ସର୍ବଭାରତୀୟ ସେବା ପାଇଁ ଆମ ପ୍ରସ୍ତୁତି

ସତ୍ୟକାମ ମିଶ୍ର

ସର୍ବଭାରତୀୟ ସେବାଗୁଡ଼ିକ ପାଇଁ ହେଉଥିବା ପ୍ରତିଯୋଗିତାମୂଳକ ପରୀକ୍ଷାରେ ଓଡ଼ିଶାର ପ୍ରାର୍ଥୀମାନେ ଆଗ ଭଳି ସଫଳତା ପାଉ ନ ଥିବାରୁ ବିଭିନ୍ନ ସମୟରେ ସେ ବିଷୟରେ ଆଲୋଚନା ଶୁଣିବାକୁ ମିଳୁଛି। ଏପରିକି ଅତୀତରେ ଏହି ପ୍ରସଙ୍ଗ ବିଧାନସଭାରେ ଏକାଧିକ ବାର ଆଲୋଚିତ ହୋଇଛି। ସଂପ୍ରତି ଏହି ପରୀକ୍ଷା ଦେବା ପାଇଁ ପିଲାମାନଙ୍କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏକ ଘରୋଇ ସଂସ୍ଥାକୁ ବହୁ ପରିମାଣର ଅର୍ଥ ଦିଆଯାଇଥିବା ସତ୍ତ୍ବେ ସେହି ସଂସ୍ଥା ଦ୍ବାରା ଶିକ୍ଷା ପ୍ରାପ୍ତ କୌଣସି ପ୍ରାର୍ଥୀ ସର୍ବଭାରତୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନ ଥିବା ବିଷୟ ଏବେ ଲୋକଲୋଚନକୁ ଆସିଛି। ଏ କଥା ଓଡ଼ିଶାର ମହାଲେଖାକାର ତାଙ୍କ ରିପୋର୍ଟରେ ଉଲ୍ଲେଖ କଲା ପରେ ବର୍ତ୍ତମାନ ସେ ପ୍ରସଙ୍ଗରେ ବିତର୍କ ଚାଲିଛି। ଗୋଟିଏ ଟେଲିଭିଜନ ନ୍ୟୁଜ୍‌ ଚ୍ୟାନେଲ୍‌ରେ ଏହି ସଂପର୍କରେ ପ୍ରସାରିତ ଏକ ଆଲୋଚନା ଶୁଣିଲା ପରେ ସେ ବିଷୟରେ କିଛି ଗଠନମୂଳକ ଆଲୋଚନା କରିବା ଏହି ପ୍ରାବନ୍ଧିକର ଉଦ୍ଦେଶ୍ୟ। ବିଭିନ୍ନ ସର୍ବଭାରତୀୟ ସେବା ମଧ୍ୟରେ ସାଧାରଣତଃ ଭାରତୀୟ ପ୍ରଶାସନିକ ସେବାକୁ ଲୋକେ ଅଧିକ ଗୁରୁତ୍ବ ଦେଇଥା’ନ୍ତି। ଏହି ସେବାରେ ଓଡ଼ିଆ ପିଲା ବେଶୀ ସଂଖ୍ୟାରେ ସଫଳତା ହାସଲ କରୁନାହାନ୍ତି ବୋଲି ଚିନ୍ତା ପ୍ରକଟ କରାଯାଉଛି। ଅତୀତରେ ଏହାର କାରଣ ଜାଣିବା ପାଇଁ ବିଭିନ୍ନ ସମୟରେ ବିଧାୟକମାନେ ବିଧାନସଭାରେ ପ୍ରଶ୍ନ ପଚାରିଛନ୍ତି। ସେହି ପ୍ରଶ୍ନଗୁଡ଼ିକ ଉଚ୍ଚ ଶିକ୍ଷା ବିଭାଗକୁ ଉତ୍ତର ଦେବା ପାଇଁ ପଠାଯାଏ। ଉଚ୍ଚ ଶିକ୍ଷା ବିଭାଗ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ଉତ୍ତର ଦେବା ପାଇଁ କହିଥାଆନ୍ତି। ନିର୍ଦ୍ଦେଶାଳୟରେ ଏ ସଂପର୍କରେ କୌଣସି ସୂଚନା ନ ଥିବା ସତ୍ତ୍ବେ ନିର୍ଦ୍ଦେଶକ ନିଜ ବୁଦ୍ଧି ଖଟାଇ କିମ୍ବା ସହାୟକମାନଙ୍କ ସହିତ ପରାମର୍ଶ କରି ଉତ୍ତର ଦିଅନ୍ତି। ସେ ଯାହା ଉତ୍ତର ଲେଖି ଥାଆନ୍ତି, ତାହା ମନ୍ତ୍ରୀ ବିଧାନସଭାରେ ପଢ଼ି ଦିଅନ୍ତି। ଆଲୋଚନା ସମାପ୍ତ ହୋଇଯାଏ। ପ୍ରକୃତ ପକ୍ଷେ ଏହି ଆଲୋଚନାର କୌଣସି ପ୍ରଭାବ ନ ଥାଏ। ସରକାରୀ ସ୍ତରରେ ଏ ବିଷୟରେ କୌଣସି ଗୁରୁତ୍ବ ଦିଆଯାଏ ନାହିଁ। ନିକଟ ଅତୀତରେ ବିଶ୍ବବିଦ୍ୟାଳୟମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବାକୁ ଇଚ୍ଛୁକ ପ୍ରାର୍ଥୀମାନଙ୍କର ପ୍ରଶିକ୍ଷଣ ପାଇଁ ସରକାର ଅଜସ୍ର ଅର୍ଥ ଦେଇଥିଲେ। ପରେ ସରକାରଙ୍କର ଏହି ଶିକ୍ଷାଦାନ କାର୍ଯ୍ୟକ୍ରମର ବ୍ୟବସାୟିକ ଦିଗକୁ କିଛି ବ୍ୟକ୍ତି ଆବିଷ୍କାର କଲା ପରେ ଉଚ୍ଚ ଶିକ୍ଷା ବିଭାଗ ଏଥି ପାଇଁ ଶିକ୍ଷା ବ୍ୟବସାୟୀଙ୍କୁ ଦାୟିତ୍ବ ଦେଲେ। ସରକାରଙ୍କର ଧାରଣା ଥିଲା ଯେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଉପଯୁକ୍ତ ଶୈକ୍ଷିକ ସହାୟତାର ଅଭାବ ଯୋଗୁଁ ସର୍ବଭାରତୀୟ ସେବା ପାଇଁ ହେଉଥିବା ପରୀକ୍ଷାରେ ଓଡ଼ିଆ ପିଲାମାନେ ବିଫଳ ହେଉଛନ୍ତି ଏବଂ ସେମାନଙ୍କର ସାମର୍ଥ୍ୟ ବଢ଼ାଇବା ପାଇଁ ଘରୋଇ ସଂସ୍ଥା ଆମର ବିଶ୍ବବିଦ୍ୟାଳୟଗୁଡ଼ିକ ଅପେକ୍ଷା ଅଧିକ ସକ୍ଷମ। ଏହି ଧାରଣାର ବଶବର୍ତ୍ତୀ ହୋଇ ଉଚ୍ଚ ଶିକ୍ଷା ବିଭାଗ ସେହି ଦାୟିତ୍ବ ଘରୋଇ ସଂସ୍ଥାକୁ ପ୍ରଦାନ କରିଥିଲେ। ରୋଗର କାରଣ ନ ଜାଣି କିମ୍ବା ରୋଗର କାରଣକୁ ଠିକ୍ ଭାବେ ଧରି ନ ପାରି ଔଷଧ ଖୁଆଇଲେ ରୋଗୀର ଅବସ୍ଥା ଯାହା ହୁଏ, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଂ ପାଇଥିବା ପିଲାଙ୍କ ଅବସ୍ଥା ଠିକ ସେଇଆ ହେଲା। ଡାକ୍ତର ଓ ଔଷଧବାଲାଙ୍କର ଲାଭରେ କିନ୍ତୁ କୌଣସି ଊଣା ହେଲାନି।

ଆମ ଶିକ୍ଷାନୁଷ୍ଠାନମାନଙ୍କର ଶୈକ୍ଷିକ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉ। ସେଠାରେ ପଢ଼ୁଥିବା ମେଧାବୀ ପିଲାଙ୍କୁ ଚିହ୍ନଟ କରାଯାଉ। ଏପରିକି ମାଧ୍ୟମିକ ସ୍ତରରୁ ଏମାନଙ୍କୁ ବାଛି ପାରିଲେ ଉତ୍ତମ। ଏହି ଭଳି ଆଗ ଧାଡ଼ିର ପିଲାମାନଙ୍କ ପ୍ରତି ଅଧିକ ଦୃଷ୍ଟି ଦେଇ ସେମାନଙ୍କର ଜ୍ଞାନ ପିପାସା ମେଣ୍ଟାଇବା ପାଇଁ ଶିକ୍ଷକ ଓ ଅଧ୍ୟାପକମାନଙ୍କୁ ପ୍ରୋତ୍ସାହିତ କରାଯାଉ। ସେହିମାନେ ହିଁ ପିଲାମାନଙ୍କ ମନରେ ଉଚ୍ଚ ହେବା ପାଇଁ ଆଶାର ଅଙ୍କୁରୋଦ୍‌ଗମ କରାଇ ପାରିବେ ଓ ଜ୍ଞାନ ଆହରଣ ପାଇଁ ମାର୍ଗ ପ୍ରଦର୍ଶନ କରିବେ। ସେହି ମାର୍ଗରେ ପରିଚାଳିତ ହେଲେ ପିଲାମାନଙ୍କର ବୌଦ୍ଧିକ ମୂଳଦୁଆ ସୁଦୃଢ଼ ହେବ ଏବଂ ଭବିଷ୍ୟତ୍‌ରେ ସେମାନେ ଯେ କୌଣସି ବିଦ୍ୟାକୁ ଆୟତ୍ତ କରିବାରେ ସକ୍ଷମ ହେବେ।

ଏ ମଧ୍ୟରେ ବିଭିନ୍ନ କେନ୍ଦ୍ରୀୟ ନାଗରିକ ସେବାଗୁଡ଼ିକ (Civil Services) ପାଇଁ ଲୋକସେବା ଆୟୋଗ (Union Public Service Commission) ଯେଉଁ ପରୀକ୍ଷା କରିଥା’ନ୍ତି, ତାହାର ଢାଞ୍ଚାରେ ଅନେକ ପରିବର୍ତ୍ତନ ହେଲାଣି। ଏବେ ଦେଖାଯାଉଛି ଯେ ସାଧାରଣ ଶିକ୍ଷା (କଳା, ବିଜ୍ଞାନ ଓ ବାଣିଜ୍ୟ) ପ୍ରାପ୍ତ ପିଲାମାନଙ୍କ ଅପେକ୍ଷା ବୈଷୟିକ ତଥା ବୃତ୍ତିଗତ ଶିକ୍ଷା ପ୍ରାପ୍ତ ପିଲାମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅଧିକ ସଂଖ୍ୟାରେ ସଫଳତା ହାସଲ କରୁଛନ୍ତି। ଏହାର କାରଣ କ’ଣ?
ଏହି ପରୀକ୍ଷା ପାଇଁ ଅତ୍ୟଧିକ ସଂଖ୍ୟାରେ ପ୍ରାର୍ଥୀ ଦରଖାସ୍ତ କରିବା ଫଳରେ ଲିଖିତ ପରୀକ୍ଷାକୁ ଦୁଇଟି ପର୍ଯ୍ୟାୟରେ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଯେଉଁ ପରୀକ୍ଷା କରାଯାଉଛି, ସେଥିରେ ପିଲାମାନଙ୍କର ମୌଳିକ ଗଣିତ ଜ୍ଞାନ (ସଂଖ୍ୟାଗତ ଦକ୍ଷତା), ତାର୍କିକ ଦକ୍ଷତା, ବିଚାର ଶକ୍ତି, ବୋଧ ଶକ୍ତି ଇତ୍ୟାଦି ମାନସିକ ଦକ୍ଷତା ତଥା କଂପ୍ୟୁଟର ଜ୍ଞାନ ଓ ସାଧାରଣ ସଚେତନତାର ସ୍ତର ଇତ୍ୟାଦିର ମୂଲ୍ୟାୟନ କରାଯାଏ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ମୁଖ୍ୟ ଲିଖିତ ପରୀକ୍ଷା ଦିଅନ୍ତି। ମୁଖ୍ୟ ପରୀକ୍ଷାରେ ମାଧ୍ୟମିକ ଶିକ୍ଷା ସ୍ତରର ଇଂରେଜୀ ଓ ଯେ କୌଣସି ଗୋଟିଏ ଭାରତୀୟ ଭାଷା; ଏହିପରି ଦୁଇଟି ବିଷୟରେ ନିର୍ଦ୍ଧାରିତ ସର୍ବନିମ୍ନ ନମ୍ବର ରଖି ପାରିଲେ ଅନ୍ୟ ବିଷୟର ଉତ୍ତର ଖାତା ମୂଲ୍ୟାୟନ କରାଯାଏ। କିନ୍ତୁ ଏହି ଦୁଇଟି ବିଷୟରେ ପାଇଥିବା ନମ୍ବର ପରୀକ୍ଷାର ଫଳ ନିର୍ଣ୍ଣୟ ପାଇଁ ହିସାବକୁ ନିଆଯାଏ ନାହିଁ। କେବଳ ଏହି ଭାଷା ଦୁଇଟିରେ ଆବଶ୍ୟକ ସର୍ବନିମ୍ନ ଯୋଗ୍ୟତା ଅଛି କି ନାହିଁ, ତାହା ଦେଖାଯାଏ। ମୁଖ୍ୟ ଲିଖିତ ପରୀକ୍ଷାର ଫଳ ଯେଉଁ ବିଷୟ ସବୁକୁ ନେଇ ନିର୍ଣ୍ଣୟ କରାଯାଏ, ସେଗୁଡ଼ିକ ହେଲା ସ୍ନାତକ ସ୍ତରରେ ପଢ଼ା ଯାଉଥିବା ବିଷୟଗୁଡ଼ିକ ମଧ୍ୟରୁ ଯେ କୌଣସି ଗୋଟିଏ ଇଚ୍ଛାଧୀନ ବିଷୟ, ଇଂରେଜୀ ରଚନା ଓ ସାଧାରଣ ଜ୍ଞାନ।

ଏହି ପାଠ୍ୟକ୍ରମରେ ସାଧାରଣ ସଚେତନତା ଓ ନୈତିକ ଜ୍ଞାନକୁ ପ୍ରାଧାନ୍ୟ ଦିଆଯାଇଛି। ଇଚ୍ଛାଧୀନ ବିଷୟର ଦୁଇଟି ପେପର୍‌ରେ ୫୦୦, ଇଂରେଜୀ ରଚନାରେ ୨୫୦ ଓ ଚାରିଟି ସାଧାରଣ ଜ୍ଞାନ ପେପର୍‌ରେ ୧୦୦୦; ଏହିଭଳି ସମୁଦାୟ ୧୭୫୦ ନମ୍ବର ପାଇଁ ପରୀକ୍ଷା କରାଯାଏ। ଏଥିରେ ସଫଳ ହେଲେ ସାକ୍ଷାତ୍‌କାର ପାଇଁ ଡକା ଯାଇଥାଏ। ମୋଟ ୧୭୫୦ ନମ୍ବର ମଧ୍ୟରୁ ସର୍ବାଧିକ ଯଥା ୧୦୦୦ ନମ୍ବର ସାଧାରଣ ଜ୍ଞାନ ଓ ନୈତିକତା ପରୀକ୍ଷା ପାଇଁ ରଖା ଯାଇଛି। ଏଥିରେ ପ୍ରଥମ ତିନି ଗୋଟି ପେପର୍‌ରେ ସନ୍ନିବେଶିତ ବିଷୟ ବସ୍ତୁରେ ଇତିହାସ, ଭୂଗୋଳ, ଅର୍ଥନୀତି, ରାଜନୀତି ବିଜ୍ଞାନ, ମୌଳିକ ବିଜ୍ଞାନ, ସ୍ବାସ୍ଥ୍ୟରକ୍ଷା, ପରିବେଶ ବିଜ୍ଞାନ, ଚଳନ୍ତି ଘଟଣାବଳୀ, ଦେଶ ତଥା ବିଶ୍ବରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ଓ ସେଥିପାଇଁ ଗ୍ରହଣ କରାଯାଇଥିବା ନୀତି, ବୈଜ୍ଞାନିକ ଉଦ୍ଭାବନ, ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର କାର୍ଯ୍ୟ ଇତ୍ୟାଦି ବିଭିନ୍ନ ବିଷୟ ଓ ଘଟଣାବଳୀ ଯାହା ଜଣେ ଉଚ୍ଚ ଶିକ୍ଷିତ ସଚେତନ ବ୍ୟକ୍ତିର ଜ୍ଞାତସାରରେ ଥାଏ, ତାହା ଅନ୍ତର୍ଭୁକ୍ତ ହୋଇଥାଏ। ସେହିପରି ଚତୁର୍ଥ ପେପର୍‌ରେ ପ୍ରାର୍ଥୀଙ୍କର ଚାରିତ୍ରିକ ଗୁଣାବଳୀ ଯଥା ନୈତିକତା, ସେବା ମନୋଭାବ, ଭାବପ୍ରବଣତା ଉପରେ ନିୟନ୍ତ୍ରଣ ଶକ୍ତି, ସମାଜ ପ୍ରତି ଅଙ୍ଗୀକାର, ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସମ୍ମାନ ଇତ୍ୟାଦି ବିଭିନ୍ନ ପ୍ରଶ୍ନ ମାଧ୍ୟମରେ ଜାଣିବାକୁ ଚେଷ୍ଟା କରାଯାଏ। ଜଣେ ବ୍ୟକ୍ତି ନିଜେ କେତେ ଶୃଙ୍ଖଳିତ ଏବଂ ସେ ଉଚ୍ଚ ମୂଲ୍ୟବୋଧକୁ ଅନୁସରଣ କରି ଜଣେ ସୁପ୍ରଶାସକ ଭାବେ କର୍ତ୍ତବ୍ୟ ସଂପାଦନ ବେଳେ ସମ୍ମୁଖୀନ ହେଉଥିବା ଦାୟିତ୍ବକୁ କେତେ ଦୃଢ଼ତାର ସହିତ ସମାଧାନ କରିପାରିବ, ତାହା ସେ ଲେଖିଥିବା ଉତ୍ତରଗୁଡ଼ିକରୁ ଆକଳନ କରାଯାଏ। ସାକ୍ଷାତ୍‌କାର ସମୟରେ ମଧ୍ୟ ପ୍ରାର୍ଥୀମାନଙ୍କର ବ୍ୟକ୍ତିତ୍ବ ଓ ବୁଦ୍ଧି ଜାଣିବା ପାଇଁ ପରୀକ୍ଷକମାନେ ପ୍ରଶ୍ନ ପଚାରି ଥା’ନ୍ତି।

କିନ୍ତୁ, ଏଭଳି ଏକ ଜଟିଳ ପରୀକ୍ଷା ବ୍ୟବସ୍ଥାରେ ସଫଳତା ମୁଖ୍ୟତଃ ପ୍ରାର୍ଥୀମାନଙ୍କର ଜ୍ଞାନ ଓ ସଚେତନତା ଉପରେ ନିର୍ଭରଶୀଳ। କିଛି ଦିନର କୋଚିଂ ଏଥି ପାଇଁ ଯଥେଷ୍ଟ ନୁହେଁ। ଠିକ୍ ମାର୍ଗରେ ପ୍ରସ୍ତୁତି ପାଇଁ ଦିଗ୍‌ଦର୍ଶନର ଆବଶ୍ୟକତା ଅଛି। ଦିଗ୍‌ଦର୍ଶକମାନେ ମଧ୍ୟ ସେହିପରି ମେଧାବୀ ଏବଂ ପରୀକ୍ଷାର ଗୂଢ଼ତା ତଥା ଉଦ୍ଦେଶ୍ୟକୁ ଠିକ୍‌ ଭାବେ ବୁଝିଥିବା ଆବଶ୍ୟକ। ବିନା କୋଚିଂରେ ବହୁ ବ୍ୟକ୍ତି ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବାର ନଜିର ଅଛି। ଦିଲ୍ଲୀ ଭଳି ସ୍ଥାନରେ ଏଥିପାଇଁ ଭଲ କୋଚିଂର ବ୍ୟବସ୍ଥା ଥିବା ଅନୁଭବ କରି ପ୍ରତି ବର୍ଷ ଓଡ଼ିଶାରୁ ବହୁତ ପିଲା ସ୍ନାତକ ପରେ ଦିଲ୍ଲୀରେ ପଢ଼ିବାକୁ ପସନ୍ଦ କରନ୍ତି। ଏ କଥା ସତ୍ୟ ଯେ ଓଡ଼ିଶା ବାହାରକୁ ଗଲେ ବାହାର ଦୁନିଆ ସହିତ ପରିଚିତ ହେବା ପାଇଁ ସେମାନଙ୍କୁ ସୁଯୋଗ ମିଳେ। ଯଦି ସେମାନଙ୍କୁ ଉପଯୁକ୍ତ ଶୈକ୍ଷିକ ପରିବେଶ ମିଳେ, ତେବେ, ସେମାନେ ନିଜ ଜ୍ଞାନର ସୀମାକୁ ସଂପ୍ରସାରଣ କରିବାର ସୁଯୋଗ ପାଆନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତିର ଯେଉଁ ସଂସ୍କୃତି ଓ ଅନୁଷ୍ଠାନ ସେଠାରେ ଗଢ଼ି ଉଠିଛି, ତାହା ମଧ୍ୟ ସେମାନଙ୍କ ପାଇଁ ସହାୟକ ହୁଏ। ସରକାର ଚାହିଁଲେ ମେଧାବୀ ପିଲାମାନଙ୍କୁ ଚୟନ କରି ଏକ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇ ପାରନ୍ତି। କିନ୍ତୁ, ପିଲାଙ୍କର ବୌଦ୍ଧିକ ସ୍ତରକୁ ମୂଳରୁ ସୁଦୃଢ଼ କଲେ ଏହାର ଆବଶ୍ୟକତା ପଡ଼ିବ ନାହିଁ। କେନ୍ଦ୍ରୀୟ ସେବା କିମ୍ବା ସେହିଭଳି ଗୁରୁତ୍ବପୂର୍ଣ୍ଣ ସେବାରେ ଅଧିକ ଓଡ଼ିଆ ପିଲା ଯୋଗ ଦିଅନ୍ତୁ ବୋଲି ଯଦି ସରକାର ଚାହୁଛନ୍ତି, ସେଥିପାଇଁ ଯୋଜନାବଦ୍ଧ ଉଦ୍ୟମ କରାଯିବା ଆବଶ୍ୟକ। ପ୍ରଥମେ ଆମ ଶିକ୍ଷାନୁଷ୍ଠାନମାନଙ୍କର ଶୈକ୍ଷିକ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉ। ସେଠାରେ ପଢ଼ୁଥିବା ମେଧାବୀ ପିଲାଙ୍କୁ ଚିହ୍ନଟ କରାଯାଉ।

ଏପରିକି ମାଧ୍ୟମିକ ସ୍ତରରୁ ଏମାନଙ୍କୁ ବାଛି ପାରିଲେ ଉତ୍ତମ। ଏହି ଭଳି ଆଗ ଧାଡ଼ିର ପିଲାମାନଙ୍କ ପ୍ରତି ଅଧିକ ଦୃଷ୍ଟି ଦେଇ ସେମାନଙ୍କର ଜ୍ଞାନ ପିପାସା ମେଣ୍ଟାଇବା ପାଇଁ ଶିକ୍ଷକ ଓ ଅଧ୍ୟାପକମାନଙ୍କୁ ପ୍ରୋତ୍ସାହିତ କରାଯାଉ। ସେହିମାନେ ହିଁ ପିଲାମାନଙ୍କ ମନରେ ଉଚ୍ଚ ହେବା ପାଇଁ ଆଶାର ଅଙ୍କୁରୋଦ୍‌ଗମ କରାଇ ପାରିବେ ଓ ଜ୍ଞାନ ଆହରଣ ପାଇଁ ମାର୍ଗ ପ୍ରଦର୍ଶନ କରିବେ। ସେହି ମାର୍ଗରେ ପରିଚାଳିତ ହେଲେ ପିଲାମାନଙ୍କର ବୌଦ୍ଧିକ ମୂଳଦୁଆ ସୁଦୃଢ଼ ହେବ ଏବଂ ଭବିଷ୍ୟତ୍‌ରେ ସେମାନେ ଯେ କୌଣସି ବିଦ୍ୟାକୁ ଆୟତ୍ତ କରିବାରେ ସକ୍ଷମ ହେବେ। ସେମାନଙ୍କ ପାଇଁ ପରୀକ୍ଷା ପୂର୍ବରୁ କୋଚିଂର ଆବଶ୍ୟକତା ରହିବ ନାହିଁ। ଏ ଦିଗରେ ଶିକ୍ଷାନୁଷ୍ଠାନମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସରକାର ଏଇ କଥା ହୃଦୟଙ୍ଗମ କରିବା ଜରୁରୀ। ପିଲାମାନେ କିପରି ଆଧୁନିକ ଶିକ୍ଷା ଲାଭ କରି ନିଜର ସାମର୍ଥ୍ୟ ବଢ଼ାଇ ପାରିବେ, ସେ ଦିଗରେ ଦୃଷ୍ଟି ଦିଆଯାଉ। ବିଦ୍ୟାଳୟ ସ୍ତରରୁ ଏହି ଉଦ୍ୟମ ହେବା ଆବଶ୍ୟକ। ଶିକ୍ଷକ ଚାକିରିରେ ଆରକ୍ଷିତ ସ୍ଥାନ ପାଇଁ ପ୍ରାର୍ଥୀମାନେ ଯୋଗ୍ୟ ବିବେଚିତ ହୋଇ ନ ପାରିବା ଯୋଗୁଁ ସେହି ସ୍ଥାନ ପୂରଣ ପାଇଁ ଯୋଗ୍ୟତାର ମାନଦଣ୍ଡ କୋହଳ କରିବା ନେଇ ପ୍ରସ୍ତାବର ବିଚାର କରାଯାଉଛି ବୋଲି ନିକଟରେ ସମ୍ବାଦ ପ୍ରକାଶ ପାଇଥିଲା। ଯଦି ତାହା ସତ ହୋଇଥାଏ, ତେବେ ପିଲାଙ୍କର ଭବିଷ୍ୟତ୍‌ କ’ଣ ହେବ, ତାହା ସହଜରେ ଅନୁମେୟ।
ସେଲ୍‌ଟର ଛକ, କଟକ

ସମ୍ବନ୍ଧିତ ଖବର