ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବାର ତିନି ସପ୍ତାହ ହୋଇ ଗଲାଣି ଓ ଏହା ଲେଖା ହେବା ବେଳକୁ ଉଭୟ ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଏକ ସମାଧାନ ବାହାର କରିବା ପାଇଁ କଥାବାର୍ତ୍ତା ଚାଲିଥିଲେ ହେଁ, ତୁରନ୍ତ ଯୁଦ୍ଧ ବନ୍ଦ ହେବାର କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ। ଏହି ଯୁଦ୍ଧରେ ଗୋଟିଏ ପଟେ ଚୀନ୍ ରୁଷିଆର ମିତ୍ର ରୂପେ ଆବିର୍ଭୂତ ହୋଇଥିବା ବେଳେ ଅନ୍ୟ ପଟେ ଆମେରିକା ଓ ଅଧିକାଂଶ ପଶ୍ଚିମ ୟୁରୋପୀୟ ଦେଶମାନେ ୟୁକ୍ରେନ୍ ପ୍ରତି ସମର୍ଥନ ଜ୍ଞାପନ କରିବା ସହିତ ତାକୁ ବିଭିନ୍ନ ପରୋକ୍ଷ ସହାୟତା ପ୍ରଦାନ କରୁଛନ୍ତି। ଏଭଳି ସହାୟତାର ଗୋଟିଏ ଉଦାହରଣ ହେଉଛି ସେମାନେ ରୁଷିଆ ପ୍ରତି ଲାଗୁ କରିଥିବା ଅର୍ଥନୈତିକ ବାସନ୍ଦ ବ୍ୟବସ୍ଥା। ଏଭଳି ପଦକ୍ଷେପ ଯେ ସେ ଯୁଦ୍ଧର ଆନ୍ତର୍ଜାତତକୀକରଣ ଆରମ୍ଭ କରି ଦେଇଛି, ଏଥିରେ ସନ୍ଦେହ ନାହିଁ। ଏଥିଯୋଗୁଁ ଯୁଦ୍ଧର ପ୍ରଭାବ କେବଳ ସେଇ ସ୍ଥାନୀୟ ଅଞ୍ଚଳରେ ସୀମିତ ନ ରହି ଅନ୍ୟ ଦେଶମାନଙ୍କରେ ମଧ୍ୟ ଅନୁଭୂତ ହେବା ନିଶ୍ଚିତ।

Advertisment

ଏହା ସର୍ବଦା ଦେଖାଯାଇଥାଏ ଯେ ଏଭଳି ଏକ ପରିସ୍ଥିତି ଅନେକଙ୍କ ପାଇଁ କ୍ଷତି ସୃଷ୍ଟି କରିଥିବା ବେଳେ, କେତେକଙ୍କ ପାଇଁ ଅପ୍ରତ୍ୟାଶିତ ଲାଭ ମଧ୍ୟ ଉପୁଜାଇଥାଏ। ଏକ ଉଦାହରଣ ସ୍ବରୂପ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ରବର ଓ ଟିଣ ଭଳି ପ୍ରାକୃତିକ ସମ୍ବଳ ପ୍ରତି ହଠାତ୍ ବୃଦ୍ଧି ପାଇଥିବା ଚାହିଦା କିପରି ଯଥାକ୍ରମେ ବ୍ରାଜିଲ୍ ଓ ମାଳୟର ଅର୍ଥନୀତିକୁ ପରିପୁଷ୍ଟ କରିଥିଲା, ତାହା ପ୍ରତ୍ୟେକ ବିକାଶ ଅର୍ଥନୀତିର ଛାତ୍ରଛାତ୍ରୀଙ୍କୁ ଜଣା। ୟୁକ୍ରେନ୍ ଯୁଦ୍ଧ ଓ ସେଥିଯୋଗୁଁ ଲାଗୁ ହୋଇଥିବା ଅର୍ଥନୈତିକ ବାସନ୍ଦ ବର୍ତ୍ତମାନ ସେହିପରି ଅ‌େଶାଧିତ ତୈଳ, ପ୍ରାକୃତିକ ବାଷ୍ପରୁ ଆରମ୍ଭ କରି ନିକେଲ୍, ଲୁହା, ଆଲୁମିନିଅମ୍ ଆଦି ଭଳି ପ୍ରାକୃତିକ ସମ୍ବଳର ଯୋଗାଣ ବ୍ୟାହତ କରିବା ଦ୍ବାରା ସେ ସମସ୍ତ ଦ୍ରବ୍ୟର ଦର ବୃଦ୍ଧି ଘଟିବା ଦେଖା ଦେଲାଣି, ଯାହା ଖାଉଟି ଦେଶମାନଙ୍କ ପାଇଁ କ୍ଷତିକାରକ ହୋଇଥିବା ବେଳେ ଯୋଗାଣକାରୀ ଦେଶମାନଙ୍କ ପାଇଁ ଲାଭ ସୃଷ୍ଟି କରିଛି। ରୁଷିଆ ଏ ସମସ୍ତ ଦ୍ରବ୍ୟମାନଙ୍କର ଏକ ପ୍ରମୁଖ ରପ୍ତାନିକାରୀ ହୋଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଏ ସମସ୍ତ ଯୁଦ୍ଧାହତ ଯୋଗାଣରେ ଅନ୍ତର୍ଭୁକ୍ତ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରାକୃତିକ ଉତ୍ପାଦ ହେଉଛି ପୃଥିବୀବାସୀଙ୍କର ମୁଖ୍ୟ ଖାଦ୍ୟଶସ୍ୟର ମର୍ଯ୍ୟାଦା ଲାଭ କରି ଆସିଥିବା- ଗହମ। ରୁଷିଆ ଓ ୟୁକ୍ରେନ୍ ମିଶି ଯେତିକି ପରିମାଣର ଗହମ ରପ୍ତାନି କରିଥା’ନ୍ତି, ତାହା ହେଉଛି ପୃଥିବୀର ମୋଟ ବାର୍ଷିକ ଗହମ ରପ୍ତାନିର ପାଖାପାଖି ୩୦ ଶତାଂଶ। ସେ ଦୁଇ ଦେଶରେ ଅବଶ୍ୟ ଚଳିତ ବର୍ଷର ଗହମ ଫସଲ ଅମଳ ସରି ଫେବ୍ରୁଆରି ସୁଦ୍ଧା ରପ୍ତାନି ପ୍ରାୟ ସମ୍ପୂର୍ଣ୍ଣ ହୋଇ ଯାଇଛି। ଯାହା କିନ୍ତୁ ଚିନ୍ତାର କାରଣ, ତାହା ହେଲା ଆସନ୍ତା ବର୍ଷର ସମ୍ଭାବ୍ୟ ଚିତ୍ର। ଏ ବର୍ଷ ୟୁକ୍ରେନ୍‌ରେ ଯୁଦ୍ଧ ଯୋଗୁଁ ଗହମ ଚାଷ ଆଦୌ ଆରମ୍ଭ ନ ହୋଇପାରେ। ବାସନ୍ଦ ଯୋଗୁଁ ରୁଷିଆ ଠାରୁ ଅନ୍ୟ ଦେଶମାନେ ଗହମ କ୍ରୟ କରିବାକୁ ପଛଘୁଞ୍ଚା ଦେବେ- ଆନ୍ତର୍ଜାତିକ ଜନମତ ଓ ପ୍ରତିକୂଳ ଅର୍ଥନୈତିକ ପ୍ରତିକ୍ରିୟାକୁ ଭୟ କରି। ଏମିତିରେ, ଉଭୟ ୟୁକ୍ରେନ୍ ଓ ରୁଷିଆ ନିଜ ଦେଶର ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବାକୁ ଅଗ୍ରାଧିକାର ପ୍ରଦାନ କରି ଗହମ ରପ୍ତାନିକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରି ଦେଇଛନ୍ତି। ଏହା କିନ୍ତୁ ଆନ୍ତର୍ଜାତିକ ଖାଦ୍ୟ ନିରାପତ୍ତାକୁ ବିପନ୍ନ କରିପାରେ, କାରଣ ଏସିଆ, ମଧ୍ୟପ୍ରାଚ୍ୟ ଓ ଆଫ୍ରିକାର ପ୍ରାୟ ୮୦ କୋଟି ଲୋକ ନିଜର ଦୈନନ୍ଦିନ ଆହାର ପାଇଁ ଏହି ଦୁଇ ଦେଶ ରପ୍ତାନି କରୁଥିବା ଗହମ ଉପରେ ନିର୍ଭର କରିଥା’ନ୍ତି। ଗହମ ବ୍ୟତୀତ ଏ ଦୁଇ ଦେଶ ମଧ୍ୟ ହେଉଛନ୍ତି ବାର୍ଲିରୁ ସୂର୍ଯ୍ୟମୁଖୀ ପର୍ଯ୍ୟନ୍ତ ଶସ୍ୟ ସବୁର ଅଗ୍ରଣୀ ରପ୍ତାନିକାରୀ।

ଏହାକୁ ଏକ ବିଡ଼ମ୍ବନା ବୋଲି ବିଚାର କରାଯାଇପାରେ, ଗହମରେ ଏହି ଯୁଦ୍ଧ ଜନିତ ଯୋଗାଣ ସଂକୋଚନରୁ ଯଦି କୌଣସି ଏକ ଦେଶ ପୂର୍ବବର୍ଣ୍ଣିତ ମାଳୟ ବା ବ୍ରାଜିଲ୍ ଭଳି ଲାଭବାନ୍ ହେବାକୁ ଆରମ୍ଭ କରି ଦେଇଥାଏ, ସେ ଦେଶ ଆଉ କେହି ନୁହେଁ, ସେ ହେଉଛି ରୁଷିଆ ବିରୋଧରେ ବାସନ୍ଦ ଲାଗୁ କରିବାରେ ନେତୃତ୍ବ ନେଇଥିବା- ଯୁକ୍ତରାଷ୍ଟ୍ର ଆମେରିକା। ଆମେରିକା ମଧ୍ୟ ହେଉଛି ଏକ ପ୍ରମୁଖ ଗହମ ରପ୍ତାନିକାରୀ ଦେଶ। ଯୋଗାଣ ସଂକୋଚନ ଯୋଗୁଁ ଆନ୍ତର୍ଜାତିକ ବଜାରରେ ଗହମର ଦରବୃଦ୍ଧି ଘଟିଲେ ଆମେରିକାର ରପ୍ତାନି ଲାଭରେ ବୃଦ୍ଧି ଘଟିବ। ଏଥର ଗୋଟିଏ ନମୁନା ଦରବୃଦ୍ଧି ଉପରେ ନଜର ପକାଯାଉ। ଚଳିତ ବର୍ଷ ଜାନୁଆରି ପ୍ରଥମ ସପ୍ତାହରେ ଏକ ସମୟରେ ଆମେରିକା ପାଇଁ ଗହମର ରପ୍ତାନି ମୂଲ୍ୟ ଥିଲା ଟନ୍ ପିଛା ୨୭୫-୨୮୦ ଡଲାର୍। ଚଳିତ ମାର୍ଚ୍ଚ ପ୍ରଥମ ସପ୍ତାହର ଶେଷ ଦିନରେ ସେଇ ଦର ବୃଦ୍ଧି ପାଇ ଯାଇ ପହଞ୍ଚିଥିଲା ଟନ୍ ପିଛା ୫୨୫ ଡଲାର୍‌ରେ। ଅ‌େଷ୍ଟ୍ରଲିଆରୁ ଆର୍ଜେଣ୍ଟିନା, କାନାଡା ପର୍ଯ୍ୟନ୍ତ ଗହମ ରପ୍ତାନିକାରୀ ଦେଶମାନେ ପରିସ୍ଥିତିରୁ ଅନୁରୂପ ଭାବରେ ଫାଇଦା ଉଠାଇବା ଆରମ୍ଭ କରିଛନ୍ତି।
ଆମ ପାଇଁ ମଧ୍ୟ ଏହି ପରିସ୍ଥିତି ବର୍ତ୍ତମାନ ଡଲାର୍ ଅମଳ ପାଇଁ ଏକ ଅନୁରୂପ ସୁଯୋଗ ସୃଷ୍ଟି କରିଛି, ଯାହାର ତୁରନ୍ତ ସଦୁପଯୋଗ ନ କଲେ ତାହା ଅଳ୍ପ ଦିନ ମଧ୍ୟରେ ଅନ୍ତର୍ଦ୍ଧାନ ହୋଇଯିବାର ସମ୍ଭାବନା ରହିଛି। ଆମ ଦେଶରେ ଖାଦ୍ୟ ନିରାପତ୍ତା ଆବଶ୍ୟକତା ପୂରଣ କରିବା ଉଦ୍ଦେଶ୍ୟରେ ଯେଉଁ ‘ବଫର୍ ଷ୍ଟକ୍’ ବ୍ୟବସ୍ଥା ବଳବତ୍ତର ରହିଛି, ତାହାର ନିୟମ ଅନୁସାରେ ଏପ୍ରିଲ୍‌ ପହିଲାରେ ‘ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ’ ନିକଟରେ ୭.୪୬ ନିୟୁତ ମେଟ୍ରିକ୍ ଟନ୍ ଗହମ ମହଜୁଦ ରହିଥିବା କଥା। ମାର୍ଚ୍ଚରେ ବର୍ତ୍ତମାନ ଏହି ସଂସ୍ଥାର ଗୋଦାମ ମାନଙ୍କରେ ମହଜୁଦ ଥିବା ଗହମ ପରିମାଣ କିନ୍ତୁ ହେଉଛି ୨୩ ନିୟୁତ ମେଟ୍ରିକ୍ ଟନ୍‌ରୁ ଅଧିକ। ଖାଦ୍ୟ ନିରାପତ୍ତା ଓ ଅନ୍ୟାନ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯେତେ ଅଧିକ ପରିମାଣର ଗହମ ନିଜ ପାଖରେ ମହଜୁଦ ରଖିବା ପରେ ମଧ୍ୟ ‘ଏଫ୍‌ସିଆଇ’ ଅନ୍ୟୂନ ୧୫ ନିୟୁତ ମେଟ୍ରିକ୍ ଟନ୍ ଗହମ ରପ୍ତାନି କରିପାରିବ। ସରକାର ମଧ୍ୟ ଆଗାମୀ ସଂଗ୍ରହ ଋତୁରେ ଧାର୍ଯ୍ୟ ସଂଗ୍ରହ ଲକ୍ଷ୍ୟକୁ ୪୪ ନିୟୁତ ମେଟ୍ରିକ୍ ଟନ୍‌ରୁ ପ୍ରାୟ ୩୦ ନିୟୁତ ମେଟ୍ରିକ୍ ଟନ୍‌କୁ ଖସାଇ ଆଣିବା ସମୟୋପଯୋଗୀ ହେବ। ବାକି ଗହମ ଘରୋଇ କ୍ଷେତ୍ରରେ ବ୍ୟବସାୟୀମାନେ ପ୍ରତିଯୋଗିତାମୂଳକ ଦରରେ କ୍ରୟ କରି ରପ୍ତାନି କରିବା ପାଇଁ ସେମାନଙ୍କୁ ସୁଯୋଗ ଦିଆଯିବା ଉଚିତ। ରପ୍ତାନି ସ୍ରୋତ ଯଦି ଅବ୍ୟାହତ ରହେ, ତେବେ ଘରୋଇ ବଜାରରେ ଯେଉଁ ଗହମ ମୂଲ୍ୟ ବିରାଜମାନ କରିବ, ତାହା ନିଶ୍ଚିତ ରୂପେ ସରକାର ପ୍ରଦାନ କରୁଥିବା ସର୍ବନିମ୍ନ ସହାୟକ ମୂଲ୍ୟ (‘ଏମ୍‌ଏସ୍‌ପି’) ଠାରୁ ଉଚ୍ଚରେ ରହିବ, ଯାହା ଗହମ ଉତ୍ପାଦନକାରୀ କୃଷକମାନଙ୍କ ପାଇଁ ଅଧିକ ଲାଭଜନକ ହେବ।

ଗହମ ରପ୍ତାନି ମାଧ୍ୟମରେ ଦେଶ ପାଇଁ ଯେଉଁ ବୈଦେଶିକ ମୁଦ୍ରା ଅର୍ଜିତ ହେବ, ତାହା ଯୁଦ୍ଧ ଜନିତ ତୈଳ ଦର ବୃଦ୍ଧିକୁ ଏକରକମ ଭରଣା କରିବ ବୋଲି କୁହାଯାଇପାରେ। ଭାରତୀୟ ବନ୍ଦରମାନଙ୍କ‌ର ମାଲ୍‌ ବୋଝେଇ ଓ ଖଲାସ କରିବା କ୍ଷମତା ଅନୁଯାୟୀ ଭାରତ ୨୦୨୨-୨୩ରେ ଚାହିଁଲେ ପ୍ରାୟ ୨୦ ନିୟୁତ ମେଟ୍ରିକ୍ ଟନ୍ ଗହମ ରପ୍ତାନି କରିପାରିବ। ଅତୀତରେ ଆନ୍ତର୍ଜାତିକ ଦର ନୀଚା ଓ ଭାରତୀୟ ଦର ଏଠାକାର ଉଚ୍ଚା ‘ଏମ୍‌ଏସ୍‌ପି’ ଯୋଗୁଁ ଉଚ୍ଚା ରହି ଆସିଥିବାରୁ ଭାରତୀୟ ଗହମର ରପ୍ତାନି ସମ୍ଭବ ହୋଇ ପାରୁନଥିଲା। ବର୍ତ୍ତମାନ ଯୁଦ୍ଧ ଯୋଗୁଁ ଆନ୍ତର୍ଜାତିକ ବଜାରରେ ଗହମ ଦରରେ ବୃଦ୍ଧି ଘଟି ଭାରତୀୟ ଗହମର ରପ୍ତାନି ପଥରେ ଥିବା ସେ ପ୍ରତବନ୍ଧ ଦୂର ହୋଇ ଯାଇଛି। ଭାରତ ଯଦି ଟନ୍ ପିଛା ହାରାହାରି ୪୦୦ ଡଲାର୍ ମୂଲ୍ୟ ପାଏ, ତେବେ ୨୦ ନିୟୁତ ମେଟ୍ରିକ୍ ଟନ୍ ଗହମ ରପ୍ତାନିରୁ ଅର୍ଜନ କରାଯାଇପାରିବ ଏକ ବିଶାଳ ଅଙ୍କର ବୈଦେଶିକ ମୁଦ୍ରା- ୮ ବିଲିଅନ୍ ଡଲାର୍। ଯଦି ଅନତି ବିଳମ୍ବେ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ସନ୍ଧି ସ୍ଥାପିତ ହୋଇ ଯୁଦ୍ଧ ବନ୍ଦ ହୋଇଯାଏ, ତା’ହେଲେ ଆନ୍ତର୍ଜାତିକ ବଜାରରେ ଗହମ ଦରରେ ସ୍ଖଳନ ଘଟି ଭାରତୀୟ ଗହମର ପ୍ରତିଯୋଗିତା କ୍ଷମତାକୁ ନିଶ୍ଚିହ୍ନ କରି ଦେଇପାରେ। ସେ ଭଳି ଘଟିବା ପୂର୍ବରୁ ଭାରତୀୟ ରପ୍ତାନିକାରୀମାନେ ଯେତେ ତରବର ହୋଇ ବୈଦେଶିକ କ୍ରେତାମାନଙ୍କ ସହିତ ରପ୍ତାନି ଚୁକ୍ତି ସମ୍ପନ୍ନ କରି ପାରିବେ, ତାହା ସେମାନଙ୍କ ପାଇଁ ତଥା ଭାରତ ପାଇଁ ସେତେ ଲାଭଜନକ ହେବ।