ଭାରତରେ ବେସାମରିକ ବିମାନ ଚଳାଚଳକୁ ନିୟନ୍ତ୍ରଣ କରୁଥିବା ସରକାରୀ ସଂସ୍ଥା ଡାଇରେକ୍ଟରେଟ୍ ଜେନେରାଲ୍ ଅଫ୍‌ ସିଭିଲ୍‌ ଏଭିଏସନ୍ (ଡିଜିସିଏ)ର ତଥ୍ୟ ଅନୁସାରେ ୨୦୨୩ ମସିହାରେ ଜାରି କରାଯାଇଥିବା କମର୍ସିଆଲ୍ ପାଇଲଟ୍‌ ଲାଇସେନ୍‌ସ ବା ‘ସିପିଏଲ୍‌’ ସଂଖ୍ୟା ଭାରତ ଇତିହାସରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି। ଗତ ବର୍ଷ ସମୁଦାୟ ୧,୬୨୨ ଜଣଙ୍କୁ ପାଇଲଟ୍‌ ଲାଇସେନ୍‌ସ ମିଳିଥିଲା ଯାହା ତା’ ପୂର୍ବ ବର୍ଷ (୨୦୨୨) ତୁଳନାରେ ୪୦% ଅଧିକ ବୋଲି ଜଣାପଡ଼ିଛି। ୨୦୨୨ରେ ୧,୧୬୫ ଜଣଙ୍କୁ ନୂଆ ପାଇଲଟ୍‌ ଲାଇସେନ୍‌ସ ମିଳିଥିଲା। ଆଉ ଏକ ଉଲ୍ଲେଖନୀୟ ବିଷୟ ହେଉଛି ନୂଆ ପାଇଲଟ୍‌ ଭାବେ ମହିଳାଙ୍କର ଉତ୍ସାହଜନକ ଅଂଶଗ୍ରହଣ ହାର। ୨୦୨୩ରେ ନୂଆ କରି ସ୍ବୀକୃତି ପାଇଥିବା ପାଇଲଟ୍‌ମାନଙ୍କ ମଧ୍ୟରୁ ୧୮% ବା ୨୯୨ ହେଉଛନ୍ତି ମହିଳା। ବିଗତ ଏକ ଦଶନ୍ଧିରେ ଡିଜିସିଏ ଜାରି କରିଥିବା ପାଇଲଟ୍‌ ଲାଇସେନ୍‌ସ ସଂଖ୍ୟା ପାଖାପାଖି ଦୁଇଗୁଣ ହୋଇଯାଇଛି। ୨୦୧୩-୧୪ରେ ଏହି ସଂଖ୍ୟା ୭୮୩ ହୋଇଥିବା ବେଳେ ୨୦୨୩-୨୪ରେ ଏହା ୧,୬୨୨କୁ ବୃଦ୍ଧି ପାଇଛି। ସମାନ ଅବଧିରେ ମହିଳାଙ୍କ ଅଂଶ ତିନିଗୁଣ ହୋଇ ୧୧୬ରୁ ୨୯୩କୁ ବୃଦ୍ଧି ପାଇଛି। ଉଲ୍ଲେଖନୀୟ ଯେ ଭାରତରେ ମହିଳା ପାଇଲଟ୍‌ଙ୍କ ହାର ସମଗ୍ର ବିଶ୍ବର ସର୍ବାଧିକ। ବିଶ୍ବ ସ୍ତରରେ ମହିଳା ପାଇଲଟ୍‌ଙ୍କ ହାର ମାତ୍ର ୫% ହୋଇଥିବା ବେଳେ ଭାରତରେ ଏହା ପାଖାପାଖି ୧୪%। ସେହିପରି ଭାରତର ବିମାନ ସେବା କ୍ଷେତ୍ର ହେଉଛି ବିଶ୍ବର ସର୍ବାଧିକ ବେଗରେ ଅଭିବୃଦ୍ଧି ଦେଖୁଥିବା ବ୍ୟାବସାୟିକ ବିମାନ ବଜାର। ଏଆର୍ ଇଣ୍ଡିଆ ଓ ଇଣ୍ଡିଗୋ ଭଳି ବିମାନସେବା ପ୍ରଦାନକାରୀ ସଂସ୍ଥା ୧,୬୦୦ରୁ ଅଧିକ ବିମାନ କିଣିବା ପାଇଁ ଚୁକ୍ତି କରିସାରିଛନ୍ତି। ଏହି କାରଣରୁ ଆଗାମୀ ଦଶନ୍ଧିମାନଙ୍କରେ ବିମାନ ସଂଖ୍ୟା ବୃଦ୍ଧି ପାଇବା ସହିତ ହଜାର ହଜାର ନୂଆ ପାଇଲଟ୍‌ଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।