ପରିପୁଷ୍ଟ ଶୈଶବ

ନିବେଦିତା ପଟ୍ଟନାୟକ

ରାୟଗଡ଼ା ଜିଲ୍ଲାର ରାମନାଗୁଡ଼ା ବ୍ଲକ୍ ଅନ୍ତର୍ଗତ ପୋଦଲପଦର ଗାଁର ଏକ ଜନଜାତି ପରିବାରର ବୋହୂ ମଞ୍ଜୁଳା ସେହି ନିପଟ ପଲ୍ଲୀ ଅଞ୍ଚଳରେ ସନ୍ତାନ ପାଳନର ପୁରୁଣା ପ୍ରଥାକୁ ଛାଡ଼ି ନୂଆ ଜ୍ଞାନକୁ ଗ୍ରହଣ କରି ଗାଁ ଲାଗି ଏକ ଉଦାହରଣ ପାଲଟି ଯାଇଛନ୍ତି। ନବଜାତ ଶିଶୁଙ୍କୁ କୁପୋଷଣଜନିତ ସ୍ବାସ୍ଥ୍ୟ ହାନି ବା ମୃତ୍ୟୁ ମୁଖରୁ ରକ୍ଷା କରିବା ନିମନ୍ତେ ସରକାରଙ୍କ ଦ୍ୱାରା ‘ଆଇୱାଇସିଏଫ୍‌’ (infant young child feeding) କାର୍ଯ୍ୟକ୍ରମର ପ୍ରଚଳନ କରାଯାଇଛି। ଏଥିରେ ଶିଶୁମାନଙ୍କ ଉଚିତ ପ୍ରତିପାଳନ ସମ୍ବନ୍ଧରେ ଶିଶୁ ବିକାଶ ଯୋଜନା ମାଧ୍ୟମରେ ମା’ମାନଙ୍କୁ ସଚେତନ କରାଯାଉଛି। କିନ୍ତୁ ଗାଁ ଗହଳିରେ ଅନେକ ମା’ ଶିଶୁ ପାଳନ ସମ୍ବନ୍ଧରେ ପୂର୍ବରୁ ରହି ଆସିଥିବା ବିଭ୍ରାନ୍ତିିକର ଧାରଣାକୁ ଅନୁସରଣ କରୁଥିବା ସ୍ଥଳେ ମଞ୍ଜୁଳା ବିଜ୍ଞାନସମ୍ମତ ଆଧୁନିକ ଜ୍ଞାନକୁ ଗ୍ରହଣ କରି ଏକ ବ୍ୟତିକ୍ରମ ରୂପେ ଉଭା ହୋଇଛନ୍ତି। ତେଣୁ ଶିଶୁଟି ଆଜି ହୃଷ୍ଟପୁ‌ଷ୍ଟ ହୋଇ ବଢୁଛି।
ଭାରତରେ ଶିଶୁର ସ୍ୱାସ୍ଥ୍ୟ ବିକାଶ ପାଇଁ କେବଳ ସ୍ତନ୍ୟପାନ ଉପରେ ଗୁରୁତ୍ୱ ଦିଆଯାଏ। ଅଧିକାଂଶ ଅଧ୍ୟୟନ ଯଥାଶୀଘ୍ର ସ୍ତନ୍ୟପାନ, ଛଅ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରିଥାଏ। କିନ୍ତୁ ପିଲାକୁ ଛଅ ମାସ ପରେ ମା’ କ୍ଷୀର ସହ ପରିପୂରକ ଓ ବିବିଧତାଭରା ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ। ଯଦିଓ ୨୦୧୫-୧୬ ମସିହାରେ ୬ ମାସରୁ ୨୩ ମାସ ପର୍ଯ୍ୟନ୍ତ ବୟସର ଶିଶୁଙ୍କ ମଧ୍ୟରୁ ପର୍ଯ୍ୟାପ୍ତ ଖାଦ୍ୟ ପାଉଥିବା ଶିଶୁଙ୍କ ହାର ୮.୫% ଥିଲା, ୨୦୨୦- ୨୧ରେ ଏହା ୨୦.୪%କୁ ବୃଦ୍ଧି ପାଇଛି। ଏହା ସତ୍ତ୍ବେ ଏହା ସନ୍ତୁଷ୍ଟି ପ୍ରଦାନ କରି ନ ଥାଏ। ଏହି ବୟସ ବର୍ଗର ଶିଶୁମାନଙ୍କ ମାନସିକ, ଶାରୀରିକ, ବୌଦ୍ଧିକ ବିକାଶ ଏକ ପରିପୂର୍ଣ୍ଣ ଆହାର ଉପରେ ନିର୍ଭର କରୁଥିବାରୁ ଏକ ବୃହଦାଂଶ ଶିଶୁ ଏଥିରୁ ବଂଚିତ ବୋଲି ଜାଣିହୁଏ।

ଏହି ବୟସର ଶିଶୁଙ୍କୁ ଚାରି କିମ୍ବା ଅଧିକ ପ୍ରକାରର ଖାଦ୍ୟ ଖୁଆଇବା ଆବଶ୍ୟକ, ଯହିଁରେ ଶସ୍ୟ, ମୂଳ, ଡାଲି ଓ ମଞ୍ଜି ଜାତୀୟ ଖାଦ୍ୟ, ଦୁଗ୍ଧ ଜାତୀୟ ଦ୍ରବ୍ୟ, ଅଣ୍ଡା, ଭିଟାମିନ୍ ଇ ଯୁକ୍ତ ଫଳ ଓ ପନିପରିବା ଅନ୍ତର୍ଭୁକ୍ତ। ଶିଶୁକୁ ଛଅ ମାସ ହେବା ପରେ ବିଭିନ୍ନ ପ୍ରକାର ଖାଦ୍ୟ ଖୁଆଇବା ଏବଂ ବୟସ ଅନୁପାତରେ ଖାଦ୍ୟର ପରିମାଣ ବୃଦ୍ଧି କରିବା ଜରୁରୀ। ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର ଏବଂ ସିଡିପିଓଙ୍କ ଦକ୍ଷତା ବୃଦ୍ଧି କରି ସ୍ଥାନୀୟ ଭାବରେ ମିଳୁଥିବା ଦ୍ରବ୍ୟରୁ ପ୍ରସ୍ତୁତ ପୁଷ୍ଟିକର ଖାଦ୍ୟ ଶିଶୁଙ୍କୁ ଦିଆଯିବା ଉଚିତ।
ଏ ସମସ୍ତ ତଥ୍ୟ ଜାଣିବା ପରେ ମଞ୍ଜୁଳା ନିଜ ଶିଶୁକୁ ମାଣ୍ଡିଆ ଚକୁଳି, ଖେଚଡ଼ି, ସୁଆଁଖିରି, କାନ୍ଦୁଲ ଡାଲିରେ କଞ୍ଚା କଦଳୀ, ଅମୃତଭଣ୍ଡା ପକାଇ ଡାଲମା, ପାଚିଲା ଅମୃତଭଣ୍ଡା, ପିଜୁଳି ଇତ୍ୟାଦି ଫଳ ଖାଇବାକୁ ଦେଉଛି। ଏପରିକି ଘରେ ବଡ଼ମାନଙ୍କ ପାଇଁ ରନ୍ଧାଯାଉଥିବା ଭାତ, ଡାଲି, ତରକାରୀ ବି ପୁଅକୁ ଖାଇବାକୁ ଦେଉଛି। ଖେଚଡ଼ି ବା ଡାଲି ସବୁଥିରେ ସଜନା ଶାଗ ପକାଇବାକୁ ଭୁଲୁନାହିଁ।

ଏହାକୁ ପରିବାରର ବଡ଼ମାନେ ବା ତା’ର ସାଙ୍ଗମାନେ ବିରୋଧ କରୁଥିଲେ। କହୁଥିଲେ ଯେ ପୁଅର ଦେହ ଖରାପ ହେବ। କିନ୍ତୁ ଏବେ ତା’ର ପୁଅ ନିଜ ସ୍ବାସ୍ଥ୍ୟ ଓ ଚଳଚଞ୍ଚଳତାରେ ଅନ୍ୟମାନଙ୍କୁ ବଳି ଯାଇଛି। ଏଣୁ ଏବେ ଗାଁର ଅନ୍ୟ ମହିଳାମାନେ ମଞ୍ଜୁଳାକୁ ଅନୁସରଣ କଲେଣି। ଏକ ନିପଟ ପଲ୍ଲୀ ଗାଁରେ ପରିପୁଷ୍ଟ ଶୈଶବ ଲାଗି ମାର୍ଗ ଦେଖାଇଛନ୍ତି ମଞ୍ଜୁଳା।
[email protected]

ସମ୍ବନ୍ଧିତ ଖବର