ଓଡ଼ିଶାର ଯାଜପୁର ଜିଲ୍ଲା ଅଡ଼ଙ୍ଗ ପ୍ରହ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ସରକାରୀ ଉଚ୍ଚବିଦ୍ୟାଳୟର ଜଣେ ନାମହୀନ ପରୀକ୍ଷାର୍ଥୀର ଦୁଇ ତିନିଟି ବାକ୍ୟ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ପରୀକ୍ଷାର୍ଥୀ ଜଣକ ତାଙ୍କ ସ୍କୁଲର ସଂସ୍କୃତ ପରୀକ୍ଷା ଉତ୍ତରଖାତାରେ ଯାହା ଲେଖିଥିଲେ ତାହା ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଦୟନୀୟ ଚିତ୍ରକୁ ସଭିଁଙ୍କ ଆଗରେ ତୋଳି ଧରିଛି। ପରୀକ୍ଷାର୍ଥୀ ଜଣକ ଲେଖିଥିଲେ, ‘‘ଆମର ସଂସ୍କୃତ ପଢ଼ା ଯାଇନାହିଁ। ଆମକୁ ଯେତିକି ଆସିଲା ଆମେ ସେତିକି କରିଛୁ। ଦୟାକରି ଅଧିକ ଆଶା କରନ୍ତୁ ନାହିଁ।’’ ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ସାହସୀ ଓ ସ୍ପଷ୍ଟବାଦୀ ଛାତ୍ର ଜଣକ ଏଇ ଯେଉଁ ବାକ୍ୟ ତିନିଟି ଲେଖିଛନ୍ତି ତାହା ତଥ୍ୟ ଆଧାରିତ। ସେ ମିଛ ଲେଖିନାହାନ୍ତି। ଏହା ପଛରେ ତାଙ୍କର କ୍ଷୋଭ, ଅସହାୟତା ଏବଂ ଅସାମର୍ଥ୍ୟ ଛପି ରହିଛି। ଛଅ ମାସ ତଳେ ସ୍କୁଲର ସଂସ୍କୃତ ଶିକ୍ଷକଙ୍କ ସାଙ୍ଗରେ ଆଉ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ମାତ୍ର ଶିକ୍ଷା ବିଭାଗର ଉପର ଅଧିକାରୀ ସେମାନଙ୍କ ବଦଳରେ ଏଠିକି ଅନ୍ୟ ଦୁଇ ଜଣ ଶିକ୍ଷକଙ୍କୁ ଆଣିବା କଥା ଭୁଲିଗଲେ। ଫଳରେ ଜୁନ୍ ମାସରୁ ସ୍କୁଲ ଖୋଲିଥିଲେ ମଧ୍ୟ ନଭେମ୍ବର ପର୍ଯ୍ୟନ୍ତ ପିଲାମାନଙ୍କୁ କେହି ସଂସ୍କୃତ ପଢ଼େଇ ନାହାନ୍ତି। କେବଳ ସଂସ୍କୃତ ନୁହେଁ, ଶିକ୍ଷକ ଅଭାବରୁ ଇତିହାସ ଏବଂ ଭୂଗୋଳ ପାଠ ମଧ୍ୟ ଏହି ସ୍କୁଲରେ ପଢ଼ା ଯାଇପାରିନାହିଁ। ଏପରି ପରିସ୍ଥିତିରେ ପିଲାଏ ଉତ୍ତରଖାତାରେ କି ଉତ୍ତର ଲେଖିପାରିଥାନ୍ତେ? ଅତ୍ୟନ୍ତ ଦୁଃଖ, କ୍ଷୋଭ ଓ ନୈରାଶ୍ୟରେ ତେଣୁ ଛାତ୍ର ଜଣକ ଲେଖିଛନ୍ତି- ଆମଠାରୁ ଅଧିକ ଆଶା କରନ୍ତୁ ନାହିଁ। ସମ୍ବାଦପତ୍ରମାନଙ୍କରେ ଏକଥା ମଧ୍ୟ ପ୍ରକାଶ ପାଇଛି ଯେ ସରକାରଙ୍କର ୫-ଟି ରୂପାନ୍ତରୀକରଣ ଯୋଜନାରେ ଏହି ବିଦ୍ୟାଳୟକୁ ସାମିଲ କରାଯାଇଥିଲେ ସୁଦ୍ଧା ଜିଲ୍ଲାର ଶିକ୍ଷା ଅଧିକାରୀଙ୍କ ଦ୍ବାରା ଶିକ୍ଷକ ସମସ୍ୟାର ସମାଧାନ କରାଯାଇପାରି ନାହିଁ। ଏଣୁ ନବମ ଓ ଦଶମ େଶ୍ରଣୀର ଛାତ୍ରମାନେ ସଂସ୍କୃତ, ଭୂଗୋଳ ଏବଂ ଇତିହାସ ପାଠ ପଢ଼ିବା ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ଗଣମାଧ୍ୟମରେ ଛାତ୍ରଟିର ରୋକଠୋକ ମନ୍ତବ୍ୟ ପ୍ରସାରିତ ହେବା ପରେ ଯାଜପୁରର ଶିକ୍ଷା ଅଧିକାରୀ କହିଛନ୍ତି, ‘ଏପରି ଘଟଣା ସମ୍ପର୍କରେ ମୁଁ ଜାଣି ନାହିଁ। ମୁଁ ଏ ସମ୍ବନ୍ଧରେ ତଦନ୍ତ କରି ଆପଣମାନଙ୍କୁ ଜଣାଇବି।’ ହୁଏତ ଏସବୁ କଥା ଚର୍ଚ୍ଚା ହେଲା ପରେ ପ୍ରଧାନଶିକ୍ଷକଙ୍କ ମାଧ୍ୟମରେ ଏହି ଛାତ୍ର ଜଣଙ୍କ ଉପରେ ଶାସ୍ତି ବିଧାନ ହୋଇପାରେ; ମାତ୍ର ତାହା କେବଳ ସତ୍ୟକୁ ଢାଙ୍କି ପକେଇବାର ଅସଫଳ ଉଦ୍ୟମ ହେବ।
ଯାଜପୁର ଜିଲ୍ଲାର ଏହି ଛାତ୍ରଙ୍କ ମନ୍ତବ୍ୟ ପଢୁଥିଲା ବେଳେ ‘ଉଲଗ୍ନ ରାଜା’ ଗପ ମନେ ପଡ଼ିଯାଏ, େଯଉଁଥିରେ ରାଜ ଦରବାରର ସଭାସଦ୍, ବିଶିଷ୍ଟ ବ୍ୟକ୍ତି ଏବଂ ଅଭିଜ୍ଞ ନାଗରିକମାନେ ରାଜାଙ୍କର ଅସ୍ତିତ୍ବହୀନ ରେଶମୀ ବସ୍ତ୍ରର ପ୍ରଶଂସା କରି ଚାଲିଥିବା ବେଳେ ରାସ୍ତାକଡ଼ର ଚପଳ କିେଶାରଟିଏ ଏକଥା ପଚାରିବାର ସାହସ କରିଥିଲା ଯେ ରାଜାଙ୍କର ସେହି ବସ୍ତ୍ର କାହିଁ? ତାହାପରେ ଯାଇ ରାଜା ତାଙ୍କର ଭୁଲ୍ ବୁଝିପାରିଥିଲେ। ସାନ ପିଲାଟିଏ ସେତିକି କହି ନ ଥିଲେ, ଭ୍ରମରେ ଥିବା ରାଜା ଉଲଗ୍ନ ଅବସ୍ଥାରେ ଆହୁରି କେତେ କାଳ ଓ କେତେ ଦୂର ଯାତ୍ରା କରିଥାନ୍ତେ କିଏ ଜାଣେ? ଓଡ଼ିଶାର ଶିକ୍ଷା ସମସ୍ୟାର ବିକଳ ଚିତ୍ର ଦେଖାଇବା ଲାଗି ହୁଏତ ଏଭଳି ଜଣେ ସ୍ପଷ୍ଟବାଦୀ ପରୀକ୍ଷାର୍ଥୀର ପ୍ରୟୋଜନ ଥିଲା। ଯିଏ ରାଜା ରୂପକ ବ୍ୟବସ୍ଥାର ବାସ୍ତବ ଚେହେରା ଆମକୁ ଦେଖାଇ ଦେଇଛନ୍ତି।
ସରକାରୀ ସ୍କୁଲରେ ଶିକ୍ଷକ ଅଭାବ ସମସ୍ୟାଟି କେବଳ ଯାଜପୁର ଜିଲ୍ଲାର ଏହି ସ୍କୁଲରେ ସୀମିତ ନୁହେଁ। ଓଡ଼ିଶାର ଦୁଇ ବଡ଼ ସମସ୍ୟା ଡାକ୍ତର ଅଭାବ ଓ ଶିକ୍ଷକ ଅଭାବ ସହ ଆମେ ବହୁଦିନୁ ପରିଚିତ। ଗୋଟିଏର ଅଭାବ ସ୍ବାସ୍ଥ୍ୟ ସମସ୍ୟାକୁ ଜଟିଳ କରୁଥିବା ବେଳେ ଆରଟିର ଅଭାବ ଓଡ଼ିଶାର ଭବିଷ୍ୟତକୁ ଦୁର୍ବଳ କରିଚାଲିଛି। ଏହା ସତ୍ତ୍ବେ ଯେଉଁଭଳି ତତ୍ପରତା ବା ଅଗ୍ରାଧିକାର ଭିତ୍ତିରେ ଶିକ୍ଷକ-ଅଭାବ ସମସ୍ୟାର ସମାଧାନ କରାଯିବା କଥା ତାହା ହୋଇପାରୁନାହିଁ କାହିଁକି? ଓଲଟି ଅନେକ ସମୟରେ ଶୀତଳ ପରିସଂଖ୍ୟାନର ସହଯୋଗ ନେଇ ସରକାରୀ ଅଧିକାରୀମାନେ ପରିସ୍ଥିତିର ଜଟିଳତାକୁ ହାଲୁକା ଭଙ୍ଗୀରେ ଏଡ଼ାଇ ଯାଉଛନ୍ତି। କିଛି ବର୍ଷ ତଳେ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଦାୟିତ୍ବରେ ଥିବା ବରିଷ୍ଠ ଅଧିକାରୀ ଶ୍ରୀ ପି.କେ. ମହାପାତ୍ର କହିଥିଲେ ଯେ ଓଡ଼ିଶାର ଶିକ୍ଷା ଅବସ୍ଥା ଦିଲ୍ଲୀଠାରୁ ଭଲରେ ଅଛି; କାରଣ ଓଡ଼ିଶାରେ ୯୧ ପ୍ରତିଶତ ପିଲା ସରକାରୀ ସ୍କୁଲରେ ଓ ମାତ୍ର ୯ ପ୍ରତିଶତ ପିଲା ଘରୋଇ ସ୍କୁଲରେ ପଢୁଥିବା ବେଳେ ଦିଲ୍ଲୀରେ ୬୦ ପ୍ରତିଶତ ପିଲା ସରକାରୀ ସ୍କୁଲରେ ଏବଂ ୪୦ ପ୍ରତିଶତ ପିଲା ଘରୋଇ ସ୍କୁଲେର ପଢୁଛନ୍ତି। ଏ ପ୍ରକାର ପରିସଂଖ୍ୟାନର ଉତ୍ତର କିଭଳି ଦିଆଯିବ ତାହା ଚିନ୍ତା କରିବା କଷ୍ଟ। ଦିଲ୍ଲୀ ପରି ଭିତ୍ତିଭୂମି ଏବଂ ଦିଲ୍ଲୀବାସୀଙ୍କ ଆର୍ଥିକ ସ୍ବଚ୍ଛଳତା ଓଡ଼ିଶାର ଆଦିବାସୀ ଓ ଗ୍ରାମୀଣ ଅଞ୍ଚଳରେ ରହିଥିଲେ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରମାନଙ୍କ ସଂଖ୍ୟା କେତେ କମ୍ ହୋଇଥାଆନ୍ତା ତାହା ବୁଝାଇ କହିବା ଅନାବଶ୍ୟକ। ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପୂର୍ବରୁ ଶକ୍ତି ବିଭାଗରେ ଥିବାବେଳେ, ଥରେ ‘ଓଡ଼ିଶା ରାଜ୍ୟ ବିଦ୍ୟୁତ୍ବୋର୍ଡ’ ପରିସରରେ ଥିବା ସ୍କୁଲର ବାର୍ଷିକ ଉତ୍ସବର ଅତିଥି ଭାବେ ଯାଇଥିଲେ। ସେତିକିବେଳେ ସେ ଏହି ଲେଖକକୁ ଯାହା କହିଥିଲେ ତାହା େହଲା, ବିଦ୍ୟାଳୟଟିର ସମସ୍ତ ବ୍ୟୟ ରାଜ୍ୟ ବିଦ୍ୟୁତ୍ବୋର୍ଡ ବୁଝନ୍ତି ଏବଂ ଏଠାରେ ଭଲ ସୁବିଧା ରହିଥିବା ସତ୍ତ୍ବେ ବିଦ୍ୟୁତ୍ବୋର୍ଡର ଝାଡୁଦାର ଓ ମାଳୀଙ୍କ ପିଲା ଛଡ଼ା ଆଉ କୌଣସି ଅଧିକାରୀଙ୍କ ପୁଅ ଝିଅ ଏଠାରେ ପଢୁନାହାନ୍ତି। ଓଡ଼ିଶାର ଗ୍ରାମାଞ୍ଚଳମାନଙ୍କରେ ଘରୋଇ ଇଂରେଜୀ ମାଧ୍ୟମ ସ୍କୁଲ ଥିଲେ ଆଜି ଅପେକ୍ଷା ବହୁ ଅଧିକ ପିଲା ଯେ ସେଠାରେ ପଢ଼ନ୍ତେ ଏଥିରେ ସନ୍ଦେହର ଅବକାଶ ନାହିଁ। ଆମ ରାଜ୍ୟର ଆଦିବାସୀ ଓ ଦୁର୍ଗମ ଅଞ୍ଚଳର ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମସ୍ୟା ଯୋଗୁଁ ଶିକ୍ଷାଦାନରେ କେଉଁ ଧରଣର ସମସ୍ୟା ଦେଖା ଦେଉଛି ତାହା ବିଭିନ୍ନ ସମୟରେ ଟିଭି ଓ ଖବରକାଗଜରେ ପ୍ରସାରିତ ହୋଇଆସୁଛି। ଏହାର ପରିଣାମ ମଧ୍ୟ ‘ଆନୁଆଲ ଷ୍ଟାଟସ୍ ଅଫ୍ ଏଜୁକେସନ୍ ରିପୋର୍ଟ’ (ଏଏସ୍ଇଆର୍)ରେ ପ୍ରତିଫଳିତ ହେଉଅଛି। ୨୦୨୨ର ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁସାରେ ଓଡ଼ିଶାର ଗ୍ରାମାଞ୍ଚଳର ସରକାରୀ ସ୍କୁଲରେ ପଢୁଥିବା ତୃତୀୟ େଶ୍ରଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧.୫ ପ୍ରତିଶତ ପିଲା ଅକ୍ଷର ଚିହ୍ନି ପାରୁ ନ ଥିଲେ। ୨୧.୬% ପିଲା ଅକ୍ଷର ଚିହ୍ନି ପାରୁଥିଲେ ସୁଦ୍ଧା ସଂପୂର୍ଣ୍ଣ ବାକ୍ୟଟିଏ ପଢ଼ିପାରୁ ନ ଥିଲେ। ଏହି ୩ୟ ଶ୍ରେଣୀ ପିଲାଙ୍କର ପଢ଼ା ସାମର୍ଥ୍ୟ ପ୍ରଥମ ଶ୍ରେଣୀ ପିଲାଙ୍କ ସ୍ତରର ସୁଦ୍ଧା ନ ଥିଲା। ଗଣିତ କ୍ଷେତ୍ରରେ ଏ ସମସ୍ୟା ଅଧିକ ଜଟିଳ। ତୃତୀୟ ଶ୍ରେଣୀର ପିଲାଙ୍କ ଭିତରୁ ୧୦ ପ୍ରତିଶତ ପିଲା ୧ରୁ ୯ ପର୍ଯ୍ୟନ୍ତ ସଂଖ୍ୟା ଚିହ୍ନିପାରୁ ନ ଥିବାବେଳେ ୨୭.୭% ପିଲା ୯ ପର୍ଯ୍ୟନ୍ତ ସଂଖ୍ୟା ଚିହ୍ନିପାରୁଥିଲେ ସୁଦ୍ଧା ୯୯ ପର୍ଯ୍ୟନ୍ତ ସଂଖ୍ୟା ଗଣିପାରୁ ନ ଥିଲେ। ୩୩% ପିଲା ସଂଖ୍ୟା ଚିହ୍ନିପାରୁଥିଲେ ସୁଦ୍ଧା ଫେଡ଼ାଣ ଜାଣୁ ନ ଥିଲେ ଓ ୮.୬% ପିଲା ହରଣ ଜାଣୁ ନ ଥିଲେ। ଏହି ରିପୋର୍ଟର ତଥ୍ୟ ଅନୁସାରେ ଇଂରେଜୀ ଭାଷାରେ ଓଡ଼ିଶାର ଗ୍ରାମାଞ୍ଚଳର ସରକାରୀ ସ୍କୁଲ ପିଲାମାନଙ୍କର ଦକ୍ଷତା ଆଦୌ ସନ୍ତୋଷଜନକ ନୁହେଁ। ତୃତୀୟ ଶ୍ରେଣୀର ପିଲାଙ୍କ ମଧ୍ୟରୁ ୨୨.୬% ଇଂରେଜୀ ‘କ୍ୟାପିଟାଲ୍ ଲେଟର’ ପଢ଼ିପାରୁ ନ ଥିବା ବେଳେ ୧୯.୬% ପିଲା ‘କ୍ୟାପିଟାଲ୍ ଲେଟର’ ଚିହ୍ନିପାରୁଥିଲେ ସୁଦ୍ଧା ‘ସ୍ମଲ୍ ଲେଟର’ ପଢ଼ିପାରୁ ନ ଥିଲେ। ୧୮.୪% ପିଲା ଶବ୍ଦ ପଢ଼ି ପାରୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ବାକ୍ୟଟିଏ ପଢ଼ିପାରୁ ନ ଥିଲେ। ଏହି ପିଲାଙ୍କ ଭିତରୁ ୯% ପିଲା କୌଣସି ଗୋଟିଏ ବାକ୍ୟ ପଢ଼ିପାରୁ ନ ଥିଲେ।
ଓଡ଼ିଶାର ସରକାରୀ ସ୍କୁଲ ଶିକ୍ଷା କ୍ଷେତ୍ରରେ ଏହି ସମସ୍ୟାର ଏକମାତ୍ର କାରଣ କେବଳ ଆବଶ୍ୟକ ସଂଖ୍ୟକ ଶିକ୍ଷକଙ୍କର ଅଭାବ ନୁହେଁ। ଏହା ସାଙ୍ଗକୁ ଆହୁରି ଅନେକ କାରଣ ରହିଛି। ଆବଶ୍ୟକ ସଂଖ୍ୟକ େଶ୍ରଣୀ ଗୃହ, ପାଠାଗାର, ଭିତ୍ତିଭୂମିର ଅଭାବ ଗୋଟିଏ ଗୋଟିଏ ବଡ଼ କାରଣ। ଯେତିକି ଶିକ୍ଷକ ନିଯୁକ୍ତି ପାଇଛନ୍ତି ସେତିକି ମଧ୍ୟ ଅନେକ ସମୟରେ ସ୍କୁଲରେ ଅନୁପସ୍ଥିତ ରହୁଛନ୍ତି। ଏଠାରେ ଯାଜପୁର ଜିଲ୍ଲା ପରି ଗୋଟେ ଆଗୁଆ ଜିଲ୍ଲାର କଥା ଆଲୋଚନା କରୁଛୁ। କିଛି ମାସ ତଳେ ଏହି ଲେଖକ ରାୟଗଡ଼ା ଜିଲ୍ଲାର ନିୟମଗିରି ଅଞ୍ଚଳର ଗୋଟିଏ ସ୍କୁଲକୁ ଯାଇଥିଲା। ସେ ସ୍କୁଲଟି ବିଷମ କଟକ ବ୍ଲକ୍ର ଖମ୍ବେସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ପାହାଡ଼ ଉପରେ ସ୍କୁଲଟି ପ୍ରତିଷ୍ଠିତ। ଏହି ଲେଖକ ପହଞ୍ଚିବାବେଳକୁ ମଧ୍ୟାହ୍ନ ଭୋଜନ ଚାଲିଥାଏ। ସଫାସୁତୁରା ପୋଷାକରୁ ବଞ୍ଚିତ ଡଙ୍ଗରିଆ କନ୍ଧ ପିଲାଏ ଥାଳିରେ କେବଳ ମେଞ୍ଚାଏ ମେଞ୍ଚାଏ ଭାତ ଧରି ବସିଥାଆନ୍ତି, କେବଳ ଭାତ। ସେ ଭାତରେ ତରକାରି କିମ୍ବା ଡାଲିର ଚିହ୍ନ ବି ଦିଶୁ ନ ଥାଏ। ଅନୁସନ୍ଧାନୀ ଲୋକ ଦୃଷ୍ଟିରେ ହୁଏତ କୋଉଠି ଟିକିଏ ହଳଦିଆ ଭାତ ଗୋଟେ ଯୋଡ଼ିଏ ଦିଶିଥାନ୍ତା ଯାହାକୁ ଡାଲି ସଂସ୍ପର୍ଶରେ ଆସିଥିବା ଭାତ ବୋଲି ଚିହ୍ନଟ କରାଯାଇପାରନ୍ତା। ଗୋଟିଏ କୋଠରିରେ ଦରିଟାଏ ପଡ଼ିଥିଲା। ବେଞ୍ଚ କି ଡେସ୍କ କିଛି ସେଠାରେ ନ ଥିଲା। ସେଇ କୋଠରିରେ ସବୁ ପିଲା ଗୁଞ୍ଜିଗାଞ୍ଜି ବସିଥିେଲ। ମଧ୍ୟାହ୍ନ ଭୋଜନ ନ ସରୁଣୁ ଯୁବ ଶିକ୍ଷକ ଜଣକ ଘରକୁ ଯିବାକୁ ବାହାରିଥାଆନ୍ତି। କିଛି ପିଲାଙ୍କୁ ଡାକି ଏହି ଲେଖକ ପାଠ ବିଷୟରେ ଆଲୋଚନା କଲା। ଯାହା ଉତ୍ତର ପାଇଲା ତାହା ଉପର୍ଯ୍ୟୁକ୍ତ ‘ଏଏସ୍ଇଆର୍’ ରିପୋର୍ଟର ପ୍ରତିଧ୍ବନି। ସେଇ ସରକାରୀ ସ୍କୁଲକୁ ଲାଗି ଆଉ ଗୋଟିଏ ଚାଟଶାଳୀ ଚାଲିଥିଲା। କଟକ ସତ୍ୟଭାମାପୁରର କସ୍ତୁରବା ଗାନ୍ଧୀ ଜାତୀୟ ସ୍ମାରକୀ ଟ୍ରଷ୍ଟର ଜଣେ ସ୍ବେଚ୍ଛାସେବୀ ଭଉଣୀ ଚାଟଶାଳୀଟି ଚଳାଉଥିଲେ। ସେ ପିଲାମାନଙ୍କ ପାଠପଢ଼ା ସରକାରୀ ସ୍କୁଲଠାରୁ ଟିକିଏ ଉନ୍ନତ ଥିଲା।
ସମସ୍ତେ ଆଲୋଚନା କରୁଛନ୍ତି ଯେ ଶିକ୍ଷାର ପ୍ରସାର ଆମ ରାଜ୍ୟ ପାଇଁ ସବୁଠାରୁ ବଡ଼ କଥା। ଯିଏ ପାଠ ପଢ଼ିବ, ସିଏ ଆଗକୁ ବଢ଼ିବ। ଯିଏ ପାଠ ପଢ଼ିବ ନାହିଁ, ସେ ପଛକୁ ରହିଯିବ। ତେଣୁ ଶିକ୍ଷାକ୍ଷେତ୍ରକୁ ଅଗ୍ରପ୍ରାଧାନ୍ୟ ଦେବା ଜରୁରି। ମାତ୍ର ତାହା ହେଉ ନାହିଁ। ଏହା ଫଳରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଦୁର୍ବଳ ଛାତ୍ର ବାହାରୁଛନ୍ତି, ଯେଉଁମାନଙ୍କୁ ସେମାନଙ୍କର ଜୀବନଯୁଦ୍ଧ ଆରମ୍ଭରୁ ରୁଗ୍ଣ ଓ ଅସମର୍ଥ କରି ଦିଆଯାଉଛି। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ କାହିଁକି ଏହାକୁ ଏକ ନମ୍ବର ପ୍ରାଥମିକତା ଭାବେ ଗ୍ରହଣ କରାଯାଉ ନାହିଁ? ଏହାର କାରଣ ହେଉଛି, ଅନ୍ୟ କ୍ଷେତ୍ରରେ କୌଣସି କାମ କଲେ ଯେମିତି ତାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବ ବା ନିର୍ବାଚନୀ ଲାଭ ମିଳିବ ପାଠପଢ଼ା କ୍ଷେତ୍ରରେ ବିକାଶମୂଳକ ପଦକ୍ଷେପ ସେପରି ଲାଭ ଦେବ ନାହିଁ। ଉଦାହରଣ ସ୍ବରୂପ ଯାଜପୁରର ଏହି ବିଦ୍ୟାଳୟର ସମସ୍ୟା କଥା ସେ ଜିଲ୍ଲାର କୌଣସି ରାଜନେତା କେବେ ଉଠେଇ ନ ଥିବେ। ବୁଦ୍ଧିଜୀବୀ ସମାଜ ମଧ୍ୟ ଏ କ୍ଷେତ୍ରରେ ପ୍ରତିବାଦ କରି ନ ଥିବେ। ଅଥଚ ସରକାରୀ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ସମସ୍ୟା ଚିନ୍ତା କରିବା ଆମର ମୁଖ୍ୟ କଥା ହେବା ଦରକାର। ରାଜ୍ୟରେ ଗୁଡ଼ିଏ ଇଂରେଜୀ ମିଡିୟମ ସ୍କୁଲ ଖୋଲିଲେ ଓଡ଼ିଆ ଭାଷାର ବିଶେଷ ଲାଭ ହେବାର ନାହିଁ। ଆମ ଓଡ଼ିଆ ଭାଷା ବଞ୍ଚିଲେ ଓଡ଼ିଶା ବଞ୍ଚିବ। ମାତୃଭାଷା ଶିକ୍ଷାର ବିଶେଷତ୍ବ ସମ୍ବନ୍ଧରେ ମହାତ୍ମା ଗାନ୍ଧୀ ୧୯୨୬ରେ ବାରାଣସୀ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଏଇ କଥା କହିଥିଲେ- ‘‘ଧର, ଯଦି ବିଗତ ପଚାଶ ବର୍ଷରେ ଆମକୁ ଆମ ନିଜ ମାତୃଭାଷାରେ ଶିକ୍ଷା ଦିଆଯାଇଥାନ୍ତା, ତେବେ ଆଜି ଆମର ଅବସ୍ଥା କ’ଣ ହୋଇଥାନ୍ତା? ଆଜି ଆମର ଭାରତ ସ୍ବାଧୀନ ହୋଇ ସାରିଥାନ୍ତା, ଆମର ଶିକ୍ଷିତ ଲୋକେ, ନିଜର ଦେଶରେ ବିଦେଶୀ ପରି ଆଚରଣ ନକରି, ଜାତିର ହୃଦୟକୁ ସ୍ପର୍ଶ କଲା ପରି କଥା କହୁଥାନ୍ତେ, ଦେଶର ସବୁଠାରୁ ଅଧିକ ଦରିଦ୍ରଙ୍କ ଭିତେର ଯାଇ ରହି ସେମାନଙ୍କର ସେବା କରୁଥାନ୍ତେ। ଏଇ କଥାରେ ଗତ ପଚାଶ ବର୍ଷରେ ସେମାନେ ଯାହା ଅର୍ଜିଥାନ୍ତେ ତାହା ଜାତୀୟ ସମ୍ପତ୍ତି ହୋଇଥାନ୍ତା।’’
ରାଜ୍ୟ ସରକାର ଆଗରୁ ସରକାରୀ ସ୍କୁଲଗୁଡ଼ିକର ସମସ୍ୟାକୁ ଉପଯୁକ୍ତ ଦୃଷ୍ଟି ଦେଇପାରୁ ନ ଥିଲେ, କାରଣ ଅର୍ଥର ଅଭାବ ଥିଲା। ବର୍ତ୍ତମାନ ରାଜ୍ୟର ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ୍ରେ ଅର୍ଥର ଅଭାବ ନାହିଁ। ପ୍ରୟୋଜନ ଗୋଟେ ଅଙ୍ଗୀକାରବଦ୍ଧ ଟିମ୍, ଯିଏ ଶିକ୍ଷାକ୍ଷେତ୍ରରେ ଥିବା ଏହିପରି ସମସ୍ତ ସମସ୍ୟାକୁ ଗୋଟିଏ ବର୍ଷ ଭିତରେ ବୈପ୍ଳବିକ ଆଗ୍ରହ ଏବଂ ଜିଦ୍ ନେଇ ପୂରଣ କରନ୍ତେ। ଶିକ୍ଷକ ନିଯୁକ୍ତି, ଡାକ୍ତର ନିଯୁକ୍ତି ପରି କଷ୍ଟକର କାର୍ଯ୍ୟ ନୁହେଁ। ଓଡ଼ିଶାରେ ହୁଏତ ଡାକ୍ତରଙ୍କର ଅଭାବ ଅଛି, ମାତ୍ର ଶିକ୍ଷକମାନଙ୍କର ତ ଅଭାବ ନାହିଁ। ତେଣୁ ସରକାର ଏ ଦିଗ ପ୍ରତି ଆଗେ ଦୃଷ୍ଟି ଦିଅନ୍ତୁ। ତାହା ନ ହେଲେ ଆଗକୁ ଯେଉଁ ଓଡ଼ିଆଏ ବଢ଼ି ଉଠିବେ ସେମାନେ ଓଡ଼ିଶାକୁ ଗଢ଼ିବାରେ ବିଫଳ ହେବେ ଏବଂ ଭବିଷ୍ୟତରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତରରେ କହିବେ, ‘ଆମ ଠାରୁ ଅଧିକ ଆଶା କରନ୍ତୁ ନାହିଁ।’
ମୋ: ୯୪୩୭୦୭୭୨୮୮
ଓଡ଼ିଶା ଡାଏରି: ଅଧିକ ଆଶା କରନ୍ତୁ ନାହିଁ
ଗୌରହରି ଦାସ
/sambad/media/post_attachments/wp-content/uploads/2023/11/fhffhfhfhfh.jpg)