ନିର୍ବିରୋଧ ପ୍ରଭୁତ୍ବର ବିପଦ

ରାମଚନ୍ଦ୍ର ଗୁହା

ଏବେ ଭାରତୀୟ ଜନତା ପାର୍ଟି ଯେମିତି ନେତୃତ୍ବରେ ରହିଛି, ୧୯୫୭ ବେଳକୁ ଯେତେବେଳେ କଂଗ୍ରେସ ଦଳ ସେପରି ରହିଥିଲା, ଗଣତନ୍ତ୍ର ପ୍ରତି ଗୋଟିଏ ଦଳର ମାତ୍ରାଧିକ ପ୍ରଭୁତ୍ବର ବିପଦ ସମ୍ପର୍କରେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଏକ ଉଲ୍ଲେଖନୀୟ ପ୍ରବନ୍ଧ ଲେଖିଥିଲେ। ଜଣେ ମହାନ୍‌ ସ୍ବାଧୀନତା ସଂଗ୍ରାମୀ ଭାବରେ ଏକଦା ଗାନ୍ଧୀ ଓ ନେହରୁଙ୍କର ଘନିଷ୍ଠ ଥିବା ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟରେ ଉଚ୍ଚ ରାଜନୈତିକ ପଦରେ ରହିଥିବା ରାଜାଜୀ, ତାଙ୍କର ପୁରୁଣା ଦଳ ଓ ସାଥୀମାନଙ୍କ ଅଧୀନରେ ଦେଶ ଯେପରି ପରିଚାଳିତ ହେଉଥିଲା, ସେଥିରେ ଘୋର ବିତୃଷ୍ଣ ହୋଇପଡ଼ିଥିଲେ। ସେ ତାଙ୍କର ଅସନ୍ତୋଷକୁ ପ୍ରବନ୍ଧରେ ବ୍ୟକ୍ତ କରିଥିଲେ ଯାହା ଏକ ପତ୍ରିକାର ୧୯୫୭ ଅଗଷ୍ଟ ମାସ ସ୍ବାଧୀନତା ଦିବସ ସଂସ୍କରଣରେ ପ୍ରକାଶିତ ହୋଇଥିଲା।

ରାଜାଜୀ ଲେଖିଥିଲେ, ‘ସଂସଦୀୟ ଗଣତନ୍ତ୍ରର ସଫଳ କାର୍ଯ୍ୟକାରିତା ଦୁଇଟି ଉପାଦାନ ଉପରେ ନିର୍ଭରଶୀଳ; ପ୍ରଥମତଃ ସରକାରଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ସବୁ ଶ୍ରେଣୀର ନାଗରିକଙ୍କ ମଧ୍ୟରେ ସହମତି ଏବଂ ଦ୍ବିତୀୟତଃ ଦେଶରେ ଏକ ଦୁଇ ଦଳୀୟ ବ୍ୟବସ୍ଥାର ଅସ୍ଥିତ୍ବ ଯେଉଁଥିରେ ପ୍ରତିଟି ବିଶାଳ ରାଜନୈତିକ ଗୋଷ୍ଠୀ ଫଳପ୍ରଦ ତଥା ନିରନ୍ତର ନେତୃତ୍ବ ଜାହିର କରି ପାରୁଥିବ ଏବଂ ଦେଶର ସଂଖ୍ୟାଧିକ ମତଦାତା ଚାହିଲେ ତାହା ଶାସନ ଭାର ସମ୍ଭାଳିବା ପାଇଁ ସକ୍ଷମ ହୋଇପାରୁଥିବ। କାରଣ, ଗୋଟିଏ ଦଳ ସବୁବେଳେ ଶାସନ କ୍ଷମତାରେ ରହିଲେ ସରକାର ଅନିବାର୍ଯ୍ୟ ଭାବେ ସର୍ବାଧିକାରୀ ହୋଇପଡ଼ିବେ ଏବଂ ଏଭଳି ସ୍ଥଳେ ସଂଗଠିତ ହୋଇପାରୁନଥିବା ବ୍ୟକ୍ତିବିଶେଷଙ୍କ ଅସନ୍ତୋଷ କଦାପି ଆଗକୁ ଆସିପାରିବ ନାହିଁ ବା ନିଷ୍ପ୍ରଭ ପଡ଼ିଯିବ।’ ସେତେବେଳକୁ କଂଗ୍ରେସ ଏକ ଦଶନ୍ଧି ଧରି କେନ୍ଦ୍ରରେ କ୍ଷମତା ଦଖଲ କରି ରହିଥିଲା ଏବଂ ପ୍ରାୟ ସବୁ ରାଜ୍ୟରେ ମଧ୍ୟ ଶାସନରେ ରହିଥିଲା। କଂଗ୍ରେସ ଯେପରି ଆତ୍ମତୁଷ୍ଟୀ ଓ ଔଦ୍ଧତ୍ୟର ସହ ବ୍ୟବହାର କରୁଥିଲା, ତାହାକୁ ଲକ୍ଷ୍ୟ କରି ରାଜାଜୀ ଲେଖିଥିଲେ, ‘ଏକ ଏକ-ଦଳୀୟ ଗଣତନ୍ତ୍ର ଅଚିରେ ତାହାର ବିବେକୀ ବିଚାର ହରାଇ ବସିବ। ଏହା ଦେଖୁଥିବ, ମାତ୍ର କୌଣସି କଥାକୁ ନିର୍ଦ୍ଦିଷ୍ଟ ପରିପ୍ରେକ୍ଷୀରେ ରଖି ପାରୁନଥିବ କିମ୍ବା କୌଣସି ପ୍ରଶ୍ନର ବିଭିନ୍ନ ଦିଗକୁ ଅନୁଶୀଳନ କରି ପାରୁ ନ ଥିବ। ସଂପ୍ରତି ଭାରତର ଅବସ୍ଥା ଏ ଭଳି ହୋଇଛି।’

‘ଗୋଟିଏ ଦଳ ଏପରି ପ୍ରଭାବଶାଳୀ ହୋଇଛି ଯେ ସଂସଦ ଠାରୁ ବି ତାହା ଅଧିକ ମହତ୍ତ୍ବପୂର୍ଣ୍ଣ ହେବା ଅନିବାର୍ଯ୍ୟ ଭଳି ଲାଗୁଛି। ଦଳର ସଂଖ୍ୟାଗରିଷ୍ଠ ମତ ଅନୁସାରେ ନେତା ନିଷ୍ପତ୍ତି ନିଅନ୍ତି। କିନ୍ତୁ ଯଦି ନେତା ଜଣକ ସ୍ବୟଂ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିବେ, ତେବେ ତାହା ମଧ୍ୟ ଘଟିବ ନାହିଁ। ଏଭଳି ସ୍ଥଳେ ଶୁଦ୍ଧ ଏକଛତ୍ରବାଦ ପ୍ରକ୍ରିୟା ନିର୍ବିରୋଧ କାମ କରିବା ଆରମ୍ଭ କରିବ।’ ଅତୀତର କଂଗ୍ରେସ ଶାସିତ ଭାରତ ପ୍ରତି ଲକ୍ଷ୍ୟ କରି ରାଜାଜୀ କରିଥିବା ଟିପ୍ପଣୀ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତମାନର ବିଜେପି ଶାସିତ ଭାରତ ପ୍ରତି ପ୍ରାସଙ୍ଗିକ ହୋଇପଡ଼ିଛି। ଏ କଥା ଅବଶ୍ୟ ନିଶ୍ଚିତ ଯେ କେନ୍ଦ୍ରରେ ନିରଙ୍କୁଶ ନିୟନ୍ତ୍ରଣ ରଖିଥିବା ବିଜେପି ଅନେକ ଗୁରୁତ୍ବପୂର୍ଣ୍ଣ ରାଜ୍ୟରେ ଶାସନରେ ନାହିଁ, ଯାହା ତାହାର ସର୍ବମୟ ମହତ୍ତ୍ବାକାଂକ୍ଷାକୁ ଆଂଶିକ ଆକ୍ରାନ୍ତ କରିଛି। କିନ୍ତୁ ଜାତୀୟ ସ୍ତରରେ ବିରୋଧୀମାନେ ଦୁର୍ବଳ ଓ ଖଣ୍ଡବିଖଣ୍ଡିତ। ଏପରିକି ନରେନ୍ଦ୍ର ମୋଦୀ ଜବାହରଲାଲ ନେହରୁଙ୍କ ଅପେକ୍ଷା ନିଜକୁ ଅଧିକ ଓଜନିଆ ବୋଲି ବିଚାର କରିବା ସହ ପ୍ରଚାରସର୍ବସ୍ବ ତନ୍ତ୍ର ବଳରେ ନିଜ ଚାରିପାଖେ ଏକ ବ୍ୟକ୍ତି ପୂଜା ପ୍ରଭା ମଣ୍ଡଳ ଗଢ଼ିପାରିଛନ୍ତି, ଯାହା ପଞ୍ଚମ ଦଶକରେ କଳ୍ପନାତୀତ ଥିଲା। ନିଜ ଗୃହମନ୍ତ୍ରୀଙ୍କ ସହାୟତାରେ ମୋଦୀ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ବିଧିବଦ୍ଧ ଭାବେ ଏପରି ବିକୃତ ଓ ଦୁର୍ବଳ କରି ଚାଲିଛନ୍ତି, ଯାହା ନେହରୁ କେବେ କରିନଥିଲେ।

ତାହାର ଛଅ ମାସ ପରେ ରାଜାଜୀ ଭାରତୀୟ ଗଣତନ୍ତ୍ରର ସ୍ଥିତି ସମ୍ପର୍କରେ ତାଙ୍କର ଦ୍ବିତୀୟ ଆଲେଖ୍ୟ ପ୍ରକାଶ କରିଥିଲେ, ଯାହାର ଶୀର୍ଷକ ଥିଲା: ‘ସ୍ବାଧୀନ ବିଚାରଧାରାକୁ ଅପେକ୍ଷା।’ ସେ ଏଠି ଯୁକ୍ତି ବାଢ଼ିଥିଲେ ଯେ ଗଣତନ୍ତ୍ରରେ ନାଗରିକମାନେ ନିଜ ପାଇଁ ଚିନ୍ତା କରିବା ଓ ବିଚାର କରିବାର ଦାୟିତ୍ବ ନେବା ପାଇଁ ଇଚ୍ଛା ପ୍ରକଟ ନ କଲା ଯାଏ ନାଗରିକ ଜୀବନ ସନ୍ତୋଷଜନକ ହେବାର କୌଣସି ସମ୍ଭାବନା ନାହିଁ। ଏବେ ଲୋକଙ୍କ ଭିତରେ ମୁକ୍ତ ବିଚାର ଓ ସ୍ବାଧୀନ ଚିନ୍ତାଧାରା ପରିବର୍ତ୍ତେ ‘ଶୁଆର ପାଳିଧରା’ ନୀତି ବଢ଼ିଚାଲିଛି। ଏପରି କି ପ୍ରତିଷ୍ଠିତ ମଙ୍ଗୁଆଳମାନେ ଉଚ୍ଚାରଣ କରୁଥିବା ଶବ୍ଦର ଅର୍ଥ ବା ପ୍ରୟୋଗ ପ୍ରତି ଧ୍ୟାନ ନ ଦେଇ କେବଳ ଘୋଷି ହେଉଛନ୍ତି।

ଏଭଳି କଟୁ ଆଲୋଚନା ସଂପ୍ରତି ଭାରତ ପାଇଁ ପ୍ରଯୁଜ୍ୟ, ଯାହା ଏବର ଶିକ୍ଷା ଓ ସଂଚାରର ବ୍ୟାପକତା ଯୋଗୁଁ ଆହୁରି ନିମ୍ନଗାମୀ ହୋଇଛି। ପଞ୍ଚମ ଦଶକରେ ନେହରୁ ଓ କଂଗ୍ରେସ ବେଳର ସ୍ଥିତି ଆଜି ଭଳି ନ ଥିଲା। ଏକଦା ପ୍ରସିଦ୍ଧ ଥିବା ଦିଲ୍ଲୀରୁ ପ୍ରକାଶିତ ଖବରକାଗଜଗୁଡ଼ିକ ଏବେ ନିଜର ‌କ୍ରୋଡ଼ ପୃଷ୍ଠାଗୁଡ଼ିକୁ ମନ୍ତ୍ରୀ ଓ ସାଂସଦମାନଙ୍କ ଦ୍ବାରା ପ୍ରଧାନମନ୍ତ୍ରୀଙ୍କ ଚାଟୁକାରୀ ପ୍ରଶଂସାରେ ପୋତି ପକାଉଛନ୍ତି। ସରକାରଙ୍କ କଥାକୁ ଘୋଷି ହେଉଥିବା କିଛି ଇଂରେଜୀ ଓ ବିଶେଷ କରି ହିନ୍ଦୀ ଟିଭି ଚ୍ୟାନେଲ୍‌ଗୁଡ଼ିକ ଯେଉଁଭଳି ମନପ୍ରାଣ ଦେଇ ମୋଦୀଙ୍କ ବ୍ୟକ୍ତି ପୂଜା କରିଚାଲିଛନ୍ତି, ତାହା ଭାରତୀୟ ଗଣତନ୍ତ୍ରକୁ ଶସ୍ତା କରିଦେଇଛି। ସେହିପରି ଅତିଶୟୋକ୍ତିପୂର୍ଣ୍ଣ ପ୍ରାୟୋଜିତ ଭିଡିଓରେ ଦେବତୁଲ୍ୟ ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍‌ମାନଙ୍କୁ ଆଶୀର୍ବାଦ କରୁଥିବା କି ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରୁଥିବା ଅଥବା ମୟୂର ସହ ଖେଳୁ ଥିବାର ଦୃଶ୍ୟଗୁଡ଼ିକୁ ବି ଲକ୍ଷ୍ୟ କରିବାର କଥା।
୧୯୫୮ ମେ ମାସରେ ରାଜାଜୀ ସତର୍କ କରାଇଥିଲେ, ‘ଯଦି ଦାସତ୍ବ ଓ ଦାସୋଚିତ ଚାଟୂକ୍ତି ସ୍ବାଧୀନ ଚିନ୍ତାଧାରାର ସ୍ଥାନ ନିଏ, ତେବେ ସମାଲୋଚନା କେବଳ ଭୟ ଓ ସଂଶୟଯୁକ୍ତ ହେବ ଏବଂ ଏକ ଅଜବ ଗଣତନ୍ତ୍ର ଦୃଷ୍ଟିଗୋଚର ହେବ।

ଏକ ସନ୍ତୁଳିତ ଗଣତନ୍ତ୍ରର ମୁକ୍ତ ତଥା ଗମ୍ଭୀର ପରିବେଶ ବଦଳରେ ଭାରତ କେବଳ କ୍ୟାରିଅର୍‌ବାଦ, ଷଡ୍‌ଯନ୍ତ୍ର ଓ ବିଭିନ୍ନ ପ୍ରକାର କପଟାଚାର ଦେଖୁଛି, ଯାହା ବିଷ ଗୁଳ୍ମ ଭଳି ଚତୁର୍ଦ୍ଦିଗ ମାଡ଼ି ଚାଲିଛି।’ ରାଜାଜୀଙ୍କର ଯୁକ୍ତି ହେଲା, ‘ଏପରି ସ୍ଥିତି ପାଇଁ ବିରୋଧୀ ଦଳ ହେଉଛି ଏକ ପ୍ରାକୃତିକ ନିବାରକ, ଏକ ଜରୁରୀ ଉପଚାର।’ ରାଜାଜୀ ତାଙ୍କର ଏହି ଦ୍ବିତୀୟ ଆଲେଖ୍ୟରେ ବିରୋଧୀ ଦଳର ଆବଶ୍ୟକତା ସମ୍ପର୍କରେ ବିଶଦ ବର୍ଣ୍ଣନା କରିଛନ୍ତି ଯାହା ଭାରତୀୟ ଗଣତନ୍ତ୍ରର ସନ୍ତୁଳନ ଫେରାଇ ଆଣିବାରେ ସହାୟକ ହେବ। ସେହିପରି ସେ ଲେଖିଥିଲେ, ‘ଆମର ଏଭଳି ଏକ ବିରୋଧୀ ଦଳର ଆବଶ୍ୟକତା ରହିଛି, ଯାହା ଭିନ୍ନ କିଛି ଚିନ୍ତା କରୁଥିବ, ଯାହାର ଲକ୍ଷ୍ୟ ସାର୍ବଜନୀନ ମଙ୍ଗଳ କଥା କହି ତଥାକଥିତ ନିର୍ଧନମାନଙ୍କ ଠାରୁ ଅଧିକ ଭୋଟ ପାଇବା ଆଶାରେ ସେମାନଙ୍କୁ ଶାସକ ଦଳ ଯାହା ଦେଇଛି ତା’ଠାରୁ ଅଧିକ ଦେବାକୁ ଆଗେଇ ଯାଉ ନ ଥିବ। ସେହି ବିରୋଧୀ ଦଳ ଯଥାର୍ଥ ଯାଜନା କରୁଥିବ ଏବଂ ଭାରତ ଏକ ଗାଣତନ୍ତ୍ରିକ ସାଧାରଣତନ୍ତ୍ର ଭାବେ ସୁଶାସିତ ହୋଇପାରିବ ବୋଲି ଭରସାର ସହ କାମ କରୁଥିବ ଏବଂ ଦରିଦ୍ରମାନେ ସେଭଳି ଯଥାର୍ଥତାକୁ କଦାପି ଅସ୍ବୀକାର କରିବେନି।’

ତହିଁ ପର ବର୍ଷ ଅଶୀ ବର୍ଷର ପରିଣତ ବୟସରେ ରାଜାଜୀ ‘ସ୍ବତନ୍ତ୍ର’ ନାମରେ ଏକ ନୂତନ ଦଳ ଗଢ଼ି ତାଙ୍କର ନୀତି ଓ ଉପଦେଶକୁ କାମରେ ପରିଣତ କଲେ, ଯାହାର ଘୋଷଣାପତ୍ର ହେଲା ଅର୍ଥନୀତିକୁ ଲାଇସେନ୍‌ସ-ପରମିଟ୍‌-କୋଟା ରାଜ୍‌ରୁ ମୁକ୍ତ ରଖିବା, ବ୍ୟକ୍ତିଗତ ସ୍ବାଧୀନତାକୁ ସୁରକ୍ଷା ଦେବା ଏବଂ ପାଶ୍ଚାତ୍ୟ ଗଣତନ୍ତ୍ରମାନଙ୍କ ସହ ନିବିଡ଼ ସମ୍ପର୍କକୁ ଆଗେଇ ନେବା। ବିଶେଷ କରି କଂଗ୍ରେସ ସରକାରଙ୍କ ଆର୍ଥିକ ଓ ବୈଦେଶିକ ନୀତିକୁ ରାଜାଜୀ ବିରୋଧ କରିବା ଅବସରରେ ନେହରୁଙ୍କ ବିଚାରରେ ସାଂପ୍ରଦାୟିକ ସଦ୍‌ଭାବ ଓ ସଂଖ୍ୟାଲଘୁଙ୍କ ଅଧିକାର ପ୍ରତି ରହିଥିବା ଅଙ୍ଗୀକାରବଦ୍ଧତାକୁ ଆପଣାଇଥିଲେ। ‘ସ୍ବତନ୍ତ୍ର’ ଦଳ କଂଗ୍ରେସ ପାଇଁ ଏକ ଜୋରଦାର ବୌଦ୍ଧିକ ତଥା ଆଦର୍ଶଗତ ଆହ୍ବାନ ସୃଷ୍ଟି କରିଥିଲା। ମାତ୍ର ନା ‘ସ୍ବତନ୍ତ୍ର’ ନା ଅନ୍ୟ କୌଣସ ବିରୋଧୀ ଦଳ; କଂଗ୍ରେସର ରାଜନୈତିକ ଆଧିପତ୍ୟରେ ବିଶେଷ ହସ୍ତକ୍ଷେପ କରିପାରିନଥିଲେ। ସେଥିପାଇଁ ରାଜାଜୀ ଉଦାସୀନତାର ସହ ଟିପ୍ପଣୀ କରିଥିଲେ, ‘କଂଗ୍ରେସ ଦଳର ସଫଳତାରେ ମୁଖ୍ୟତଃ ନିର୍ବାଚନ ପ୍ରଚାରର ଖର୍ଚ୍ଚବହୁଳତା ଓ ଦଳ ପାଖରେ ଥିବା ପାଣ୍ଠି ଏକାଧିକାରର ବିଶେଷ ଭୂମିକା ରହିଛି।’ ଏ କଥାର ପ୍ରାସଙ୍ଗିକତା ବର୍ତ୍ତମାନ ଅଧିକ ଉପଲବ୍‌ଧି କରିହୁଏ, ଯେତେବେଳେ ବିଜେପି ନିୟନ୍ତ୍ରଣରେ ଥିବା ଶାସନ କଳ ଏବଂ ନିର୍ବାଚନୀ ବଣ୍ଡ୍‌ (ଯାହାର ଅସ୍ବଚ୍ଛତାକୁ ସର୍ବୋଚ୍ଚ ଅଦାଲତ ଆଶ୍ଚର୍ଯ୍ୟଜନକ ଭାବେ ଅସ୍ବୀକାର କରିଛନ୍ତି) ସାଧାରଣ ନିର୍ବାଚନ ବେଳେ ଶାସକ ଦଳକୁ ବିରୋଧୀମାନଙ୍କ ତୁଳନାରେ ଅପେକ୍ଷାକୃତ ଅଧିକ ସୁବିଧାରେ ରଖୁଛି।

ବିଦ୍‌ବତ୍ତାର କେତେକ ସନ୍ଦର୍ଭ ଅଧିକ କାଳ ଯାଏ ବଞ୍ଚିରହେ ଏବଂ ତାହା ପ୍ରକାଶିତ ହେବାର ଅନେକ ବର୍ଷ ଯାଏ ସୁଖପାଠ୍ୟ ହୋଇ ରହିଥାଏ। ମାତ୍ର ଖବରକାଗଜ କି ପତ୍ରିକାର କୌଣସି ଲେଖା ପାଇଁ ତାହା ପ୍ରଯୁଜ୍ୟ ନୁହେଁ, ଯାହା ସ୍ବାଭାବିକ ଭାବେ ପ୍ରକାଶିତ ହେବା ପରେ ପରେ ଭୁଲି ହୋଇଯାଏ। ମାତ୍ର ରାଜାଜୀଙ୍କ ୧୯୫୭ ଓ ୧୯୫୮ ମସିହାର ସେହି ପ୍ରବନ୍ଧ ହେଉଛି ତାହାର ଉଲ୍ଲେଖନୀୟ ବ୍ୟତିକ୍ରମ। ନେହରୁ ଓ ତାଙ୍କ ସହକର୍ମୀମାନଙ୍କର ଦୋଶତ୍ରୁଟି ଓ ଅସୁରକ୍ଷାକୁ ରାଜାଜୀ ଚିହ୍ନିପାରିବା ସହ ସେମାନେ ‘ଉତ୍ତମ ବ୍ୟକ୍ତି’ ଥିଲେ ବୋଲି ସ୍ବୀକାର କରିଥିଲେ ଯାହା ଏବେ ଶାସନରେ ଥିବା ବ୍ୟକ୍ତିଙ୍କ ପାଇଁ କେହି ସେଭଳି ବର୍ଣ୍ଣନା କରିବେନି। ମୋଦୀ ଓ ଶାହଙ୍କ ବିଜେପି ଅତ୍ୟନ୍ତ ନିଷ୍ଠୁର, ନୀତିହୀନ ଓ ସର୍ବୋପରି ବହୁସଂଖ୍ୟକବାଦୀ। ଏହା ନେହରୁଙ୍କ ଅମଳର କଂଗ୍ରେସ ଅପେକ୍ଷା ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଆଚରଣ ପ୍ରତି ଅଧିକ ଶତ୍ରୁତାପୂର୍ଣ୍ଣ। ଦୁଇ ଦୁଇ ଥର ଲଗାତାର ସଂଖ୍ୟାଗରିଷ୍ଠତା ହାସଲ କରିବା ସତ୍ତ୍ବେ ବିଭିନ୍ନ କ୍ଷେତ୍ରରେ ବିଜେପିର ପ୍ରଦର୍ଶନ ଏପରି ନୈରାଶ୍ୟଜନକ ହେବାର କାରଣ ହେଲା ଶାସକ ଦଳର ଅହଂକାର ଏବଂ ପ୍ରଧାନମନ୍ତ୍ରୀଙ୍କ ଚଉପାଶରେ ଏକ ବ୍ୟକ୍ତି ପୂଜା ପରିସର ଗଢ଼ିବାର ଐକାନ୍ତିକ ଉଦ୍ୟମ। ଏହା ଅର୍ଥନୀତିରେ ହ୍ରାସ ଘଟାଇବା ସହ ସାମାଜିକ ସଂରଚନାରେ ମଧ୍ୟ ଚାପ ସୃଷ୍ଟି କରି ବିଶ୍ବ ଏବଂ ଆମ ପଡ଼ୋଶୀଙ୍କ ଦୃଷ୍ଟିରେ ଆମକୁ ନ୍ୟୂନ କରିଦେଇଛି। କେନ୍ଦ୍ରରେ ବିଜେପିର ଦୁଇ ଥର ଶାସନ ଭାର ପାଇଁ ଦେଶ ଓ ନାଗରିକମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି। ବିଜେପିର ତୃତୀୟ ପାଳି ଭାରତ ପାଇଁ ବିନାଶ ଆଣିପାରେ।

ଗଲା ପଞ୍ଚମ ଦଶକରେ ଆମ ଦେଶ ଏକ ମହତ୍ତ୍ବପୂର୍ଣ୍ଣ, ଜୋରଦାର ବିରୋଧୀ ଦଳ ଚାହୁଥିଲା ଏବଂ ଗଲା ଦଶକର ଶେଷ ଆଡ଼କୁ ତା’ଠାରୁ ଅଧିକ ଶକ୍ତ ବିରୋଧୀ ଲୋଡୁଛି। ରାଜାଜୀଙ୍କ ଶେଷ ଆହ୍ବାନ ଅନୁସାରେ ‘ସେଭଳି ବିରୋଧୀ ଦଳ ଯାହା ଭିନ୍ନ କିଛି ଚିନ୍ତା କରୁଥିବ ଏବଂ ଭାରତ ଏକ ଗାଣତନ୍ତ୍ରିକ ସାଧାରଣତନ୍ତ୍ର ଭାବେ ସୁଶାସିତ ହୋଇପାରିବ ବୋଲି ଭରସାର ସହ କାମ କରୁଥିବ ଏବଂ ନିର୍ଧନମାନେ ସେଭଳି ଯଥାର୍ଥତାକୁ କଦାପି ଅସ୍ବୀକାର କରିବେନି।’

ସମ୍ବନ୍ଧିତ ଖବର