ଶହେ ବର୍ଷ ପରେ ଦୁଇ ସହିଦଙ୍କ ସ୍ମରଣ

ଅଭୟ ଦ୍ୱିବେଦୀ

କନିକା ଜମିଦାରଙ୍କ ଅତ୍ୟାଚାର ବିରୋଧରେ ସଂଗଠିତ ସଶସ୍ତ୍ର ସଂଗ୍ରାମରେ ୧୯୨୨ ମସିହା ଏପ୍ରିଲ ୨୩ ତାରିଖ ଦିନ ବାସୁ ସେଠୀ ଓ ବିସୁନି ମଢ଼ୁଆଳ ପୁଲିସ୍‌ ଗୁଳିରେ ସହିଦ ହୋଇଥିଲେ। ରାଜକନିକା ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିକୋଳି ଗ୍ରାମରେ ୧୮୮୮ ମସିହାରେ ବାସୁ ସେଠୀଙ୍କର ଜନ୍ମ। ଲାଠି ଚାଳନାରେ ସେ ଥିଲେ ସିଦ୍ଧହସ୍ତ। ଜମିଦାରଙ୍କ କୋପରୁ ନିଜ ଜମିବାଡ଼ି ଦଖଲରୁ ସେ ବଂଚିତ ଥିଲେ। ବର୍ଷର ଅଧେ ଦିନ ବେଠି ଖଟୁଥିବାରୁ ଦାରିଦ୍ର୍ୟ ଥିଲା ଚିର ସହଚର। ବିସୁନି ମଢ଼ୁଆଳ ଥିଲେ କନିକାର ସମ୍ଭ୍ରାନ୍ତ ଚାଷୀ ବର୍ତ୍ତନୀ ଗ୍ରାମର ଦୀନବନ୍ଧୁ ଖଣ୍ଡାୟତରାୟଙ୍କର ଡାହାଣ ହାତ। ବଳିଷ୍ଠ ଚେହେରା ସହିତ ତରବାରି, ଲାଠି, ମୁଦ୍‌ଗର ଚାଳନାରେ ପାରଙ୍ଗମ। ଜମିଦାରଙ୍କ ନିର୍ମମ ନିର୍ଯାତନା ସଂପର୍କରେ ଶୁଣି ଶୁଣି ଓ ଦେଖି ଦେଖି ତାଙ୍କ ଅନ୍ତରରେ ବିଦ୍ରୋହର ଅଗ୍ନି ସର୍ବଦା ପ୍ରଜ୍ଜ୍ବଳିତ ଥିଲା। ସହିଦ ବାସୁ-ବିସୁନି ବିୟୋଗାନ୍ତକ ନାଟକର ଅନ୍ୟତମ ନାୟକ ‘ଦୁଃଖିନୀ କନିକା’ ପୁସ୍ତିକାର ରଚୟିତା ଆନନ୍ଦ ଚନ୍ଦ୍ର ଜେନା ୧୮୮୪ ମସିହାରେ ରାଜକନିକା ବ୍ଲକ୍ ଅନ୍ତର୍ଗତ ଡାଳିକାଏନ୍ଦା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ବଂଶ ପରଂପରାରେ ସେ ଥିଲେ ବିଖ୍ୟାତ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଦାୟାଦ। ନିକଟସ୍ଥ ମେଘପୁର ଗ୍ରାମରେ ସେ ଗୋଟିଏ ଚାଟଶାଳୀ ଖୋଲିଥିଲେ। କେନ୍ଦ୍ରାପଡ଼ା ଲୋକାଲ୍‌ ବୋର୍ଡ ତରଫରୁ ତାଙ୍କୁ ମାସିକ ଦୁଇ ଟଙ୍କା ଷ୍ଟାଇପେଣ୍ଡ୍‌ ମିଳୁଥିଲା। ତାଙ୍କ ରଚିତ ‘ଦୁଃଖିନୀ କନିକା’ ହେଉଛି କନିକା ଜମିଦାରଙ୍କ ଅତ୍ୟାଚାର ଓ ନିର୍ଯାତନାର ନିଚ୍ଛକ ପ୍ରତିରୂପ। ଭାରତୀୟ ମୁକ୍ତି ସଂଗ୍ରାମରେ ‘ବନ୍ଦେ ମାତରମ୍‌’ କବିତାର ଭୂମିକା ଭଳି ‘ଦୁଃଖିନୀ କନିକା’ର ପ୍ରତିଟି ପଂକ୍ତି କନିକା ପ୍ରଜା ସଂଗ୍ରାମକୁ ଇନ୍ଧନ ଯୋଗାଇଥିଲା। ଆନନ୍ଦ ଚନ୍ଦ୍ର ଜେନା ବଙ୍ଗ ଭଙ୍ଗ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରି କାରାବରଣ କରିଥିଲେ ଏବଂ ଗାନ୍ଧୀଜୀଙ୍କ ସାବରମତୀ ଆଶ୍ରମର ସେ ଥିଲେ ପ୍ରଥମ ଓଡ଼ିଆ ଅନ୍ତେବାସୀ। ମହାତ୍ମା ଗାନ୍ଧୀ ‘ଦୁଃଖିନୀ କନିକା’ର ଇଂରେଜୀ ଅନୁବାଦ ‘ୟଙ୍ଗ୍‌ ଇଣ୍ଡିଆ’ ପତ୍ରିକାରେ ପ୍ରକାଶ କରିବା ପରେ ସାରା ଦେଶରେ ଚହଳ ପଡ଼ିଥିଲା। ସେହି ଅବସରରେ ଉତ୍କଳମଣି ଗୋପବନ୍ଧୁ ଆନନ୍ଦ ଚନ୍ଦ୍ରଙ୍କୁ ଲେଖିଥିଲେ- ‘ତୁମେ ହେଉଛ ଦେଶର ଗର୍ବ ଓ ଗୌରବ’। ଜମିଦାର ‘ଦୁଃଖିନୀ କନିକା’ ବାଜ୍ୟାପ୍ତ କରି ୨ ପଇସାର ବହିକୁ ସର୍ବସାଧାରଣଙ୍କ ଠାରୁ ୧୦ ଟଙ୍କାରେ କିଣି ତାଙ୍କ ସ୍ଥାବର-ଅସ୍ଥାବର ୪୨ ଏକର ସଂପତ୍ତି ନିଲାମ କରିଥିଲେ।

ନାଟକର ଖଳନାୟକ ହେଉଛନ୍ତି କନିକା ଜମିଦାର ରାଜେନ୍ଦ୍ର ନାରାୟଣ ଭଂଜଦେଓ। ବାସ୍ତବରେ ସେ ଜମିଦାର ହୋଇଥିଲେ ହେଁ, ରାଜକୀୟ ଠାଣିରେ ଜୀବନ ବିତାଉଥିବାରୁ, ସମସ୍ତେ ତାଙ୍କୁ ରଜା ସମ୍ବୋଧନ କରୁଥିଲେ। ୧୮୮୧ ମସିହାରେ ଆଳି ରାଜ ପରିବାରରେ ଜନ୍ମ ଏବଂ ୧୮୯୬ ମସିହାରେ କନିକା ରାଜବଂଶ ତାଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲା। ୧୮୯୯ ମସିହାରେ ନୟାଗଡ଼ ରାଜକନ୍ୟାଙ୍କୁ ବିବାହ କରି ୧୯୦୨ ମସିହାରେ କନିକା ସିଂହାସନରେ ଅଭିଷିକ୍ତ ହୋଇଥିଲେ। ସାହେବ ଠାଣିରେ ଜୀବନ ବିତାଇବା- ଏହି ନିଶା ରାଜେନ୍ଦ୍ର ନାରାୟଣଙ୍କୁ ପାଗଳ କରି ଦେଇଥିଲା। ଏହି ସଉକ ମେଣ୍ଟାଇବା ପାଇଁ ସେ ପ୍ରଜାଙ୍କ ଉପରେ ଖଜଣା ସହ ୬୪ ପ୍ରକାର କର ଭିଡ଼ିଥିଲେ। ସେଥି ମଧ୍ୟରୁ କେତେଗୁଡ଼ିଏ ହେଲା- ନିଜ ବାଡ଼ିରୁ ଗଛ କାଟିବା, ନିଜ ପୋଖରୀରୁ ମାଛ ଧରିବା, ନିଜ ଜମିରେ ଘର ତିଆରି କରିବା, ଅଣ୍ଡିରା ବାଛୁରୀକୁ ଖାସୁ କରିବା, ଦିଅଁ ପାଖରେ ମାନସିକ ଚୂଳ ପକାଇବା ଇତ୍ୟାଦି। ଗଡ଼ଜାତି ଅନ୍ଧାରି ଶାସନ ଠାରୁ ଆହୁରି ପୀଡ଼ାଦାୟକ , ଲୋମହର୍ଷଣକାରୀ ଥିଲା ରାଜେନ୍ଦ୍ର ନାରାୟଣଙ୍କ ଶାସନ। ଏ ଅତ୍ୟାଚାର ସାଙ୍ଗକୁ ପ୍ରଜାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ନିମନ୍ତେ ଆଦୌ ସୁବିଧା ନ ଥିଲା। ୧୯୧୬ ମସିହାରେ ରାଜକନିକାରେ ପ୍ରତିଷ୍ଠିତ ଏକମାତ୍ର ହାଇସ୍କୁଲ୍‌କୁ ୧୯୨୨ ସଶସ୍ତ୍ର ସଂଗ୍ରାମ ପରେ ଆର୍ଥିକ ଅନଟନ ଆଳରେ ବନ୍ଦ କରିଦିଆଗଲା। କନିକା ପ୍ରଜାକୁଳ ଝାଟିମାଟି ଘରେ ରହୁଥିବାବେଳେ, ବିବେକହୀନ ଜମିଦାର ଚାରି ଏକର ଜମିରେ ପ୍ରଜାଙ୍କୁ ବେଠି ଲଗେଇ ଇଂଲଣ୍ଡର ବଙ୍କିମହାମ୍‌ ପାଲେସ୍‌ ଢାଞ୍ଚାରେ ସୁରମ୍ୟ ରାଜପ୍ରାସାଦ ନିର୍ମାଣ କରିଥିଲେ।

କନିକାରେ ପ୍ରଜା ଅସନ୍ତୋଷ ୧୯୦୨ ଏବଂ ୧୯୦୬ ମସିହାରେ ଆନ୍ଦୋଳନର ରୂପ ନେଇଥିଲେ ମଧ୍ୟ ଜମିଦାରଙ୍କ କୋପ ଦୃଷ୍ଟିରେ ତାହା ଉଭେଇ ଯାଇଥିଲା। କିନ୍ତୁ ୧୯୨୨ ମସିହା ପ୍ରଜା ସଂଗ୍ରାମ ଥିଲା ଭିନ୍ନ ପର୍ଯ୍ୟାୟର। ଏହାର ତତ୍କାଳ ତିନିଟି ମୁଖ୍ୟ କାରଣ ହେଲା- ଘରୋଇ ବନ୍ଦୋବସ୍ତ ମାଧ୍ୟମରେ ଅହେତୁକ ଖଜଣା ବୃଦ୍ଧି, ଜଙ୍ଗଲ ଆଇନରେ ଖଜଣା ଦୁଇ ଗୁଣ ବୃଦ୍ଧି ପାଇଥିଲେ ମଧ୍ୟ କାଠ ପରିମାଣ ଅଧାକୁ ହ୍ରାସ, ୧୯୨୦ ମସିହାରୁ କ୍ରମାଗତ ଦୁର୍ବିଷହ ବନ୍ୟାର ପ୍ରକୋପରେ ଜନ ଜୀବନ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ କନିକା ଜମିଦାରଙ୍କ ସରକାରୀ ରିଲିଫ୍ ହଡ଼ପ। ଏହିଭଳି ସ୍ଥିତିରେ ପ୍ରଜାଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିବାବେଳେ, ନୂତନ ହାରରେ ଖଜଣା ଦେବା ପାଇଁ ଜମିଦାର ନିର୍ଦ୍ଦେଶ ଦେବାରୁ ସେମାନଙ୍କ ଅନ୍ତରରେ ଅସନ୍ତୋଷର ଅଗ୍ନି ଲେଲିହାନ ଶିଖା ଧାରଣ କରିଥିଲା। ଫଳସ୍ୱରୂପ ୧୯୨୧ ମଇ-ଜୁନ୍‌ ମାସରେ ବର୍ତ୍ତନୀ ଗ୍ରାମର ଦୀନବନ୍ଧୁ ଖଣ୍ଡାୟତରାୟଙ୍କ ବାସଭବନରେ କନିକାର ବଡ଼ ବଡ଼ ଚାଷୀମାନଙ୍କର ପ୍ରଥମ ପ୍ରଜା ଅଧିବେଶନ ବସିଥିଲା। ସଭାରେ ସ୍ଥିର ହେଲା- ସାରା କନିକାର ପ୍ରଜା ମିଳିତ ହୋଇ ଖଜଣା ବୃଦ୍ଧି ବିରୋଧରେ ରଜାଙ୍କୁ ଦାବିପତ୍ର ପ୍ରଦାନ କରିବେ। ଯଦି ସେ ତାହା ଅଗ୍ରାହ୍ୟ କରନ୍ତି, ଇନ୍ଦ୍ରମଣି ବନ୍ଦୋବସ୍ତ ରଦ୍ଦ ହୋଇ ସରକାରୀ ବନ୍ଦୋବସ୍ତ ନ ହେବା ଯାଏ କେହି ଖଜଣା ଦେବେ ନାହିଁ।

ଏହି ଅନୁସାରେ କନିକାର ତିନି ଅଂଚଳ- ଛମୁକା (ରାଜକନିକା ଅଂଚଳ) ପାଞ୍ଚମୁକା (ଅଧୁନା ଭଦ୍ରକ ଜିଲାର ଘଣ୍ଟେଶ୍ବର ଅଂଚଳ) ଏବଂ କେରଡ଼ାଗଡ଼ (ରାଜନଗର ଅଂଚଳ)ରୁ ହଜାର ହଜାର ଚାଷୀ ରାଜକନିକାରେ ଏକତ୍ରିତ ହୋଇଥିଲେ। ଛମୁକାର ନେତା ଥିଲେ ଦୀନବନ୍ଧୁ ଖଣ୍ଡାୟତରାୟ, ପାଞ୍ଚମୁକାର ନିଧିରାମ ତ୍ରିପାଠୀ ଏବଂ କେରଡ଼ାଗଡ଼ର ଦାୟିତ୍ୱ ନେଇଥିଲେ ବିଶ୍ୱନାଥ ରାଉତ। ସମସ୍ତେ ଏକାଠି ହୋଇ ରଜାଙ୍କୁ ଦାବିପତ୍ର ଦେଲେ। କିନ୍ତୁ ସେ ଦାବିପତ୍ର ଗ୍ରହଣ କରିବା ତ ଦୂରର କଥା, ଦୂର ଦୂର କରି ‘ପ୍ରଥମେ ଖଜଣା ଦିଅ, ପରେ ଆପତ୍ତି କରିବ’ କହି ଘଉଡ଼େଇ ଦେଇଥିଲେ। ଏହା ପରେ ୫୦୦୦ ପ୍ରଜାଙ୍କର ଦସ୍ତଖତ ସମ୍ବଳିତ ଆବେଦନପତ୍ର କଟକର କଲେକ୍ଟରଙ୍କ ନିକଟକୁ ପଠାଗଲା। ସ୍ଥିତିର ଗମ୍ଭୀରତା ଅନୁଧ୍ୟାନ କରି କଲେକ୍ଟର ବି.ଏନ୍. ରାୟ ତଦନ୍ତ କରିବା ପରେ ପ୍ରଜାଙ୍କ ଦୁର୍ଦଶା ଅନୁଭବ କରି ପଦକ୍ଷେପ ନେବା ପୂର୍ବରୁ ‘ପ୍ରଜାଙ୍କ ପ୍ରତି ସମ୍ବେଦନଶୀଳ’ ଆଖ୍ୟା ଦେଇ ତାଙ୍କୁ ବଦଳି କରାଯାଇଥିଲା। ଏହାର ପୃଷ୍ଠଭୂମିରେ ଥିଲେ ଅତ୍ୟାଚାରୀ ରାଜେନ୍ଦ୍ର ନାରାୟଣ। ୧୯୨୨ ଏପ୍ରିଲ ୨୧ ତାରିଖରେ ଦୁଇ ଜଣ ସିପାହି ପତରପୁରରୁ ପ୍ରଜା ନେତା ପଦନ ଜେନାଙ୍କୁ ଗିରଫ କରି ଆଣିବାବେଳେ ଖଣ୍ଡେଇତା ଗ୍ରାମ ପାଖରେ ଉପସ୍ଥିତ ପ୍ରାୟ ୨୦୦୦ ପ୍ରଜା ବଳପୂର୍ବକ ପୁଲିସ ହାତରୁ ପଦନ ଜେନାଙ୍କୁ ଖଲାସ କରିନେଲେ। ସେଦିନ ଥିଲା ପୁଲିସ୍‌ ଓ ପ୍ରଜାଙ୍କ ମଧ୍ୟରେ ପ୍ରଥମ ମୁହାଁମୁହିଁ ସଂଗ୍ରାମ। ଏପ୍ରିଲ ୨୩ ତାରିଖ ସକାଳେ ପୁଲିସ୍‌ ସୁପରିନ୍‌ଟେଣ୍ଡେଣ୍ଟ୍‌ ଶ୍ରୀକୃଷ୍ଣ ମହାପାତ୍ରଙ୍କ ନେତୃତ୍ୱରେ ବିରାଟ ପୁଲିସ୍ ବାହିନୀ ଆୟତନରେ ପହଞ୍ଚି ଘରେ ଘରେ ଲୁଟ୍‌ତରାଜ ଆରମ୍ଭ କରିଥିଲା। ସଂଗ୍ରାମୀମାନେ ମେଘପୁର ବଜ୍ର ମହାକାଳୀଙ୍କ ପାଖରେ ଏକାଠି ହୋଇଥିଲେ। ବିସୁନି ମୁଦ୍‌ଗର ଧରି ଘରୁ ବାହାରିଲାବେଳେ ପତ୍ନୀଙ୍କୁ ସାନ୍ତ୍ୱନା ଆଳରେ କହିଥିଲେ- ନ ଫେରିଲେ କାନ୍ଦିବୁନି। ବାସୁ ମଧ୍ୟ ପତ୍ନୀଙ୍କୁ ପଚାରିଲେ- କୁରାଢ଼ିଟା ନେବି ନା ଠେଙ୍ଗା? କବାଟ କଣରୁ ପତ୍ନୀ କହିଥିଲେ- ସେ ସୁନ୍ଦୁରୀ ଠେଙ୍ଗାଟା ନିଅ। ସେଇଟା ହାତରେ ଥିଲେ, ପାଖକୁ ଆଉ କିଏ ପଶିବ!

ଦିନ ଦଶଟା ସୁଦ୍ଧା ପାଞ୍ଚ ହଜାର ମେଳିଆ ଠେଙ୍ଗା, ବାଡ଼ି ଧରି ମେଘପୁର ଯୋରଳ ମଇଁଷି ଗୋଠ ପଡ଼ିଆରେ ଏକାଠି ହୋଇ ସାରିଥିଲେ। ପୁଲିସ୍‌ ଫୌଜ ମେଘପୁର ଗାଁରେ ପହଞ୍ଚି ମେଳିକୁ ଭୀତତ୍ରସ୍ତ କରିବା ପାଇଁ ଫାଙ୍କା ଗୁଳି ଚଳେଇଥିଲା। କିନ୍ତୁ ପ୍ରଜା ମେଳି ଫାଙ୍କା ଗୁଳିରେ ଡରି ନ ଥିଲା। ମେଳିର ନେତୃତ୍ୱ ନେଉଥା’ନ୍ତି ବିସୁନି ମଢ଼ୁଆଳ। ହଜାର ହଜାର ସଂଖ୍ୟାର ପ୍ରଜା ମାଡି ଆସି ପୁଲିସ୍‌କୁ ପିଟିବାକୁ ଆରମ୍ଭ କଲେ। ଆତଙ୍କିତ ପୁଲିସ୍‌ ସାହେବ ଅର୍ଡର ଦେଲେ- ଫାୟାର। ଆଖିବୁଜା ଗୁଳି ବର୍ଷଣ ଆରମ୍ଭ ହୋଇଗଲା। ବିସୁନି ଠେଙ୍ଗାଟା ବୁଲାଇ ପୁଲିସ୍‌ ଅଫିସରକୁ ଫିଙ୍ଗୁଥିବାବେଳେ ଗୁଳିଟା ପେଟରେ ବାଜିଲା। ବେବର୍ତ୍ତା ପୋଖରୀ ହୁଡ଼ାରେ ସେ ଟଳି ପଡ଼ିଲେ। କ୍ଷତବିକ୍ଷତ ହୋଇ ଆହୁରି ଛବିଶ ଜଣ ସେଇଠି ଲୋଟି ପଡ଼ିଲେ। ବାସୁ ସେଠୀ ଅନ୍ୟମାନଙ୍କୁ ସାଥିରେ ନେଇ ଆସିବା ବେଳକୁ ପୁଲିସ୍‌ ଗୁଳି ଚାଳନା ଆରମ୍ଭ କରି ଦେଇଥିଲା। କ୍ରୋଧ ଓ ଉେତ୍ତଜନାରେ ସେ ପୁଲିସ୍‌ ଉପରକୁ ଠେଙ୍ଗା ଉଠେଇଲାବେଳକୁ ପିଠିରେ ଗୁଳି ବାଜିଲା। ତଥାପି ଉଠିବା ହାତ ନଇଁ ନ ଥିଲା। ଆଉ ଗୋଟିଏ ଗୁଳିରେ ସବୁ ଦିନ ପାଇଁ ସେ ଲୋଟି ପଡ଼ିଲେ। ଏ ହେଉଛି ୧୯୨୨ ମସିହା ଏପ୍ରିଲ ୨୩ ତାରିଖର ଘଟଣା। କନିକା ପ୍ରଜାଙ୍କ ମୁକ୍ତି ନିମନ୍ତେ ବାସୁ ସେଠୀ ଓ ବିସୁନି ମଢ଼ୁଆଳ ସହିଦ ହୋଇଗଲେ। ସେମାନେ ହେଉଛନ୍ତି ଦେଶବ୍ୟାପୀ ଅସହଯୋଗ ଆନ୍ଦୋଳନର ପ୍ରଥମ ସହିଦ।

ଏହା ପରର ଘଟଣା ଆହୁରି ମର୍ମନ୍ତୁଦ ଓ ଲୋମହର୍ଷଣକାରୀ। ରଜାଙ୍କ ନିର୍ଦ୍ଦେଶରେ ପୁଲିସ୍‌ ବାହିନୀ ଘରେ ଘରେ ପଶି ଲୁଣ୍ଠନ କରିବା ସହିତ ମହିଳାଙ୍କ ପ୍ରତି ଯେଉଁ ଅତ୍ୟାଚାର କରିଥିଲା, ତାହା ବର୍ଣ୍ଣନା ବହିର୍ଭୂତ। ମେଳିରେ ଅଂଶଗ୍ରହଣ କରିଥିବାରୁ ୧୬୦ ଜଣଙ୍କୁ ପୁଲିସ୍‌ ଗିରଫ କରିଥିଲା। ସହିଦ ବାସୁ-ବିସୁନିଙ୍କ ହତ୍ୟାର ତଦନ୍ତ ଦାବି କରି ଉତ୍କଳମଣି ଗୋପବନ୍ଧୁ କନିକାରେ ପ୍ରବେଶ କରୁଥିବାବେଳେ ତାଙ୍କୁ ଆରେଷ୍ଟ୍‌ କରି ହଜାରୀବାଗ ଜେଲ୍‌ରେ ଦୁଇ ବର୍ଷ ଅଟକ ରଖାଗଲା। ଏହା ପରେ ଜମିଦାରଙ୍କ ପ୍ରରୋଚନାରେ ତଦନ୍ତ ପ୍ରସଙ୍ଗ ପ୍ରାୟ ସମସ୍ତେ ଭୁଲିଗଲେ। ଇତିମଧ୍ୟରେ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ବିତି ଗଲାଣି। ଆଜିର ତାରିଖରେ ସେହି ମହାନ ବୀର ଦ୍ବୟଙ୍କ ସହିଦତ୍ବର ଶହେ ବର୍ଷ ପୂର୍ଣ୍ଣ ହେଉଛି। ସହିଦଙ୍କ ଉଦ୍ଦେଶ୍ୟରେ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯାଇଛି। କିନ୍ତୁ କନିକା ଅଂଚଳର ବିକାଶ ଆଦୌ ସନ୍ତୋଷଜନକ ନୁହେଁ। ସତେ ଯେମିତି ଏ ଦୁଃଖିନୀ କନିକା ନୁହେଁ, ଅଭିଶପ୍ତ କନିକା!
(କନିକା ପ୍ରଜା ସଂଗ୍ରାମର ଶତବାର୍ଷିକୀ ଅବସରରେ)
ମୋ: ୯୪୩୭୧୯୧୩୫୦

ସମ୍ବନ୍ଧିତ ଖବର