ଯେତେବେଳେ ବିରୋଧୀ ମେଣ୍ଟ ଇନ୍‌ଡିଆ ଗଠବନ୍ଧନ ପକ୍ଷରୁ ଚଉଦ ଜଣ ଟିଭି ଆଙ୍କରଙ୍କ ନାମ ନେଇ ଘୋଷଣା କଲେ ଯେ ସେମାନେ ଆଉ ସେମାନଙ୍କ ଦ୍ବାରା ପଚିଚାଳିତ ବିତର୍କକୁ ନିଜର ପ୍ରତିନିଧି ପଠାଇବେ ନାହିଁ, ସେତେବେଳେ ବୋଧହୁଏ ସେମାନଙ୍କର ଅନୁମାନ ଥିଲା କି, ଆଙ୍କରମାନଙ୍କୁ ଏପରି ବାସନ୍ଦ ଦ୍ବାରା ସେମାନେ କରି ଆସୁଥିବା ତିନିଟି ଅଶୋଭନୀୟ କାର୍ଯ୍ୟରୁ ନିବୃତ୍ତ ରହିବେ। ସେଗୁଡ଼ିକ ହେଲା: ମୁସଲମାନ ଓ ଖ୍ରୀଷ୍ଟିଆନଙ୍କ ପ୍ରତି ଘୃଣାଭାବ ପୋଷଣ, ଶାସନ କ୍ଷମତାର ମହିମାମଣ୍ଡନ ଓ ବିରୋଧୀଙ୍କ ବଦନାମ। ଏହା ଭିତରେ ମାସକରୁ ଅଧିକ ଦିନ ବିତିଗଲାଣି, ମାତ୍ର ସଂପୃକ୍ତ ଆଙ୍କରମାନେ ସଂସ୍କାରର କୌଣସି ଲକ୍ଷଣ ଦେଖାଇନାହାନ୍ତି। ଏହାର କାରଣ ଯଦି ଖୋଜିବା, ତେବେ ନିମ୍ନୋକ୍ତ ପ୍ରକାରେ ହୋଇପାରେ।

Advertisment

ପ୍ରଥମତଃ, ସେମାନେ ଆଉ ସାମ୍ବାଦିକ ହୋଇ ରହିନାହାନ୍ତି। ଯେତେବେଳେ ଇନ୍‌ଡିଆ ଗଠବନ୍ଧନ ସେମାନଙ୍କୁ ବାସନ୍ଦ କରିବା ଘୋଷଣା କଲା, ସେମାନେ ସାମ୍ବାଦିକତାର ସ୍ବାଧୀନତା ଆଧାରରେ ନିଜର ଅଶୋଭନୀୟ ବ୍ୟବସାୟର ସୁରକ୍ଷା କରିଥିଲେ। ତେବେ ସେମାନଙ୍କର ପ୍ରତିରକ୍ଷା ହାସ୍ୟାସ୍ପଦ ଥିଲା। କାରଣ ସେମାନେ ଆଉ ସାମ୍ବାଦିକ ହୋଇ ରହିନଥିଲେ। ସାମ୍ବାଦିକତାର ସଂଜ୍ଞା ଖୁବ୍‌ ସ୍ପଷ୍ଟ। ସେମାନେ ନିର୍ଭୁଲ ଓ ନିରପେକ୍ଷ ହେବା ଦରକାର। ସେମାନେ ଦେଉଥିବା ପ୍ରତ୍ୟେକ ସୂଚନା ବ୍ୟକ୍ତିଗତ ଭାବନା, କୁସଂସ୍କାର କିମ୍ବା ଆଦର୍ଶଗତ ପକ୍ଷପାତିତାରୁ ମୁକ୍ତ ହେବା ଦରକାର। ଏଥି ସହିତ ପ୍ରମାଣ ଦ୍ବାରା ହିଁ ସେମାନେ ଦେଉଥିବା ପ୍ରତ୍ୟେକ ତଥ୍ୟ ସମର୍ଥିତ ହେବା ଦରକାର। ନିରପେକ୍ଷତା ଓ ଯଥାର୍ଥତା ହେଉଛି ଦୁଇଟି ସବୁଠାରୁ ପବିତ୍ର ନିୟମ ଯାହା ଅନୁସରଣ କଲେ ଜଣେ ସାମ୍ବାଦିକ ସମ୍ମାନାସ୍ପଦ ହୋଇପାରିବେ। ଏହା ଏପରି ଦୁଇଟି ସ୍ତମ୍ଭ ଯାହା ଉପରେ ସେମାନଙ୍କର ବିଶ୍ବସନୀୟତାର ଅଟ୍ଟାଳିକା ବିରାଜମାନ।

ଏହି ଚଉଦ ଜଣ ଆଙ୍କର କାହିଁକି ସାମ୍ବାଦିକ ହେବା ବଦଳରେ ଶାସକ ଦଳର ପ୍ରଚାରକ ହେବାକୁ ନିଷ୍ପତ୍ତି ନେଲେ, ତାହା ବ୍ୟକ୍ତିଗତ ଭାବରେ ପ୍ରମାଣସିଦ୍ଧ ହେବା ବାଞ୍ଛନୀୟ। ଶାସନକଳର ବୃନ୍ଦବାଦନରେ ସାମିଲ ହେବା ଲାଗି ପ୍ରତ୍ୟେକଙ୍କର ନିଜସ୍ବ କାରଣ ରହିବା ଉଚିତ। ଏହା ନିଯୁକ୍ତିହୀନ ହୋଇଯିବାର ଭୟ ହୋଇପାରେ। ଏହା ମୋଟା ଦରମାର ଆକର୍ଷଣ ହୋଇପାରେ। ଏହା ଶାସନକଳର ଉଚ୍ଚାଧିକାରୀ ଓ ସମସ୍ତ ପ୍ରକାର ସୁବିଧାକୁ ଉପଲବ୍‌ଧ କରିବାର ଉପାୟ ହୋଇପାରେ। ଏହା ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ଭିତରେ ଲୋକପ୍ରିୟ ହେବାର ଆକାଂକ୍ଷା ହୋଇପାରେ। ଏପରିକି ଏହା ଯଥେଷ୍ଟ ସଞ୍ଚୟର ବାଟ ମଧ୍ୟ ହୋଇପାରେ ଯାହା କୌଣସି ପରିସ୍ଥିତିରେ ଶାସନକଳ ପରିବର୍ତ୍ତନ ଦ୍ବାରା କୋଣଠେସା ହୋଇଗଲେ ବି ଉତ୍ତମ ଜୀବନ ଜିଇବା ପାଇଁ ତାହା ଖୋରାକ ଯୋଗାଇପାରିବ। କିଏ ଜାଣେ ପ୍ରକୃତ କାରଣ କ’ଣ ହୋଇପାରେ! ଆଙ୍କରମାନେ ସେଭଳି ଅଶୋଭନୀୟ କାର୍ଯ୍ୟ ଜାରି ରଖିବାର ଦ୍ବିତୀୟ କାରଣ ହେଉଛି, ସେମାନଙ୍କର ମାଲିକମାନଙ୍କ ଦ୍ବାରା ଯୋଗାଇ ଦିଆଯାଉଥିବା ସୁରକ୍ଷା ଓ ପଦୋନ୍ନତି। ଆପଣମାନେ କ’ଣ ଭାବୁଛନ୍ତି କି ଆଙ୍କରମାନେ ଯାହା ପସନ୍ଦ କରନ୍ତି, ମନଇଚ୍ଛା ତାହା କରିପାରିବେ ଏବଂ ଚ୍ୟାନେଲ୍‌ର ମାଲିକମାନେ ଚୁପ୍‌ଚାପ୍‌ ବସି ଦେଖିବା ବ୍ୟତୀତ ଆଉ କିଛି କରିପାରିବେନି? ସେମାନେ କୋମାରେ ଅଛନ୍ତି କି? ଏଠାରେ ଏକ ସ୍ପଷ୍ଟ ବ୍ୟତିକ୍ରମ ଦେଖିବାକୁ ମିଳେ। ଯଦି ସାମ୍ବାଦିକତାକୁ ଖୋଲାଖୋଲି ହତ୍ୟା କରି ଆଙ୍କରମାନେ ଖସି ଯାଉଛନ୍ତି, ତେବେ ଉପରୁ ନିଶ୍ଚିତ ଭାବରେ ପ୍ରୋତ୍ସାହନ ମିଳୁଛି। ଏହି ଟିଭି ଚ୍ୟାନେଲ ବା ସମ୍ବାଦ ପ୍ରସାରଣକାରୀମାନେ ସେମାନଙ୍କର ଆଙ୍କର ଆୟୋଜନ କରୁଥିବା କାର୍ଯ୍ୟକ୍ରମକୁ ଏକ ବଡ଼ ବଜାର ଭାବେ ଦେଖୁଛନ୍ତି। ସେହି କାର୍ଯ୍ୟକ୍ରମଗୁଡ଼ିକ ଅଧିକ ଦର୍ଶକଙ୍କୁ ଆକର୍ଷିତ କରିଥାଏ ଏବଂ ଅଧିକ ଦର୍ଶକର ମାନେ ହେଲା ବିଜ୍ଞାପନରୁ ଅଧିକ ରାଜସ୍ବ ପାଇବା। ଟିକସ ଫାଙ୍କି, ଅର୍ଥ ହେରଫେର ଏବଂ ଅନ୍ୟାନ୍ୟ ବେଆଇନ କାରବାର ସହିତ ସେମାନଙ୍କ ବ୍ୟବସାୟ ସାମ୍ରାଜ୍ୟ ଉପରେ ଶାସକଙ୍କ ଆକ୍ରମଣର ଭୟ କାରଣରୁ ସେଥିରେ ମାଲିକଙ୍କ ସଂପୃକ୍ତି ମଧ୍ୟ ହୋଇପାରେ। କିଏ ଜାଣେ କ’ଣ ହୋଇପାରେ!
ଯେତେବେଳେ ଇନ୍‌ଡିଆ ଗଠବନ୍ଧନ ବର୍ଜ୍ଜନ ଘୋଷଣା କଲା, ସେତେବେଳେ ପ୍ରସାରଣକାରୀଙ୍କ ବ୍ୟବସାୟ ସଂଗଠନ ନ୍ୟୁଜ୍‌ ବ୍ରଡ୍‌କାଷ୍ଟିଂ ଆଣ୍ଡ୍‌ ଡିଜିଟାଲ୍‌ ଆସୋସିଏସନ୍‌(ଏନ୍‌ବିଡିଏ) ଏକ ବିବୃତି ପ୍ରକାଶ କରି ଅଭିବ୍ୟକ୍ତିର ସ୍ବାଧୀନତା ଉପରେ ଆକ୍ରମଣ ପାଇଁ ବିରୋଧୀ ଗୋଷ୍ଠୀକୁ ନିନ୍ଦା କରିଥିଲା। ଲାଗିଲା ସତେ ଯେମିତି ହାଣ୍ଡି କେଟ୍‌ଲିକୁ କଳା ବୋଲି କହୁଛି। କାଗଜ କଲମରେ ଏନ୍‌ବିଡିଏ ସ୍ବୀକାର କରୁଛି ଯେ, ଅଭିବ୍ୟକ୍ତିର ସ୍ବାଧୀନତା କେବେ ମରୁଭୂମିର ସ୍ବାଧୀନତା ନୁହେଁ। ଏହା ଅସଭ୍ୟ ହୋଇପାରିବ ନାହିଁ। କେବଳ କିଛି ନିର୍ଦ୍ଦିଷ୍ଟ ସୀମା ଭିତରେ ଏହା ଲାଗୁ ହୋଇପାରିବ। ଏନ୍‌ବିଡିଏ ତାହାର ପ୍ରସାରଣକାରୀଙ୍କ ପାଇଁ ଏକ ‘ଆଚରଣ ସଂହିତା’ ଧାର୍ଯ୍ୟ କରିଛି ଏବଂ କହିଛି ଯେ, ସେମାନେ ସତ୍ୟତା ଓ ସାମ୍ବାଦିକତାର ନୈତିକତାର ସର୍ବୋଚ୍ଚ ମାନକ ପାଳନକୁ ନିଶ୍ଚିତ କରିବା ଆବଶ୍ୟକ। ଆଚରଣ ସଂହିତାର ଧାରା-୪ରେ କୁହାଯାଇଛି, ‘କିଛି ନିର୍ଦ୍ଦିଷ୍ଟ ବିଶ୍ବାସ, ମତାମତ କିମ୍ବା କୌଣସି ସ୍ବାର୍ଥଗୋଷ୍ଠୀର ଇଚ୍ଛାକୁ ପ୍ରୋତ୍ସାହନ କରିବା ଲାଗି ସମ୍ବାଦ ଚୟନ କିମ୍ବା ପରିକଳ୍ପନା କରାଯିବ ନାହିଁ।’ ଯାହା ଆପଣମାନେ ଦେଖିପାରିବେ, ତାହା କେବଳ କାଗଜ କଲମରେ। ପ୍ରସାରଣକାରୀମାନେ ସେମାନଙ୍କର ସଂହିତାକୁ ସେମାନଙ୍କର ସୁରକ୍ଷିତ ସ୍ଥାନର ଏକ କୋଣରେ ବନ୍ଦ କରିଦେଇ ତାହା ବିଷୟରେ ଭୁଲିଯାଇଛନ୍ତି।
ଆପଣମାନେ ପଚାରି ପାରନ୍ତି: ଟିଭି ନ୍ୟୁଜ୍‌ ଚ୍ୟାନେଲ୍‌ଗୁଡ଼ିକ ପାଇଁ କୌଣସି ନିୟମ ନାହିଁ କି? ନ୍ୟୁଜ୍‌ ବ୍ରଡ୍‌କାଷ୍ଟିଂ ଆଣ୍ଡ୍‌ ଡିଜିଟାଲ୍‌ ଷ୍ଟାଣ୍ଡାର୍ଡ ଅଥରିଟି(ଏନ୍‌ବିଡିଏସ୍‌ଏ) ନାମରେ ପ୍ରସାରଣକାରୀଙ୍କର ଏକ ସ୍ବୟଂ-ନିୟନ୍ତ୍ରିତ ସଂସ୍ଥା ରହିଛି, ଯାହାର ନେତୃତ୍ବ ସୁପ୍ରିମ୍‌କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କରୁଛନ୍ତି। ଆଙ୍କର ଓ ପ୍ରସାରଣକାରୀଙ୍କୁ ଲଗାମ ଦେବା ପାଇଁ ଏନ୍‌ବିଡିଏସ୍‌ଏ ଅନେକ ନିର୍ଦ୍ଦେଶନାମା ଜାରି କରିଛି। ଏଥି ସହିତ ଜରିମାନା ମଧ୍ୟ କଷାଯାଇପାରୁଛି।
ଗତବର୍ଷ ଏପ୍ରିଲ ୨୨ ତାରିଖରେ ନ୍ୟୁଜ୍‌୧୮ ପ୍ରାଇମ୍‌ ଟାଇମ୍‌ ଆଙ୍କର ଅମନ ଚୋପ୍ରା ‘ଜାହାଙ୍ଗୀରପୁରୀ କା ବଦଲା, ମହାଦେବ ପର ହମଲା’ ନାମକ ଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେଥିରେ ରାଜସ୍ଥାନ ଅନ୍ତର୍ଗତ ଅଲଵାରର ରାଜଗଡ଼ରେ ଜବରଦଖଲ ଉଚ୍ଛେଦ ଅଭିଯାନ ଅନ୍ତର୍ଗତ ଏକ ଶିବମନ୍ଦିର ଭଙ୍ଗାଯିବାର ଦୃଶ୍ୟ ରହିଛି। ତେବେ ତାହାକୁ ଦିଲ୍ଲୀର ଜାହାଙ୍ଗୀରପୁରୀରେ ମୁସଲମାନମାନଙ୍କ ଦ୍ବାରା ହୋଇଥିବା ଜବରଦଖଲ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ‘ପ୍ରତିଶୋଧ କାର୍ଯ୍ୟ’ ଭାବେ ବର୍ଣ୍ଣନା କରାଯାଇଥିଲା। ଚୋପ୍ରାଙ୍କ କାର୍ଯ୍ୟକ୍ରମରେ ଉଭୟ ନିର୍ଭୁଲତା ଓ ନିରପେକ୍ଷତାର ଅଭାବ ରହିଥିଲା। ଜାହାଙ୍ଗୀରପୁରୀରେ ଭଙ୍ଗାରୁଜା ହେବାର ତିନିଦିନ ଆଗରୁ ଏହି ମନ୍ଦିରକୁ ଭଙ୍ଗାଯାଇଥିଲା। ଜାହାଙ୍ଗୀରପୁରୀରେ ଭଙ୍ଗାରୁଜା ପାଇଁ ଏହା କିପରି ପ୍ରତିଶୋଧ ହୋଇପାରେ? କେବଳ ସେତିକି ନୁହେଁ, ରାଜଗଡ଼ରେ ଭଙ୍ଗାରୁଜା ପାଇଁ ବିଜେପି ଶାସିତ ପୌର ପରିଷଦ ପକ୍ଷରୁ ହିଁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ଗେହଲଟ ସରକାରଙ୍କର କୌଣସି ହାତ ନଥିଲା। ଏହା କିପରି ଗେହଲଟ ସରକାରଙ୍କ ଦ୍ବାରା ‘ପ୍ରତିଶୋଧ କାର୍ଯ୍ୟ’ ହୋଇପାରେ?
ଚୋପ୍ରାଙ୍କ ଦ୍ବାରା ପରିଚାଳିତ ବିଷୟବସ୍ତୁର ଦୁଇଟି ମିଥ୍ୟା, ଘୃଣ୍ୟ ଓ ଉତ୍ତେଜକ କାର୍ଯ୍ୟକ୍ରମ ପାଇଁ ନ୍ୟୁଜ୍‌୧୮ ମିଡିଆ ଉପରେ ଏନ୍‌ବିଡିଏସ୍‌ଏ ୫୦ ହଜାର ଓ ୨୫ ହଜାର ଟଙ୍କାର ଜରିମାନା ଲଗାଇଛି। କିନ୍ତୁ ଏହି ଜରିମାନା ଦ୍ବାରା କିଛି ବି ପରିବର୍ତ୍ତନ ଘଟିନାହିଁ। ନ୍ୟୁଜ୍‌୧୮ ମିଡିଆରେ ଚୋପ୍ରା ପୂର୍ବ ପରି ଅସତ୍ୟ, ଘୃଣ୍ୟ ଓ ଉତ୍ତେଜନାମୂଳକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହା କୌଣସି ପ୍ରକାରେ ଚ୍ୟାନେଲ୍‌ କିମ୍ବା ଆଙ୍କରଙ୍କୁ ପ୍ରଭାବିତ କରିପାରିନାହିଁ। ଏନ୍‌ବିଡିଏସ୍‌ଏ ସେମିତି ପ୍ରସାରଣକାରୀଙ୍କ ଉପରେ କଟକଣା ଓ ଜରିମାନା ଜାରି କରିଥାଏ, ମାତ୍ର ସେମାନେ ସେମାନଙ୍କର ଘୃଣାସୃଷ୍ଟିକାରୀ ଆଙ୍କରମାନଙ୍କୁ କାର୍ଯ୍ୟକ୍ରମରୁ ହଟାନ୍ତି ନାହିଁ। ଏଥିରୁ କ’ଣ ବୁଝା ପଡୁଛି? ଅବଶ୍ୟ ପ୍ରସାରଣକାରୀମାନେ କାହିଁକି ଏପରି ହେବାକୁ ଦେଉଛନ୍ତି, ତାହା ପଛରେ ଆହୁରି ଗମ୍ଭୀର କାରଣ ରହିଛି।
ଏହିଠାରେ ଶାସନ କଳ ହିଁ ପ୍ରକୃତ ଦୃଶ୍ୟପଟକୁ ଆସିଥାଏ। ନିଜ ବ୍ୟବସାୟକୁ ବଞ୍ଚାଇ ରଖିବା ଓ ତାହାର ଉନ୍ନତି ପାଇଁ ଚ୍ୟାନେଲ ମାଲିକମାନେ ଶାସନକଳକୁ ଖୁସି କରାଇବା ଦରକାର। ଶାସନକୁ ମହିମାମଣ୍ଡିତ କରୁଥିବା ଆଙ୍କର ଓ ଘୃଣାକୁ ବିକ୍ରି କରୁଥିବା ଚ୍ୟାନେଲ ମାଲିକମାନେ ପ୍ରତିଦିନ ଶାସନ ପ୍ରତି ସେମାନଙ୍କର ନିଷ୍ଠା ପ୍ରତିପାଦନ କରି ଚାଲିଥା’ନ୍ତି। ଚ୍ୟାନେଲ ଓ ଆଙ୍କରମାନେ ଯାହା କରୁଛନ୍ତି, ସେଥିରେ ଶାସନ କଳ ଯେ ଖୁସି, ତାହା ତାଙ୍କର ଆଚରଣରୁ ସ୍ପଷ୍ଟ ବାରି ହୋଇପଡୁଛି। ଏଥିରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୧୫୩-କ ଲଗାଯାଇନାହିଁ, ଯାହା ‘ଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହନ କରିବାକୁ ବାରଣ କରିଥାଏ’ କିମ୍ବା ଧାରା ୨୯୫-କ ଯାହା ‘କୌଣସି ଧର୍ମ କିମ୍ବା ଧାର୍ମିକ ବିଶ୍ବାସକୁ ଅପମାନିତ କରି ସେମାନଙ୍କୁ ଦଣ୍ଡ ଦେବା ଉଦ୍ଦେଶ୍ୟରେ କୌଣସି ବର୍ଗର ଉଦ୍ଦେଶ୍ୟମୂଳକ ଏବଂ ବିଦ୍ବେଷପୂର୍ଣ୍ଣ କାର୍ଯ୍ୟକୁ ବାରଣ କରେ’। ଏହା ମଧ୍ୟ କେବୁଲ ଟେଲିଭିଜନ୍‌ ନେଟ୍‌ଵର୍କ ନିୟମକୁ ବ୍ୟବହାର କରେନାହିଁ, ଯାହା ଧର୍ମକୁ ଆଘାତ ଦେଉଥିବା କୌଣସି କାର୍ଯ୍ୟକ୍ରମକୁ ବାରଣ କରେ। ଶାସକ ଏହା କରୁନାହାନ୍ତି ବୋଲି ଆପଣ କାହିଁକି ଭାବୁଛନ୍ତି? ଏହା ସ୍ପଷ୍ଟ ବାରି ହୋଇପଡୁଛି। ପ୍ରସାରଣକାରୀମାନେ ଘୃଣାର ଏକ ବଜାର ଆବିଷ୍କାର କରିଥିବାରୁ ବିଜେପି ଶାସନ ଏଥିରେ ଏକ ରାଜନୈତିକ ବଜାର ଖୋଜି ପାଇଛି।