ହସ୍ତୀ ପାଳନ

ଏକ ପୁରୁଣା କାହାଣୀ ଭାବେ ଆମେମାନେ ଶୁଣିଥାଇଁ କିଭଳି ଜଣେ ଜମିଦାରଙ୍କ ଉପରେ ପ୍ରୀତ ହୋଇ ଏକ ଅତୁଲ୍ୟ ଉପହାର ଭାବେ ମହାରାଜା ତାଙ୍କୁ ଏକ ହସ୍ତୀ ପ୍ରଦାନ କରିଥିଲେ, ଯାହାର ଭରଣପୋଷଣର ଦାୟ ତାଙ୍କୁୁ ଅବିଳମ୍ବେ ନିଃସ୍ବ କରି ପକାଇଥିଲା। କହିବା ବାହୁଲ୍ୟ ଯେ ମହାରାଜାଙ୍କ ଉପହାରକୁ ବିକ୍ରୟ କରିଦେବା ମଧୢ ବିଚରା ଜମିଦାରଙ୍କ ଲାଗି ସମ୍ଭବ ନ ଥିଲା। ଜମିଦାର ମହୋଦୟ ଏଭଳି ଏକ ଅତ୍ୟନ୍ତ ଦୟନୀୟ ପରିସ୍ଥିତିରୁ ଉଦ୍ଧାର ପାଇବା ସକାଶେ କେଉଁ ଉପାୟ ଅବଲମ୍ବନ କଲେ ସେ ନେଇ କୌଣସି ଏକ ସ୍ପଷ୍ଟ ଉପସ˚ହାର କାହାଣୀଟିରେ ନାହିଁ; ତେବେ ଗଲା ସୋମବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ‘ନେସନାଲ ମନିଟାଇଜେସନ୍‌ ପାଇପ୍‌ ଲାଇନ୍‌’ ବା ‘ଜାତୀୟ ମୁଦ୍ରୀକରଣ ସ୍ରୋତ’ ଯୋଜନା ପରିପ୍ରେକ୍ଷୀରେ ଏହି କାହାଣୀଟି ସ୍ମୃତିପଟଳରେ ଉଜ୍ଜୀବିତ ହୋଇ ଉଠିବା ସହିତ ଏଥିରୁ ଜମିଦାରଙ୍କ ଲାଗି ହସ୍ତୀ ସମ୍ଭାଳିବାର ଏକ ସମ୍ଭାବ୍ୟ ମାର୍ଗ ମଧୢ ଉନ୍ମୋଚିତ ହୋଇଥାଏ। ଏହାର କାରଣ ହେଲା କେନ୍ଦ୍ର ସରକାର ତାଙ୍କ ଦ୍ବାରା ପ୍ରତିପାଳିତ ଏଭଳି ଅନେକ ହସ୍ତୀତୁଲ୍ୟ ସ˚ପତ୍ତିରୁ କିଭଳି ଅର୍ଥ ଉପାର୍ଜନ କରିପାରିବେ, ତା’ର ମାର୍ଗ ଏହି ପ୍ରସ୍ତାବିତ ଯୋଜନାରେ ଦର୍ଶାଇ ଦେଇଛନ୍ତି। ଏହି ‘ମୁଦ୍ରୀକରଣ’ ପ୍ରକ୍ରିୟାରେ ୨୦୨୧ ମସିହାରୁ ୨୦୨୫ ମସିହା ମଧୢରେ ସରକାର ଏକ ଅତ୍ୟନ୍ତ ବିଶାଳ ୬ ଲକ୍ଷ କୋଟି ଟଙ୍କା ଆୟ କରିବାର ଆଶା ରଖିଛନ୍ତି ଓ ସେହି ଲକ୍ଷ୍ୟ ଧାର୍ଯ୍ୟ ମଧ୍ୟ କରିଛନ୍ତି।

ତେବେ, ପ୍ରଥମେ ଏହି ଯୋଜନା ସ˚ପର୍କରେ ଏକ ମୋଟାମୋଟି ଧାରଣା ଲାଭ କରିନେବା ଉଚିତ। ଏହି ଯୋଜନାରେ ରାଜପଥ, ବିମାନ ବନ୍ଦର, ରେଳବାଇ, ବନ୍ଦର ଠାରୁ ଆରମ୍ଭ କରି ଷ୍ଟାଡିଅମ୍‌, ନଦୀବନ୍ଧ, ବିଦ୍ୟୁତ୍‌ ସରବରାହ, ଟେଲି ଯୋଗାଯୋଗ ବା ଏହି ଭଳି ଆହୁରି ଅନେକ କ୍ଷେତ୍ର ପର୍ଯ୍ୟନ୍ତ ରହିଥିବା ଅତ୍ୟନ୍ତ ବିପୁଳ ସ୍ଥାବର ଓ ଅସ୍ଥାବର ସ˚ପତ୍ତିରୁ ଅର୍ଥ ଉପାର୍ଜନ କରିବାକୁ ସରକାର ଇଚ୍ଛୁକ। ପ୍ରକାଶ ଥାଉ କି ଏଥିରୁ ଅନେକ ସଂପତ୍ତିର ରକ୍ଷଣାବେକ୍ଷଣରେ ସରକାର ପ୍ରଭୂତ ବିତ୍ତ ବ୍ୟୟ କରୁଥିଲେ ସୁଦ୍ଧା ତହିଁରୁ ଆଶାନୁରୂପକ ଆୟ ହେଉ ନାହିଁ; ବର˚ ସମୟ ଅତିକ୍ରାନ୍ତ ହେବା ସହିତ ସେଗୁଡ଼ିକର ରକ୍ଷଣାବେକ୍ଷଣ ଜନିତ ବ୍ୟୟ ଭାର ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା, ଏହି ନୂତନ ପ୍ରକରଣରେ ସବୁ ସ˚ପତ୍ତି ଉପରେ ସରକାରଙ୍କ ମାଲିକାନା ଅକ୍ଷୁଣ୍ଣ ରହିବ; ବରଂ ଏଭଳି କୁହାଯାଇପାରେ ଯେ ଘରୋଇ ବ୍ୟବସାୟ ସ˚ସ୍ଥାଗୁଡ଼ିକ ସରକାରଙ୍କୁ ଏକ ନିର୍ଦ୍ଧାରିତ ମୂଲ୍ୟ ବା ଦାମ୍‌ ଦେଇ ଏ ସବୁକୁ ଲିଜ୍‌ ଭଳି ନେଇ ତା’ର ପରିଚାଳନା କରିବେ ଏବ˚ ତହିଁରୁ ଲାଭ ଅର୍ଜନ କରିବାର ଉଦ୍ୟମ କରିବେ। ଉଦାହରଣ ସ୍ବରୂପ ସାରା ଦେଶରେ ଥିବା ୨୦୦୦ରୁ ଅଧିକ ‘ଏଫ୍‌.ସି.ଆଇ.’ ଗୋଦାମମାନ; ଯାହାର ରକ୍ଷଣାବେକ୍ଷଣ ଏବ˚ ତହିଁରେ ନିୟୋଜିତ କର୍ମଚାରୀଙ୍କ ବେତନ ଇତ୍ୟାଦି ସରକାରଙ୍କ ଲାଗି ଏକ ବୋଝତୁଲ୍ୟ ହୋଇଛି। ସୁତରାଂ, ସେ ସବୁର ରକ୍ଷଣାବେକ୍ଷଣ ତଥା ପରିଚାଳନା ଦାୟିତ୍ବ ଘରୋଇ ବ୍ୟାବସାୟିକ ସ˚ସ୍ଥାଗୁଡ଼ିକ ହାତରେ ଦେଇ ସେମାନଙ୍କ ଲାଗି ଏଭଳି ବିଶାଳ ଭିତ୍ତିଭୂମି ଉପଯୋଗର ସୁଯୋଗ ଓ ତହିଁରୁ ଲାଭର ସମ୍ଭାବନା ସୃଷ୍ଟି କରିବା ସହିତ ସରକାର ତହିଁରୁ ନିଜ ଲାଗି କିଛି ଆୟ କରିବାର ଉଦ୍ଦେଶ୍ୟ ରଖିଛନ୍ତି। ସେହିଭଳି ଆଉ ଏକ ଉଦାହରଣ ହେଉଛି ‘ସ୍ପୋର୍ଟସ ଅଥରିଟି ଅଫ୍‌ ଇଣ୍ତିଆ’ ହାତରେ ରହିଥିବା ଅନେକ ଷ୍ଟାଡିଅମ୍‌, ଯାହାର ରକ୍ଷଣାବେକ୍ଷଣ ଲାଗି ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଥାଏ ସିନା ସେ ସବୁ କଦବା କେମିତି ବ୍ୟବହୃତ ହୋଇଥାଏ। ଏହାର ପରିଚାଳନା ଭାର କୌଣସି ଘରୋଇ ସ˚ସ୍ଥା ହାତକୁ ଗଲେ ହୁଏ’ତ ଷ୍ଟାଡିଅମ୍‌ର ବ୍ୟବହାର ପରିପ୍ରେକ୍ଷୀରେ ନୂଆ ଦିଗ ଉନ୍ମୋଚିତ ହୋଇପାରେ; ଯେମିତି କି ସେହି ସହରର ସ୍କୁଲ ଓ କଲେଜଗୁଡ଼ିକ ସେମାନଙ୍କ ବ୍ୟକ୍ତିଗତ ଖେଳ ପଡ଼ିଆର ଅଭାବରେ ଭଡ଼ା ଦେଇ ଷ୍ଟାଡିଅମ୍‌ର ବ୍ୟବହାର କରିପାରନ୍ତି ବା ବହୁ ସ୍ଥାନୀୟ ଟୁର୍ନାମେଣ୍ଟ ଦେୟଯୁକ୍ତ ଭାବେ ସେଠାରେ ଅନୁଷ୍ଠିତ ହୋଇପାରେ। ନୂଆ ‌େଯାଜନାରେ ସରକାର ସେ ସବୁର ରକ୍ଷଣାବେକ୍ଷଣ ଦାୟିତ୍ବରୁ ମୁକ୍ତ ହେବା ସହିତ ଏହାକୁ ଲିଜ୍‌ରେ ଦେଇ କିଛି ଅର୍ଥ ଉପାର୍ଜନ ମଧୢ କରିପାରନ୍ତି।

ଏହି ପ୍ରସ୍ତାବିତ ଯୋଜନାରୁ ସରକାର କେଉଁ କ୍ଷେତ୍ରରୁ କେତେ ଅର୍ଥ ଉପାର୍ଜନ କରିବାର ଲକ୍ଷ୍ୟ ରଖିଛନ୍ତି, ତା’ ଉପରେ ଆଲୋକପାତ କରାଯାଉ। ଏହି ପ୍ରକରଣରେ ଜାତୀୟ ରାଜପଥର ୨୨ ପ୍ରତିଶତ ଅଂଶରୁ ୧.୬୦ ଲକ୍ଷ କୋଟି, ୪୦୦ ଷ୍ଟେସନ ଏବ˚ ୯୦ଟି ପାସେଞ୍ଜର ଟ୍ରେନ୍‌ ସମେତ ଅନ୍ୟାନ୍ୟ ରେଳବାଇ ସ˚ପଦରୁ ୧.୨୦ ଲକ୍ଷ କୋଟି, ୨୫ଟି ବିମାନ ବନ୍ଦର ଏବ˚ ଅନ୍ୟାନ୍ୟ ସ˚ପତ୍ତିରୁ ୨୦, ୭୮୨ କୋଟି, ବିଜୁଳି ସରବରାହ ପ୍ରକଳ୍ପରୁ ୪୫,୦୦୦ କୋଟି, କୋଇଲା ଖଣିରୁ ୨୮, ୭୪୭ କୋଟି, ଟେଲିକମ୍ୟୁନିକେସନରୁ ୩୫,୧୦୦ କୋଟି, ଜାହାଜ ଓ ବନ୍ଦର ଆଦିରୁ ୧୨, ୮୨୮ କୋଟି, ବିଭିନ୍ନ ଗୋଦାମରୁ ୧୨,୮୨୮ କୋଟି ଉପାର୍ଜନର ପ୍ରସ୍ତାବ ରହିଛି। ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଷ୍ଟାଡିଅମ୍‌, ରିଏଲ୍‌ ଇଷ୍ଟେଟ୍‌, ହୋଟେଲ ଇତ୍ୟାଦି ମଧୢ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ତେବେ ଏଭଳି ସରକାର-ଘରୋଇ ଅ˚ଶୀଦାରି ପ୍ରକରଣରେ ଘରୋଇ ବ୍ୟାବସାୟିକ ସ˚ସ୍ଥାଗୁଡ଼ିକର ଆଗ୍ରହ ପ୍ରକାଶରେ ଯେଉଁ ତାରତମ୍ୟ ପ୍ରଦର୍ଶିତ ହେବାର ସମ୍ଭାବନା ରହିଛି, ତାହା ଏକ ସମସ୍ୟା ରୂପେ ଉଭା ହୋଇପାରେ। ପୂର୍ବରୁ ହୋଇଥିବା ଘରୋଇକରଣ ଉଦ୍ୟମ ବେଳେ ଏହା ପରିଦୃଷ୍ଟ ହୋଇଛି, ଯେଉଁଠି କେବଳ ଲାଭ ପ୍ରଦାନ କରୁଥିବା ରାଷ୍ଟ୍ରାୟତ୍ତ ସ˚ସ୍ଥାକୁ ନେବା ଲାଗି ଘରୋଇ କ˚ପାନିଗୁଡ଼ିକ ବିଶେଷ ଲାଳାୟିତ ହୋଇଛନ୍ତି।
ଏହି ଯୋଜନାଟି ଯେ ଏକ ଉତ୍କୃଷ୍ଟ ବୁଦ୍ଧିମାନୀର ପରିଚାୟକ; ତହିଁରେ ସନ୍ଦେହ ନାହିଁ। ଏହାର ଘୋଷଣା କାଳରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଯେଉଁ ବିନ୍ଦୁଟି ଉପରେ ବାରମ୍ବାର ଗୁରୁତ୍ବ ପ୍ରଦାନ କରିଥିଲେ, ତାହା ହେଉଛି ଏ ସବୁ ସ˚ପଦ ଉପରେ ସରକାରଙ୍କ ମାଲିକାନା ପୂର୍ବ ଭଳି ଅତୁଟ ରହିବା। ସମ୍ଭବତଃ ଏହା ଦ୍ବାରା ସରକାର ସୂଚାଇ ଦେବାକୁ ଚାହାନ୍ତି ଯେ ଶାସ୍ତ୍ରୀୟ ଅର୍ଥରେ ଏହା ଘରୋଇକରଣ ନୁହେଁ; ଯାହା ଆମ ଦେଶରେ ଏକ ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗ ହୋଇ ରହିଛି। କିନ୍ତୁ କହିବା ଅନାବଶ୍ୟକ ଯେ ଅନେକ ଏହି ପ୍ରକରଣକୁ ଛଦ୍ମବେଶୀ ଘରୋଇକରଣ ବୋଲି ଅଭିହିତ ମଧୢ କଲେଣି।

ଏହା ମଧୢ ସତ ଯେ ଏହି ଯୋଜନାଟି ଲାଭଦାୟକ ଭଳି ବୋଧ ହେଉଥିଲେ ମଧୢ ଏଥିରେ ଏଭଳି ଅନେକ ତ୍ରୁଟିରେଖା ନିହିତ; ଯାହା ଭବିଷ୍ୟତ୍‌ରେ ସମସ୍ୟା ସୃଷ୍ଟି କରିପାରେ। ତହିଁରୁ କେତେକ ଏହି ଭଳି: ଏହି ନୂତନ ବ୍ୟବସ୍ଥାରେ ପୂର୍ବରୁ କାର୍ଯ୍ୟରତ ମାନବ ସମ୍ବଳଙ୍କ ସ୍ଥିତି କ’ଣ ରହିବ? ଘରୋଇ ଅନୁଷ୍ଠାନର ମାତ୍ରାଧିକ ଲାଭ ଅର୍ଜନର ପ୍ରବୃତ୍ତି ଆଗରେ ଜାତୀୟ ସ୍ବାର୍ଥ ବା ଜନସାଧାରଣଙ୍କ ହିତ ଗୌଣ ହୋଇଯିବ ନାହିଁ ତ? ଉଦାହରଣ ସ୍ବରୂପ ଯେଉଁ ସ˚ସ୍ଥା ବିମାନ ବନ୍ଦରକୁ ନିଜ ହାତକୁ ନେବ, ସେ ନିଜ ଲାଭରେ ବୃଦ୍ଧି ଘଟାଇବା ଲାଗି ସେଠାରେ ବିପଣି ମାଳା ଖୋଲିବା ଉପରେ ଧୢାନ କେନ୍ଦ୍ରୀଭୂତ କରି ‘ରନ୍‌ େଵ’ ଭଳି ବିମାନ ବନ୍ଦରର ଅତ୍ୟନ୍ତ ଜରୁରୀ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ବା ଉନ୍ନତୀକରଣକୁ ଗୌଣ କରିଦେବ ନାହିଁ ତ? ସେହିଭଳି ଜଙ୍ଗଲ ବିଭାଗର ଡାକବଙ୍ଗଳାଗୁଡ଼ିକୁ ପାଇଥିବା ସ˚ସ୍ଥା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ସେଠାରେ ଯେଉଁ ବ୍ୟବସ୍ଥା କରିବେ, ତାହା ପରିବେଶ ଆଇନକୁ ଉଲ୍ଲ˚ଘନ କରିବ ନାହିଁ ତ? ଯେଉଁ ରେଳ ପଥ ଭଲ ବ୍ୟବସାୟ କରୁ ନାହିଁ ତାହା କୌଣସି ଘରୋଇ କ˚ପାନିର ତତ୍ତ୍ବାବଧାନରେ ଉପଯୁକ୍ତ ଗୁରୁତ୍ବ ଲାଭ କରିବ ତ? ଏଭଳି ଅସ˚ଖ୍ୟ ସ୍ଥୂଳ ଓ ସୂକ୍ଷ୍ମ ପ୍ରଶ୍ନମାନ ଉଭା ହେବେ, ଯାହାର ଦୂରଦୃଷ୍ଟି ସ˚ପନ୍ନ ସମାଧାନ ସକାଶେ ବିଶେଷଜ୍ଞମାନଙ୍କ ଅନୁଶୀଳନ ଆଧାରରେ ନୀତି ନିର୍ଦ୍ଧାରଣ କରାଯିବା ସହିତ ତା’ର ପାଳନରେ ଅନମନୀୟତା ପ୍ରକାଶ ପାଇବା ଜରୁରୀ। ଯଦି ସରକାର ପାରଦର୍ଶୀ ଓ ସମର୍ଥ ନୀତିକୁ ଗୁରୁତ୍ବ ଦିଅନ୍ତି, ତେବେ ଏହି ଯୋଜନା ସଫଳ ହେବାର ଆଶା ଉଜ୍ଜ୍ବଳ।
ଉପକ୍ରମଣିକାରେ ବର୍ଣ୍ଣିତ କାହାଣୀରେ ଜମିଦାର ତାଙ୍କ ହସ୍ତୀ ରୂପକ ସ˚ପତ୍ତି ସହିତ କ’ଣ କଲେ ତାହା ଜଣା ନାହିଁ; କିନ୍ତୁ ‘ମନିଟାଇଜେସନ୍‌ ପାଇପ୍‌ ଲାଇନ୍‌’ ଭଳି ଏକ ବୁଦ୍ଧିମାନୀର ସୂତ୍ରପାତ ଘଟିଥିଲେ ଉପହାର ଭାବେ ସେ ଲାଭ କରିଥିବା ସ˚ପତ୍ତି ଉପରେ ତାଙ୍କ ମାଲିକାନା ଅବ୍ୟାହତ ରହିବା ସହିତ ତାଙ୍କ ଲାଗି ଅର୍ଥାଗମର ବାଟ ମଧୢ ଫିଟିପାରିଥାଆନ୍ତା।

ସମ୍ବନ୍ଧିତ ଖବର