୧୯୧୭ ମସିହା ଜୁନ୍ ମାସରେ ଦେଶ ବିରୋଧୀ ଏକ ଲେଖା ପାଇଁ ହୋମ ରୁଲ୍ ଲିଗ୍ର ତତ୍କାଳୀନ ଅଧ୍ୟକ୍ଷା ଆନି ବେସାନ୍ତଙ୍କୁ ଦେଶଦ୍ରୋହ ଅପରାଧରେ ଗିରଫ କରି ଇଂରେଜ ସରକାର ଗୃହବନ୍ଦୀ କରି ରଖିଥିଲେ। ହୋମ ରୁଲ୍ ଲିଗ୍ର ଅନ୍ୟ ଏକ ସଦସ୍ୟ ଥିଲେ ଅର୍ଥଶାସ୍ତ୍ରୀ ଶଙ୍କରଲାଲ ବ୍ୟାଙ୍କର। ବ୍ୟାଙ୍କର ଦିନେ ଗାନ୍ଧୀଙ୍କୁ ସାକ୍ଷାତ କରି ପଚାରିଲେ, ‘ଗାନ୍ଧୀଜୀ, ଡକ୍ଟର ବେସାନ୍ତଙ୍କ ମୁକ୍ତି ପାଇଁ କ’ଣ କିଛି କରି ହେବନି? ଆପଣ କ’ଣ ଏବେ ବି ଗତ ବର୍ଷ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉତ୍ସବରେ ବେସାନ୍ତଙ୍କ ଯୋଗୁଁ ସୃଷ୍ଟି ହୋଇଥିବା ସେ ଅପ୍ରୀତିକର ଘଟଣାକୁ ଭୁଲି ନାହାନ୍ତି?’ ଗାନ୍ଧୀଜୀ ଉତ୍ତର ଦେଲେ, ‘ମୁଁ ଆନି ବେସାନ୍ତଙ୍କୁ ଭଲ ଭାବେ ଜାଣେ। ତାଙ୍କୁ ବହୁତ ଭକ୍ତି ବି କରେ। ବନାରସ ଘଟଣା ମୁଁ ଭୁଲି ଯାଇଛି। ହଁ, ମୋ ପାଖରେ ଆନିଙ୍କ ମୁକ୍ତି ପାଇଁ ଗୋଟିଏ ବାଟ ଅଛି। ସେ ହେଉଛି ସତ୍ୟାଗ୍ରହ।’
ବ୍ୟାଙ୍କର ପୁଣି ପ୍ରଶ୍ନ କଲେ, “ଆପଣଙ୍କ ସତ୍ୟାଗ୍ରହରେ ମାଡାମ ବେସାନ୍ତଙ୍କୁ ଇଂରେଜ ସରକାର ମୁକ୍ତ କରିଦେବେ ବୋଲି କିଛି ଗ୍ୟାରେଣ୍ଟି ଅଛି? ସତ୍ୟାଗ୍ରହର ଦର୍ଶନ ଏବଂ ଏହାର ବ୍ୟାବହାରିକ ଶକ୍ତି ସମ୍ପର୍କରେ ମୁଁ ସେତେ କିଛି ଜାଣିନି। ସରକାର ସତ୍ୟାଗ୍ରହକୁ ‘ପାସିଭ୍ ରେଜିଷ୍ଟାନ୍ସ’ ବୋଲି କହୁଛନ୍ତି। ହିନ୍ଦୀରେ ଏହାର ନାଁ ଦେଇଛନ୍ତି ‘ନିଷ୍କ୍ରିୟ ପ୍ରତିରୋଧ’।’’
ବ୍ୟାଙ୍କରଙ୍କ ପ୍ରଶ୍ନର ଉତ୍ତର ରଖି ୧୯୧୭ ମସିହା ସେପ୍ଟେମ୍ବର ମାସ ୨ ତାରିଖରେ ଗାନ୍ଧୀ ବ୍ୟାଙ୍କରଙ୍କ ନିକଟକୁ ଏକ ଦୀର୍ଘ ଚିଠି ଲେଖିଲେ। ସତ୍ୟାଗ୍ରହ ବିଚାର ଉପରେ ଗାନ୍ଧୀଙ୍କ ଏହା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ବୋଲି ଗ୍ରହଣ କରାଯାଏ।
ଚିଠିରେ ଗାନ୍ଧୀ ଲେଖିଥିଲେ, ‘ଭାଇ ଶ୍ରୀ ଶଙ୍କରଲାଲ, ସତ୍ୟାଗ୍ରହ ସମ୍ପର୍କରେ ମୋ ମତ ଆପଣ ଜାଣିବାକୁ ଚାହିଁଥିଲେ। ମୁଁ ସଂକ୍ଷେପରେ କହୁଛି। ସତ୍ୟାଗ୍ରହ ଏକ ଆତ୍ମା ଶକ୍ତି, ସୋଲ ଫୋର୍ସ। ଏହା ଏକ ନୈତିକ ତଥା ଅହିଂସ ଅସ୍ତ୍ର। କେବଳ ନୀତିବାଦୀମାନେ ଏହାକୁ ଧାରଣ କରିପାରିବେ। ପ୍ରହଲ୍ଲାଦ, ମୀରା, ଯୀଶୁ, ଡାନିଏଲ ସକ୍ରେଟିସଙ୍କର ଏହା ଅସ୍ତ୍ର ଥିଲା। ଏମାନେ ସତ୍ୟକୁ ପରିତ୍ୟାଗ କରି ନ ଥିଲେ। ନିଜ ଶରୀର ପ୍ରତି ଏମାନଙ୍କର ଆସକ୍ତି ନ ଥିଲା। ପରାଜୟର ଭୟ ନ ଥିଲା। ନିଜ ବିରୋଧୀଙ୍କ ଧ୍ବଂସ ଚାହିଁ ନ ଥିଲେ। ସେମାନେ ସମସ୍ତେ ସାହସୀ ଥିଲେ। ଅନ୍ୟ ପ୍ରତି ପ୍ରେମ ଓ କରୁଣା ଥିଲା। ଏ ସବୁ ଥିଲେ ପୁରୁଣା ଯୁଗର ସତ୍ୟାଗ୍ରହୀ। ଇଏ ବି ସମ୍ପ୍ରତି ମୋ କଳ୍ପିତ ସତ୍ୟାଗ୍ରହୀର ଗୁଣ।’
ଶଙ୍କରଲାଲ ବ୍ୟାଙ୍କର ବୟସରେ ଗାନ୍ଧୀଙ୍କଠାରୁ ପ୍ରାୟ କୋଡ଼ିଏ ବର୍ଷ ସାନ ଥିଲେ। ଜଣେ ଛାତ୍ରକୁ ବୁଝେଇଲା ପରି ଗାନ୍ଧୀ ଲେଖିଥିଲେ, ‘ମୁଁ କିନ୍ତୁ ପ୍ରକୃତରେ ସତ୍ୟାଗ୍ରହର ଜନ୍ମଦାତା ନୁହେଁ। ସୃଷ୍ଟିର ଆଦି କାଳରୁ ସତ୍ୟାଗ୍ରହ ସଂଗ୍ରାମ ଅଛି। ପ୍ରେମ ନ ଥିଲେ ଏ ସୃଷ୍ଟି ତିଷ୍ଠି ରହି ପାରି ନ ଥାନ୍ତା। ସବୁ ଧର୍ମଶାସ୍ତ୍ରରେ ଅହିଂସା ପରମ ଧର୍ମ ବୋଲି ଲେଖା ଯାଇଛି। ହଁ, ଏହା ସତ, ମୁଁ ପ୍ରଥମେ ରାଜନୀତିରେ ଏହାକୁ ଏକ ଅସ୍ତ୍ର ଭାବେ ପ୍ରୟୋଗ କରିଛି। ଟଲଷ୍ଟୟ ମୋତେ ଏହା ସୂଚେଇ ଦେଇଥିଲେ।’
ସତ୍ୟାଗ୍ରହର କିଛି ସାଂବିଧାନିକ ବୈଧତା ଅଛି କି? ଏମିତି ଏକ ପ୍ରଶ୍ନର ଉତ୍ତର ଦେଇ ଚିଠିରେ ଗାନ୍ଧୀ ଲେଖିଥିଲେ, ଦକ୍ଷିଣ ଆଫ୍ରିକାରେ ଭାରତୀୟଙ୍କ ସତ୍ୟାଗ୍ରହକୁ ଅବୈଧ ଘୋଷଣା କରି ମୋତେ ଓ ମୋ ସହକର୍ମୀ ଭାରତୀୟଙ୍କୁ ଜାହାଜରେ ବଳପୂର୍ବକ ବସାଇ ଭାରତ ଫେରାଇ ଦେବାକୁ ଯେତେବେଳେ ସିନେଟର ହ୍ୱାଇଟ୍ସାଇଡ୍ ଦକ୍ଷିଣ ଆଫ୍ରିକାର ତତ୍କାଳୀନ ଗୃହମନ୍ତ୍ରୀ ଜେନେରାଲ ସ୍ମଟସ୍ଙ୍କ ପାଖରେ ଦାବି କରିଥିଲେ, ସ୍ମଟସ୍ ଏ ଦାବିକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ଏବଂ ସ୍ପଷ୍ଟୀକରଣ ଦେଇ କହିଥିଲେ, ଯେପର୍ଯ୍ୟନ୍ତ ଗାନ୍ଧୀ ଓ ତାଙ୍କ ସାଥୀମାନେ ବାହାରେ ଓ ଜେଲ ଭିତରେ ହିଂସା କରି ନାହାନ୍ତି, ତାଙ୍କର ସତ୍ୟାଗ୍ରହ ବୈଧ। ଇଂଲାଣ୍ଡ୍ରେ ମହିଳାଙ୍କ ଭୋଟ ଦାନ ଅଧିକାର ନେଇ ଚାଲିଥିବା ‘ସଫ୍ରାଗେଟ’ ଆନ୍ଦୋଳନ ଏବଂ ଶିକ୍ଷା ବିଲକୁ ବିରୋଧ କରି ବ୍ରିଟିସ୍ ସାଂସଦ ଡକ୍ଟର କ୍ଲିଫାର୍ଡ କରୁଥିବା ପାସିଭ ରେଜିଷ୍ଟାନ୍ସକୁ ଗଣତାନ୍ତ୍ରିକ ତଥା ସାଂବିଧାନିକ ବୋଲି ଚର୍ଚ୍ଚିଲ କହିଲେଣି।’
ଗାନ୍ଧୀଙ୍କୁ ବ୍ୟାଙ୍କରଙ୍କ ଅନ୍ୟ ଏକ ପ୍ରଶ୍ନ ଥିଲା, ଜଣେ ବ୍ୟକ୍ତିଗତ ଭାବେ ଅନ୍ୟାୟର ପ୍ରତିବାଦ କରି ସତ୍ୟାଗ୍ରହ କରିପାରିବ କି? ଗାନ୍ଧୀ ଉତ୍ତର ଥିଲା, ଠିକ୍ ଓ ଭୁଲ୍ ବାଛିବାର ଶକ୍ତି ପ୍ରତି ବ୍ୟକ୍ତିର ଅଛି। ସତ୍ୟାଗ୍ରହ ସତ୍ୟାଗ୍ରହୀର ଏକ ତପସ୍ୟା ପରି ସାଧନା। ସେ ଜାଣେ, ସାଧନା ତ୍ରୁଟିପୂର୍ଣ୍ଣ ହେଲେ ସିଦ୍ଧି ମିଳିବା ଅସମ୍ଭବ। ଏମିତି ତ ଇତିହାସ ବି କୁହେ ପ୍ରତ୍ୟେକ ସଂସ୍କାର ଜଣେ ବ୍ୟକ୍ତି ଠାରୁ ହିଁ ଆରମ୍ଭ ହୋଇଥାଏ।’
ଚିଠି ଶେଷରେ ବ୍ୟାଙ୍କରଙ୍କୁ ପ୍ରସ୍ତାବ ଦେଇ ଗାନ୍ଧୀ ଲେଖିଥିଲେ, ‘ଆନି ବେସାନ୍ତଙ୍କ ଗିରଫ ବିରୋଧରେ ଅନ୍ତତଃ ଶହେ ଜଣଙ୍କୁ ନେଇ ଏକ ପ୍ରତିବାଦ ପଦଯାତ୍ରା ବାହାରିବା ଉଚିତ। ଇଏ ମଧ୍ୟ ସତ୍ୟାଗ୍ରହର ଏକ ଅଂଶ। ସତ୍ୟାଗ୍ରହ ହିଁ ଜନ ଜାଗୃତିର ଏକ ଜନପ୍ରିୟ ପରିପ୍ରକାଶ।’
ସତ୍ୟାଗ୍ରହକୁ ଦିନେ ସନ୍ଦେହ କରିଥିବା ଶଙ୍କରଲାଲ ବ୍ୟାଙ୍କରକୁ ଗାନ୍ଧୀଜୀଙ୍କ ଚିଠି ଏକ ନିଷ୍ଠାବାନ ସତ୍ୟାଗ୍ରହୀଟିଏ କରି ଦେଇଥିଲା। ଅହମଦାବାଦ ମିଲ୍ ଶ୍ରମିକ ସତ୍ୟାଗ୍ରହରେ ବ୍ୟାଙ୍କର ଗାନ୍ଧୀଙ୍କ ଏକ ସକ୍ରିୟ ସହଯୋଗୀ ଥିଲେ। ଅସହଯୋଗ ଆନ୍ଦୋଳନ ପରେ ୧୯୨୨ ମସିହା ମାର୍ଚ୍ଚ ୧୦ ତାରିଖରେ ‘ୟଙ୍ଗ ଇଣ୍ଡିଆ’ରେ ସରକାର ବିରୋଧୀ ଲେଖା ପ୍ରକାଶନ ଯୋଗୁଁ ଗାନ୍ଧୀଙ୍କୁ ୬ ବର୍ଷ ଜେଲ ଦଣ୍ଡ ମିଳିବା ବେଳେ ଶକରଲାଲଙ୍କୁ ପତ୍ରିକାର ପ୍ରକାଶକ ଭାବେ ଏକ ବର୍ଷ କାରାଦଣ୍ଡ ମିଳିଥିଲା। ସତ୍ୟାଗ୍ରହ ପାଇଁ ଦଣ୍ଡ ପାଇବାରେ ଗାନ୍ଧୀଙ୍କର ପ୍ରଥମ ସାଥୀ ଥିଲେ ଶଙ୍କରଲାଲ ବ୍ୟାଙ୍କର। ବ୍ୟାଙ୍କର ଗାନ୍ଧୀଙ୍କ ସହ ଏରୱାଡ଼ା ଜେଲରେ ଗୋଟିଏ କୋଠରିରେ ରହିଥିଲେ। ଜେଲରୁ ମୁକ୍ତି ପରେ ଗେଟ୍ ପାଖରେ ଯେତେବେଳେ ମହମ୍ମଦ ଅଲୀ ଜିନ୍ନା ବ୍ୟାଙ୍କରଙ୍କୁ ପ୍ରଶ୍ନ କଲେ, ‘ବ୍ୟାଙ୍କର, ଜେଲରେ ଗାନ୍ଧୀ କେମିତି ଲାଗିଲେ?’ ବ୍ୟାଙ୍କର ଉତ୍ତର ଦେଇଥିଲେ, ‘ସତ୍ୟାଗ୍ରହୀ ବାପୁ ଜଣେ ସାଧୁ ମହାତ୍ମା। ଜେଲ୍ରେ ତାଙ୍କୁ ଏକାକୀ ଛାଡ଼ି ଆସିବାକୁ ଇଚ୍ଛା ନ ଥିଲା।’
ମୋ: ୯୮୬୧୪୬୯୩୨୮
ଗାନ୍ଧୀ ଦୃଷ୍ଟି: ସତ୍ୟାଗ୍ରହର ଶକ୍ତି
ଗୌରାଙ୍ଗ ଚରଣ ପରିଡ଼ା
/sambad/media/post_attachments/wp-content/uploads/2023/11/sfhsfhsfhhsfhsfsfh.jpg)