ହଜୁରଙ୍କୁ ଚିଠି

ଶ୍ୟାମସୁନ୍ଦର ଅଗ୍ରୱାଲା

ହଜୁର,
ମୁଣ୍ଡ ରହିଲେ ତୁଣ୍ଡ; ଗୋଟିଏ କଥା କହିବାକୁ ଚାହୁଛି। ଆପଣ ବାରମ୍ବାର ଜନ ହିତକାରୀ କାର୍ଯ୍ୟର ସଫଳ ସଂପାଦନ ନିମନ୍ତେ ନିଜର ଅଧସ୍ତନ କର୍ମରୀମାନଙ୍କ ଉପରେ ସନ୍ତୋଷ ପ୍ରକାଶ କରି ଖୁସି ହେଉଥିବାର ସମ୍ବାଦ ପ୍ରତ୍ୟହ ଖବରକାଗଜମାନଙ୍କରେ ପ୍ରକାଶ ପାଉଛି। ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି ଯାହାର ଓଡ଼ିଆ ଭାବାର୍ଥ ହେଉଛି- ‘ଅସନ୍ତୁଷ୍ଟ ଦ୍ବିଜ ନଷ୍ଟ, ସନ୍ତୁଷ୍ଟ ମହୀଭୂତ, ନିର୍ଲଜ୍ଜା ଗୃହିଣୀ ନଷ୍ଟ, ଲଜ୍ଜାବତୀ ବାରାଙ୍ଗନା।’ ଏହି ଶ୍ଳୋକଟି ଗୋଟିଏ ଅତ୍ୟନ୍ତ ସରଳ ସାବଲୀଳ ବାର୍ତ୍ତା ଦେଇ କହୁଛି ଯେ ଯିଏ ବ୍ରାହ୍ମଣ ସିଏ ଅସନ୍ତୁଷ୍ଟ ରହିବା, ଯିଏ ମହୀଭୂତ ଅର୍ଥାତ୍‌ ରାଜା ସିଏ ସନ୍ତୁଷ୍ଟ ହୋଇଯିବା, ଯିଏ ଗୃହିଣୀ ସେ ନିର୍ଲଜ୍ଜା ଆଉ ଯିଏ ବାରାଙ୍ଗନା ସିଏ ଲଜ୍ଜାବତୀ ହେବା ଆଦୌ ଶୋଭା ପାଏନା। ଏତାଦୃଶ ଲକ୍ଷଣ ପ୍ରକାଶ ପାଇଲେ ଏମାନେ ସମସ୍ତେ ଜୀବନରେ ପଥ ଭ୍ରଷ୍ଟ ଓ ଲକ୍ଷ୍ୟ ଭ୍ରଷ୍ଟ ହୋଇ ନଷ୍ଟ ହୋଇ ଯାଇଥା’ନ୍ତି।

ରାଜ କାର୍ଯ୍ୟ ସଂପାଦନ ସମୟରେ ରାଜା କସ୍ମିନ କାଳେ ନିଜର ଖୁସି କିମ୍ବା ସନ୍ତୋଷ ପ୍ରକାଶ କରିବା ଉଚିତ ନୁହେଁ। ରାଜ କାର୍ଯ୍ୟ ଯେତେ ଉଚ୍ଚକୋଟୀର ହୋଇଥିଲେ ମଧ୍ୟ ମହାରାଜ ସର୍ବଦା ଆହୁରି ଉଚ୍ଚକୋଟୀର ହୋଇ ପାରିଥା’ନ୍ତା ବୋଲି ଦର୍ଶାଇ କ୍ଷୋଭ ପ୍ରକାଶ କଲେ ଅଧସ୍ତନ କର୍ମଚାରୀମାନେ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆହୁରି ଉତ୍ସାହର ସହ କାର୍ଯ୍ୟଟିମାନ କରିଥା’ନ୍ତି; ନଚେତ ‘ହଁ, ମ, ଏତିକିରେ ତ ରାଜା ଖୁସ୍, ଆଉ କିଏ ଅଧିକ କାମ କରୁଛି ବୋଲି’ କହି ନାଭିରେ ତେଲ ପକେଇ ଶୋଇ ପଡ଼ନ୍ତି। ମୋର ମନେ ଅଛି ପିଲା ଦିନେ ଆମେ ଗଣିତରେ ଶହେରୁ ପଞ୍ଚାନବେ ନମ୍ବର ରଖିଥିଲେ ମଧ୍ୟ ବାପା ସର୍ବ ସମ୍ମୁଖରେ ନିଜର ଖୁସି ପ୍ରକାଶ କରୁ ନ ଥିଲେ, ବରଂ ଆଉ ପାଞ୍ଚ ନମର କାହିଁକି ଆସିଲା ନାହିଁ ବୋଲି କହି ତାଗିଦ କରି ନାଲି ଆଖି ଦେଖାଉଥିଲେ।

ହଜୁର, ଆପଣ ଆମ ସମସ୍ତଙ୍କର ମା’ ବାପା ସଦୃଶ। ପୁଅଝିଅମାନଙ୍କ ସାମାନ୍ୟ ସଫଳତା ଉପରେ ତୁରନ୍ତ ଖୁସି ପ୍ରକାଶ ନ କରି, ଉପର ମନରେ ହେଉ ପଛକେ ଯେତେ ଅସନ୍ତୋଷ ବ୍ୟକ୍ତ କରିବେ ସେମାନେ ସେତିକି ଆତ୍ମ ତୃପ୍ତିରୁ ମୁକ୍ତ ରହି ରାଜ କାର୍ଯ୍ୟ କରିବେ।

ହଜୁର, ଆପଣ ଅନେକ ଜନମଙ୍ଗଳକାରୀ କାର୍ଯ୍ୟର ଶୁଭାରମ୍ଭ କରୁଛନ୍ତି। କିନ୍ତୁ ଆପଣ ତୁରନ୍ତ ସନ୍ତୋଷ ବ୍ୟକ୍ତ କରିବା ଦ୍ବାରା ପରବର୍ତ୍ତୀ କାଳରେ ସେହି କାର୍ଯ୍ୟଗୁଡ଼ିକର ଉପଯୁକ୍ତ ତଦାରଖ ହେଉନାହିଁ। ଫଳରେ ସେ ସବୁ ବିଶେଷ ଫଳପ୍ରଦ ହୋଇପାରୁନାହିଁ। ଆମମାନଙ୍କ ପାଇଁ ଗର୍ବର ବିଷୟ ଯେ ସମଗ୍ର ଭାରତବର୍ଷରେ ପ୍ରଥମ ଥର ପାଇଁ ପୁଣ୍ୟ ତୀର୍ଥ ପୁରୀ ସହରରେ ସିଧାସଳଖ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଆରମ୍ଭ ହେଲା। ଏହି ବ୍ୟବସ୍ଥା ବର୍ତ୍ତମାନ କଟକ ସହରରେ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ କଟକ ସହରରେ ଆରମ୍ଭ କରିବା ପୂର୍ବରୁ ପୁରୀରେ ଜଳଯୋଗାଣ ପରିସ୍ଥିତି ଆବଶ୍ୟକ ତଦାରଖ ଅଭାବରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ଖବରକାଗଜ ମାନଙ୍କରେ ପ୍ରକାଶ ପାଉଛି। ସ୍କୁଲ ରୂପାନ୍ତରୀକରଣ ଯୋଜନା ସେହି ପରି ତଦାରଖ ଅଭାବରୁ ଅନେକ ସ୍ଥାନରେ ଅଧାପନ୍ତରିଆ ହୋଇ ପଡ଼ିଛି। ଆପଣଙ୍କର ସାମାନ୍ୟ ଅସନ୍ତୋଷ ଭୁବନେଶ୍ବର ସ୍ମାର୍ଟ‌୍ ସିଟିକୁ ତୁରନ୍ତ ପୂର୍ଣ୍ଣ ରୂପ ଦେଇ ପାରନ୍ତା। ସେମିତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଗରିବମାନଙ୍କ ନିମନ୍ତେ ଉନ୍ନତ ମାନର ଚିକିତ୍ସା ବ୍ୟବସ୍ଥାର ଏକ ଅଭିନନ୍ଦନୀୟ ପଦକ୍ଷେପ। କିନ୍ତୁ ଏହାର ସଫଳତା, ଆପଣଙ୍କ ସନ୍ତୋଷ ବ୍ୟକ୍ତରେ ନୁହେଁ, ସାମାନ୍ୟ ଗୋଟିଏ ଅଭିଯୋଗ ଆସିବା ପରେ ଅଧୀନସ୍ଥ କର୍ମଚାରୀମାନଙ୍କୁ ତାଗିଦ କରି ଅସନ୍ତୋଷ ବ୍ୟକ୍ତ କରିବା ଉପରେ ନିର୍ଭର କରୁଛି।

ହଜୁର, ଆମେ ଆପଣଙ୍କୁ ଆଉ ଅଧିକ ଖୁସି ନୁହେଁ, ବରଂ ଅଧିକ ସୁଖୀ ଦେଖିବାକୁ ଚାହୁଁଛୁ। ତେଣୁ ଆପଣ ଜନସାଧାରଣଙ୍କୁ ଆହୁରି ଅଧିକ ଖୁସି ନୁହେଁ, ଅଧିକ ସୁଖୀ କରିବାକୁ ଚେଷ୍ଟା କରନ୍ତୁ। ଖୁସି ହେଉଛି କ୍ଷଣିକ, କିନ୍ତୁ ସୁଖ ହେଉଛି ଚିରନ୍ତନ। ଆପଣ ପିଲାଟିଏକୁ ଚକୋଲେଟ୍‌ଟିଏ ଦେଇ ଦେଲେ ସେ ଖୁସି ହୋଇଯିବ, କିନ୍ତୁ ତା’ ପର ଦିନ ପୁଣି ମୁହଁ ଶୁଖେଇ ବସିବ। ଆପଣ ଦୀର୍ଘ ଦିନ ଧରି ଜନସାଧାରଣଙ୍କୁ ଏହି ପରି ମିଠା ମିଠା ଚକୋଲେଟ୍‌ ବାଣ୍ଟି ଆସୁଛନ୍ତି। ଏଥିରେ ସନ୍ଦେହ ନାହିଁ ଯେ ଏହା ଆମକୁ ଖୁସି ଦେଉଛି। କିନ୍ତୁ ଏହି ଖୁସି କ୍ଷଣିକ ମାତ୍ର ରହୁଛି। ଏତିକି ସରିଗଲେ ଆମେ ପୁଣି ଦୁଃଖୀ ହୋଇଯାଉଛୁ ଓ ପୁଣି ଆପଣଙ୍କଠୁ ଆଶା କରୁଛୁ। ଆଉ ନ ମିଳିଲେ ମନ ଊଣା କରି ରହୁଛୁ।

ଚୀନ ଦେଶରେ ଗୋଟିଏ କଥା ଅଛି। ସେହି କଥା ଅନୁଯାୟୀ ଆପଣ ଦୀର୍ଘ ଦିନ ଧରି ମାଛ ବାଣ୍ଟି ଆସୁଛନ୍ତି। ଲୋକମାନେ ମଧ୍ୟ ମାଛ ଖାଇ ଖୁସିରେ ଅଛନ୍ତି। କିନ୍ତୁ ଯଦି ଆପଣ ଚାହୁଛନ୍ତି ଯେ ସବୁଦିନ ପାଇଁ ଲୋକମାନେ ସୁଖୀ ରହନ୍ତୁ, ତେବେ ଆଉ ମାଛ ନ ବାଣ୍ଟି ଲୋକମାନଙ୍କୁ ମାଛ ଧରିବାର କୌଶଳ ଶିଖେଇ ଦିଅନ୍ତୁ। ଯେତେ ଦିନ ଆପଣ ମାଛ ଦେଉଥିବେ, ସେତେଦିନ ଲୋକମାନେ ମାଛ ଖାଇ ଖୁସିରେ ରହୁଥିବେ। କିନ୍ତୁ ଯେଉଁ ଦିନ ସେମାନେ ତାଙ୍କ ନିଜ ଗାଡ଼ିଆରୁ ମାଛ ଧରି ଖାଇବେ, ସେଦିନ ସେମାନେ ଏକ ଚିରନ୍ତନ ସୁଖର ଅନୁଭବ କରିବେ। ଆପଣ ମଧ୍ୟ ଏହା ଦେଖି ଖୁସି ନୁହେଁ, ସୁଖ ଅନୁଭବ କରିବେ। ଏହି ସୁଖ ଆପଣଙ୍କର ଦିନେ କି ଦୁଇ ଦିନ ନୁହେଁ, ଚିରନ୍ତନ ରହିବ। ଲୋକମାନେ ମଧ୍ୟ ଆପଣଙ୍କୁ ଆଉ ଦିନେ କି ଦୁଇ ଦିନ ନୁହେଁ, ସବୁ ଦିନ ଲାଗି ମନେ ରଖିବେ। ପ୍ରଭୁ ଜଗନ୍ନାଥଙ୍କର ଆପଣଙ୍କ ଉପରେ ଅଶେଷ ଆଶୀର୍ବାଦ ରହିଛି। ଭଗବାନ କରନ୍ତୁ ଆପଣ ଦୀର୍ଘାୟୁ ହୁଅନ୍ତୁ ଓ ସୁଖୀ ରହନ୍ତୁ।
ମୋ- ୯୪୩୭୦୬୭୫୬୭

ସମ୍ବନ୍ଧିତ ଖବର