‘ଏହିପରି’ ଓମାର୍

ସ୍ବାଧୀନ ଭାରତ କାଶ୍ମୀରର ଯେଉଁ ଖଣ୍ଡଟି ଦୁର୍ଭାଗ୍ୟବଶତଃ ପାକିସ୍ତାନର ଦଖଲରେ ରହି ଯାଇଛି, ତାହାକୁ ନିଜର ଅବିଚ୍ଛେଦ୍ୟ ଅଂଶ ରୂପେ ସର୍ବଦା ପ୍ରଦର୍ଶିତ କରି ଆସିଛି। ଏଥିଯୋଗୁଁ ସେ ଇଲାକାରେ ଅନ୍ୟ କାହାର ଅନୁପ୍ରବେଶ ସ୍ବାଭାବିକ ଭାବରେ ଭାରତ ପକ୍ଷରୁ କୂଟନୈତିକ ବିରୋଧର ସମ୍ମୁଖୀନ ହୋଇ ଆସିଛି। ଏହି ପରିପ୍ରେକ୍ଷୀରେ ତେଣୁ ଗତ ସପ୍ତାହରେ ଜଣେ ଆମେରିକୀୟ ଲୋକପ୍ରତିନିଧିଙ୍କର ଏହି ଅଞ୍ଚଳ ଗସ୍ତ ଓ କାଶ୍ମୀର ସମ୍ପର୍କରେ ପ୍ରଦତ୍ତ ଅଯାଚିତ ମନ୍ତବ୍ୟ ବିରୋଧରେ ଭାରତ ସରକାରଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ପ୍ରକାଶ ପାଇଥିବା ତୀବ୍ର ପ୍ରତିକ୍ରିୟାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସମ୍ପୃକ୍ତ ଲୋକ ପ୍ରତିନିଧିଜଣକ ହେଉଛନ୍ତି ଆମେରିକା କଂଗ୍ରେସର ତଳ ଗୃହ ‘ପ୍ରତିନିଧି ସଭା’ (‘ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍‌ସ’ ବା ସଂକ୍ଷେପରେ କେବଳ ‘ହାଉସ୍’)ର ଅତ୍ୟନ୍ତ ବିବଦମାନ ସଦସ୍ୟା, ଇସ୍‌ଲାମୀୟ ମୌଳବାଦର ଦୃଢ଼ ସମର୍ଥକ ଓ ଇହୁଦୀମାନଙ୍କର ତୀବ୍ର ବିରୋଧୀ ରୂପେ ଜଣାଶୁଣା, ସୋମାଲିଆରେ ଜନ୍ମିତା ଇଲ୍‌ହାନ୍ ଓମାର୍।

ଭାରତର ପ୍ରତିକ୍ରିୟା କିପରି ଶାଣିତ ଥିଲା, ଏହି ଉଦ୍ଧୃତାଂଶରୁ ତାହା ସ୍ପଷ୍ଟ ହୋଇଥାଏ: ‘‘ଯଦି ଏହିପରି ଜଣେ ରାଜନେତ୍ରୀ ତାଙ୍କ ନିଜ ଦେଶରେ ତାଙ୍କର ସଂକୀର୍ଣ୍ଣମନା ରାଜନୀତି ଅଭ୍ୟାସ କରିବାକୁ ଚାହାଁନ୍ତି, ତାହା ତାଙ୍କର ନିଜର ବ୍ୟାପାର ହୋଇ ପାରେ। କିନ୍ତୁ ତାହା ଅନୁସରଣ କରିବା ପାଇଁ ଆମର ଆଞ୍ଚଳିକ ଅଖଣ୍ଡତା ଓ ସାର୍ବଭୌମତା ଉଲ୍ଲଂଘନ କଲେ ତାହା ଆମର ବ୍ୟାପାରରେ ପରିଣତ ହୁଏ।’’ ଏଠାରେ ପ୍ରଥମେ କାଶ୍ମୀରକୁ ନେଇ ନେତ୍ରୀଜଣକ କରିଥିବା ରାଜନୀତି ଉପରେ ଦୃଷ୍ଟିପାତ କରିବା ପରେ ଭାରତୀୟ ବିବୃତିରେ କୁହାଯାଇଥିବା ‘ଏହିପରି’ ଉପରେ ଅଧିକ ଆଲୋକପାତ କରିବା ଯଥାର୍ଥ ହେବ। ଅନୁପ୍ରବେଶକାରିଣୀ ଲୋକପ୍ରତିନିଧିଜଣକ ପାକ୍-ଅଧିକୃତ କାଶ୍ମୀରରେ ଥାଇ ପ୍ରଦାନ କରିଥିବା ମନ୍ତବ୍ୟ ଥିଲା: ‘‘ମୁଁ ବିଶ୍ବାସ କରୁନାହିଁ ଯେ [ଆମେରିକାର] କଂଗ୍ରେସ୍‌ରେ [କାଶ୍ମୀର ପ୍ରସଙ୍ଗ] ଯେତିକି ଆଲୋଚିତ ହେବା ଦରକାର ସେତିକି ହେଉଛି କିମ୍ବା ପ୍ରଶାସନରେ ମଧ୍ୟ ସେତିକି ହେଉଛି।’’

ଏଠାରେ ସୂଚାଇବା ଆବଶ୍ୟକ ଯେ ଇଲ୍‌ହାନ୍ ଓମାର୍ ହେଉଛନ୍ତି ବର୍ତ୍ତମାନ ଆମେରିକାରେ କ୍ଷମତାସୀନ ଡେମୋକ୍ରାଟିକ୍ ଦଳର ସଦସ୍ୟା। ଆମେରିକାରେ ସରକାର ଯେଉଁ ଦଳର ହୋଇଥାଉ ନା କାହିଁକି, କାଶ୍ମୀର ସମ୍ପର୍କରେ ଆମେରିକାର ସରକାରୀ ଆଭିମୁଖ୍ୟ ଦୀର୍ଘ କାଳ ଧରି ଯାହା ହୋଇ ଆସିଛି, ତାହା ହେଲା, ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ମାଧ୍ୟମରେ ହିଁ ଏହାର ସମାଧାନ ହେବା ଉଚିତ ଏବଂ କୌଣସି ତୃତୀୟ ଦେଶ ଏଥିରେ ହସ୍ତକ୍ଷେପ କରିବାର ଅବକାଶ ନାହିଁ। ଆମେରିକାର ସରକାରୀ ଦଳର ଜଣେ ଲୋକପ୍ରତିନିଧି ଏବେ ପାକ୍-ଅଧିକୃତ କାଶ୍ମୀରରେ ପଦପାତ କରି କାଶ୍ମୀର ସମସ୍ୟା ସମାଧାନରେ ଆମେରିକାର ଭୂମିକା ରହିବା ଉଚିତ ବୋଲି ଘୋଷଣା କରିବା ସିଧାସଳଖ ଆମେରିକାର ଦୀର୍ଘକାଳୀନ ସରକାରୀ ନୀତିର ବିରୋଧାଚରଣ କରିଥାଏ। ଅବଶ୍ୟ ତତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଭାରତର ପ୍ରତିକ୍ରିୟା ପରେ ଆମେରିକା ସରକାର କାଳବିଳମ୍ବ ନ କରି ଇଲ୍‌ହାନ୍ ଓମାର୍‌ଙ୍କର ଗସ୍ତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଓ ତାଙ୍କର ମନ୍ତବ୍ୟ ମଧ୍ୟ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଥିଲା ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି।

ଏଥର ଦେଖାଯାଉ ଏହି ଇଲ୍‌ହାନ୍ ଓମାର୍ କିଏ ଓ ତାଙ୍କର ପାକିସ୍ତାନ ଗସ୍ତ ପଛରେ ନିହିତ ଥିବା ମାନସିକତା ହେଉଛି କିଭଳି? ପୂର୍ବ ଆଫ୍ରିକାର ସୋମାଲିଆ ହେଉଛି ପୃଥିବୀର ସର୍ବାଧିକ ଅରାଜକତାପୂର୍ଣ୍ଣ ଓ ଇସ୍‌ଲାମୀୟ ଚରମପନ୍ଥୀ ଅଧ୍ୟୁଷିତ ଦେଶମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ। ଚାଳିଶ ବର୍ଷୀୟା ଇଲ୍‌ହାନ୍ ୧୨ ବର୍ଷ ବୟସରେ ଏହି ଦେଶ ତ୍ୟାଗ କରି ନିଜ ପରିବାର ସହ ଆମେରିକାରେ ଶରଣାର୍ଥୀ ରୂପେ ଆଶ୍ରୟ ଗ୍ରହଣ କରିଥିଲେ। ଏହାର ପାଞ୍ଚ ବର୍ଷ ପରେ ସେ ଆମେରିକାରେ ନାଗରିକତ୍ବ ହାସଲ କରି, ସେଠାରେ ଶିକ୍ଷା ସମାପ୍ତ କରି ୨୦୧୬ରେ ସର୍ବପ୍ରଥମ ସୋମାଲି-ଆମେରିକୀୟ ରୂପେ ଆମେରିକାର କଂଗ୍ରେସ୍‌କୁ ନିର୍ବାଚିତ ହେଲେ। ଏଭଳି ରାଜନୈତିକ ସଫଳତା ହାସଲ କରିବାରେ ଆମେରିକାରେ ଯେଉଁ ଦୁଇ ଜଣ ହେଉଛନ୍ତି ସର୍ବପ୍ରଥମ ମୁସଲମାନ ମହିଳା, ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଇଲ୍‌ହାନ୍ ଓମାର୍। ପ୍ରାଣ ବିକଳରେ ନିଜ ଦେଶ ଛାଡ଼ି ଆମେରିକାରେ ଆଶ୍ରୟ ନେଇ ଏପରି ସଫଳତା ଲାଭ କରିଥିବା ଓମାର୍‌ଙ୍କ ରାଜନୀତିରେ ଯେଉଁ ଦୁଇଟି ଦିଗ ପାଇଁ ସେ ସର୍ବଦା ଚର୍ଚ୍ଚିତ ହୋଇ ଆସିଛନ୍ତି, ଆଶ୍ଚର୍ଯ୍ୟଜନକ ଭାବରେ ସେ ଛାଡ଼ି ପଳାଇ ଆସିଥିବା ଦୁନିଆ ସହିତ ତା’ର ଘନିଷ୍ଠ ସମ୍ବନ୍ଧ ରହିଛି। ଗୋଟିଏ ହେଉଛି ଇସ୍‌ଲାମୀୟ ମୌଳବାଦ ପ୍ରତି ତାଙ୍କର ସମର୍ଥନ ଏବଂ ଅନ୍ୟଟି ହେଉଛି ଇହୁଦୀମାନଙ୍କ ପ୍ରତି ତାଙ୍କର ବୈର ଭାବ। ପ୍ରଥମଟିର ପାର୍ଶ୍ବଫଳ ସ୍ବରୂପ ସେ ବିଭିନ୍ନ ସମୟରେ ଭାରତ-ବିରୋଧୀ ଆଭିମୁଖ୍ୟ ପ୍ରଦର୍ଶନ କରି ଆସିଥିବା ବେଳେ, ଦ୍ବିତୀୟଟି ତାଙ୍କୁ ଇସ୍ରାଏଲ୍‌ର ଚରମ ବିରୋଧୀରେ ପରିଣତ କରିଛି।

ଇସ୍‌ଲାମୀୟ ମୌଳବାଦୀଙ୍କ ପ୍ରତି ତାଙ୍କର ଏକାତ୍ମ ଭାବ ଓମାର୍‌ଙ୍କୁ ଏପରି ହିତାହିତ ଜ୍ଞାନଶୂନ୍ୟ କରିବା ଦେଖାଯାଇଛି ଯେ ସେ ଏକଦା ୯/୧୧ ଆକ୍ରମଣକୁ ଏକ ନଗଣ୍ୟ ଘଟଣା ରୂପେ ପ୍ରଦର୍ଶିତ କରିବାକୁ ମଧ୍ୟ ପଛାଇ ନାହାନ୍ତି। ସେ ପ୍ରାୟ ୩,୦୦୦ ନିରୀହ ଲୋକଙ୍କର ପ୍ରାଣନାଶ ଘଟାଇଥିବା ଏହି ଇସ୍‌ଲାମୀୟ ଆତଙ୍କବାଦୀ ଆକ୍ରମଣକୁ ‘‘କିଛି ଲୋକ କ’ଣ ଗୋଟାଏ କରିଦେଲେ’’ ବୋଲି ବର୍ଣ୍ଣନା କରି ସମଗ୍ର ସଭ୍ୟ ସମାଜକୁ ହତଭମ୍ଭ କରି ଦେଇଥିଲେ। ଏଭଳି ଅଣମୁସଲମାନମାନଙ୍କର ଗଣହତ୍ୟା ପ୍ରତି ତାଙ୍କର ସମ୍ବେଦନହୀନତାର ଏହା ଏକମାତ୍ର ଉଦାହରଣ ନୁହେଁ। ପ୍ରାୟ ଶହେ ବର୍ଷ ତଳେ ତୁର୍କୀର ଅଟୋମାନ୍ ଶାସକଙ୍କ ଦ୍ବାରା ପ୍ରାୟ ୧୫ ଲକ୍ଷ ନିରୀହ ଆର୍ମେନୀୟମାନଙ୍କର ବର୍ବର ଗଣହତ୍ୟା ସଂଘଟିତ ହୋଇଥିଲା। ଯେତେବେଳେ ପ୍ରତିନିଧି ସଭାରେ କେତେଦିନ ତଳେ ଏହି ଆର୍ମେନୀୟ ଗଣହତ୍ୟାକୁ ନିନ୍ଦା କରି ଏକ ସଂକଳ୍ପ ବିଶାଳ ବହୁମତ ଦ୍ବାରା ଗୃହୀତ ହେଲା, ଡେମୋକ୍ରାଟିକ୍ ପାର୍ଟିର ଏହି ‘ବିପ୍ଳବୀ’ ସଦସ୍ୟା ଜଣକ ସେତେବେଳେ ଏହାକୁ ସମର୍ଥନ ପ୍ରଦାନ କରିବା ପରିବର୍ତ୍ତେ ମତଦାନରୁ ନିବୃତ୍ତ ରହିଥିଲେ। କାରଣ, ଇଲ୍‌ହାନ୍ ଓମାର୍ ହେଉଛନ୍ତି ଜଣାଶୁଣା ଭାବରେ ତୁର୍କୀର ଇସ୍‌ଲାମବାଦୀ ରାଷ୍ଟ୍ରପତି ରିସେପ୍ ତାଇପ୍ ଏର୍ଡୋଗାନ୍‌ଙ୍କର ଜଣେ ଦୃଢ଼ ସମର୍ଥକ।

ଇହୁଦୀମାନଙ୍କ ପ୍ରତି ତାଙ୍କର ଘୃଣା ଓ ବିରୋଧ ତାଙ୍କର ଏ ସମ୍ପର୍କିତ ଅସଂଖ୍ୟ ମନ୍ତବ୍ୟ ଓ ଟ୍ବିଟ୍‌ମାନଙ୍କରେ ପ୍ରତିଫଳିତ ହୋଇଛି। ଆମେରିକାର ବିଭିନ୍ନ ଇହୁଦୀ ସଂଗଠନମାନ ଏ ସମ୍ପର୍କରେ ବାରମ୍ବାର ଡେମୋକ୍ରାଟିକ୍ ପାର୍ଟିର ନେତୃବର୍ଗଙ୍କର ଦୃଷ୍ଟି ଆକର୍ଷଣ କରି ଓମାର୍‌ଙ୍କୁ ପାର୍ଟି ଟିକେଟ୍ ଦିଆ ନ ଯିବା ପାଇଁ ଆହ୍ବାନ ଦେବା ଦେଖାଯାଇଛି। ଭାରତ ପ୍ରତି ତାଙ୍କର ବିଦ୍ବେଷ ଓମାର୍‌ଙ୍କୁ ପାକିସ୍ତାନର ଯେତିକି ପ୍ରିୟ କରାଇଛି, ଇହୁଦୀମାନଙ୍କ ପ୍ରତି ତାଙ୍କର ଶତ୍ରୁଭାବ ମଧ୍ୟ ସେତିକି କରିଛି। ପାକିସ୍ତାନରେ ଜନସାଧାରଣଙ୍କ ମଧ୍ୟରେ ଇହୁଦୀ-ବିରୋଧୀ ଭାବନା ଯେ କିଭଳି ପ୍ରବଳ ତାହା ଏକ ହୃଦୟ ବିଦାରକ ଢଙ୍ଗରେ ଦେଖିବାକୁ ମିଳିଥିଲା ସେଠାରେ ୨୦୧୧ରେ। ସେ ବର୍ଷ ଡେନ୍‌ମାର୍କରେ ‘ଜିଲାଣ୍ଡ୍‌ପୋଷ୍ଟର୍ନ‌୍’ ନାମକ ଏକ ପତ୍ରିକାରେ ଇସ୍‌ଲାମର ପ୍ରବର୍ତ୍ତକ ମହାପୁରୁଷ ମହମ୍ମଦଙ୍କର ଏକ କାର୍ଟୁନ୍ ପ୍ରକାଶ ପାଇବା ପରେ ଏହା ବିରୋଧରେ ଯେଉଁ ସମସ୍ତ ଦେଶରେ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା, ସେଥି ମଧ୍ୟରେ ଅଗ୍ରଣୀ ଥିଲା ପାକିସ୍ତାନ। ଡେନ୍‌ମାର୍କ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ କେତେକ ବିକ୍ଷୋଭକାରୀ ପୋଷ୍ଟର୍ ଧରିଥିବା ଦେଖା ଯାଇଥିଲା, ଯେଉଁଥିରେ ଲେଖା ଥିଲା: ‘‘ହିଟ୍‌ଲର ଜିନ୍ଦାବାଦ୍’’, ‘‘ଇହୁଦୀମାନଙ୍କ ପାଇଁ ମୃତ୍ୟୁ’’। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ହିଟ୍‌ଲର୍ ପ୍ରାୟ ଛ’ନିୟୁତ ଇହୁଦୀଙ୍କର ଗଣହତ୍ୟା କରିଥିଲେ। ପାକିସ୍ତାନରେ ଏବେ ପ୍ରଚାର ଚାଲିଛି ଯେ ଇହୁଦୀମାନେ ପାକିସ୍ତାନର ଧ୍ବଂସ ସାଧନ ପାଇଁ ଚକ୍ରାନ୍ତ କରି ଇମରାନ୍ ଖାଁଙ୍କୁ କ୍ଷମତାସୀନ କରାଇଥିଲେ।
ଅତୀତରେ ଆଫଗାନିସ୍ତାନକୁ ସୋଭିଏତ୍ ଦଖଲରୁ ମୁକ୍ତ କରିବା ପାଇଁ ଆମେରିକା ସେ ଅଞ୍ଚଳରେ ଜିହାଦୀମାନଙ୍କୁ ଯେଉଁଭଳି ପରିପୁଷ୍ଟ କରିଥିଲା, ବର୍ତ୍ତମାନ ଜଣେ ପାକିସ୍ତାନ ପ୍ରେମୀ, ଇହୁଦୀ-ବିରୋଧୀ, ଭାରତ-ବିରୋଧୀ ଲୋକପ୍ରତିନିଧିଙ୍କର ସେ ଅଞ୍ଚଳରେ ଉପସ୍ଥିତି ଭାରତରେ ଯଦି ତାହାର ପୁନରାବୃତ୍ତିର ଆଶଙ୍କା ସୃଷ୍ଟି କରେ, ତେବେ ବିସ୍ମୟର କାରଣ ନାହିଁ।

ସମ୍ବନ୍ଧିତ ଖବର