ସରଳ ବିଚାର: ମହାନିବୃତ୍ତି-ଚାକିରିରୁ ଇସ୍ତଫାର ସୁଅ

ସରଳ କୁମାର ଦାସ

କୋଭିଡ୍‌ ମହାମାରୀର ପ୍ରକୋପ କମିବା ପରେ ଜୀବନଯାତ୍ରା ସ୍ୱାଭାବିକ ହେବାକୁ ଆରମ୍ଭ କରିବା ମାତ୍ରେ ଆମେରିକାରେ ଲକ୍ଷ ଲକ୍ଷ ସଂଖ୍ୟାରେ କର୍ମଚାରୀଙ୍କ ଚାକିରିରୁ ଇସ୍ତଫାର ସୁଅ ଛୁଟିବାକୁ ଲାଗିଲା। ହଠାତ୍ ସଂଘଟିତ ଏହି ପ୍ରକରଣକୁ ଟେକ୍‌ସାସ୍‌ ଏ ଆଣ୍ଡ୍‌ ଏମ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଆନ୍ଥୋନି କ୍ଲୋଜ୍‌ ‘ଗ୍ରେଟ୍ ରେଜିଗ୍‌ନେସନ୍’ ଭାବେ ଅଭିହିତ କଲେ, ଯାହାକୁ ‘ମହାନିବୃତ୍ତି’ ବୋଲି କୁହାଯାଇପାରେ। କର୍ମଚାରୀମାନେ ସେମାନଙ୍କ ଜୀବିକା-ଯାତ୍ରା (କ୍ୟାରିଅର୍‌)ର ପୁନଃ ମୂଲ୍ୟାୟନ କରି ଏକକାଳୀନ ଏତେ ସଂଖ୍ୟାରେ ଇସ୍ତଫା ଦେବାର ନିଷ୍ପତ୍ତି ଗ୍ରହଣ କରୁଥିବାରୁ ତା’ର ବଡ଼ ଧରଣର କୁପ୍ରଭାବ କମ୍ପାନିଗୁଡ଼ିକ ଉପରେ ପଡ଼ିବାକୁ ଲାଗିଲା। ଏହି ପରିସ୍ଥିତି ଉତ୍ପନ୍ନ ହେବାର କାରଣ ଏବଂ ଭାରତ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ପର୍ଯ୍ୟାଲୋଚନା କରାଯାଇପାରେ।

ମହାମାରୀ ସମୟରେ ବ୍ୟାପକ ଲକ୍‌ଡାଉନ୍‌ ଯୋଗୁଁ ଅଧିକାଂଶ କମ୍ପାନି କ୍ଷତିର ସମ୍ମୁଖୀନ ହେଲେ ଓ ଲକ୍ଷ ଲକ୍ଷ ଲୋକଙ୍କୁ ଚାକିରି ହରାଇବାକୁ ପଡ଼ିଥିଲା। ତେବେ ଆମେରିକାର ଶ୍ରମ ପରିସଂଖ୍ୟାନ ବ୍ୟୁରୋ ଦ୍ୱାରା ଜାରି ହୋଇଥିବା ଜୋଲଟସ୍ (ଜବ୍‌ ଓପନିଙ୍ଗସ୍‌ ଆଣ୍ଡ୍‌ ଜବ୍‌ ଟର୍ଣ୍ଣଓଭର ସର୍ଭେ) ରିପୋର୍ଟ ଅନୁଯାୟୀ ସେଠାରେ କୋଭିଡ୍‌ ପ୍ରକୋପ କମିବା ପରେ ୨୦୨୧ରେ ମାସିକ ହାରାହାରି ୩୯.୮୦ ଲକ୍ଷ ଲୋକ ଚାକିରିରୁ ସ୍ୱତଃ ଇସ୍ତଫା ପ୍ରଦାନ କରିଛନ୍ତି। ଏହି ସଂଖ୍ୟା ନଭେମ୍ୱରରେ ସର୍ବାଧିକ ୪୫.୩୦ ଲକ୍ଷ ହୋଇଥିଲା। ଫଳରେ ସେଠାରେ ୧.୧୩ କୋଟି ରିକ୍ତ ପଦ ସୃଷ୍ଟି ହୋଇ ଆମେରିକାର ଶ୍ରମ ବଜାରରେ ଏକ ଭିନ୍ନ ଧରଣର ଅସ୍ଥିରତାର ବାତାବରଣ ସୃଷ୍ଟି ହେଲା। ଇସ୍ତଫା ଦେଉଥିବା କର୍ମଚାରୀଙ୍କ ସଂଖ୍ୟା ପ୍ରାକ୍-କୋଭିଡ୍‌ କାଳ ତୁଳନାରେ ୨୩ ପ୍ରତିଶତ ଅଧିକ ହୋଇଛି। ମହାନିବୃତ୍ତି ଯୋଗୁଁ ଶ୍ରମର ଚାହିଦାରେ ଯଥେଷ୍ଟ ବୃଦ୍ଧି ଘଟିଛି ଏବଂ କୁଶଳୀ ଓ ପ୍ରତିଭାସମ୍ପନ୍ନ ଶ୍ରମଶକ୍ତିକୁ ଆକୃଷ୍ଟ କରିବା ପାଇଁ ନିଯୁକ୍ତିଦାତାମାନେ ଅଧିକ ପାରିଶ୍ରମିକ ଦେବାକୁ ବାଧ୍ୟ ହେଉଛନ୍ତି। କିଛି କର୍ମଚାରୀ ଅନ୍ୟ କମ୍ପାନି ଦେଉଥିବା ଅଧିକ ଦରମା ଓ ଉନ୍ନତ ଚାକିରି ସର୍ତ୍ତାବଳୀରେ ଆକୃଷ୍ଟ ହୋଇ ଚାକିରିରୁ ଇସ୍ତଫା ଦେଉଛନ୍ତି। ଶ୍ରମ ବଜାରରେ ରିକ୍ତ ପଦ ସଂଖ୍ୟା ଅଧିକ ଥିବା ଯାଏଁ ଏହି ଧରଣର ମହାନିବୃତ୍ତି ଲାଗି ରହିଥିବ।
ଏହି ମହାନିବୃତ୍ତି ପଛରେ ଅନେକ କାରଣ ଥିଲେ ମଧ୍ୟ ଗୋଟିଏ କଥା ସ୍ପଷ୍ଟ ଯେ କର୍ମଚାରୀମାନେ ଆଉ ସେମାନଙ୍କୁ ମିଳୁଥିବା ଦରମା ଓ ଚାକିରି ସର୍ତ୍ତାବଳୀରେ ସନ୍ତୁଷ୍ଟ ନୁହନ୍ତି। ଲୋକମାନେ ଯେ ଘରେ ବସି ରହିବା ଲାଗି ଚାକିରି ଛାଡ଼ି ଦେଉଛନ୍ତି, ତାହା ନୁହେଁ। ମହାମାରୀ ଅନେକ ଲୋକଙ୍କୁ ସେମାନଙ୍କ କାମ ଓ ଅଗ୍ରାଧିକାରଗୁଡ଼ିକର ପୁନଃ ମୂଲ୍ୟାୟନ କରି ସେମାନେ କ’ଣ କରିବାକୁ ଚାହାନ୍ତି ତାହା ସୁସ୍ଥ ମନରେ ଚିନ୍ତା କରିବା ଲାଗି ଅବକାଶ ସୃଷ୍ଟି କରିଛି। ତନ୍ମଧ୍ୟରେ କିଛି ଲୋକଙ୍କ ଭଲ ଚାକିରି ପାଇବା ଲାଗି ପ୍ରଚେଷ୍ଟା, ନିଜ ବ୍ୟବସାୟ ଆରମ୍ଭ କରିବାର ଆଗ୍ରହ, ପିଲାଙ୍କ ଯତ୍ନ ନେବା ବା ସେମାନଙ୍କ ସ୍କୁଲ ରୁଟିନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଚେଷ୍ଟା କରିବା ଆଦି ଅନ୍ତର୍ଭୁକ୍ତ। ‘କାର୍ଯ୍ୟମୁକ୍ତ’ ଭାବେ ଯେ ଜୀବନ ଜିଇ ହୁଏ, ତାହା ବି ଲକ୍‌ଡାଉନ୍‌ ଯୋଗୁଁ ଅନେକେ ଶିଖିଗଲେ। ଫଳରେ ଚାକିରିକୁ ଅଧିକ ଗୁରୁତ୍ୱ ଦେଇ ନିଜ ନିଜ ସଉକକୁ ଅଣଦେଖା କରିଆସିଥିବା କିଛି ଲୋକ ସେଗୁଡ଼ିକୁ ଚରିତାର୍ଥ କରିବା ପାଇଁ ବି ମନୋନିବେଶ କରୁଛନ୍ତି। କିଛି ଲୋକଙ୍କ ନିକଟରେ ବେଶ ଭଲ ସଞ୍ଚୟ ଥିବାରୁ ସେମାନେ ସେମାନଙ୍କ ଚାକିରି ସମ୍ପର୍କରେ ପୁନର୍ବିବେଚନା କରିବାକୁ ସମର୍ଥ ହୋଇ ବିପଦ ମୁଣ୍ଡାଇବାକୁ କୁଣ୍ଠା ପ୍ରକାଶ କରୁନାହାନ୍ତି। କିଛି ଅର୍ଥନୀତିଜ୍ଞଙ୍କ ମତରେ ଆମେରିକାର ଆର୍ଥିକ ଗତିବିଧି ପ୍ରାଣବନ୍ତ ହେଉଥିବାର ପ୍ରତ୍ୟୟ ସୃଷ୍ଟି ହେଉଥିବାରୁ କିଛି ଲୋକ ରିସ୍କ ନେବାକୁ ପଛାଉନାହାନ୍ତି, ଯାହା ଦେଶର ଅର୍ଥନୀତି ପ୍ରତି ଶୁଭଙ୍କର।

ବେକାରି ସମସ୍ୟା ଉତ୍କଟ ଥିବା ଭାରତ ଭଳି ବିକାଶଶୀଳ ଦେଶରେ ଚାକିରିରୁ ଇସ୍ତଫା ଦେବା କଥା ଚିନ୍ତା କରିବା ଏକ ଦୁଃସାହସ ବୋଲି ଗ୍ରହଣ କରାଯାଉଥିବାରୁ ମହାନିବୃତ୍ତି ଏକ ସମସ୍ୟାର ରୂପ ଧାରଣ କରିବା ଆଶଙ୍କା କ୍ଷୀଣ। ଅନ୍ୟ ପକ୍ଷରେ ଭାରତରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ଅଧିକାଂଶ ବିକଶିତ ଦେଶ ତୁଳନାରେ ଉନ୍ନତ ଓ ଶକ୍ତିଶାଳୀ ନୁହେଁ। ଉଦାହରଣ ସ୍ୱରୂପ, ଆମେରିକାରେ ଜାନୁଆରି ୨୦୨୨ରେ ମୁଣ୍ଡପିଛା ହାରାହାରି ମାସିକ ସାମାଜିକ ସୁରକ୍ଷା ରାଶି ୧୬୫୭ ଡଲାର୍‌ ବା ପ୍ରାୟ ୧.୨୪ ଲକ୍ଷ ଟଙ୍କା ମିଳୁଥିଲା ବେଳେ ଜଣେ କର୍ମଚାରୀ ସମ୍ପୂର୍ଣ୍ଣ ଚାକିରି ଅବଧି ପୂରଣ କରି ଅବସର ଗ୍ରହଣ କରିଥିଲେ ତାଙ୍କୁ ସର୍ବୋଚ୍ଚ ମାସିକ ୩୩୪୫ ଡଲାର୍‌ ବା ପ୍ରାୟ ୨.୫୦ ଲକ୍ଷ ଟଙ୍କା ମିଳିଥାଏ। ଅବଶ୍ୟ କାର୍ଯ୍ୟକାଳ ପୂରିବା ଆଗରୁ ଚାକିରି ଛାଡ଼ି ଦେଲେ ଏହି ରାଶି କମ୍‌ ମିଳୁଥିଲେ ବି ସାଧାରଣ ଭାବେ ଜୀବନଯାପନ କରିବାକୁ ତାହା ଯଥେଷ୍ଟ ହୋଇଥାଏ। ଭାରତରେ ଘରେ ବସି ରହି ଏତେ ପରିମାଣର ସହାୟତା ରାଶି ମିଳିବା କଳ୍ପନାତୀତ। ଅଧିକନ୍ତୁ ଭାରତ ତୁଳନାରେ ବିକଶିତ ଦେଶମାନଙ୍କରେ ମୁଣ୍ଡପିଛା ଆୟ ଯଥେଷ୍ଟ ଅଧିକ ହୋଇଥିବାରୁ ସେଠାରେ କର୍ମଚାରୀମାନେ ଚାକିରି କାଳରେ ଯଥେଷ୍ଟ ରାଶି ସଞ୍ଚୟ କରିବାକୁ ସମର୍ଥ ହୁଅନ୍ତି। ଭାରତରେ କର୍ମଚାରୀମାନଙ୍କ ରୋଜଗାର ପ୍ରାୟତଃ ସେମାନଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାକୁ ନିଅଣ୍ଟ ହେଉଥିବାରୁ ସଞ୍ଚୟ ପାଇଁ ରାଶି ବଳକା ରହି ନ ଥାଏ। ଚାକିରିରୁ ଇସ୍ତଫା ଦେବାର ବିଳାସିତା ସେମାନଙ୍କ ନିକଟରେ ଉପଲବ୍‌ଧ ନ ଥିବାରୁ ସେମାନେ ନିଜ ହତାଶାକୁ ମନ ଭିତରେ ଚାପି ରଖିବାକୁ ଉଚିତ ମନେ କରନ୍ତି। ଅବଶ୍ୟ ଭାରତର ଶ୍ରମଶକ୍ତିର ଏକ ନିର୍ଦ୍ଦିଷ୍ଟ ବର୍ଗ ମଧ୍ୟରେ ଏବେ ଏକ ଭିନ୍ନ ଧରଣର ଅସ୍ଥିରତା ପରିଲକ୍ଷିତ ହେଉଛି। ପ୍ରବଳ କାମ ଚାପ ଯୋଗୁଁ ଗତ ନଅ ମାସ ମଧ୍ୟରେ ରେଳବାଇରୁ ୭୭ ଜଣ ବରିଷ୍ଠ ଅଧିକାରୀ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ତା’ର ଏକ ଉଦାହରଣ ମାତ୍ର। କେତେକ ନିର୍ଦ୍ଦିଷ୍ଟ କମ୍ପାନି ଓ କ୍ଷେତ୍ରରେ କର୍ମଚାରୀଙ୍କ ଚାକିରିରୁ ଇସ୍ତଫା ହାର ଅପେକ୍ଷାକୃତ ଅଧିକ ହୋଇଛି। ‘ଆଇଟି’ ବା ‘ଟେକ୍’ କମ୍ପାନିଗୁଡ଼ିକ କ୍ଷେତ୍ରରେ ଏହା ସର୍ବାଧିକ। ଭାରତରେ ଶୈଶବାବସ୍ଥାରେ ଥିବା ଷ୍ଟାର୍ଟ ଅପ୍ ପରିମଣ୍ଡଳର ଦ୍ରୁତ ଅଭିବୃଦ୍ଧି ଯୋଗୁଁ କିଛି କର୍ମଚାରୀ ସେଥିପ୍ରତି ଆକୃଷ୍ଟ ହୋଇ ବା ଅନ୍ୟ କେଉଁ କମ୍ପାନିରେ ଅଧିକ ବେତନ ଓ ସୁବିଧା ସୁଯୋଗର ଅବକାଶ ପାଇ ଚାକିରି ଛାଡୁଥିଲେ ବି ସେମାନଙ୍କ ପ୍ରତିଶତ ନଗଣ୍ୟ। ଏହି କର୍ମଚାରୀମାନେ ମୁଖ୍ୟତଃ ଉଚ୍ଚ ବେତନଭୋଗୀ, ଯେଉଁମାନଙ୍କ ପାଇଁ ଆହୁରି ଅଧିକ ଆୟର ଆଶାରେ ଚାକିରି ଛାଡ଼ି ନୂଆ କିଛି କରିବାର ବିପଦ ମୁଣ୍ଡାଇବାର ପ୍ରବଣତା ଓ ସାମର୍ଥ୍ୟ ଅଧିକ ଥାଏ। ତାହା ସେମାନଙ୍କ ଦୈନନ୍ଦିନ ଚଳଣିକୁ ବିପଦଗ୍ରସ୍ତ କରି ନ ଥାଏ। ଏମାନଙ୍କୁ ଅଟକାଇ ରଖିବା ପାଇଁ ଆଇଟି ଓ ଟେକ୍ କମ୍ପାନିଗୁଡ଼ିକ ଦରମା ବଢ଼ାଇବା ଠାରୁ ଆରମ୍ଭ କରି କମ୍ପାନିର ଅଂଶଧନ (ସେୟାର) ପ୍ରଦାନ ଓ ଅନ୍ୟାନ୍ୟ ଅନେକ ସୁବିଧା ସୁଯୋଗ ପ୍ରଦାନ କରିବାକୁ କୁଣ୍ଠା ପ୍ରକାଶ କରୁନାହାନ୍ତି, କାରଣ ଅନ୍ତର୍ଜାତାୟ ସ୍ତରରେ ସେହି ଧରଣର କର୍ମଚାରୀଙ୍କ ଦରମା ଓ ଚାକିରି ସୁବିଧାମାନ ଆନୁପାତିକ ଭାବେ ଯଥେଷ୍ଟ ବୃଦ୍ଧି ପାଇସାରିଛି। ଅନ୍ୟ ପକ୍ଷରେ ଅନ୍ୟାନ୍ୟ କମ୍ପାନିଗୁଡ଼ିକରେ ଓ ନିମ୍ନ ବେତନଭୋଗୀ କର୍ମଚାରୀଙ୍କ ଆଡୁ ଚାକିରି ଛାଡ଼ି ଯିବାର ଭୟ ଅନୁଭୂତ ହେଉ ନ ଥିବାରୁ ସେମାନଙ୍କ ଦରମା ବଢ଼ାଇବା ବା ଚାକିରି ସର୍ତ୍ତାବଳୀରେ ସୁଧାର ଆଣିବା ପାଇଁ ଅନୁକମ୍ପା ପ୍ରଦର୍ଶନ ହେବା ପରିଲକ୍ଷିତ ହେଉନାହିଁ। ତେବେ ନିମ୍ନ ବେତନଭୋଗୀ କର୍ମଚାରୀମାନେ ସେମାନଙ୍କ ଦକ୍ଷତାକୁ ବଢ଼ାଇ ଅଧିକ କୁଶଳୀ ହେଲେ ଓ ଆର୍ଥିକ ଦୃଷ୍ଟିରୁ ଅପେକ୍ଷାକୃତ ସ୍ୱଚ୍ଛଳ ହେଲେ ସେମାନେ ମଧ୍ୟ ନିଜ ରୋଜଗାର ବଢ଼ାଇବା ଲାଗି ଚାକିରି ଛାଡ଼ି କମ୍ପାନି ବଦଳାଇବାର ବିପଦକୁ ମୁଣ୍ଡାଇ ପାରନ୍ତି। ଭାରତରେ ମଧ୍ୟ ନିର୍ଦ୍ଦିଷ୍ଟ କିଛି କ୍ଷେତ୍ରରେ ନିମ୍ନ ବେତନଭୋଗୀ କର୍ମଚାରୀଙ୍କ ମଧ୍ୟରେ ଘନଘନ କମ୍ପାନି ବଦଳାଇବାର ପ୍ରବୃତ୍ତି ପରିଲକ୍ଷିତ ହେଉଛି। କର୍ମଚାରୀମାନେ ଅଧିକ କୁଶଳୀ ହୋଇ କମ୍ପାନିଙ୍କ ପାଇଁ ଅପରିହାର୍ଯ୍ୟ ସାବ୍ୟସ୍ତ ହେଲେ ସେମାନଙ୍କ ଠାରେ ଚାକିରି ବଦଳାଇବାର ପ୍ରବଣତା ଅଧିକ ବୃଦ୍ଧି ପାଇବ। ସେତେବେଳେ ସେମାନଙ୍କୁ ଧରି ରଖିବା ପାଇଁ କମ୍ପାନିଗୁଡ଼ିକ ମଧ୍ୟ ସେମାନଙ୍କ ଚାକିରି ସର୍ତ୍ତାବଳୀକୁ ଅଧିକ ଆକର୍ଷଣୀୟ କରିବାକୁ ପଛାଇବେ ନାହିଁ।

ଶିଳ୍ପ ବିପ୍ଳବ ପରେ ମାଲିକ-ଶ୍ରମିକ ମଧ୍ୟରେ ସମ୍ପର୍କ ଦୀର୍ଘଦିନ ଧରି ଗତାନୁଗତିକ ଭାବେ ଗୋଟିଏ ଧାରାରେ ଚାଲି ଆସିଥିବା ବେଳେ ଏଇ କିଛି ବର୍ଷ ମଧ୍ୟରେ ତାହା ତିନିଟି ପର୍ଯ୍ୟାୟରେ ଗତି କରି ସେଥିରେ ପରିବର୍ତ୍ତନ ପରିଲକ୍ଷିତ ହେଲାଣି। ପ୍ରାଥମିକ ପର୍ଯ୍ୟାୟର ଶିଳ୍ପ ବିପ୍ଳବରେ ଶ୍ରମିକ ବା କର୍ମଚାରୀଙ୍କ ପାଇଁ ଚାକିରି ଖଣ୍ଡିଏ ପାଇବା ହିଁ ଥିଲା ସବୁ କିଛି, କାରଣ ତାହା ହିଁ ସେମାନଙ୍କ ସର୍ବନିମ୍ନ ମୌଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଥିଲା ଜରୁରୀ। ମାଲିକ ସେମାନଙ୍କ ପ୍ରତି ଦୁର୍ବ୍ୟବହାର କଲେ ମଧ୍ୟ ‘ମାଲିକ ହିଁ ସବୁବେଳେ ଠିକ୍’ ସିଦ୍ଧାନ୍ତକୁ ଗ୍ରହଣ କରି ସେମାନେ ନିଜେ ଚାକିରି ଛାଡ଼ିବା କଥା ମନକୁ ଆଣୁ ନ ଥିଲେ। ଥରେ ଜଣେ ଗୋଟିଏ ଚାକିରିରେ ଭର୍ତ୍ତି ହୋଇଗଲେ ଅବସର ନେବା ପର୍ଯ୍ୟନ୍ତ ଚାକିରି ଛାଡ଼ି ଅନ୍ୟ କେଉଁଠିକୁ ଯିବା କଥା ଆଉ ମନକୁ ଆଣୁ ନ ଥିଲେ। ଅନେକେ ଏହାକୁ ସେମାନଙ୍କର କମ୍ପାନି ପ୍ରତି ଆନୁଗତ୍ୟ ବୋଲି କହୁଥିଲେ ବି ସେମାନଙ୍କ ମଧ୍ୟରେ ଥିବା ଅସୁରକ୍ଷାର ଭାବନା ଓ ବିକଳ୍ପହୀନତା ସେମାନଙ୍କୁ ଏପରି ଆଚରଣ କରିବାକୁ ଏକ ପ୍ରକାର ବାଧ୍ୟ କରୁଥିଲା। ସୂଚନା ବିପ୍ଳବର ଦ୍ୱିତୀୟ ପର୍ଯ୍ୟାୟରେ କର୍ମଚାରୀଟିଏ ଆଉ କେବଳ ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ଚାକିରି କଲା ନାହିଁ। ବରଂ ଜୀବନଧାରଣର ମାନ (ଷ୍ଟାଣ୍ଡାର୍ଡ ଅଫ୍‌ ଲିଭିଙ୍ଗ) ବୃଦ୍ଧି ଲାଗି ଚାକିରି କରିବା ତା’ର ପ୍ରାଥମିକତାର ଅଂଶବିଶେଷ ହେଲା। ବର୍ତ୍ତମାନ ଚାଲିଥିବା ତୃତୀୟ ପର୍ଯ୍ୟାୟର ଡିଜିଟାଲ ବିପ୍ଳବରେ ସାମାଜିକ କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ହେଉଥିବାରୁ କର୍ମଚାରୀଟିଏ ଏବେ ଜୀବନର ମାନ (କ୍ୱାଲିଟି ଅଫ ଲାଇଫ) ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଆରମ୍ଭ କଲାଣି। ଏଥି ପୂର୍ବରୁ କେହି ଗୋଟିଏ ସଂସ୍ଥାରେ ଚାକିରି କଲେ ସେ ଦିନର ଚବିଶ ଘଣ୍ଟା ଲାଗି ସେହି ସଂସ୍ଥାର କର୍ମଚାରୀ ବୋଲି ଧରି ନିଆଯାଉଥିଲା। ଅର୍ଥାତ୍ ତା’ର ବ୍ୟକ୍ତିଗତ ଜୀବନ, ସଉକ ଇତ୍ୟାଦି ସଂସ୍ଥାର ଆବଶ୍ୟକତା ଆଗରେ ଗୌଣ ହୋଇଯାଉଥିଲା। ବର୍ତ୍ତମାନ ସେଥିରେ ପରିବର୍ତ୍ତନ ହେବା ଆରମ୍ଭ ହୋଇଛି। ସେମାନେ ଆଉ ସଂସ୍ଥାର ଚବିଶ ଘଣ୍ଟିଆ କର୍ମଚାରୀ ଭାବେ ପରିଗଣିତ ହୋଇ ଚାପଗ୍ରସ୍ତ ହେବାକୁ ପ୍ରସ୍ତୁତ ନୁହନ୍ତି। ସେମାନେ ଚାକିରି ସହିତ, ସେମାନଙ୍କ ପାରିବାରିକ ଓ ସାମାଜିକ ଜୀବନକୁ ଗୁରୁତ୍ୱ ଦେଲେଣି ଓ ଏଯାବତ୍ ଅଣଦେଖା କରି ଆସିଥିବା ବ୍ୟକ୍ତିଗତ ସଉକକୁ ଚରିତାର୍ଥ କରିବା ଲାଗି ତତ୍ପର ହେଲେଣି। ଅନେକଙ୍କ କ୍ଷେତ୍ରରେ କୋଭିଡ୍‌ ସମୟରେ ଘରେ ରହି କାମ କଲା ବେଳେ ସେମାନଙ୍କର ଏହି ଉପଲବ୍‌ଧି ଚରମରେ ପହଞ୍ଚିସାରିଛି। କର୍ମଚାରୀଙ୍କ ପରିବର୍ତ୍ତିତ ଆବଶ୍ୟକତାକୁ ପୂରଣ କରିବା ଲାଗି ନମନୀୟତା ପ୍ରଦର୍ଶନ କରିବା ବ୍ୟତୀତ କମ୍ପାନିଗୁଡ଼ିକଙ୍କ ନିକଟରେ ଅନ୍ୟ ବିକଳ୍ପ ଥିଲା ପରି ଜଣାପଡୁନାହିଁ। ଆଗାମୀ ଦିନରେ ଭାରତରେ ନିମ୍ନ ବେତନଭୋଗୀଙ୍କ ମଧ୍ୟରେ ଏହି ଉପଲବ୍‌ଧି ବୃଦ୍ଧି ପାଇଲେ ଚାକିରି ଛାଡ଼ିବା ହୁଏ’ତ ସାଧାରଣ କଥାରେ ପରିଣତ ହୋଇପାରେ।

ଆମେରିକାରେ ‘ମହାନିବୃତ୍ତି ପ୍ରକରଣ’ଟି ବିପୁଳ ସମ୍ପତ୍ତି (ନେଟ୍‌ୱର୍ଥ) ଥିବା ବଡ଼ ବଡ଼ କମ୍ପାନିଗୁଡିକୁ ମଧ୍ୟ ମାନବ ସମ୍ୱଳର ସୁପରିଚାଳନା ନେଇ ଚିନ୍ତିତ କରି ସେମାନଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ କାର୍ଯ୍ୟ କରିଛି। ଯେ କୌଣସି କମ୍ପାନିର ଅଗ୍ରଗତିରେ କୁଶଳୀ ଓ ପ୍ରତିଭାସମ୍ପନ୍ନ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେମାନଙ୍କୁ ଧରି ରଖିବା କମ୍ପାନି ପାଇଁ ଜରୁରୀ ହୋଇପଡ଼େ। ସେଭଳି କର୍ମଚାରୀଙ୍କ ନିକଟରେ ସୁଯୋଗର ଅଭାବ ନ ଥିବାରୁ କମ୍ପାନି ପ୍ରତି କର୍ମଚାରୀଙ୍କ ଆନୁଗତ୍ୟକୁ ଆଉ ହାଲୁକାରେ ଧରି ନେଇ ହେବନାହିଁ। କର୍ମଚାରୀଙ୍କ ଦରମା ଓ ଚାକିରି ସର୍ତ୍ତାବଳୀକୁ ଯଦି ଆକର୍ଷଣୀୟ ଓ ନମନୀୟ କରି ରଖା ନ ଯାଏ ତେବେ କୁଶଳୀ କର୍ମଚାରୀଟିଏ ଚାକିରି ଛାଡ଼ିବା ନିଷ୍ପତ୍ତି ନେଇଯାଇପାରେ। ଏକକାଳୀନ ବହୁ ସଂଖ୍ୟାରେ କର୍ମଚାରୀ ଚାକିରି ଛାଡ଼ିବାକୁ ଆଗେଇ ଆସିଲେ ତାହା ମହାନିବୃତ୍ତିର ରୂପ ଧାରଣ କରି ନିର୍ଦ୍ଦିଷ୍ଟ କମ୍ପାନି ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ତେଣୁ ଏଥିରୁ ସବୁ କଂପାନି ଓ ତାର ପରିଚାଳକମାନେ ଶିକ୍ଷାଲାଭ କରିବା ଉଚିତ।
ମୋ- ୯୪୩୭୦୩୮୦୧୫

ସମ୍ବନ୍ଧିତ ଖବର