ବାଲ୍ୟ ବିବାହ ବିରୋଧରେ ଏକ ଅତ୍ୟନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସ˚ପ୍ରତି ଆସାମ ସରକାରଙ୍କ ଦ୍ବାରା କରାଯାଇଥିବା ବ୍ୟାପକ ଗିରଫଦାରି ପ୍ରକ୍ରିୟା କେବଳ ଯେ ସମସ୍ତଙ୍କୁ ଚକିତ କରିଛି, ତାହା ନୁହେଁ; ଏଭଳି ଏକ ପଦକ୍ଷେପ ପଛରେ ନିହିତ ମହତ୍ ଉଦ୍ଦେଶ୍ୟକୁ ହୃଦୟଙ୍ଗମ କରାଯାଉଥିବା ସତ୍ତ୍ବେ ଏହାର କ୍ରୂରତା ତୀବ୍ର ସମାଲୋଚନାର ଶରବ୍ୟ ହେବାରେ ଲାଗିଛି। ସ˚ପ୍ରତି ଆସାମରେ ବିଜେପି ନେତୃତ୍ବାଧୀନ ସରକାର କ୍ଷମତାସୀନ ଥିବାରୁ ଏଭଳି ନିଷ୍ପତ୍ତି ମୂଳରେ ଏକ ସା˚ପ୍ରଦାୟିକ ଅଭିସନ୍ଧି ବିଦ୍ୟମାନ ଥିବା ବିଷୟ ନେଇ ମଧୢ ଅଭିଯୋଗମାନ ଶୁଣାଯିବାରେ ଲାଗିଛି। ବିନା ଦ୍ବିଧାରେ କୁହାଯାଇପାରେ ଯେ ବାଲ୍ୟ ବିବାହ ପ୍ରଥା ଏକ ସାମାଜିକ ଅଭିଶାପ, ଯେଉଁ କଥା ଆସାମର ମୁଖ୍ୟମନ୍ତ୍ରୀ ନିଜ ଟୁଇଟ୍ରେ କହିଛନ୍ତି ଏବ˚ ତାହାର ମୂଳୋତ୍ପାଟନ ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି। ବାସ୍ତବତାଟି ହେଲା, ୧୯୨୯ ମସିହାରୁ ବାଲ୍ୟ ବିବାହ ପ୍ରଥାକୁ ଆଇନତଃ ନିଷେଧ କରାଯାଇଥିଲେ ମଧୢ ଅଦ୍ୟାପି ଏହା ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଅତି ସନ୍ତର୍ପଣରେ ଜୀବିତ ରହିଛି। ତେଣୁ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ ଏଭଳି ଏକ ବେଆଇନ କୁପ୍ରଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ବିବାଦ ସୃଷ୍ଟି କରିବାରେ ଲାଗିଛି କାହିଁକି? ଏହି ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ଏ ସ˚ଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଉଲ୍ଲେଖଯୋଗ୍ୟ ଯେ ଗଲା ୩ ତାରିଖରୁ ପ୍ରାରମ୍ଭ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନରେ ମୋଟ ୩,୦୪୭ ଜଣଙ୍କୁ ଗିରଫ କରାଯିବା ସହିତ ୪,୨୩୭ଟି ମାମଲା ରୁଜୁ କରାଯାଇସାରିଲାଣି ଏବ˚ ୬,୭୦୭ ଜଣ ଅଭିଯୁକ୍ତ ପୁଲିସ ଦ୍ବାରା ଚିହ୍ନଟ ହୋଇ ସାରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନର ଶିକାରଙ୍କ ମଧୢରେ ଅନ୍ତର୍ଭୁକ୍ତ ଅଛନ୍ତି ବାଲ୍ୟ ବିବାହ କରିଥିବା ଦ˚ପତି ଓ ସେମାନଙ୍କ ଅଭିଭାବକଙ୍କ ପରିବାର। କହିବା ବାହୁଲ୍ୟ ଯେ ସନ୍ତାନସନ୍ତତିଙ୍କ ସହିତ ଏକ ଗତାନୁଗତିକ ଜୀବନ ଅତିବାହିତ କରୁଥିବା ଏହି ପରିବାରଗୁଡ଼ିକ ଉପରେ ବିନା ମେଘେ ବଜ୍ରପାତ ସଦୃଶ ଅତର୍କିତ ଆକ୍ରମଣ ଏଭଳି ଭୟ ଓ ଅବିଶ୍ବାସର ବାତାବରଣ ସୃଷ୍ଟି କରିଛି ଯେ ମାତ୍ର ତିନି ମାସ ପୂର୍ବରୁ ବିବାହ କରିଥିବା ଦକ୍ଷିଣ ସାଲମର-ମନକଚର ଜିଲ୍ଲାର ଜଣେ ବାଳିକା ଆତ୍ମହତ୍ୟା କରିଥିବାର ସମ୍ବାଦ ଗଣମାଧୢମରେ ପ୍ରକାଶିତ ହୋଇଛି। କେବଳ ସେତିକି ନୁହେଁ, ଗିରଫ ହୋଇଥିବା ଅଧିକା˚ଶ ବ୍ୟକ୍ତି ହେଉଛନ୍ତି ବାଲ୍ୟ ବିବାହ କରିଥିବା ପୁରୁଷ, ଯେଉଁମାନେ ନିଜ ପରିବାରର ଏକମାତ୍ର ଉପାର୍ଜନକାରୀ ସଦସ୍ୟ। ଯେଉଁ ଆଇନ ଦ୍ବୟ ବଳରେ ଏଭଳି କାର୍ଯ୍ୟାନୁଷ୍ଠାନ କରାଯାଇଛି, ସେଗୁଡ଼ିକ ହେଲେ ‘ପ୍ରିଭେନ୍ସନ୍ ଅଫ୍ ଚାଇଲ୍ଡ ମ୍ୟାରେଜ୍ ଆକ୍ଟ-୨୦୦୬’ ବା ‘ପି.ସି.ଏମ୍.ଏ.’ ଅର୍ଥାତ୍ ‘ବାଲ୍ୟ ବିବାହ ନିରୋଧକ ଆଇନ’ ଏବ˚ ‘ପ୍ରୋଟେକ୍ସନ୍ ଅଫ୍ ଚିଲଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସେସ୍ ଆକ୍ଟ-୨୦୧୨’ ବା ‘ପୋକ୍ସୋ’ ଅର୍ଥାତ୍ ‘ଯୌନ ଶୋଷଣରୁ ଶିଶୁ ସୁରକ୍ଷା ଆଇନ’; ଏବ˚ ‘ପୋକ୍ସୋ’ ଆଇନ ଅନୁସାରେ ‘ବୟଃପ୍ରାପ୍ତି ପୂର୍ବରୁ ସ୍ଥାପିତ ଯୌନ ସ˚ସର୍ଗକୁ ଦୁଷ୍କର୍ମର ଆଖ୍ୟା ପ୍ରଦାନ କରାଯାଇଥାଏ, ଯାହା ଅତ୍ୟନ୍ତ କଠୋର ଏବ˚ ତହିଁରେ ଜାମିନର ବ୍ୟବସ୍ଥା ନ ଥାଏ। ଆସାମର କାର୍ଯ୍ୟାନୁଷ୍ଠାନରେ ୧୪ ବର୍ଷ ବୟସରୁ କମ୍ ବୟସ୍କା କନ୍ୟାମାନଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ପୁରୁଷମାନଙ୍କୁ ଏହି ଅତ୍ୟନ୍ତ କଠୋର ‘ପୋକ୍ସୋ’ ଆଇନ ବଳରେ ଗିରଫ କରାଯାଇଛି, ଯାହାର ଯଥାର୍ଥତାକୁ ଗୌହାଟୀ ଉଚ୍ଚ ଅଦାଲତ ପ୍ରଶ୍ନ କରିବା ସହିତ ଏହା ଦ୍ବାରା ଏକ ହାହାକାରମୟ ପରିସ୍ଥିତି ସୃଷ୍ଟି ହେବା ନେଇ ସତର୍କ କରାଇ ଦେଇଛନ୍ତି। ଏଭଳି ଏକ ସ୍ଥିତିର ସଂକେତ ମିଳିଥାଏ, ଯେତେବେଳେ ଛୁଆପିଲାଙ୍କ ସହିତ ଅନେକ ଅସହାୟ ମହିଳା ସେମାନଙ୍କ ସ୍ବାମୀମାନଙ୍କ ତୁରନ୍ତ ଖଲାସ ଦାବିରେ ଥାନାଗୁଡ଼ିକ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି।
କୁହାଯାଇଥାଏ ଯେ ‘ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫’ ବା ‘ଏନ୍.ଏଫ୍.ଏଚ୍.ଏସ୍.-୫’ର ରିପୋର୍ଟରେ ପ୍ରଦର୍ଶିତ ବାଲ୍ୟ ବିବାହ ସ˚ଦର୍ଭରେ ଆସାମର ଦୟନୀୟ ସ୍ଥିତି ହେଉଛି ଏଭଳି କାର୍ଯ୍ୟାନୁଷ୍ଠାନ ପଛରେ ଥିବା ପ୍ରମୁଖ କାରଣ। କହିବା ଅନାବଶ୍ୟକ ଯେ ବାଲ୍ୟ ବିବାହରେ ଛନ୍ଦି ହେଉଥିବା ନାବାଳିକାମାନେ ପ୍ରାୟତଃ ଅତ୍ୟନ୍ତ ଦରିଦ୍ର ଶ୍ରେଣୀର, ଯହିଁରେ ମୁଖ୍ୟତଃ ଦଳିତ ଏବ˚ ସ˚ଖ୍ୟାଲଘୁ ମୁସଲମାନ ବର୍ଗର ଅଶିକ୍ଷିତ ଏପରିକି ନିରକ୍ଷରମାନଙ୍କୁ ଦେଖିବାକୁ ମିଳିଥାଏ। ଆସାମରେ ଏଭଳି କନ୍ୟାମାନେ ବର୍ଷ ତମାମ ଇତସ୍ତତଃ ଘୂରି ବୁଲୁଥିବା ପ୍ରବାସୀ ଶ୍ରମିକଙ୍କ ପରିବାରଗୁଡ଼ିକରୁ ଆସିଥାଆନ୍ତି, ଯେଉଁଠି ବାଳିକାମାନେ ବୟଃପ୍ରାପ୍ତି (ଋତୁ ଚକ୍ରର ପ୍ରାରମ୍ଭ) ସହିତ ପରିବାର ସକାଶେ ଚିନ୍ତା ଓ କ୍ରମେ ବୋଝରେ ପରିଣତ ହୁଅନ୍ତି, ଯେଉଁମାନଙ୍କ ସାମାଜିକ ସୁରକ୍ଷା କେବଳ ବିବାହ ଦ୍ବାରା ହିଁ ସୁନିଶ୍ଚିତ ହୋଇଥାଏ। କିନ୍ତୁ ଆଉ ଏକ ଦାରୁଣ ବାସ୍ତବତା ହେଲା ବାଲ୍ୟ ବିବାହ ହିଁ ଆମ ଦେଶର ଉଦ୍ବେଗଜନକ ପ୍ରସୂତି-ନବଜାତକ ଏବ˚ ମାତା-ଶିଶୁ ମୃତ୍ୟୁ ସ˚ଖ୍ୟା ପଛରେ ଥିବା ଏକ ବଡ଼ କାରଣ। ତେବେ, ପ୍ରଶ୍ନ ହେଲା ସାମାଜିକ-ଆର୍ଥିକ ବାଧୢବାଧକତା ଓ କେତେକ ସ୍ଥଳରେ ସା˚ସ୍କୃତିକ ଦାୟ କାରଣରୁ ସୃଷ୍ଟ ଏହି ପ୍ରଥାକୁ ବାହ୍ୟ ବଳ ପ୍ରୟୋଗ ଦ୍ବାରା ରୋକାଯାଇ ପାରିବ ନା ସଚେତନତା ସୃଷ୍ଟି, ଗର୍ଭ ନିରୋଧକର ବ୍ୟବହାର ଦିଗରେ ପ୍ରୋତ୍ସାହନ, ମହିଳାମାନଙ୍କୁ ବୃତ୍ତି ଯୋଗାଣ ତଥା ସେହି ମାଧୢମରେ ସେମାନଙ୍କ ଠାରେ ନିଷ୍ପତ୍ତି ନେବାର ସାମର୍ଥ୍ୟ ସୃଷ୍ଟି ଏବ˚ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଭାବେ ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ସେମାନଙ୍କ ଅନ୍ତର୍ଭୁକ୍ତୀକରଣ ଦ୍ବାରା ଏହାକୁ ସମ୍ଭବ କରାଯାଇପାରିବ? ‘ଏନ୍.ଏଫ୍.ଏଚ୍.ଏସ୍.-୫’ ରିପୋର୍ଟ କହିଥାଏ ଯେ କେବଳ ଶିକ୍ଷା ବ୍ୟବସ୍ଥାରେ ବାଳିକାଙ୍କ ଉପସ୍ଥିତି ଦ୍ବାରା ବାଲ୍ୟ ବିବାହର ସ˚ଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛ; ସର୍ବନିମ୍ନ ୧୦ ବର୍ଷର ବିଦ୍ୟାଳୟ ଶିକ୍ଷା ଲାଭ କରୁଥିବା ବାଳିକାମାନେ ପ୍ରାୟତଃ ବାଲ୍ୟ ବିବାହରୁ ରକ୍ଷା ପାଉଛନ୍ତି ଏବ˚ ବିପଜ୍ଜନକ କୈଶୋର ଗର୍ଭଧାରଣ ଓ ମାତୃତ୍ବରୁ ମଧୢ ନିଷ୍କୃତି ପାଉଛନ୍ତିି। କେବଳ ସେତିକି ନୁହେଁ, ଏଭଳି ଶିକ୍ଷିତା ମହିଳାଙ୍କ କ୍ଷେତ୍ରରେ ନବଜାତକ ବା ଶିଶୁ ମୃତ୍ୟୁ ହାରରେ ମଧୢ ପ୍ରାୟ ୫୦ ପ୍ରତିଶତ ହ୍ରାସ ଘଟୁଥିବା ଲକ୍ଷ୍ୟ କରାଯାଉଛି। ସୁତରା˚, ଏହି ସମସ୍ୟାର ସମାଧାନ ସକାଶେ ଆସାମ ସରକାରଙ୍କ ଦ୍ବାରା ଯେ ନୂତନ ପଦ୍ଧତି ଅବଲମ୍ବନ କରିବାକୁ ହେବ, ତାହା କୁହାଯିବା ବାହୁଲ୍ୟ ମାତ୍ର।
ଉଭୟ ହିନ୍ଦୁ ଓ ମୁସଲମାନ ସ˚ପ୍ରଦାୟର ସଦସ୍ୟମାନେ ଆସାମ ସରକାରଙ୍କ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିଲେ ହେଁ ଏହି ନିଷ୍ପତ୍ତି ପଛରେ ସା˚ପ୍ରଦାୟିକ ଅଭିସନ୍ଧି ରହିଥିବାର ଏକ ସନ୍ଦେହ ପ୍ରକାଶ ପାଇଛି; ଯାହାର କାରଣଟି ହେଉଛି ବାଳିକାମାନଙ୍କ ସକାଶେ ସର୍ବନିମ୍ନ ବିବାହଯୋଗ୍ୟ ବୟସ ନିର୍ଦ୍ଧାରଣରେ ‘ମୁସଲିମ ପର୍ସନାଲ ଲ’ ଏବ˚ ଆଇନର ପ୍ରାବଧାନ ମଧୢରେ ଥିବା ତାରତମ୍ୟ। ମୁସଲିମ ପର୍ସନାଲ ଲ’ ଅନୁସାରେ ସାଧାରଣତଃ ପ୍ରଥମ ଋତୁସ୍ରାବ ସହିତ ଜଣେ ବାଳିକା ବିବାହଯୋଗ୍ୟା ହୋଇଥାଏ, ଯାହାକୁ ଏକ ମୋଟାମୋଟି ବୟସ ନିର୍ଦ୍ଧାରଣ କ୍ରମରେ ୧୫ ବର୍ଷ ବୋଲି ସ୍ଥିର କରାଯାଇଛି; ଏବ˚ ତାହା ଭାରତୀୟ ଆଇନ ଅନୁସାରେ ସ୍ଥିରୀକୃତ ୧୮ ବର୍ଷ ବୟସରୁ ତିନି ବର୍ଷ କମ୍। ପ୍ରକାଶ ଥାଉ କି ଏଭଳି ଦ୍ବନ୍ଦ୍ବ କାରଣରୁ ଅନେକ ବିବାଦ ଅଦାଲତୀ ଆଶ୍ରୟ ମଧୢ ନେଇଛନ୍ତି। ତେବେ କର୍ଣ୍ଣାଟକ, ଗୁଜରାଟ ଏବ˚ କେରଳ ଉଚ୍ଚ ଅଦାଲତ ଏଭଳି ସ୍ଥଳେ ରାଷ୍ଟ୍ରୀୟ ଆଇନ ସ୍ବୀକୃତ ୧୮ ବର୍ଷ ବୟସକୁ ବୈଧତା ପ୍ରଦାନ କରିଥିବା ବେଳେ ଭିନ୍ନ ଭିନ୍ନ କେତେକ ମାମଲାରେ ପଞ୍ଜାବ ଓ ହରିଆଣାର ଉଚ୍ଚ ଅଦାଲତ ମୁସଲିମ ପର୍ସନାଲ ଲ’ରେ ଥିବା ସର୍ବନିମ୍ନ ବୟସର ପ୍ରାବଧାନକୁ ଯଥାର୍ଥତା ପ୍ରଦାନ କରି ଏହି ଦ୍ବନ୍ଦ୍ବକୁ ଆହୁରି ଘନୀଭୂତ କରିଛନ୍ତି। ସୁତରା˚, ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଠାରେ ଶୁଣାଣି ଚାଲିଥିବା ଏ ସ˚ପର୍କିତ କେତେକ ମାମଲାର ରାୟ ଦ୍ବାରା ହିଁ ଏହି ବିବାଦର ଅବସାନ ଘଟିବାର ସମ୍ଭାବନା ରହିଛି। କିନ୍ତୁ ଏଭଳି ଏକ ଦ୍ବନ୍ଦ୍ବାତ୍ମକ ସ୍ଥିତିରେ ବିଜେପି ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା କଠୋର ପଦକ୍ଷେପରେ ସା˚ପ୍ରଦାୟିକ ଦୁରଭିସନ୍ଧି ଆବିଷ୍କାର କରାଯିବାରେ ବିସ୍ମିତ ହେବାର ବିଶେଷ କାରଣ ମଧ୍ୟ ନାହିଁ।
ସାଧାରଣ ଜ୍ଞାନ କହିଥାଏ ଯେ ଏକ ବୃକ୍ଷକୁ ଫଳପୁଷ୍ପ ଦ୍ବାରା ପଳ୍ଲବିତ କରିବାକୁ ହେଲେ ସମସ୍ତ ଯତ୍ନ ଚେର ଠାରେ ହିଁ ନେବାକୁ ହୋଇଥାଏ। ସେହିଭଳି ସମାଜକୁ ବ୍ୟାଧିମୁକ୍ତ ଓ ସୁଠାମ ସୌଷ୍ଠବଯୁକ୍ତ କରିବାକୁ ହେଲେ ଚେର ଠାରେ ହିଁ ଉପଚାର ଓ ଜଳ ସି˚ଚନର ଆବଶ୍ୟକତା ରହିଛି; ଯାହା ଏ କ୍ଷେତ୍ରରେ ହେଉଛି ଶିକ୍ଷାର ପ୍ରସାର, ସଚେତନତା ସୃଷ୍ଟି ଏବ˚ ସଶକ୍ତୀକରଣ। ସେହି ମର୍ମରେ ଏଭଳି ବ୍ୟାପକ ଗିରଫଦାରି ଓ ନିଷ୍ଠୁର ବଳ ପ୍ରୟୋଗ ତ ଆଦୌ ନୁହେଁ।