଉତ୍ପାଦ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଚଉଠରେ ସର୍ବାଧିକ ସଂକୋଚନର ଶିକାର ହୋଇଥିଲା। ଏହି ସମୟରେ ଯୁକ୍ତରାଷ୍ଟ୍ର ଆମେରିକା, ୟୁ.କେ, ଫ୍ରାନ୍ସ, ଇଟାଲି, କାନାଡ଼ା, ଜର୍ମାନି, ଜାପାନର ଅର୍ଥନୀତି ମଧ୍ୟ ସଂକୁଚିତ ହୋଇଥିଲେ।
ପ୍ରଥମ ଭାଗରେ ବେକାରି, ଦରମା ହ୍ରାସ ଇତ୍ୟାଦି ଦ୍ରବ୍ୟର ଚାହିଦାକୁ ହ୍ରାସ କରିଥିବା ବେଳେ ଦ୍ବିତୀୟ ଚଉଠରେ ତହିଁରେ କିଛି ସୁଧାର ଆସିଥିଲା। ଫଳରେ ସଂକୋଚନ ହାର କମ୍ ହୋଇଥିଲା। ସେହିପରି ନିବେଶ ଓ ସରକାରୀ ବ୍ୟୟରେ ମଧ୍ୟ ବୃଦ୍ଧି ଦେଖାଦେଇଥିଲା। ମାତ୍ର ରପ୍ତାନି ଓ ଆମଦାନି ଉଭୟେ ସଂକୁଚିତ ହୋଇ ରହିଲେ, କାରଣ ମହାମାରୀ ସାରା ବିଶ୍ବକୁ କବଳିତ କରିଥିଲା। ଯୋଗାଣକୁ ପ୍ରଭାବିତ କରୁଥିବା କ୍ଷେତ୍ରଗୁଡ଼ିକ ମଧ୍ୟରୁ କୃଷି, ବିଦ୍ୟୁତ୍ ଶକ୍ତିି, ନିର୍ମାଣକୁ ଛାଡ଼ି ଅବଶିଷ୍ଟ କ୍ଷେତ୍ରଗୁଡ଼ିକ ସଂକୁଚିତ ହୋଇଥିଲେ। ବ୍ୟବସାୟ ଓ ହୋଟେଲ ଶିଳ୍ପ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ତେଣୁ ଜି.ଡି.ପି. ଦ୍ବିତୀୟ ଚଉଠରେ ପୂର୍ବ ଅପେକ୍ଷା କମ୍ ସଂକୁଚିତ ହୋଇଥିଲା। ଭାରତୀୟ ଅର୍ଥନୀତି ଅକ୍ଟୋବର-ଡିସେମ୍ବର ଚଉଠରେ ପୁନର୍ବାର ଅଭିବୃଦ୍ଧି ପଥରେ ଅଗ୍ରସର ହେବାର ସଂକେତ ମିଳିଥିଲା। କାରଣ କରୋନା ଚାଲିଯାଇଥିବାର ଏକ ଧାରଣା ଦ୍ବାରା ଅର୍ଥନୀତି ପୁନର୍ବାର ଚଳଚଞ୍ଚଳ ହୋଇ ଉଠିଥିଲା। ତେଣୁ ମୋଟ ଘରୋଇ ଉତ୍ପାଦ ଏହି ସମୟରେ .୪ ଶତାଂଶ ହାରରେ ବୃଦ୍ଧି ପାଇ ଭାରତୀୟ ଅର୍ଥନୀତିକୁ ସଂକୋଚନରୁ ମୁକୁଳିବାର ପଥ ପରିଷ୍କାର କରି ‘V’ ଅକ୍ଷର ସୃଷ୍ଟି ହେବାର ଆଶା ସଞ୍ଚାର କରାଇଥିଲା।
ମହାମାରୀର ଦ୍ବିତୀୟ ଲହର ଆସିବା ପୂର୍ବରୁ ଭାରତର ଅର୍ଥନୀତିରେ କିଛି ସୁଧାର ଆସିଥିଲା। କରୋନା ସଂକ୍ରମଣ ନିମ୍ନତମ ସ୍ତରରେ ପହଞ୍ଚିଥିଲା। ବ୍ୟବସାୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା। ଫଳରେ ଜି.ଡି.ପି. ଶେଷ ଚଉଠରେ ୧.୬ ଶତାଂଶ ହାରରେ ବୃଦ୍ଧି ପାଇ ସଂକୋଚନରୁ ମୁକୁଳିବାର ପଥ ‘V’ ଆକାର ସୃଷ୍ଟି କରିଥିଲା। ସେହି ସମୟରେ ଚୀନ୍ ପୃଥିବୀର ପ୍ରଥମ ଦେଶ ଥିଲା ଯେ କି କରୋନା ପ୍ରଭାବିତ ଅର୍ଥନୀତିକୁ ଅଭିବୃଦ୍ଧି ପଥରେ ଅାଗେଇ ନେବାରେ ସଫଳ ହୋଇଥିଲା। ଏବେ ସେହି ତାଲିକାରେ ସାମିଲ ହୋଇଥିଲେ ଭାରତ, ତୁର୍କୀ ଏବଂ ପରେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ଫ୍ରାନ୍ସ। କିନ୍ତୁ ଦେଶରେ କରୋନାର ଦ୍ବିତୀୟ ଲହର କାୟା ବିସ୍ତାର କରିବାରୁ ପୁଣି ଗଭୀର ସଂକୋଚନ ଦେଖା ଦେଲାଣି। ଏହାର ସଫଳ ମୁକାବିଲା କରିବା ଲାଗି ବାଟ ବାହାର କରିବାକୁ ହେବ। ଜୀବନ ସହିତ ଜୀବିକାର ଏକ ସମନ୍ବୟ ଏଥିରେ ସହାୟକ ହୋଇପାରେ। କିନ୍ତୁ ସେଥି ଲାଗି ମାର୍ଗଦର୍ଶିକା ପ୍ରସ୍ତୁତ ହେବା ଜରୁରୀ। ତାହା ନ ହେଲେ ଏହା ସମ୍ଭବପର ହେବା କଷ୍ଟକର।
ମୋ- ୯୯୩୮୭୧୬୫୭୦
[email protected]
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/4hdh564s6f5h465sf4h654fshfsfshfhfhfh.jpg)