ଓଡ଼ିଆ ଜାଗିବ କେବେ?

ପ୍ରଭାତ ଦାଶ

କିଛି ଦିନ ପୂର୍ବରୁ ଆନ୍ଧ୍ରର କୋଟିଆ ଦଖଲ ନେଇ ଯେଭଳି ତୀବ୍ର ପ୍ରତିକ୍ରିୟା ଓଡ଼ିଶାର ଜନମାନସରେ ସୃଷ୍ଟି ହେଲା ତାହା ସ୍ବାଭାବିକ ଏବଂ ପ୍ରତିକ୍ରିୟା ସହିତ ଯେଉଁମାନେ ଓଡ଼ିଆ ଜାତିକୁ ଏକ ଦୃଢ଼ ଆହ୍ବାନ ଦେଲେ ଓ ଜାଗ୍ରତ କରିବାକୁ ଦୃଢ ପ୍ରଚେଷ୍ଟା କଲେ ସେମାନେ ସମସ୍ତେ ଅଭିନନ୍ଦନୀୟ। ଦୃଢ଼ ଚେଷ୍ଟା ହିଁ ସଫଳତା ଆଣି ଦିଏ। ତେବେ କୋଟିଆ ନୁହେଁ ଏବଂ ଓଡ଼ିଶାର ସମସ୍ୟା କେବଳ ସୀମା ବିବାଦ ଭିତରେ ସୀମାବଦ୍ଧ ନୁହେଁ। ଓଡ଼ିଶାର ସମସ୍ୟା ବହୁବିଧ- ଆଞ୍ଚଳିକ, ଅର୍ଥନୈତିକ, ସାମାଜିକ, ବ୍ୟବସାୟିକ, ରାଜନୈତିକ ଏବଂ ସାଂସ୍କୃତିକ ଇତ୍ୟାଦି। ପ୍ରଥମେ ଆଞ୍ଚଳିକ ସମସ୍ୟା। ସୀମାବର୍ତ୍ତୀ ଅଞ୍ଚଳ ନେଇ ଓଡ଼ିଶାର ଦ୍ବନ୍ଦ୍ବ କେବଳ ଆନ୍ଧ୍ର ସହିତ ନାହିଁ; ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସହିତ ମଧ୍ୟ ରହିଛି। କିନ୍ତୁ ଏ ନେଇ ଆନ୍ଧ୍ର ଯେତିକି ସକ୍ରିୟ, ଅନ୍ୟମାନେ ସେହି ପରିମାଣରେ ସକ୍ରିୟ ନାହାନ୍ତି। ଆନ୍ଧ୍ରର ଅନ୍ୟ ପଡ଼ୋଶୀ ଯେମିତିକି ତେଲେଙ୍ଗାନା, କର୍ଣ୍ଣାଟକ, କେରଳ ଭଳି ଦକ୍ଷିଣବର୍ତ୍ତୀ ରାଜ୍ୟଗୁଡ଼ିକ ସହିତ କୌଣସି ସୀମା ବିବାଦ ନାହିଁ। ସେମିତିି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାନା, ରାଜସ୍ଥାନ ଇତ୍ୟାଦି ରାଜ୍ୟ। କାହାରି କାହା ସହିତ କୌଣସି ସୀମା ବିବାଦ ନାହିଁ। ଏପରିକି ପଶ୍ଚିମବଙ୍ଗର ଝାଡ଼ଖଣ୍ଡ ଓ ବିହାର ସହିତ ସୀମା ବିବାଦ ନାହିଁ। ତେବେ, ଓଡ଼ିଶା ସହିତ ବିଭିନ୍ନ ପ୍ରଦେଶର ସୀମା ବିବାଦ କାହିଁକି? ଆମ ଭାଷାରେ ଏକ ବହୁ ପ୍ରଚଳିତ ଢଗ ‘ଗରିବ ମାଇପ ସବୁରି ଶାଳୀ’ ଭଳି ସ୍ଥିତି କି? ଯେହେତୁ ଓଡ଼ିଶା ସବୁ ଦୃଷ୍ଟିରୁ ଦୁର୍ବଳ, ତେଣୁ ତା’ ଉପରେ ସମସ୍ତଙ୍କର ଅତ୍ୟାଚାର!

ଏବେ ଓଡ଼ିଶାର ଅର୍ଥନୀତିକୁ ଆସିବା। ଓଡ଼ିଶା ଜନସଂଖ୍ୟାର ପ୍ରାୟ ୮୦ ପ୍ରତିଶତ କୃଷି ଉପରେ ନିର୍ଭରଶୀଳ, ଅଥଚ, ଏଠାରେ ଚାଷୀର ମୁଣ୍ଡ ପିଛା ଆୟ ପ୍ରାୟ ୫୦୦୦ ଟଙ୍କା ମାତ୍ର। ପଡ଼ୋଶୀ ଆନ୍ଧ୍ରର ଚାଷୀଙ୍କର ମୁଣ୍ଡ ପିଛା ଆୟ ପ୍ରାୟ ୧୨୦୦୦ ଟଙ୍କା, ଅର୍ଥାତ୍‌ ଓଡ଼ିଶା ଚାଷୀଙ୍କ ଠାରୁ ପ୍ରାୟ ୨.୫ ଗୁଣ ଅଧିକ, ବଙ୍ଗଳାର ଚାଷୀ ମଧ୍ୟ ଓଡ଼ିଶା ଚାଷୀଙ୍କ ଠାରୁ ୧.୫ ଗୁଣ ଅଧିକ ଆୟ କରନ୍ତି। ଏବେ ଦେଖାଯାଉଛି ଯେ କିଛି ଆନ୍ଧ୍ର ଚାଷୀ ଓଡ଼ିଶାରେ ଜମି କିଣି ଚାଷ କରି ଭଲ ଆୟ କରୁଛନ୍ତି। ତେଣୁ ଆମ ଚାଷୀଙ୍କ ଦୁଃସ୍ଥିତିର କାରଣ ଅବୋଧ୍ୟ ଲାଗେ। ଓଡ଼ିଶା ଆଳୁ, ପିଆଜ ଓ ପନିପରିବା, ଫଳମୂଳ, ଫୁଲ, ମାଛ, ଅଣ୍ଡା, କୁକୁଡ଼ା ଏପରି କି ଲୁଣ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ଓଡ଼ିଆ ଚାଷୀ ନିଜ ମାଟିରେ ମୁଖ୍ୟତଃ କିଛି ଧାନ ଚାଷ କରି ସନ୍ତୁଷ୍ଟ ରହନ୍ତି; ବର୍ଷା ଦିନ ଛଡ଼ା ଅନ୍ୟ ସମସ୍ତ ସମୟରେ ପ୍ରାୟତଃ ଜମି ପଡ଼ିଆ ପଡ଼େ। ଏଭଳି ସ୍ଥଳେ ସରକାରଙ୍କ ଦ୍ବାରା ଦିଆଯାଉଥିବା ଟଙ୍କାକିଆ ଚାଉଳ ଯୋଜନାକୁ ଅନେକ ଏହା ପଛରେ ଥିବା କାରଣ ରୂପେ ଦେଖନ୍ତି। ଅବଶ୍ୟ, ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ସମାନ ବ୍ୟବସ୍ଥା ଅଛି। ମାତ୍ର ଏଠି ମାନସିକତା କଥା ଆସେ। ଗୁଜୁରାଟରେ ଟଙ୍କାକିଆ ଚାଉଳ ପ୍ରାୟତଃ ଆଦିବାସୀମାନଙ୍କ ପାଖକୁ ଯାଏ ଅଥବା ପଶୁ ଖାଦ୍ୟରେ ବ୍ୟବହୃତ ହୁଏ। କିନ୍ତୁ ଓଡ଼ିଶାରେ ପକ୍କା ଘର ଥିବା ଲୋକ ମଧ୍ୟ ଟଙ୍କାକିଆ ଚାଉଳ ଆଣନ୍ତି। ଏଠାରେ କଠିନ ପରିଶ୍ରମ କରିବାର ଇଚ୍ଛା ବା ଉପରକୁ ଉଠିବାର ମହତ୍ତ୍ବାକାଂକ୍ଷା‌ ନ ଥିବାରୁ ‌େଢାକେ ପିଇ ଦଣ୍ଡେ ଜିଇ ଭଳି ଜୀବନ କଟିଥାଏ।

ଏବେ ସାମାଜିକ ବ୍ୟବସ୍ଥା କଥା ପଡୁ। ଏକ ବିଡ଼ମ୍ବନା, ଓଡ଼ିଆଙ୍କର ନିଜ ରାଜ୍ୟରେ ପ୍ରତିଷ୍ଠା ନାହିଁ କି ଓଡ଼ିଆ ଭାଷାର ଏଠାରେ ମହତ୍ତ୍ବ ନାହିଁ। କିଛି ଦିନ ତଳେ ଲେଖକ ଭୁବନେଶ୍ବରରେ ଭାରତ ସରକାରଙ୍କର ଏକ ଅଫିସ୍‌କୁ ଯାଇଥିଲା। ସେଠାରେ ଉଚ୍ଚ ପଦରେ ଅବସ୍ଥାପିତା ଜଣେ ଓଡ଼ିଆ ସାଂଗିଅାଧାରୀ ମହିଳାଙ୍କ ସହ କଥାବାର୍ତ୍ତା ବେଳେ ସେ ପଟରୁ କେବଳ ହିନ୍ଦୀରେ ଉତ୍ତର ଆସିଲା। ସେ ଓଡ଼ିଆ କାହିଁକି କହୁ ନାହାନ୍ତି ବୋଲି ପଚାରିବାରୁ କାରଣରୂପେ ଦିଲ୍ଲୀରେ ତାଙ୍କ ୩୦ ବର୍ଷର ରହଣିଜନିତ ଅଭ୍ୟାସହାନି ବୋଲି ‌େସ ଦର୍ଶାଇଲେ। ଅଥଚ ଶୁଣିବାକୁ ମିଳିଲା ଯେ ସେ ଗଲା ଆଠ ବର୍ଷ ହେଲାଣି ଓଡ଼ିଶାକୁ ଆସି ସାରିଛନ୍ତିି। ଏଣେ, ଇଂରେଜଙ୍କ ସମୟର ସୂର୍ଯ୍ୟାସ୍ତ ଆଇନ ବଳରେ ବହୁ ଓଡ଼ିଆ ଜମିଦାରି ବଙ୍ଗୀୟମାନଙ୍କ ହାତକୁ ଚାଲିଯିବାରୁ ବହୁ ବଙ୍ଗୀୟ ପରିବାର ଓଡ଼ିଶା ମାଟିରେ ୧୫୦ ବର୍ଷ ଧରି ରହିଲେଣି ତଥାପି ସେମାନେ ନିଜ ଭିତରେ କେବଳ ବଙ୍ଗଳାରେ ହିଁ କଥାବାର୍ତ୍ତା କରୁଛନ୍ତି। ମାତୃଭାଷାକୁ ନେଇ ଆଦୌ ସ୍ବାଭିମାନୀ ହୋଇ ନ ଥିବା ଜାତିକୁ କେହି କ’ଣ କେବେ ସମ୍ମାନ ଦେବେ?

ଆଜି ଓଡ଼ିଶାର ବା ଓଡ଼ିଆଙ୍କର ଯେଉଁ ଦୁଃଖଦ ପରିସ୍ଥିତି ଏଥିପାଇଁ ଦାୟୀ କିଏ? ଏଥିପାଇଁ କ’ଣ ବଙ୍ଗୀୟ ନା ତେଲେଗୁ ନା ତାମିଲନାଡୁବାସୀ ଦାୟୀ? ନା! ଏଥିପାଇଁ ଦାୟୀ ଆମେ ନିଜେ। ଆମେମାନେ ଯଦି ଆମ ନିଜ ଲୋକଙ୍କ ବିରୋଧରେ କାର୍ଯ୍ୟ କରିବା ଏବଂ ନିଜକୁ ନିଜେ ଚୋଟ ମାରିବା, ତାହା ହେଲେ ଆମକୁ କିଏ ରକ୍ଷା କରିପାରିବ? ବର୍ତ୍ତମାନ ଆଖି ଖୋଲିବାର ସମୟ ଆସି ଯାଇଛି।

ଏବେ ଓଡ଼ିଶାରେ ଓଡ଼ିଆ ବ୍ୟବସାୟୀଙ୍କ ସ୍ଥିତି ବିଷୟରେ ଆଲୋଚନା କରିବା। ଓଡ଼ିଶାର ଦକ୍ଷିଣରେ ଯେତେ ବ୍ୟବସାୟ ପ୍ରତିଷ୍ଠାନ ଅଛି ସେଥିରୁ ୯୦ ପ୍ରତିଶତ ହେଉଛି ତେଲୁଗୁମାନଙ୍କର, ପଶ୍ଚିମ ଓଡ଼ିଶାରେ ଅଧିକାଂଶ ବ୍ୟବସାୟ ପ୍ରତିଷ୍ଠାନ ରାଜସ୍ଥାନ, ଗୁଜୁରାଟ, ପଞ୍ଜାବରୁ ଆସିଥିବା ବ୍ୟବସାୟୀ ଗୋଷ୍ଠୀଙ୍କ ଦଖଲରେ। ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଅଧିକାଂଶ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ପ୍ରାୟ ଅଣ ଓଡ଼ିଆ ବ୍ୟବସାୟୀ ଗୋଷ୍ଠୀଙ୍କର। ଓଡ଼ିଆଙ୍କର ବ୍ୟବସାୟ ବୋଇଲେ ରାସ୍ତା କଡ଼ର ଜଳଖିଆ, ଚା’ ଦୋକାନ, ଗ୍ରିଲ୍‌ ଫ୍ୟାକ୍‌ଟ୍ରି, ନ ହେଲେ ମାଛ ବା ପରିବା ଦୋକାନ। ଓଡ଼ିଶାରେ ପ୍ରାୟ ଶତାଧିକ ମଧ୍ୟମ ଏବଂ ବୃହତ୍‌ ଶିଳ୍ପ ପ୍ରତିଷ୍ଠାନ ମଧ୍ୟରୁ ଓଡ଼ିଆଙ୍କ ଦ୍ବାରା ପ୍ରତିଷ୍ଠିତ ଏବଂ ପରିଚାଳିତ ଗୁରୁତ୍ବପୂର୍ଣ୍ଣ ଶିଳ୍ପ ପ୍ରତିଷ୍ଠାନ ବୋଧହୁଏ ଗୋଟାଏ, ଯାହା ହେଉଛି ସ୍ବର୍ଗତ ବଂଶୀଧର ପଣ୍ଡାଙ୍କ ଦ୍ବାରା ପ୍ରତିଷ୍ଠିତ ଇମ୍ଫା। ଅବଶ୍ୟ ଏଇ ଅଳ୍ପ କେତେ ବର୍ଷ ଭିତରେ ଓଡ଼ିଆଙ୍କ ଦ୍ବାରା ପ୍ରତିଷ୍ଠିତ କେତେକ ମସଲା କମ୍ପାନି ଚାଲୁ ରହିଛି। ଖୋର୍ଦ୍ଧାଠାରେ ଗଢ଼ି ଉଠିଥିବା ବହୁ ମଧ୍ୟମ ଧରଣ ଶିଳ୍ପ ପ୍ରତିଷ୍ଠାନ ଭିତରେ ଗୋଟିଏ ହେଲେ ଓଡ଼ିଆ ସଂସ୍ଥା ନାହିଁ। କ୍ଷୁଦ୍ର ଶିଳ୍ପ କ୍ଷେତ୍ରରେ ମଧ୍ୟ ଓଡ଼ିଆଙ୍କ ଦ୍ବାରା ପ୍ରତିଷ୍ଠିତ ଏବଂ ପରିଚାଳିତ ସଂସ୍ଥା ବିଶେଷ ନାହିଁ କହିଲେ ଚଳେ। ଓଡ଼ିଶା ଏକ ଖଣି ବହୁଳ ରାଜ୍ୟ। କିନ୍ତୁ ପ୍ରାୟତଃ ଖଣି ମାଲିକ ହେଉଛନ୍ତି ଅଣଓଡ଼ିଆ। ଖଣି ବ୍ୟବସାୟକୁ କେନ୍ଦ୍ର କରି ଓଡ଼ିଶାର ବହୁ ବ୍ୟକ୍ତି ଟ୍ରକ୍‌ କିଣି ଖଣିଜ ପରିବହନରେ ଲଗାଇଥିଲେ। ଶାହ କମିସନ ସମୟରେ ଖଣି ସବୁ ବନ୍ଦ ହୋଇଗଲା ଏବଂ ଓଡ଼ିଆମାନେ କିଣିଥିବା ସେହି ଟ୍ରକ୍‌ ସବୁ ସେମିତି ପଡ଼ି ରହିଲେ। ଏହି ସମୟରେ ତାମିଲନାଡୁରୁ ସ୍କୁଟର ଖଣ୍ଡେ ଧରି ଆସିଥିବା ଜନୈକ ବ୍ୟକ୍ତିଙ୍କର ଆବିର୍ଭାବ ହେଲା, ଯିଏ କାଳକ୍ରମେ ଅସମ୍ଭବ ପ୍ରଭାବ ବିସ୍ତାର କରି ଓଡ଼ିଶାର ଅଧିକାଂଶ ଖଣି ନିଜ ପରିଚାଳନା ଅଧୀନକୁ ଆଣିଲେ। ଶୁଣାଯାଏ ଯେ ଏହି ମହାଶୟ ଇତି ମଧ୍ୟରେ ତାଙ୍କ ସଂପତ୍ତିିକୁ କେତେ ଲକ୍ଷ କୋଟିରେ ପହଞ୍ଚାଇ ପାରିଛନ୍ତି, ଯାହା ଓଡ଼ିଆଙ୍କ ପାଇଁ ଏକ ସ୍ବପ୍ନ। ଇତିମଧ୍ୟରେ ଓଡ଼ିଆମାନେ କିଣିଥିବା ହଜାର ହଜାର ଟ୍ରକ୍‌ରୁ ଅନେକ ମାଟିରେ ମିଶି ସାରିଲାଣି, ଅନେକ ନିଲାମ ହୋଇଗଲାଣି ଏବଂ ଋଣ ଶୁଝିବାକୁ ଅନେକ ଓଡ଼ିଆ ଟ୍ରକ୍‌ ମାଲିକ ସେମାନଙ୍କ ଭିଟାମାଟି ବିକ୍ରି କରିଦେଇଛନ୍ତି। ଏବେ ତାମିଲନାଡୁରୁ ହଜାର ହଜାର ଟ୍ରକ୍‌ ଆସି ଆଜି ଓଡ଼ିଶାରେ ଖଣିଜ ପରିବହନ କରୁଛନ୍ତି। ଚାରି ବା ପାଞ୍ଚ ଦଶକ ତଳେ ଓଡ଼ିଶାର ଉପକୂଳ ଅଞ୍ଚଳରେ ଆନ୍ଧ୍ର ମତ୍ସ୍ୟଜୀବୀମାନଙ୍କର କୌଣସି ସତ୍ତା ନ ଥିଲା, ଅଥଚ ଏବେ ସେମାନଙ୍କ ଉପସ୍ଥିତିର ପ୍ରାବଲ୍ୟ କହିଲେ ନ ସରେ। ଓଡ଼ିଶାରେ ମତ୍ସ୍ୟ ବ୍ୟବସାୟର ୮୦ ଭାଗ ସେମାନଙ୍କ ଦଖଲରେ। ଏପରି କି ଓଡ଼ିଶାରେ ମଫସଲ ଅଞ୍ଚଳରେ ପୋଖରୀମାନଙ୍କୁ ଆନ୍ଧ୍ର ମାଛ ବ୍ୟବସାୟୀ ଲିଜ୍‌ରେ ନେଇ ଓଡ଼ିଶା ବଜାରକୁ ମାଛ ଯୋଗାଉଛନ୍ତି।

ଏବେ ନିର୍ମାଣ କ୍ଷେତ୍ରକୁ ଆସିବା। ଓଡ଼ିଶାରେ ନିର୍ମାଣ କ୍ଷେତ୍ରରେ ନିୟୋଜିତ ଠିକାଦାରଙ୍କ ସଂଖ୍ୟା ପ୍ରାୟ ୫୨୦୦୦ରୁ ଅଧିକ, କିନ୍ତୁ ପ୍ରାୟ ସମ‌େସ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ। ଏହାର କାରଣ ଦକ୍ଷିଣ ଭାରତରୁ ଆସିଥିବା ଶହ ଶହ ଠିକାଦାର, ଯେଉଁମାନେ ନିର୍ମାଣ କାର୍ଯ୍ୟର ପ୍ରାୟ ୮୦ ପ୍ରତିଶତ ହାତକୁ ନେଇଗଲେଣି; ଏହାର କାରଣ ସରକାରୀ କର୍ତ୍ତୃପକ୍ଷ ମଧ୍ୟ ଏପରି ନିୟମ ପ୍ରସ୍ତୁତ କରି ଟେଣ୍ଡର କରୁଛନ୍ତି, ଯେପରି ଓଡ଼ିଶା ଠିକାଦାର ସହଜରେ କାମ ପାଇପାରିବେ ନାହିଁ। ବିଭିନ୍ନ କାର୍ଯ୍ୟକୁ ଏକାଠି କରି ଏପରି ବିରାଟ ବିରାଟ ପ୍ୟାକେଜ୍‌ ତିଆରି କରାଯାଉଅଛି ଏବଂ ସେଥିରେ ଏପରି ନିୟମସବୁ ଯୋଡ଼ି ଦିଆଯାଉଅଛି, ଯେମିତି କୌଣସି ଓଡ଼ିଆ ଠିକାଦାର ସେହି ସବୁ କାର୍ଯ୍ୟକୁ ହାତକୁ ନେବାର ସ୍ବପ୍ନ ମଧ୍ୟ ଦେଖିପାରିବେ ନାହିଁ। ପୁଣି ଯାହା ଉଦ୍‌ବେଗଜନକ, ତାହା ହେଲା ବାହାର ରାଜ୍ୟର ଠିକାଦାରଙ୍କ ପାଇଁ ଗୋଟିଏ ରେଟ୍‌ ବା ଦର ତ ଓଡ଼ିଶାର ଠିକାଦାରମାନଙ୍କ ପାଇଁ ଆଉ ଗୋଟିଏ ରେଟ୍‌। ଉଦାହରଣ ସ୍ବରୂପ ସେକ୍ରେଟାରିଏଟ୍‌ ପଛରେ ଥିବା ନିର୍ମାଣ ସୌଧ ଓଡ଼ିଆ ଠିକାଦାରଙ୍କ ଦ୍ବାରା ପ୍ରତି ବର୍ଗ ଫୁଟ ୧୦୦୦ ଟଙ୍କାରୁ ୧୨୦୦ ଟଙ୍କାରେ ତିଆରି ହୋଇଥିବା ବେଳେ ତାହାରି ସାମ୍ନାରେ ଥିବା ଖାରବେଳ ଭବନକୁ ଏକ ଅଣଓଡ଼ିଆ କଂପାନି ତିଆରି କରିଛି ବର୍ଗ ଫୁଟ ପ୍ରାୟ ୫୫୦୦ ଟଙ୍କାରେ। କିନ୍ତୁ, ଓଡ଼ିଶାରେ ଏହା ବିରୋଧରେ କୌଣସି ପ୍ରତିବାଦ ନାହିଁ।

ଆଜି ଓଡ଼ିଶାର ବା ଓଡ଼ିଆଙ୍କର ଯେଉଁ ଦୁଃଖଦ ପରିସ୍ଥିତି ଏଥିପାଇଁ ଦାୟୀ କିଏ? ଏଥିପାଇଁ କ’ଣ ବଙ୍ଗୀୟ ନା ତେଲେଗୁ ନା ତାମିଲନାଡୁବାସୀ ଦାୟୀ? ନା! ଏଥିପାଇଁ ଦାୟୀ ଆମେ ନିଜେ। ଆମେମାନେ ଯଦି ଆମ ନିଜ ଲୋକଙ୍କ ବିରୋଧରେ କାର୍ଯ୍ୟ କରିବା ଏବଂ ନିଜକୁ ନିଜେ ଚୋଟ ମାରିବା, ତାହା ହେଲେ ଆମକୁ କିଏ ରକ୍ଷା କରିପାରିବ? ବର୍ତ୍ତମାନ ଆଖି ଖୋଲିବାର ସମୟ ଆସି ଯାଇଛି। ଓଡ଼ିଆ ଜାତିର ସର୍ବାଙ୍ଗୀନ ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ। ତାହା ହେଲେ ଏ ଜାତି ବଞ୍ଚିବ। ନଚେତ ଆସନ୍ତା ୧୦୦ ବର୍ଷ ବେଳକୁ ଏ ଜାତି ଆଉ ନ ଥାଇପାରେ। ଏ ଜାତିର ସୁରକ୍ଷା ପ୍ରସଙ୍ଗ ସର୍ବୋପରି। ଓଡ଼ିଆ ଜାତିର ଏକତା, କର୍ମ ପ୍ରବଣତା ଏବଂ ସୁରକ୍ଷା ବିଷୟ ଆମ ଚିନ୍ତାରେ ରହୁ। ଯେତେ ଦିନ ପର୍ଯ୍ୟନ୍ତ ଓଡ଼ିଆଙ୍କ ଭିତରେ ଏହି ସବୁ ଭାବର ଉଦୟ ନ ହୋଇଛି, ସେ ପର୍ଯ୍ୟନ୍ତ ଓଡ଼ିଶାର ଉନ୍ନତି କେବଳ ଆଶାରେ ହିଁ ରହିଥିବ।
ମୋ- ୯୪୩୭୦୧୩୪୬୬

ସମ୍ବନ୍ଧିତ ଖବର