ପୃଥିବୀ ମାନଚିତ୍ରରେ ଏକ ନୂଆ ତିବ୍ବତ ଜନ୍ମ ହେବାକୁ ଯାଉଛି। ଏଥର ଏହାର ନାମ ୟୁକ୍ରେନ୍ ରହିଛି। ନିଜର ଐତିହାସିକ ଭୁଲ୍ ଯୋଗୁଁ ଯାହା ଇତିହାସରେ ମଗ୍ନ ହୋଇଯାଇଛି, ତାହାକୁ ବର୍ତ୍ତମାନ ପ୍ରାଗୈତିହାସିକ ଢଙ୍ଗରେ ଖୋଜିବା ମୂର୍ଖତା, ମୂଢ଼ତା ଅଶିଷ୍ଟତା ଛଡ଼ା ଆଉ କିଛି ନୁହେଁ। ୟୁକ୍ରେନ୍ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯାହା କରୁଛନ୍ତି, ତାହା ଅନୈତିକ, ଅଶିଷ୍ଟ ତଥା ‘ସଡ଼କ ଛାପ’ ଗୁଣ୍ଡାର ଦାଦାଗିରି ସଦୃଶ। ଆଉ ଦୁନିଆର ତମାମ ରାଷ୍ଟ୍ରନେତା ଯେଉଁମାନେ ନିଜକୁ ବିଶ୍ବ ରାଜନୀତିର ମୁରବି ବୋଲି ଭାବୁଛନ୍ତି, ଛାତି ଫୁଲାଇ ବୁଲୁଛନ୍ତି, ଏବେ ଭୀରୁ ଜୋକର ପରି ଜଣାପଡ଼ୁଛନ୍ତି। ଏହାର କାରଣ ନୁହେଁ ଯେ ସେମାନେ ପୁଟିନ୍ଙ୍କ ଆଗରେ ନିରୁପାୟ ହୋଇପଡ଼ିଛନ୍ତି; ବରଂ କଥା ହେଲା ସେମାନଙ୍କ ଭିତରେ ଜଣେ ଜଣେ ପୁଟିନ୍ ଲୁଚି ରହିଛି, ଆଉ ସମସ୍ତଙ୍କର ନିଜ ନିଜର ୟୁକ୍ରେନ୍ ମଧ୍ୟ ରହିଛି।
ଦୁଇଟି ଯାକ ବିଶ୍ବଯୁଦ୍ଧରେ ଗୋଟିଏ ସାମଞ୍ଜସ୍ୟ ଥିଲା- ହିଂସାର ମହାଶକ୍ତିମାନଙ୍କ ମଧ୍ୟରେ ମନ ପସନ୍ଦର ବିଭାଜନ। ୟୁରୋପ, ଆଫ୍ରିକା ଓ ଏସିଆର ଛୋଟ ତଥା ପରାଜିତ ଦେଶମାନଙ୍କର ସୀମାକୁ ମନଇଚ୍ଛା ନିର୍ଦ୍ଧାରଣ କରି ଏପରି ଏକ କ୍ଷତ ସୃଷ୍ଟି କରାଯାଇଛି, ଯହିଁରୁ ଅନବରତ ଲସା ବହି ଚାଲିଛି। ବହୁତ କିଛି ଏମିତି ହୋଇଛି ଯେମିତି ଦୁଇ ବିରାଡ଼ିଙ୍କ ମଧ୍ୟରେ ପିଠା ବାଣ୍ଟୁଥିବା ମାଙ୍କଡ଼ ସବୁ ମାରିନେଲା, ଆଉ ବିରାଡ଼ି ଦ୍ବୟ ଭୋକିଲା ରହିଗଲେ। ସ୍ବତନ୍ତ୍ରତା, ଲୋକତନ୍ତ୍ର, ମାନବୀୟ ଅଧିକାର ଓ ମାନବତା ଇତ୍ୟାଦି ନାମରେ ଯେଉଁ ଚାରା ଲଗାଗଲା, ତହିଁରେ ବିଷ ଫୁଟିବାରେ ଲାଗିଛି। ଏକମାତ୍ର ଗାନ୍ଧୀଜୀ ହିଁ ଏପରି ଗର୍ହିତ ଖେଳକୁ ବୁଝି ପାରିଥିଲେ ଏବଂ ଅନ୍ୟକୁ ବୁଝାଇ ଚାଲିଥିଲେ ମଧ୍ୟ। ସେ ବାରମ୍ବାର କହୁଥିଲେ କି ବିଶ୍ବଯୁଦ୍ଧ ଲୋକତନ୍ତ୍ର ପାଇଁ ହେଉନାହିଁ କି ଫାସିବାଦ ବିରୋଧରେ ହେଉନାହିଁ ବା ତାହା ମାନବୀୟ ଗରିମା ଆଉ ସ୍ବତନ୍ତ୍ରତା ପାଇଁ ହେଉନାହିଁ। ଏହା ସାମ୍ରାଜ୍ୟବାଦକୁ ନୂଆ ପ୍ରବାହ ଦେବା ପାଇଁ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଦ୍ବାରା ରଚିତ ନୂଆ ଖେଳ। ଗାନ୍ଧୀଜୀ ଏହାର ପ୍ରମାଣ ସ୍ବରୂପ ଭାରତକୁ ଗୋଲାମ କରି ରଖିବା ପ୍ରସଙ୍ଗକୁ ସାମନାକୁ ଆଣିଥିଲେ ଏବଂ ପଚାରିଥିଲେ: ଫାସିବାଦକୁ ବିରୋଧ କରୁଥିବା ଓ ଲୋକତାନ୍ତ୍ରିକ ମୂଲ୍ୟର ରକ୍ଷକ ବୋଲି ଦାବି କରୁଥିବା ମିତ୍ରରାଷ୍ଟ୍ର କିପରି ଭାରତ ପରି ବିଶାଳ ଦେଶକୁ ଶତାବ୍ଦୀ-ଶତାବ୍ଦୀ ଧରି ଦାସ କରି ରଖିବା ସମ୍ଭବ ହେଲା? ଭାରତକୁ ତାହାର ଇଚ୍ଛା ବିରୋଧରେ ଯୁଦ୍ଧକୁ ଠେଲି ଦେଇଥିବା ରାଷ୍ଟ୍ରକୁ ଫାସିବାଦୀ କି ଲୋକତନ୍ତ୍ରହନ୍ତା ବୋଲି କେମିତି କୁହାଯିବ ନାହିଁ? ତାଙ୍କର ପ୍ରଶ୍ନ ଏପରି ସିଧା ଓ ମାରକ ଥିଲା ଯେ ବ୍ୟାବହାରିକ ରାଜନୀତିର ଓସ୍ତାତ ଭାବେ ପରିଚିତ ଜବାହରଲାଲ ନେହରୁ, ସର୍ଦ୍ଦାର ପଟେଲ ଓ ମୌଲାନା ଆଜାଦ୍ଙ୍କ ପରି ସମସ୍ତେ ନିରବ ରହୁଥିଲେ ଏବଂ ନିରୁପାୟ ହୋଇ ୧୯୪୨ ଭାରତ ଛାଡ଼ ଆନ୍ଦୋଳନରେ ସେଇ ବୃଦ୍ଧଙ୍କ ପଛରେ ଛିଡ଼ା ହୋଇଥିଲେ। ଆଜି ବିଶ୍ବ ଦୃଶ୍ୟପଟରେ କୌଣସି ଗାନ୍ଧୀ ନାହାନ୍ତି।
ୟୁକ୍ରେନ୍ ଉପରେ ଖୋଲାଖୋଲି ଆକ୍ରମଣ କରିବା ପୂର୍ବରୁ ରାଷ୍ଟ୍ରପତି ପୁଟିନ୍ ନିଜ ରାଷ୍ଟ୍ରକୁ ସମ୍ବୋଧିତ କରି ଦୁନିଆକୁ ଯେଉଁ ଶବ୍ଦ ଆଉ ଭାଷାରେ ଯାହା କିଛି କହିଥିଲେ, ସେଥିରେ ହିଟ୍ଲରଙ୍କ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଯେତେ ସବୁ ଦକ୍ଷିଣପନ୍ଥୀ ନେତା ଅଛନ୍ତି, ସମସ୍ତଙ୍କର ବାଣୀ ପରିଷ୍କାର ଶୁଣାଯାଉଥିଲା। ଭାରତର ମଧ୍ୟ। ବାମପନ୍ଥୀ କି ଉଦାରବାଦ କେବେ ଏପରି ଦକ୍ଷିଣପନ୍ଥୀ ହୋଇ ନଥିଲେ ଯେପରି ଆଜି ସେମାନଙ୍କୁ କରି ଦିଆଯାଇଛି। ଏବେ ତା’ ଭିତରେ କୌଣସି ବିଭାଜକ ରେଖା ଆଉ ରହିନାହିଁ; ଯାହା କେବଳ କିଛି ନାମ ରହିଯାଇଛି, ଯାହାକୁ ସହଜରେ ଅଦଳବଦଳ କରିହେବ। ପୁଟିନ୍ ନିଜ ଅଭିଭାଷଣରେ ଅତୀତର ମହିମା ଗାନ କରିଥିଲେ, ରୁଷିଆର ପୂର୍ବ ଐତିହ୍ୟ ଫେରାଇ ଆଣିବା ପାଇଁ ଆହ୍ବାନ କରିଥିଲେ ଏବଂ ୟୁକ୍ରେନ୍ ସୃଷ୍ଟି ପାଇଁ ଲେଲିନ୍, ଷ୍ଟାଲିନ୍ ଓ କ୍ରୁଶ୍ଚେଭଙ୍କ ମୁଣ୍ଡରେ ଦୋଷ ଲଦିଥିଲେ। ଏଥି ସହିତ ଗୋର୍ବାଚୋଭଙ୍କୁ ସେ ନିକମା ରାଜନେତା ଭାବେ ଦର୍ଶାଇଥିଲେ ଯିଏ ପୁଟିନ୍ଙ୍କ କହିବାନୁସାରେ କୁଆଡ଼େ ରୁଷିଆ ମୁଠାରୁ ୟୁକ୍ରେନ୍କୁ ଖସାଇ ଦେଇଥିଲେ। ନିଜକୁ ବଞ୍ଚାଇ ଅନ୍ୟ ମୁଣ୍ଡରେ ଦୋଷ ଲଦିବା ହେଉଛି କାପୁରୁଷର ଲକ୍ଷଣ।
ପୁରାତନ ସ୍ବର୍ଣ୍ଣିମ ଥିଲା(?), ହେବ; ମାତ୍ର ବର୍ତ୍ତମାନ? ଏହାର କ’ଣ କିଛି ପ୍ରତିଷ୍ଠା ନାହିଁ? ଆଜି ଯାହା ରହିଛି, ତାହାର କ’ଣ କିଛି ବାସ୍ତବତା ନାହିଁ? ଏହାର ଖାସ ବାସ୍ତବତା ହେଉଛି ବିଶ୍ବ ସଂପ୍ରଦାୟରେ ୟୁକ୍ରେନ୍ ଏକ ସ୍ବୟଂସଂପୂର୍ଣ୍ଣ ରାଷ୍ଟ୍ର, ଯାହାର ରୁଷିଆ ପରି ନିଜର ବନ୍ଧୁ ବା ଶତ୍ରୁ ବାଛିବାର ଅଧିକାର ରହିଛି। ଏ କଥା ମଧ୍ୟ ସମ୍ଭବ ଯେ ୟୁକ୍ରେନ୍ ଯାହା ପସନ୍ଦ କରିବ, ତାହା ରୁଷିଆ ପାଇଁ ଅହିତକର ହୋଇପାରେ। ଏପରି ସ୍ଥଳେ ତେବେ ତୁମେ କ’ଣ କରିବ? କ’ଣ ୟୁକ୍ରେନ୍ ଉପରେ ଆକ୍ରମଣ କରିଦେବ? ଯଦି ଏପରି ଚାଲୁଥା’ନ୍ତା, ଦୁନିଆରେ ସାମାନ୍ୟତମ ଲୋକତନ୍ତ୍ର ବି ତିଷ୍ଠି ରହିନଥା’ନ୍ତା। ଏହାଦ୍ବାରା ସର୍ବତ୍ର ଜଙ୍ଗଲ ରାଜ ହୋଇଯିବ, ଯେଉଁଠି ବଡ଼ ମାଛମାନେ ଛୋଟ ମାଛକୁ ପ୍ରାକୃତିକ ନିୟମ କହି କେବଳ ଖାଇଯିବେନି, ସେମାନଙ୍କ ବିରୋଧକୁ ମଧ୍ୟ ଚାପି ଦେବେ। ରୁଷିଆର ଆକ୍ରମଣ ଅଚାନକ ହୋଇ ନ ଥିଲା। ତାହାର ଘୋଷଣା ଯଥେଷ୍ଟ ଆଗରୁ କରାଯାଇଥିଲା। କେବଳ ସବୁଠୁ ଉପଯୁକ୍ତ ସୁଯୋଗ ଖୋଜା ଯାଉଥିଲା। ଆମେରିକା ନିଜର ‘ନାଟୋ’ ନାଟକ ରଚି ସେ ସୁଯୋଗ ପହଞ୍ଚାଇ ଦେଲା। ସାମ୍ୟବାଦର ପ୍ରସାରକୁ ରୋକିବା ନାଁରେ ଗଠିତ ‘ନାଟୋ’ ପ୍ରକୃତରେ ଆମେରିକା-ୟୁରୋପୀୟ ହିତର ସଂରକ୍ଷଣ କରୁଥିବା ଏକ ମୁଖା ପିନ୍ଧା ସଂଗଠନ ହୋଇଯାଇଛି। ସୋଭିଏତ୍ ସଂଘର ବିଭାଜନ ପରେ ଏହାର ଶାବ୍ଦିକ ଔଚିତ୍ୟ ବି ନ ରହିବା ସ୍ବାଭାବିକ। ମାତ୍ର ଆମେରିକା-ୟୁରୋପୀୟ ନେତାମାନେ ତାହାକୁ ବଜାୟ ରଖିଛନ୍ତି, କାଳେ ସୋଭିଏତ୍ ସଂଘର ଖଣ୍ଡ ବିଖଣ୍ଡିତ ଅଂଶଗୁଡ଼ିକୁ ନିଜ ଦେଶରେ ମିଶା ଯାଇପାରିବ ଏବଂ ବଞ୍ଚି ଯାଇଥିବା ସୋଭିଏତ୍ ଉପରେ ଅନ୍ତିମ ଚୋଟ ପକା ଯାଇପାରିବ। ମାତ୍ର ଆମେ ଏଇଠି ଭୁଲିବା ନାହିଁ ଯେ ସେହି ଖେଳକୁ ନିଜ ପକ୍ଷରୁ ସୋଭିଏତ୍ ସଂଘ ବି ଖେଳି ଚାଲିଛି। ଏଇଠି ଏ କଥା ମଧ୍ୟ ସ୍ମରଣଯୋଗ୍ୟ, ସେହି ପୁଟିନ୍ ନିଜ ରାଷ୍ଟ୍ରପତିତ୍ବର ପ୍ରାରମ୍ଭିକ ଅବସ୍ଥାରେ ‘ନାଟୋ’ରେ ସାମିଲ ହେବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ‘ନାଟୋ’ରେ ତାଙ୍କ ପତିଆରାର ନିର୍ଦ୍ଧାରଣ ଆମେରିକା କରିବ ବୋଲି ସେ ଯେତେବେଳେ ହୃଦୟଙ୍ଗମ କଲେ, ସେତେବେଳେ ସେ ଆଉ ସେଥି ପ୍ରତି ମନ ବଳାଇ ନ ଥିଲେ। ଅର୍ଥାତ୍ ଯେ ପର୍ଯ୍ୟନ୍ତ ନିଜ ଅଞ୍ଚଳର ମୁଖ୍ୟ ଭାବରେ ନିଜର ପ୍ରତିଷ୍ଠା ଜାରି ରହିଥିବ, ସେ ପର୍ଯ୍ୟନ୍ତ ପୁଟିନ୍ କୌଣସି ଅଞ୍ଚଳର ଦୁରଭିସନ୍ଧି ପ୍ରତି ସନ୍ଦେହ କରିବେନି। ଏହା ହିଁ ସାମ୍ରାଜ୍ୟବାଦର ପରିବର୍ତ୍ତିତ ଚେହେରା।
ସଂପ୍ରତି ରୁଷିଆ ଓ ‘ନାଟୋ’ର ଦୁଇ ପଟା ମଝିରେ ୟୁକ୍ରେନ୍ ହିଁ ପେଷି ହେଉଛି। ଆମ ଦେଶରେ ଜାତି-ଭାଷା-ପ୍ରାନ୍ତକୁ କେନ୍ଦ୍ର କରି ଅନ୍ତର୍ବିରୋଧ ରହିଲା ପରି ୟୁକ୍ରେନ୍ରେ ମଧ୍ୟ ଅନ୍ତର୍ବିରୋଧ ରହିଛି। ତେବେ ସେହି ଅନ୍ତର୍ବିରୋଧକୁ ନ୍ୟାୟ ଏବଂ ବୁଦ୍ଧିମତ୍ତାର ସହ ସମାଧାନ କରିବା ହେଉଛି ୟୁକ୍ରେନ୍ ସରକାରଙ୍କ ଦାୟିତ୍ବ। ମାତ୍ର ଅନ୍ୟ କାହାକୁ କିଭଳି ଏହି ଅଧିକାର ମିଳିଗଲା ଯେ ସେ ଅନ୍ୟ ଅଞ୍ଚଳର ଅନ୍ତର୍ବିରୋଧ ଉପରେ ପେଟ୍ରୋଲ ଛିଞ୍ଚିବାର କାମ କରୁଛି? ରୁଷିଆ ଏବଂ ‘ନାଟୋ’ ଏହି ଜଘନ୍ୟ ଅପରାଧ କରିଛନ୍ତି। ୟୁକ୍ରେନ୍ର ଏହି ଦୁଃଖ ପ୍ରତ୍ୟେକ ସଭ୍ୟ ଓ ସ୍ବତନ୍ତ୍ରଚେତା ଦେଶ ଓ ନାଗରିକଙ୍କ ପାଇଁ ଶୋକ ତଥା ପରିତାପର ବିଷୟ। ସେଥିପାଇଁ ଏହା ବନ୍ଦ ହେବା ନିହାତି ଜରୁରୀ। କରୋନା ଉପଦ୍ରବରେ ତ୍ରସ୍ତ ହୋଇ ପଡ଼ିଥିବା ସାରା ଦୁନିଆ ଏବେ ଏପରି କୌଣସି ଯୁଦ୍ଧକୁ ସହିବା ଲାଗି ଅସମର୍ଥ। ଅସମର୍ଥ ମାନବ ଜାତି ଉପରେ ଯୁଦ୍ଧ ଲଦି ଦିଆଯାଇପାରିବ, ମାତ୍ର ତାହାର ବିଷ ସମସ୍ତଙ୍କ ପାଇଁ ଘାତକ ସାବ୍ୟସ୍ତ ହେବ। ସେଥିପାଇଁ ଆର୍ଥିକ ପ୍ରତିବନ୍ଧ ଆଦି ନୁହେଁ, ବରଂ ଗାଡ଼ିକୁ ରାସ୍ତା ଉପରକୁ ଆଣିପାରୁଥିବା ସିଧା କଥାବାର୍ତ୍ତା ହିଁ ଜରୁରୀ। ଆମେରିକା, ଫ୍ରାନ୍ସ ଓ ଜର୍ମାନିକୁ କଟୁତା ଆଚରଣ କରିବା ଛାଡ଼ି ପୁଟିନ୍ଙ୍କୁ ସାଙ୍ଗରେ ନେବାକୁ ପଡ଼ିବ। ପୁଟିନ୍ଙ୍କୁ ସେମାନେ ଏଭଳି ଭରସା ଦେବା ଜରୁରୀ ଯେ କେବେ ଆଉ କୌଣସି ପରିସ୍ଥିତିରେ ବି ରୁଷିଆକୁ ଅସୁରକ୍ଷିତ କରିବା ଲାଗି ୟୁକ୍ରେନ୍ର ସୀମାକୁ ବ୍ୟବହାର କରାଯିବ ନାହିଁ। ‘ନାଟୋ’ର ୩୦ଟି ସଦସ୍ୟ ରାଷ୍ଟ୍ରର ଏଭଳି ମିଳିତ ବିବୃତି ସଂଯୁକ୍ତ ରାଷ୍ଟ୍ରସଂଘକୁ ଦିଆଯିବା ଦରକାର। ଏଭଳି ଏକ ପଦକ୍ଷେପ ପାଇଁ ଭାରତ ମଧ୍ୟ ତତ୍ପରତାର ସହ ପ୍ରୟାସ କରିବା ଜରୁରୀ। ଚୀନ୍ ରୁଷିଆକୁ ଜଣାଇ ଦେଇଛି କି ସେ ରୁଷିଆର ପଦକ୍ଷେପକୁ ସିଧା ସିଧା ବିରୋଧ କରିବ ନାହିଁ, ମାତ୍ର ସେ ୟୁକ୍ରେନ୍ର ସାର୍ବଭୌମତ୍ବକୁ ସମ୍ମାନ ଦିଏ। ଅର୍ଥାତ୍ ଏଭଳି ପ୍ରସଙ୍ଗ ବାହାରିପାରେ ଯେଉଁଥିରେ ଭାରତୀୟ ପ୍ରୟାସକୁ ଚୀନ୍ର ସମର୍ଥନ ମିଳିବ କିମ୍ବା ତାହାର ସ୍ବରୂପ ଏଭଳି ହେବ ଯାହା ଭାରତ-ଚୀନ୍ର ମିଳିତ ପଦକ୍ଷେପ ହେବ। ତାହା ୟୁକ୍ରେନ୍କୁ ଆଶ୍ବସ୍ତ କରିବା ସହ ଭାରତ-ଚୀନ୍ ସମ୍ପର୍କରେ ଜମାଟ ବାନ୍ଧିଥିବା ବରଫକୁ ବି ତରଳାଇ ଚାଲିବ। ଏଭଳି ପ୍ରୟାସ ଦ୍ବାରା ବୋଧହୁଏ ସଂଯୁକ୍ତ ରାଷ୍ଟ୍ରସଂଘର ଲୁପ୍ତ ବଚନବଦ୍ଧତାକୁ ମଧ୍ୟ କିଛି ମାତ୍ରାରେ ସଞ୍ଜୀବନୀ ମିଳିପାରନ୍ତା। ତେବେ କ’ଣ ଭାରତୀୟ ବିଦେଶ ନୀତିରେ ଏତେ ଗତିଶୀଳତା ଆଉ ସାହସ ରହିଛି ଯେ ସେ ଏପରି ପଦକ୍ଷେପ ନେଇପାରିବ?- ଏଇ ଗୋଟିଏ ମାତ୍ର ପ୍ରଶ୍ନ ପଚାରିବାକୁ ବାକି ରହିଯାଇଛି। ଏହାର ଜବାବ କିଏ ଦେବ?
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ