ବ୍ରାଣ୍ତ୍‌ ‘ବୁଲ୍‌ଡୋଜର୍‌’

‘ବୁଲ୍‌ଡୋଜର‌୍‌’

ସତ କହିଲେ ଟ୍ୟାଙ୍କ୍‌ଗୁଡ଼ିକ ସହିତ ‘ବୁଲ୍‌ଡୋଜର‌୍‌’ର ଏକ ମୃଦୁ ସାମ˚ଜସ୍ୟ ଦିଶେ ନାହିଁ କି? ଏହା ସମସ୍ତେ ସ୍ବୀକାର କରିବେ ଯେ କୌଣସି ଗଣତନ୍ତ୍ରରେ ଏକ ରାଜନୈତିକ ଆୟୁଧ ଭାବେ ‘ବୁଲ୍‌ଡୋଜର‌୍‌’ର ଉପସ୍ଥିତି ଅସ୍ପୃହଣୀୟ। କେବଳ ସେତିକି ନୁହେଁ, ଏହାର ପ୍ରୟୋଗ ସମୟରେ ଯେଉଁ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶିତ ହୋଇଥାଏ, ସେଥିରେ ଅନେକ ସମୟରେ ଅଦାଲତର ଆଦେଶ ବା ସ˚ବିଧାନର ବିଧି ବ୍ୟବସ୍ଥା ପ୍ରତି ଭ୍ରୂକ୍ଷେପ ପ୍ରଦର୍ଶନ କରାଯାଇ ନ ଥାଏ, ଯେମିତି ଜାହାଙ୍ଗୀରପୁରରେ ଘଟିଛି। ସେହି ଦୃଷ୍ଟିରୁ ଭାରତରେ ‘ବୁଲ୍‌ଡୋଜର‌୍‌’ ରାଜନୀତି ଏକ ବ୍ରାଣ୍ତ୍‌ରେ ପରିଣତ ହେବାକୁ ବସିଥିବା ଗଣତନ୍ତ୍ର ଲାଗି ବିପଜ୍ଜନକ ହୋଇପାରେ!

ଘଟଣାଟି ଘଟିଥିଲା ଏହି ଭଳି। ଦିଲ୍ଲୀର ଏକ ମୁସଲମାନ ବହୁଳ ବସତିକୁ ଉଚ୍ଛେଦ କରାଯିବା ପୂର୍ବରୁ ସେହି ବସ୍ତି ବାସିନ୍ଦାଙ୍କ ଏକ ପ୍ରତିନିଧି ଦଳ ‘ଦିଲ୍ଲୀ ବିକାଶ କର୍ତ୍ତୃପକ୍ଷ’ଙ୍କ କାର୍ଯ୍ୟାଳୟକୁ ଯାଇ ସେମାନଙ୍କ ପୁନର୍ବସତିର ବ୍ୟବସ୍ଥା ଲାଗି ନିବେଦନ କରନ୍ତେ ତାହାର ଉପାଧୢକ୍ଷ କୁଆଡ଼େ ଭ୍ରୂକୁ˚ଚନ କରିବା ସହିତ କହିଥିଲେ- ‘ପୁନର୍ବସତି? ତୁମେମାନ କ’ଣ ଭାବୁଛ କି ଗୋଟିଏ ପାକିସ୍ତାନର ଉତ୍ପାଟନ କରି ଆମେ ଆଉ ଗୋଟିଏ ପାକିସ୍ତାନ ଗଢ଼ି ଉଠିବା ଲାଗି ସୁଯୋଗ ଦେବୁ?’

ଏଠାରେ ଯଦି ଏହି ଘଟଣାର ସ୍ଥାନ, କାଳ ଏବ˚ ପାତ୍ର ଇତ୍ୟାଦି ବିଷୟରେ ଏକ ଅନ୍ଦାଜ ଲଗାଇବାକୁ କୁହାଯାଏ, ତେବେ ପ୍ରାୟ ନିଶ୍ଚିତ ଯେ ଅଧିକା˚ଶ ଏହାକୁ ‘ଭାରତୀୟ ଜନତା ପାର୍ଟି’ର ଶାସନ କାଳ ମଧୢରେ ଘଟିଥିବା ଏକ ଘଟଣା ବୋଲି କହିବେ। କିନ୍ତୁ ପ୍ରକୃତରେ ଏହା ହେଉଛିି ଦିଲ୍ଲୀରେ ଘଟିଥିବା ଓ ଭୀଷଣ କୁଖ୍ୟାତି ଅର୍ଜନ କରିଥିବା ‘ତୁର୍କମାନ ଗେଟ୍‌’ ଉଚ୍ଛେଦ ଘଟଣା, ଯାହା ଘଟିଥିଲା ୧୯୭୬ ମସିହାରେ (ଜରୁରୀକାଳୀନ ପରିସ୍ଥିତି ଅବଧିରେ), ଯେତେବେଳେ ଶାସନରେ ଦୃଢ଼ ଭାବେ ପ୍ରତିଷ୍ଠିତ ଥିଲା କ˚ଗ୍ରେସ ଭଳି ଏକ ‘ସେକ୍ୟୁଲାର‌୍‌’ ଏବ˚ ସ˚ଖ୍ୟାଲଘୁଙ୍କ ପ୍ରିୟଭାଜନ ଏକ ଦଳର ସରକାର ଏବ˚ ଉପରୋକ୍ତ ମନ୍ତବ୍ୟ ପ୍ରଦାନକାରୀ ଥିଲେ ତତ୍କ‌ାଳୀନ ‘ଦିଲ୍ଲୀ ଡେଭଲପ୍‌ମେଣ୍ଟ୍‌ ଅଥରିଟି’ ବା ‘ଡି.ଡି.ଏ.’ର ଭାଇସ୍‌ ଚେୟାର୍‌ମ୍ୟାନ୍‌ ଜଗମୋହନ। ସେହି ସମୟରେ ୪୯ ବର୍ଷ ବୟସ୍କ ଜଗମୋହନ ଥିଲେ ସ˚ଜୟ ଗାନ୍ଧୀଙ୍କର ଅନ୍ତରଙ୍ଗ ଏବ˚ ତାଙ୍କ ଆଦେଶରେ ଅତିକାୟ ‘ବୁଲ୍‌ଡୋଜର‌୍‌’ଗୁଡ଼ିକ ସକ୍ରିୟ ହୋଇ ଉଠିବା ପଛର ଉଦ୍ଦେଶ୍ୟ ଥିଲା ଦିଲ୍ଲୀର ସୁନ୍ଦରୀକରଣ। ଏହି ପ୍ରସଙ୍ଗ ଏଠାରେ ଉପସ୍ଥାପନ କରିବାର ତାତ୍ପର୍ଯ୍ୟ ସ୍ବାଧୀନତୋତ୍ତର ଭାରତରେ ନଗର ଏବ˚ ମହାନଗରଗୁଡ଼ିକର ସୁନ୍ଦରୀକରଣ ଲାଗି ବା ତହିଁରେ କୌଣସି ବିକାଶମୂଳକ କାର୍ଯ୍ୟ ସକାଶେ ଦରିଦ୍ର ବସ୍ତିଗୁଡ଼ିକୁ ଉଚ୍ଛେଦ କରିବାକୁ ଦଳ ନିର୍ବିଶେଷରେ ସରକାର ପ୍ରେରିତ ଭୀତି-ସ˚ଚାରକାରୀ ‘ବୁଲ୍‌ଡୋଜର‌୍‌’ମାନ କାଳେ-ଅକାଳେ ଆବିର୍ଭୂତ ହୋଇ ଆସିଛନ୍ତି। କିନ୍ତୁ, ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଲା ଇତି ମଧୢରେ ଏହି ଯନ୍ତ୍ର ଦାନବଟି ନିଜ ଅଗୋଚରରେ ରାଜନୀତିର ଏକ ‘ବ୍ରାଣ୍ଡ୍‌’ ସୃଷ୍ଟି କରିପାରିଛି, ଯାହା ସ˚ପ୍ରତି ଘଟିଥିବା ବିଭିନ୍ନ ଘଟଣାବଳୀ ଦ୍ବାରା ସ୍ପଷ୍ଟ ହେବାରେ ଲାଗିଛି। ସେହି ପରିପ୍ରେକ୍ଷୀରେ ଗଲା ରାମ ନବମୀ ଠାରୁ ହନୁମାନ ଜୟନ୍ତୀ ମଧୢବର୍ତ୍ତୀ ଛଅ ଦିନ ମଧୢରେ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା କେତେକ ଘଟଣା ବିଶେଷ ପ୍ରଣିଧାନଯୋଗ୍ୟ।

ଉଲ୍ଲେଖଯୋଗ୍ୟ ଯେ ଶ୍ରୀରାମ ନବମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ଶୋଭାଯାତ୍ରାଗୁଡ଼ିକୁ କେନ୍ଦ୍ର କରି ସା˚ପ୍ରଦାୟିକ ହି˚ସା ସୃଷ୍ଟି ହେବା ପରେ ମଧୢପ୍ରଦେଶ, ଗୁଜରାଟ ଏବ˚ ଦିଲ୍ଲୀରେ ‘ବୁଲ୍‌ଡୋଜର‌୍‌’ ବ୍ୟବହାର କରାଯାଇ କେତେକ ଆବାସ ଏବ˚ ବ୍ୟବସାୟ ସ୍ଥଳକୁ ଧରାଶାୟୀ କରିଦିଆଗଲା, ଯାହା ବିଜେପି ଶାସନାଧୀନ ରାଜ୍ୟରେ (ଦିଲ୍ଲୀରେ ଆଇନଶୃଙ୍ଖଳା ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ କ୍ଷମତାଧୀନ) ମୁସଲମାନ ପରିବାରର ସ˚ପତ୍ତି ହୋଇଥିବାରୁ ଏକ ବିବାଦ ଉତ୍ପନ୍ନ କରିଛି। ତେବେ, ଏ ସ˚ଦର୍ଭରେ ସରକାରଗୁଡ଼ିକ ପକ୍ଷରୁ ପ୍ରଦତ୍ତ ସ୍ପଷ୍ଟୀକରଣ କହିଥାଏ ଯେ ଦଙ୍ଗାକାରୀମାନଙ୍କୁ ଚିହ୍ନଟ କରାଯିବା ପରେ ସେମାନଙ୍କ ଦ୍ବାରା ସରକାରୀ ଜମି ଉପରେ ଅନଧିକୃତ ଭାବେ କରାଯାଇଥିବା ବେଆଇନ ନିର୍ମାଣଗୁଡ଼ିକୁ କେବଳ ଯାହା ଉଚ୍ଛେଦ କରାଯାଇଛି। ସ୍ବାଭାବିକ ଭାବେ ଏହା ତୀବ୍ର ରାଜନୈତିକ ସମାଲୋଚନାର କାରଣ ହୋଇଛି, କିନ୍ତୁ ବିସ୍ମୟକର ଭାବେ ସମାଲୋଚନାଗୁଡ଼ିକରେ ‘ବୁଲ୍‌ଡୋଜର‌୍‌’ର ଅବାଧ ଜାନ୍ତବ ଆକ୍ରମଣ ବିରୋଧରେ କିଛି ଶୁଣିବାକୁ ମିଳିନାହିଁ; ଯେମିତି କି କ˚ଗ୍ରେସ ପକ୍ଷରୁ ରାହୁଳ ଗାନ୍ଧୀଙ୍କ ମନ୍ତବ୍ୟରେ ବିଜେପି ସରକାର ପ୍ରତି ଉପଦେଶ ବିଦ୍ୟମାନ ରହିଛି ଯେ ସରକାର ଦରିଦ୍ରଙ୍କ ବିରୋଧରେ ‘ବୁଲ୍‌ଡୋଜର୍‌’ ବ୍ୟବହାର ନ କରି ଦାରିଦ୍ର୍ୟ, ବେକାରି ଏବ˚ କ୍ଷୁଧା ବିରୋଧରେ ତାହା କରନ୍ତୁ ବା ବିଜେପିର ସର୍ବାଧିକ ନିର୍ଦ୍ଦୟ ସମାଲୋଚକ ରୂପେ ସ˚ପ୍ରତି ଆବିର୍ଭୂତ ହୋଇଥିବା ‘ଆମ୍‌ ଆଦ୍‌ମି ପାର୍ଟି’ ବା ‘ଆପ୍‌’ ପକ୍ଷରୁ ପ୍ରଦତ୍ତ ବକ୍ତବ୍ୟ ପ୍ରଶ୍ନ କରିଥାଏ ଯେ ଜାହାଙ୍ଗୀରପୁର (ଦିିଲ୍ଲୀ) ବସ୍ତି ଗଢ଼ି ଉଠିବାକୁ ଏକଦା ପ୍ରଶ୍ରୟ ପ୍ରଦାନ କରିଥିବା ବିଜେପି ସେମାନଙ୍କୁ ଉଚ୍ଛେଦ କରିବା ଲାଗି ଏବେ ‘ବୁଲ୍‌ଡୋଜର‌୍‌’ ଲଗାଉଛି କାହିଁକି? ସେହି ଦୃଷ୍ଟିରୁ କୁହାଯାଇପାରେ ଯେ ଅନଧିକୃତ ଭାବେ ଗଢ଼ି ଉଠିଥିବା ନିର୍ମାଣକୁ ଉଚ୍ଛେଦ କରିବା ଆଇନସମ୍ମତ ହୋଇଥିବାରୁ ଏବ˚ ଦଳ ନିର୍ବିଶେଷରେ ସବୁ ସରକାର ଆବଶ୍ୟକ ସ୍ଥଳେ କେବେ ନା କେବେ ଏହାର ପ୍ରୟୋଗ କରିବାର ସମ୍ଭାବନା ଥିବାରୁ ‘ବୁଲ୍‌ଡୋଜର‌୍‌’ର ଅପ୍ରତ୍ୟାଶିତ ଓ ନିରଙ୍କୁଶ ବ୍ୟବହାର ସମାଲୋଚନାର ଶରବ୍ୟ ହୋଇନାହିଁ; କେବଳ ଯାହା ସମାଲୋଚିତ ହୋଇଛି ତାହା ହେଲା ଏହାର ପ୍ରୟୋଗ ପଛରେ ରହିଥିବା ସା˚ପ୍ରଦାୟିକ ପକ୍ଷପାତ। ସୁତରାଂ, ‘ବୁଲ୍‌ଡୋଜର‌୍‌’ ବର୍ତ୍ତମାନ ଏକ ସରକାରୀ ଆୟୁଧରେ ପରିଣତ ହୋଇଛି, ଯାହା ଦ୍ବାରା ସରକାରଙ୍କ ପ୍ରତି ଭୀତତ୍ରସ୍ତ ନାଗରିକମାନଙ୍କ ଇଚ୍ଛାବିରୋଧୀ ବଶମ୍ବଦତା ଧାର୍ଯ୍ୟ କରାଯାଇପାରେ; ଅଥବା କୌଣସି ସରକାର ବିରୋଧୀ ଉଚ୍ଚାଟକୁ ଅଚିରେ ନିରବ ମଧୢ କରି ଦିଆଯାଇପାରେ।

ଏହି ସ˚ଦର୍ଭରେ ସ˚ପ୍ରତି ‘ବୁଲ୍‌ଡୋଜର‌୍‌ ବାବା’ ଭାବେ ଖ୍ୟାତ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଦୃଷ୍ଟାନ୍ତ ସ୍ଥାପନ କରି ସାରିଲେଣି। ଉତ୍ତରପ୍ରଦେଶକୁ ସ˚ଗଠିତ ଅପରାଧ ଏବ˚ ଅପରାଧୀମୁକ୍ତ କରିବା ଲାଗି ‘ବୁଲ୍‌ଡୋଜର‌୍‌’ ତାଙ୍କ ଲାଗି ବିଶେଷ ସହାୟକ ହୋଇଛି। ଉଦାହରଣ ସ୍ବରୂପ ଗଣମାଧୢମରେ ପ୍ରକାଶିତ ଏକ ସମ୍ବାଦ ଅନୁସାରେ ସେଠାରେ ଜଣେ ଦୁଷ୍କର୍ମ ଅଭିଯୁକ୍ତ ଦୁଇ ଦିନ ଫେରାର ରହିବା ପରେ ନିଜ ଗୃହ ସମ୍ମୁଖରେ ଏକ ହସ୍ତୀ ସଦୃଶ ‘ବୁଲ୍‌ଡୋଜର‌୍‌’ଟିଏ ଦଣ୍ତାୟମାନ ଥିବାର ଆବିଷ୍କାର କରି ତୃତୀୟ ଦିନ ଆତ୍ମସମର୍ପଣ କରିଥିଲା। ଉତ୍ତରପ୍ରଦେଶର ଅତ୍ୟନ୍ତ ଶୋଚନୀୟ ଆଇନ ଶୃଙ୍ଖଳା ପରିସ୍ଥିତି ପରିପ୍ରେକ୍ଷୀରେ ଏହା ପ୍ରଭୂତ ଜନ ପ୍ରଶ˚ସା ଲାଭ କରୁଥାଇପାରେ; କିନ୍ତୁ ଏହି ଭୟ ସର୍ବଦା ରହିଛି ଯେ ଅପରିମେୟ ବଳ ପ୍ରୟୋଗର ସାଧନ ‘ବୁଲ୍‌ଡୋଜର‌୍‌’ ଅନେକ ସମୟରେ ବ୍ୟକ୍ତିଗତ ପ୍ରତିଶୋଧ ବା ଅଭିସନ୍ଧି ପୂରଣ ଲାଗି ମଧୢ ସରକାରୀ କଳ ଦ୍ବାରା ବ୍ୟବହୃତ ହୋଇପାରେ। ସେହି ପରିପ୍ରେକ୍ଷୀରେ ସରକାରୀ ଜାଗା ଉପରେ ଅନଧିକୃତ ଭାବେ ଗଢ଼ି ଉଠିଥିବା ବସ୍ତିଗୁଡ଼ିକ କଥା ବିଚାର କରାଯାଉ; ଯେଉଁଗୁଡ଼ିକ ଉପରେ ଝୁଲି ରହିଥିବା ‘ଅକସ୍ମାତ୍‌ ଉଚ୍ଛେଦ’ର ନିରନ୍ତର ଭୟ ଅନେକ ସମୟରେ ସେଠାରେ ରହୁଥିବା ଦରିଦ୍ର ଏବ˚ ସୀମାନ୍ତରିତମାନଙ୍କୁ ଶାସକ ଦଳକୁ ତୁଷ୍ଟ କଲା ଭଳି ସତ୍ତା ସମର୍ଥକ ଭୋଟ ବ୍ୟାଙ୍କ୍‌ରେ ପରିଣତ କରିଛି। ତେବେ, କେବଳ ଏହି ଦୁର୍ବଳ ବର୍ଗ ନୁହନ୍ତି, ପ୍ରଖ୍ୟାତ ସେଲିବ୍ରିଟି ଓ ପ୍ରତିବାଦ ମୁଖରା ଅଭିନେତ୍ରୀ କଙ୍ଗନା ରଣାଵତ ମଧ୍ୟ ତାର ପ୍ରମାଣ ପାଇ ସାରିଛନ୍ତି, ‌ଯହିଁରେ ତାଙ୍କୁ ନିରବ କରିବା ଲାଗି ତାଙ୍କ ପ୍ରସାଦତୁଲ୍ୟ ଗୃହର ଏକ ଅଂଶକୁ ଧରାଶାୟୀ କରିବାକୁ ମହାରାଷ୍ଟ୍ର ସରକାରଙ୍କ ‘ବୁଲ୍‌ଡୋଜର‌୍‌’ ଉଦ୍ୟମ କରିଛି।

ଦିଲ୍ଲୀର ଜାହାଙ୍ଗୀରପୁର ଉଚ୍ଛେଦ କାର୍ଯ୍ୟ ସ˚ପର୍କିତ ଏକ ଫଟୋରେ ଦେଖିବାକୁ ମିଳିଛି ଯେ ‘ସିପିଏମ୍‌’ ନେତ୍ରୀ ବୃନ୍ଦା କାରାତ୍‌ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରା ଜାରି ରହିତାଦେଶର ଏକ ନକଲ ଧରି ଉଗ୍ର ପ୍ରତିବାଦ ମୁଦ୍ରାରେ ଏକ ଉଦ୍ୟତ ‘ବୁଲ୍‌ଡୋଜର‌୍‌’ ସମ୍ମୁଖରେ ଦଣ୍ତୟମାନ। ସହସା ଏହା ଯେଉଁ ଚିତ୍ରଟିକୁ ମନକୁ ଆଣିଥାଏ ତାହା ହେଲା ୧୯୮୯ ମସିହାରେ ଚୀନ୍‌ର ତିଆନାନାମନ ଛକରେ ଆୟୋଜିତ ଗଣତନ୍ତ୍ରକାମୀ ଏକ ବିଶାଳ ଛାତ୍ର ଆନ୍ଦୋଳନ ଯହିଁରେ ଚୀନ୍‌ର କମ୍ୟୁନିଷ୍ଟ ସରକାରଙ୍କ ଦ୍ବାରା ନିୟୋଜିତ ଟ୍ୟାଙ୍କ୍‌ ସମକ୍ଷରେ ଜଣେ ଛାତ୍ର ଛିଡ଼ା ହୋଇ ତା’ର ଗତିରୋଧ କରୁଥିବାର ଦୃଶ୍ୟ। କହିବା ଅନାବଶ୍ୟକ ଯେ ଚୀନ୍‌ର ଏହି ଗଣତନ୍ତ୍ରକାମୀ ଆନ୍ଦୋଳନ ଟ୍ୟାଙ୍କ୍‌ଗୁଡ଼ିକର ନିର୍ମମ ଲୌହ ଚକ ତଳେ ସତ୍ତା ହରାଇଥିଲା। ସମ୍ଭବତଃ ଚୀନ୍‌ ସରକାର ଏଭଳି ଏକ ପ୍ରତିବାଦକୁ ଏକ ଯୁଦ୍ଧ ବୋଲି ବିଚାର କରି ତାକୁ ଦମନ କରିବା ଲାଗି ଟ୍ୟାଙ୍କ୍‌ଗୁଡ଼ିକୁ ପଠାଇଥିଲେ। କିନ୍ତୁ ସତ କହିଲେ ଟ୍ୟାଙ୍କ୍‌ଗୁଡ଼ିକ ସହିତ ‘ବୁଲ୍‌ଡୋଜର‌୍‌’ର ଏକ ମୃଦୁ ସାମ˚ଜସ୍ୟ ଦିଶେ ନାହିଁ କି? ଏହା ସମସ୍ତେ ସ୍ବୀକାର କରିବେ ଯେ କୌଣସି ଗଣତନ୍ତ୍ରରେ ଏକ ରାଜନୈତିକ ଆୟୁଧ ଭାବେ ‘ବୁଲ୍‌ଡୋଜର‌୍‌’ର ଉପସ୍ଥିତି ଅସ୍ପୃହଣୀୟ। କେବଳ ସେତିକି ନୁହେଁ, ଏହାର ପ୍ରୟୋଗ ସମୟରେ ଯେଉଁ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶିତ ହୋଇଥାଏ, ସେଥିରେ ଅନେକ ସମୟରେ ଅଦାଲତର ଆଦେଶ ବା ସ˚ବିଧାନର ବିଧି ବ୍ୟବସ୍ଥା ପ୍ରତି ଭ୍ରୂକ୍ଷେପ ପ୍ରଦର୍ଶନ କରାଯାଇ ନ ଥାଏ, ଯେମିତି ଜାହାଙ୍ଗୀରପୁରରେ ଘଟିଛି। ସେହି ଦୃଷ୍ଟିରୁ ଭାରତରେ ‘ବୁଲ୍‌ଡୋଜର‌୍‌’ ରାଜନୀତି ଏକ ବ୍ରାଣ୍ତ୍‌ରେ ପରିଣତ ହେବାକୁ ବସିଥିବା ଗଣତନ୍ତ୍ର ଲାଗି ବିପଜ୍ଜନକ ହୋଇପାରେ!

ସମ୍ବନ୍ଧିତ ଖବର