ମାନବ ସଭ୍ୟତା ବିଭିନ୍ନ ସମୟରେ ନାନା ଆହ୍ବାନର ସମ୍ମୁଖୀନ ହୋଇଆସିଛି। ଏକ ଆହ୍ବାନର ମୁକାବିଲା କରିବାକୁ ମନୁଷ୍ୟ ନିଜର ବିଚାର, ବୁଦ୍ଧି ପ୍ରୟୋଗ କରିଛି। ସଭ୍ୟତାର ବିକାଶ ମାନବୀୟ ପ୍ରୟାସ, କୌତୂହଳତା, ଜ୍ଞାନ-ବିଜ୍ଞାନର କ୍ରମୋନ୍ନତି ଧାରାରେ ଅଗ୍ରଗାମୀ ହୋଇଛି। ତେବେ ସା˚ପ୍ରତିକ ସମୟରେ ଏପରି ଏକ ସ˚କଟ ନେଇ ବୈଜ୍ଞାନିକ ଚର୍ଚ୍ଚା ହେଉଛି ଯାହା ମାନବ ସଭ୍ୟତାର ଭବିଷ୍ୟତ ନେଇ ଏକ ନକାରାତ୍ମକ ଚିତ୍ର ଦେଉଛି। କୁହାଯାଉଛି ଯେ ଆମର ପ୍ରାକୃତିକ ପରିବେଶ ଧୀରେ ଧୀରେ ଏକ ଅସନ୍ତୁଳିତ ସ୍ଥିତିକୁ ଯାଉଛି ଓ ଏହି ଧାରା ଅବ୍ୟାହତ ରହିଲେ ଆମର ଆଗାମୀ ବ˚ଶଧରମାନେ ଏକ ଭୟଙ୍କର ସ˚କଟର ସମ୍ମୁଖୀନ ହେବେ ଓ ଏପରିକି ବିଲୁପ୍ତ ହୋଇଯିବେ। ଏହି ଆଶଙ୍କା ଭିତରେ ସମଗ୍ର ବିଶ୍ବରେ ପରିବେଶର ସୁରକ୍ଷା ନେଇ ସଚେତନତା ପ୍ରକାଶ ପାଉଛି। ସୌରମଣ୍ତଳରେ ପୃଥିବୀ ହେଉଛି ଏକମାତ୍ର ଗ୍ରହ ଯେଉଁଠି ଜୀବଜଗତ ଓ ମାନବସଭ୍ୟତା ସୃଷ୍ଟି ହୋଇଛି। ଆମ ଗ୍ରହମଣ୍ତଳରେ ଅନ୍ୟ କୌଣସି ଗ୍ରହରେ ସଭ୍ୟତା ବା ଜୀବଜଗତ ସୃଷ୍ଟି ହୋଇନାହିଁ। ସୁତରା˚ ପୃଥିବୀ ପୃଷ୍ଠରେ ମାନବ ସଭ୍ୟତା କିପରି ସବୁଦିନ ପାଇଁ ତିଷ୍ଠି ରହିବ ସେଥିପାଇଁ ବିଶ୍ବ ସ୍ତରରେ ସ˚ପୃକ୍ତି ପ୍ରକାଶ ପାଉଛି। ସଭ୍ୟତା ଆମ ପରିବେଶ ଓ ପ୍ରାକୃତିକ ଅନୁକୂଳତା ଉପରେ ନିର୍ଭର କରିଥାଏ। ତେବେ ଗତ କେତେ ଦଶନ୍ଧି ଧରି ପୃଥିବୀର ପ୍ରାକୃତିକ ପରିବେଶ ଧ୍ବ˚ସମୁଖୀ ହୋଇଚାଲିଛି ବୋଲି ଏକ ନକାରାତ୍ମକ ଚିତ୍ର ପରିବେଶବିଜ୍ଞାନୀମାନେ ବୈଜ୍ଞାନିକ ତଥ୍ୟ ଆଧାରରେ ପ୍ରଦାନ କରୁଛନ୍ତି। ସେମାନେ ଆଶଙ୍କା କରୁଛନ୍ତି ଯେ ଆମର ପରିବେଶର ସୁରକ୍ଷା କରାନଗଲେ ଓ ପରିବେଶ ଏହି ଧାରାରେ ଅସନ୍ତୁଳିତ ଓ ପ୍ରଦୂଷିତ ହୋଇଚାଲିଲେ ଆମକୁ ଆମର ଶୋକଗୀତ ଗାଇବାକୁ ହେବ।
ବି˚ଶ ଶତାବ୍ଦୀର ଷଷ୍ଠ-ସପ୍ତମ ଦଶକ ଭିତରେ ବିଶିଷ୍ଟ ଆମେରିକୀୟ ଜୀବବିଜ୍ଞାନୀ ରାକେଲ କାର୍ସନ (୧୯୦୭-୧୯୬୪) ‘‘ନିଃଶବ୍ଦ ବସନ୍ତ ବା ସାଇଲେଣ୍ଟ ସ୍ପ୍ରିଙ୍ଗ’’ ନାମରେ ଖଣ୍ତିଏ ପୁସ୍ତକ ଲେଖି ପାରିବେଶିକ ସ˚କଟ ଉପରେ ବହୁ ତଥ୍ୟ ପ୍ରଦାନ କରିଥିଲେ। ଏହି ବହିଟି ସେତେବେଳେ ଓ ଆଜି ପର୍ଯ୍ୟନ୍ତ ପରିବେଶ ଉପରେ ଏକ ପ୍ରଭାବଶାଳୀ କୃତି ହୋଇ ରହିଛି। ଜମିରେ ବ୍ୟବହୃତ ହେଉଥିବା ରାସାୟନିକ ସାର, କୀଟନାଶକ କିପରି ଜୈବ ବିବିଧତାକୁ ଧ୍ବ˚ସ କରି ଚାଲିଛି ତାହାର ଚିତ୍ର କାର୍ସନ ଦର୍ଶାଇଛନ୍ତି। ଆଉ ଜଣେ ଆମେରିକୀୟ ପରିବେଶ ବିଜ୍ଞାନୀ ଅଲ୍ ଗୋରେ ଯିଏ ଆମେରିକାରେ ଦୁଇ ଥର ଉପରାଷ୍ଟ୍ରପତି ହୋଇଥିଲେ ‘‘ଆର୍ଥ ଇନ ଦି ବାଲାନ୍ସ’’ ନାମରେ ଏକ ପୁସ୍ତକ ଲେଖି ପୃଥିବୀର ପ୍ରାକୃତିକ ପରିବେଶ କିପରି ଅବକ୍ଷୟ ହୋଇଚାଲିଛି ତାହାର ଏକ ବାସ୍ତବ ଚିତ୍ର ଦେଇଛନ୍ତି। ଗୋରେ ଏଥିପାଇଁ ୨୦୦୭ରେ ଶାନ୍ତି ପାଇଁ ନୋବେଲ ପୁରସ୍କାର ଲାଭ କରିଛନ୍ତି। ତେବେ ଏହିସବୁ କୃତି ବ୍ୟତୀତ ଅନେକ ପରିବେଶ ବିଜ୍ଞାନୀ ଆମର ପାରିବେଶିକ ଅସନ୍ତୁଳନର ନିଚ୍ଛକ ଚିତ୍ର ଏବେ ପ୍ରଦାନ କରିଚାଲିଛନ୍ତି। ପୃଥିବୀର ପ୍ରାକୃତିକ ପରିବେଶ ଯେ ଏକ ସଙ୍କଟଜନକ ସ୍ଥିତି ଆଡ଼କୁ ଯାଉଛି ଅଧିକା˚ଶ ପରିବେଶବିତ୍ମାନେ ଗବେଷଣା ଦ୍ବାରା ଦର୍ଶାଉଛନ୍ତି।
ପରିବେଶ ବିଜ୍ଞାନୀମାନେ ଦର୍ଶାଇବା ଜଣାଯାଏ ଯେ ଇଉରୋପରେ ଶିଳ୍ପ ବିପ୍ଳବର ଯୁଗ ଆସିବା ପରେ ସମଗ୍ର ପୃଥିବୀରେ ଧୀରେ ଧୀରେ ବୃହତ ଶିଳ୍ପ ଓ କଳ କାରଖାନାମାନ ପ୍ରତିଷ୍ଠା ହୋଇଛି। ଏହା ସହିତ ଆଧୁନିକ ଚିକିତ୍ସା ବିଜ୍ଞାନର କ୍ରମୋନ୍ନତି ଓ ମହାମାରୀମାନଙ୍କର ନିୟନ୍ତ୍ରଣ ଯୋଗୁଁଁ ପୃଥିବୀର ଜନସ˚ଖ୍ୟା କ୍ରମବର୍ଦ୍ଧିଷ୍ଣୁ ଭାବେ ବୃଦ୍ଧି ପାଇଚାଲିଛି। ଜନଗଣନା ଜନିତ ପରିସ˚ଖ୍ୟାନରୁ ଜଣାଯାଏ ଯେ ୧୮୦୦ ମସିହା ବେଳକୁ ପୃଥିବୀର ଲୋକସ˚ଖ୍ୟା ୧୦୦ କୋଟି ପାଖାପାଖି ଥିଲା ଓ ୧୯୦୦ ମସିହାରେ ଏହା ୧୬୦ କୋଟି ହେଲା। ୨୦୦୦ ମସିହାରେ ଲୋକସ˚ଖ୍ୟା ୬୦୦ କୋଟି ଓ ଏବେ ପ୍ରାୟ ୭୫୦ କୋଟିରେ ପହଞ୍ଚିଥିବା ଜଣାଯାଏ। ଲୋକସ˚ଖ୍ୟାର ଏହି ବୃଦ୍ଧି ଯୋଗୁଁ ବିଭିନ୍ନ ଦେଶରେ ନୂଆ ନୂଆ ବସତିମାନ ଗଢ଼ି ଉଠିଛି ଓ ଅନେକ ଜଙ୍ଗଲ ନଷ୍ଟ ହୋଇଛି। କ୍ରମବର୍ଦ୍ଧିଷ୍ଣୁ ଲୋକସ˚ଖ୍ୟାର ଆବଶ୍ୟକତା ପୂରଣ ପାଇଁ ଅଧିକ ଉତ୍ପାଦନ ଆବଶ୍ୟକ ହୋଇଛି। ପରିଣାମତଃ ରାସାୟନିକ ସାର ଓ କୀଟନାଶକ ବହୁଳ ଭାବରେ ଜମିମାନଙ୍କରେ ବ୍ୟବହୃତ ହେଉଛି। ଫଳରେ ତାହାର ଅନେକ କୁପ୍ରଭାବ ଆମ ପରିବେଶ ଉପରେ ପଡୁଛି। କଳ କାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ପ୍ରାକୃତିକ ଜଳ ଉତ୍ସରେ ମିଶି ଜଳକୁ ପ୍ରଦୂଷିତ କରୁଛି। କଳ କାରଖାନା ଚଳାଇବା ପାଇଁ ଆବଶ୍ୟକ ହେଉଥିବା ଶକ୍ତି ପାଇଁ ପ୍ରଚୁର ଜାଳେଣି ଆବଶ୍ୟକ ହେଉଛି। ମାଟି ତଳେ ସଞ୍ଚିତ ହୋଇ ରହିଥିବା କୋଇଲା, ପେଟ୍ରୋଲ, ମାଙ୍ଗାନିଜ ଇତ୍ୟାଦିକୁ ବହୁଳ ଭାବେ ଉତ୍ତୋଳନ କରାଯାଉଛି। କୋଇଲା, ପେଟ୍ରୋଲ, ରନ୍ଧନ ଗ୍ୟାସ୍ ପରି ଜୈବ ଇନ୍ଧନମାନ ବହୁଳ ବିନିଯୋଗ କରାଯାଉଥିବାରୁ ସେଥିରୁ ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ତଳରେ ମିଶୁଛି। ଆଧୁନିକ ଜ୍ଞାନକୌଶଳ ବିନିଯୋଗ କରି ବହୁମୁଖୀ ନଦୀବନ୍ଧ ଯୋଜନାମାନ କରାଯାଇ ବିଶାଳ ଜଳଭଣ୍ତାର ସୃଷ୍ଟି କରାଯାଉଛି। ଏହି ପ୍ରକ୍ରିୟାରେ ଜଙ୍ଗଲ ଓ ଉପତ୍ୟକାମାନ ଧ୍ବ˚ସ ହେବାରେ ଲାଗିଛି। ସହରୀ ସଭ୍ୟତାର ବିକାଶ ଯୋଗୁଁ ବିଭିନ୍ନ ସ୍ଥାନରେ ବିଶାଳକାୟ ଅଟ୍ଟାଳିକାମାନ ନିର୍ମାଣ କରାଯାଉଛି। ପୁନଶ୍ଚ ଗମନାଗମନ ପାଇଁ ସଡ଼କପଥ, ରେଳପଥ ଇତ୍ୟାଦି ନିର୍ମାଣ ପାଇଁ ଅସ˚ଖ୍ୟ ଗଛ କାଟିବାକୁ ପଡୁଛି, ପାହାଡ଼ ଭାଙ୍ଗିବାକୁ ହେଉଛି। ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ ପାଇଁ ସମୁଦ୍ର ତଟରେ ବିଶାଳକାୟ ବନ୍ଦର ମାନ ନିର୍ମାଣ କରାଯାଉଛି। ପୁନଶ୍ଚ ପ୍ରତ୍ୟେକ ଦେଶ ନିଜର ସାମରିକ ଶକ୍ତିକୁ ବୃଦ୍ଧି କରିବାକୁ ଦୁର୍ମୂଲ୍ୟ ପ୍ରାକୃତିକ ସଂସାଧନମାନଙ୍କୁ ବ୍ୟବହାର କରୁଛନ୍ତି। କ୍ଷେପଣାସ୍ତ୍ର, ଆଣବିକ ଅସ୍ତ୍ର ନିର୍ମାଣ ଯୋଗୁଁ ତାହାର ତେଜସ୍କ୍ରିୟ ରଶ୍ମି ପରିବେଶ ଉପରେ ଅନେକ କୁପ୍ରଭାବ ସୃଷ୍ଟି କରୁଛି। ଆଣବିକ ତେଜସ୍କ୍ରିୟ ବିକିରଣ ସଭ୍ୟତା ପାଇଁ କିପରି ମାରାତ୍ମକ ତାହା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ହିରୋସୀମା ଓ ନାଗାସାକି ଉପରେ ହୋଇଥିବା ଆଣବିକ ବିସ୍ଫୋରଣରୁ ଜଣାଯାଏ। ଏହି ସବୁର ସମ୍ମିଳିତ ପ୍ରଭାବରୁ ବାୟୁମଣ୍ତଳରେ ଅଙ୍ଗାରକାମ୍ଳର ମାତ୍ରା ଆଶାତୀତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଆଧୁନିକ ପ୍ରଯୁକ୍ତି ସାହାଯ୍ୟରେ ବାୟୁମଣ୍ତଳରେ ଅଙ୍ଗାରକାମ୍ଳ ମାତ୍ରାକୁ ନିରୂପଣ କରାଯାଇପାରୁଛି। ପ୍ରତିବର୍ଷ ଅଙ୍ଗାରକାମ୍ଳ କଣିକାର ମାତ୍ରା କିପରି ବୃଦ୍ଧି ପାଇବାରେ ଲାଗିଛି, ତାହା ବୈଜ୍ଞାନିକମାନେ ଦର୍ଶାଇବା ସହିତ ତାହା କିପରି ବାୟୁମଣ୍ତଳର ଉତ୍ତାପ ବୃଦ୍ଧି ଘଟାଉଛି, ତାହା ଦର୍ଶାଉଛନ୍ତି।
ଯେତିକି ଉତ୍ତାପରେ ପୃଥିବୀ ପୃଷ୍ଠରେ ଜୀବଜଗତ ରହିପାରିବ, ତା’ଠାରୁ ଉତ୍ତାପ ଅଧିକ ହେଲେ ଜୀବଜଗତ ନାନା ବିପର୍ଯ୍ୟୟର ସମ୍ମୁଖୀନ ହେବ। ପୃଥିବୀର ବାୟୁମଣ୍ତଳକୁ ଲାଗି ଓଜୋନ ସ୍ତର ରହିଛି ଯାହା ସୂର୍ଯ୍ୟର କ୍ଷତିକାରକ ବିକିରଣକୁ ଶୋଷି ନେଉଛି, ଫଳରେ ପୃଥିବୀରେ ଜୀବଜଗତ ତିଷ୍ଠି ରହିଛି। ଅଙ୍ଗାରକାମ୍ଳ ମାତ୍ରା ବଢ଼ିଲେ ଓଜୋନ ସ୍ତର ପ୍ରଭାବିତ ହେବ ଓ ସୂର୍ଯ୍ୟରୁ ନିର୍ଗତ ବିକିରଣକୁ ନିୟନ୍ତ୍ରଣ କରିପାରିବ ନାହିଁ। ଏପରି ହେଲେ ଜୀବଜଗତ ପୃଥିବୀରେ ବିଭିନ୍ନ ବିପର୍ଯ୍ୟୟର ସମ୍ମୁଖୀନ ହେବ। ଯାନବାହାନ, କଳକାରଖାନା, ଜୈବ ଜାଳେଣିର ପ୍ରଭାବରୁ ନିର୍ଗତ ବାଷ୍ପର ପ୍ରଭାବକୁ ‘ଗ୍ରିନ୍ ହାଉସ୍ ପ୍ରଭାବ’ କୁହାଯାଉଛି। ଆହୁରି ମଧୢ ଆଶଙ୍କା ପ୍ରକାଶ ପାଉଛି ଯେ ପୃଥିବୀ ବାୟୁମଣ୍ତଳର ଉତ୍ତାପ ଅଙ୍ଗାରକାମ୍ଳ ନିଷ୍କାସନ ଯୋଗୁଁ ବୃଦ୍ଧି ହେଲେ ମେରୁ ଅଞ୍ଚଳରେ ଥିବା ବିଶାଳ ବରଫର ସ୍ତୂପ ତରଳି ଯିବ। ଏହାର ପରିଣାମରୁ ସମୁଦ୍ରର ଜଳପତ୍ତନ ଏତେ ବଢ଼ିଯିବ ଯେ ସମୁଦ୍ର କୂଳର ଅନେକ ସହର ସମୁଦ୍ର ଭିତରେ ବୁଡ଼ିଯିବ। ପ୍ରକୃତିରେ ଯେଉଁ ଭାରସାମ୍ୟ ରହିଛି ସେଥିରେ ଅସନ୍ତୁଳନ ହେଲେ ପୃଥିବୀର ପରିବେଶ ଭୟଙ୍କର ଭାବେ ପ୍ରଭାବିତ ହେବ ଓ ନାନା ପ୍ରାକୃତିକ ବିପର୍ଯ୍ୟୟ ଜନଜୀବନକୁ ବିପର୍ଯ୍ୟସ୍ତ କରିଦେବ। ପରିବେଶ ବିଜ୍ଞାନୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି ଯେ ପାଗରେ ଅସ୍ବାଭାବିକ ପରିବର୍ତ୍ତନ, ମାଟି, ପାଣି, ପବନ କ୍ରମବର୍ଦ୍ଧିଷ୍ଣୁ ଭାବେ ପ୍ରଦୂଷଣ ହେବ। ସଭ୍ୟତାକୁ ଭୟଙ୍କର ସଙ୍କଟର ସମ୍ମୁଖୀନ କରାଇବ।
ଏସବୁ ସମସ୍ୟା ସହ ଅନ୍ୟ କେତେକ ସମସ୍ୟା ମଧୢ ଏବେ ପରିବେଶ ବିଜ୍ଞାନ ପାଇଁ ଚର୍ଚ୍ଚାର ବିଷୟ ହେଉଛି। ପୃଥିବୀରେ ଏପରି କେତେକ ପ୍ରାକୃତିକ ସାଧନମାନ ରହିଛି ଯାହା ଅସରନ୍ତି ନୁହଁ କିମ୍ବା ନବୀକରଣକ୍ଷମ ନୁହଁ। କୋଟି କୋଟି ବର୍ଷର ବିବର୍ତ୍ତନ ପ୍ରକ୍ରିୟାରେ ପ୍ରକୃତି ମାନବ ଜାତିକୁ କୋଇଲା, ପେଟ୍ରୋଲ, ଲୁହାପଥର ଇତ୍ୟାଦି ଅମୂଲ୍ୟ ପ୍ରାକୃତିକ ସାଧନମାନ ଦେଇଛି। ବିକାଶ ଉଦ୍ଦେଶ୍ୟରେ ଯଦି ଆମେ ଏହି ନବୀକରଣ ବିହୀନ ପ୍ରାକୃତିକ ସାଧନମାନଙ୍କୁ ଗୋଟିଏ ଦୁଇଟି ଶତାବ୍ଦୀ ଭିତରେ ଶେଷ କରିଦେବା, ତେବେ ପୃଥିବୀର ଭବିଷ୍ୟତ ନାନା ସ˚କଟକୁ ସାମ୍ନା କରିବ। ଏଣୁ ଯେଉଁ ପ୍ରାକୃତିକ ସାଧନମାନ ପ୍ରାକୃତିକ ପ୍ରକ୍ରିୟାରେ ନବୀକରଣକ୍ଷମ ସେସବୁକୁ ଯେପରି ବ୍ୟବହାର କରାଯାଇପାରେ। କିନ୍ତୁ ନବୀକରଣ ବିହୀନ ପ୍ରାକୃତିକ ସାଧନମାନଙ୍କୁ ବ୍ୟୟ କରିବାରେ ଯଥେଷ୍ଟ ସ˚ଯମ ଓ ମିତବ୍ୟୟିତା ଆବଶ୍ୟକ। ଏହା ସହିତ ବିକଳ୍ପ ଶକ୍ତି ଉତ୍ସ ପାଇଁ ପ୍ରୟାସ ଦରକାର। ଏ ବିଷୟରେ ଅନେକ ଗବେଷଣା ଚାଲିଥିଲେ ମଧୢ ଜୈବିକ ଇନ୍ଧନର ବିକଳ୍ପ ଏତେ ସାର୍ବଜନୀନ ହୋଇପାରିନାହିଁ। ବିଶେଷ କରି ତାପଜ ବିଦ୍ୟୁତ୍ ପ୍ରକଳ୍ପ କ୍ଷେତ୍ରରେ ଯେପରି ପ୍ରତିଦିନ ଟନ୍ ଟନ୍ କୋଇଲା ଜାଳି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଉଛି ଓ ଲକ୍ଷ ଲକ୍ଷ ଗାଡ଼ି ମଟର ପାଇଁ ବ୍ୟାରେଲ ବ୍ୟାରେଲ ପେଟ୍ରୋଲ ସମଗ୍ର ପୃଥିବୀରେ ପୋଡ଼ାଯାଉଛି, ତାହାର ଉପଯୁକ୍ତ ବିକଳ୍ପ ନ ବାହାରିଲେ ସଭ୍ୟତାର ଭବିଷ୍ୟତ ଅନ୍ଧକାରମୟ ହେବ ବୋଲି ଆଶଙ୍କା ପ୍ରକାଶ ପାଉଛି।
ପୃଥିବୀର ପରିବେଶକୁ ସୁରକ୍ଷିତ ରଖିବା ଓ ଆମର ପ୍ରାକୃତିକ ଉତ୍ସଗୁଡ଼ିକୁ ପ୍ରଦୂଷଣ ମୁକ୍ତ ରଖିବା ଏକ ନୈତିକ ଦାୟିତ୍ବ। ଏହି ପୃଷ୍ଠଭୂମିରେ ଆମର ଜୀବନଶୈଳୀ ଓ ବିଶ୍ବାସ କ୍ଷେତ୍ରରେ ମଧୢ ପରିବର୍ତ୍ତନ ଦରକାର। ପୁଞ୍ଜିବାଦୀ ବ୍ୟବସ୍ଥାର ବିକାଶ ପର ଠାରୁ ଏକ ଉପଭୋକ୍ତାବାଦୀ ସ˚ସ୍କୃତିର ଯେପରି ବିକାଶ ହେଉଛି ସେଥିରେ ପରିବର୍ତ୍ତନ ଆବଶ୍ୟକ। ପୁଞ୍ଜିବାଦ ଓ ଉପଭୋକ୍ତାବାଦ ସରଳ ଜୀବନଧାରାର ପରିପନ୍ଥୀ। ସେହିପରି ରକ୍ଷଣଶୀଳ ଭାରତୀୟ ସମାଜରେ ଧାର୍ମିକ ଆବେଗକୁ ନେଇ ପ୍ରତିବର୍ଷ ଅପର୍ଯ୍ୟାପ୍ତ ଗଛମାନଙ୍କୁ କାଟିବା ଓ ଜଳ ଉତ୍ସମାନଙ୍କରେ ମୂର୍ତ୍ତି ବିସର୍ଜନ କରି ସେଗୁଡ଼ିକୁ ପ୍ରଦୂଷିତ କରିବା ଦେଖାଯାଏ। ଏସବୁ ବି ପାରିବେଶିକ ପ୍ରଦୂଷଣ ପାଇଁ ଦାୟୀ। ଏଠାରେ ଆଶ୍ବାସନାର ବିଷୟ ଆମର ବସୁନ୍ଧରା ଯେ ଏପରି ଏକ ସ˚କଟ ଆଡ଼କୁ ଯାଉଛି ଏ ନେଇ ଆନ୍ତର୍ଜାତିକ ସ୍ତରରେ ଗତ ପାଞ୍ଚ ଦଶନ୍ଧି ଧରି ସଚେତନତା ପ୍ରକାଶ ପାଉଛି। ମନୁଷ୍ୟ ସଭ୍ୟତାର ଭବିଷ୍ୟତ ପୃଥିବୀର ପରିବେଶର ସୁରକ୍ଷା ଉପରେ ଯେ ନିର୍ଭରଶୀଳ ଏହା ଏକ ସାର୍ବଜନୀନ ଉପଲବ୍ଧି ହୋଇଛି। ଏଥିପାଇଁ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତିକ ସ˚ଗଠନମାନ ସୃଷ୍ଟି ହୋଇଛି। ବିଭିନ୍ନ ସ୍ତରରେ ପରିବେଶ ସମ୍ବନ୍ଧରେ ଗବେଷଣାମାନ ମଧୢ ବିଭିନ୍ନ ବିଶ୍ବବିଦ୍ୟାଳୟରେ କରାଯାଉଛି। ପୃଥିବୀର ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ, ବୈଜ୍ଞାନିକ ଓ ପରିବେଶ ବିଶାରଦମାନଙ୍କର ସମ୍ମିଳନୀ କରାଯାଇ ନିଷ୍ପତ୍ତିମାନ ଗ୍ରହଣ କରାଯାଉଛି। ମାଧୢମିକ ସ୍ତରରୁ ପରିବେଶ ବିଷୟରେ ପାଠ୍ୟକ୍ରମ ବି ପ୍ରସ୍ତୁତ ହୋଇ ପଢ଼ାଯାଉଛି। ବିଭିନ୍ନ ସ୍ତରରେ ପରିବେଶର ସୁରକ୍ଷା ପାଇଁ ସଚେତନତାର ବାତାବରଣ ସୃଷ୍ଟି ଦିଗରେ ଉଦ୍ୟମ କରାଯାଉଛି। ଗ୍ଲୋବାଲ ଵାର୍ମି˚, ଅଙ୍ଗାରକାମ୍ଳ ନିର୍ଗମନ, ପାଗ ପରିବର୍ତ୍ତନ ଇତ୍ୟାଦି ସମସ୍ୟାମାନଙ୍କର ସମାଧାନ ବା ନିୟନ୍ତ୍ରଣ ଓ ନିରନ୍ତର ବିକାଶର ପରିକଳ୍ପନା ନେଇ ବିଶ୍ବସ୍ତରରେ କିଛି ଉଦ୍ୟମ କରାଯାଉଛି। ପରିବେଶ ସୁରକ୍ଷିତ ନ ରହିଲେ ପୃଥିବୀ ପୃଷ୍ଠର ଜୀବଜଗତ ଯେ ବିଲୟର ସମ୍ମୁଖୀନ ହେବ ଏହା ସମସ୍ତଙ୍କ ପାଇଁ ଗମ୍ଭୀର ଚିନ୍ତାର ବିଷୟ। ଏହି ପରିପ୍ରେକ୍ଷୀରେ ବିଶ୍ବ ପରିବେଶ ସମ୍ପର୍କରେ ନିଜକୁ ଓ ଅନ୍ୟମାନଙ୍କୁ ଅଧିକରୁ ଅଧିକ ସଜାଗ ଓ ସଚେତନ କରିବା ଅପରିହାର୍ଯ୍ୟ।
ଏ୪/୪୦୫, ଜୀବନ ଆନନ୍ଦ ଏଲ୍ଆଇସି ଫ୍ଲାଟ୍
ଖଣ୍ତଗିରି, ଭୁବନେଶ୍ବର-୩୦