ମୋଟ ଉପରେ ବିଶ୍ବର ଦୃଷ୍ଟି ଆକର୍ଷଣ କଲା ଭଳି ଅଭିବୃଦ୍ଧି ହାସଲ କରିବା ସହିତ ସରକାରଙ୍କୁ ଏହା ମଧ୍ୟ ନିଶ୍ଚିତ କରିବାକୁ ହେବ ଯେପରି ପ୍ରତ୍ୟେକ କର୍ମକ୍ଷମ ଭାରତୀୟ ଏକ ଉତ୍ପାଦନଶୀଳ କାର୍ଯ୍ୟରେ ନିୟୋଜିତ ହୋଇଥାଏ। ନଚେତ୍ ଭାରତୀୟ ‘ଜିଡିପି’ର ଆକାର ଯେତେ ଟ୍ରିଲିଅନ୍ ଡଲାର୍ ହୋଇଥାଉ ନା କାହିଁକି, ତାହା କୋଟି କୋଟି ନିଯୁକ୍ତି ସନ୍ଧାନୀ ଦେଶବାସୀମାନଙ୍କ ପାଇଁ କୁଆ ଦୃଷ୍ଟିରେ ପାଚିଲା ବେଲ ଭଳି ହେବ।
ନଭେମ୍ବର ୧୯ରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ‘ସ୍କ୍ରିନ୍ସଟ୍’ ଏକ ଦେଶବ୍ୟାପୀ ବିତର୍କ ସୃଷ୍ଟି କରିଛି, େଯଉଁଥିରେ ସରକାରଙ୍କର ସମର୍ଥକମାନେ ଏହାକୁ ଏକ ପ୍ରଶଂସାପତ୍ର ପରି ପ୍ରଦର୍ଶିତ କରୁଥିବା ବେଳେ, ବିରୋଧୀମାନେ ଏହାକୁ ଏକ ନକଲି ପ୍ରଶଂସାପତ୍ର ରୂପେ ଅଭିହିତ କରୁଛନ୍ତି। ତେବେ ସରକାର ଖୋଦ୍ ଏହା ଉପରେ ଏ ପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ପ୍ରଦାନ କରି ନାହାନ୍ତି। ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ (‘ଆଇଏମ୍ଏଫ୍’) ଦ୍ବାରା ପ୍ରଦତ୍ତ ପରିସଂଖ୍ୟାନକୁ ଉଦ୍ଧାର କରାଯାଇଥିବା ଦାବି କରି ପ୍ରସାରିତ ହୋଇଥିବା ଏହି ‘ସ୍କ୍ରିନ୍ସଟ୍’ ବହନ କରିଥିବା ସୂଚନା ଅନୁଯାୟୀ ମୁଦ୍ରା ଆକାରରେ ଭାରତର ‘ମୋଟ ବାର୍ଷିକ ଜାତୀୟ ଉତ୍ପାଦ’ ବା ‘ନୋମିନାଲ୍ ଜିଡିପି’ର ଆକାର ୪ ଟ୍ରିଲିଅନ୍ ଡଲାର୍ (୪ ଲକ୍ଷ କୋଟି ଡଲାର) ଅତିକ୍ରମ କରି ସାରିଲାଣି ଓ ଅନତି ବିଳମ୍ବେ ଭାରତ ପୃଥିବୀର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି।
କିନ୍ତୁ ସରକାରଙ୍କର ବଜେଟ୍ ଏଷ୍ଟିମେଟ୍ ଅନୁସାରେ ୨୦୨୩-୨୪ ବିତ୍ତ ବର୍ଷରେ ‘ନୋମିନାଲ୍ ଜିଡିପି’ରେ ୧୦.୫ ଶତାଂଶ ହାରରେ ବୃଦ୍ଧି ଘଟି ତାହା ୩.୭ ଟ୍ରିଲିଅନ୍ ଡଲାର୍ ଆକାର ସ୍ପର୍ଶ କରିବ ଏବଂ ‘ଆଇଏମ୍ଏଫ୍’ର ପୂର୍ବାନୁମାନ ଅନୁସାରେ ଆସନ୍ତା ବିତ୍ତ ବର୍ଷରେ ଯାଇ ତାହା ୪ ଟ୍ରିଲିଅନ୍ ଡଲାର୍ ସୀମା ଅତିକ୍ରମ କରିବ। ଜାପାନକୁ ବିସ୍ଥାପିତ କରି ପୃଥିବୀର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା ପାଇଁ ଭାରତକୁ ଆହୁରି ତିନି ବର୍ଷ ଲାଗିବ, ଏବଂ ଜର୍ମାନିକୁ ଅତିକ୍ରମ କରି ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା ପାଇଁ ଭାରତକୁ ତା’ପରେ ଆଉ ଏକ ବର୍ଷ ସମୟ ଲାଗିବ ବୋଲି ସେଇ ପୂର୍ବାନୁମାନରେ ଦର୍ଶାଯାଇଛି।
ଭାରତୀୟ ‘ଜିଡିପି’ର ଆକାର ଅର୍ଥାତ୍ ଅର୍ଥନୀତିର ଆକାରକୁ ନେଇ ସୋସିଆଲ୍ ମିଡିଆରେ ଜୋର୍ ଧରିଥିବା ଏହି ଚର୍ଚ୍ଚା କିନ୍ତୁ କାହା ପାଇଁ ଯଦି ଅର୍ଥହାନୀ ମନେ ହେଉଥାଏ, ସେମାନେ ହେଉଛନ୍ତି ନିଯୁକ୍ତି ସନ୍ଧାନରେ ଥିବା ଭାରତର ସାଧାରଣ ଜନତା। ‘ଜିଡିପି’ରେ ଅଭିବୃଦ୍ଧି ଯଦି ସେମାନଙ୍କ ପାଇଁ ବାସ୍ତବ ନିଯୁକ୍ତି ସୁଯୋଗ ସୃଷ୍ଟି କରେ, ତେବେ ଯାଇ ତାହା ସେମାନଙ୍କ ପାଇଁ ଅର୍ଥପୂର୍ଣ୍ଣ ହୋଇଥାଏ। କିନ୍ତୁ ଉପଲବ୍ଧ ସୂଚନାରୁ ଯାହା ଜଣାଯାଏ, ଅର୍ଥନୀତିର ଏହି ବର୍ଦ୍ଧିଷ୍ଣୁ ଆକାର ସେମାନଙ୍କ ପାଇଁ ସେହିପରି ହୋଇଛି, ପାଚିଲା ବେଲ ଯେଉଁପରି କୁଆ ପାଇଁ ହୋଇଥାଏ। ଏହାର ଏକ ପ୍ରମାଣ ସ୍ବରୂପ ଗତ ବିତ୍ତ ବର୍ଷର ଅନୁରୂପ ସମୟକାଳ ତୁଳନାରେ ଚଳିତ ବିତ୍ତ ବର୍ଷରେ ଅକ୍ଟୋବର ଶେଷ ସୁଦ୍ଧା ବେକାରମାନଙ୍କୁ କର୍ମନିଯୁକ୍ତି େଯାଗାଇବା ପାଇଁ ଉଦ୍ଦିଷ୍ଟ ‘ମହାତ୍ମା ଗାନ୍ଧୀ ନେସନାଲ୍ ରୁରାଲ୍ ଏମ୍ପ୍ଲଏମେଣ୍ଟ୍ ଗ୍ୟାେରଣ୍ଟି ଆକ୍ଟ’ ଅଧୀନରେ ନିଯୁକ୍ତି ପ୍ରାର୍ଥୀମାନଙ୍କ ସଂଖ୍ୟାରେ ପ୍ରାୟ ୧୦ ଶତାଂଶ ବୃଦ୍ଧି ଘଟିଥିବା ଦେଖାଯାଇଛି।
ଯଦି ନିର୍ଦ୍ଦିଷ୍ଟ ରୂପେ ନିଯୁକ୍ତି ସୃଷ୍ଟି ନିମିତ୍ତ ଉଦ୍ଦିଷ୍ଟ ଅଭିବୃଦ୍ଧି ହାସଲ କରା ନ ଯାଏ, ତା’ହେଲେ ସେ ଅଭିବୃଦ୍ଧି ଯେ ନିଯୁକ୍ତିହୀନ ହେବାର ସମ୍ଭାବନା ଥାଏ, ତାହା ଅତୀତରେ ପରିଦୃଷ୍ଟ ହୋଇଛି। ୧୯୭୨-୭୩ରୁ ୧୯୯୩-୯୪ ପର୍ଯ୍ୟନ୍ତ ଦୁଇ ଦଶନ୍ଧି କାଳ ‘ଜିଡିପି’ରେ ଘଟିଥିବା ପ୍ରତି ୧ ଶତାଂଶ ବୃଦ୍ଧି ପିଛା ନିଯୁକ୍ତିରେ ୦.୪୮ ଶତାଂଶ ବୃଦ୍ଧି ଘଟିବା ପରିଲକ୍ଷିତ ହୋଇଥିଲା, କିନ୍ତୁ ୧୯୯୩-୯୪ରୁ ୧୯୯୯-୨୦୦୦ ମଧ୍ୟରେ ‘ଜିଡିପି’ରେ ବାର୍ଷିକ ୬.୮ ଶତାଂଶ ହାରରେ ବୃଦ୍ଧି ଘଟିଥିଲେ ହେଁ ନିଯୁକ୍ତିରେ ବାର୍ଷିକ ମାତ୍ର ୧ ଶତାଂଶ ହାରରେ ବୃଦ୍ଧି ଘଟି ପାରିଥିଲା। ୨୦୦୪-୦୫ରୁ ୨୦୦୯-୧୦ ମଧ୍ୟରେ ‘ଜିଡିପି’ରେ ବାର୍ଷିକ ହାରାହାରି ୮.୭ ଶତାଂଶ ହାରରେ ବୃଦ୍ଧି ଘଟିଥିବା ବେଳେ ନିଯୁକ୍ତିରେ ଘଟିଥିବା ବାର୍ଷିକ ବୃଦ୍ଧି ହାର ଥିଲା ଆହୁରି ଶୋଚନୀୟ, ମାତ୍ର ୦.୧ ଶତାଂଶ। ୨୦୧୧-୧୨ରୁ ୨୦୨୧-୨୨ ଦଶନ୍ଧିରେ ‘ଜିଡିପି’ରେ ହାସଲ ହୋଇଥିବା ହାରାହାରି ବାର୍ଷିକ ବୃଦ୍ଧି ହାର ୫.୪ ଶତାଂଶ ହୋଇଥିବା ବେଳେ ନିଯୁକ୍ତିରେ ବୃଦ୍ଧି ଘଟିଛି ମାତ୍ର ୧.୪ ଶତାଂଶ ହାରରେ।
୨୦୧୭-୧୮ରେ ଦେଶରେ ‘ସାମୟିକ ଶ୍ରମ ଶକ୍ତି ସର୍ବେକ୍ଷଣ’ (‘ପିରିଅଡିକ୍ ଲେବର୍ ଫୋର୍ସ ସର୍ଭେ’) ପ୍ରବର୍ତ୍ତନ କରାହେଲା। ଏହା ପୂର୍ବରୁ ପାଞ୍ଚ ବର୍ଷରେ ଥରେ ଶ୍ରମ ଶକ୍ତି ସଂପର୍କିତ ସୂଚନା ସଂଗ୍ରହ କରାଯିବାର ବ୍ୟବସ୍ଥା ଥିଲା। ୨୦୧୭-୧୮ରେ କରାଯାଇଥିବା ‘ପିଏଲ୍ଏଫ୍ଏସ୍’ରୁ ଜଣା ପଡ଼ିଥିଲା ଯେ ୨୦୧୧-୧୨ରେ ଦେଶରେ ମୋଟ ନିଯୁକ୍ତି ସଂଖ୍ୟା ୪୭୨ ନିୟୁତ ଥିବା ବେଳେ ୨୦୧୭-୧୮ରେ ସେଥିରେ ବୃଦ୍ଧି ଘଟିବା ପରିବର୍ତ୍ତେ ସଂକୋଚନ ଘଟି ହୋଇଥିଲା ୪୫୭ ନିୟୁତ। ଏଥିରେ ପୁଣି ଯାହା ଅଧିକ ଚିନ୍ତାଜନକ ଥିଲା, ତାହା ହେଲା, ଏହି ମୋଟ ସଂକୋଚନ ପରିମାଣ ୧୫ ନିୟୁତ ହୋଇଥିବା ବେଳେ ମହିଳା ନିଯୁକ୍ତିରେ ଘଟିଥିବା ସଂକୋଚନ ଥିଲା ୨୫ ନିୟୁତ। ୨୦୧୭-୧୮ ପରବର୍ତ୍ତୀ ଚାରି ବର୍ଷ ସମୟରେ ନିଯୁକ୍ତି ସୃଷ୍ଟିରେ ଉନ୍ନତି ଘଟି ପ୍ରାୟ ୮୬ ନିୟୁତ ଅତିରିକ୍ତ ନିଯୁକ୍ତି ସୃଷ୍ଟି ହୋଇଛି, କିନ୍ତୁ ଆହୁରି ଅତିରିକ୍ତ ୮୦ ନିୟୁତ ନିଯୁକ୍ତି ସନ୍ଧାନରେ ବ୍ୟାପୃତ ଥିଲେ। ଭାରତରେ ଶ୍ରମ ଶକ୍ତିରେ ମହିଳାମାନଙ୍କର ଅଂଶଗ୍ରହଣ ହାର ହେଉଛି ମାତ୍ର ୨୪ ଶତାଂଶ, ଯାହା ଅତ୍ୟନ୍ତ ହତାଶାଜନକ। ଆଶ୍ଚର୍ଯ୍ୟର କଥା ୧୯୯୩-୯୪ରେ ଏହା ଥିଲା ୩୩ ଶତାଂଶ।
ନିଯୁକ୍ତି ସୁଯୋଗରେ ଆଶାନୁରୂପ ବୃଦ୍ଧି ଘଟୁ ନ ଥିବା ଯୋଗୁଁ କୃଷି ଓ ତତ୍ସଂପର୍କିତ କ୍ଷେତ୍ର ଉପରେ ଆବଶ୍ୟକତାରୁ ଅଧିକ ଲୋକ ଜୀବାକର୍ଜନ ନିମିତ୍ତ ନିର୍ଭର କରୁଛନ୍ତି। କୋଭିଡ୍ ସମୟରେ ଦେଖା ଦେଇଥିବା ଗ୍ରାମାଭିମୁଖୀ ଶ୍ରମିକ ପ୍ରତ୍ୟାବର୍ତ୍ତନ ଯୋଗୁଁ କୃଷିକ୍ଷେତ୍ର ଉପରେ ଏହି ଚାପ ଆହୁରି ବୃଦ୍ଧି ପାଇ ଛଦ୍ମବେଶୀ ବେକାରି ସମସ୍ୟାକୁ ଆହୁରି ଗୁରୁତର କରିଛି। ଅର୍ଥନୀତିର ଆକାର ବୃଦ୍ଧି ସହିତ ତାଳ ଦେଇ ପ୍ରତ୍ୟେକ ନାଗରିକର ଜୀବନଧାରଣର ମାନରେ ବୃଦ୍ଧି ଘଟିବାକୁ ହେଲେ କୃଷିକ୍ଷେତ୍ରରୁ ଏହି ଅନାବଶ୍ୟକ ଶ୍ରମ ଶକ୍ତିକୁ କାଢ଼ି ଆଣି ଅଣ-କୃଷି କ୍ଷେତ୍ରମାନଙ୍କରେ ଉତ୍ପାଦନଶୀଳ ଭାବରେ ନିଯୁକ୍ତ କରିବାକୁ ହେବ। ସେଥିପାଇଁ ଶ୍ରମ ଶକ୍ତି ଉପଲବ୍ଧ ଥିବା ଅଞ୍ଚଳରେ ଶ୍ରମ-ସଘନ ଉତ୍ପାଦନ (ମାନୁଫାକ୍ଚରିଙ୍ଗ୍) କେନ୍ଦ୍ରମାନ ପ୍ରତିଷ୍ଠା କରାଯିବା ହେଉଛି ଅନ୍ୟତମ ଫଳପ୍ରଦ ଉପାୟ ବୋଲି ଅର୍ଥନୀତିଜ୍ଞମାନେ ବିଶ୍ବାସ କରିଥାନ୍ତି। ଏଥିରେ ସହାୟକ ହେବା ପାଇଁ ସରକାର ଆବଶ୍ୟକ ନୀତି ପ୍ରଣୟନ କରି କାର୍ଯ୍ୟକାରୀ କରିବା ଉଚିତ୍।
ଶ୍ରମ-ସଘନ କ୍ଷେତ୍ରରେ ଏକ ଅଗ୍ରଣୀ ନିଯୁକ୍ତି-ଅନୁକୂଳ କ୍ଷେତ୍ର ହେଉଛି- ନିର୍ମାଣ। ଭିତ୍ତିଭୂମି ନିର୍ମାଣ ହେଉଛି ଏହିପରି ଏକ କ୍ଷେତ୍ର, ଯାହାର କୃଷିକ୍ଷେତ୍ରରୁ ଶ୍ରମିକମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରି ଆଣିବାର ବ୍ୟାପକ କ୍ଷମତା ଥାଏ। ଶ୍ରମିକମାନଙ୍କୁ ଆକର୍ଷିତ କରିବାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥାଏ ବେପାର ବଣିଜ, ହୋଟେଲ୍, ପରିବହନ ଓ ଯୋଗାଯୋଗ କ୍ଷେତ୍ର। ବିଶେଷ କରି ପାଣ୍ଡେମିକ୍ ପରେ ଏ କ୍ଷେତ୍ରରେ ଯେଉଁ ବିସ୍ଫୋରକ ବୃଦ୍ଧି ଦେଖା ଦେଇଛି, ତାହାକୁ ଦୀର୍ଘସ୍ଥାୟୀ କରିବା ନିମିତ୍ତ ସରକାରଙ୍କୁ ଉପଯୁକ୍ତ ନୀତି କାର୍ଯ୍ୟକାରୀ କରିବା ସହିତ ଏଥିପାଇଁ ଉପଯୁକ୍ତ ଭିତ୍ତିଭୂମି ମଧ୍ୟ ଯୋଗାଇ ଦେବାକୁ ହେବ।
ମୋଟ ଉପରେ ବିଶ୍ବର ଦୃଷ୍ଟି ଆକର୍ଷଣ କଲା ଭଳି ଅଭିବୃଦ୍ଧି ହାସଲ କରିବା ସହିତ ସରକାରଙ୍କୁ ଏହା ମଧ୍ୟ ନିଶ୍ଚିତ କରିବାକୁ ହେବ ଯେପରି ପ୍ରତ୍ୟେକ କର୍ମକ୍ଷମ ଭାରତୀୟ ଏକ ଉତ୍ପାଦନଶୀଳ କାର୍ଯ୍ୟରେ ନିୟୋଜିତ ହୋଇଥାଏ। ନଚେତ୍ ଭାରତୀୟ ‘ଜିଡିପି’ର ଆକାର ଯେତେ ଟ୍ରିଲିଅନ୍ ଡଲାର୍ ହୋଇଥାଉ ନା କାହିଁକି, ତାହା କୋଟି କୋଟି ନିଯୁକ୍ତି ସନ୍ଧାନୀ ଦେଶବାସୀମାନଙ୍କ ପାଇଁ କୁଆ ଦୃଷ୍ଟିରେ ପାଚିଲା ବେଲ ଭଳି ହେବ।