ଭୋଅଟ ଦେବା କାହାକୁ?

ପଦ୍ମଚରଣ ନାୟକ

ସାଧାରଣ ନିର୍ବାଚନ ବେଶ୍‌ ଦୂରରେ ଥିବା ସ୍ଥଳେ ଏଭଳି ଲେଖାର ପ୍ରାସଙ୍ଗିକତା ସମ୍ପର୍କରେ କିଛି ପାଠକ ପ୍ରଶ୍ନ ଉଠାଇ ପାରନ୍ତି। କିନ୍ତୁ ପାଠକମାନଙ୍କର ଭ୍ରାନ୍ତି ଦୂର କରିବା ଲାଗି ପ୍ରଥମରୁ କହିରଖେ ଯେ ବାତାବରଣ ନିର୍ବାଚନ ଦ୍ବାରା ଉଷୁମ ନ ଥିବା ବେଳେ ଭୋଟରମାନଙ୍କୁ ଏ ଦିଗରେ କିଛି ଗୁରୁତ୍ବପୂର୍ଣ୍ଣ କଥା କହିଲେ ହୁଏତ ସେମାନେ ଏ ବାବଦରେ କିଛି ଚିନ୍ତା କରିବେ। କିଛି ଦିନ ତଳେ ଦାଦାଭାଇ ନାରୋଜୀଙ୍କ ଉପରେ ସଦ୍ୟ ପ୍ରକାଶିତ ଜୀବନୀଟି ପଢ଼ିବା ପରେ ମନରେ ଯେଉଁ ଭାବନା ଆସିଲା, ତାକୁ ହିଁ ପାଠକମାନଙ୍କ ପାଖରେ ରଖିବା ଏଭଳି ଲେଖାଟିର ଅଭିପ୍ରାୟ। ସେହି ବହିର ସମୀକ୍ଷାଟି ‘ହିନ୍ଦୁ’ର ରବିବାର ସ˚ସ୍କରଣରେ ପଢ଼ି ଜାଣିଲି ଯେ ଯେଉଁ ଗାନ୍ଧୀଙ୍କୁ ଆମେ ମହାତ୍ମା ଓ ଜାତିର ଜନକ ବୋଲି କହୁଛୁ, ସିଏ ଭାରତବର୍ଷକୁ ଫେରି ଆସିଲା ପରେ ଦାଦା ଭାଇଙ୍କୁ ସାକ୍ଷାତ କରି ତାଙ୍କୁ ମହାତ୍ମା ଓ ଜାତିର ଜନକ ବୋଲି ସମ୍ବୋଧନ କରିଥିଲେ।
ଯେତେବେଳେ ଭାରତବର୍ଷରେ ପାର୍ଲାମେଣ୍ଟ ତ ଦୂରର କଥା, କେବଳ ବମ୍ବେ, କଲିକତା ଓ ମାନ୍ଦ୍ରାଜ ସହରର ମ୍ୟୁନିସିପାଲିଟି ନିର୍ବାଚନ ହେଉଥିଲା ଓ ଅଳ୍ପ କିଛି ଲୋକ ଭୋଟର ହେବାର ଯୋଗ୍ୟତା ଲାଭ କରିଥିଲେ, ସେଭଳି ସମୟରେ ଗ୍ରେଟ୍‌ ବ୍ରିଟେନର ପାର୍ଲାମେଣ୍ଟକୁ ଜଣେ ଭାରତୀୟ ନିର୍ବାଚିତ ହେବା ଅଚିନ୍ତନୀୟ ଥିଲା। ଏକ ପରାଧୀନ ଜାତିର ଜଣେ ସାଧାରଣ ଲୋକ, ସେଭଳି ଗୌରବ ଅର୍ଜନ କରିବା ବାସ୍ତବିକ ଚନ୍ଦ୍ରକୁ ଛୁଇଁବା ଭଳି ଲାଗୁଥିବ। ଏଣୁ ମୋହନ ଦାସ ସେହି ବରପୁତ୍ରଙ୍କୁ ଦର୍ଶନ କରି ଏଭଳି କହିବା ମୋଟେ ଅସ୍ବାଭାବିକ ନଥିଲା।

ଦାଦା ଭାଇଙ୍କ ପାରିବାରିକ ଅବସ୍ଥା ସେତେ ସ୍ବଚ୍ଛଳ ନଥିଲା। ପାର୍ସୀମାନଙ୍କ ତତ୍କାଳୀନ ପ୍ରଥା ଅନୁସାରେ ମାତ୍ର ୫ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା ଓ ବର୍ଷକ ପରେ ପିତାଙ୍କ ବିୟୋଗ ଘଟିଥିଲା। ମା’ ତାଙ୍କୁ ଏକ ଇ˚ରେଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ାଇଥିଲେ। ହୁଏତ ଶ୍ବଶୁରଘର ଏଭଳି ବିପଦରେ ତାଙ୍କ ପରିବାରକୁ ସାହାଯ୍ୟ ଦେଉଥିଲେ। ନିଜର ସାଧନା ବଳରେ ସେ ବମ୍ବେରେ ସର୍ବୋଚ୍ଚ ଶିକ୍ଷା ଲାଭ କରିବା ପରେ ଗୋଟିଏ ପାର୍ସୀ ବ୍ୟବସାୟୀ ପରିବାର ସହିତ ଏକ ଅ˚ଶୀଦାର ଭାବରେ ଇଂଲଣ୍ତ ଯାଇଥିଲେ। ଇ˚ଲଣ୍ତରେ ଦୀର୍ଘ କାଳ ରହିବା ଭିତରେ ରାଜନୀତି ପ୍ରତି ତାଙ୍କର ଆଗ୍ରହ ହୋଇଥିଲା। ସେ ପ୍ରଥମ ଥର ନିର୍ବାଚନରେ ହାରିଯାଇ ୧୮୯୨ ଜୁଲାଇ ୬ରେ ଦ୍ବିତୀୟ ଥର ମାତ୍ର ୩ ଖଣ୍ତ ଅଧିକ ଭୋଟରେ ଜିତି ବ୍ରିଟିସ୍‌ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଥିଲେ। ସେତେବେଳକୁ ଭାରତୀୟ ଜାତୀୟ କ˚ଗ୍ରେସ ଦଳ ଗଠିତ ହୋଇ ସାରିଥାଏ। ଦାଦା ଭାଇଙ୍କର ଏଭଳି ମହାନ ସ˚ଗ୍ରାମ ଲାଗି ଭାରତବର୍ଷରୁ କିଛି ବ୍ୟକ୍ତି ଆର୍ଥିକ ସାହାଯ୍ୟ ପଠାଇଥିଲେ। ତାଙ୍କୁ ପାର୍ଲାମେଣ୍ଟର ନେତା ଓ ଭୋଟରମାନେ ବିଶେଷ ଭାବରେ ସମର୍ଥନ ଦେଇଥିଲେ। ତାଙ୍କର ଏହି ବିଜୟ ଭାରତୀୟ ଜାତୀୟ କ˚ଗ୍ରେସ ଲାଗି ତଥା ଭାରତବାସୀଙ୍କ ପାଇଁ ଏକ ଉତ୍ସାହପୂର୍ଣ୍ଣ ବାର୍ତ୍ତା ଥିଲା ଓ ସେ ଜାତୀୟ କ˚ଗ୍ରେସର ସଭାପତି ହୋଇଥିଲେ। ତାଙ୍କ ଜୀବନୀର ଅନ୍ୟାନ୍ୟ ଦିଗ ଛଡ଼ା ଯେଉଁମାନେ ବାଲ୍ୟ କାଳରୁ ପିତା ଓ ଅଭିଭାବକମାନଙ୍କୁ ହରାଇଥାନ୍ତି, ସେମାନଙ୍କ ଲାଗି ଦାଦାଭାଇଙ୍କ ସାଧନା ଓ ସ˚ଗ୍ରାମ ଏବ˚ ସିଦ୍ଧି ନିଶ୍ଚୟ ନିରାଶା ଲ˚ଘନ ଦିଗରେ ସହାୟକ ହେବ। ଦାଦାଭାଇ ନାରୋଜୀଙ୍କ ଜୀବନୀ ପଢ଼ିସାରିବା ପରେ ଭାରତବର୍ଷ‌େର ଭୋଟ୍‌ର ପରିସ୍ଥିତି, ଭୋଟରଙ୍କ ବିଚାର ଓ ଭାରତୀୟ ଗଣତନ୍ତ୍ରର ଗତିବିଧି ଏବ˚ ଓଡ଼ିଶାରେ ବିଜୁ ପଟ୍ଟନାୟକଙ୍କର ପାଟକୁରା ନିର୍ବାଚନ ମଣ୍ତଳୀରୁ ହାରିବା ତଥା ସାବିତ୍ରୀ ଅଗ୍ରୱାଲଙ୍କ ପାଟକୁରା ନିର୍ବାଚନ ମଣ୍ତଳୀରୁ ଜିତିବା କଥା ମନକୁ ଆସିଲା।

୧୯୫୨ ମସିହାର ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଧାନସଭା ଓ ଭାରତୀୟ ବିଧାନ ପରିଷଦ ଲାଗି ନିର୍ଦ୍ଦିଷ୍ଟ ଯୋଗ୍ୟତା ଥିବା ସୀମିତ ଭୋଟର ଭୋଟ୍‌ ଦେଉଥିଲେ। ସମ୍ବିଧାନ ଗୃହୀତ ହେବା ପରେ ସାର୍ବଜନୀନ ସାବାଳକ ଭୋଟ ଦାନ ଅଧିକାର ମିଳିଲା। ସାବାଳକମାନଙ୍କ ଭୋଟ ଅଧିକାର ବିଷୟ ଭାରତୀୟ ସମ୍ବିଧାନ ପରିଷଦରେ ଆଲୋଚନା କାଳରେ ବୟସ ବ୍ୟତୀତ ଅନ୍ୟ କିଛି ଯୋଗ୍ୟତା ରଖିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଯେହେତୁ ସ୍ବାଧୀନତା ସ˚ଗ୍ରାମରେ ବହୁ ନିରକ୍ଷର, ତଫସିଲଭୁକ୍ତ ଜାତି ଓ ଜନଜାତିର ଲୋକେ ଲଢ଼ି ସହିଦ ହୋଇଥିଲେ, ତାକୁ ବିଚାରକୁ ନେଇ ସାବାଳକ ଭୋଟ ବ୍ୟବସ୍ଥା ଗ୍ରହଣ କରାଗଲା। କିନ୍ତୁ ଏହା ଫଳରେ ନିରକ୍ଷର ଓ ନିଜ ମାତୃଭାଷା ଛଡ଼ା ଇ˚ରେଜୀ ବା ଭାରତର ବହୁ ଅଂଚଳରେ ପ୍ରଚଳିତ ହିନ୍ଦୀ ଭାଷା ନ ଜାଣିଥିବା ଲୋକେ ସ˚ସଦରେ ମୂକ ହୋଇ ବସିଲେ। ସ˚ସଦର ଓ ବିଧାନସଭାର କାମ କ’ଣ ଜାଣି ନଥିବା ପ୍ରତିନିଧିମାନେ ବି କିଛି ସାର୍ଥକ ଆଲୋଚନାରେ ଅ˚ଶଗ୍ରହଣ କରିପାରିଲେ ନାହିଁ। ସ˚ସଦକୁ ଫୁଲନ୍‌ ଦେବୀଙ୍କ ଭଳି ଦସ୍ୟୁରାଣୀ ବି ନିର୍ବାଚିତ ହୋଇଗଲେ ଏବ˚ ମହାନ ସ୍ବାଧୀନତା ସ˚ଗ୍ରାମୀ ତଥା ଜ୍ଞାନୀ ଆଚାର୍ଯ୍ୟ ନରେନ୍ଦ୍ର ଦେବ ଏବ˚ ବିଶିଷ୍ଟ ପାର୍ଲାମେଣ୍ଟାରିଆନ୍‌ ଅଶୋକ ମେହେଟ୍ଟା ବି ହାରିଲେ। ଭୋଟ ଦେବାର କ୍ଷମତା ପାଇଥିବା ବ୍ୟକ୍ତିଙ୍କୁ ସ˚ସଦ ଓ ବିଧାନସଭାର କାର୍ଯ୍ୟ ତଥା କ୍ଷମତା ସମ୍ପର୍କରେ ଶିକ୍ଷିତ କରାଗଲା ନାହିଁ। ମୋ ଜାଣିବାରେ ୧୯୫୨ ନିର୍ବାଚନ ପୂର୍ବରେ କଟକ ଜିଲ୍ଲାର କିଶନ ନଗର ନିର୍ବାଚନ ମଣ୍ତଳୀରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ବିନୋଦ କାନୁନଗୋ ‘ଭୋଟ୍‌ କଥାଟି କ’ଣ’ ନାମକ ଏକ କ୍ଷୁଦ୍ର ପୁସ୍ତିକା ଛପାଇ ତାଙ୍କ ନିର୍ବାଚନ ମଣ୍ତଳୀରେ ବାଣ୍ଟିଥିଲେ। ସେ ଆଉ ପରେ ନିର୍ବାଚନ ଲଢ଼ିନଥିଲେ।

ଭୋଟ ବ୍ୟବସ୍ଥାରେ ରାଜନୀତିକ ଦଳମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଅଛି, ଯଦିଓ ଭାରତୀୟ ସମ୍ବିଧାନ ଏ ଦିଗରେ ସମ୍ପୂର୍ଣ୍ଣ ନିରବ। ଏଣୁ ନିର୍ବାଚନ କାଳରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦଳମାନଙ୍କର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ଆଦିକୁ ବିଚାରକୁ ନେଇ ଭୋଟରମାନେ ଭୋଟ ଦେଇଥାନ୍ତି। ବ୍ୟତିକ୍ରମ ଭାବରେ ଜ୍ଞାନୀ, ଗୁଣୀ ଓ ଦେଶପ୍ରେମୀମାନଙ୍କୁ ବି ଲୋକେ ସାମୟିକ ଭାବରେ ବାଛି ଥାଆନ୍ତି। କିନ୍ତୁ ବିଗତ ଦିନରେ ଏ ଦିଗରେ ଅଚିନ୍ତନୀୟ ଭାବରେ ଅବକ୍ଷୟ ଦେଖା ଦେଇଛି। ଭାରତବର୍ଷରେ ଗ୍ରେଟ ବ୍ରିଟେନର ରକ୍ଷଣଶୀଳ ଓ ଶ୍ରମିକ ଦଳ ଭଳି ଦଳ ଶତାଧିକ ବର୍ଷ ଧରି ରାଜନୀତିକୁ ନିୟନ୍ତ୍ରଣ କରୁନାହାନ୍ତି। ବହୁ ବର୍ଷ ଧରି ଶାସନରେ ଥିବା କ˚ଗ୍ରେସ ଦଳ ନିଶ୍ଚିତ ଧ୍ବ˚ସ ମୁଖରେ। ତା’ ବିରୋଧରେ ସ˚ଖ୍ୟାଲଘୁ ତୋଷଣ ରାଜନୀତି, ପରିବାରବାଦ ଓ ଦଳ ମଧ୍ୟରେ ଆଭ୍ୟନ୍ତରୀଣ ଗଣତନ୍ତ୍ରର ଅଭାବ ଏବ˚ ନୂତନ ଯୁବ ନେତୃତ୍ବର ଅଭ୍ୟୁଦୟର ଅନୁପସ୍ଥିତିର ଅଭିଯୋଗ ଉଠୁଛି, ଯାହା ସେହି ଦଳ ଉପରେ ବୋଝ ହୋଇଯାଇଛି। ଏହା ସତ୍ତ୍ବେ ଏହି ଦଳ ଏବେ ଦେଶର ୫ଟି ରାଜ୍ୟରେ ଏକକ ବା ମେଣ୍ଟ ସରକାରରେ ଅଛି। ଗତ ଦୁଇଟି ସାଧାରଣ ନିର୍ବାଚନରେ କ˚ଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ରାହୁଳ ଗାନ୍ଧୀ ଇସ୍ତଫା ଦେଇଥିଲେ ମଧ୍ୟ ଦଳର କିଛି ପୁରୁଣା ନେତା, ଗଣତାନ୍ତ୍ରିକ ଧାରାରେ ଦଳୀୟ ନିର୍ବାଚନ କରାଇବା ଲାଗି ଆଗ୍ରହୀ ନୁହନ୍ତି। ବି.ଜେ.ପି. ଏହା ହିଁ ଚାହେଁ।
ବି.ଜେ.ପି. ଦେଶକୁ ଏକ ସ୍ଥିର ଏବ˚ ଦୃଢ ଶାସନ ଦେଇଥିଲେ ମଧ୍ୟ ସେହି ଦଳରେ ବି ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ। ଦେଶର ବିବିଧତା ଓ ଗଣତାନ୍ତ୍ରିକ ପ୍ରକ୍ରିୟାର ଅଭିବୃଦ୍ଧି ପ୍ରତି ସେ ଦଳ ବିଶେଷ ସହାନୁଭୂତିଶୀଳ ନୁହେଁ। ଦଳ କ୍ଷମତାର ବିକେନ୍ଦ୍ରୀକରଣ ବଦଳରେ ରାଜ୍ୟମାନଙ୍କୁ କେନ୍ଦ୍ରର ଅନୁଗ୍ରହୀ କରି ରଖିବା ଲାଗି ଆଗ୍ରହୀ। କ˚ଗ୍ରେସ ଦଳ ଯେଭଳି ସି.ବି.ଆଇ ଆଦି ସ˚ସ୍ଥାକୁ ବିରୋଧୀମାନଙ୍କୁ ଦମନ କରିବା ଲାଗି ପ୍ରୟୋଗ କରୁଥିଲା, ବି.ଜେ.ପି. ମଧ୍ୟ ସେଇଆ କରୁଛି। ଯେଉଁ ଲୋକପାଳ ଆଇନ ପ୍ରୟୋଗ ଲାଗି ସେହି ବି.ଜେ.ପି. ଦଳ ଅନ୍ୟମାନଙ୍କ ସହ ମିଶି ଆନ୍ଦୋଳନ କରୁଥିଲା ତାକୁ କାର୍ଯ୍ୟକାରୀ କରାଇବାରେ ଏବେ ତା’ର ଅନାଗ୍ରହ। ଏହା ଗଣତାନ୍ତ୍ରିକ ପ୍ରକ୍ରିୟା ଲାଗି ତା’ର ଆନ୍ତରିକତାର ଅଭାବର ପରିଚୟ ଦିଏ। ଉଚ୍ଚାରଣରେ ସେହି ଦଳ ଅନେକ ଭଲ କଥା କହୁଥିଲେ ହେଁ କାର୍ଯ୍ୟରେ ତା’ର ଅଭାବ ଘଟୁଛି। ଖାଲି ଧର୍ମୀୟ ସ˚ଖ୍ୟାଲଘୁ ନୁହେଁ, ବିଭିନ୍ନ ଦିଗର ସ˚ଖ୍ୟାଲଘୁଙ୍କୁ ମନେଇ ସାଙ୍ଗରେ ନେବା ପ୍ରତି ଉକ୍ତ ଦଳ ଅନାଗ୍ରହୀ।

କ˚ଗ୍ରେସ ଦଳର ଗୋଟିଏ ପରିବାର ନିକଟରେ ନିଜକୁ ବନ୍ଧା ପକାଇବା ଓ ସେହି ଦଳର ମୁଖ୍ୟ ଆଂଚଳିକ ନେତାମାନଙ୍କ ନେତୃତ୍ବକୁ ଦୁର୍ବଳ କରିବା ଫଳରେ ଭାରତବର୍ଷରେ ବିଜୁ ଜନତା ଦଳ, ତୃଣମୂଳ କ˚ଗ୍ରେସ, ୱାଇ.ଏସ୍‌. କ˚ଗ୍ରେସ, ନ୍ୟାସ୍‌ନାଲ କ˚ଗ୍ରେସ ଦଳ ଭଳି ଆଂଚଳିକ ଦଳମାନଙ୍କର ଅଭ୍ୟୁଦୟ ହୋଇଛି। ଏମାନେ ସବୁ ମୂଳ କ˚ଗ୍ରେସ ଦଳରୁ ବାହାରିଛନ୍ତି। ଏସବୁ ଦଳ ଛଡ଼ା ତେଲଗୁ ଦେଶମ୍‌, ଡି.ଏମ୍‌.କେ., ଆନ୍ନା ଡି.ଏମ୍‌.କେ, ଶିବସେନା ଆଦି ପ୍ରାନ୍ତୀୟ ଦଳର ମୁଖ୍ୟମାନେ ହେଉଛନ୍ତି ଦଳର ସର୍ବମୟ କର୍ତ୍ତା। ଏମାନଙ୍କୁ ଦଳର ସୁପ୍ରିମୋ କହାଯାଉଛି। ଏଭଳି କାରଣରୁ ଦଳର ପ୍ରାର୍ଥୀମାନଙ୍କୁ ଭୋଟ ନ ଦେଇ କ୍ରମେ ବହୁ ନାଗରିକ ‘ନୋଟା’ରେ ଭୋଟ ଦେଉଛନ୍ତି।

ଭାରତୀୟ ଦଳମାନଙ୍କର ଏଭଳି ଅନାକର୍ଷଣୀୟ ଓ ଦୁର୍ବଳ ପରିସ୍ଥିତି ମଧ୍ୟରେ ଗଣତନ୍ତ୍ର ପ୍ରତି ବଡ଼ ବିପଦ ହୋଇଛି ନିର୍ବାଚନର ବ୍ୟୟ ବହୁଳତା। ଲୋକଙ୍କୁ ଭୋଟ୍‌ର ଗୁରୁତ୍ବ, ଗଣତାନ୍ତ୍ରିକ ଧାରାର ମହତ୍ତ୍ବ, ସ˚ସଦ ତଥା ବିଧାନସଭାର ଆଭିମୁଖ୍ୟର ପାର୍ଥକ୍ୟ ଦର୍ଶାଇବା ଲାଗି କୌଣସି ଦଳ ଆଗ୍ରହୀ ନୁହନ୍ତି। ନିର୍ବାଚନ ବେଳେ ଏ ସବୁର ଆଲୋଚନା ନ ହୋଇ ଅଧିକ ଲୋକଙ୍କୁ ନଚାଇ ଓ ଠୁଳ କରି ରୋଡ୍ ସୋ’ରେ ନିର୍ବାଚନ ପ୍ରଚାର ସରୁଛି। ଏହା ପରେ ଅର୍ଥ ଏବ˚ ମଦର ପ୍ରତିଯୋଗିତାରେ ବିଚରା ଭୋଟର ଅବାନ୍ତର ନିଷ୍ପତ୍ତି ନେଉଛି। ଦେଶ ଓ ରାଜ୍ୟମାନଙ୍କର ଗଣତାନ୍ତ୍ରିକ ଧାରାର ଅବକ୍ଷୟ ଓ ତା’କୁ ସୁଧାରିବା ଉପରେ ବିରାଟ ଗ୍ରନ୍ଥମାନ ଲେଖାଯାଇପାରିବ। ତେବେ ସେ ସବୁ ଆଲୋଚନାକୁ ରଖି ପାଟକୁରାରୁ ବିଜୁ ପଟ୍ଟନାୟକ ହାରିବା ଓ ସାବିତ୍ରୀ ଅଗ୍ରୱାଲ ଜିତିବା ବିଷୟ ଆମ ଗଣତାନ୍ତ୍ରିକ ଚେତନାର ଅପରିପକ୍ବତା ଆଡ଼କୁ ଆସିବା।

୧୯୬୭ ମସିହାର ନିର୍ବାଚନରେ ଓଡ଼ିଶା ସମେତ ଭାରତବର୍ଷରେ କ˚ଗ୍ରେସ ହଟାଓ ହାୱା ଚାଲିଥାଏ। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରିତ୍ବରୁ ଇସ୍ତଫା ଦେଇଥିଲେ ହେଁ, ସେ ଥିଲେ କ˚ଗ୍ରେସ ଦଳର ମୁଖ୍ୟ। କ˚ଗ୍ରେସ ଦଳ ବିରୋଧରେ ସ୍ବତନ୍ତ୍ର ଦଳ ଏବ˚ ପ୍ରଜା ସୋସାଲିଷ୍ଟ ପାର୍ଟି ବ୍ୟାପକ ଅଭିଯାନ ଚଳାଇଛନ୍ତି। ବିଜୁ ପଟ୍ଟନାୟକ ପାଟକୁରାରୁ ପ୍ରତିଦ୍ବନ୍ଦ୍ବିତା କରିବା ସ୍ଥିର ହୋଇଗଲା ପରେ ପ୍ରଜା ସୋସାଲିଷ୍ଟ ପାର୍ଟିର ରଣକୌଶଳ ଥିଲା ତାଙ୍କୁ ପାଟକୁରାରେ ସଭା କରାଇ ନଦେବା। ସଭା କରିପାରିଲେ ସେ ପାରାଦ୍ବୀପ ବନ୍ଦର, ଏକ୍‌ସପ୍ରେସ୍‌ ସଡ଼କ ଆଦି ଭଳି ତାଙ୍କ କୃତିତ୍ବ କଥା କହି ଖାଲି ଲୋକଙ୍କ ସମର୍ଥନ ନୁହେଁ, ଆବେଗିକ ସହଯୋଗ ପାଇବେ। ଏଣୁ ତାଙ୍କୁ ଏସବୁ କୁହାଇ ନ ଦେଇ, ଅପର ପକ୍ଷରେ ପ୍ରଚାର କରାଗଲା ଯେ ସେ ପାଟକୁରା ଅଂଚଳର ଲୋକ ନୁହନ୍ତି, ତେଣୁ ତାଙ୍କୁ ଭୋଟ ନଦେଇ ଗାଁ ପୁଅ ଚକ୍ରଧର ଶତପଥୀଙ୍କୁ ଜିତାଅ। ଏହି ରଣନୀତିକୁ ସେହି ଦଳ ସଫଳ ଭାବରେ କରାଇ ପାରିଲେ। ଫଳରେ ବିଜୁ ପଟ୍ଟନାୟକଙ୍କ ଭଳି ସର୍ବଭାରତୀୟ ନେତା ଅଜ୍ଞାତ ଚକ୍ରଧର ଶତପଥୀଙ୍କ ଦ୍ବାରା ବହୁ ଭୋଟରେ ହାରିଲେ। ଗୋଟିଏ ମାତ୍ର ଅସ୍ତ୍ର ‘ଭୋଟ ଦେବା କାହାକୁ- ଆମ ଗାଁ ପୁଅକୁ’ ନାରା ଦ୍ବାରା ଦାଦା ଭାଇ ନାରୋଜୀଙ୍କୁ ହରାଇବା ଲାଗି ଇ˚ଲଣ୍ତର ଲୋକେ ପ୍ରୟାସ କରି ନ ଥିଲେ।

ଏହାର ବହୁବର୍ଷ ପରେ ପାଟକୁରାରୁ ରାଜ୍ୟର ଜଣେ ପ୍ରବୀଣ ରାଜନେତା ତଥା ପାଟକୁରା ପୁଅ ବିଜୟ ମହାପାତ୍ରଙ୍କର ନିର୍ବାଚନ ମଣ୍ତଳୀ ବାହାରର ସାବିତ୍ରୀ ଅଗ୍ରୱାଲଙ୍କ ଠାରୁ ପରାଜୟ ଓଡ଼ିଶା ରାଜନୀତିକ ଇତିହାସରେ ଏକ ଉଲ୍ଲେଖନୀୟ ଘଟଣା। ଅବଶ୍ୟ ୨୦୨୦ର ପାଟକୁରା ନିର୍ବାଚନ ମଣ୍ତଳୀରେ ପୂର୍ବ ପାଟକୁରାରୁ ବହୁ ଅ˚ଶ ବାଦ୍‌ ଯାଇ ଡେରାବିଶ ବ୍ଲକ୍‌ର ବହୁ ଅ˚ଶ ମିିଶିଥିଲା। ହେଲେ ବିଜୟ ମହାପାତ୍ର ଖାଲି ପାଟକୁରାର ନେତା ନୁହନ୍ତି ସେ ଓଡ଼ିଶାର ନେତା। ତେବେ ଗଲ୍‌ତି ରହିଲା କେଉଁଠି? ଏବେ ନିର୍ବାଚନ ପୂର୍ବ ଦିନମାନଙ୍କରେ ଅର୍ଥ ଓ ମଦ ଦେଇ ଭୋଟରମାନଙ୍କୁ କିଣାଯାଉଛି। ଦେଶର ମାଲିକ ନାଗରିକ ଆଜି ନିର୍ବାଚନର ପଣ୍ୟ ହୋଇଯାଇଛି। ଏ ବିଷଚକ୍ରରୁ ଉଦ୍ଧାର ପାଇ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ନିର୍ବାଚନ ମହତ୍ତ୍ବ ସମ୍ପର୍କରେ ଭୋଟରମାନଙ୍କୁ ଶିକ୍ଷିତ କରାଇବା ପ୍ରଥମ ଆବଶ୍ୟକତା। ଭାରତବର୍ଷରେ ଗଣତନ୍ତ୍ର ପ୍ରତି ଅଙ୍ଗୀକାର ଥିବା କିଛି ସର୍ବଭାରତୀୟ ଦଳର ଆବିର୍ଭାବ ଆଜିର ରାଜନୀତି ପାଇଁ ଅପରିହାର୍ଯ୍ୟ।

ଖାଲି ଓଡ଼ିଶା ନୁହେଁ, ଭାରତବର୍ଷର ସାଧାରଣ ଭୋଟର ନିକଟରେ ସ˚ସଦ ଓ ବିଧାନସଭାର କାର୍ଯ୍ୟାବଳୀ ଏବଂ ରାଜ୍ୟ ଓ ଦେଶ ଲାଗି ତା’ର ଭୂମିକା ସମ୍ପର୍କରେ ସ୍ପଷ୍ଟ ଧାରଣା ନାହିଁ। ସେମାନେ ଚାହାନ୍ତି ସା˚ସଦ ଓ ବିଧାୟକଙ୍କର ବାରମ୍ବାର ଦେଖା ମିଳୁ ଓ ସଡ଼କ, ବିଜୁଳି, ପାନୀୟ ଜଳ ଆଦିର ଅସୁବିଧା ସେ ଦୂର କରନ୍ତୁ। ଏପରିକି ପୁଅ ବିବାହ ବା ପିତୃ ବିୟୋଗ ବେଳେ ହାଜର ହୁଅନ୍ତୁ। ବିଜୟ ମହାପାତ୍ର ବହୁ ବର୍ଷ ଧରି ଏହି ଅଂଚଳର ଏ ସବୁ କାମ କରୁ ନ ଥିଲେ। ସା˚ସଦ ଓ ବିଧାୟକ ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ତଳୀରୁ ନିର୍ବାଚିତ ହୋଇଥିଲେ ମଧ୍ୟ ସେ ସମଗ୍ର ଦେଶ ଏବ˚ ସମଗ୍ର ରାଜ୍ୟର। ବିଶେଷକରି ଅବହେଳିତ ଅଂଚଳ ଓ ଅବହେଳିତ ବର୍ଗର ବିକାଶ ଲାଗି ସାଂସଦ ବା ବିଧାୟକର ଅଗ୍ରାଧିକାର ରହିବ। ତେଣୁ ସ˚ସଦ ଓ ବିଧାନସଭାର ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟାବଳୀକୁ ପ୍ରାର୍ଥୀ ସମ୍ପାଦନ କରିପାରିବା ଦିଗରେ କେତେ ସମର୍ଥ ସେସବୁ ବିଚାର ନ କରି କେବଳ ଶାସକ ଦଳକୁ ଭୋଟ ଦେଲେ ଯେ ଆମର ସବୁ କାମ ହେବ; ଏହା ହିଁ ଏବର ଧାରା ହୋଇଯାଇଛି। ଆଉ ନିର୍ବାଚନ ଜିତିବାର ସବୁଠାରୁ ନିର୍ଣ୍ଣାୟକ ଭୂମିକା ରହିଛି ଟଙ୍କା, ମଦ ମା˚ସ‌େର। ଏଥିରୁ ଭାରତୀୟ ଗଣତନ୍ତ୍ରର ଦୟନୀୟ ଅବସ୍ଥା ବୁଝିହୁଏ।
ସଭାପତି, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ
ମୋ : ୯୯୩୮୮୯୦୪୪୫

ସମ୍ବନ୍ଧିତ ଖବର