ଓଡ଼ିଶାର ଆତ୍ମା

ଦାଶ ବେନହୁର

ରଥଯାତ୍ରା। ଆତ୍ମା ସହ ପରମାତ୍ମାର ମିଳନ। ହେଲେ ଆତ୍ମା କିଏ, ପରମାତ୍ମା କିଏ?
ସାଧାରଣ ଲୋକେ ଆତ୍ମାକୁ ଶରୀରରେ ଦେଖନ୍ତି। ବିଦ୍ବାନମାନେ ଶୂନ୍ୟରେ ଖୋଜିପାଆନ୍ତି ଆତ୍ମାକୁ। ଆତ୍ମା ଅବିନଶ୍ବର। ଶସ୍ତ୍ରରେ ଛିଣ୍ତିବନି କି ନିଆଁରେ ପୋଡ଼ିବନି। ଏମିତି କେତେ କଥା। କେଉଁକାଳରୁ ମଣିଷର ଏ ଆତ୍ମାଖୋଜା। ଆତ୍ମାକୁ ନେଇ ଗବେଷଣା। ସବୁ ଧର୍ମରେ ଆତ୍ମାର ଅନୁଶୀଳନ ରହସ୍ୟମୟ। ମନୋବିଜ୍ଞାନର ଯେ ପାଠ ତାହା ଆରମ୍ଭ ହୋଇଥିଲା ଏହି ଆତ୍ମା-ଖୋଜାରୁ। ସାଇନ୍‌ସ ଅଫ୍‌ ସୋଲ୍‌। ଆତ୍ମା-ବିଜ୍ଞାନ। ଶେଷକୁ ସେମାନେ ଆତ୍ମା ଛାଡ଼ି ଧରିଲେ ମନକୁ। ମନଃବିଜ୍ଞାନ ବା ମନୋବିଜ୍ଞାନ।
ଭାରତୀୟ ଦର୍ଶନରେ ମନ ଓ ଆତ୍ମାକୁ ନେଇ କେତେ ବ୍ୟାଖାନ, କେତେ ସିଦ୍ଧାନ୍ତ। ମନ ସମ୍ପର୍କରେ ହୁଏତ କିଛି କିଛି ଯୁକ୍ତିନିଷ୍ଠ ତଥ୍ୟ ହାତକୁ ଆସିଛି, ମନକୁ ବୁଝିବା ସହଜ ହୋଇଛି! ହେଲେ ଆତ୍ମା? ପୁଣି ପରମାତ୍ମା? ଅଣୁକୁ ଭାଙ୍ଗିଲେ ପରମାଣୁ। ଅଥଚ ଏଠାରେ ବିଚାରଟି ଓଲଟା। ପରମାତ୍ମାରୁ ଆତ୍ମା।

କ’ଣ ସେ ଆତ୍ମା! କ’ଣ ପରମାତ୍ମା!
ପଣ୍ତିତମାନେ ସିନା ଶୂନ୍ୟର ଆକାର ବୁଝନ୍ତି, ନ ଥିବା ଭିତରେ ଥିବାକୁ ଦେଖି ପାରନ୍ତି ହେଲେ ସାଧାରଣ ମଣିଷ ସେକଥା କେମିତି ବୁଝିବ? ଭୀମଭୋଇ ଲେଖିଲେ- ‘‘ରୂପରେଖ ନାହିଁ ହେ ଶୂନ୍ୟ ଦେହୀ, ଅଛ ଉଦେ ହୋଇ।’’ କବାଟ ନ ଫିଟେଇ ଭିତର କଥା ଦେଖିପାରିବାର କ୍ଷମତା କେବଳ ତତ୍ତ୍ବଜ୍ଞାନୀ ଦ୍ରଷ୍ଟାଙ୍କର ଥାଏ ବୋଲି ଆମେ ପଢ଼ିବାକୁ ପାଉ। ହେଲେ ତା’ର ସରଳ ଅର୍ଥଟି କ’ଣ?
ଆତ୍ମା ହେଉଛି ସେଇ ଯେଉଁଠାରେ ଶରୀରର ଜୀବନ୍ତ ଅସ୍ତିତ୍ବ ଓ ଅସ୍ମିତା ମିଶି କରିଥାଏ। ଆତ୍ମା ହିଁ ଶରୀରକୁ ଜୀଇଁଥିବାର ପ୍ରମାଣ ଦିଏ। ଦୀପର ଆଲୁଅ ଭଳି ବସିଥାଏ ଭିତରେ। ଥରେ ଲିଭିଗଲେ ତାହା ଯାଇ ଆଉ କେଉଁ ଦୀପରେ ଜଳେ। ଶରୀର ଥିବା ଯାଏ, ଆତ୍ମା ତା’ନିଜର। ଆପଣା ଭିତରର ଆଲୁଅ।
ଏସବୁ କଥା ଆଲୋଚନା କଲାବେଳେ ପ୍ରତିଟି ପ୍ରାଣୀ ଦେହରେ ଯେ ଆତ୍ମାଟିଏ ଅଛି ସେ କଥା ସ୍ବୀକାର କରିବାକୁ ପଡେ଼। ଜଗତଯାକର ଯେତେ ଆତ୍ମା ସେ ସମସ୍ତ ପରମାତ୍ମାଙ୍କର ଅ˚ଶ ବୋଲି ଆମ ଶାସ୍ତ୍ର ପୁରାଣରେ ଅଛି। ଆଉ ଗୋଟିଏ ଯୁକ୍ତି ହେଲା ଜଣକର ଯେମିତି ଶରୀର ଓ ଆତ୍ମା, ସମୂହର ମଧୢ ସେମିତି ଶରୀର ଓ ଆତ୍ମା। ଏଠାରେ ଆତ୍ମାଟି ଆପେ ଗଣ-ଆତ୍ମାରେ ପ୍ରତିଫଳିତ ହୁଏ। ଆମ ଓଡ଼ିଶା ପ୍ରଦେଶ ଏକ ଜନ-ସମୂହ। ତା’ର ଶରୀର ଅଛି, ଆତ୍ମା ଅଛି। ମନେ ରଖିବା ଦରକାର ଯେ ଶରୀର ଥାଇ ଆତ୍ମା ନ ଥିଲେ ତାହା ଜୀବନ-ହୀନ। ଅତଏବ ଓଡ଼ିଶାକୁ ବୁଝିବା ଲାଗି କେବଳ ତା’ର ଭୂଗୋଳ ଓ ଇତିହାସକୁ ଅନୁଧୢାନ କଲେ ଚଳିବ ନାହିଁ। ତା’ର ଆତ୍ମାଟିକୁ ମଧୢ ବୁଝିବାକୁ ପଡ଼ିବ।
ଓଡ଼ିଶାର ଆତ୍ମା କେଉଁଠି ଅଛି? ଓଡ଼ିଶା ମାଟିରେ ନା ଓଡ଼ିଆପଣରେ? ନା ଆଉ କେଉଁଠି? ଓଡ଼ିଆପଣ ବୋଲି କହିଲେ କ’ଣ ବୁଝାଏ? ଆବୁଲ୍‌ଫଜଲ, ଷ୍ଟର୍ଲି˚, ଆଣ୍ତରସନ୍‌, ହଣ୍ଟର‌୍‌ ଆଦି ତ ନିଆଁଖୁଣ୍ଟା ଚେଙ୍କିଲା ଭଳି କେତେ ହୀନ ବିଶେଷଣରେ ବିଭୂଷିତ କରିଛନ୍ତି ଓଡ଼ିଆପଣକୁ। ଆଜି ବି ଓଡ଼ିଶାର ମିର‌୍‌ଜାଫରୀ ଦାୟାଦମାନେ କିଛି କମ୍‌ ଚେଙ୍କାକଥା କହୁନାହାନ୍ତି! ମାତ୍ର ଇଞ୍ଚେ ଉଠି ଯାଇଥିବା ଓଡ଼ିଆଟିଏ ଓଡ଼ିଶା ମାଟିରେ ଠିଆ ହୋଇ କହୁଛି- ‘‘ଏଇଥିଲାଗି ପରା ମୁଁ ଏ ଓଡ଼ିଆଙ୍କୁ ବିଶ୍ବାସ କରେନି! ଏଗୁଡ଼ାଙ୍କ ଦ୍ବାରା ଖଡ଼ା ସିଝିବନି।’’ ସତେ ଯେମିତି ସେ ନିଜେ ଓଡ଼ିଆ ନୁହେଁ କି ଓଡ଼ିଆ ବାପର ପୁଅ ନୁହେଁ। ଏ ସବୁ କଥାକୁ ଆଲୋଚନା କଲେ ଓଡ଼ିଶାକୁ ବୁଝିବା ବା ତା’ର ଆତ୍ମାକୁ ପାଇବା ସହଜ ହେବ ନାହିଁ।

ଓଡ଼ିଶାର ଆତ୍ମା ଖୋଜିବାକୁ ହେଲେ ଓଡ଼ିଶାକୁ ଚିହ୍ନିବା ଦରକାର। ଶରୀରଟିକୁ ଠାବ କଲେ ସିନା ଆତ୍ମା କଥାକୁ ଯିବା! ଆମ ଓଡ଼ିଶାର ଏ ଶରୀର କେବେ ରୂପ ନେଲା? ସେ କଥା ଇତିହାସ କହିଥାନ୍ତା। କିନ୍ତୁ ଇତିହାସର ଅନେଶ୍ବତ ଭାଗ ତ ଆମକୁ ଅଜଣା। ମାଟି ଖୋଳି ସେ ସମୟର ପଥର ଓ ହାଡ଼ରେ ତିଆରି ଅସ୍ତ୍ର, ମାଟିପାତ୍ର ଓ ଶସ୍ୟ ଆଦି ଅନୁଧୢାନ କରି ଯେଉଁ ଆଦ୍ୟ ଇତିହାସର କଥା କୁହାଯାଉଛି ତା’କୁ ପୁରୁଣା ପଥର ଯୁଗ ଓ ନୂଆ ପଥର ଯୁଗରେ ବିଭକ୍ତ କରାଯାଇଛି। ସେଇଥିରୁ ଇତିହାସବିଦ୍‌ମାନେ କହୁଛନ୍ତି ଯେ ଏ ଓଡ଼ିଆ ଭୂଖଣ୍ତରେ ନୂଆ ପଥରଯୁଗର ପ୍ରମାଣ ମିଳୁଛି। ହେଲେ ସେତେବେଳେ ଓଡ଼ିଶା ତ ନ ଥିଲା, ଆମେ ସେ ଇତିହାସରୁ ଓଡ଼ିଶାର ଆତ୍ମା କେମିତି ପାଇବା?
ଓଡ଼ିଶା ନାଁ ହିଁ ନ ଥିଲା। ଶରୀରଟିର ନାମ ନାନା ସମୟରେ ଭିନ୍ନ ଭିନ୍ନ ରୂପ ଧାରଣ କରିଥିଲା। ଉଡ୍ର, କଳିଙ୍ଗ, ଉତ୍କଳ, କୋଶଳ, କଙ୍ଗୋଦ, ତ୍ରିକଳିଙ୍ଗ ତଥା ତୋଷଳ ନାମରେ ନାମିତ ଥିଲା ଏ ମାଟି। ଆଜି କିନ୍ତୁ ଓଡ଼ିଶାକୁ ‘କଳିଙ୍ଗ’ ବା ‘ଉତ୍କଳ’ ଭାବରେ ଲୋକେ ଜାଣନ୍ତି। ‘କଳିଙ୍ଗ’ ନାମଟି କପିଳ ସ˚ହିତାଠାରୁ ଆରମ୍ଭ କରି ମହାଭାରତରେ ଆମେ ପାଉଥିଲେ ମଧୢ ଓଡ଼ିଶାର ନାମଟି ଉତ୍କଳ ସହିତ ଅଧିକମାତ୍ରାରେ ଯୋଡ଼ି ହୋଇ ରହିଛି। ଦେଶର ଜାତୀୟ ସଙ୍ଗୀତରେ ‘ଓଡ଼ିଶା’ ବଦଳରେ ଅଛି ‘ଉତ୍କଳ’।

ଏ ସ˚କ୍ରାନ୍ତରେ ସ୍କନ୍ଦପୁରାଣକୁ ଅନୁଧୢାନ କଲେ ଉତ୍କଳ ବା ଓଡ଼ିଶାର ପ୍ରାଚୀନ ସ୍ବରୂପଟିକୁ ବୁଝିବା ସହଜ ହୋଇପାରେ। ପୁରାଣଗୁଡ଼ିକ ଇତିହାସ ନ ହେଲେ ମଧୢ ଗୋଟିଏ ଲୋକସମୂହକୁ ବୁଝିବା ଲାଗି ମୂଲ୍ୟବାନ ଉପାଦାନ ଯୋଗାଇଥାଆନ୍ତି। ପ୍ରଥମ ଶତାବ୍ଦୀରେ ପ୍ରକାଶିତ ଗ୍ରୀକ୍‌ ପରିବ୍ରାଜକ ପ୍ଳିନିଙ୍କ ‘‘ପ୍ରାକୃତିକ ଇତିହାସ’’ ପୁସ୍ତକରେ ପ୍ରାଚୀନ ଉତ୍କଳ ‘‘ଓରିଟିସ୍‌’’କୁ ଏକ ଭାରତୀୟ ଜାତି ଭାବରେ ଉଲ୍ଲେଖ କରାଯାଇଛି। ‘‘ଓରିଟିସ୍‌’’ ବା ଓଡ଼ିଆ ଯେ ଗୋଟାଏ ଜାତି ତାହା ପ୍ରଥମ ଶତାବ୍ଦୀରୁ ହିଁ ପରିଚିତ। ତେଣୁ ଓଡ଼ିଶାର ଶରୀର ନାନା ରୂପରେ ସେଇକାଳୁ ପ୍ରତିଭାତ। ହେଲେ ଏହାର ଆତ୍ମା ସମ୍ପର୍କରେ ଜାଣିବାକୁ ହେଲେ ଆମକୁ ସ୍କନ୍ଦପୁରାଣର ପୃଷ୍ଠା ଫିଟେଇବାକୁ ପଡ଼ିବ। ଆତ୍ମା, ଅନ୍ତରର ଆଲୋକ। ଅଭ୍ୟନ୍ତରର ପ୍ରଚୋଦନା। ଜୀବନର ଦୁକ୍‌ଦୁକି। ଗୋଟାଏ ଜାତିର ଆତ୍ମା କ’ଣ ହୋଇପାରେ? ତାହା ନିର୍ଭର କରେ ସେ ଜାତିକୁ ଜୀବନ ଦେଇଥିବା ଅନ୍ତଃସ୍ଫୁରଣ ଉପରେ। ଯାହାକୁ ଧରି ସେ ଜାତି ସ˚ଗଠିତ ହୋଇ ରହେ। ଜାତି ଗୋଟେ ଜୀବନ। ସେ ଜୀବନ ପ୍ରତିକିତ ହୁଏ ତା’ର ଅନ୍ତଃସ୍ଫୁରଣରେ।

ଭାରତବର୍ଷରେ ରହିଛି ଅଠର ଖଣ୍ତ ମୌଳିକ ପୁରାଣ। ସେଥିରୁ ସ୍କନ୍ଦ ବା କାର୍ତ୍ତିକେୟଙ୍କ ନାମରେ ନାମିତ ପୁରାଣଟି ୮୧,୦୦୦ ପଦ ଭିତରେ ବିଶ୍ବଶାସ୍ତ୍ର, କିମ୍ବଦନ୍ତୀ, ବ˚ଶଧାରା, ଧର୍ମ, ଉତ୍ସବ, ଆଚାର, ଦେବାଳୟ ଠାରୁ ଆରମ୍ଭ କରି ନୀତି ନିୟମ ଓ ଭୂଗୋଳର କଥା ମଧୢ କହେ। ଅଷ୍ଟମ ଶତାବ୍ଦୀରେ ପ୍ରାପ୍ତ ଏ ପୁରାଣଟି ବିଭିନ୍ନ ସମୟରେ ଆପଣାର କାୟା ପରିବର୍ତ୍ତନ କରିଛି ସତ ହେଲେ ମୌଳିକ ଧାରାରୁ ଦୂରେଇ ଯାଇନାହିଁ। ଆବଶ୍ୟକ ଅନୁସାରେ ଏଥିରେ ନୂଆ ସ˚ଯୋଜନ ହୋଇଛି। ଏଥିରେ ଥିବା ‘‘ତୀର୍ଥ ମାହାତ୍ମ୍ୟ’’ ଯେଭଳି ଭାବରେ ଭାରତର ଆତ୍ମାକୁ ବୁଝାଇଛି ସେଭଳି ଅନ୍ୟ କୌଣସି ପୁରାଣରେ ଏତେ ବିଶଦ୍‌ ଓ ପ୍ରାଞ୍ଚଳ ଭାବରେ ଦେଖିବାକୁ ମିଳେ ନାହିଁ। ପଣ୍ତିତମାନେ କହନ୍ତି ଯେ ଦ୍ବାଦଶ ଶତାବ୍ଦୀବେଳକୁ ଏଥିରେ ବିଭିନ୍ନ ଖଣ୍ତ ସ˚ଯୋଜିତ ହୋଇଛି ଯାହା ଭିତରୁ ସ୍କନ୍ଦପୁରାଣର ଉତ୍କଳଖଣ୍ତ ଏକ ଅ˚ଶ। ଅତଏବ ଆଜିର ଓଡ଼ିଶାକୁ ସେ କାଳ ଉତ୍କଳରେ ଖୋଜିବାକୁ ହେଲେ ଆମକୁ ସ୍କନ୍ଦପୁରାଣକୁ ଯିବାକୁ ପଡ଼ିବ।

ଆଜିର ତଥାକଥିତ ଧର୍ମନିର‌େପକ୍ଷ ମନୋଭାବ ନେଇ ବିଚାରକଲେ ସ୍କନ୍ଦପୁରାଣର କଥା ଧର୍ମୀୟ ଏବ˚ ଅଣଇତିହାସୀୟ ମନେ ହୋଇପାରେ ହେଲେ ଅତୀତ ମଣିଷର ଆଚାର, ବିଚାର, ବିଶ୍ବାସ ଓ ପରମ୍ପରା ଯେ ତତ୍‌କାଳୀନ ଧର୍ମଧାରା ଉପରେ ପର୍ଯ୍ୟବସିତ ଥିଲା ସେ କଥା କ’ଣ ଅସ୍ବୀକାର କରି ହେବ? ସମକାଳୀନ ଓଡ଼ିଶାର ଗଣଆତ୍ମା ସେଇ ବିଚାରର ପ୍ରତିଫଳନ ମାତ୍ର। ଅତଏବ ଓଡ଼ିଶାର ଆତ୍ମାକୁ ବୁଝିବାକୁ ହେଲେ ସେ କାଳର କଥାକୁ ଆଜିର ସମୟ ସହିତ ଯୋଡ଼ିବାକୁ ପଡ଼ିବ। ପୁରାଣ ଅନୁସାରେ ଜନୈକ ଜୈମିନି ଋଷିଙ୍କୁ ମୁନିମାନେ ଭାରତର ବିଭିନ୍ନ ସ୍ଥାନ ଓ ତୀର୍ଥଭୂମି କଥା ପଚାରିଛନ୍ତି। ସେତେବେଳେ ଉତ୍ତର ଛଳରେ ସେ ବର୍ଣ୍ଣନା କରିଛନ୍ତି, ଉତ୍କଳର ପୁରୁଷୋତ୍ତମ କ୍ଷେତ୍ର କଥା। ଏବ˚ ସେଇ ଉତ୍ତର ଭିତରେ ସେ ଉତ୍କଳର ଆଚାର, ବିଚାର ଓ ବିଶ୍ବାସର ସ˚ଶ୍ଳେଷଣ କରିଛନ୍ତି। ‘‘ଉତ୍କଳୋ ନାମ ଦେଶୋଽସ୍ତି ଖ୍ୟାତଃ ପରମପାବନଃ/ ଯତ୍ର ତୀର୍ଥାଚ୍ୟନେକାନି ପୁଣ୍ୟା ନ୍ୟାୟତନାନି ନ୍ୟ।’’ ଉତ୍କଳ ନାମରେ ଏକ ପରମପବିତ୍ର ଦେଶ ଅଛି। ସେଠାରେ ଅନେକ ତୀର୍ଥ ଓ ପୁଣ୍ୟପ୍ରଦ ସ୍ଥାନ ରହିଛି। ଅନ୍ୟତ୍ର ଉତ୍କଳୀୟମାନଙ୍କୁ ସଦାଚାରୀ, ସତ୍ୟବାଦୀ, ମାତୃପିତୃଭକ୍ତ, ଲଜ୍ଜାଶୀଳ ଓ ବିନୟୀ ବୋଲି ମଧୢ କହିଛନ୍ତି। ସମସ୍ତେ ପରହିତୈଷୀ ଓ ଦୀର୍ଘଜୀବୀ। ପାଠ ବିଷୟରେ ବି କହିବାକୁ ଯାଇ ସେ ବର୍ଣ୍ଣନା କରିଛନ୍ତି ଯେ ଉତ୍କଳ ହେଉଛି ଅଷ୍ଟାଦଶ ବିଦ୍ୟାର ଖଣି। ସ୍କନ୍ଦପୁରାଣର ଉତ୍କଳଖଣ୍ତରେ ଓଡ଼ିଶାକୁ ନେଇ କେତେ କେତେ ବର୍ଣ୍ଣନା। ‘‘ଭୂସ୍ବର୍ଗଃସାମ୍ପ୍ରତ˚ ହ୍ୟେଷ କଥିତଃ ପୁରୁଷୋତ୍ତମଃ’’। ଏହାର ପୁରୁଷୋତ୍ତମ କ୍ଷେତ୍ର ଭୂସ୍ବର୍ଗ ନାମରେ ନାମିତ। ଉତ୍କଳ ବର୍ଣ୍ଣନାରୁ ପୁରୁଷୋତ୍ତମ କ୍ଷେତ୍ର ବର୍ଣ୍ଣନା ଓ ତା’ ଭିତରେ ମୂଳକଥାଟି ରହିଛି ଶ୍ରୀଜଗନ୍ନାଥଙ୍କୁ ନେଇ। ‘‘ତଦେବାୟ˚ ଜଗନ୍ନାଥଶ୍ଚତୁର୍ଦ୍ଧା ସ˚ବ୍ୟବସ୍ଥିତଃ/ କ୍ଷିତୌ ଯଦାଽବତରତି ଚତୁରୂପଃ ପ୍ରକାଶତେ।’’ ମହାପ୍ରଭୁ ଜଗନ୍ନାଥ ଚାରିଭାଗରେ ବିଭକ୍ତ ହୋଇ ଚତୁର୍ଦ୍ଦାମୂର୍ତ୍ତି ରୂପରେ ଏଠାରେ ଅବସ୍ଥିତ।

ଜଗନ୍ନାଥଙ୍କୁ ଠାକୁର, ବିଷ୍ଣୁରୂପ, ବୁଦ୍ଧସ୍ବରୂପ, ମହାକାଳ ଆଦି ରୂପରେ ଗ୍ରହଣ କରିବାକୁ କେହି କେହି ହୁଏତ ଅନିଚ୍ଛୁକ ହୋଇପାରନ୍ତି। ନିରୀଶ୍ବରବାଦୀମାନେ କାହିଁକି ବା ତାଙ୍କୁ ଈଶ୍ବର ଭାବରେ ଗ୍ରହଣ କରିବେ? ପିତୁଳା ପୂଜାର ବିରୋଧୀମାନେ ଦାରୁବିଗ୍ରହଗୁଡ଼ିକୁ ଅପା˚କ୍ତେୟ ମନେ କରିବା ସ୍ବାଭାବିକ। ହେତୁବାଦୀମାନେ ବିଗ୍ରହ, ପୂଜା, ପରମ୍ପରାକୁ ବିରୋଧ କରିବା ମଧୢ ସେମାନଙ୍କ ଆପଣା ଦୃଷ୍ଟିରୁ ଶ୍ଳାଘ୍ୟ। ସେଇଥିପାଇଁ ତ ଶ୍ରୀଜଗନ୍ନାଥ ଆକାର ଥାଇ ବି ଅଣାକାର, ନିରାକାର, ନିର୍ଗୁଣ। କିଏ ତାଙ୍କୁ ଶୂନ୍ୟ ସ୍ବରୂପରେ ଦେଖିଛି ତ କିଏ ରାମ, କୃଷ୍ଣ, ବୁଦ୍ଧ, ମହାକାଳ, ଓ ମହାଭୈରବ ରୂପରେ। ଶ୍ରୀରାମ, ଶ୍ରୀକୃଷ୍ଣ, ଭଗବାନ ବୁଦ୍ଧ ତ ଜନ୍ମ-ମୃତ୍ୟୁ ଥାଇ ମାନବ ରୂପରେ ଜଣା ହେଲେ ମହାକାଳ ଓ ମହାଭୈରବ? ମହାକାଳ ହିଁ ‘ସମୟ’, ମହାଭୈରବ ହିଁ ସକଳ ଶକ୍ତିର ମହା-ପରିକଳ୍ପନା। ଶୂନ୍ୟବାଣୀ, ସ୍ବର୍ଗଲୋକର କାହାଣୀ ଆଦିକୁ ମନଗଢ଼ା କହି ଆମେ ବାଦ୍‌ ଦେଇପାରୁ। ପୂଜା, ପାର୍ବଣ, ରୀତିନୀତିକୁ ଅନ୍ଧବିଶ୍ବାସ କହିପାରୁ ହେଲେ ବିଗ୍ରହଗୁଡ଼ିକ ତ ବାସ୍ତବ। ଶ୍ରୀଜଗନ୍ନାଥ ନାଆଁ ସହ ପୁରୁଷୋତ୍ତମ କ୍ଷେତ୍ରଟି ଯେ ଆମ ଆଖି ଆଗରେ ଅଛି ତା’କୁ କ’ଣ ଆମେ ଅସ୍ବୀକାର କରିବା?

ଶ୍ରୀଜଗନ୍ନାଥ ନାଁ କିଏ ଦେଲା? କିଏ ଗଢ଼ିଲା ଏ ଶ୍ରୀମନ୍ଦିର, ମେଘନାଦ ପାଚେରି? ଷାଠିଏ ପଉଟି, ଛପନ ଭୋଗ, ରଥଯାତ୍ରା, ପହଣ୍ତି, ନୀଳାଦ୍ରିବିଜୟ ଏସବୁ କାହାର ପରିକଳ୍ପନା? ସ୍ବର୍ଗଲୋକ, ବ୍ରହ୍ମା, ବିଶ୍ବକର୍ମା ଆଦି କଥାକୁ ଆଜିର ଆଧୁନିକ ମଣିଷ ଅବିଶ୍ବାସ କରିପାରେ ହେଲେ ଯାହା ଅଛି, ଯାହା ଘଟୁଛି ଓ ସ୍ପର୍ଶଯୋଗ୍ୟ ସେସବୁ ତ ବାସ୍ତବ। ହେତୁର କଥା।

ଓଡ଼ିଆ ଏକ ମହାଜାତି। ଓଡ଼ିଶା ଏକ ପାବନ କ୍ଷେତ୍ର। ଓଡ଼ିଶାର ଆତ୍ମା ରହିଛି ଶ୍ରୀଜଗନ୍ନାଥ ପରିକଳ୍ପନାରେ। ରୂପରେଖ ନ ଥିବା ଶୂନ୍ୟଦେହକୁ ସାଧାରଣ ଓଡ଼ିଆ ଦେଖିଛି ଏଇ ଚତୁର୍ଦ୍ଧାମୂର୍ତ୍ତିରେ। ଶ୍ରୀଜଗନ୍ନାଥଙ୍କୁ ଓଡ଼ିଆମାନେ ଜଗତର ନାଥ ନାମରେ ଜାଣନ୍ତି। ଏସ୍କିମୋମାନେ, ସ୍କାଣ୍ତିନାଭିଆନ୍‌ମାନେ, ନିରୀଶ୍ବରବାଦୀମାନେ ତାଙ୍କୁ ନ ଜାଣନ୍ତୁ, ଓଡ଼ିଆଜାତି କିନ୍ତୁ ତା’ର ମୂର୍ଦ୍ଧନ୍ୟ ଠାକୁରଙ୍କୁ ଯୋଡ଼ିଛି ଜଗତ ସହିତ। ତାଙ୍କୁ ଉତ୍କଳନାଥ ବା ଓଡ଼ିଶାନାଥ କହିନାହିଁ, ପ୍ରାଣୋଚ୍ଛ୍ବାସରେ କେଉଁକାଳୁ କହିଛି ଜଗନ୍ନାଥ। ଶ୍ରୀଜଗନ୍ନାଥଙ୍କୁ ଭାବ କରି ଏ ମାଟି ଯୋଡ଼ିହୋଇ ରହିଛି।

ଜଗନ୍ନାଥ ଦେହୀ ହୋଇ ମଧ୍ୟ ଅଦେହୀ।
ରାଷ୍ଟ୍ରର ପରିକଳ୍ପନାରେ ଜନସମୂହ, ପରିସୀମା ଓ ସରକାର ସହ ଆମେ ସାର୍ବଭୌମତ୍ବକୁ ଯୋଡୁ। ପ୍ରଥମ ତିନିଗୋଟି କଥା ତ ଜାଣିହୁଏ ହେଲେ ଏ ସାର୍ବଭୌମତ୍ବ କ’ଣ? ସାର୍ବଭୌମତ୍ବ କିଏ ଦେଖିଛି ନା ଛୁଇଁଛି? ଅଥଚ ରାଷ୍ଟ୍ରର ସର୍ବଶ୍ରେଷ୍ଠ ଉପାଦାନଟି ହେଉଛି ସାର୍ବଭୌମତ୍ବ। ଓଡ଼ିଆଜାତି କେଉଁ ଅନନ୍ତକାଳରୁ ଏ ସାର୍ବଭୌମତ୍ବକୁ ବୁଝି ଘୋଷଣା କରିଛି ଯେ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଶାର ସାର୍ବଭୌମ ଉପାଦାନ। ଦେଶୀ, ବିଦେଶୀ କେତେ ତ ଆସିଛନ୍ତି ଓଡ଼ିଶାକୁ। ମୌର୍ଯ୍ୟ, ଗୁପ୍ତ, ଶୈଳୋଦ୍ଭବ, ଭୌମକର, ସୋମ ଓ ଗଙ୍ଗ। ମାତ୍ର ଅସଲ ଓଡ଼ିଆ ଶାସକ ଆପଣା ସି˚ହାସନକୁ ଯୋଡ଼ିି ଦେଇଥିଲେ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହ। ସେ ଘୋଷଣା କରିଥିଲେ ଯେ ରାଜା ବା ଶାସକ ହେଉଛନ୍ତି ରାଉତ ବା ସେବକ। ଖାମିଦ ବା ମାଲିକ ହେଉଛନ୍ତି ଶ୍ରୀଜଗନ୍ନାଥ। ପାଶ୍ଚାତ୍ୟ ଦେଶରେ ସାର୍ବଭୌମତ୍ବକୁ ରାଷ୍ଟ୍ରର ମୂଳ ଉପାଦାନ କରିବା ପୂର୍ବରୁ ଓଡ଼ିଆମାନେ ସାର୍ବଭୌମତ୍ବକୁ ଆବିଷ୍କାର କରିଥିଲେ ଜଗନ୍ନାଥଙ୍କ ଭିତରେ। ପୁରୁଣା ରାଜନୀତିବିଜ୍ଞାନୀମାନେ ସାର୍ବଭୌମତ୍ବକୁ ଅଖଣ୍ତ ଓ ଅବିଭକ୍ତ କହିଥିଲେ, ଓଡ଼ିଶା କିନ୍ତୁ ସାର୍ବଭୌମତ୍ବ ପରିକଳ୍ପନାକୁୁ ଆରମ୍ଭରୁ ବାଣ୍ଟି ଦେଇଥିଲା ଚାରିଖଣ୍ତ କରି, ଚତୁର୍ଦ୍ଧାମୂର୍ତ୍ତି ଭିତରେ। ନିର‌ାକାରର ପରିକଳ୍ପନା ପୂର୍ବରୁ ପ୍ରକୃତିର ବିଭିନ୍ନ ବିଭାବରେ ମଣିଷ ଆକାରର ପରିକଳ୍ପନା କରିଥିଲା। ମାଟି, ପାଣି, ଆକାଶ, ବାୟୁ, ଅଗ୍ନିର ସ୍ବରୂପ ସେ ଦେଖିଥିଲା। ତା’ରି ଭିତରୁ ସେ ଖୋଜିଥିଲା ସର୍ବଶକ୍ତିମାନ ତତ୍ତ୍ବକୁ। କେତେ ବିଶ୍ବାସ କେତେ ମତ। ଖ୍ରୀଷ୍ଟଧର୍ମ, ମୁସଲମାନ ଧର୍ମ ଆସିବା ଆଗରୁ ପାଗାନ୍‌ମାନେ ସ୍ବରୂପ ପୂଜାରେ ହିଁ ଥିଲେ। ବଳିପ୍ରଥା ଓ ହି˚ସାରେ ଥିଲେ। ଆଜିର ଉନ୍ନତ ଡେନ୍‌ମାର୍କ, ନର‌୍‌େଵ, ସ୍ବିଡେନ୍‌, ସେତେବେଳେ ଥିଲା ଭାଇକି˚ର ଦେଶ। ଦାରୁମୂର୍ତ୍ତି ଡିଅନ୍‌ଙ୍କୁ ପୂଜା କରୁଥିଲେ ସେମାନେ। ଥର‌୍‌ ଓ ଫ୍ରିଆର‌୍‌ ଥିଲେ ପୂଜାବିଧିରେ। ଆଜି ସେସବୁ ନାଇଁ। ସେ ବିଶ୍ବାସରେ ଥିଲା, ହି˚ସା, ରକ୍ତପାତ ଓ ପ୍ରଚୁର ଅନ୍ଧବିଶ୍ବାସ।

ଓଡ଼ିଆଙ୍କ ସାର୍ବଭୌମ ଠାକୁର ପରିକଳ୍ପନାରେ କିନ୍ତୁ ହି˚ସା ଓ ରକ୍ତପାତର ସ୍ଥାନ ନ ଥିଲା କି ନାହିଁ। କେତେକେତେ ଯାବନିକ ଓ ବିଦେଶୀ ଅତ୍ୟାଚାରରୁ ଏ ବିଶ୍ବାସଧାରା ବଞ୍ଚି ଆସିଛି। ଶ୍ରୀଜଗନ୍ନାଥ ପରିକଳ୍ପନା ସମନ୍ବୟର ପରିକଳ୍ପନା, ଜଗତବୋଧର ବିଶ୍ବାସଧାରା। ସେଇଥିପାଇଁ ତ ଏ ସାର୍ବଭୌମତ୍ବର ଚାରି ମାନବୀୟ ବର୍ଣ୍ଣ। କଳା, ଧଳା, ହଳଦୀ, ନାଲି। ଗୋଟାଏ ବିଶ୍ବାୟିତ ଶୂନ୍ୟବୋଧକୁ ସାକାର ରୂପ ଦେଇଛି ଓଡ଼ିଆ ଜାତି। ଏ ଜାତି କେତେ ମହାନ୍‌ ତା’ର ହିସାବ ସେ ନିଜେ କେବେ ନେଇନାହିଁ। ଓଡ଼ିଶାର ତିନିଗୋଟି ପରିଚୟ। ସାର୍ବଭୌମ ସ୍ବରୂପ ଶ୍ରୀଜଗନ୍ନାଥ, ମୁହଁର ଭାଷା ଓଡ଼ିଆ ଓ କଳାକୌଶଳ ଯାହା ଏବେ ବି ବିଛାଡ଼ି ରହିଛି ଓଡ଼ିଶା ସାରା। ଗୋଟିଏ ଭୂମିରେ ସୁନା ଫଳୁଥିଲା, ଏବେ ତାହା ଅନାବାଦୀ, ଟାଙ୍ଗର ହୋଇପଡ଼ିଛି। ଏଥିରେ ମାଟିର କ’ଣ ଦୋଷ? ଉତ୍କଳ ମାଟି ଜୀବନ୍ତ ମାଟି। ତା’ର ଆତ୍ମା ଶ୍ରୀଜଗନ୍ନାଥ। ଯେଉଁଦିନୁ ଶ୍ରୀଜଗନ୍ନାଥଙ୍କୁ ଆପଣାର ସାର୍ବଭୌମ ଶକ୍ତି ବୋଲି ଓଡ଼ିଆମାନେ ମାନିଛନ୍ତି ସେଇଦିନୁ ଏହା ଏକ ମହାଜାତିରେ ପରିଣତ ହୋଇଛି। କୌଣସିଠାରେ ରାଷ୍ଟ୍ରଶକ୍ତି ଏମିତି ଲୋକମେଳକୁ ଓହ୍ଲାଏ ନାହିଁ। ଓଡ଼ିଶାରେ କିନ୍ତୁ ଓହ୍ଲାଏ। ପହଣ୍ତି କରି ତଳକୁ ଯାଏ। ଲୋକଯାତ୍ରାରେ ସାମିଲ୍‌ ହୁଏ। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଲୋକଶକ୍ତି ସହ ସାର୍ବଭୌମ ଶକ୍ତି ମିଶି ଏକାକାର ହୁଏ।
ଶ୍ରୀଜଗନ୍ନାଥ ଓଡ଼ିଶାର ଆତ୍ମା, ପୁଣି ସେ ହିଁ ପରମାତ୍ମା। ଓଡ଼ିଶାର ମନ କେବଳ ନୁହେଁ ସମଗ୍ର ମାନବ ଜାତିର ମନକୁ ଆତ୍ମାରେ ଯୋଡ଼ି ରଖିଛି ଏ ପରମାତ୍ମା, ହିନ୍ଦୁ ଜାତିର ମଉଡ଼ମଣି। ସତେ ଯେମିତି କହୁଛି, ଯେତେ ବିଶ୍ବାସୀ, ଅବିଶ୍ବାସୀ ଅଛ ଆସ ଗଣବୋଧରେ ସାମିଲ ହୁଅ। ମୁଁ ଆତ୍ମା, ପରମାତ୍ମା, ଗଣବୋଧ ପୁଣି ଗଣଦେବତା। ରଥଯାତ୍ରା ମୋ ଗଣବୋଧର ପ୍ରତୀକ, ମୁଁ ହିଁ ଉତ୍କଳର ଗଣତାନ୍ତ୍ରିକ ରାଷ୍ଟ୍ରେଶ୍ବର। କହିବାର ଅଛି, ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ସବୁ ଅସମାନତା, ସବୁ ଭେଦାଭେଦକୁ ଦୂର କରିବା ଲାଗି ଏକ ଚିର ଅମଳିନ ଆହ୍ବାନ। ଏଇ ବିଶ୍ବାସ ହିଁ ଓଡ଼ିଶାର ଆତ୍ମା। ଏ ମହାଉଚ୍ଚାରଣର ଅନ୍ୟ ନାମ ‘‘ସର୍ବଧର୍ମ ସମନ୍ବୟ’’।
[email protected]

ସମ୍ବନ୍ଧିତ ଖବର